ଯେତେବେଳେ ଆମେ ତାଙ୍କୁ ଭେଟିଥିଲୁ, ତାଙ୍କୁ ୧୦୪ ବର୍ଷ ହୋଇଥିଲା, ନିଜ କୋଠରୀରୁ ବାହାରିଥିଲେ, ନିଜ ବାଡ଼ିରେ ଭରା ଦେବା ବ୍ୟତୀତ ଭବାନୀ ମାହାତୋ ନା କାହାଠାରୁ ସାହାଯ୍ୟ ଲୋଡ଼ିଥିଲେ କିମ୍ବା କାହାଠାରୁ ସାହାଯ୍ୟ ଗ୍ରହଣ କରିଥିଲେ । ଏପରିକି ସେହି ବୟସରେ ନିଜ ଦମ୍ ରେ ଚାଲୁଥିଲେ, ଛିଡ଼ା ହେଉଥିଲେ ଓ ବସୁଥିଲେ । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଚେପୁଆ ଗାଁରେ ତାଙ୍କର ବିଶାଳ ଯୌଥ ପରିବାର ଏହି କୃଷକ ଓ ଗୃହିଣୀଙ୍କ ଉପରେ ନିର୍ଭରଶୀଳ ଥିଲେ, ଯିଏ ସେମାନଙ୍କ ଜୀବନ ଓ ଭବିଷ୍ୟତର କେନ୍ଦ୍ରବିନ୍ଦୁ ଥିଲେ ।
ସ୍ୱାଧୀନତା ସଂଗ୍ରାମୀ ଭବାନୀ ମାହାତୋ ୨୦୨୪ ଅଗଷ୍ଟ ୩୦ ବିଳମ୍ବିତ ରାତିରେ ଶୋଇଥିବା ବେଳେ ପରମଶାନ୍ତିରେ ପରଲୋକ ଗମନ କରିଛନ୍ତି । ତାଙ୍କୁ ୧୦୬ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ, ମୋ ପୁସ୍ତକ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜରସ୍ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍ (ପେଙ୍ଗୁଇନ୍ ନଭେମ୍ବର ୨୦୨୨)ରେ ଥିବା ୧୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ମାତ୍ର ଚାରିଜଣ ଜୀବିତ ଅଛନ୍ତି । ଗୋଟିଏ ଅର୍ଥରେ, ଭବାନୀ ଅନେକ ଅସାଧାରଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ବି ବ୍ୟତିକ୍ରମ ଥିଲେ, ଯାହାଙ୍କ ସାକ୍ଷାତକାର ‘ପରୀ’ର ପ୍ରିଡମ ଫାଇଟରସ୍ ଗ୍ୟାଲେରୀରେ ସ୍ଥାନିତ ହୋଇଥିଲା । ସେ ହିଁ ଏକମାତ୍ର ଥିଲେ, ଯିଏ କି ଆମ ସହ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ ବେଳେ ସେହି ମହାସଂଗ୍ରାମରେ ତାଙ୍କର କିଛି ଭୂମିକା ଥିଲା ବୋଲି ଅସ୍ୱୀକାର କରିଥିଲେ । “ମୋର ସେଥିରେ କିମ୍ବା ସେହିଭଳି କିଛି ଘଟଣାରେ କୌଣସି ଭୂମିକା ଅଛି କି?” ୨୦୨୨ ମାର୍ଚ୍ଚ ମାସରେ ତାଙ୍କୁ ପ୍ରଥମେ ଭେଟିବା ବେଳେ ପ୍ରଶ୍ନ କରିଥିଲେ ।
୧୯୪୦ ଦଶକରେ ଗ୍ରେଟ ବେଙ୍ଗଲ ଫ୍ୟାମିନି (ଦୁର୍ଭିକ୍ଷ) ବେଳେ ଅତି କଠିନ ଥିଲା ତାଙ୍କ ଜୀବନ ଯାତ୍ରା । ଏହି ସମୟରେ ତାଙ୍କୁ ଯେପରି କଷ୍ଟ କରିବାକୁ ପଡ଼ିଥିଲା, ତାହା କଳ୍ପନାତୀତ
