ଅନୁର୍ବର ମାଳଭୂମି ଉପରେ ଥିବା ଏକ ଦରଘା ମାଲଗାଓଁ ନିବାସୀଙ୍କର ଭଲ ସେବା କରିଛି । ମହାରାଷ୍ଟ୍ର ସତାରା ଜିଲ୍ଲାରେ ଥିବା ଏହି ପୀଠ ଶହ ଶହ ବର୍ଷ ଧରି ଏଠାରେ ରହି ସବୁବେଳେ ଏକ ଶରଣସ୍ଥଳୀ ଭାବେ କାମରେ ଲାଗିଛି।

ସ୍କୁଲ୍‌ ପିଲାମାନେ ଦରଘା ସାମ୍ନାରେ ନଇଁ ପଡ଼ିଥିବା ଗଛ ତଳେ ବସି ନିଜର ହୋମ୍‌ୱାର୍କ କରିଥାନ୍ତି। ଯୁବକ ଓ ଯୁବତୀମାନେ ପ୍ରବେଶ ଦ୍ୱାର ପାଖରେ ବସି ପ୍ରତିଯୋଗିତାମୂଳକ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥା’ନ୍ତି - ଅସହ୍ୟ ଗ୍ରୀଷ୍ମପ୍ରବାହ ସମୟରେ ଏହି ଗୋଟିଏ ସ୍ଥାନରେ ଥଣ୍ଡା ପବନ ବୋହିଥାଏ; ପୁଲିସ ଚାକିରି ଅଶାୟୀମାନେ ଆଖପାଖରେ ଥିବା ଖୋଲା ସ୍ଥାନରେ କଠୋର ଫିଟନେସ୍‌ ପ୍ରଶିକ୍ଷଣ ଅଭ୍ୟାସ କରିଥା’ନ୍ତି।

ଗାଁରେ ୧୫ ଏକରରୁ ଅଧିକ ଜମିର ମାଲିକ ହୋଇଥିବା ଚାଷୀ ବିନାୟକ ଯାଧବ (୭୬) କୁହନ୍ତି, ‘‘ମୋ ଜେଜେବାପାଙ୍କ ପାଖରେ ମଧ୍ୟ ଏହାକୁ ନେଇ ଏକ କାହାଣୀ ରହିଥିଲା। ତେଣୁ ଏହା କେତେ ପୁରୁଣା ଆପଣ ଅନୁମାନ କରିପାରୁଥିବେ। ହିନ୍ଦୁ ଓ ମୁସଲିମମାନେ ମିଳିତ ଭାବେ ଏହାକୁ ପରିଚାଳନା କରି ଆସୁଛନ୍ତି। ଏହା ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପ୍ରତୀକ ହୋଇ ରହିଆସିଛି।

କିନ୍ତୁ ସେପ୍ଟେମ୍ବର ୨୦୨୩ରେ ସବୁକିଛି ବଦଳିଯାଇଥିଲା। ସମସ୍ତଙ୍କ ପ୍ରିୟ ମାଲଗାଓଁର ଏହି ପୀଠକୁ ଏକ ନୂଆ ପରିଚୟ ମିଳିଲା- ଏହାକୁ ଜବରଦଖଲ କରି ନିର୍ମାଣ କରାଯାଇଛି ବୋଲି ଯୁବକମାନଙ୍କର ଏକ ଛୋଟ କିନ୍ତୁ ପ୍ରଭାବଶାଳୀ ଦଳ ଜୋରଦାର୍‌ ଦାବି କଲା। ହିନ୍ଦୁତ୍ୱବାଦୀ ଗୋଷ୍ଠୀଗୁଡ଼ିକର ଏକ ମେଣ୍ଟ ସେମାନଙ୍କୁ ଉସୁକାଇଥିଲା।

ମାଲଗାଓଁର ବାସିନ୍ଦା ହୋଇଥିବା ୨୦ରୁ ୨୫ ବର୍ଷ ବୟସ୍କ ଯୁବକଙ୍କର ଏହି ଦଳ ଜିଲ୍ଲା ପ୍ରଶାସନକୁ ପତ୍ର ଲେଖି ‘‘ବେଆଇନ ଜବରଦଖଲ’’କୁ ଉଚ୍ଛେଦ କରିବା ଲାଗି ଦାବି କରିଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ଏହା ପାଖରେ ଥିବା ପାଣି ଟାଙ୍କିକୁ ଭାଙ୍ଗି ଦେଇଥିଲେ। ‘‘ମୁସଲିମ ସମ୍ପ୍ରଦାୟ ଏହାର ଆଖପାଖରେ ଥିବା ଜମିକୁ ହଡ଼ପ କରିବା ଲାଗି ଚାହୁଁଥିଲେ,’’ ସେମାନଙ୍କ ପତ୍ରରେ ଦର୍ଶାଯାଇଥିଲା। ‘‘ଧାର୍ମିକ ସ୍ଥଳୀ ଗ୍ରାମ ପଞ୍ଚାୟତର ଅନୁମତି ବିନା ନିର୍ମାଣ କରାଯାଇଥିଲା।’’

PHOTO • Parth M.N.

ବିନାୟକ ଯାଧବ ( ଗାନ୍ଧୀ ଟୋପି ପିନ୍ଧିଛନ୍ତି ) ତାଙ୍କର ବନ୍ଧୁମାନଙ୍କ ସହିତ ମାଲଗାଁଓ ପୀଠରେ ବସିଛନ୍ତି। ଏହି ପୀଠ ମହରାଷ୍ଟ୍ରର ସାତାରା ଜିଲ୍ଲାରେ ଅନେକ ଶତାବ୍ଦୀ ଧରି ରହି ଆସିଛି

ତେବେ, ମନ୍ଦିରକୁ ଉଚ୍ଛେଦ କରିବା ଲାଗି ଯେତେବେଳେ ଦାବି ଉଠିଲା, ଗାଁ ଲୋକମାନେ ଯାହା ଠିକ୍‌ ସେହି ପଦକ୍ଷେପ ନେଲେ। ‘‘୧୯୧୮ ମସିହାର ନକ୍ସାରେ ମଧ୍ୟ ଏହି ପୀଠ ବିଷୟରେ ଉଲ୍ଲେଖ ମିଳିଥାଏ,’’ ଗୋଟିଏ ମଳିନ କାଗଜକୁ ସତର୍କତାପୂର୍ବକ ଖୋଲି ଯାଧବ କୁହନ୍ତି । ‘‘ଗାଁରେ ଏମିତି ଅନେକ ଧର୍ମସ୍ଥଳୀ ରହିଛି ଯାହାସବୁ ସ୍ୱାଧୀନତା ପୂର୍ବରୁ ଏଠାରେ ରହିଛି। ଆମେ ସେସବୁକୁ ସଂରକ୍ଷିତ କରିବା ଲାଗି ଚାହୁଁଛୁ । ଆମେ ଚାହୁଁଛୁ ଯେ ଆମ ପିଲାମାନେ ଶାନ୍ତିପୂର୍ଣ୍ଣ ପରିବେଶରେ ବଡ଼ ହୁଅନ୍ତୁ।’’

