ଏ ବର୍ଷ ଜୁନ୍ ମାସ ତୃତୀୟ ଶୁକ୍ରବାର ଦିନ ଶ୍ରମିକମାନଙ୍କ ପାଇଁ ଥିବା ହେଲ୍ପଲାଇନ୍ ନମ୍ବରର ଫୋନ୍ ବାଜି ଉଠିଲା
“ଆପଣ ଆମକୁ ସାହାଯ୍ୟ କରିପାରିବେ କି? ଆମକୁ ଆମ ମଜୁରି ପଇସା ମିଳିନି।”
ସେମାନେ ଥିଲେ କୁଶଲଗଡ଼ର ୮୦ ଜଣିଆ ଶ୍ରମିକଙ୍କର ଏକ ଦଳ, ଯେଉଁମାନେ କି ରାଜସ୍ଥାନ ଅନ୍ତର୍ଗତ କେତେକ ପଡ଼ୋଶୀ ତହସିଲର ବିଭିନ୍ନ ନିର୍ମାଣସ୍ଥଳରେ କାମ କରିବାକୁ ଯାଇଥିଲେ । ଟେଲିକମ୍ ଫାଇବର କେବୁଲ ବିଛାଇବା ଲାଗି ଦୁଇ ମାସ ଧରି ସେମାନେ ଦୁଇ ଫୁଟ୍ ଓସାର ଓ ଛଅ ଫୁଟ ଗଭୀର ପରିଖା ବା ଟ୍ରେଞ୍ଚ ଖୋଳିଥିଲେ ।
ଦୁଇ ମାସ ପରେ ଯେତେବେଳେ ସେମାନେ ସେମାନଙ୍କର ସଂପୂର୍ଣ୍ଣ ବକେୟା ମଜୁରି ମାଗିଲେ, କାମ ଠିକ୍ ହୋଇ ନଥିବା ଦର୍ଶାଇ ଠିକାଦାର ଜଣକ ସେମାନଙ୍କ ସହିତ ସଂଖ୍ୟାରେ ଖେଳ ଖେଳିଲେ ଏବଂ ଅଳ୍ପ ପଇସା ଦେଇ “ ଦେତା ହୁଁ, ଦେତା ହୁଁ (ମୁଁ ଦେଇଦେବି, ମୁଁ ଦେଇଦେବି)” କହି ସେମାନଙ୍କୁ ଏଡ଼ାଇ ଯିବାକୁ ଚେଷ୍ଟା କଲେ । କିନ୍ତୁ ସେ ଦେଲେ ନାହିଁ, ଏବଂ ମୋଟ ପ୍ରାପ୍ୟ ବାବଦ ୭-୮ ଲକ୍ଷ ଟଙ୍କା ପାଇବା ଲାଗି ଆଉ ଦୁଇ ସପ୍ତାହ ଅପେକ୍ଷା କରିବା ପରେ ସେମାନେ ପୋଲିସ ପାଖକୁ ଗଲେ ଏବଂ ପୋଲିସ ସେମାନଙ୍କୁ ଶ୍ରମିକମାନଙ୍କ ପାଇଁ ଥିବା ହେଲ୍ପଲାଇନ୍ ନମ୍ବରରେ କଲ୍ କରିବାକୁ କହିଲେ ।
ସେମାନେ ଯେତେବେଳେ କଲ୍ କଲେ, “ସେମାନଙ୍କ ପାଖରେ କିଛି ପ୍ରମାଣ ଅଛି କି ବୋଲି ଆମେ ପଚାରିଲୁ । ସେମାନେ ଆମକୁ ସେହି ଠିକାଦାରଙ୍କ ନାଁ ଓ ଫୋନ୍ ନମ୍ବର, ଏବଂ ଉପସ୍ଥାନ ଖାତାର କୌଣସି ଫଟୋ ଦେଇପାରିବେ କି,” କହନ୍ତି କମଲେଶ ଶର୍ମା, ବାଂସୱାଡ଼ା ଜିଲ୍ଲା ସଦର ମହକୁମାରେ ରହୁଥିବା ଜଣେ ସାମାଜିକ କର୍ମୀ ।
ସୌଭାଗ୍ୟବଶତଃ, ମୋବାଇଲ ବ୍ୟବହାରରେ ଅଭ୍ୟସ୍ତ କେତେକ ଯୁବ ଶ୍ରମିକ ଏ ସବୁ ଦେବାରେ ସମର୍ଥ ହେଲେ ଏବଂ ଫୋନ୍ ଜରିଆରେ ସେମାନଙ୍କ କାର୍ଯ୍ୟସ୍ଥଳୀର କେତେକ ଫଟୋ ବି ପଠାଇଲେ, ଯାହାକୁ ଭିତ୍ତି କରି ସେମାନଙ୍କ ମାମଲାର ରୂପରେଖ ପ୍ରସ୍ତୁତ କରାଗଲା ।
ହେଲେ ବିଡ଼ମ୍ବନାର ବିଷୟବସ୍ତୁ କେବଳ ସେମାନଙ୍କ ପାଖରେ ସରିଯାଇ ନଥିଲା – ସେମାନେ ଯେଉଁ ଟ୍ରେଞ୍ଚ ଖୋଳିଥିଲେ ତାହା ଥିଲା ଦେଶର ସର୍ବବୃହତ୍ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥାର, ଯେ କି ‘ଲୋକଙ୍କୁ ସଂଯୋଗ କରିବାକୁ’ ଚାହେଁ ।
ସେମାନଙ୍କ ମାମଲା ଉପସ୍ଥାପନ କରିବାରେ କମଲେଶ - ଶ୍ରମିକମାନଙ୍କ ସମସ୍ୟା କ୍ଷେତ୍ରରେ କାର୍ଯ୍ୟରତ ‘ଆଜୀବିକା ବ୍ୟୁରୋ’ ନାମକ ଏକ ଅଣ-ଲାଭକାରୀ ସଂସ୍ଥାର ପ୍ରକଳ୍ପ ପରିଚାଳକ- ଏବଂ ଅନ୍ୟମାନେ ସାହାଯ୍ୟ କରିଥିଲେ । ସେମାନଙ୍କର ସମସ୍ତ ପ୍ରସାରଣ ସାମଗ୍ରୀରେ ‘ଆଜୀବିକା’ ହେଲ୍ପଲାଇନ ନମ୍ବର ୧୮୦୦ ୧୮୦୦ ୯୯୯, ଏବଂ ବ୍ୟୁରୋ କାର୍ଯ୍ୟକର୍ତ୍ତାମାନଙ୍କର ଫୋନ୍ ନମ୍ବର ରହିଥିଲା ।
*****
କାମଧନ୍ଦା ଖୋଜିବା ଲାଗି ବାହାରକୁ ଯାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ରହିଛନ୍ତି ବାଂସୱାଡ଼ାର ଏହି ଶ୍ରମିକମାନେ । “କୁଶଲଗଡ଼ରେ ଅନେକ ପ୍ରବାସୀ (ବାହାରକୁ ଯାଇ କାମ କରୁଥିବା ଲୋକ) ଅଛନ୍ତି,” ଏହି ଜିଲ୍ଲାର ଚୁଡ଼ାଦା ଗାଁ ସରପଞ୍ଚ ଯୋଗା ପିତ୍ତା କହନ୍ତି । “ଚାଷବାସ କରି ପରିବାର ଚଳାଇବାରେ ଆମେ ସକ୍ଷମ ନୁହଁ ।”
