ପଣ୍ଢରପୁର ସ୍ଥିତ ଭଗବାନ ବିଠଲଙ୍କ ମନ୍ଦିରରେ ବାର୍ଷିକ ଆଶାଢ଼ିୱାରୀ ଉତ୍ସବ ପାଳନ କରାଯାଏ। ସାରା ରାଜ୍ୟରୁ ୱାରକରିମାନେ ଏଥିରେ ଯୋଗ ଦେଇଥାନ୍ତି। ଏହି ବାର୍ଷିକ ତୀର୍ଥଯାତ୍ରାରେ ଯୋଗ ଦେବା ପାଇଁ ଜଣେ ବ୍ୟକ୍ତି ନିଜର ସାତ ବର୍ଷର ଝିଅ ସହ ପାଦରେ ଚାଲି ଚାଲି ଯାଉଛନ୍ତି । ବାଟରେ ସେମାନେ ଲାଟୁର୍‌ର ଏକ ଗାଁ ମୈସଗାଓଁରେ ରହିବାକୁ ନିଷ୍ପତ୍ତି ନିଅନ୍ତି । ସନ୍ଧ୍ୟା ମାଡ଼ି ଆସିବା ସହିତ ବାତାବରଣରେ କିର୍ତ୍ତନର ଶବ୍ଦ ଗୁଞ୍ଜରିତ ହୁଏ। ଛୋଟ ଝିଅ ଖଞ୍ଜିରି (ଖଞ୍ଜଣି) ଶବ୍ଦ ଶୁଣି ସେହି କାର୍ଯ୍ୟକ୍ରମକୁ ନେଇଯିବା ଲାଗି ନିଜ ପିତାଙ୍କୁ ଅନୁରୋଧ କରନ୍ତି।

ତାଙ୍କ ବାପା କୁଣ୍ଠାବୋଧ କରନ୍ତି। ‘‘ଏଠାକାର ଲୋକମାନେ ଆମ ଭଳି ମାହାର୍‌ ଏବଂ ମାଙ୍ଗଙ୍କୁ ଛୁଅନ୍ତି ନାହିଁ,’’ ସେ ବୁଝାଇବାକୁ ଚେଷ୍ଟା କରନ୍ତି। ‘‘ସେମାନେ ଆମକୁ ମୂଲ୍ୟହୀନ ବୋଲି ଭାବନ୍ତି । ସେମାନେ ଆମକୁ ଭିତରକୁ ଯିବାକୁ ଦେବେ ନାହିଁ।’’ କିନ୍ତୁ ଝିଅଟି ତାଙ୍କ କଥା ଶୁଣେ ନାହିଁ। ଶେଷରେ, ଝିଅ କଥାରେ ବାପା ରାଜି ହୁଅନ୍ତି, କିନ୍ତୁ ଗୋଟିଏ ସର୍ତ୍ତ ରଖନ୍ତି ଯେ ସେମାନେ କିଛି ଦୂରରେ ଛିଡ଼ା ହୋଇ କୀର୍ତ୍ତନ ଶୁଣିବେ । ଝାଞ୍ଜର ଶବ୍ଦକୁ ଅନୁସରଣ କରି ଉଭୟ ପଣ୍ଡାଲ୍ ନିକଟରେ ପହଞ୍ଚନ୍ତି । ଉଭୟ ସମ୍ପୂର୍ଣ୍ଣ ବିମୋହିତ ହୋଇ ମହାରାଜମାନେ ଖଞ୍ଜିରି ବଜାଇ କୀର୍ତ୍ତନ ପରିବେଷଣ କରୁଥିବା ଦେଖନ୍ତି । ଖୁବଶୀଘ୍ର ଛୋଟ ଝିଅଟି ଅସ୍ଥିର ହୋଇ ଉଠେ ଏବଂ ମଞ୍ଚକୁ ଯିବାକୁ ଚାହେଁ । ହଠାତ୍‌ ବିନା କୌଣସି ଚେତାବନୀରେ, ସେ ଦୌଡ଼ିଯାଇ ତାହା କରେ।

‘‘ମୁଁ ଏକ ଭରୁଡ଼ (ସାମାଜିକ ସଚେତନତା ଉଦ୍ଦେଶ୍ୟରେ ବୋଲାଯାଉଥିବା ସମାଲୋଚନାଧର୍ମୀ ଓ ବ୍ୟଙ୍ଗାତ୍ମକ ଏକ ପ୍ରାଚୀନ ଗୀତ) ଗାଇବାକୁ ଚାହୁଁଛି,’’ ସେ ମଞ୍ଚରେ କଳା ପରିବେଷଣ କରୁଥିବା ଜଣେ ସନ୍ଥଙ୍କୁ କୁହନ୍ତି । ଦର୍ଶକମାନେ ସ୍ତବ୍ଧ ହୋଇଯାଆନ୍ତି। କିନ୍ତୁ ମହାରାଜ ତାଙ୍କୁ ଗୀତ ଗାଇବାକୁ ଦିଅନ୍ତି। ପରବର୍ତ୍ତୀ କିଛି ମିନିଟ୍‌ ପାଇଁ ମଞ୍ଚ ସମ୍ପୂର୍ଣ୍ଣ ଭାବେ ସେହି ଝିଅଟିର ହୋଇଯାଏ, ତାଳ ପାଇଁ ଗୋଟିଏ ଧାତୁ ପାତ୍ରକୁ ବଜାଇ ଝିଅଟି ଗୋଟିଏ ଗୀତ ପରିବେଷଣ କରିଥାଏ ଯାହାକୁ ସେହି ମହାରାଜ ହିଁ ଲେଖିଛନ୍ତି ଓ ସ୍ୱର ସଂଯୋଜନା କରିଛନ୍ତି।

माझा रहाट गं साजनी
गावू चौघी जनी
माझ्या रहाटाचा कणा
मला चौघी जनी सुना

ହେ ମୋର ପ୍ରିୟ, କୂଅରେ କାଠର ଚକ
ଆମେ ଚାରି ଜଣ ଗାଇବା ଆସ
କାଠର ଚକ ଓ ତାର କଣ୍ଟା,
ଆଉ ମୋ’ ଚାରି ବୋହୂଙ୍କ କଥା

ଝିଅଟିର ଗୀତ ଦ୍ୱାରା ପ୍ରଭାବିତ ହୋଇ, ସନ୍ଥ ଜଣଙ୍କ ନିଜ ଖଞ୍ଜିରି ତା’କୁ ଉପହାର ଦେଇ କୁହନ୍ତି, ‘‘ତୁମ ଉପରେ ସବୁବେଳେ ମୋର ଆଶୀର୍ବାଦ ରହିବ। ତୁମେ ଏ ଦୁନିଆକୁ ଆଲୋକିତ କରିବ।’’

ମୀରା ଉମାପ ପାରମ୍ପରିକ ଭରୁଡ଼ ଗୀତ ଗାଉଥିବାର ଭିଡ଼ିଓ ଦେଖନ୍ତୁ, ଯାହା ବ୍ୟଙ୍ଗ ଓ ରୂପକ ପାଇଁ ପରିଚିତ ତଥା ଏଥିରେ ଅନେକ ବ୍ୟାଖ୍ୟାନ ବର୍ଣ୍ଣିତ ହୋଇଥାଏ

ଏହା ହେଉଛି ୧୯୭୫ ମସିହାର କଥା। କଳାକାର ସନ୍ଥ ଜଣଙ୍କ ଥିଲେ ତୁକାଡ଼ୋଜୀ ମହାରାଜ, ଯିଏକି ଗ୍ରାମାଞ୍ଚଳ ଜୀବନର କଳୁଷତା ଓ ସମସ୍ୟା ଏବଂ ଆଗକୁ ରାସ୍ତା ଉପରେ ଗ୍ରାମ ଗୀତାର ପଦ୍ୟ ରଚନା ପାଇଁ ପରିଚିତ । ସେହି ଛୋଟିଆ ଝିଅ, ଏବେ ୫୦ ବର୍ଷ ପରେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ମଞ୍ଚକୁ ଜୀବନ୍ତ କରି ଦେଇଥା’ନ୍ତି । ନୌବାରୀ ସୂତା ଶାଢ଼ି ପିନ୍ଧି, ମଥାରେ ବଡ଼ ଟିକିଲି ଲଗାଇ, ବାଁ ହାତରେ ଦିମଡ଼ି ନାମକ ଛୋଟିଆ ତାଳବାଦ୍ୟ ଧରି ମୀରା ଉମାପ ଗୀତ ଗାଉଥିବା ବେଳେ ତାଙ୍କ ଡାହାଣ ହାତର ଆଙ୍ଗୁଠିଗୁଡ଼ିକ ଚମଡ଼ା ଆସ୍ତରଣ ଉପରେ ଲୟବଦ୍ଧ ଏବଂ ଊର୍ଜାବାନ ରୂପରେ ନୃତ୍ୟ କରିଚାଲେ; ସେ ବଜାଉଥିବା ବାଦ୍ୟର ରିମ୍‌ରେ ବନ୍ଧା ହୋଇଥିବା ଶବ୍ଦ ସୃଷ୍ଟିକାରୀ ଘଣ୍ଟି ସହିତ ତାଙ୍କ କଚଟିରେ ସେ ପିନ୍ଧିଥିବା ଚୁଡ଼ି ବାଜି ସମୟକୁ ଧରି ରଖିଥାଏ। ସବୁକିଛି ଜୀବନ୍ତ ହୋଇଉଠେ।