ସେ ଆହୁରି କୁହନ୍ତି : ‘‘ ଧର୍ମା ଧର୍ମା ମଧ୍ୟେ ଭାଣ୍ଡଲ ଲାୱୁନ୍ ଆପଣ ପୁଢ଼େ ନାହି , ମାଗେ ଜାଣାର୍ ,’’ (ଧର୍ମ ଆଧାରରେ ଲୋକମାନଙ୍କୁ ଭାଗଭାଗ କରିବା ଦ୍ୱାରା ଆମେ କେବଳ ପଛକୁ ଚାଲିଯିବା)

ହିନ୍ଦୁତ୍ୱବାଦୀ ସଦସ୍ୟମାନେ ଦରଘାକୁ ଭାଙ୍ଗିବା ଲାଗି ଦାବି କରିବା ପରେ ମାଲଗାଁଓରେ ଉଭୟ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟମାନେ ଆଗକୁ ଆସି ଏହା ବିରୋଧରେ ଏକ ପତ୍ର ଜାରି କରିଥିଲେ। ପତ୍ରରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଥିଲା ଯେ ଏହି ଦାବି ସଂଖ୍ୟାଗରିଷ୍ଠ ଲୋକଙ୍କ ମତ ନୁହେଁ । ବିଭିନ୍ନ ଜାତିର ଦୁଇ ଶହ ମୁସଲିମ୍‌ ଏବଂ ହିନ୍ଦୁ ଏଥିରେ ଦସ୍ତଖତ କରିଥିଲେ। ସେମାନେ ବର୍ତ୍ତମାନ ପାଇଁ ଏହି ପୀଠକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛନ୍ତି ।

ବହୁ କଷ୍ଟରେ ଅର୍ଜିତ ଏହି ଶାନ୍ତିକୁ ବଜାୟ ରଖିବା ସବୁଠୁ ବଡ଼ ଆହ୍ୱାନ।

*****

ମାଲଗାଁଓରେ ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ଯେଉଁ ଗାଁ ଲୋକମାନେ ବିଭାଜନକାରୀ ତତ୍ତ୍ୱଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି ଏବଂ ମୁସଲିମ ସମ୍ପ୍ରଦାୟର ଗୋଟିଏ ଧର୍ମପୀଠକୁ ସୁରକ୍ଷା ଦେଇଛନ୍ତି।

ଗତ ଦେଢ଼ ବର୍ଷ ହେବ ମହାରାଷ୍ଟ୍ରରେ ମୁସଲିମ୍‌ଙ୍କ ପୂଜାସ୍ଥଳୀ ଉପରେ ଆକ୍ରମଣ ବଢ଼ି ଚାଲିଛି ଏବଂ ପ୍ରାୟତଃ ମୁଖ୍ୟ ଷଡ଼ଯନ୍ତ୍ରକାରୀମାନେ ବର୍ତ୍ତି ଯାଉଛନ୍ତି। କେବଳ ପୁଲିସର ନିଷ୍କ୍ରିୟତା ଏବଂ ବହୁସଂଖ୍ୟକଙ୍କ ନିରବତା କାରଣରୁ ଏପରି ହେଉଛି।

୨୦୧୯ ରାଜ୍ୟ ନିର୍ବାଚନ ପରେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ, ଭାରତର ସବୁଠୁ ଧନୀ ରାଜ୍ୟ ଉପରେ ତିନୋଟି ରାଜନୈତିକ ଦଳ - ଶିବ ସେନା, କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀ ମେଣ୍ଟ ଶାସନ କରିଥିଲା, ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିଲେ।

ତେବେ ଜୁନ୍‌ ୨୦୨୨ରେ ଭାରତୀୟ ଜନତା ପାର୍ଟୀ (ବିଜେପି) ଶିବସେନାର ୪୦ ବିଧାୟକଙ୍କୁ ଅଲଗା କରି ନେବା ସହିତ ମେଣ୍ଟ ସରକାରକୁ କ୍ଷମତାଚ୍ୟୁତ କରି ସରକାର ଗଠନ କରିବା ପରେ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ସେବେଠାରୁ କଠୋରପନ୍ଥୀ ହିନ୍ଦୁ ଗୋଷ୍ଠୀ ଏକ ସଙ୍ଗେ ଆସୁଛନ୍ତି ଏବଂ ସାରା ରାଜ୍ୟରେ ବହୁସଂଖ୍ୟକ ଜନସଭାକୁ ସମ୍ବୋଧିତ କରିଛନ୍ତି, ଯେଉଁଥିରେ ମୁସଲମାନଙ୍କ ବିନାଶ ସହିତ ସେମାନଙ୍କ ଆର୍ଥିକ ବହିଷ୍କାର ପାଇଁ ଆହ୍ୱାନ ଦିଆଯାଉଛି । ରାଜ୍ୟରେ ପରିବେଶ ଖରାପ କରିବା ଲାଗି ଏହା ଏକ ଦୃଢ଼ ପ୍ରୟାସ ଏବଂ ମୁସଲମାନଙ୍କ ଧାର୍ମିକ ପୀଠ ଉପରେ ଆକ୍ରମଣ ଏହାର ଏକ ଅଂଶବିଶେଷ।

PHOTO • Parth M.N.
PHOTO • Parth M.N.

ବାମ : ସ୍କୁଲ ପିଲାମାନେ ଦରଘା ସାମ୍ନାରେ ନଇଁ ପଡ଼ିଥିବା ଗଛ ତଳେ ବସି ନିଜର ହୋମ୍‌ୱାର୍କ କରିଥାନ୍ତି । ଯୁବକ ଓ ଯୁବତୀମାନେ ପ୍ରବେଶ ଦ୍ୱାରରେ ପ୍ରତିଯୋଗିତାମୂଳକ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି। ଡାହାଣ : ଯାଧବ ନିଜ ସ୍କୁଟିରେ ସବାର୍‌ ହୋଇ ଦରଘା ପର୍ଯ୍ୟନ୍ତ ଯାଉଛନ୍ତି । ସେ କୁହନ୍ତି, ‘ଗାଁରେ ଅନେକ ଧର୍ମସ୍ଥଳୀ ଅଛି ଯାହା ସ୍ୱାଧୀନତା ପୂର୍ବରୁ ରହିଛି । ଆମେ ସେଗୁଡ଼ିକୁ ସଂରକ୍ଷିତ କରିବା ଲାଗି ଚାହୁଁଛୁ’

ସାତାରାରେ ରହୁଥିବା ଜଣେ ସାମାଜିକ କର୍ମୀ ମିନାଜ୍‌ ସୈୟଦ କୁହନ୍ତି, ଏହି ଧ୍ରୁବୀକରଣ ଯୋଜନା ଅନେକ ଦିନରୁ ଚାଲି ଆସିଥିଲା, କିନ୍ତୁ ୨୦୨୨ ପରେ ଏହାର ତୀବ୍ରତା ବୃଦ୍ଧି ପାଇଛି । ‘‘ଦରଘା ଓ ସମାଧୀ ଭଳି ସ୍ମାରକ, ଯାହାକୁ ଗାଁରେ ହିନ୍ଦୁ ଓ ମୁସଲିମ ଉଭୟ ପକ୍ଷ ସଂରକ୍ଷିତ ଓ ରକ୍ଷଣାବେକ୍ଷଣ କରି ଆସୁଛନ୍ତି, ସେଗୁଡ଼ିକ ଉପରେ ଆକ୍ରମଣ କରାଯାଉଛି,’’ ସେ କୁହନ୍ତି । ‘‘ଭାଇଚାରା ସଂସ୍କୃତିକୁ ଆକ୍ରମଣ କରିବା ସେମାନଙ୍କ ଉଦ୍ଦେଶ୍ୟ।’’