କ୍ଷୁଦ୍ର ଚାଷଜମି ଖଣ୍ଡର ମାଲିକାନା, ଜଳସେଚନ ଅଭାବ, ଚାକିରି ନ ମିଳିବା ଏବଂ ସାମୂହିକ ଦାରିଦ୍ର୍ୟ କାରଣରୁ ଏହି ଜିଲ୍ଲା ଏବେ ଅଭାବୀ ପ୍ରବାସନର କେନ୍ଦ୍ରସ୍ଥଳୀ ପାଲଟିଛି । ଏଠାକାର ୯୦ ପ୍ରତିଶତ ଲୋକ ଭିଲ୍ ଆଦିବାସୀ ସଂପ୍ରଦାୟର ଏବଂ ସେମାନଙ୍କ ମଧ୍ୟରେ ପ୍ରବାସନର ଏହି ଧାରା ଅବ୍ୟାହତ ରହିଛି । ପରିବେଶ ଓ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ବିକାଶ କାର୍ଯ୍ୟପତ୍ର ଅନୁସାରେ ମରୁଡ଼ି, ବନ୍ୟା ଓ ଗ୍ରୀଷ୍ମପ୍ରବାହ ଭଳି ଚରମ ପ୍ରାକୃତିକ ସଂଘଟନ ପରବର୍ତ୍ତୀ ସମୟରେ ପ୍ରବାସନର ହାର ତୀବ୍ରତର ହୋଇଥାଏ ।
ବର୍ଷ ସାରା କୁଶଲଗଡ଼ର ବ୍ୟସ୍ତବହୁଳ ବସ୍ ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ ୪୦ଟି ସରକାରୀ ବସ୍, ଥରକରେ ୫୦ରୁ ୧୦୦ ଲୋକଙ୍କୁ ନେଇ ଯାତ୍ରା କରିଥାଆନ୍ତି । ଏହା ବ୍ୟତୀତ ସମାନ ସଂଖ୍ୟକ ବେସରକାରୀ ବସ୍ ବି ରହିଛି । ସୁରତ ଯିବା ଲାଗି ୫୦୦ ଟଙ୍କା ବସ୍ ଭଡ଼ା ଲାଗେ ଏବଂ କଣ୍ଡକ୍ଟର କହନ୍ତି ଯେ, ସେମାନେ ଛୋଟପିଲାଙ୍କ ପାଇଁ ଭଡ଼ା ନିଅନ୍ତି ନାହିଁ ।
ବସ୍ରେ ଜାଗା ପାଇବା ପାଇଁ ଆଗରୁ ପହଞ୍ଚନ୍ତି ସୁରେଶ ମୈଦା ଏବଂ ସୁରତ ଯିବାକୁ ଥିବା ବସ୍ ଭିତରେ ତାଙ୍କ ସ୍ତ୍ରୀ ଓ ତିନିଟି ଛୋଟ ପିଲାଙ୍କୁ ବସାଇ ଦିଅନ୍ତି । ବସ୍ ପଛପଟେ ରହିଥିବା ନିର୍ଦ୍ଧାରିତ ସ୍ଥାନରେ ଜିନିଷପତ୍ର ରଖିବା ଲାଗି ସେ ଓହ୍ଲାଇ ପଡ଼ନ୍ତି- ପାଞ୍ଚ କିଲୋ ଅଟାର ଏକ ବସ୍ତା, କିଛି ବାସନକୁସନ ଏବଂ ଲୁଗାପଟା, ସେସବୁ ସେଠାରେ ରଖି ପୁଣି ବସ୍ରେ ଚଢ଼ନ୍ତି ।
“ମୁଁ ଦିନକୁ ପ୍ରାୟ ୩୫୦ (ଟଙ୍କା) ରୋଜଗାର କରିବି,” ଭିଲ ଆଦିବାସୀ ସଂପ୍ରଦାୟର ଏହି ଦିନ ମଜୁରିଆ ଜଣକ ‘ପରୀ’କୁ କହନ୍ତି; ତାଙ୍କ ସ୍ତ୍ରୀ ମଧ୍ୟ ୨୫୦-୩୦୦ ଟଙ୍କା ରୋଜଗାର କରିବେ । ସେଠାରେ ମାସେ କି ଦୁଇ ମାସ ରହି ଫେରି ଆସିବେ ଏବଂ ଘରେ ପ୍ରାୟ ୧୦ ଦିନ ରହି ପୁଣି ସେଠାକୁ ଫେରିଯିବେ ବୋଲି ସୁରେଶ ଆଶା କରନ୍ତି । “୧୦ ବର୍ଷରୁ ଅଧିକ ସମୟ ହେଲା ମୁଁ ଏମିତି କରିଆସୁଛି,” କହନ୍ତି ଏହି ୨୮ ବର୍ଷୀୟ ଯୁବକ ଜଣକ । ସାଧାରଣତଃ, ସୁରେଶଙ୍କ ଭଳି ପ୍ରବାସୀ ଶ୍ରମିକମାନେ ହୋଲି, ଦୀପାବଳି ଓ ରକ୍ଷା ବନ୍ଧନ ଭଳି ପ୍ରମୁଖ ପର୍ବ ସମୟରେ ଘରକୁ ଫେରିଆସନ୍ତି ।
ରାଜସ୍ଥାନ ଏକ ବହିର୍ଗାମୀ-ପ୍ରବାସନ ରାଜ୍ୟ – ଅର୍ଥାତ୍ ବାହାରୁ ଏଠାକୁ ଆସୁଥିବା ଲୋକଙ୍କ ତୁଳନାରେ ଏଠାରୁ ବାହାରକୁ ଅଧିକ ଲୋକ ଯାଆନ୍ତି; କେବଳ ଉତ୍ତର ପ୍ରଦେଶ ଓ ବିହାରରୁ ଏହାଠାରୁ ଅଧିକ ସଂଖ୍ୟକ ଲୋକ ମଜୁରିଆ କାମ ଲାଗି ବାହାର ରାଜ୍ୟକୁ ଯାଇଥାଆନ୍ତି । ଏହାର କାରଣ ଦର୍ଶାଇବାକୁ ଯାଇ କୁଶଲଗଡ଼ ତହସିଲ ଅଫିସ୍ର ଜଣେ ଅଧିକାରୀ ଭି.ଏସ୍. ରାଠୋଡ଼ କହନ୍ତି, “କେବଳ ଏତିକି ନୁହେଁ ଯେ, କୃଷି ଏଠାକାର ଏକମାତ୍ର ବିକଳ୍ପ, ତାହା ବି ବର୍ଷକୁ ଥରେ- ବର୍ଷାଦିନ ପରେ ।”
ସବୁ ଶ୍ରମିକ ଚାହାଁନ୍ତି କାୟମ କାମ, ଯେଉଁଥିରେ ସେମାନେ ଜଣେ ଠିକାଦାରଙ୍କ ସହ ପୂରା ସମୟ ଲାଗି କାମ କରିପାରିବେ । ସବୁଦିନ ସକାଳେ ମଜଦୁର ମଣ୍ଡି (ଶ୍ରମିକ ବଜାର)ରେ ଠିଆ ହୋଇ ରୋକ୍ଡ଼ି କିମ୍ବା ଦିହାଡ଼ି କାମକୁ ଅପେକ୍ଷା କରିବା ତୁଳନାରେ ଏଥିରେ ଅଧିକ ସ୍ଥିରତା ରହିଛି ।
ଯୋଗରାଜ ଜୀ ତାଙ୍କର ସବୁ ପିଲାଙ୍କୁ ଶିକ୍ଷିତ କରାଇଛନ୍ତି, ତାହା ସତ୍ତ୍ୱେ “ ୟହାଁ ବେରୋଜଗାରୀ ଜ୍ୟାଦା ହୈଁ । ପଢ଼େ ଲିଖେ ଲୋଗୋଁ ଲିୟେ ଭି ନୌକରୀ ନହିଁ (ଏଠାରେ ବେକାରଙ୍କ ସଂଖ୍ୟା ଅଧିକ, ଏମିତି କି ଶିକ୍ଷିତମାନଙ୍କ ପାଇଁ ବି କାମ ନାହିଁ) ।”
ଆଖି ଆଗରେ ପ୍ରବାସନ ହିଁ ଏକମାତ୍ର ବିକଳ୍ପ ।
ରାଜସ୍ଥାନ ଏକ ବହିର୍ଗାମୀ ପ୍ରବାସନ ରାଜ୍ୟ- ଅର୍ଥାତ୍, ପ୍ରବାସୀ ଭାବରେ ଏଠାକୁ ଆସୁଥିବା ଲୋକଙ୍କ ସଂଖ୍ୟା ତୁଳନାରେ ଏଠାରୁ ଯାଉଥିବା ଲୋକଙ୍କ ସଂଖ୍ୟା ଅଧିକ; କେବଳ ଉତ୍ତର ପ୍ରଦେଶ ଓ ବିହାରରୁ ଅଧିକ ସଂଖ୍ୟକ ଲୋକ ମଜୁରି ଭିତ୍ତିକ କାମ ଖୋଜିବା ଲାଗି ବାହାରକୁ ଯାଇଥାଆନ୍ତି