खातो तुपात पोळी भीमा तुझ्यामुळे
डोईवरची
गेली मोळी भीमा तुझ्यामुळे
काल
माझी माय बाजारी जाऊन
जरीची
घेती चोळी भीमा तुझ्यामुळे
साखर
दुधात टाकून काजू दुधात खातो
भिकेची
गेली झोळी भीमा तुझ्यामुळे

ମୁଁ ଘିଅରେ ବୁଡ଼ାଇ ରୁଟି ଖାଉଛି, କେବଳ ତୁମ ପାଇଁ, ହେ ଭୀମ୍‌
ଏବେ ଆଉ କାଠବିଡ଼ା ବୋହିବାକୁ ପଡ଼ୁନାହିଁ, କେବଳ ତୁମ ପାଇଁ, ହେ ଭୀମ୍‌

ମୋ ମା’ ଗତକାଲି ଏକ ବଜାରକୁ ଯାଇଥିଲେ
ଆଉ ଗୋଟିଏ ଜରି ବ୍ଲାଉଜ୍‌ କିଣିଲେ, କେବଳ ତୁମ ପାଇଁ, ହେ ଭୀମ୍‌

ମୁଁ ଚିନି ସହିତ କ୍ଷୀର ପିଇଲି ଓ ତା’ ସହିତ କାଜୁ ଖାଇଲି
ମୋତେ ଭିକ୍ଷା ପାତ୍ରରୁ ମୁକ୍ତି ମିଳିଛି, କେବଳ ତୁମ ପାଇଁ, ହେ ଭୀମ୍‌

*****

କେଉଁ ଦିନରେ ଜନ୍ମ ନେଇଥିଲେ ତାହା ମୀରାବାଇ ଜାଣନ୍ତି ନାହିଁ, କିନ୍ତୁ ତାଙ୍କର ଜନ୍ମ ବର୍ଷ ୧୯୬୫ ବୋଲି ସେ ଆମକୁ କୁହନ୍ତି। ମହାରାଷ୍ଟ୍ରର ଅନ୍ତରୱାଲି ଗ୍ରାମରେ ଏକ ଗରିବ ମତଙ୍ଗ ପରିବାରରେ ସେ ଜନ୍ମ ନେଇଥିଲେ। ରାଜ୍ୟରେ ମତଙ୍ଗମାନେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ହୋଇଥିବା ବେଳେ ଐତିହାସିକ ଭାବେ ଜାତି ବର୍ଗୀକରଣରେ ସବୁଠୁ ନିମ୍ନରେ ଏବଂ ‘ଅସ୍ପୁର୍ଶ୍ୟ’ ଭାବେ ବିବେଚିତ ହୋଇଆସୁଛନ୍ତି ।

ତାଙ୍କ ବାପା ୱାମନରାଓ ଏବଂ ମା’ ରେଶମାବାଇ ବୀଡ଼ ଜିଲ୍ଲାର ଗାଁରୁ ଗାଁକୁ ବୁଲି ଭଜନ ଓ ଅଭଙ୍ଗ ଗାଇବା ସହିତ ଭିକ୍ଷା ମାଗିଥା’ନ୍ତି। ନିଜ ସମୁଦାୟରେ ତାଙ୍କ ପରିବାରକୁ ‘ଗୁରୁ ଘରାନା’ ଭାବେ ସମ୍ମାନ ଦିଆଯାଏ । ସେମାନେ ସଙ୍ଗୀତର କଳାକୁ ସଂରକ୍ଷିତ ରଖିଥିବା ଦଳିତ ସମୁଦାୟର ଜ୍ଞାନୀ ଓ ଗୁରୁ ଗୋଷ୍ଠୀ ଭାବେ ଉଚ୍ଚ ସମ୍ମାନ ପାଇଥା’ନ୍ତି । ତେଣୁ ମୀରାବାଇ କେବେ ସ୍କୁଲକୁ ଯାଇନଥିଲେ ସୁଦ୍ଧା, ନିଜ ବାପା-ମା’ଙ୍କ ଠାରୁ ଉତ୍ତରାଧିକାର ପାଇଥିବା ଅଭଙ୍ଗ, ଭଜନ ଓ କୀର୍ତ୍ତନର ସମୃଦ୍ଧ କଳାରୂପକ ସମ୍ପତ୍ତିକୁ ନେଇ ବଡ଼ ହୋଇଛନ୍ତି।

PHOTO • Vikas Sontate

ଶାହିର୍ ମୀରା ଉମାପ ମହାରାଷ୍ଟ୍ରର ଏକମାତ୍ର ମହିଳା ଭାବେ ଦିମଡି ଓ ଖଞ୍ଜିରି ବଜାଇଥା’ନ୍ତି । ପାରମ୍ପରିକ ଭାବେ କେବଳ ପୁରୁଷମାନେ ବଜାଉଥିବା ବାଦ୍ୟଯନ୍ତ୍ର ପରିବେଷଣରେ ସେ ଅଦ୍ଭୂତ କୌଶଳ ପ୍ରଦର୍ଶନ କରିଥାନ୍ତି

ଦମ୍ପତିଙ୍କୁ ନିଜ ଆଠ ଜଣ ପିଲା - ପାଞ୍ଚ ଝିଅ ଏବଂ ତିନି ପୁଅକୁ ଖୁଆଇବା ଏବଂ ସେମାନଙ୍କର ଯତ୍ନ ନେବାରେ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ପିଲାମାନଙ୍କ ମଧ୍ୟରୁ ସବୁଠୁ ବଡ଼ ମୀରାବାଈଙ୍କୁ ସାତ ବର୍ଷ ହେବା ବେଳକୁ ସେ ନିଜ ବାପା-ମା’ଙ୍କ ସହିତ ଗୀତ ଗାଇବା ଆରମ୍ଭ କରି ଦେଇଥିଲେ। ୱାମନରାଓ ଏକତାରୀ ବଜାଉଥିଲେ ଏବଂ ତାଙ୍କ ସାନ ଭାଇ ଭାଉରାଓ ଦିମଡି ବଜାଉଥିଲେ। ‘‘ମୋ ବାପା ଏବଂ ମୋ କକା ଏକସଙ୍ଗେ ଭିକ୍ଷା ମାଗୁଥିଲେ,’’ ସେ ଆମକୁ ନିଜ ଗୀତ ବୋଲିବାର କାହାଣୀ ଶୁଣାଇ କୁହନ୍ତି। ‘‘ଥରେ, ଗୋଟିଏ ସକାଳର ଆୟ ବାଣ୍ଟିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା। ତାହା ଏପରି ଏକ ବିନ୍ଦୁରେ ପହଞ୍ଚିଗଲା ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଲେ।’’

ସେଦିନ ପରେ, ମୀରାବାଈଙ୍କ କକା ବୁଲଦାନା ଚାଲି ଗଲେ ଏବଂ ତାଙ୍କ ପିତା ତାଙ୍କୁ ନିଜ ସହିତ ବୁଲିବାକୁ ଡାକିଲେ। ସେ ବାପାଙ୍କ ପଛରେ ଥାଇ ନିଜ କୋମଳ ସ୍ୱରରେ ଗୀତ ଗାଇଲେ ଏବଂ ଅନେକ ଭକ୍ତି ଗୀତ ଶିଖିଲେ। ସେ କୁହନ୍ତି, ‘‘ଦିନେ ମୁଁ ଜଣେ ଗାୟିକା ହେବି ବୋଲି ମୋ ବାପାଙ୍କର ଦୃଢ଼ ବିଶ୍ୱାସ ରହିଥିଲା।’’