ଫେବୃଆରୀ ୨୦୨୩ରେ, କଠୋରପନ୍ଥୀ ହିନ୍ଦୁଙ୍କ ଏକ ଦଳ କୋହ୍ଲାପୁର ବିଶାଲଗଡ଼ ସହରରେ ଥିବା ହଜରତ ପୀର ମଲିକ ରେହାନ୍‌ ଶାହଙ୍କ ଦରଘା ଉପରେ ଏକ ରକେଟ୍‌ ନିକ୍ଷେପ କରିଥିଲା। ଏହି ଘଟଣା ପୁଲିସ ଉପସ୍ଥିତିରେ ହୋଇଥିଲା।

ସେପ୍ଟେମ୍ବର ୨୦୨୩ରେ, କୌଣସି ପ୍ରମାଣ ନଥାଇ ହ୍ୱାଟ୍ସଆପ୍‌ରେ ଭାଇରାଲ୍‌ ହୋଇଥିବା ସ୍କ୍ରିନସଟ୍‌ ର ପ୍ରତିଶୋଧ ନେବା ଲାଗି ବିଜେପି ନେତା ବିକ୍ରମ ପାୱସକରଙ୍କ ଏକ ନେତୃତ୍ୱାଧୀନ କଠୋରପନ୍ଥୀ ଦଳ ହିନ୍ଦୁ ଏକତାର ସଦସ୍ୟମାନେ ସାତାରାର ପୁସେସାୱଳୀ ଗ୍ରାମରେ ଥିବା ଏକ ମସଜିଦ୍‌ ଉପରେ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଭିତରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରାର୍ଥନା କରୁଥିବା ପ୍ରାୟ ୧୦-୧୨ ଜଣ ମୁସଲିମ୍‌ଙ୍କୁ ଟାଇଲ୍‌, ବାଡ଼ି ଓ ଲୁହା ରଡ଼୍‌ରେ ଆକ୍ରମଣ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ପଢ଼ନ୍ତୁ : ପୁସେସାୱଳିରେ ଜୀବନକୁ ବରବାଦ୍‌ କରୁଛି ସାମ୍ପ୍ରଦାୟିକ ହିଂସା

ଡିସେମ୍ବର ୨୦୨୩ରେ, ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା କରିବା ଲାଗି କାର୍ଯ୍ୟ କରୁଥିବା ଏକ ଦଳ ସଲୋଖା ସମ୍ପର୍କ ଗଟ୍‌ ଦ୍ୱାରା ପ୍ରକାଶିତ ଏକ ପୁସ୍ତକରେ କେବଳ ସାତାରା ଜିଲ୍ଲାରେ ମୁସଲିମଙ୍କ ପୂଜାସ୍ଥଳୀ ଉପରେ ଏଭଳି ୧୩ଟି ଆକ୍ରମଣ ହୋଇଥିବା ନେଇ ପ୍ରକାଶ ପାଇଥିଲା। କବର୍‌ ନଷ୍ଟ କରିବାଠାରୁ ଆରମ୍ଭ କରି ମସଜିଦ୍‌ ଉପରେ ତ୍ରିରଙ୍ଗା ପତାକା ଉଡ଼ାଇବା ପର୍ଯ୍ୟନ୍ତ, ଏସବୁ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଭେଦଭାବ ଆହୁରି ଅଧିକ ବଢ଼ିଯାଇଥିଲା।

୨୦୨୨ରେ କେବଳ ଗୋଟିଏ ବର୍ଷରେ, ମହାରାଷ୍ଟ୍ରରେ ୮,୨୧୮ଟି ଦଙ୍ଗା ହୋଇଥିବା ରେକର୍ଡ ହୋଇଥିବା ବେଳେ ଏହାଦ୍ୱାରା ୯,୫୦୦ ନାଗରିକ ପ୍ରଭାବିତ ହୋଇଥିବା ଉକ୍ତ ପୁସ୍ତକରେ ପ୍ରକାଶ ପାଇଥିଲା। ଗୋଟିଏ ବର୍ଷରେ ଦୈନିକ ହାରାହାରୀ ୨୩ଟି ଦଙ୍ଗା ହେବା ଉଦବେଗର ବିଷୟ।

PHOTO • Parth M.N.
PHOTO • Parth M.N.

ବାମ : ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା କରିବା ଲାଗି କାର୍ଯ୍ୟ କରୁଥିବା ଏକ ଦଳ ସଲୋଖା ସମ୍ପର୍କ ଗଟ୍‌ ଦ୍ୱାରା ପ୍ରକାଶିତ ଏକ ପୁସ୍ତକରେ କେବଳ ସାତାରା ଜିଲ୍ଲାରେ ମୁସଲିମଙ୍କ ପୂଜାସ୍ଥଳୀ ଉପରେ ଏଭଳି ୧୩ଟି ଆକ୍ରମଣ ହୋଇଥିବା ନେଇ ପ୍ରକାଶ ପାଇଥିଲା। ୨୦୨୨ରେ କେବଳ ଗୋଟିଏ ବର୍ଷରେ, ମହାରାଷ୍ଟ୍ରରେ ୮,୨୧୮ଟି ଦଙ୍ଗା ହୋଇଥିବା ରେକର୍ଡ ହୋଇଥିବା ବେଳେ ଏହାଦ୍ୱାରା ୯,୫୦୦ ନାଗରିକ ପ୍ରଭାବିତ ହୋଇଥିବା ଉକ୍ତ ପୁସ୍ତକରେ ପ୍ରକାଶ ପାଇଥିଲା।  ମାଲଗାଁଓରେ ଥିବା ପୀଠକୁ ଉଭୟ ହିନ୍ଦୁ ଓ ମୁସଲିମ ରକ୍ଷଣାବେକ୍ଷଣ କରୁଥିବା ବେଳେ ଏହା ସାମ୍ପ୍ରଦାୟିକ ସଦ୍‌ଭାବର ପ୍ରତୀକ ପାଲଟିଛି

ଜୁନ୍‌ ୨୦୨୩ର ଦିନେ ସକାଳେ ୫୩ ବର୍ଷୀୟ ଶାମସୁଦ୍ଦିନ୍‌ ସୈୟଦ ନିଜ ଗାଁ ସାତାରା ଜିଲ୍ଲାର କୋଣ୍ଡୱେରେ ଥିବା ମସଜିଦ୍‌ରେ ପହଞ୍ଚିବା ପରେ ତାଙ୍କର ହୃତସ୍ପନ୍ଦନ ବଢ଼ିଯାଇଥିଲା। ମସଜିଦର ମୀନାର୍‌ ଉପରେ କଳା ରଙ୍ଗରେ ‘ଜୟ ଶ୍ରୀ ରାମ’ ଲେଖାଯାଇଥିବା ଗୈରିକ ରଙ୍ଗର ଏକ ପତାକା ଦର୍ପର ସହିତ ଉଡ଼ୁଥିଲା, ଏହା ଦେଖି ସୈୟଦ ଡରିଯାଇଥିଲେ। ସେ ତୁରନ୍ତ ପୁଲିସକୁ ଡାକି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଅନୁରୋଧ କଲେ। କିନ୍ତୁ ପୁଲିସ ଯେତେବେଳେ ଏକ ସଂକୀର୍ଣ୍ଣ ଗଳିରେ ଛିଡ଼ା ହୋଇ ମସଜିଦ୍‌ ଉପରୁ ପତାକା ବାହାର କରାଯାଉଥିବା ଦୃଶ୍ୟ ଦେଖୁଥିଲା, ସେତେବେଳେ ମଧ୍ୟ ସୈୟଦ ଆସନ୍ନ ଆଇନ ଶୃଙ୍ଖଳା ସଂକଟ ଆଶଙ୍କା କରିଥିଲେ।