*****
ଘର ଛାଡ଼ିବା ସମୟରେ ମାରିଆ ପାରୁ ସାଙ୍ଗରେ ଗୋଟିଏ ମିଟ୍ଟି କା ତାୱା (ମାଟି ତାଉଆ) ନେଇ ଯାଆନ୍ତି । ସେ ନେଉଥିବା ଜିନିଷପତ୍ରର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କେମିତି ଏଥିରେ ରୁଟି ତିଆରି କରିବାକୁ ହୁଏ ତାହା ଦେଖାଇ ଦେଇ ସେ ମୋତେ କହନ୍ତି ମାଟି ତାଉଆରେ ମକାର ରୋଟି ସବୁଠାରୁ ଭଲ ହୁଏ କାରଣ କାଠ ନିଆଁକୁ ଏହା ଭଲ ଭାବରେ ନିୟନ୍ତ୍ରଣ କରିପାରେ ଏବଂ ଏହା ଫଳରେ ରୋଟି ପୋଡ଼ିଯାଏ ନାହିଁ ।
ମାରିଆ ଏବଂ ତାଙ୍କ ସ୍ୱାମୀ ପାରୁ ଦାମୋର ସେହି ଲକ୍ଷ ଲକ୍ଷ ଭିଲ ଆଦିବାସୀଙ୍କ ମଧ୍ୟରେ ଗଣା ହୁଅନ୍ତି, ଯେଉଁମାନେ କି ଦିନ ମଜୁରିଆ କାମ ଖୋଜିବା ଲାଗି ରାଜସ୍ଥାନର ବାଂସୱାଡ଼ା ଜିଲ୍ଲାରୁ ଗୁଜରାଟର ସୁରତ, ଅହମ୍ମଦାବାଦ, ବାପି ଭଳି ସହର ଏବଂ ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟକୁ ଯାଇଥାଆନ୍ତି । “ମନରେଗାରେ ବହୁତ ଡେରି ହୁଏ ଏବଂ ଏହା ଯଥେଷ୍ଟ ନୁହେଁ,” ବର୍ଷକରେ ୧୦୦ ଦିନ ପାଇଁ କାମ ଯୋଗାଇ ଦେଉଥିବା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ସଂପର୍କରେ ପାରୁ କହନ୍ତି ।
ଯିବା ସମୟରେ ସାଙ୍ଗରେ ୧୦-୧୫ କିଲୋଗ୍ରାମ ମକାଇ (ମକା) ଅଟା ମଧ୍ୟ ନେଇଯାଆନ୍ତି ୩୦ ବର୍ଷ ବୟସ୍କା ମାରିଆ । ବର୍ଷକୁ ନଅ ମାସ କାଳ ବାହାରେ ରହି ଦିନ କାଟୁଥିବା ତାଙ୍କ ପରିବାରର ଖାଦ୍ୟାଭ୍ୟାସ ସଂପର୍କରେ ସେ କହନ୍ତି, “ଆମେ ଏହା ଖାଇବାକୁ ପସନ୍ଦ କରୁ ।” ଘରଠାରୁ ଦୂରରେ, ଡୁଙ୍ଗରା ଛୋଟାରେ ରହୁଥିବା ବେଳେ ନିଜ ଅଭ୍ୟାସ ମୁତାବକ ଖାଦ୍ୟରୁ ତୃପ୍ତି ମିଳିଥାଏ ।
ଏହି ଦମ୍ପତିଙ୍କର ୩ରୁ ୧୨ ବର୍ଷ ବୟସ ଭିତରେ ଛଅଟି ସନ୍ତାନ ଅଛନ୍ତି, ଏବଂ ସେମାନଙ୍କର ଦୁଇ ଏକର ଜମି ଅଛି । ଏହି ଜମିରେ ସେମାନେ ନିଜେ ଖାଇବା ପାଇଁ ଗହମ, ଚନ୍ନା ଏବଂ ମକା ଫସଲ କରନ୍ତି । “କାମ ପାଇଁ ବାହାରକୁ ନ ଯାଇ ଆମେ ପରିବାରର (ଆର୍ଥିକ) ଭାର ଉଠାଇ ପାରିବୁ ନାହିଁ । ମୋତେ ମୋ ବାପାମାଆଙ୍କ ପାଇଁ ଘରକୁ ଟଙ୍କା ପଠାଇବାକୁ ପଡ଼େ, ଜଳସେଚନ ବାବଦ ପାଉଣା ଦେବାକୁ ହୁଏ, ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ କିଣିବାକୁ ହୁଏ, ପରିବାର ପାଇଁ ଖାଦ୍ୟ...,” ପାରୁ ତାଙ୍କ ଘରଖର୍ଚ୍ଚର ଲମ୍ବା ତାଲିକା ଦେଇ ଚାଲନ୍ତି । “ତେଣୁ, ଆମକୁ ବାହାରକୁ ଯିବାକୁ ହିଁ ପଡ଼ିବ ।”
ଚିକିତ୍ସା ଖର୍ଚ୍ଚ ଲାଗି ତାଙ୍କ ପରିବାର କରିଥିବା ୮୦,୦୦୦ ଟଙ୍କାର ଋଣ ଶୁଝିବା ସକାଶେ ତାଙ୍କ ବଡ଼ଭାଇ ଏବଂ ଭଉଣୀଙ୍କ ସହିତ ସେ ପ୍ରଥମ ଥର ପାଇଁ ରାଜ୍ୟ ବାହାରକୁ ଯାତ୍ରା କରିଥିଲେ । ସେତେବେଳେ ତାଙ୍କ ବୟସ ଥିଲା ଆଠ ବର୍ଷ । ସେଦିନର କଥା ମନେ ପକାଇ ସେ କହନ୍ତି, “ଶୀତଦିନ ହୋଇଥିଲା । ମୁଁ ଅହମଦାବାଦ ଗଲି ଏବଂ ଦିନକୁ ୬୦ ଟଙ୍କା ରୋଜଗାର କରିବାରେ ଲାଗିଲି ।” ଭାଇଭଉଣୀମାନେ ସେଠାରେ ଚାରି ମାସ ରହିଲେ ଏବଂ ଆମ ଋଣ ପରିଶୋଧ କରିବାରେ ସମର୍ଥ ହେଲେ । ଆଗକୁ ସେ ଆହୁରି କହନ୍ତି, “ମୁଁ ଏଥିରେ ସାହାଯ୍ୟ କରିପାରିଲି ବୋଲି ଖୁସି ହେଲି ।” ଦୁଇ ମାସ ପରେ ସେ ପୁଣି ଗଲେ । ଏହା ଭିତରେ ପାରୁଙ୍କ ପ୍ରବାସୀ ଜୀବନର ୨୫ ବର୍ଷ ବିତିଗଲାଣି, ଏବେ ସେ ବୟସର ତିରିଶ ଦଶକର ଆଦ୍ୟ ଭାଗରେ ଉପନୀତ ।
*****
ପ୍ରବାସୀ ଶ୍ରମିକମାନେ ସ୍ୱପ୍ନରେ ‘ସୁନା’ ଭର୍ତ୍ତି ପାତ୍ରଟିଏ ଦେଖନ୍ତି, ଯାହା ଦ୍ୱାରା ସେମାନେ ଋଣ ଶୁଝି ପାରିବେ, ପିଲାମାନଙ୍କୁ ସ୍କୁଲରେ ରଖିପାରିବେ ଏବଂ ଭୋକଉପାସକୁ ଦୂରେଇ ଦେଇପାରିବେ । ପ୍ରବାସୀ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ମଜୁରି ପାଇ ନଥିବା ଅଭିଯୋଗ ସହିତ ଏ କ୍ଷେତ୍ରରେ ଆଇନଗତ ପନ୍ଥାର ଆଶ୍ରୟ ନେବାକୁ ଅନୁରୋଧ କରି ରାଜ୍ୟର ଶ୍ରମିକମାନଙ୍କ ପାଇଁ ଥିବା ‘ଆଜୀବିକା’ର ହେଲ୍ପଲାଇନ୍ ନମ୍ବରରେ ମାସକୁ ୫,୦୦୦ ପର୍ଯ୍ୟନ୍ତ କଲ୍ ଆସିଥାଏ ।
“ମଜୁରି ପାଇଁ କାମ କରୁଥିବା ଶ୍ରମିକଙ୍କ କ୍ଷେତ୍ରରେ ଆଦୌ କୌଣସି ଲିଖିତ ବୁଝାମଣା ହୁଏ ନାହିଁ, ବରଂ ଏସବୁ କେବଳ କଥାବାର୍ତ୍ତାରେ ଛିଣ୍ଡିଥାଏ । ଶ୍ରମିକମାନଙ୍କୁ ଗୋଟିଏ ଠିକାଦାର ପାଖରୁ ଅନ୍ୟ ଠିକାଦାରଙ୍କ ପାଖକୁ ପଠାଇ ଦିଆଯାଏ,” କମଲେଶ କହନ୍ତି । ତାଙ୍କ ଆକଳନ ଅନୁସାରେ, କେବଳ ବାଂସୱାଡ଼ା ଜିଲ୍ଲାରୁ ବାହାରକୁ ଯାଇଥିବା ଶ୍ରମିକମାନଙ୍କୁ କୋଟି କୋଟି ଟଙ୍କାର ବକେୟା ପାଉଣା ପଇଠ କରାଯାଏ ନାହିଁ ।
“କେବେ ବି ସେମାନେ ଜାଣିପାରନ୍ତିନି ଯେ, ସେମାନଙ୍କୁ କାମରେ ଲଗାଇଥିବା ମୁଖ୍ୟ ଠିକାଦାର କିଏ, କାହା ପାଇଁ ସେମାନେ କାମ କରୁଛନ୍ତି, ତେଣୁ ବାକି ପାଉଣା ପାଇବାର ପ୍ରୟାସ ନୈରାଶ୍ୟ ଏବଂ ଦୀର୍ଘକାଳୀନ ପ୍ରକ୍ରିୟାର ରୂପ ନେଇଥାଏ,” ସେ କହନ୍ତି । ପ୍ରବାସୀ ଶ୍ରମିକମାନେ କେମିତି ଶୋଷଣର ଶିକାର ହେଉଛନ୍ତି, ତାହାର ଏକ ନିଚ୍ଛକ ଚିତ୍ର ସେ ତାଙ୍କ କାମରୁ ପାଇପାରନ୍ତି ।
୨୦୨୪ ମସିହା ଜୁନ୍ ୨୦ ତାରିଖ ଦିନ ରାଜେଶ ଦାମୋର ନାମକ ଜଣେ ୪୫ ବର୍ଷୀୟ ଭିଲ ଆଦିବାସୀ ଏବଂ ଅନ୍ୟ ଦୁଇ ଜଣ ଶ୍ରମିକ ସହାୟତା ଲୋଡ଼ିବା ପାଇଁ ବାଂସୱାଡ଼ାସ୍ଥିତ ତାଙ୍କ ଅଫିସ୍ ଭିତରକୁ ଆସିଲେ । ସେତେବେଳେ ରାଜ୍ୟର ତାପମାତ୍ରା ସର୍ବକାଳୀନ ଶିଖର ଛୁଇଁଥିଲା, କିନ୍ତୁ ତାହା ଏହି ବ୍ୟତିବ୍ୟସ୍ତ ଶ୍ରମିକମାନଙ୍କୁ କ୍ରୋଧିତ କି ଚିନ୍ତିତ କରିବାର କାରଣ ନଥିଲା । ସେମାନଙ୍କୁ କାମରେ ଲଗାଇଥିବା ଜଣେ ଶ୍ରମିକ ଠିକାଦାର ସେମାନଙ୍କ ପାଉଣା ବାବଦରେ ମୋଟ ୨୨୬,୦୦୦ ଟଙ୍କା ଦେଇ ନଥିବାରୁ ଅଭିଯୋଗ କରିବା ପାଇଁ ସେମାନେ କୁଶଲଗଡ଼ର ପାଟନ ଥାନାକୁ ଯାଇଥିଲେ । ସେଠାକାର ପୋଲିସ ସେମାନଙ୍କୁ ସେ ଅଞ୍ଚଳର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସଂସାଧନ କେନ୍ଦ୍ର, ଆଜୀବିକାର ‘ଶ୍ରମିକ ସହାୟତା ଏବଂ ସନ୍ଦର୍ଭ କେନ୍ଦ୍ରକୁ ପଠାଇ ଦେଇଥିଲେ ।
ଏପ୍ରିଲ ମାସରେ ରାଜେଶ ଏବଂ ସୁଖୱାଡ଼ା ପଞ୍ଚାୟତର ଆଉ ୫୫ ଜଣ ଶ୍ରମିକ, ସେଠାରୁ ୬୦୦ କିଲୋମିଟର ଦୂର ଗୁଜରାଟର ମୋରବିକୁ ଯାଇଥିଲେ । ସେଠାକାର ଗୋଟିଏ ଟାଇଲ କାରଖାନା ପରିସରରେ ଥିବା ନିର୍ମାଣସ୍ଥଳରେ ମିସ୍ତ୍ରୀ ଓ ଶ୍ରମିକ ଭାବରେ ସେମାନଙ୍କୁ କାମରେ ନିୟୋଜିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ ଜଣ କୁଶଳୀ ଶ୍ରମିକଙ୍କୁ ଦିନକୁ ୭୦୦ ଟଙ୍କା ଏବଂ ଅନ୍ୟମାନଙ୍କୁ ୪୦୦ ଟଙ୍କା ହିସାବରେ ମଜୁରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।
ଗୋଟିଏ ମାସ କାମ କରିବା ପରେ, “ବକେୟା ପାଉଣା ଦେଇ ଦେବା ଲାଗି ଆମେ ଠେକେଦାର (ଠିକାଦାର)ଙ୍କୁ କହିଲୁ ଏବଂ ସେ ଦିନ ଗଡ଼ାଇ ଚାଲିଲେ,” ଫୋନ୍ରେ ‘ପରୀ’ ସହ କଥାବାର୍ତ୍ତା କରି ରାଜେଶ କହନ୍ତି । ଶ୍ରମିକମାନଙ୍କ ପାଇଁ ଆଶ୍ୱସ୍ତିର କଥା ଏତିକି ଥିଲା ଯେ, ଠିକାଦାରଙ୍କ ସହିତ ବୁଝାମଣା ବେଳେ ସମ୍ମୁଖଭାଗରେ ଥିବା ରାଜେଶ ପାଞ୍ଚଟି ଭାଷା କହିପାରନ୍ତି- ଭିଲି, ୱାଗଡ଼ି, ମେୱାଡ଼ି, ହିନ୍ଦୀ ଓ ଗୁଜରାଟୀ । ସେମାନଙ୍କ ପାଉଣା ସଂପର୍କରେ କଥାବାର୍ତ୍ତା କରୁଥିବା ଠିକାଦାର ମଧ୍ୟ ପ୍ରଦେଶର ଝାବୁଆରୁ ଆସିଥିଲେ ଏବଂ ସେ ହିନ୍ଦୀ କହୁଥିଲେ । ଭାଷାଗତ ପ୍ରତିବନ୍ଧକ କାରଣରୁ ଅନେକ ସମୟରେ ଶ୍ରମିକମାନେ ପ୍ରକୃତ ଠିକାଦାରଙ୍କ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ ଏବଂ ଏଥିଯୋଗୁଁ ଅନେକ ସମୟରେ ସେମାନଙ୍କୁ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ଛୋଟ ଛୋଟ ଠିକାଦାରମାନଙ୍କ ସହ କଥାବାର୍ତ୍ତା କରିବାକୁ ପଡ଼େ । ବେଳେବେଳେ ପାଉଣା ମାଗୁଥିବା ଶ୍ରମିକମାନଙ୍କ ପ୍ରତି ଠିକାଦାର ହିଂସ୍ର ଆଚରଣ କରିଥାଆନ୍ତି ।
ଏତେ ବଡ଼ ଅଙ୍କର ପାଉଣା ପାଇବା ଲାଗି ୫୬ ଜଣ ଯାକ ଶ୍ରମିକ ସପ୍ତାହ ସପ୍ତାହ ଧରି ଅପେକ୍ଷା କଲେ । ସେମାନଙ୍କ ଘରୁ ଖାଦ୍ୟ ସାମଗ୍ରୀ ସରି ଆସୁଥିଲା ଏବଂ ଖୋଲା ବଜାରରୁ କିଣି ଖାଇବାରେ ସେମାନଙ୍କର ସବୁ ରୋଜଗାର ଖର୍ଚ୍ଚ ହୋଇଯାଉଥିଲା ।
“ସେ ତାରିଖ ଗଡ଼ାଇ ଚାଲିଲେ- ୨୦, ତା’ପରେ ମେ ୨୪, ଜୁନ୍ ୪...” ସେ ସମୟର କଥା ମନେ ପକାଇ ଦୁଃଖରେ ମ୍ରିୟମାଣ ରାଜେଶ କହନ୍ତି । “ଆମେ ତାଙ୍କୁ ପଚାରିଲୁ ‘ଆମେ କ’ଣ ଖାଇବୁ? ଆମେମାନେ ଘରଠୁ ଏତେ ଦୂରରେ ଅଛୁ ।’ ଶେଷରେ, ଆମେ ପରବର୍ତ୍ତୀ ୧୦ ଦିନ ପାଇଁ କାମ ବନ୍ଦ କରିଦେଲୁ, ଏହା ତାଙ୍କୁ ଆମ ପାଉଣା ଦେବାକୁ ବାଧ୍ୟ କରିବ ବୋଲି ଆଶା କରୁଥିଲୁ ।” ଜୁନ ୨୦ ହିଁ ଚୂଡ଼ାନ୍ତ ତାରିଖ ବୋଲି ସେମାନେ ପ୍ରତିଶ୍ରୁତି ଦେଲେ ।
ଅନିଶ୍ଚିତତାରେ ଏବଂ କାହାକୁ କିଛି କହି ନ ପାରି, ଜୁନ୍ ୯ ତାରିଖ ଦିନ ୫୬ ଜଣିଆ ଶ୍ରମିକ ଦଳ ବସ୍ରେ ବସି କୁଶଲଗଡ଼ରେ ନିଜ ନିଜ ଘରକୁ ଫେରି ଆସିଲେ । ଜୁନ୍ ୨୦ ତାରିଖ ଦିନ ରାଜେଶ ତାଙ୍କୁ ଫୋନ୍ କଲେ, “ସେ ଅଭଦ୍ର ଆଚରଣ ଦେଖାଇଲେ ଏବଂ ଅଯଥାରେ ପାଟିତୁଣ୍ଡ କରିବା ସହିତ ଆମର ଅମଙ୍ଗଳ କାମନା କରିବାରେ ଲାଗିଲେ ।” ସେହି ସମୟରେ ହିଁ ରାଜେଶ ଓ ଅନ୍ୟମାନେ ସେମାନଙ୍କ ଘରପାଖ ଥାନାରେ ଚାଲି ଚାଲି ପହଞ୍ଚିଲେ ।
ରାଜେଶଙ୍କର ୧୦ ବିଘା ଜମି ଅଛି ଏବଂ ତାଙ୍କ ପରିବାର ଏଥିରେ ସୋୟାବିନ, କପା ଓ ଗହମ ଚାଷ କରନ୍ତି । ଶେଷୋକ୍ତ ଫସଲଟିକୁ ସେମାନେ ଘରେ ଖାଇବା ପାଇଁ କରନ୍ତି । ତାଙ୍କର ଚାରି ଜଣ ଯାକ ପିଲା ଶିକ୍ଷିତ ଏବଂ ସମସ୍ତେ ସ୍କୁଲ କିମ୍ବା କଲେଜରେ ନାଁ ଲେଖାଇଛନ୍ତି । ତଥାପି, ସେମାନେ ଏବର୍ଷ ଖରାଦିନେ ମଜୁରିଆ କାମ କରିବା ଲାଗି ବାପାମାଆଙ୍କ ସହିତ ଯୋଗ ଦେଲେ । “ସେମାନଙ୍କର ଛୁଟି ଚାଲିଥିଲା, ତେଣୁ ଆମ ସାଙ୍ଗରେ ଆସି କିଛି ରୋଜଗାର କରିପାରିବେ ବୋଲି ମୁଁ ସେମାନଙ୍କୁ କହିଲି,” ରାଜେଶ କହନ୍ତି । ଠିକାଦାରଙ୍କ ନାଁରେ ଶ୍ରମ ଅଦାଲତରେ ମକଦ୍ଦମା କରିବାକୁ ଧମକ ଦିଆଯାଇଥିବାରୁ ତାଙ୍କ ପରିବାରକୁ ସେମାନଙ୍କ ରୋଜଗାର ବାବଦ ଅର୍ଥ ମିଳିଯିବ ବୋଲି ସେ ଆଶା ରଖିଛନ୍ତି ।
ଶ୍ରମ ଅଦାଲତର ନାଁ ଶୁଣିବା ମାତ୍ରେ ହିଁ ଦୋଷୀ ଠିକାଦାରମାନେ ସେମାନଙ୍କ ପ୍ରତିଶ୍ରୁତି ପାଳନ ଲାଗି ବାଧ୍ୟ ହୁଅନ୍ତି । କିନ୍ତୁ ଅଦାଲତରେ ମକଦ୍ଦମା ଦାୟର କରିବା ଲାଗି ଶ୍ରମିକମାନେ ସହାୟତା ଲୋଡ଼ନ୍ତି । ଏହି ଜିଲ୍ଲାରୁ ଯାଇ ପଡ଼ୋଶୀ ମଧ୍ୟ ପ୍ରଦେଶର ଅଲିରାଜପୁରରେ ତିନି ମାସ କାଳ କାମ କରିଥିବା ମଜୁରିଆ ଶ୍ରମିକମାନଙ୍କର ଗୋଟିଏ ୧୨ ଜଣିଆ ଦଳକୁ ପୂରା ପାଉଣା ଦେବାକୁ ମନା କରିଦିଆଯାଇଥିଲା । କାମ ଭଲ ଭାବରେ ହୋଇନାହିଁ ବୋଲି ଦର୍ଶାଇ ଠିକାଦାର ଜଣକ ୪-୫ ଲକ୍ଷ ଟଙ୍କାର ପାଉଣା ଦେବାକୁ ମନା କରିଦେଲେ ।
“ଆମକୁ କେହି ଜଣେ ଫୋନ୍ କରି କହିଲେ ଯେ, ଆମେମାନେ ମଧ୍ୟ ପ୍ରଦେଶରେ ଅଟକି ରହିଛୁ ଏବଂ ଆମ ପାଉଣା ମିଳିନାହିଁ,” ସେ ସମୟର କଥା ମନେ ପକାଇ ଟିନା ଗରାସିଆ । ଅନେକ ସମୟରେ ସେ ନିଜ ବ୍ୟକ୍ତିଗତ ଫୋନ୍ରେ ଏମିତିକା କଲ୍ ପାଇଥାଆନ୍ତି । “ଶ୍ରମିକମାନଙ୍କ ମଧ୍ୟରେ ଆମ ଫୋନ୍ ନମ୍ବର ଘୂରି ବୁଲୁଥାଏ,” ବୁଝାଇ ଦିଅନ୍ତି ବାଂସୱାଡ଼ା ଜିଲ୍ଲାରେ ଆଜୀବିକାର ଲାଇଭଲିହୁଡ୍ ବ୍ୟୁରୋ ମୁଖ୍ୟ ।
ଏଥର ଶ୍ରମିକମାନେ ସେମାନଙ୍କ କାର୍ଯ୍ୟସ୍ଥଳୀ ସଂପର୍କରେ ବିସ୍ତୃତ ସୂଚନା ଦେବାରେ ସମର୍ଥ ହୋଇଥିଲେ । ସେମାନେ ଉପସ୍ଥାନ ଖାତାର ଫଟୋ, ଏବଂ ଯେଉଁ ଠିକାଦାରଙ୍କ ନାଁରେ ମକଦ୍ଦମା ହେବ ତାଙ୍କର ନାଁ ଓ ମୋବାଇଲ ନମ୍ବର ପ୍ରଭୃତି ଦେଇଥିଲେ ।
ଛଅ ମାସ ପରେ ଠିକାଦାର ଜଣକ ଦୁଇଟି କିସ୍ତିରେ ସବୁ ଦେୟ ପଇଠ କରିଥିଲେ । “ସେ ଏଠାକୁ (କୁଶଲଗଡ଼କୁ) ଆସିଲେ ଏବଂ ପଇସା ଦେଇଗଲେ,” ମଜୁରି ପାଇବା ପରେ ଆଶ୍ୱସ୍ତ ଶ୍ରମିକମାନେ କହନ୍ତି । କିନ୍ତୁ ବିଳମ୍ବରେ ପଇଠ କରିଥିବାରୁ ବକେୟା ଅର୍ଥ ଉପରେ ପାଇବାକୁ ଥିବା ସୁଧ ମିଳି ନଥିଲା ।
“ପ୍ରଥମେ ଆମେ ବୁଝାମଣା ଲାଗି ଚେଷ୍ଟା କରୁ,” କମଲେଶ ଶର୍ମା କହନ୍ତି । “କିନ୍ତୁ ଠିକାଦାରଙ୍କ ସଂପର୍କରେ ବିସ୍ତୃତ ବିବରଣୀ ମିଳିଲେ ହିଁ ତାହା ସମ୍ଭବ ହୁଏ ।”
ସୁରତର ଏକ କପଡ଼ା ଫ୍ୟାକ୍ଟରୀରେ କାମ କରିବାକୁ ଯାଇଥିବା ୨୫ ଜଣ ଶ୍ରମିକଙ୍କ ପାଖରେ କୌଣସି ପ୍ରମାଣ ନଥିଲା । “ସେମାନଙ୍କୁ ଜଣେ ଠିକାଦାରଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ପଠାଇ ଦିଆଯାଇଥିଲା ଏବଂ ଠିକ୍ କେଉଁ ବ୍ୟକ୍ତି ସେମାନଙ୍କୁ କାମରେ ଲଗାଇଥିଲେ ବୋଲି ସ୍ଥିର କରାଯାଇ ପାରୁ ନଥିଲା,” ଟିନା କହନ୍ତି । “ଏକାଭଳି ଦେଖାଯାଉଥିବା ଅନେକ ଫ୍ୟାକ୍ଟ୍ରି ଭିତରୁ କେଉଁଟିରେ ସେମାନେ କାମ କରୁଥିଲେ ତାହାକୁ ଚିହ୍ନଟ କରିପାରି ନଥିଲେ ।”
ସଂପୂର୍ଣ୍ଣ ମଜୁରି ବାବଦ ୬ ଲକ୍ଷ ଟଙ୍କା ଦେବାକୁ ମନା କରିଦିଆଯିବା ପରେ ହତାଶ ଶ୍ରମିକମାନେ ବାଂସୱାଡ଼ା ଜିଲ୍ଲାର କୁଶଲଗଡ଼ ଏବଂ ସଜ୍ଜନଗଡ଼ ଗାଁରେ ନିଜ ନିଜ ଘରକୁ ଫେରି ଆସିଥିଲେ ।
ଏଭଳି ସ୍ଥିତିର ମୁକାବିଲା ପାଇଁ କାନୁନ ଶିକ୍ଷା (ଆଇନଗତ ସାକ୍ଷରତା) ଉପରେ ଗଭୀର ଆସ୍ଥା ରଖନ୍ତି ସାମାଜିକ କର୍ମୀ କମଲେଶ । ବାଂସୱାଡ଼ା ଜିଲ୍ଲାଟି ରାଜ୍ୟର ସୀମାବର୍ତ୍ତୀ କ୍ଷେତ୍ରରେ ଅବସ୍ଥିତ ଏବଂ ଏଠାରୁ ହିଁ ସର୍ବାଧିକ ପ୍ରବାସନ ଦୃଷ୍ଟିଗୋଚର ହୁଏ । ଆଜୀବିକାର ସର୍ଭେରୁ ମିଳିଥିବା ତଥ୍ୟରେ ଦର୍ଶାଯାଇଛି ଯେ, କୁଶଲଗଡ଼, ସଜ୍ଜନଗଡ଼, ଆମ୍ବାପଡ଼ା, ଘାଟୋଲ ଏବଂ ଗଙ୍ଗର ତଲାଇ ଅଞ୍ଚଳର ଅଶୀ ପ୍ରତିଶତ ପରିବାରରେ, ବେଶି ନହେଲେ ବି, ଅନ୍ତତଃ ଜଣେ ପ୍ରବାସୀ ଶ୍ରମିକ ।
“ଯେହେତୁ ଯୁବ ପିଢ଼ି ପାଖରେ ଫୋନ୍ ରହିଛି, ସେମାନେ ନମ୍ବର ରଖିପାରିବେ, ଫଟୋ ନେଇପାରିବେ, ତେଣୁ ଭବିଷ୍ୟତରେ ଦୋଷୀ ଠିକାଦାରମାନଙ୍କୁ ଠାବ କରିବା ସହଜ ହେବ” ବୋଲି ଆଶା କରନ୍ତି କମଲେଶ ।
ଶିଳ୍ପ କ୍ଷେତ୍ରରେ ବିବାଦ ସଂପର୍କିତ ମାମଲା ଦାୟର କରିବା ଲାଗି ୨୦୨୦ ସେପ୍ଟେମ୍ବର ୧୭ ତାରିଖ ଦିନ କେନ୍ଦ୍ର ସରକାରଙ୍କ ସମାଧାନ ପୋର୍ଟାଲ ଆରମ୍ଭ ହୋଇଥିଲା ଏବଂ ୨୦୨୨ରେ ଏହାର ପୁନର୍ବିନ୍ୟାସ କରାଯାଇ ଏଥିରେ ଶ୍ରମିକମାନଙ୍କ ପ୍ରାପ୍ୟ ଦାବି କରିବା ଲାଗି ଅନୁମତି ଦିଆଯାଇଥିଲା । ଏ କ୍ଷେତ୍ରରେ ବାଂସୱାଡ଼ାର ସ୍ପଷ୍ଟ ଅଗ୍ରାଧିକାର ଥିଲେ ହେଁ ଏଠାରେ କୌଣସି ଅଫିସ୍ ନାହିଁ ।
*****
ମଜୁରି ସଂକ୍ରାନ୍ତ ଆଲୋଚନାରେ ପ୍ରବାସୀ ମହିଳା ଶ୍ରମିକମାନଙ୍କ ସ୍ୱରକୁ ସାମିଲ କରାଯାଏ ନାହିଁ । ପ୍ରାୟତଃ ସେମାନଙ୍କ ପାଖରେ ନିଜର ବୋଲି ଫୋନ୍ଟିଏ ନଥାଏ ଏବଂ ସେମାନଙ୍କ କାମ ଓ ମଜୁରି ସଂପର୍କିତ ସବୁ କଥାବାର୍ତ୍ତା ପାଖରେ ଥିବା ପୁରୁଷମାନଙ୍କ ଜରିଆରେ ହୋଇଥାଏ । ମହିଳାମାନେ ପାଖରେ ନିଜର ଫୋନ୍ ରଖିବା କଥାକୁ ତୀବ୍ର ବିରୋଧ କରାଯାଇଥିବାର ନଜିର ରହିଛି । ରାଜ୍ୟର ମହିଳାମାନଙ୍କୁ ମାଗଣାରେ ୧୩ କୋଟି ଫୋନ୍ ବିତରଣ କରିବା ଲାଗି ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସର ଅଶୋକ ଗେହଲତଙ୍କ ନେତୃତ୍ୱାଧୀନ ସରକାର ଏକ ଯୋଜନା ଆରମ୍ଭ କରିଥିଲେ । ଗେହଲତ ସରକାର କ୍ଷମତା ହରାଇବା ବେଳକୁ ୨୫ ଲକ୍ଷ ମହିଳାଙ୍କୁ ଫୋନ୍ ବିତରଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରବାସୀ ଶ୍ରମିକଙ୍କ ପରିବାରର ବିଧବା ଏବଂ ୧୨ଶ ଶ୍ରେଣୀରେ ପଢୁଥିବା ଝିଅମାନଙ୍କୁ ଏହି ଫୋନ୍ ଦିଆଯାଇଥିଲା ।
ପରବର୍ତ୍ତୀ ସମୟରେ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିର ଭଜନ ଲାଲ ଶର୍ମାଙ୍କ ସରକାର ଏହି ଯୋଜନାକୁ “ଲୋକଙ୍କୁ ମିଳୁଥିବା ସୁବିଧା ପରୀକ୍ଷା କରାଯିବା ପର୍ଯ୍ୟନ୍ତ” ସାମୟିକ ଭାବେ ସ୍ଥଗିତ ରଖିଥିଲେ । ଶପଥ ନେବାର ମାସେ ନ ଯାଉଣୁ ପ୍ରଥମେ ସେ ଯେଉଁ କେତେକ ନିଷ୍ପତ୍ତି ନେଇଥିଲେ ସେଥିରେ ଏହି ନିଷ୍ପତ୍ତି ସାମିଲ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ପୁଣି ସେହି ଯୋଜନା ଚାଲିବାର ସମ୍ଭାବନା ନାହିଁ ।
ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ, ନିଜ ରୋଜଗାର ଉପରେ ସେମାନଙ୍କ ନିଜର କର୍ତ୍ତୃତ୍ୱ ରହୁ ନଥିବା କାରଣରୁ ସେମାନେ ଲିଙ୍ଗଗତ ହିଂସା, ଯୌନ ଉତ୍ପୀଡ଼ନ ଏବଂ ସ୍ୱାମୀ ପରିତ୍ୟକ୍ତା ହେବା ଭଳି ସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତି । ପଢ଼ନ୍ତୁ: ବାନ୍ସ୍ୱାରା: ଘରୋଇ ବନ୍ଧନ ଯାହା ବାନ୍ଧିଥାଏ ଓ ଚାପିଥାଏ
ପୁରୁଣା କଥାକୁ ମନେ ପକାଇ ଭିଲ ଆଦିବାସୀ ସଂପ୍ରଦାୟର ଜଣେ ମହିଳା ସଙ୍ଗୀତା କହନ୍ତି, “ମୁଁ ଗହମ ସଫା କରିଦେଲି ଏବଂ ସେ ଏହା ସହିତ ୫-୬ କିଲୋ ମକା ଅଟା ବି ନେଲେ । ଏତକ ନେଇ ସେ ଘର ଛାଡ଼ିଲେ ।” ଏବେ ସେ କୁଶଲଗଡ଼ ବ୍ଲକ୍ର ଚୁରାଡ଼ା ଗାଁରେ ତାଙ୍କ ବାପାମାଆଙ୍କ ସହିତ ରହୁଛନ୍ତି । ବିବାହ ପରେ ସେ ସ୍ୱାମୀଙ୍କ ସହିତ ସୁରତକୁ ଚାଲି ଯାଇଥିଲେ ।
“ନିର୍ମାଣ କାମରେ ମୁଁ ସାହାଯ୍ୟ କରୁଥିଲି,” ସେ ମନେ ପକାଇ କହନ୍ତି, ଏବଂ ତାଙ୍କ ରୋଜଗାର ବି ତାଙ୍କ ସ୍ୱାମୀଙ୍କୁ ଦେଇଦିଆଯାଉଥିଲା । “ସେଠାରେ ମୁଁ ଏହାକୁ ପସନ୍ଦ କରି ନଥିଲି ।” ଏହି ଦମ୍ପତିଙ୍କର ପିଲାମାନେ ଜନ୍ମ ନେବା ପରେ- ସେମାନଙ୍କର ସାତ, ପାଞ୍ଚ ଓ ଚାରି ବର୍ଷ ବୟସର ତିନିଟି ପୁଅ- ସଙ୍ଗୀତା କାମ କରିବାକୁ ଯିବା ବନ୍ଦ କରିଦେଲେ । “ମୁଁ ଘରେ ରହି ପିଲାମାନଙ୍କର ଯତ୍ନ ନେଉଥିଲି ।”
ଆଜିକୁ ବର୍ଷକରୁ ଅଧିକ ସମୟ ହେଲା ସେ ତାଙ୍କ ସ୍ୱାମୀଙ୍କୁ ଦେଖି ନାହାନ୍ତି, କି ତାଙ୍କଠାରୁ କୌଣସି ପଇସାପତ୍ର ପାଇନାହାନ୍ତି । “ସେଠାରେ (ସେ ବିବାହ କରିଥିବା ଘରେ) ମୋ ପିଲାମାନଙ୍କୁ ଖାଇବାକୁ ଦେବା ଲାଗି କିଛି ନଥିବାରୁ ମୁଁ ମୋ ବାପାମାଆଙ୍କ ଘରକୁ ଚାଲିଆସିଛି ।”
ଶେଷରେ, ଏ ବର୍ଷ (୨୦୨୪) ଜାନୁଆରୀରେ ମାମଲା ଦାୟର କରିବା ଲାଗି ସେ କୁଶଲଗଡ଼ ଥାନାକୁ ଗଲେ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ପକ୍ଷରୁ ୨୦୨୦ରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସାରା ଦେଶରେ ମହିଳାମାନଙ୍କ ବିରୋଧରେ (ସ୍ୱାମୀ କିମ୍ବା ସଂପର୍କୀୟମାନଙ୍କ ଦ୍ୱାରା) ନିଷ୍ଠୁରତା ଅଭିଯୋଗରେ ପଞ୍ଜୀକୃତ ମାମଲା ସଂଖ୍ୟା ଦୃଷ୍ଟିରୁ ରାଜସ୍ଥାନ ତୃତୀୟ ଶୀର୍ଷ ସ୍ଥାନରେ ରହିଛି ।
କୁଶଲଗଡ଼ ଥାନାରେ, ଅଧିକାରୀମାନେ ସ୍ୱୀକାର କରନ୍ତି ଯେ, ଏଭଳି ପ୍ରତିକାର ପଦକ୍ଷେପ ଲୋଡୁଥିବା ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେମାନେ ଏହା ମଧ୍ୟ ସ୍ୱୀକାର କରନ୍ତି ଯେ, ଅଧିକାଂଶ ମାମଲା ସେମାନଙ୍କ ପାଖରେ ପହଞ୍ଚେ ନାହିଁ, କାରଣ, ବଞ୍ଜାଡ଼ିଆ – ଗାଁର ସବୁ କଥାରେ ନିଷ୍ପତ୍ତି ନେଉଥିବା କେବଳ ପୁରୁଷମାନଙ୍କର ଗୋଷ୍ଠୀ- ପୋଲିସର ହସ୍ତକ୍ଷେପ ବିନା ମାମଲାର ସମାଧାନ କରିବାକୁ ପସନ୍ଦ କରନ୍ତି । “ ବଞ୍ଜାଡ଼ିଆ ଉଭୟ ପକ୍ଷରୁ ଅର୍ଥ ନିଅନ୍ତି,” ସେଠାକାର ଜଣେ ବାସିନ୍ଦା କହନ୍ତି । “ନ୍ୟାୟ କେବଳ ଲୋକ ଦେଖାଣିଆ ଏବଂ ମହିଳାମାନେ କେବେ ବି ସେମାନଙ୍କ ପ୍ରାପ୍ୟ ପାଆନ୍ତି ନାହିଁ ।”
ସଙ୍ଗୀତାଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି, କାରଣ ସଂପର୍କୀୟମାନେ କହୁଛନ୍ତି ଯେ, ତାଙ୍କ ସ୍ୱାମୀ ବିବାହ କରିବାକୁ ଚାହୁଁଥିବା ଆଉ ଜଣେ ମହିଳା ସହ ରହୁଛନ୍ତି । “ମୋ ପିଲାମାନଙ୍କୁ ଦୁଃଖକଷ୍ଟ ଦେଇଥିବାରୁ ମୋତେ ଖରାପ ଲାଗୁଛି, ବର୍ଷକରୁ ଅଧିକ ହେଲାଣି, କେବେ ବି ସେ ସେମାନଙ୍କୁ ଦେଖିବାକୁ ଆସିନାହାନ୍ତି । ସେମାନେ ମୋତେ ପଚାରନ୍ତି ଯେ ‘ସେ କ’ଣ ମରିଗଲେ?’ ମୋ ବଡ଼ପୁଅ ତାଙ୍କୁ ଗାଳି ଦିଏ ଏବଂ ମୋତେ କହେ, “ମମ୍ମି, ପୋଲିସ ତାଙ୍କୁ ଧରିଲା ବେଳେ ତୁମେ ବି ତାଙ୍କୁ ପିଟିବ!” ସେ କହନ୍ତି, ହସର କ୍ଷୀଣ ରେଖାଟିଏ ତାଙ୍କ ମୁହଁରେ ଫୁଟି ଉଠେ ।
*****
ଶନିବାର ଦିନ ଅପରାହ୍ଣରେ ଖେରପୁରର ଜନଶୂନ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ, କୁଶଲଗଡ଼ ବ୍ଲକ୍ର ପାଞ୍ଚଟି ପଞ୍ଚାୟତରୁ ଆସିଥିବା ଝିଅମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ୨୭ ବର୍ଷୀୟା ସାମାଜିକ କର୍ମୀ ମେନକା ଦାମୋର ।
“ତୁମର ସପ୍ନା (ସ୍ୱପ୍ନ) କ’ଣ? ତାଙ୍କୁ ଘେରି ବସିଥିବା ୨୦ରୁ ଅଧିକ ଝିଅମାନଙ୍କୁ ସେ ପଚାରନ୍ତି । ସେମାନେ ସମସ୍ତେ ପ୍ରବାସୀ ଶ୍ରମିକମାନଙ୍କ ଝିଅ, ଆଗରୁ ସମସ୍ତେ ବାପାମାଆଙ୍କ ସହ ବାହାରକୁ ଯାଇଛନ୍ତି ଏବଂ ପୁଣି ଥରେ ଯିବାର ସମ୍ଭାବନା ରହିଛି । “ସେମାନେ ମୋତେ କହନ୍ତି ଯେ, ଯଦିବା ଆମେ ସ୍କୁଲକୁ ଯାଉ, ତଥାପି ଶେଷରେ ଆମକୁ ପୁଣି ବାହାର ରାଜ୍ୟକୁ ଯିବାକୁ ହିଁ ପଡ଼ିବ,” ଅଳ୍ପବୟସର ଝିଅମାନଙ୍କ ପାଇଁ ଚାଲିଥିବା କିଶୋରୀ ଶ୍ରମିକ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ମେନକା କହନ୍ତି ।
ସେ ଚାହାଁନ୍ତି ଯେ ଏହି ଝିଅମାନେ ପ୍ରବାସନ ବାହାରେ ବି ଏକ ଭବିଷ୍ୟତ ଦେଖନ୍ତୁ । କେତେବେଳେ ୱାଗଡ଼ିରେ ତ ଆଉ କେତେବେଳେ ହିନ୍ଦୀ ଭାଷାରେ କହି କହି ସେ ସେମାନଙ୍କୁ କ୍ୟାମେରାପର୍ସନ, ଭାରୋତ୍ତୋଳକ, ଡ୍ରେସ୍ ଡିଜାଇନର, ସ୍କେଟ୍ବୋର୍ଡର ବା ସ୍କେଟିଂ କରୁଥିବା ବ୍ୟକ୍ତି, ଶିକ୍ଷକ, ଇଞ୍ଜିନିୟର ଭଳି ଭିନ୍ନ ଭିନ୍ନ ବୃତ୍ତିରେ କାର୍ଯ୍ୟରତ ଲୋକମାନଙ୍କର ଚିତ୍ର ସମ୍ବଳିତ କାର୍ଡ ଦେଖାନ୍ତି । “ତୁମେ ଯାହା ଚାହିଁବ ତାହା ହୋଇପାରିବ, ଏବଂ ଏ ଦିଗରେ ତୁମକୁ କାମ କରିବାକୁ ପଡ଼ିବ,” ସେ କହନ୍ତି ଏବଂ ଝିଅମାନଙ୍କର ମୁହଁ ଆଶାରେ ଝଲସି ଉଠେ ।
“ପ୍ରବାସନ ଏକମାତ୍ର ବିକଳ୍ପ ନୁହେଁ ।”
ଅନୁବାଦ : ଓଡ଼ିଶାଲାଇଭ୍