ପରେ, ମଜୁରି ପାଇଁ ଗୋପାଳନ କରିବା ସହିତ ସେ ଦିମଡ଼ି ବଜାଇବା ଆରମ୍ଭ କରି ଦେଇଥିଲେ। ‘‘ଛୋଟ ବେଳେ ଧାତୁ ପାତ୍ର ମୋର ବାଦ୍ୟଯନ୍ତ୍ର ଥିଲା। ପାଣି ଆଣିବା ସମୟରେ, ମୋର ଆଙ୍ଗୁଠି କଳସୀ, ଧାତୁ ବାସନ ଉପରେ ବାଜୁଥିଲା। ଏହା ଏକ ଅଭ୍ୟାସ ଓ ସଉକ ପାଲଟିଯାଇଥିଲା। ମୁଁ ଜୀବନରେ ଯାହାକିଛି ଶିଖିଛି, ତାହା ଅନ୍ୟ କାମ କରି କରି ଶିକ୍ଷା ଲାଭ କରିଛି, କୌଣସି ସ୍କୁଲକୁ ଯାଇନାହିଁ,’’ ମୀରାବାଈ କୁହନ୍ତି।

ଘର ପାଖରେ ନିୟମିତ ଭଜନ ଗାୟନ ଏବଂ ଛୋଟ ସଭା ଆୟୋଜନ କରାଯାଉଥିଲା। ଯଥାଶୀଘ୍ର ମୀରାବାଈ ସେହି ଗୋଷ୍ଠୀରେ ସାମିଲ ହୋଇଗଲେ ଏବଂ ଅନେକ ଭଜନ ପରିବେଷଣ କଲେ।

राम नाही सीतेच्या तोलाचा
राम बाई हलक्या दिलाचा

ସୀତାଙ୍କ ସହ ରାମ ନୁହନ୍ତି ସମାନ
ରାମଙ୍କ ହୃଦୟ କେତେ ଅଗଭୀର

‘‘ମୁଁ କେବେ ସ୍କୁଲ୍ ଯାଇନାହିଁ କିନ୍ତୁ ୪୦ଟି ଭିନ୍ନ ଭିନ୍ନ ରାମାୟଣ ମନେ ରଖି ଦେଇଛି,’’ ସେ କୁହନ୍ତି । ‘‘ଶ୍ରବଣ ବାଲ୍‌ଙ୍କ କାହାଣୀ, ମହାଭାରତରୁ ପାଣ୍ଡବଙ୍କ କାହାଣୀ ଏବଂ କବୀରଙ୍କ ଶତାଧିକ ଦୋହା ସବୁ ମୋର ମୁଖସ୍ତ ହୋଇଯାଇଛି।’’ ସେ ବିଶ୍ୱାସ କରନ୍ତି ଯେ, ରାମାୟଣ ପଥରେ ଲେଖାଯାଇଥିବା ଏକ କାହାଣୀ ନୁହେଁ, ବରଂ ଲୋକମାନଙ୍କ ଦ୍ୱାରା ସେମାନଙ୍କ ସଂସ୍କୃତି, ବିଶ୍ୱ ଦୃଷ୍ଟିକୋଣ ଏବଂ ସେମାନଙ୍କର ଅବଲୋକନ ଆଧାରରେ ପ୍ରସ୍ତୁତ କରାଯାଇଛି ।  ବିଭିନ୍ନ ସମୁଦାୟ ସାମ୍ନା କରିଥିବା ଐତିହାସିକ ଆହ୍ୱାନ ଏବଂ କ୍ଷତି ଏହି ମହାକାବ୍ୟଗୁଡ଼ିକରେ ପରିବର୍ତ୍ତନ ଆଣିଛି । ଚରିତ୍ର ସମାନ ରହିଛନ୍ତି କିନ୍ତୁ କାହାଣୀ ବହୁରଙ୍ଗ ବିଶିଷ୍ଟ ଏବଂ ବହୁପକ୍ଷୀୟ ହୋଇଯାଇଛି।

ସମାଜରେ ନିଜର ସ୍ଥିତି ଓ ସ୍ଥାନ ଦୃଷ୍ଟିରୁ ମୀରାବାଈ ଏହାକୁ ପରିବେଷଣ କରିଥାନ୍ତି। ଉଚ୍ଚ ଜାତିର ହିନ୍ଦୁମାନେ ଏହାକୁ ଯେଭଳି ପରିବେଷଣ କରିଥା’ନ୍ତି ତାହାଠାରୁ ଏହା ଭିନ୍ନ। ତାଙ୍କ ରାମାୟଣର କେନ୍ଦ୍ର ବିନ୍ଦୁରେ ଜଣେ ମହିଳା ଓ ଦଳିତ ଥାଆନ୍ତି। ସୀତାଙ୍କୁ ରାମ କାହିଁକି ବନବାସରେ ଏକାକୀ ଛାଡ଼ି ଦେଲେ? ସେ ନିଜ କାହାଣୀ ଓ ମହାକାବ୍ୟର ଲୋକପ୍ରିୟ ଗାଥାଗୁଡ଼ିକର ତାର୍କିକ ଦୃଷ୍ଟିକୋଣ ଉପସ୍ଥାପନ କରିବା ସମୟରେ ନିଜ ଦର୍ଶକଙ୍କ ଆଗରେ ଅନେକ ପ୍ରଶ୍ନ ରଖିଥାନ୍ତି । ସେ କୁହନ୍ତି, ‘‘ମୁଁ ଏସବୁ କାହାଣୀ ପରିବେଷଣ କରିବା ଲାଗି ହାସ୍ୟର ମଧ୍ୟ ଉପଯୋଗ କରିଥାଏ।’’

PHOTO • Ramdas Unhale
PHOTO • Labani Jangi

ବାମ : ନିଜ ଖଞ୍ଜିରି ସହିତ ମୀରା ଉମାପ। ମାତ୍ର ୭ ବର୍ଷ ବୟସରେ ତାଙ୍କର କଳା ପରିବେଷଣକୁ ଦେଖି ସନ୍ଥ ତୁକଡ଼ୋଜୀ ମହାରାଜ ତାଙ୍କୁ ଏହି ଖଞ୍ଜିରି ଉପହାର ଦେଇଥିଲେ। ମୀରାବାଈ ବଜାଉଥିବା କାଠ ଗୋଲେଇ ଓ ଚମଡ଼ାରେ ତିଆରି ଛୋଟ ବାଦ୍ୟ ଯନ୍ତ୍ର ଦିମଡିର ଏକ ଚିତ୍ର। ଏହାକୁ ଲୋକ କଳାକାରମାନେ ବ୍ୟବହାର କରି ଦେବଦେବୀଙ୍କ କାହାଣୀ ପରିବେଷଣ କରିଥାନ୍ତି ଏବଂ ଏହା ସେମାନଙ୍କ ପୂଜାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ

ସଙ୍ଗୀତ ବିଷୟରେ ଗଭୀର ଧାରଣା ଏବଂ ପରିବେଷଣ ଶୈଳୀ ସମ୍ପର୍କରେ ଉତ୍ତମ ବୁଝାମଣା ସହିତ ମୀରାବାଈଙ୍କ ସଙ୍ଗୀତର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ବିଦର୍ଭ ଏବଂ ମରାଠୱାଡ଼ାରେ ଅଧିକ ଅନୁଗାମୀ ରହିଥିବା ପ୍ରଭାବଶାଳୀ ସନ୍ଥ କବି ଓ ସଂସ୍କାରକ ତୁକାଡ଼ୋଜୀ ମହାରାଜଙ୍କ ପଦାଙ୍କ ଏବଂ ଶୈଳୀକୁ ଅନୁସରଣ କରି ମୀରାବାଈ ମଧ୍ୟ ଶୀର୍ଷସ୍ଥାନୀୟ ସଫଳତା ହାସଲ କରିଛନ୍ତି ।