‘‘କିଛି ଦିନ ପୂର୍ବରୁ ଜଣେ ମୁସଲିମ୍‌ ଯୁବକ ଟିପୁ ସୁଲତାନଙ୍କ ଷ୍ଟାଟସ୍‌ ଅପଲୋଡ୍‌ କରିଥିଲା,’’ ମସଜିଦର ଟ୍ରଷ୍ଟି ସୈୟଦ କହିଥିଲେ। ‘‘ଅଷ୍ଟାଦଶ ଶତାବ୍ଦୀର ମୁସଲିମ୍‌ ଶାସକଙ୍କ ଏପରି ମହିମାମଣ୍ଡନକୁ ହିନ୍ଦୁତ୍ୱବାଦୀ ଗୋଷ୍ଠୀମାନେ ପସନ୍ଦ କରିନଥିଲେ, ସେଥିପାଇଁ ସେମାନେ ଗାଁର ମସଜିଦକୁ ଅପବିତ୍ର କରି ଏହାର ପ୍ରତିଶୋଧ ନେବାକୁ ଚାହିଁଥିଲେ।’’

ଏହି ଷ୍ଟାଟସ୍‌ ଅପଲୋଡ୍‌ କରିଥିବା ଯୁବକ ସୋହେଲ ପଠାନ୍‌ (୨୦) ତୁରନ୍ତ ଅନୁତାପ କରିଥିଲେ : ‘‘ମୁଁ ଏହା କରିବା ଉଚିତ୍‌ ନଥିଲା,’’ ସେ କୁହନ୍ତି । ‘‘ଗୋଟିଏ ଇନଷ୍ଟାଗ୍ରାମ୍‌ ଷ୍ଟୋରୀ ପାଇଁ ମୁଁ ମୋ ପରିବାରକୁ ବିପଦରେ ପକାଇଦେଲି।’’

ଏହି ପୋଷ୍ଟ କରିବାର କିଛି ଘଣ୍ଟା ପରେ କଠୋରପନ୍ଥୀ ହିନ୍ଦୁଙ୍କର ଏକ ଦଳ ତାଙ୍କର ଅଳ୍ପ ଆଲୋକିତ, ଗୋଟିଏ ବଖୁରିକିଆ କୁଡ଼ିଆରେ ଆସି ପହଞ୍ଚିଥିଲେ ଏବଂ ତାଙ୍କ ଗାଲରେ ଚାପୁଡ଼ା ମାରିଥିଲେ। ‘‘ଆମେ କୌଣସି ଜବାବ ଦେଲୁ ନାହିଁ କାରଣ ଏହାଦ୍ୱାରା ପରିସ୍ଥିତି ଖରାପ ହୋଇଥାନ୍ତା,’’ ସୋହେଲ୍‌ କୁହନ୍ତି। ‘‘କିନ୍ତୁ ଏହା କେବଳ ଗୋଟିଏ ଇନଷ୍ଟାଗ୍ରାମ୍‌ ଷ୍ଟୋରୀ ଥିଲା। ମୁସଲିମଙ୍କ ଉପରେ ଆକ୍ରମଣ କରିବା ଲାଗି ସେମାନଙ୍କୁ କେବଳ ଏକ କାରଣ ଦରକାର।’’

ଯେଉଁ ରାତିରେ ତାଙ୍କୁ ମାଡ଼ ମରାଯାଇଥିଲା, ପୁଲିସ ତୁରନ୍ତ ହସ୍ତକ୍ଷେପ କଲା ଏବଂ ସୋହେଲଙ୍କ ବିରୋଧରେ ଏକ ମାମଲା ଦାୟର କଲା। ତାଙ୍କୁ ରାତି ସାରା ଥାନାରେ ବିତାଇବାକୁ ପଡ଼ିଲା। ତାଙ୍କ ମାମଲା ଏବେ ଜିଲ୍ଲା ଅଦାଲତରେ ବିଚାରାଧୀନ ଅଛି ଏବଂ ତାଙ୍କ ବିରୋଧରେ ଧାର୍ମିକ ବିଦ୍ୱେଷ ସୃଷ୍ଟି କରିବାର ଅଭିଯୋଗ ରହିଛି । ତାଙ୍କୁ ମାଡ଼ ମାରିଥିବା ଲୋକମାନେ ଖୋଲାରେ ବୁଲୁଛନ୍ତି ।

ସୋହେଲଙ୍କ ମା’ ଶେହନାଜ୍‌ (୪୬) କୁହନ୍ତି, ସେମାନଙ୍କ ପରିବାର ଅନେକ ପିଢ଼ି ଧରି ସାତାରାରେ ରହି ଆସୁଛି କିନ୍ତୁ କେବେହେଲେ ସେମାନଙ୍କର ସାମାଜିକ ଗଣମାଧ୍ୟମ କାର୍ଯ୍ୟକଳାପ ଲାଗି ସେମାନଙ୍କୁ ଏଭଳି ଶତ୍ରୁତା କିମ୍ବା ନିରୀକ୍ଷଣର ସାମ୍ନା କରିବାକୁ ପଡ଼ିନଥିଲା। ‘‘ମୋର ବାପା-ମା’ ଓ ଜେଜେବାପା ଜେଜେ ମା’ ବିଭାଜନ ସମୟରେ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ କାରଣ ଆମେ ଏକ ଧର୍ମନିରପେକ୍ଷ ସମ୍ବିଧାନରେ ବିଶ୍ୱାସ କରୁଥିଲୁ,’’ ସେ କୁହନ୍ତି । ‘‘ଏହା ମୋ ମାଟି, ଏହା ମୋ ଗାଁ, ମୋ ଘର। କିନ୍ତୁ ମୁଁ ମୋ ପିଲାମାନେ କାମରେ ବାହାରକୁ ଗଲେ ମୋତେ ଭୟଭୀତ ଜୀବନ ବିତାଇବାକୁ ପଡ଼ୁଛି ।

PHOTO • Parth M.N.

ସାତାରାର କୋଣ୍ଡୱେ ଗ୍ରାମରେ ରହୁଥିବା ସୋହେଲ ପଠାନ୍‌ ନିଜର ସାମାଜିକ ଗଣମାଧ୍ୟମ ଏକାଉଣ୍ଟରେ ଟୀପୁ ସୁଲତାନକୁ ନେଇ ଗୋଟିଏ ଷ୍ଟାଟସ୍‌ ଅପଲୋଡ୍‌ କରି ଦେଇଥିଲେ ଏହାପରେ ତାଙ୍କ ଗାଁ ମସଜିଦ୍‌ରେ ଭଙ୍ଗାରୁଜା କରାଯାଇଥିଲା ଏବଂ ସେମାନଙ୍କ ଘର ଉପରେ ଆକ୍ରମଣ ହୋଇଥିଲା

ସୋହେଲ ଗୋଟିଏ ଗ୍ୟାରେଜ୍‌ରେ କାମ କରନ୍ତି ଏବଂ ତାଙ୍କ ଭାଇ ଅଫତାବ୍‌ (୨୪) ଜଣେ ୱେଲ୍ଡିଂ କାମ କରନ୍ତି। ପରିବାରରେ କେବଳ ଏହି ଦୁଇ ଜଣ ରୋଜଗାରିଆ ସଦସ୍ୟ ମାସିକ ପ୍ରାୟ ୧୫,୦୦୦ ଟଙ୍କା ଆୟ କରିଥା’ନ୍ତି। ସୋହେଲଙ୍କ ବିରୋଧରେ ଏହି ସାଧାରଣ ମାମଲା କାରଣରୁ ତାଙ୍କୁ ଜାମିନ୍‌ ବ୍ୟବସ୍ଥା କରିବା ଏବଂ ଓକିଲଙ୍କ ପାଉଣା ଦେବା ଲାଗି ଦୁଇ ମାସର ରୋଜଗାର ହରାଇବାକୁ ପଡ଼ିଥିଲା। ‘‘ଆମେ କେମିତି ବଞ୍ଚୁଛୁ, ଆପଣ ଦେଖିପାରୁଥିବେ,’’ ଶେହନାଜ ନିଜର ଛୋଟିଆ ଘର ଆଡ଼କୁ ଇସାରା କରି କୁହନ୍ତି। ଘର ଭିତରେ ଅଫତାବଙ୍କ ୱେଲ୍ଡିଂ ମେସିନ୍‌ କାନ୍ଥକୁ ଲାଗି ପଡ଼ି ରହିଛି, ଯାହା ଉପରୁ ରଙ୍ଗ ଛାଡ଼ି ଯାଇଛି। ‘‘ଆମେ ନ୍ୟାୟିକ ମାମଲାରେ ଟଙ୍କା ଖର୍ଚ୍ଚ କରିପାରିବୁ ନାହିଁ । ଗୋଟିଏ ଭଲ କଥା ହେଉଛି ଗାଁର ଶାନ୍ତି କମିଟି ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରି ଦେଇଥିଲା।’’

ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ତଥା ଚାଷୀ ମଧୁକର ନିମ୍ବାଳକର (୭୧) କୁହନ୍ତି, ୨୦୧୪ରେ କମିଟି ଗଠନ ହେବା ପରେ ଆମେ ପ୍ରଥମ ଥର ପାଇଁ କୌଣସି ମାମଲାରେ ହସ୍ତକ୍ଷେପ କରିଥିଲୁ। ‘‘ଗୈରିକ ପତାକା ଯେଉଁ ମସଜିଦ୍‌ରେ ଲାଗିଥିଲା ସେଠାରେ ଆମେ ବୈଠକ କରିଥିଲୁ,’’ ସେ କୁହନ୍ତି। ‘‘ପରିସ୍ଥିତିକୁ ଅଧିକ ଅଧିକ ଖରାପ ନକରିବା ଲାଗି ଉଭୟ ସମ୍ପ୍ରଦାୟ ସଂକଳ୍ପ ନେଇଥିଲେ।’’

ନିମ୍ବାଳକର କୁହନ୍ତି ଗୋଟିଏ କାରଣ ପାଇଁ ମସଜିଦ୍‌ରେ ବୈଠକ ଆୟୋଜନ କରାଯାଇଥିଲା। ‘‘ଏହା ସାମ୍ନାରେ ଥିବା ଖୋଲାସ୍ଥାନକୁ ଅନେକ ଦିନ ଧରି ହିନ୍ଦୁମାନଙ୍କର ବିବାହ ଉତ୍ସବ ପାଇଁ ବ୍ୟବହାର କରାଯାଇଆସୁଛି,’’ ସେ କୁହନ୍ତି। ‘‘ବିଗତ ବର୍ଷଗୁଡ଼ିକରେ ଆମେ କେମିତି ରହି ଆସୁଥିଲୁ ତାହା ଲୋକମାନଙ୍କୁ ସ୍ମରଣ କରାଇ ଦେବା ଆମର ଉଦ୍ଦେଶ୍ୟ ଥିଲା।’’

*****

୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟାରେ ରାମ ଲଲ୍ଲା ମନ୍ଦିର ଉଦଘାଟିତ ହୋଇଥିଲା। ନଭେମ୍ବର ୨୦୧୯ରେ ଜାରି ହୋଇଥିବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ସର୍ବସମ୍ମତ ଆଦେଶରେ ଅଯୋଧ୍ୟାରେ ବିବାଦୀୟ ଭୂମିକୁ ମନ୍ଦିର ନିର୍ମାଣ ପାଇଁ ଅର୍ପଣ କରାଯାଇଥିଲା। ଏହାକୁ ବାବରୀ ମସଜିଦ ସ୍ଥାନରେ ନିର୍ମାଣ କରାଯାଇଛି ଯାହାକୁ ଚାରି ଦଶନ୍ଧି ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦର ନେତୃତ୍ୱରେ କଠୋରପନ୍ଥୀ ହିନ୍ଦୁଙ୍କ ସମୂହ ଭାଙ୍ଗି ଦେଇଥିଲା।

ସେବେଠାରୁ ବାବରୀ ମସଜିଦ୍‌ ବିଧ୍ୱଂସ ଭାରତରେ ଧ୍ରୁବୀକରଣର ନାରା ପାଲଟିଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ବାବରୀ ମସଜିଦ୍‌ ବିଧ୍ୱଂସକୁ ଅସାମ୍ବିଧାନିକ କହିଥିଲେ, କିନ୍ତୁ ମନ୍ଦିର ନିର୍ମାଣ ପାଇଁ ଜମି ଦେବାକୁ ସେମାନଙ୍କର ଆଦେଶ ଅପରାଧୀଙ୍କୁ ପୁରସ୍କୃତ ଓ ପ୍ରୋତ୍ସାହିତ କରିଛି। ପର୍ଯ୍ୟବେକ୍ଷକମାନେ କୁହନ୍ତି ଯେ ଏହି ନିଷ୍ପତ୍ତି କଠୋରପନ୍ଥୀ ଗୋଷ୍ଠୀଙ୍କୁ ଗଣମାଧ୍ୟମର ଚର୍ଚ୍ଚାଠାରୁ ଦୂରରେ ରହିଥିବା ଗାଁରେ ମୁସଲମାନଙ୍କ ପୂଜାସ୍ଥଳୀ ଉପରେ ଆକ୍ରମଣ କରିବାର ଶକ୍ତି ଦେଇଥିଲା।

PHOTO • Parth M.N.
PHOTO • Parth M.N.

ନସୀମ୍‌ ଙ୍କ ହାତରେ ନିଜ ପୁଅର ଫଟୋ ରହିଛି ଯିଏକି ୨୦୨୩ରେ ଭିଡ଼ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ। ବର୍ଦ୍ଧନଗଡ଼ରେ ଧାର୍ମିକ ବହୁଳତାବାଦର ସମୃଦ୍ଧି ଇତିହାସ ରହିଛି ଯେଉଁଠି ନସୀମ ନିଜ ପରିବାର ସହିତ ରହୁଛନ୍ତି

ମିନାଜ୍‌ ସୈୟଦ କୁହନ୍ତି ୧୯୪୭ରେ ସ୍ୱାଧୀନତା ସଂଗ୍ରାମ ସମୟରେ ସବୁ ସମ୍ପ୍ରଦାୟ ଧାର୍ମିକ ସ୍ଥଳୀଗୁଡ଼ିକୁ ଯଥାସ୍ଥିତି ସ୍ୱୀକାର କରି ନେଇଥିଲେ। ସେ କୁହନ୍ତି, ‘‘ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଏହି ସ୍ଥିତିକୁ ବଦଳାଇ ଦେଲା। କାରଣ ଏହା ବାବରୀରେ ଅଟକି ରହିଲା ନାହିଁ । ହିନ୍ଦୁ ସମ୍ପ୍ରଦାୟ ଏବେ ଅନ୍ୟ ମସଜିଦ୍‌ ପଛରେ ମଧ୍ୟ ପଡ଼ିଯାଇଛନ୍ତି।

ସାତାରା ବର୍ଦ୍ଧନଗଡ଼ ଗ୍ରାମର ଜଣେ ଦରଜି ହୁସୈନ ଶିକଲଗର (୬୯) ଏକ ସ୍ପଷ୍ଟ ପିଢ଼ିଗତ ବିଭାଜନ ଦେଖୁଛନ୍ତି କାରଣ ତାଙ୍କ ଗାଁ, ଜିଲ୍ଲା ଓ ରାଜ୍ୟ ଏକ ପ୍ରତିକୂଳ ସମୟ ଆଡ଼କୁ ଆଗକୁ ବଢ଼ୁଛି । ‘‘ଯୁବପିଢ଼ିଙ୍କର ସମ୍ପୂର୍ଣ୍ଣ ଭାବେ ବ୍ରେନ୍‌ୱାଶ୍‌ କରାଇ ଦିଆଯାଇଛି,’’ ସେ କୁହନ୍ତି । ‘‘ମୋ ବୟସର ଲୋକମାନେ ପୁରୁଣା ଦିନ କଥା ମନେ ପକାଉଛନ୍ତି। ବାବ୍ରୀ ମସଜିଦ୍‌ ଭଙ୍ଗା ଯିବା ପରେ ମୁଁ ଧ୍ରୁବୀକରଣ ଦେଖି ଆସିଛି। ଆଜି ଆମେ ଯେମିତି ଉତ୍ତେଜନା ଦେଖୁଛୁ ତାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ମୁଁ ୧୯୯୨ରେ ଏ ଗାଁର ସରପଞ୍ଚ ନିର୍ବାଚିତ ହୋଇଥିଲି। ଆଜି, ମୁଁ ଦୁଇ ନମ୍ବର ଶ୍ରେଣୀର ନାଗରିକ ଭଳି ଅନୁଭବ କରୁଛି ।’’

ଶିକଲଗରଙ୍କ ମନ୍ତବ୍ୟ ଅତ୍ୟନ୍ତ ଉଦବେଗଜନକ କାରଣ ତାଙ୍କ ଗାଁ ଅନେକ ବର୍ଷ ଧରି ଧାର୍ମିକ ବହୁଳତାବାଦକୁ ଗ୍ରହଣ କରିଆସିଛି । ବର୍ଦ୍ଧନଗଡ଼ ଦୁର୍ଗ ପାଦଦେଶରେ ଥିବା ଏହି ଗ୍ରାମକୁ ସାରା ମହାରାଷ୍ଟ୍ରରୁ ପର୍ଯ୍ୟଟକମାନେ ଆସନ୍ତି। ଗାଁର ଏକ ପାହାଡ଼ିଆ ବନାଞ୍ଚଳରେ ପାଞ୍ଚଟି କବର୍‌ ଓ ମନ୍ଦିର ରହିଛି ଯାହାକି ପରସ୍ପରର ନିକଟବର୍ତ୍ତୀ ସ୍ଥାନରେ ରହିଛି, ଯେଉଁଠି ହିନ୍ଦୁ ଓ ମୁସଲିମ୍‌ମାନେ ସାଥୀ ହୋଇ ପ୍ରାର୍ଥନା କରନ୍ତି । ଉଭୟ ସମ୍ପ୍ରଦାୟ ମିଳିମିଶି ଏହି ସ୍ଥାନର ରକ୍ଷଣାବେକ୍ଷଣ କରିଛନ୍ତି ବା ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଏହା କରିଥିଲେ।

ଜୁନ୍‌ ୨୦୨୩ରେ ‘‘ଅଜ୍ଞାତ ଲୋକମାନେ’’ ମୁସଲମାନମାନେ ନିୟମିତ ଉପାସନା କରୁଥିବା ପୀର୍‌ ଦା-ଉଲ୍‌ ମଲିକଙ୍କ କବରକୁ ଭାଙ୍ଗି ଦେବା ପରଠାରୁ ଗାଁରେ ଚାରିଟି ସ୍ମାରକୀ ରହିଛି। ପରବର୍ତ୍ତୀ ମାସରେ, ବନ ବିଭାଗ ଏହାକୁ ବେଆଇନ ନିର୍ମାଣ ବୋଲି ଦର୍ଶାଇ ସମାଧି ସ୍ଥଳକୁ ସମ୍ପୂର୍ଣ୍ଣ ଭାବେ ସମତଳ କରି ଦେଇଥିଲା। ପାଞ୍ଚଟି ମଧ୍ୟରୁ ଏହି ଗୋଟିଏ କବରକୁ କାହିଁକି ଭାଙ୍ଗି ଦିଆଗଲା ତା’କୁ ନେଇ ମୁସଲମାନେ ଚକିତ ହୋଇଥା’ନ୍ତି।

PHOTO • Courtesy: Residents of Vardhangad

ଭଙ୍ଗାଯିବା ପୂର୍ବରୁ ବର୍ଦ୍ଧନଗଡ଼ର କବର । କେବଳ ସେମାନଙ୍କର ସ୍ମାରକୀକୁ କାହିଁକି ଜବରଦଖଲ ବୋଲି ଚୟନ କରାଗଲା ବୋଲି ଗାଁର ମୁସଲିମ୍‌ ନିବାସୀମାନେ ପ୍ରଶ୍ନ କରିଥା’ନ୍ତି

‘‘ଗାଁର ମୁସଲିମ୍‌ ମାନଙ୍କୁ ଉତ୍ତେଜିତ କରିବା ଲାଗି ଏହା ଏକ ପ୍ରୟାସ ଥିଲା,’’ ବର୍ଦ୍ଧନଗଡ଼ର ଜଣେ ଛାତ୍ର ଓ ବାସିନ୍ଦା ମହମ୍ମଦ ସାଦ୍‌ (୨୧) କୁହନ୍ତି । ‘‘ଏହି ସମୟରେ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ନେଇ ମୋତେ ଟାର୍ଗେଟ୍‌ କରାଗଲା।’’

ସାଦ୍‌ ଙ୍କର ସମ୍ପର୍କୀୟ ଭାଇ ଏଠାରୁ କିଛି ଘଣ୍ଟା ଦୂର ପୁଣେରେ ରୁହନ୍ତି । ସେ ସପ୍ତଦଶ ଶତାବ୍ଦୀର ଶାସକ ଔରଙ୍ଗଜେବ ଉପରେ ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟ୍‌ କରିଥିଲେ। ଏହି ପୋଷ୍ଟ ଦ୍ୱାରା ଅପମାନିତ ଅନୁଭବ କରି, ହିନ୍ଦୁତ୍ୱ ଗୋଷ୍ଠୀର ସଦସ୍ୟମାନେ ସେହିଦିନ ରାତିରେ ସାଦ୍‌ଙ୍କ ଘର ପାଖରେ ପହଞ୍ଚି ତାଙ୍କୁ ବାହାରକୁ ଟାଣି ଆଣିଥିଲେ । ଏହାପରେ ତାଙ୍କୁ ‘‘ ଔରଙ୍ଗଜେବ୍‌ କି ଔଲାଦ୍‌ (ଔରଙ୍ଗଜେବର ପୁଅ)’’ ବୋଲି କହି ଲୁହା ଛଡ଼ ଓ ହକି ଷ୍ଟିକ୍‌ରେ ପିଟିବା ଆରମ୍ଭ କରି ଦେଇଥିଲେ ।

‘‘ବିଳମ୍ବିତ ରାତିର ସମୟ ଥିଲା ଏବଂ ମୋର ସହଜରେ ମୃତ୍ୟୁ ହୋଇଥା’ନ୍ତା,’’ ସାଦ୍‌ କୁହନ୍ତି । ‘‘ସୌଭାଗ୍ୟବଶତଃ ସେହି ସମୟରେ ଉକ୍ତ ସ୍ଥାନ ଦେଇ ଗୋଟିଏ ପୁଲିସ ଗାଡ଼ି ଗଲା। ଗାଡ଼ିକୁ ଦେଖି ଭିଡ଼ ପଳାୟନ କରିଥିଲା।’’

ସାଦ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା, ତାଙ୍କର ଗୋଡ଼ ଓ ଗାଲ ହାଡ଼ ଭାଙ୍ଗି ଯାଇଥିଲା; କିଛିଦିନ ପର୍ଯ୍ୟନ୍ତ ତାଙ୍କର ରକ୍ତ ବାନ୍ତି ହୋଇଥିଲା। ପରବର୍ତ୍ତୀ ୧୫ ଦିନ ସେ ଡାକ୍ତରଖାନାରେ ବିତାଇଥିଲେ। ଆଜି ମଧ୍ୟ, ସେ ଏକାକୀ କୁଆଡ଼େ ଯିବାକୁ ସକ୍ଷମ ନୁହନ୍ତି । ‘‘ପୁଣିଥରେ ମୋ ଉପରେ ଆକ୍ରମଣ ହୋଇପାରେ ବୋଲି ଡର ରହୁଛି,’’ ସେ ସ୍ୱୀକାର କରିଥାନ୍ତି। ‘‘ମୁଁ ପାଠ ପଢ଼ାରେ ମନ ଲଗାଇ ପାରୁନାହିଁ।’’

ସାଦ୍‌ କମ୍ପ୍ୟୁଟର୍‌ ସାଇନ୍ସରେ ସ୍ନାତକ ଡିଗ୍ରୀ ଅଧ୍ୟୟନ କରୁଛନ୍ତି । ସେ ଜଣେ ମେଧାବୀ ଓ ଶୃଙ୍ଖଳିତ ଛାତ୍ର। ଦ୍ୱାଦଶ ପରୀକ୍ଷାରେ ୯୩ ପ୍ରତିଶତ ନମ୍ବର ସହିତ ସେ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ଗତ କିଛି ମାସ ହେବ ତାଙ୍କ ନମ୍ବର କମିଯାଇଛି। ‘‘ଡାକ୍ତରଖାନାରେ ଭର୍ତ୍ତି ହେବାର ତିନି ଦିନ ପରେ ମୋ କକାଙ୍କର ହୃଦଘାତ ହୋଇଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା,’’ ସେ କୁହନ୍ତି। ‘‘ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା, କିନ୍ତୁ ସେ ସୁସ୍ଥ ଥିଲେ। ତାଙ୍କର କୌଣସି ହୃତପିଣ୍ଡ ସମସ୍ୟା ନଥିଲା। ସ୍ପଷ୍ଟ ଭାବେ ଏହା ମାନସିକ ଚାପ ଜନିତ ହୃଦଘାତ ଥିଲା। ମୁଁ ତାଙ୍କୁ ଭୁଲି ପାରିବି ନାହିଁ ।’’

ଏହି ଘଟଣା ପରଠାରୁ ମୁସଲମାନମାନେ ଏବେ ହିନ୍ଦୁଙ୍କ ସହିତ ମିଳାମିଶା ବନ୍ଦ କରି ଦେଇଛନ୍ତି। ଏହା ଗାଁର ଛବି ବଦଳାଇ ଦେଇଛି । ପୁରୁଣା ବନ୍ଧୁତା ତୁଟି ଯାଇଛି, ସମ୍ପର୍କ ଭାଙ୍ଗି ଯାଇଛି ।

PHOTO • Parth M.N.
PHOTO • Parth M.N.

ବାମ : ‘‘ଗାଁର ମୁସଲିମ୍‌ ମାନଙ୍କୁ ଉତ୍ତେଜିତ କରିବା ଲାଗି ଏହା ଏକ ପ୍ରୟାସ ଥିଲା,’’ ବର୍ଦ୍ଧନଗଡ଼ର ଜଣେ ଛାତ୍ର ଓ ବାସିନ୍ଦା ମହମ୍ମଦ ସାଦ୍‌(୨୧) କୁହନ୍ତି । ଡାହାଣ : ବର୍ଦ୍ଧନଗଡ଼ର ଜଣେ ଦରଜି ହୁସୈନ ଶିକଲଗର କୁହନ୍ତି, ମୁଁ ଜୀବନସାରା ଗାଁର ସମସ୍ତଙ୍କ ପାଇଁ ପୋଷାକ ସିଲେଇ କରିଛି। ଗତ କିଛି ବର୍ଷ ହେବ ମୋର ହିନ୍ଦୁ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ବିଦ୍ୱେଷ କିମ୍ବା ସାଥୀମାନଙ୍କର ଚାପ କାରଣରୁ ହୋଇଛି ତାହା ମୁଁ ଜାଣେ ନାହିଁ’

ଶିକଲଗର୍‌ କୁହନ୍ତି କେବଳ ଏହି ଦୁଇଟି ମାମଲା ନୁହେଁ । ଦୈନନ୍ଦିନ ଜୀବନର ଘଟଣାରୁ ମଧ୍ୟ ବିଭେଦ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ।

‘‘ମୁଁ ଜଣେ ଦରଜି,’’ ସେ କୁହନ୍ତି । ‘‘ମୁଁ ଜୀବନସାରା ଗାଁର ସମସ୍ତଙ୍କ ପାଇଁ ପୋଷାକ ସିଲେଇ କରିଛି। ଗତ କିଛି ବର୍ଷ ହେବ ମୋର ହିନ୍ଦୁ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ବିଦ୍ୱେଷ କିମ୍ବା ସାଥୀମାନଙ୍କର ଚାପ କାରଣରୁ ହୋଇଛି ତାହା ମୁଁ ଜାଣେ ନାହିଁ।’’

ଭାଷା ମଧ୍ୟ ବଦଳି ଯାଇଛି ବୋଲି ସେ କୁହନ୍ତି । ମୁସଲିମ୍‌ଙ୍କୁ ଗାଳି ଦେବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଶବ୍ଦ ବିଷୟରେ ଉଲ୍ଲେଖ କରି ସେ କୁହନ୍ତି, ‘‘ଦୀର୍ଘ ଦିନ ହେବ ମୁଁ ‘ଲାଣ୍ଡ୍ୟା’ ଶବ୍ଦ ଶୁଣିନଥିଲି। ବର୍ତ୍ତମାନ ଆମେ ପ୍ରାୟତଃ ଏହି ଶବ୍ଦ ଶୁଣୁଛୁ। ହିନ୍ଦୁ ଓ ମୁସଲିମମାନେ ପରସ୍ପର ସହ ଆଖି ମିଶେଇ ପାରୁନାହାନ୍ତି ।’’

ସାତାରା ଜିଲ୍ଲା ପଶ୍ଚିମ ମହାରାଷ୍ଟ୍ର କ୍ଷେତ୍ର ଅଧୀନରେ ଆସିଥାଏ, ଏହି ଅଞ୍ଚଳରେ କେବଳ ବର୍ଦ୍ଧନଗଡ଼ରେ ଏଭଳି ସ୍ଥିତି ଦେଖିବାକୁ ମିଳିନାହିଁ । ସାମ୍ପ୍ରଦାୟିକ ଉତ୍ତେଜନା ଅଧିକାଂଶ ଗାଁକୁ ଧର୍ମ ଆଧାରରେ ବିଭାଜିତ କରି ଦେଇଛି, ଯାହାଫଳରେ ଗ୍ରାମାଞ୍ଚଳରେ ପର୍ବପର୍ବାଣୀ ଏବଂ ବିବାହ ସମାରୋହର ଚେହେରା ବଦଳି ଯାଇଛି ।

ଶିଖଲଗର କୁହନ୍ତି ଯେ ସେ ବର୍ଦ୍ଧନଗଡ଼ରେ ହିନ୍ଦୁମାନଙ୍କ ଗଣେଶ ଉତ୍ସବ ଆୟୋଜନରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିଲେ, ଅନ୍ୟପଟେ ସୁଫି ସନ୍ଥ ମୋଇନୁଦ୍ଦିନ ଚିସ୍ତିଙ୍କ ଜନ୍ମ ବାର୍ଷିକୀକୁ ପାଳନ କରିବା ଲାଗି ଆୟୋଜିତ ହେଉଥିବା ବାର୍ଷିକ ଉର୍ସ ଉତ୍ସବରେ ବହୁସଂଖ୍ୟାରେ ହିନ୍ଦୁମାନେ ଅଂଶଗ୍ରହଣ କରୁଥିଲେ। ଗାଁରେ ଗୋଟିଏ ବାହାଘର ହେଲେ ଉଭୟ ସମ୍ପ୍ରଦାୟର ଲୋକମାନେ ସାମିଲ ହେଉଥିଲା। ‘‘ଏମିତି ଏକ ସମୟ ଥିଲା ମସଜିଦ୍‌ ପାଖ ଦେଇ ଯିବା ବେଳେ ରାମ ନବମୀ ଶୋଭାଯାତ୍ରା ସଙ୍ଗୀତ ସମ୍ମାନପୂର୍ବକ ବନ୍ଦ ହୋଇଯାଉଥିଲା। ଏବେ ଆମକୁ ସମସ୍ୟାରେ ପକାଇବା ଲାଗି ଏହାକୁ ଉଚ୍ଚ ସ୍ୱରରେ ବଜା ହେଉଛି ।

ତଥାପି ଉଭୟ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ବର୍ଗ ବିଶ୍ୱାସ କରନ୍ତି ଯେ ଏବେ ବି ସବୁକିଛି ଶେଷ ହୋଇଯାଇନାହିଁ। ଧାର୍ମିକ ବିଦ୍ୱେଷ ସୃଷ୍ଟି କରିବାକୁ ଚାହୁଁଥିବା ଭିଡ଼ ବହୁସଂଖ୍ୟକଙ୍କ ହିତକୁ ପ୍ରତିନିଧିତ୍ୱ କରୁନାହିଁ। ମାଲଗାଁଓର ଯାଧବ କୁହନ୍ତି, ‘‘ସେମାନେ ପ୍ରଭାବଶାଳୀ, ସେମାନଙ୍କୁ ସରକାରୀ ସମର୍ଥନ ମିଳୁଛି, ସେଥିପାଇଁ ସେମାନଙ୍କ ମଧ୍ୟରେ ବହୁସଂଖ୍ୟକ ଲୋକ ଥିବା ଜଣାପଡ଼ୁଛି। କିନ୍ତୁ ଅଧିକାଂଶ ଲୋକ ବିନା କୌଣସି ବିବାଦରେ ନିଜର ଜୀବନ ବିତାଇବାକୁ ଚାହୁଁଛନ୍ତି ସେଥିପାଇଁ ହିନ୍ଦୁ ମୁହଁ ଖୋଲିବାକୁ ଡରୁଛନ୍ତି । ଏହାକୁ ବଦଳାଇବାର ଆବଶ୍ୟକତା ରହିଛି।’’

ଯାଧବ ବିଶ୍ୱାସ କରନ୍ତି ଯେ, ମାଲଗାଁଓ ଯାହା କରିଛି ତାହା ସମ୍ପୂର୍ଣ୍ଣ ମହାରାଷ୍ଟ୍ର ପାଇଁ ନହେଲେ ବି ସାତାରା ଜିଲ୍ଲାର ଅବଶିଷ୍ଟ ଭାଗ ପାଇଁ ଏକ ଉଦାହରଣ ହୋଇପାରିବ । ସେ ଜୋର୍‌ ଦେଇ କହିଥିଲେ, ‘‘ହିନ୍ଦୁମାନେ ଦରଘାକୁ ବଞ୍ଚାଇବା ପାଇଁ ପଦକ୍ଷେପ ନେବା ପରେ କଠୋରପନ୍ଥୀ ତତ୍ତ୍ୱ ପଛଘୁଞ୍ଚା ଦେଇଥିଲେ। ଧାର୍ମିକ ବହୁଳତାବାଦକୁ ବଞ୍ଚାଇବାର ଦାୟିତ୍ୱ ଆମ ଉପରେ ରହିଛି, ମୁସଲମାନଙ୍କ ଉପରେ ନୁହେଁ। ଆମର ନିରବତା ଅସାମାଜିକ ତତ୍ତ୍ୱଙ୍କୁ ପ୍ରୋତ୍ସାହିତ କରିପାରେ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

پارتھ ایم این ۲۰۱۷ کے پاری فیلو اور ایک آزاد صحافی ہیں جو مختلف نیوز ویب سائٹس کے لیے رپورٹنگ کرتے ہیں۔ انہیں کرکٹ اور سفر کرنا پسند ہے۔

کے ذریعہ دیگر اسٹوریز Parth M.N.
Editor : Priti David

پریتی ڈیوڈ، پاری کی ایگزیکٹو ایڈیٹر ہیں۔ وہ جنگلات، آدیواسیوں اور معاش جیسے موضوعات پر لکھتی ہیں۔ پریتی، پاری کے ’ایجوکیشن‘ والے حصہ کی سربراہ بھی ہیں اور دیہی علاقوں کے مسائل کو کلاس روم اور نصاب تک پہنچانے کے لیے اسکولوں اور کالجوں کے ساتھ مل کر کام کرتی ہیں۔

کے ذریعہ دیگر اسٹوریز Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE