ଆମେ ମହାରାଷ୍ଟ୍ରର ମନୋରମ ତିଲାରୀ ଜଙ୍ଗଲ ଅଞ୍ଚଳ ଦେଇ ଯାଉଥିଲୁ। ସୀମାବର୍ତ୍ତୀ ଜଙ୍ଗଲକୁ ଲାଗି ରହିଥିବା ଗୋପାଳକ ବସ୍ତିର ମହିଳାମାନଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆମର ଆଲୋଚନା କରିବାର ଥିଲା। ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ଏକ ସହର ଚାନ୍ଦଗଡ଼କୁ ଯିବା ବାଟରେ ମୁଁ ପଚାଶ ବର୍ଷ ବୟସରେ ଜଣେ ମହିଳା ରାସ୍ତା କଡ଼ରେ ଏକ ଗଛ ତଳେ ତାଙ୍କର ଚାରିଟି ଛେଳିକୁ ଜଗି ଖୁସିରେ ଏକ ବହି ଧରି ବସି ଥିବାର ଦେଖିଲି।
ମେ ମାସର ଏକ ମେଘୁଆ ଅପରାହ୍ନରେ ଏହି ଅସ୍ୱାଭାବିକ ଦୃଶ୍ୟ ଦେଖି ଆମ କାର୍ ଅଟକିଗଲା, ଏବଂ ଆମେ ଚାଲି ଚାଲି ସେହି ମହିଳା, ରେଖା ରମେଶ ଚାନ୍ଦଗଡ଼ଙ୍କ ପାଖକୁ ଗଲୁ। କଥାବାର୍ତ୍ତା କରିବା ପରେ ଜଣାପଡ଼ିଲା ଯେ ସେ ବିଠୋବାଙ୍କର ଜଣେ ଭକ୍ତ। ବିଠୋବା ହେଉଛନ୍ତି ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଅନେକଗୁଡ଼ିଏ ସମ୍ପ୍ରଦାୟର ଆରାଧ୍ୟ ଦେବତା। ରେଖାତାଇ ଆମକୁ ବିଠୋବାଙ୍କର ନାମ ଜପ କରି ସନ୍ଥ ନାମଦେବଙ୍କର ଗୋଟିଏ ଭଜନ ଗାଇ ଶୁଣାଇଲେ। ନାମଦେବ ମହାରାଷ୍ଟ୍ରର ଜଣେ ସନ୍ଥ କବି ଏବଂ ପଞ୍ଜାବରେ ମଧ୍ୟ ପୂଜା ପାଆନ୍ତି। ୱାର୍କରିପନ୍ଥର ଜଣେ ସମର୍ଥକ ନାମଦେବଙ୍କର ଭଜନଗୁଡ଼ିକ ଭକ୍ତି ପରମ୍ପରାର ଭାବ ପାଇଁ ଜଣାଶୁଣା। ଧାର୍ମିକ ପରମ୍ପରାର ବିପରୀତ, ଭକ୍ତି ପରମ୍ପରାରେ ପୂଜା ପାଇଁ କୌଣସି ପ୍ରଥାକୁ ଅନୁସରଣ କରାଯିବା ବାଧ୍ୟତାମୂଳକ ନୁହେଁ। ରେଖାତାଇ ଭକ୍ତି ଆନ୍ଦୋଳନର ଜଣେ ଅନୁଗାମୀ।
ଆଷାଢ (ଜୁନ୍/ଜୁଲାଇ) ଏବଂ କାର୍ତ୍ତିକ (ଅକ୍ଟୋବର- ନଭେମ୍ୱର, ଦୀପାବଳି ପରେ) ମାସରେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଦଳ ଦଳ ହୋଇ ଚାଲି ଚାଲି ଯାନ୍ତି। ସେହି ଭକ୍ତମାନଙ୍କୁ ୱାରି କୁହାଯାଏ। ଚାଲିବା ସମୟରେ ସେମାନେ ଧ୍ୟାନେଶ୍ୱର, ତୁକାରାମ ଏବଂ ନାମଦେବଙ୍କ ଭଳି ସନ୍ଥମାନଙ୍କର ଭକ୍ତି ଗୀତ ଗାଆନ୍ତି। ପ୍ରତିବର୍ଷ, ରେଖାତାଇ ନିଶ୍ଚିତ ଭାବରେ ମହାରାଷ୍ଟ୍ରର ସୋଲାପୁରରେ ଥିବା ପନ୍ଧାରପୁର ମନ୍ଦିରକୁ ଚାଲି କରି ଯାଉଥିବା ଭକ୍ତମାନଙ୍କ ସହିତ ଯୋଗ ଦିଅନ୍ତି।
“ମୋ ପିଲାମାନେ କହୁଛନ୍ତି, ‘ଛେଳି ଜଗେନି। ଘରେ ଆରାମରେ ବସ।’ ହେଲେ ମୋତେ ଏଠି ବସି ବିଠୋବାଙ୍କ ନାମଜପ କରିବାକୁ ଏବଂ ଭଜନ ଗାଇବାକୁ ଭଲ ଲାଗେ। ମୋ ସମୟ ଏମିତି ଆନନ୍ଦରେ ବିତି ଯାଉଛି,” ରେଖାତାଇ କହନ୍ତି। ଦୀପାବଳି ପରେ କାର୍ତ୍ତିକୱାରିରେ ଯୋଗ ଦେବା ପାଇଁ ତାଙ୍କର ବହୁତ ଇଚ୍ଛା।
ଅନୁବାଦ : ଓଡ଼ିଶାଲାଇଭ୍