ତୁକାଡ଼ୋଜୀ ମହାରାଜ ତାଙ୍କ କୀର୍ତ୍ତନ ପରିବେଷଣରେ ଖଞ୍ଜିରି ବଜାଉଥିଲେ। ତାଙ୍କ ଶିଷ୍ୟ ସତ୍ୟପାଲ ଚିଞ୍ଚୋଲିକର ସପ୍ତ-ଖଞ୍ଜିରି ବଜାଉଥିଲେ ଯେଉଁଥିରେ ସାତଟି ଖଞ୍ଜିରି ଭିନ୍ନ ଭିନ୍ନ ସ୍ୱର ଓ ଶବ୍ଦ ସୃଷ୍ଟି କରୁଥିଲା। ସାଙ୍ଗଲିର ଦେବାନନ୍ଦ ମାଲି ଓ ସତାରାର ମହ୍ଲାରୀ ଗଜଭରେ ମଧ୍ୟ ସମାନ ବାଦ୍ୟଯନ୍ତ୍ର ବଜାଇଥା’ନ୍ତି । କିନ୍ତୁ ମୀରାବାଇ ଉମାପ ଏକମାତ୍ର ମହିଳା ଭାବେ ଖଞ୍ଜିରି ବଜାଇଥାନ୍ତି ଏବଂ ତାହା ପୁଣି ଏତେ ଉଚ୍ଚକୋଟୀର।

ଗୀତ ଲେଖୁଥିବା ଏବଂ ଡଫ୍‌ (ଶାହିରମାନେ ପ୍ରାୟତଃ ବ୍ୟବହାର କରୁଥିବା ଏକ ଫ୍ରେମ୍‌ ଡ୍ରମ୍‌ ବାଦ୍ୟ ଯନ୍ତ୍ର) ବଜାଉଥିବା ଲାତୁର୍‌ର ଶାହିର୍‌ ରତ୍ନାକର କୁଲକର୍ଣ୍ଣୀ ମଧ୍ୟ ତାଙ୍କୁ ଅତି କୌଶଳର ସହିତ ଖଞ୍ଜିରି ବଜାଉଥିବା ଏବଂ ମଧୁର ସ୍ୱରରେ ଗାଉଥିବା ଦେଖିଛନ୍ତି। ସେ ତାଙ୍କୁ ଶାହିରୀ (ସାମାଜିକ ଜ୍ଞାନର ଗୀତ) ପରିବେଷଣ କରିବା ଲାଗି ସମର୍ଥନ ଦେବା ଓ ଅନୁପ୍ରାଣିତ କରିବା ଲାଗି ନିଷ୍ପତ୍ତି ନେଲେ। ମୀରାବାଈଙ୍କୁ ୨୦ ବର୍ଷ ହୋଇଥିବା ବେଳେ ସେ ଶାହିରୀ କ୍ଷେତ୍ରରେ ପ୍ରବେଶ  କଲେ ଏବଂ ବୀଡ଼ରେ ସରକାରୀ କାର୍ଯ୍ୟକ୍ରମରେ ଗୀତ ଗାଇବା ଆରମ୍ଭ କଲେ।

‘‘ମୋର ସବୁ ଧାର୍ମିକ ପୁସ୍ତକର ବିଷୟବସ୍ତୁ ମନେ ରହିଯାଇଛି । କଥା , ସପ୍ତାହ , ରାମାୟଣ, ମହାଭାରତ, ସତ୍ୟବାନ ଓ ସାବିତ୍ରୀଙ୍କ କାହାଣୀ, ମହାଦେବ ଓ ପୁରାଣର ସବୁ ସଙ୍ଗୀତ ଓ କାହାଣୀ ମୋ ଜିଭ ଆଗରେ ଅଛି,’’ ସେ କୁହନ୍ତି । ‘‘ମୁଁ ରାଜ୍ୟର କୋଣଅନୁକୋଣରେ ସେଗୁଡ଼ିକୁ ବ୍ୟାଖ୍ୟା କରିଛି, ଗାଇଛି ଏବଂ ପରିବେଷଣ କରିଛି। କିନ୍ତୁ ଏଥିରୁ ମୋତେ କେବେ ହେଲେ ଆତ୍ମତୃପ୍ତି କିମ୍ବା ସନ୍ତୋଷ ଅନୁଭୂତି ହୋଇନାହିଁ । ଏ ଗୀତ ଗାଇଥିବା ଲୋକମାନଙ୍କୁ ମଧ୍ୟ ଏଥିରୁ କୌଣସି ରାସ୍ତା ମିଳିନାହିଁ ।’’

‘‘ମୋର ସବୁ ଧାର୍ମିକ ପୁସ୍ତକର ବିଷୟବସ୍ତୁ ମନେ ରହିଯାଇଛି । କଥା , ସପ୍ତାହ , ରାମାୟଣ, ମହାଭାରତ, ସତ୍ୟବାନ ଓ ସାବିତ୍ରୀଙ୍କ କାହାଣୀ, ମହାଦେବ ଓ ପୁରାଣର ସବୁ ସଙ୍ଗୀତ ଓ କାହାଣୀ ମୋ ଜିଭ ଆଗରେ ଅଛି,’’ ସେ କୁହନ୍ତି । ‘‘ମୁଁ ରାଜ୍ୟର କୋଣଅନୁକୋଣରେ ସେଗୁଡ଼ିକୁ ବ୍ୟାଖ୍ୟା କରିଛି, ଗାଇଛି ଏବଂ ପରିବେଷଣ କରିଛି। କିନ୍ତୁ ଏଥିରୁ ମୋତେ କେବେ ହେଲେ ଆତ୍ମତୃପ୍ତି କିମ୍ବା ସନ୍ତୋଷ ଅନୁଭୂତି ହୋଇନାହିଁ । ଏ ଗୀତ ଗାଇଥିବା ଲୋକମାନଙ୍କୁ ମଧ୍ୟ ଏଥିରୁ କୌଣସି ରାସ୍ତା ମିଳିନାହିଁ ।’’

पाणी वाढ गं माय, पाणी वाढ गं
लयी नाही मागत भर माझं इवलंसं गाडगं
पाणी वाढ गं माय, पाणी वाढ गं

ପାଣି ଦିଅ ଗୋ ମୋତେ ପାଣି ଦିଅ
ମୁଁ ବେଶୀ ମାଗୁ ନାହିଁ, କେବଳ ମୋ ଛୋଟ ଗଡ଼ଗା (ମାଠିଆ) ଭରି ଦିଅ
ପାଣି ଦିଅ ଗୋ ମୋତେ ପାଣି ଦିଅ

‘‘ସେଦିନ ଠାରୁ ମୁଁ ସବୁ ପୋଥି ପୁରାଣ (ପୁସ୍ତକ ଜ୍ଞାନ) ଗାଇବା ବନ୍ଦ କରିଦେଲି ଏବଂ ଭୀମ ଗୀତ ଗାଇବା ଆରମ୍ଭ କରିଦେଲି। ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ୧୯୯୧ ପରଠାରୁ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ଭୀମ ଗୀତ ପ୍ରତି ସମର୍ପି ଦେଇଥିଲେ, ଏସବୁ ଗୀତ ବାବାସାହେବଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିବା ସହିତ ତାଙ୍କ ବାର୍ତ୍ତାର ପ୍ରଚାର କରିଥାଏ। ଶାହିର୍‌ ମୀରାବାଈ କୁହନ୍ତି, ‘‘ଲୋକମାନେ ଏସବୁ ପସନ୍ଦ କଲେ ଏବଂ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଏହାର ଜବାବ ଦେଲେ।

ମୀରା ଉମାପ ଏକ ଭୀମ ଗୀତ ଗାଉଥିବା ଶୁଣନ୍ତୁ

ପାର୍ସୀ ଶବ୍ଦ ‘ଶାୟର୍‌’ ବା ‘ଶାଇର୍‌’ରୁ ‘ଶାହିର୍‌’ ଶବ୍ଦ ଉଦ୍ଧୃତ ହୋଇଛି । ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଶାହିର୍ ମାନେ ପୋୱାଡ଼ା ନାମକ ଶାସକମାନଙ୍କର ମହିମାମଣ୍ଡନ କରିବା ଲାଗି ଗୀତ ଲେଖୁଥିଲେ ଓ ଗାଉଥିଲେ। ଆତ୍ମାରାମ ସାଲଭେ ନିଜ ଖଞ୍ଜିରି ମାଧ୍ୟମରେ, ଦାଦୁ ସାଲଭେ ନିଜର ହାର୍ମୋନିୟମ ଜରିଆରେ ଏବଂ କଦୁବାଇ ଖରାଟ୍‌ ନିଜ ଏକତାରୀ (ଲାଉ ଧୁଡ଼ୁକି) ମାଧ୍ୟମରେ ଗୀତ ଗାଇ ଦଳିତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ମୀରାବାଈ ନିଜ ଦିମଡି ଜରିଆରେ ମହାରାଷ୍ଟ୍ରର ହାତଗଣତି କେତେଜଣ ଶାହିରଙ୍କ ସହିତ ଯୋଗ ଦେଇଥିଲେ । ସେହି ସମୟ ପର୍ଯ୍ୟନ୍ତ ଦିମଡିକୁ ଏକ ଯୁଦ୍ଧ ବାଦ୍ୟଯନ୍ତ୍ର କୁହାଯାଉଥିଲା, ଯାହାକୁ କେବଳ ପୁରୁଷମାନେ ବଜାଉଥିଲେ। ମୀରାବାଈ ନିଜର ଦିମଡି ଜରିଆରେ ଏହି ପରମ୍ପରାକୁ ଭାଙ୍ଗିଥିଲେ।

ତାଙ୍କର ଗୀତ ଶୁଣିବା, ବାଦ୍ୟ ଯନ୍ତ୍ର ବଜାଇବା, ବାଜାର ଚମଡ଼ା ଉପରେ ନିଜର ଆଙ୍ଗୁଠିକୁ ଚତୁରତାର ସହିତ ଉପଯୋଗ କରି ଭିନ୍ନ ଭିନ୍ନ ସ୍ୱର ଉତ୍ପନ୍ନ କରିବା, ବିଭିନ୍ନ ପ୍ରକାରର ସଙ୍ଗୀତ-କୀର୍ତ୍ତନ, ଭଜନ ଓ ପୋୱାଡ଼ା ପାଇଁ ଆବଶ୍ୟକ ବିବିଧତା ସୃଷ୍ଟି କରିବା ଆଦି ଦେଖିବା ଏକ ସ୍ୱତନ୍ତ୍ର ଅନୁଭୂତି ଦେଇଥାଏ। ତାଙ୍କର ଗୀତ ଧୀରେ ଧୀରେ ଗତିଶୀଳ ହୋଇଥାଏ, ସେଥିରୁ ବାହାରୁଥିବା ଶବ୍ଦ ଓ କଳା ପରିବେଷଣ ସବୁବେଳେ ମାଟି ସହ ଗଭୀର ଭାବେ ଯୋଡ଼ି ହୋଇ ରହିଥାଏ ଯାହାକି ଏକ ବେପରୁଆ ଏବଂ ସାହସୀ ଭାବନା ସହିତ ଗୁଞ୍ଜରିତ ହୁଏ। ତାଙ୍କର ସମର୍ପଣ କାରଣରୁ ଦିମଡି ଓ ଖଞ୍ଜିରି କଳା ବର୍ତ୍ତମାନ ସୁଦ୍ଧା ଜୀବିତ ଓ ପ୍ରତିପୋଷଣ ହୋଇ ରହିଛି ।

ମୀରାବାଇ ଅଳ୍ପ କେତେଜଣ ମହିଳା ଶାହିରଙ୍କ ମଧ୍ୟରେ ସାମିଲ ରହିଛନ୍ତି ଯେଉଁମାନେ ମହାରାଷ୍ଟ୍ରର ଅନେକ ପ୍ରସିଦ୍ଧ ସନ୍ଥ କବିଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଲୋକ କଳା ଭରୁଡ଼ ପରିବେଷଣ କରୁଛନ୍ତି । ଦୁଇ ପ୍ରକାର ଭରୁଡ଼ ରହିଛି - ଭଜନୀ ଭରୁଡ଼ ଯାହାକି ଧର୍ମ ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏବଂ ସଙ୍ଗୀ ଭରୁଡ଼ ଯେଉଁଥିରେ ପୁରୁଷମାନେ ମହିଳାଙ୍କ ବେଶ ହୋଇ ମଞ୍ଚରେ କଳା ପରିବେଷଣ କରିଥାନ୍ତି । ସାଧାରଣତଃ ପୁଅମାନେ ହିଁ ଐତିହାସିକ ସାମାଜିକ ବିଷୟବସ୍ତୁ ଉପରେ ପୋୱାଡ଼ା ଏବଂ ଭରୁଡ଼ ପରିବେଷଣ କରିଥାନ୍ତି। କିନ୍ତୁ ମୀରାବାଇ ଏହି ବିଭାଜନକୁ ଚାଲେଞ୍ଜ କରି ସମାନ ସାହସ ଓ ଶକ୍ତି ସହିତ ଏହି କଳା ପରିବେଷଣ କରିବା ଆରମ୍ଭ କରିଥିଲେ। ଏପରିକି, ତାଙ୍କର ଉଚ୍ଚାରଣ ଅନ୍ୟ ପୁରୁଷ କଳାକାରଙ୍କ ତୁଳନାରେ ଅଧିକ ଲୋକପ୍ରିୟ ହୋଇଛି।

ଦିମଡି ସହିତ ସଙ୍ଗୀତ, ମଞ୍ଚ ଏବଂ ଦର୍ଶକଙ୍କ ବାର୍ତ୍ତା ଥିବା କଳା ପରିବେଷଣ ମୀରା ବାଈଙ୍କ ପାଇଁ ମନୋରଞ୍ଜନଠାରୁ ଊର୍ଦ୍ଧ୍ୱରେ।

*****

ଏ ଦେଶରେ କଳା ଏହାର ସ୍ରଷ୍ଟାଙ୍କ ଜାତି ସହିତ ବହୁ ଗଭୀର ଭାବେ ଜଡ଼ିତ ଏବଂ ଆକଳନ କରାଯାଇଥାଏ। ଜଣେ ବ୍ୟକ୍ତି ସଙ୍ଗୀତ ଓ କଳା ସହିତ ନିଜ ଜାତିର ଚାଲିଚଳଣି ଶିଖିଥାଏ। କୌଣସି ଅଣ ଦଳିତ, ଅଣ ବହୁଜନ ଏସବୁ ବାଦ୍ୟଯନ୍ତ୍ର ପାଇଁ ନୋଟେସନ୍‌ ପ୍ରସ୍ତୁତ କରିପାରିବ, ସେଗୁଡ଼ିକୁ ଅନୁସରଣ କରିପାରିବ ଏବଂ ବଜାଇବା ଶିଖିପାରିବ? ଆଉ ଯଦି କେହି ବାହାର ବ୍ୟକ୍ତି ଦିମଡି କିମ୍ବା ସମ୍ବଲ କିମ୍ବା ଜୁମ୍ବାରକ୍‌ ବଜାଇବାକୁ ଚାହୁଁଛନ୍ତି ତ’ହେଲେ ମଧ୍ୟ ତାଙ୍କ ପାଇଁ କୌଣସି ସଂହିତାବଦ୍ଧ ବ୍ୟାକରଣ ନାହିଁ ।

ମୁମ୍ବାଇ ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗ ଛାତ୍ରଛାତ୍ରୀ ଖଞ୍ଜିରି ଓ ଦିମଡି ବଜାଇବା ଶିଖୁଛନ୍ତି । ବିଶିଷ୍ଟ କଳାକାର କୃଷ୍ଣା ମୁସାଲେ ଏବଂ ବିଜୟ ଚହ୍ୱନ ଏସବୁ ବାଦ୍ୟଯନ୍ତ୍ର ପାଇଁ ସ୍ୱର ଲିପି ପ୍ରସ୍ତୁତ କରିଛନ୍ତି । କିନ୍ତୁ ଏଥିରେ ଏକ ଭିନ୍ନ ଆହ୍ୱାନ ରହିଛି ବୋଲି ବିଶ୍ୱବିଦ୍ୟାଳୟରେ ଲୋକକଳା ଏକାଡେମୀର ନିର୍ଦ୍ଦେଶକ ଗଣେଶ ଚନ୍ଦନଶିବେ ଦାବି କରିଥା’ନ୍ତି।

PHOTO • Medha Kale
PHOTO • Ramdas Unhale

ବାମ : ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଲୋକ କଳା ଏକାଡେମୀର ନିର୍ଦ୍ଦେଶକ ଗଣେଶ ଚନ୍ଦନଶିବେ। ସେ ସ୍ୱୀକାର କରିଥାନ୍ତି ଯେ, ଦିମଡି କିମ୍ବା ସମ୍ବଲର ନିଜସ୍ୱ ସଙ୍ଗୀତ ଶାସ୍ତ୍ର ନାହିଁ। ସେ କୁହନ୍ତି, ‘ଜଣେ କେହି ହେଲେ ସ୍ୱର ଲିପି ଲେଖିନାହାନ୍ତି କିମ୍ବା ଏହାକୁ ଶାସ୍ତ୍ରୀୟ ଉପକରଣ ମାନ୍ୟତା ଦେବା ଲାଗି କୌଣସି ‘‘ବିଜ୍ଞାନ’’ ପ୍ରସ୍ତୁତ କରିନାହାନ୍ତି। ଡାହାଣ : ମୀରାବାଈ ସଙ୍ଗୀତର ବିଜ୍ଞାନ, ସ୍ୱର ଲିପି କିମ୍ବା ବ୍ୟାକରଣକୁ ଜାଣିବା ବିନା ଏହି ବାଦ୍ୟ ଯନ୍ତ୍ରର ଜ୍ଞାନ ହାସଲ କରିଛନ୍ତି

‘‘ଅନ୍ୟ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ଶିକ୍ଷା ଦିଆଯିବା ଭଳି ଆପଣ ଦିମଡି, ସମ୍ବଲ କିମ୍ବା ଖଞ୍ଜିରି ଶିକ୍ଷା ଦେଇପାରିବେ ନାହିଁ,’’ ସେ କୁହନ୍ତି । ‘‘ଆମେ ତବଲାର ସ୍ୱରଲିପି ଯେପରି ପ୍ରସ୍ତୁତ କରିଥାଉ ଜଣେ ବ୍ୟକ୍ତି ସେହି ଅନୁଯାୟୀ ଏହି ବାଦ୍ୟଯନ୍ତ୍ରକୁ ଶିଖିପାରିବେ କିମ୍ବା ଶିଖାଇପାରିବେ। ଲୋକମାନେ ଦିମଡି କିମ୍ବା ସମ୍ବଲ ଶିଖାଇବା ପାଇଁ ସମାନ ସ୍ୱରଲିପିକୁ ଉପଯୋଗ କରିବା ଲାଗି ଚେଷ୍ଟା କରିଥିଲେ। କିନ୍ତୁ ଏଥିମଧ୍ୟରୁ କୌଣସି ବାଦ୍ୟଯନ୍ତ୍ରର ନିଜସ୍ୱ ସଂଗୀତଶାସ୍ତ୍ର ନାହିଁ । କେହି ଜଣେ ହେଲେ ନୋଟେସନ୍‌ ଲେଖିନାହାନ୍ତି କିମ୍ବା ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେଉଥିବା କୌଣସି ‘ବିଜ୍ଞାନ’ ପ୍ରସ୍ତୁତ କରିନାହାନ୍ତି,’’ ସେ କୁହନ୍ତି ।

ମୀରାବାଈ କୌଣସି ସ୍ୱରଲିପି କିମ୍ବା ସଙ୍ଗୀତ ବ୍ୟାକରଣ ବିନା ଦିମଡି ଓ ଖଞ୍ଜିରି ବଜାଇବାରେ ଦକ୍ଷତା ହାସଲ କରିଛନ୍ତି । ସେ ଯେତେବେଳେ ଏହାକୁ ବଜାଇବା ଶିଖିଲେ ଧା କିମ୍ବା ତା ହେବ ତାହା ସେ ଜାଣିନଥିଲେ। କିନ୍ତୁ ତାଙ୍କର ଗତି ଓ ଲୟ ତଥା ସ୍ୱରରେ ପୂର୍ଣ୍ଣତା ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ବଜାଉଥିବା ଯେକୌଣସି କଳାକାରଙ୍କ ସହିତ ମେଳ ଖାଇପାରିବ। ବାଦ୍ୟଯନ୍ତ୍ର ତାଙ୍କର। ଲୋକକଳା ଏକାଡେମୀରେ କେହି ଜଣେ ହେଲେ ମୀରାବାଈଙ୍କ ଦିମଡି ବଜାଇବାର ଦକ୍ଷତା ସହିତ ସମକକ୍ଷ ହୋଇପାରିବେ ନାହିଁ ।

ବହୁଜନ ଜାତିର ଲୋକମାନେ ମଧ୍ୟବିତ୍ତ ବର୍ଗ ଭାବେ ବିକଶିତ ହେଉଥିବାରୁ ସେମାନଙ୍କ ନିଜସ୍ୱ ପାରମ୍ପରିକ କଳା ଓ ଅଭିବ୍ୟକ୍ତି କ୍ଷତିଗ୍ରସ୍ତ ହେଉଛି। ଶିକ୍ଷା ଓ ବେଉସା ପାଇଁ ଅନ୍ୟ ସହରକୁ ପ୍ରବାସ କରୁଥିବା କାରଣରୁ ସେମାନେ ଆଉ ନିଜର ପାରମ୍ପରିକ ବେଉସା ଓ ଏହା ସହିତ ଜଡ଼ିତ କଳା ପରିବେଷଣ କରିପାରୁନାହାନ୍ତି । ଏସବୁ କଳା ସ୍ୱରୂପ; ସେଗୁଡ଼ିକର ଉତ୍ପତି ଓ ପ୍ରଚଳନର ଐତିହାସିକ ଓ ଭୌଗଳିକ ପରିଦୃଶ୍ୟକୁ ଲିପିବଦ୍ଧ କରିବାର ଜରୁରୀ ଆବଶ୍ୟକତା ରହିଛି। ଏହାଦ୍ୱାରା ଆମ ସାମ୍ନାରେ ଉତ୍ପନ୍ନ ହେଉଥିବା ଅନେକ ପ୍ରଶ୍ନର ସମାଧାନ ହୋଇପାରିବ। ଉଦାହରଣ ସ୍ୱରୂପ, ଜାତି ବିବାଦ, ଅନ୍ୟାନ୍ୟ ସଂଘର୍ଷ ସେମାନଙ୍କର ଅଭିବ୍ୟକ୍ତିରେ ପ୍ରତିଫଳିତ ହୋଇଥାଏ କି? ଯଦି ହଁ, କେଉଁ ସ୍ୱରୂପରେ ଏଗୁଡ଼ିକ ବ୍ୟକ୍ତ ହୋଇଥାଏ? ଶିକ୍ଷାଗତ ଦୃଷ୍ଟିରୁ ଏସବୁ ସ୍ୱରୂପକୁ ଦେଖିବା ସମୟରେ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନଗୁଡ଼ିକ ଏଭଳି କୌଣସି ଦୃଷ୍ଟିକୋଣ ପରିପ୍ରକାଶ କରନ୍ତି ନାହିଁ ।

ପ୍ରତ୍ୟେକ ଜାତିର ଏକ ନିର୍ଦ୍ଦିଷ୍ଟ ଲୋକ କଳା ରହିଛି ଏବଂ ତେଣୁ ଅତ୍ୟଧିକ ବିବିଧତା ଦେଖିବାକୁ ମିଳିଥାଏ। ଏସବୁ ସମ୍ପଦ ଓ ପରମ୍ପରା ଉପରେ ଅଧ୍ୟୟନ ଏବଂ ସଂରକ୍ଷଣ ପାଇଁ ଏକ ସମର୍ପିତ ଗବେଷଣା କେନ୍ଦ୍ରର ବାସ୍ତବ ଆବଶ୍ୟକତା ରହିଛି । ତେବେ, ଏହା କୌଣସି ଅଣ-ବ୍ରାହ୍ମଣବାଦୀ ଆନ୍ଦୋଳନର ଏଜେଣ୍ଡାରେ ନାହିଁ । କିନ୍ତୁ ମୀରାବାଈ ଏହି ଚିତ୍ରକୁ ବଦଳାଇବାକୁ ଚାହୁଁଛନ୍ତି । ସେ କୁହନ୍ତି, ‘‘ମୁଁ ଏକ ଅନୁଷ୍ଠାନ ଗଢ଼ିବାକୁ ଚାହୁଁଛି ଯେଉଁଠି ଯୁବକଯୁବତୀମାନେ ଖଞ୍ଜିରୀ, ଏକତାରୀ ଓ ଢୋଲକୀ ଶିଖିପାରିବେ।’’

ସରକାରୀ ସ୍ତରରେ ଏଥିପାଇଁ ତାଙ୍କୁ କୌଣସି ସମର୍ଥନ ମିଳି ନାହିଁ। ସରକାରଙ୍କୁ ଏଥିପାଇଁ ସେ କୌଣସି ଅପିଲ୍ କରିଛନ୍ତି କି? ‘‘ମୁଁ ଲେଖାପଢ଼ା ଜାଣିଛି କି?’’ ଉତ୍ତରରେ ସେ ପ୍ରଶ୍ନ କରନ୍ତି। ‘‘ମୁଁ ଯେତେବେଳେ ଏବଂ ଯେଉଁ ସ୍ଥାନକୁ କୌଣସି କାର୍ଯ୍ୟକ୍ରମ ପାଇଁ ଯାଏ ଏବଂ ଯଦି ସେଠାରେ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ଉପସ୍ଥିତ ଥାଆନ୍ତି ତା’ହେଲେ ଏହି ସ୍ୱପ୍ନ ପୂରଣ କରିବା ଲାଗି ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରିଥାଏ। କିନ୍ତୁ ଗରିବ ଲୋକଙ୍କ ଏହି କଳାକୁ ସରକାର ମହତ୍ୱ ଦେଉଛନ୍ତି ବୋଲି ଆପଣଙ୍କୁ ଲାଗୁଛି କି?