ବାସ୍ତବରେ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅନେକ ଯୋଗଦାନ ରହିଛି, ଏପରିକି ତାଙ୍କର ସ୍ୱାମୀ, ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୈଦ୍ୟନାଥ ମାହାତୋଙ୍କଠାରୁ ଅଧିକ । ମନ ବଜାର ବ୍ଲକସ୍ଥିତ ତାଙ୍କ ଘରକୁ ଆମେ ଯିବାର ୨୦ ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ସାରିଥିଲା । ଯେତେବେଳେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ ବୋଲି ଦୃଢ଼ ଭାବରେ କହିଥିଲେ, ସେତେବେଳେ ମୋର ସହକର୍ମୀ ସ୍ମିତା ଖଟୋର ଓ ମୁଁ ନିରାଶ ହୋଇଥିଲୁ । ଏହାର କାରଣ ଜାଣିବାକୁ ଆମକୁ ଘଣ୍ଟା ଘଣ୍ଟା ସମୟ ଲାଗିଲା ।
୧୯୮୦ ମସିହାରେ ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ‘ସ୍ୱାଧୀନତା ସଂଗ୍ରାମୀ’ର ପରିଭାଷାକୁ ସେ ସମ୍ମାନ ଜଣାଉଥିଲେ । ଏକ ପରିଭାଷା ଯାହା ଉପନିବେଶବାଦ ବିରୋଧୀ ସଂଘର୍ଷରେ ମହିଳା ଓ ସେମାନଙ୍କ କାର୍ଯ୍ୟକୁ ବାଦ ଦେଉଥିଲା । ଯାହା ମୁଖ୍ୟତଃ ଜେଲ ସମୟକୁ ନେଇ କେନ୍ଦ୍ରିତ ହୋଇଥିଲା – ଯେଉଁଥିପାଇଁ ବହୁ ସଂଖ୍ୟାରେ ଅଣ୍ଡରଗ୍ରାଉଣ୍ଡ ବିପ୍ଳବୀ ଏଥିରୁ ବଞ୍ଚିତ ହୋଇଥିଲେ । ସବୁଠୁ ବିଡ଼ମ୍ବନାର କଥା ହେଉଛି, ଅଣ୍ଡରଗ୍ରାଉଣ୍ଡ ବିପ୍ଳବୀଙ୍କୁ ଅପରାଧୀ ଘୋଷଣା କରାଯାଇଥିବାରୁ ସେମାନଙ୍କୁ ପ୍ରମାଣ ମଗାଯାଉଥିଲା – ବ୍ରିଟିଶ ସରକାରଙ୍କଠାରୁ ଭାରତର ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କର ପ୍ରମାଣପତ୍ର ଖୋଜା ଯାଉଥିଲା ।
ଯେତେବେଳେ ଆମେ ଏହାକୁ ଭିନ୍ନ ଭାବେ ଦେଖି ଭିନ୍ନ ଭାବେ ଚର୍ଚ୍ଚା କଲୁ, ଭବାନୀଙ୍କ ବଳିଦାନର ମହାନତା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ସେ ପୁରୁଲିଆ ଜଙ୍ଗଲରେ ଲୁଚି ଛପି ରହିଥିବା ପଳାତକ ବିପ୍ଳବୀମାନଙ୍କୁ ଖାଇବାକୁ ଦେବାର ବିପଦପୂର୍ଣ୍ଣ କାର୍ଯ୍ୟ କରିଥିଲେ । ପ୍ରାୟତଃ ୨୦ କିମ୍ବା ଅଧିକ ଲୋକଙ୍କ ପାଇଁ ଖାଦ୍ୟ ବନାଇବା ଓ ଖୁଆଇବା – ଏହା ବ୍ୟତୀତ ଏକ ସମୟରେ ୨୫ରୁ ଅଧିକ ଲୋକଙ୍କ ପରିବାର ପାଇଁ ଏହି କାର୍ଯ୍ୟ କରିବା । ଆହୁରି ମଧ୍ୟ ୧୯୪୨-୪୩ରେ ବଙ୍ଗଳାରେ ଅକାଳ ଚରମରେ ପହଁଚିଥିବା ବେଳେ ଖାଦ୍ୟ ଯୋଗାଡ଼ କରିବା । ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କର ଏପରି ବିପଦରେ ପରିପୂର୍ଣ୍ଣ ଅବଦାନ ଅବିଶ୍ୱସନୀୟ ।
ଆମେ ଆପଣଙ୍କ ଯାଦୁ ମନେ ରଖିବୁ ଭବାନୀ ଦି’
ଅନୁବାଦ : ଓଡ଼ିଶାଲାଇଭ୍