PHOTO • Labani Jangi
PHOTO • Labani Jangi

ଡଫ ହେଉଛି ଏକ ବାଦ୍ୟଯନ୍ତ୍ର ଯାହାକୁ ଶାହିର୍‌ମାନେ ପୋୱାଡା (ମହିମା ଗୀତ) ବୋଲିବା ପାଇଁ ବ୍ୟବହାର କରନ୍ତି ଏବଂ ତୁଣତୁଣେ ହେଉଛି ଏକ ଗୋଟିକିଆ ତାର ଥିବା ବାଦ୍ୟଯନ୍ତ୍ର ଯାହାକୁ ଗୋନ୍ଧଲି (ସମ୍ପ୍ରଦାୟ)ମାନେ ‘ଭବାନୀ ଆଇ’ (ତୁଲଜାଭବାନୀ)ଙ୍କ କୃପା ଲାଭ କରିବା ଲାଗି ବଜାଇଥା’ନ୍ତି । ଡାହାଣ : ଡକ୍କଲୱାର ସମୁଦାୟର ଲୋକମାନେ କିଙ୍ଗରୀ ନିର୍ମାଣ କରିଛନ୍ତି ଯାହାକି କେନ୍ଦରା ଭଳି ଏକ ବାଦ୍ୟଯନ୍ତ୍ର ଯେଉଁଥିରେ ଚିକ୍କଣ ହୋଇନଥିବା ଏକ ମାଟି ପାତ୍ର ବାକ୍ସରେ ଗୋଟିଏ ବାଡ଼ି ଓ ଏକ ତାର ଲାଗିଥାଏ । ଆଉ ଏକ ପ୍ରକାର କିଙ୍ଗରୀରେ ତିନୋଟି ରିଜୋନେଟର୍‌ ଏବଂ ସ୍ୱର ଦେବା ଓ ବଜାଇବା ପାଇଁ ଗୋଟିଏ କାଠ ମୟୂର ହୋଇଥାଏ

PHOTO • Labani Jangi
PHOTO • Labani Jangi

ବାମ : ଦେବୀଙ୍କୁ ପୂଜା କରାଯାଉଥିବା ଏକ ପରମ୍ପରା ଗୋନ୍ଧଲରେ ସମ୍ବଲ ବ୍ୟବହାର କରାଯାଏ। ଏଗୁଡ଼ିକ ହେଉଛି ଦୁଇଟି କାଠ ବାଜା ଯାହା ଗୋଟିଏ ପଟୁ ଚମଡ଼ା ଝିଲ୍ଲୀ ସହାୟତାରେ ଯୋଡ଼ି ହୋଇଥାଏ। ଦୁଇଟି କାଠ ବାଡ଼ିରେ ଏହି ବାଜାକୁ ବଜାନ୍ତି, ଯାହାର ଗୋଟିଏ ମୁଣ୍ଡ ଗୋଲାକାର ହୋଇଥାଏ। ଗୋନ୍ଧଲୀମାନେ ଏହାକୁ ବଜାଇଥା’ନ୍ତି। ଡାହାଣ : ହଲଗୀ ଏକ ଗୋଲାକାର କାଠ ଫ୍ରେମ ଲାଗିଥିବା ବାଜା ଅଟେ ଯାହାକୁ ମାଙ୍ଗ ସମ୍ପ୍ରଦାୟର ପୁରୁଷମାନେ ପର୍ବପର୍ବାଣୀ, ବାହାଘର ଶୋଭାଯାତ୍ରା ଏବଂ ମନ୍ଦିର ଓ ଦରଘାରେ ଆୟୋଜିତ ହେଉଥିବା ଅନ୍ୟାନ୍ୟ ଅନୁଷ୍ଠାନ ସମୟରେ ବଜାଇଥା’ନ୍ତି

*****

ତେବେ, ସରକାର ମୀରାବାଈଙ୍କୁ ଆମନ୍ତ୍ରିତ କରିଥିଲେ। ମୀରାବାଈଙ୍କ ଶାହିରୀ ଓ ଗୀତ ବ୍ୟାପକ ଆକାରରେ ଦର୍ଶକଙ୍କୁ ପ୍ରଭାବୀ ଢଙ୍ଗରେ ଆକର୍ଷିତ କରିବା ଆରମ୍ଭ କରିବା ପରେ ମହାରାଷ୍ଟ୍ର ସରକାର ତାଙ୍କୁ ରାଜ୍ୟ ପକ୍ଷରୁ ଆୟୋଜିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ଅଭିଯାନରେ ଯୋଗଦାନ ଦେବାକୁ ଅନୁରୋଧ କରିଥିଲା। ଖୁବଶୀଘ୍ର ରାଜ୍ୟର କୋଣଅନୁକୋଣକୁ ଯାତ୍ରା କରି ସେ ସ୍ୱାସ୍ଥ୍ୟ, ନିଶାମୁକ୍ତି, ଯୌତୁକ ପ୍ରଥା ନିରାକରଣ ଏବଂ ମଦ ନିଷେଧ ଭଳି ପ୍ରସଙ୍ଗରେ ଲୋକ ଗୀତର ଉପାଦାନ ସହିତ ଛୋଟ ନାଟକ ପରିବେଷଣ କରୁଥିଲେ।

बाई दारुड्या भेटलाय नवरा
माझं नशीब फुटलंय गं
चोळी अंगात नाही माझ्या
लुगडं फाटलंय गं

ମୋ ସ୍ୱାମୀ ଜଣେ ନିଶାଡ଼ି
ମୋର ତ’ ଭାଗ୍ୟ ଖରାପ
ପିନ୍ଧିବାକୁ ମୋର ବ୍ଲାଉଜ୍‌ ନାହିଁ
ଫାଟି ଯାଇଛି ଏ ଶାଢ଼ୀ

ନିଶାମୁକ୍ତି ଉପରେ ତାଙ୍କର ସଚେତନତା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ମହାରାଷ୍ଟ୍ର ସରକାରଙ୍କ ତରଫରୁ ବ୍ୟସନମୁକ୍ତି ସେବା ପୁରସ୍କାର ମିଳିଥିଲା। ତାଙ୍କୁ ଆକାଶବାଣୀ ଏବଂ ଦୂରଦର୍ଶନରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରିତ କରାଯାଇଥିଲା।

*****

ଏତେ ଭଲ କାମ କରିବା ସତ୍ତ୍ୱେ ମୀରା ବାଈଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ରହି ଆସିଛି । ‘‘ମୁଁ ବାସହୀନ ହୋଇଯାଇଥିଲି ଏବଂ ମୋତେ ସହାୟତା କରିବା ଲାଗି କେହି ନଥିଲେ,’’ ସେ ନିଜର ସଦ୍ୟତମ ଦୁର୍ଭାଗ୍ୟ ବିଷୟରେ ସେ କୁହନ୍ତି। ‘‘ଲକଡାଉନ (୨୦୨୦) ସମୟରେ ସର୍ଟ ସର୍କିଟ୍‌ କାରଣରୁ ମୋ ଘରେ ନିଆଁ ଲାଗିଯାଇଥିଲା। ଆମେ ଏତେ ନିରାଶ ହୋଇଯାଇଥିଲୁ ଯେ ସେହି ଘରକୁ ବିକ୍ରି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ଆମେ ରାସ୍ତାକୁ ଚାଲି ଆସିଥିଲୁ। ଆମ୍ବେଦକରଙ୍କ ଅନେକ ଅନୁଗାମୀମାନେ ଆମକୁ ସହାୟତା କରିବାକୁ ଆଗେଇ ଆସିଥିଲେ,’’ ଟିଣ କାନ୍ଥ ଓ ଛାତ ପଡ଼ିଥିବା ନିଜ ନୂଆ ଘର ବିଷୟରେ ଉଲ୍ଲେଖ କରି ସେ କୁହନ୍ତି, ଯେଉଁଥିରେ ଆମେ ବସିଛୁ।

PHOTO • Ramdas Unhale
PHOTO • Ramdas Unhale

ଅନେକ ପ୍ରଶଂସା ଓ ପୁରସ୍କାର ପାଇଥିବା ଜଣେ ଲୋକ କଳାକାର ଶାହିର ମୀରା ଉମାପ ସଂଘର୍ଷପୂର୍ଣ୍ଣ ଜୀବନ ନିର୍ବାହ କରିଥାନ୍ତି। ଏଠାରେ ଛତ୍ରପତି ସମ୍ଭାଜୀ ନଗରର ଚିକଲଥାନାରେ ଥିବା ତାଙ୍କର ଛୋଟିଆ ଟିଣ ଘରର ଫଟୋ

ଆନ୍ନାଭାଉ ସାଠେ, ବାଲ ଗନ୍ଧର୍ବ ଏବଂ ଲକ୍ଷ୍ମୀବାଇ କୋହ୍ଲାପୁରକରଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଥିବା ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିବା କଳାକାରଙ୍କର ଏପରି ଅବସ୍ଥା ହୋଇଛି । ମହାରାଷ୍ଟ୍ର ସରକାର ତାଙ୍କର ସାଂସ୍କୃତିକ ଯୋଗଦାନ ପାଇଁ ତାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ କରିଥିଲେ । ଏସବୁ ପୁରସ୍କାର ଏକଦା ତାଙ୍କ ଘର କାନ୍ଥର ଶୋଭା ବଢ଼ାଉଥିଲା।

‘‘ସେଗୁଡ଼ିକ କେବଳ ଆପଣଙ୍କ ଆଖିକୁ କ୍ଷଣିକ ସୁଖ ଦେଇପାରେ,’’ ଲୁହ ଛଳଛଳ ଆଖିରେ ମୀରାବାଈ କୁହନ୍ତି, ‘‘ଖାଲି ସେଗୁଡ଼ିକୁ ଦେଖିଦେଲେ କାହାର ପେଟ ପୂରିଯିବ ନାହିଁ । କରୋନା ସମୟରେ, ଆମେ ଉପାସରେ ରହିଥିଲୁ। ସେହି ନିରାଶାପୂର୍ଣ୍ଣ ସମୟରେ, ମୁଁ ସେହି ପୁରସ୍କାର ସବୁକୁ ଜାଳେଣି କାଠ ଭାବେ ରୋଷେଇ କରିବାରେ ଉପଯୋଗ କରିଥିଲି। ଏସବୁ ପୁରସ୍କାର ତୁଳନାରେ କ୍ଷୁଧା ଅଧିକ ଶକ୍ତିଶାଳୀ।’’

ପରିଚୟ ମିଳୁ କି ନମିଳୁ, ମୀରାବାଇ ମାନବତା, ପ୍ରେମ ଓ କରୁଣାର ବାର୍ତ୍ତା ପ୍ରସାରିତ କରିବା ଲାଗି ମହାନ ସଂସ୍କାରକଙ୍କ ମାର୍ଗକୁ ଅନୁସରଣ କରି ନିଜ କଳାକୁ ଅତୁଟ ଭକ୍ତିର ସହିତ ଆଗକୁ ବଢ଼ାଇଥା’ନ୍ତି। ସେ ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ଅଗ୍ନିକୁ ପ୍ରଶମିତ କରିବା ଲାଗି ନିଜ କଳା ଓ ନିଜ ପ୍ରଦର୍ଶନର ଉପଯୋଗ କରୁଛନ୍ତି । ସେ କୁହନ୍ତି, ‘‘ମୁଁ ନିଜ କଳାର ବିପଣନ କରିବାକୁ ଚାହୁଁନାହିଁ। ସମ୍ଭଲାଲି ତାର୍‌ ତେ କଲା ଆହେ , ନାହି ତାର୍‌ ବଲା ଆହେ (ଯଦି ଜଣେ ଏହାକୁ ସମ୍ମାନ ଦେବ, ଏହା କଳା, ନଚେତ୍‌ ଏହା ଏକ ଅଭିଶାପ)।

ମୁଁ ମୋ କଳାର ଚରିତ୍ର ହରଣ ହେବାକୁ ଦେଇନାହିଁ । ଗତ ୪୦ ବର୍ଷ ଧରି ମୁଁ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଛି ଏବଂ କବୀର, ତୁକାରାମ, ତୁକାଡ଼ୋଜୀ ମହାରାଜ ଏବଂ ଫୁଲେ-ଆମ୍ବେଦକରଙ୍କ ବାର୍ତ୍ତା ପ୍ରଚାର କରିଛି । ମୁଁ ସେମାନଙ୍କ ଗୀତ ଗାଉଛି ଏବଂ ମୋର କଳା ପରିବେଷଣରେ ସେମାନଙ୍କର ପରମ୍ପରା ଜୀବିତ ରହିଛି ।

‘‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଭୀମ୍‌ ଗୀତ ଗାଇବି। ସେଥିରେ ମୋ ଜୀବନର ଅନ୍ତ ହେବ ଏବଂ ସେଥିରୁ ମୋତେ ବହୁତ ସନ୍ତୁଷ୍ଟି ମିଳିଥାଏ।’’

ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ସହଭାଗିତାରେ ଇଣ୍ଡିଆ ଫାଉଣ୍ଡେସନ ଫର୍‌ ଦ ଆର୍ଟସ୍‌ ପକ୍ଷରୁ ସେମାନଙ୍କର ଆର୍କାଇଭ୍ସ ଓ ମ୍ୟୁଜିୟମ ପ୍ରୋଗ୍ରାମ ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ‘ଇନଫ୍ଲୁଏନ୍ସିଆଲ ଶାହିର୍ସ, ନ୍ୟାରେଟିଭ୍ସ ଫ୍ରମ ମରାଠୱାଡ଼ା’ ଶୀର୍ଷକ  ପ୍ରକଳ୍ପ ସଂଗ୍ରହର ଏକ ଅଂଶବିଶେଷ ଭାବେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ନୂଆଦିଲ୍ଲୀର ଗେଟେ ଇନଷ୍ଟିଚ୍ୟୁଟ/ମାକ୍ସ ମୁଲର ଭବନର ଆଂଶିକ ସହଯୋଗରେ ଏହା ସମ୍ଭବ ହୋଇପାରିଛି ।

ଅନୁବାଦ : ଓଡ଼ିଶାଲାଇଭ୍‍

Keshav Waghmare

کیشو واگھمارے مہاراشٹر کے پونہ میں مقیم ایک قلم کار اور محقق ہیں۔ وہ ۲۰۱۲ میں تشکیل شدہ ’دلت آدیواسی ادھیکار آندولن (ڈی اے اے اے) کے بانی رکن ہیں، اور گزشتہ کئی برسوں سے مراٹھواڑہ کی برادریوں کی دستاویز بندی کر رہے ہیں۔

کے ذریعہ دیگر اسٹوریز Keshav Waghmare
Editor : Medha Kale

میدھا کالے پونے میں رہتی ہیں اور عورتوں اور صحت کے شعبے میں کام کر چکی ہیں۔ وہ پیپلز آرکائیو آف رورل انڈیا (پاری) میں مراٹھی کی ٹرانس لیشنز ایڈیٹر ہیں۔

کے ذریعہ دیگر اسٹوریز میدھا کالے
Editor : Pratishtha Pandya

پرتشٹھا پانڈیہ، پاری میں بطور سینئر ایڈیٹر کام کرتی ہیں، اور پاری کے تخلیقی تحریر والے شعبہ کی سربراہ ہیں۔ وہ پاری بھاشا ٹیم کی رکن ہیں اور گجراتی میں اسٹوریز کا ترجمہ اور ایڈیٹنگ کرتی ہیں۔ پرتشٹھا گجراتی اور انگریزی زبان کی شاعرہ بھی ہیں۔

کے ذریعہ دیگر اسٹوریز Pratishtha Pandya
Illustrations : Labani Jangi

لابنی جنگی مغربی بنگال کے ندیا ضلع سے ہیں اور سال ۲۰۲۰ سے پاری کی فیلو ہیں۔ وہ ایک ماہر پینٹر بھی ہیں، اور انہوں نے اس کی کوئی باقاعدہ تربیت نہیں حاصل کی ہے۔ وہ ’سنٹر فار اسٹڈیز اِن سوشل سائنسز‘، کولکاتا سے مزدوروں کی ہجرت کے ایشو پر پی ایچ ڈی لکھ رہی ہیں۔

کے ذریعہ دیگر اسٹوریز Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE