ମୁଁ ନିଜକୁ ଜଣେ ଚିତ୍ରଶିଳ୍ପୀ ବୋଲି ଭାବେ ନାହିଁ । ମୋ ପାଖରେ ଜଣେ ଚିତ୍ରଶିଳ୍ପୀଙ୍କର ଗୁଣାବଳୀ ନାହିଁ । ହେଲେ, ମୋ ପାଖରେ କାହାଣୀ ଅଛି । ମୁଁ ମୋ ତୂଳିରେ କାହାଣୀ ଲେଖିବାକୁ ଚେଷ୍ଟା କରେ । ମୋର ସବୁ ଅଙ୍କନ ନିଖୁଣ ବୋଲି ମୁଁ ଦାବି କରେ ନାହିଁ । ମାତ୍ର ଗତ ଦୁଇ ତିନି ବର୍ଷ ହେଲା ମୁଁ ଅନେକ ଚିତ୍ରଶିଳ୍ପୀଙ୍କ କାର୍ଯ୍ୟ ଅନୁଧ୍ୟାନ ଓ ଅନୁଶୀଳନ ଲାଗି ଉଦ୍ୟମ କରିଆସୁଛି । ଅନ୍ୟଥା, ମୋର ସେ ଜ୍ଞାନ ନାହିଁ । କାହାଣୀଟିଏ ଶୁଣାଇବାକୁ ଯାଇ ମୁଁ ଚିତ୍ର ଆଙ୍କିଲି । କାହାଣୀର ପରିପ୍ରକାଶ କରାଇ ପାରିଲେ ମୁଁ ଖୁସି ହୁଏ । ସତେ ଯେମିତି କିଛି ବର୍ଣ୍ଣନା କରି ଲେଖିବା ଭଳି ମୁଁ ଚିତ୍ର କରେ ।

ପଶ୍ଚିମବଙ୍ଗ ନଦିୟା ଜିଲ୍ଲାର ନିହାତି ଗ୍ରାମାଞ୍ଚଳରେ ଅବସ୍ଥିତ ଧୁବୁଲିଆ ଗାଁର ଲାବନି ଜଣେ ଶିଳ୍ପୀ, ଜଣେ ଚିତ୍ରକର । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଏହି ଗାଁରେ ଗୋଟିଏ ସେନା ଶିବିର ସହିତ ଗୋଟିଏ ବିମାନ ଅବତରଣ କ୍ଷେତ୍ର ସ୍ଥାପିତ ହୋଇଥିଲା । ବ୍ରିଟିଶ ସରକାର ସେହି ସେନା ଶିବିର ସ୍ଥାପନ କରିବା ବେଳେ ମୁସଲମାନ ବହୁଳ ଏହି ଗାଁ ଅନେକ ଚାଷଜମି ହରାଇଥିଲା । ପରେ, ଯେତେବେଳେ ଦେଶ ବିଭାଜନ ଘଟିଲା, ଏହି ଗାଁର ଅନେକ ଲୋକ ସୀମା ଆରପଟକୁ ପଳାଇ ଗଲେ । “କିନ୍ତୁ ଆମେ ଗଲୁ ନାହିଁ,” ଲାବନି କହନ୍ତି, “କାରଣ ଆମର ବୟୋଜ୍ୟେଷ୍ଠମାନେ ଚାହିଁଲେ ନାହିଁ । ଆମ ପୂର୍ବପୁରୁଷଙ୍କୁ ଏହି ମାଟିରେ କବର ଦିଆଯାଇଥିଲା । ଏହା ସେହି ସ୍ଥାନ, ଯେଉଁଠି ଆମେ ବଞ୍ଚିବାକୁ ଏବଂ ମରିବାକୁ ଚାହୁଁ ।” ପିଲାଟି ଦିନରୁ ହିଁ ଏହି ଚିତ୍ରଶିଳ୍ପୀଙ୍କର ସମ୍ବେଦନଶୀଳତାକୁ ନିର୍ଦ୍ଦିଷ୍ଟ ରୂପରେଖ ଦେଇଆସିଥିଲା ଜନ୍ମଭୂମି ସହିତ ରହିଥିବା ସେହି ସଂପର୍କ, ଏବଂ ତା’ରି ନାଁରେ ସଂଘଟିତ ଘଟଣାବଳୀ ।

ଚିତ୍ରକଳା ପ୍ରତି ତାଙ୍କର ଉତ୍ସାହ ପଛରେ ଥିଲେ ତାଙ୍କ ବାପା, ଯେ କି ପିଲାଦିନେ କିଛି ବର୍ଷ ପାଇଁ ତାଙ୍କୁ ଜଣେ ଘରୋଇ ଶିକ୍ଷକଙ୍କ ପାଖକୁ ନେଇଯାଇଥିଲେ । ପରିବାରରେ ତାଙ୍କ ବାପା ଥିଲେ ପ୍ରଥମ ପିଢ଼ିର ଜଣେ ଶିକ୍ଷାର୍ଥୀ, ୧୦ ଭାଉଭଉଣୀଙ୍କ ମଧ୍ୟରେ ଏକମାତ୍ର । ସମାଜର ତୃଣମୂଳ ସ୍ତରରେ କାର୍ଯ୍ୟରତ ଜଣେ ଆଇନଜୀବୀ ଭାବରେ ସେ କୃଷକ ଓ ଶ୍ରମିକମାନଙ୍କ ପାଇଁ ସମବାୟ ସମିତି ଆରମ୍ଭ କରିଥିଲେ, କିନ୍ତୁ ସେତେ ବେଶୀ ଅର୍ଥ ଉପାର୍ଜନ କରି ନଥିଲେ । “ସେ ଯେତେ ପଇସା ପାଆନ୍ତୁ ନା କାହିଁକି, ମୋ ପାଇଁ ବହିଟିଏ କିଣି ଦେଉଥିଲେ,” ଲାବନି କହନ୍ତି । “ସେ ସମୟରେ, ମସ୍କୋ ପ୍ରେସ୍, ରାଦୁଗା ପବ୍ଲିଶର୍ସଙ୍କ ଦ୍ୱାରା ପ୍ରକାଶିତ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ବହି ବଙ୍ଗଳା ଅନୁବାଦ ଜରିଆରେ ଆମ ଘରେ ପହଞ୍ଚି ଯାଉଥିଲା । ଏ ସବୁ ବହିରେ ଥିବା ଚିତ୍ରଗୁଡ଼ିକ ମୋତେ ଭଲ ଲାଗୁଥିଲା । ସେହିଠାରୁ ହିଁ ଚିତ୍ରାଙ୍କନ ପ୍ରତି ମୋତେ ସର୍ବପ୍ରଥମ ପ୍ରେରଣା ମିଳିଥିଲା ।”

ତାଙ୍କ ବାପାଙ୍କ ମାଧ୍ୟମରେ ମିଳିଥିବା ପିଲାଦିନର ସେହି ଚିତ୍ରାଙ୍କନ ତାଲିମ ବେଶି ଦିନ ରହିଲା ନାହିଁ । ହେଲେ, ୨୦୧୬ରେ, ଚିତ୍ରାଙ୍କନ ପ୍ରତି ତାଙ୍କ ମନରେ ରହିଥିବା ସେହି ଅନୁରକ୍ତି ପୁଣି ସେତେବେଳେ ଫେରିଥିଲା, ଯେତେବେଳେ ଭାଷା ତାଙ୍କୁ ପରିତ୍ୟାଗ କରିବା ଆରମ୍ଭ କଲା । ସରକାରୀ ଉଦାସୀନତା ସାଙ୍ଗକୁ ସଂଖ୍ୟାଲଘୁଙ୍କ ଉପରେ ଉଦ୍ଦେଶ୍ୟମୂଳକ ଅତ୍ୟାଚାର ଯୋଗୁଁ ଲୋକଭିଡ଼ର ସଂଘବଦ୍ଧ ଆକ୍ରମଣ କାରଣରୁ ପ୍ରାଣହାନି ଘଟଣା ସାରା ଦେଶରେ ବଢ଼ିବାରେ ଲାଗିଥିଲା ଏବଂ ଏଭଳି ଘୃଣାଭିତ୍ତିକ ଅପରାଧକୁ ସଂଖ୍ୟାଗରିଷ୍ଠବାଦୀମାନେ ଅସ୍ୱୀକାର କରି ଚାଲିଥିଲେ । ସେତେବେଳେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ନିଜର ଏମ୍.ଫିଲ୍ ପଢ଼ା ଶେଷ କରିସାରିଥିବା ଲାବନିଙ୍କୁ ଏ ଦେଶର ବାସ୍ତବତା ଗଭୀର ଭାବରେ ବିଚଳିତ କରିଥିଲା ସତ, ହେଲେ ସେ ଏ ସଂପର୍କରେ ଲେଖିପାରୁ ନଥିଲେ ।

“ସେତେବେଳେ ମୁଁ ତୀବ୍ର ଅସ୍ୱସ୍ତି ଅନୁଭବ କରୁଥିଲି,” ସେ କହନ୍ତି । “ସେହି ସମୟ ଯାଏଁ ମୁଁ ଲେଖାଲେଖି କରିବାକୁ ଭଲ ପାଉଥିଲି ଏବଂ ବଙ୍ଗଳାରେ ଅଳ୍ପ କେତେକ ଲେଖା ଲେଖିଥିଲି ଏବଂ ପ୍ରକାଶ କରିଥିଲି । କିନ୍ତୁ ହଠାତ୍‌, ମନେ ହେଲା ଯେ, ମୋର ଭାଷା ସଂପୂର୍ଣ୍ଣ ଅପର୍ଯ୍ୟାପ୍ତ ହୋଇପଡ଼ିଛି । ସେତେବେଳେ ମୁଁ ସବୁ ଛାଡ଼ି ପଳାଇ ଯିବାକୁ ମନ କଲି । ଠିକ୍‌ ସେହି ସମୟରେ ମୁଁ ଚିତ୍ର ଆଙ୍କିବା ଆରମ୍ଭ କଲି । ମୁଁ ସମୁଦ୍ରର ସବୁ ଭାବକୁ ରଙ୍ଗ ଦେବାରେ ଲାଗିଲି,  ହାତ ପାଆନ୍ତାରେ ମିଳିଯାଉଥିବା ଯେତେସବୁ ଛୋଟ ଛୋଟ କାଗଜ ଖଣ୍ଡରେ, ୱାଟର କଲର ଦେଇ ଆଙ୍କିଲି । ଗୋଟିଏ ପରେ ଆଉ ଗୋଟିଏ, ସେ ସମୟରେ (୨୦୧୬-୧୭) ମୁଁ ସମୁଦ୍ରର ଅନେକ ଚିତ୍ର ଆଙ୍କିଲି । ଅନ୍ୟଥା ଅଶାନ୍ତ ଏକ ଦୁନିଆରେ ମୋ ପାଇଁ ଶାନ୍ତି ପାଇବାର ଏକମାତ୍ର ଉପାୟ ଥିଲା ଚିତ୍ର ଆଙ୍କିବା ।”

ଆଜି ଯାଏଁ ଜଣେ ଆତ୍ମଶିକ୍ଷିତ ଚିତ୍ରଶିଳ୍ପୀ ହୋଇ ରହିଛନ୍ତି ଲାବନି ।

PHOTO • Labani Jangi
PHOTO • Labani Jangi

ପିଲାଦିନେ ତାଙ୍କ ବାପା ପରିଚୟ କରାଇ ଦେଇଥିବା ଜଣେ ଘରୋଇ ଶିକ୍ଷକଙ୍କ ପାଖରୁ ଚିତ୍ରାଙ୍କନରେ ସେ ତାଲିମ ପାଇଥିଲେ ସତ, ହେଲେ ଭାବ ବିନିମୟର ସେହି ସମୟ ଅଳ୍ପ ଦିନ ପାଇଁ ରହିଥିଲା

PHOTO • Labani Jangi
PHOTO • Labani Jangi

୨୦୧୬ ଏବଂ ୨୦୧୭ ଭିତରେ, ସାରା ଦେଶ ଯେତେବେଳେ ସାଂପ୍ରଦାୟିକ ବି ଦ୍ୱେଷ କବଳରେ ଥିଲା, ସେତେବେଳେ  ପୁଣି ଚିତ୍ରାଙ୍କନ ଜଗତକୁ ଫେରିଲେ ଏହି ଆତ୍ମଶିକ୍ଷିତ ଚିତ୍ରଶିଳ୍ପୀ ଜଣକ । ଏହି ୨୫ ବର୍ଷୀୟା ଶିଳ୍ପୀଙ୍କ ପାଇଁ ଏହା ଥିଲା ତାଙ୍କ ଭିତରେ ଏବଂ ବାହାରେ ଦେଖାଦେଇଥିବା ଅଶାନ୍ତି ସହ ମୁକାବିଲାର ଏକମାତ୍ର ଉପାୟ

ସମ୍ମାନଜନକ ୟୁଜିସି-ମୌଲାନା ଆଜାଦ ନ୍ୟାସନାଲ ଫେଲୋସିପ୍ ଫର୍ ମାଇନରିଟି ଷ୍ଟୁଡେଣ୍ଟସ (୨୦୧୬-୨୦) ପୁରସ୍କାର ଲାଭ କରିବା ପରେ ସେ ୨୦୧୭ରେ ଯାଦବପୁର ବିଶ୍ବବିଦ୍ୟାଳୟ ସହିତ ସହବନ୍ଧିତ କୋଲକାତାର ସେଣ୍ଟର ଫର୍ ସୋସିଆଲ ସାଇନ୍‌ସେସ୍‌ର ଏକ ଗବେଷଣାଭିତ୍ତିକ ଡକ୍ଟରାଲ କାର୍ଯ୍ୟକ୍ରମରେ ନାମ ଲେଖାଇଲେ । ସେଠାରେ ସେ ପୂର୍ବରୁ ଆରମ୍ଭ କରିଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ତାଙ୍କ ଗବେଷଣା ଅବ୍ୟାହତ ରଖିଲେ । ଏଥର କିନ୍ତୁ ସେ ‘ଦି ଲାଇଭ୍‌ସ ଆଣ୍ଡ ୱାର୍ଲଡ ଅଫ୍‌ ବେଙ୍ଗଲି ମାଇଗ୍ରାଣ୍ଟ ଲେବର’ ଶୀର୍ଷକ ତାଙ୍କ ଗବେଷଣାମୂଳକ ପ୍ରକଳ୍ପର ଅଂଶବିଶେଷ ଭାବରେ ସେମାନଙ୍କ ଜୀବନର ବାସ୍ତବତା ସଂପର୍କରେ ଗଭୀର ଅଧ୍ୟୟନ କଲେ ।

କୋଠାବାଡ଼ି ନିର୍ମାଣ ସ୍ଥଳରେ ଶ୍ରମିକ ଭାବରେ କାମ ଖୋଜିବା ଲାଗି କେରଳକୁ କିମ୍ବା ହୋଟେଲରେ କାମ କରିବା ଲାଗି ମୁମ୍ବାଇକୁ ତାଙ୍କ ଗାଁର ବହୁସଂଖ୍ୟକ ଲୋକ ପଳାଇ ଯାଇଥିବା ଲାବନି ଦେଖିଥିଲେ । ସେ କହନ୍ତି, “ ମୋ ବାପାଙ୍କ ଭାଇମାନେ ଏବଂ ସେମାନଙ୍କ ପରିବାରର ସଦସ୍ୟମାନେ, ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ସଦସ୍ୟମାନେ, ଆଜି ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗ ବାହାରେ ପ୍ରବାସୀ ଶ୍ରମିକ ଭାବେ କାମ କରିଆସୁଛନ୍ତି । ଏହି ପ୍ରସଙ୍ଗ ତାଙ୍କ ଅନ୍ତରର ନିକଟତର ହୋଇଥିଲେ ବି ଏ କ୍ଷେତ୍ରରେ ବହୁ ଅଧିକ କାମ କରିବାର ଆବଶ୍ୟକତା ରହିଥିଲା । “କିନ୍ତୁ ଠିକ୍‌ ସେହି ସମୟରେ ଆରମ୍ଭ ହେଲା ବିଶ୍ୱ ମହାମାରୀର ପ୍ରାଦୁର୍ଭାବ,” ପୁରୁଣା କଥାକୁ ମନେ ପକାଇ ସେ କହନ୍ତି । “ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଥିଲେ ପ୍ରବାସୀ ଶ୍ରମିକମାନେ । ସେତେବେଳେ, ମୋର ଗବେଷଣା କାମରେ ଆଉ ଆଗେଇ ପାରିବି ବୋଲି ମୋତେ ଲାଗିଲାନି । ସେମାନେ ଘରକୁ ଫେରି ଆସିବା ଲାଗି, ସ୍ୱାସ୍ଥ୍ୟସେବା ପାଇବା ଲାଗି ଏବଂ ଶ୍ମଶାନ ଓ କବରସ୍ଥଳୀ ନିମନ୍ତେ ଜାଗା ଖୋଜିବା ଲାଗି ସଂଘର୍ଷ କରୁଥିବା ବେଳେ ମୁଁ କେମିତି ଯାଇ ସେମାନଙ୍କୁ ମୋର ଶିକ୍ଷାଭିତ୍ତିକ କାମ ସଂପର୍କିତ ପ୍ରଶ୍ନ ପଚାରି ପାରିବି ? ସେମାନଙ୍କ ପରିସ୍ଥିତିରୁ ଫାଇଦା ଉଠାଇବା ଠିକ୍‌ ନୁହେଁ ବୋଲି ମୋତେ ଲାଗିଲା । ବାସ୍ତବ କ୍ଷେତ୍ରରେ ମୁଁ ମୋର କାମକୁ ଠିକ୍‌ ସମୟରେ ସାରି ପାରିଲିନି ଏବଂ ତେଣୁ ମୋର ପିଏଚ୍‌ଡି ହାସଲ ବିଳମ୍ବିତ ହେବାରେ ଲାଗିଲା ।”

ପୁଣି ଥରେ ତୂଳି ଉଠାଇଲେ ଲାବନି, ଏଥର ପିପୁଲ୍‌ସ ଆର୍କାଇଭ୍ ଅଫ୍‌ ରୁରାଲ ଇଣ୍ଡିଆ (ପରୀ) ର ପୃଷ୍ଠାରେ ପ୍ରବାସୀ ଶ୍ରମିକମାନଙ୍କ ଜୀବନ କାହାଣୀକୁ ନଥିଭୁକ୍ତ କରିବା ଉଦ୍ଦେଶ୍ୟରେ । “ସାଇନାଥଙ୍କର କେତେକ ଲେଖା ବଙ୍ଗାଳି ଦୈନିକ ଗଣଶକ୍ତି ର ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ ହେଉଥିଲା । ତେଣୁ, ସାଇନାଥଙ୍କ କାମ ସହିତ ମୁଁ ପରିଚିତ ହୋଇସାରିଥିଲି ଏବଂ ସେହି ସମୟରେ ସ୍ମିତା ଦି ମୋତେ ପ୍ରଥମେ ଗୋଟିଏ ଲେଖା ଏବଂ ପରେ ଗୋଟିଏ କବିତା ଲାଗି ଚିତ୍ର ଆଙ୍କିବାକୁ କହିଲେ ।” (ସ୍ମିତା ଖାଟୋର ହେଉଛନ୍ତି ‘ପରୀ’ର ମୁଖ୍ୟ ଅନୁବାଦ ସଂପାଦିକା) । ୨୦୨୦ ମସିହା ସାରା ଲାବନି ଜଙ୍ଗି ‘ପରୀ’ର ଫେଲୋ ଥିଲେ ଏବଂ ତାଙ୍କ ଗବେଷଣା ନିବନ୍ଧର ମୁଖ୍ୟ ଚରିତ୍ରମାନଙ୍କ ସହିତ ବିଶ୍ୱ ମହାମାରୀ ଓ ଲକ୍‌ଡାଉନ୍‌ କାଳରେ କୃଷକ, ଗ୍ରାମୀଣ ମହିଳାମାନଙ୍କ ଜୀବନ ଧାରାକୁ ଚିତ୍ରରେ ଆଙ୍କି ତୋଳି ଧରିଥିଲେ ।

ପରୀ ସହିତ ମୋ କାମର କେନ୍ଦ୍ରବିନ୍ଦୁରେ ରହିଥିଲା ଉଭୟ ସାମଗ୍ରିକ ଦୃଷ୍ଟିକୋଣରୁ ବ୍ୟବସ୍ଥା ନିହିତ ଆହ୍ୱାନ ଏବଂ ସହିଷ୍ଣୁ ଗ୍ରାମୀଣ ଜୀବନର ମୂଳକଥା । ଏହି ବର୍ଣ୍ଣନାତ୍ମକ ଚିନ୍ତାଧାରାକୁ ମୋର କଳା ସହିତ ସଂଯୋଗ କରାଇ ମୁଁ ଏଭଳି କେତେକ ଦୃଶ୍ୟାବଳୀର ଅବତାରଣା କରିବାକୁ ଚେଷ୍ଟା କରେ, ଯାହା କି ସେମାନଙ୍କ ଜୀବନର ଜଟିଳତାକୁ ପ୍ରତିଧ୍ୱନିତ କରେ । ମୋର ଚିତ୍ରଗୁଡ଼ିକ ଏଭଳି ଏକ ମାଧ୍ୟମ, ଯାହା ଜରିଆରେ ଗ୍ରାମୀଣ ଭାରତର ସାଂସ୍କୃତିକ ଓ ସାମାଜିକ ବାସ୍ତବତାରେ ନିହିତ ସମୃଦ୍ଧ ବିବିଧତାର ସଂରକ୍ଷଣ ଏବଂ ପ୍ରସାର ଦିଗରେ ମୁଁ ମୋର ଅବଦାନ ପ୍ରତିପାଦିତ କରେ ।”

PHOTO • Labani Jangi
PHOTO • Labani Jangi

ପରୀ ପାଇଁ ତାଙ୍କର ଚିତ୍ରସଜ୍ଜାରେ, ବିଶ୍ୱ ମହାମାରୀର ପ୍ରାଦୁର୍ଭାବ ସମୟରେ ଚାଷୀ ଆନ୍ଦୋଳନ ଏବଂ ପ୍ରବାସୀ ଶ୍ରମିକଙ୍କ ସଂକଟ ସଂପର୍କିତ ଆମ ରିପୋର୍ଟଗୁଡ଼ିକର ଜରୁରି ପ୍ରୟୋଜନୀୟତା ଏବଂ ନୂତନ ଦୃଷ୍ଟିକୋଣ ସାମିଲ ହୋଇପାରିଥିଲା

PHOTO • Labani Jangi
PHOTO • Labani Jangi

୨୦୨୦ ର ଜଣେ ‘ପରୀ ଫେଲୋ ଭାବରେ, ଲାବନି ତାଙ୍କ ନିର୍ଭୀକ ଅଙ୍କନ ଏବଂ ରଙ୍ଗ ସହିତ ଅନେକ ରିପୋର୍ଟ ଶୃଙ୍ଖଳକୁ ସମୃଦ୍ଧ କରିଛନ୍ତି

ଲାବନି କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନୁହଁନ୍ତି, କିନ୍ତୁ ତାଙ୍କ କଳା ରାଜନୈତିକ ବୋଲି ବିଚାର କରନ୍ତି । “ଯାଦବପୁରକୁ ପଢ଼ିବା ପାଇଁ ଆସିବା ପରେ ମୁଁ ଅନେକ ଚିତ୍ରକର- ଏବଂ ରାଜନୈତିକ ପୋଷ୍ଟର- ଦେଖିଲି । ଏବଂ ଆମ ଚାରିପାଖରେ ସଂଘଟିତ ଘଟଣାବଳୀକୁ ନେଇ ମୁଁ ଯେଉଁ ପ୍ରକାରର ଚିତ୍ର ଅଙ୍କନ କରେ, ସେ ସବୁ ମୋର ଏହି ଅନୁଭୂତିର ପ୍ରଭାବରୁ ଏବଂ, ଅବଶ୍ୟ ମୋର ନିଜସ୍ୱ ସମ୍ବେଦନଶୀଳତାରୁ ଆସିଛି ।” ଜଣେ ମୁସଲମାନ ମହିଳା ଭାବରେ ଏଭଳି ଏକ ସମାଜର ନିତିଦିନିଆ ବାସ୍ତବତା ତାଙ୍କୁ ପ୍ରେରଣା ଯୋଗାଇଥାଏ, ଯେଉଁ ସମାଜରେ ଘୃଣା ଏକ ସ୍ୱାଭାବିକ ପ୍ରକ୍ରିୟାର ରୂପ ନେଇଛି ଏବଂ ପ୍ରାୟ ସବୁ ସମୟରେ ସରକାର ସମର୍ଥିତ ହିଂସା ଆମ ସମୟର ନିଷ୍ଠୁର ବାସ୍ତବତାରେ ପରିଣତ ହେବାରେ ଲାଗିଛି ।

“ଏହି ଦୁନିଆ ଆମକୁ, ଆମ ଦକ୍ଷତାକୁ, ଆମ ପ୍ରତିଭାକୁ, ଆମ କଠିନ ପରିଶ୍ରମକୁ ସ୍ୱୀକୃତି ଦେବାକୁ ଚାହେଁ ନାହିଁ,” ଲାବନି କହନ୍ତି । “ଏଭଳି ଏକ କ୍ଷୟାଭିମୁଖୀ ପ୍ରକ୍ରିୟାରେ ଆମ ପରିଚୟର ଏକ ବୃହତ୍‌ ଭୂମିକା ରହିଛି । ଏହା ଆଜି ବି ଅବ୍ୟାହତ ରହିଛି । ବହୁସଂଖ୍ୟକ ଲୋକଙ୍କ ପାଇଁ ଏହି କାମର, ବିଶେଷତଃ ଜଣେ ମୁସଲମାନ ମହିଳା ଶିଳ୍ପୀଙ୍କ କାମର ସ୍ଥିତି ହିଁ ନାହିଁ ।” ଯେ ପର୍ଯ୍ୟନ୍ତ ତାଙ୍କୁ ଉଚିତ ପୃଷ୍ଠପୋଷକତା ମିଳିନାହିଁ, ସେ ପର୍ଯ୍ୟନ୍ତ, ନିଶ୍ଚିତ ଭାବରେ ଏହାର ସ୍ଥିତି ନାହିଁ । ତାହା ବି ଯଦି ତାଙ୍କ ଭାଗ୍ୟରେ ଥାଏ । “କେହି ଏହାକୁ ସ୍ଥାନ ଦିଅନ୍ତି ନାହିଁ କି ଏହା ସହିତ ସଂପର୍କ ରଖନ୍ତି ନାହିଁ, ଏମିତି କି ସମାଲୋଚନା କରିବାକୁ ବି ଚାହାଁନ୍ତି ନାହିଁ । ତେଣୁ ମୁଁ ଏହାକୁ କ୍ଷୟାଭିମୁଖୀ ବୋଲି କହେ । ଏହା ଏଭଳି ଏକ ପ୍ରକ୍ରିୟା, ଯାହା କଳା, ସାହିତ୍ୟ ଓ ଅନ୍ୟାନ୍ୟ ଅନେକ ବିଷୟର ଇତିହାସରେ ପ୍ରତିଫଳିତ ହୋଇଥାଏ,” ସେ କହନ୍ତି । ହେଲେ ଫେସ୍‌ବୁକ୍ ଏବଂ ଇନ୍‌ଷ୍ଟାଗ୍ରାମ ଭଳି ଡିଜିଟାଲ ମଞ୍ଚରେ ତାଙ୍କ ଚିତ୍ରକଳାକୁ ସ୍ଥାନିତ କରି ଏ ଦିଗରେ ତାଙ୍କ ଉଦ୍ୟମ ଅବ୍ୟାହତ ରଖିଛନ୍ତି ଲାବନି ।

ଆଉ ସେହି ଫେସ୍‌ବୁକ୍‌ ମାଧ୍ୟମରେ ହିଁ ଚଟ୍ଟୋଗ୍ରାମର ଚିତ୍ରଭାଷା ଆର୍ଟ ଗ୍ୟାଲେରୀ ତାଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ୨୦୨୨ ଡିସେମ୍ବରରେ ବାଂଲାଦେଶରେ ବିବିର ଦରଗାହ ଶୀର୍ଷକ ତାଙ୍କର ସର୍ବପ୍ରଥମ ଏକକ ଚିତ୍ର ପ୍ରଦର୍ଶନୀ ନିମନ୍ତେ ତାଙ୍କୁ ଆମନ୍ତ୍ରଣ କରିଥିଲେ ।

PHOTO • Courtesy: Labani Jangi
PHOTO • Courtesy: Labani Jangi

୨୦୨୨ ରେ ଚଟ୍ଟୋଗ୍ରାମର ଚିତ୍ରଭାଷା ଆର୍ଟ ଗ୍ୟାଲେରୀରେ ଲାବନିଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ

PHOTO • Labani Jangi
PHOTO • Labani Jangi

ହୁଏତ ମହିଳା ପୀରମାନଙ୍କୁ ସମ୍ମାନ ଜଣାଉଥିବା ଅତୀତର ସେହି ଦରଗାହଗୁଡ଼ିକ ଉଭେଇ ଯାଇଛି, କିନ୍ତୁ ଆଜି ବି ନିଜ ଅଧିକାର ପାଇଁ ଲଢ଼େଇ କରୁଥିବା ମହିଳାମାନଙ୍କ ପାଖରେ ସେମାନଙ୍କ ଆତ୍ମସତ୍ତା ଉଜ୍ଜୀବିତ । ଲାବନିଙ୍କ ଚିତ୍ରକଳାରେ ସେମାନଙ୍କର ସ୍ମୃତି ପ୍ରତି ସମ୍ମାନ ଅବ୍ୟାହତ ରହିଛି

ତାଙ୍କ ପିଲାଦିନର ସ୍ମୃତି ସହିତ ବାଂଲାଦେଶର ବର୍ତ୍ତମାନ ସ୍ଥିତିରୁ ବିବିର ଦରଗାହ ଶୀର୍ଷକ ଏହି ପ୍ରଦର୍ଶନୀର ପରିକଳ୍ପନା କରାଯାଇଥିଲା । ସେ କହନ୍ତି, ଏବେ ସେଠାରେ ପୁଣି ରକ୍ଷଣଶୀଳ ଇସଲାମ୍‌ ମୁଣ୍ଡ ଟେକିଲାଣି । ଗୋଟିଏ ବିବି କା ଦରଗାହ କହିଲେ ସେହି ଦରଗାହ କୁ ବୁଝାଏ ଯାହା ମହିଳା ପୀର (ଆଧ୍ୟାତ୍ମିକ ଗୁରୁ) ମାନଙ୍କର ସ୍ମୃତି ବହନ କରେ । “ମୋ ପିଲାଦିନେ ଆମ ଗାଁରେ ମହିଳାଙ୍କ ପାଇଁ ଦୁଇଟି ଦରଗାହ ଥିଲା । ଆମେ ସାଂସ୍କୃତିକ ପ୍ରଥା ଅନୁସରଣ କରୁଥିଲୁ, ମନ୍ନତ (ମାନସିକ କିମ୍ବା ବ୍ରତ) ନିମନ୍ତେ ସୂତାଟିଏ ବାନ୍ଧିବାରେ ବିଶ୍ୱାସ କରୁଥିଲୁ; ଆମ ମାନସିକ ପୂରଣ ହେଲେ ଆମେ ଏକାଠି ଭୋଜି କରୁଥିଲୁ । ସେହି ସ୍ଥାନକୁ ଘେରି ରହିଥିଲା ସମନ୍ୱୟଧର୍ମୀ ସାଂସ୍କୃତିକ ପରମ୍ପରାର ଏକ ସମାହାର ।

“କିନ୍ତୁ ମୋ ଆଖି ଆଗରେ ସେ ସବୁ ଉଭେଇ ଯାଇଥିଲା । ପରେ ସେମାନଙ୍କର ସେହି ସ୍ଥାନରେ ଏକ ମକତବ (ପାଠାଗାର) ଉଭା ହେଲା । ଯେଉଁ ରକ୍ଷଣଶୀଳ ଇସଲାମ ଧର୍ମାବଲମ୍ବୀମାନେ ମଜାର (କବର କିମ୍ବା ସମାଧି), କିମ୍ବା ସୁଫି ଦରଗାହ କୁ ବିଶ୍ୱାସ କରୁ ନଥିଲେ ସେମାନେ ସେଗୁଡ଼ିକୁ ହୁଏତ ଭାଙ୍ଗି ଦେବା ପାଇଁ କିମ୍ବା ସେହି ସ୍ଥାନରେ ଗୋଟିଏ ମସଜିଦ ଗଢ଼ିବା ଲାଗି ଉଦ୍ୟମ କଲେ । ଏବେ ଆଉ ଅଳ୍ପ କିଛି ଦରଗାହ ରହିଛି, କିନ୍ତୁ ସେ ସବୁ ପୁରୁଷ ପୀର ମାନଙ୍କ ପାଇଁ ଉଦ୍ଦିଷ୍ଟ । ଏବେ ଆଉ କୌଣସି ବିବି କା ଦରଗାହ ନାହିଁ, ଆମ ସାଂସ୍କୃତିକ ସ୍ମୃତିରୁ ସେଗୁଡ଼ିକୁ ନିଶ୍ଚିହ୍ନ କରିଦିଆଯାଇଛି ।”

ବିଭିନ୍ନ ସ୍ଥାନକୁ ଏହି ଏକା ପ୍ରକାରର ଧ୍ୱଂସଲୀଳା ବ୍ୟାପିଥିବା ବେଳେ ଏହା ସହିତ ଅନ୍ୟ ଏକ ସମାନ୍ତରାଳ ରୂପରେଖ ମଧ୍ୟ ଗଢ଼ି ଉଠିଥିଲା ବୋଲି ଲାବନି କହନ୍ତି । କିଛି ମାତ୍ରାରେ ଯୋଜନାବଦ୍ଧ ଏବଂ ହିଂସାତ୍ମକ ଢଙ୍ଗରେ ସ୍ମୃତିକୁ ବିଲୋପ କରିବାର ଏହି ପ୍ରକ୍ରିୟା ବିରୋଧରେ ଏହା ଉଭା ହୋଇଥିଲା । “ଯେତେବେଳେ ବାଂଲାଦେଶରେ ଗୋଟିଏ ପ୍ରଦର୍ଶନୀ କରିବାର ସମୟ ଆସିଲା, ସେତେବେଳେ ମୁଁ ଗୋଟିଏ ପଟେ ମଜାର ଧ୍ୱଂସ କରିବା ସଂପର୍କରେ ତ ଅନ୍ୟ ପଟରେ ନିଜର ଅଧିକାର ଫେରି ପାଇବା ଲାଗି ଆଜି ବି ସଂଗ୍ରାମ କରୁଥିବା ସେହି ମହିଳାମାନଙ୍କର ଅତୁଟ ମନୋବଳ ସଂପର୍କରେ ଭାବିଥିଲି । ସେହି ପ୍ରତିରୋଧ ଓ ପୂର୍ବ ସ୍ଥିତିକୁ ଫେରିବା ଲାଗି ଅଦମ୍ୟ ସାହସ ହିଁ ସେହି ମଜାର ସମୂହର ବାସ୍ତବ ସତ୍ତା, ଯାହା ସେଗୁଡ଼ିକର ଢାଞ୍ଚା ଧ୍ୱଂସ ପାଇଯିବା ପରେ ଏବେ ବି ତିଷ୍ଠି ରହିଛି । ଏହି ଏକକ ପ୍ରଦର୍ଶନୀରେ ମୁଁ ଏହା ହିଁ ଦର୍ଶାଇବା ଲାଗି ପ୍ରୟାସ କରିଥିଲି ।” ସେହି ପ୍ରଦର୍ଶନୀ ଶେଷ ହେବାର ଅନେକ ଦିନ ପରେ ବି ସେ ସେହି ବିଷୟବସ୍ତୁ ଉପରେ ତାଙ୍କ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି ।

ଲାବନିଙ୍କ ଚିତ୍ରରେ ଶାଣିତ ହୋଇଛି ସାଧାରଣ ଲୋକଙ୍କ ସ୍ୱର, ଅନେକ କବିତା, ଲେଖା ଏବଂ ବହିକୁ ଏହା ନୂତନ ଜୀବନ ଦେଇଛି । “ଶିଳ୍ପୀ ହୁଅନ୍ତୁ କି ଲେଖକ, ଆମେ ସମସ୍ତେ ପରସ୍ପର ସହ ସଂଯୁକ୍ତ । ମୋର ମନେ ଅଛି, ଦିନେ କେଶବ ଭାଉ [ ଆମ୍ବେଦକରଙ୍କ ଦ୍ୱାରା ଅନୁପ୍ରାଣିତ : ସାଲଭେଙ୍କ ମୁକ୍ତି ସଙ୍ଗୀତ ] ମୋତେ କହିଥିଲେ ଯେ, ଶାହିରଙ୍କୁ ସେ ଯେମିତି କଳ୍ପନା କରିଥିଲେ ମୁଁ ଠିକ୍‌ ସେମିତି ଆଙ୍କିଛି । ଏବଂ ଏଥିରେ ମୋ ପାଇଁ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା । କାରଣ, ଆମେ ବ୍ୟକ୍ତିଗତ, ସାମାଜିକ, ସାଂସ୍କୃତିକ ପରିଚିତି ଦୃଷ୍ଟିରୁ ଅଲଗା ହୋଇଥିଲେ ହେଁ ଆମେ ଗୋଟିଏ ଧାରାରେ କଳ୍ପନା କରିଥାଉ, ଆମର ସାମୂହିକ ସ୍ମୃତି ହିଁ ଆମ ଲେଖାର ମୂଳ ସତ୍ତା,” ଲାବନି କହନ୍ତି ।

PHOTO • Courtesy: Labani Jangi
PHOTO • Courtesy: Labani Jangi
PHOTO • Courtesy: Labani Jangi
PHOTO • Courtesy: Labani Jangi

ଉଭୟ ସୃଜନଶୀଳ ଲେଖା ଏବଂ ଶିକ୍ଷାଗତ ଗବେଷଣା ଲାଗି ଲିଖିତ ଏବଂ ଭାରତରେ ଏବଂ ଭାରତ ବାହାରେ ପ୍ରକାଶିତ ଅନେକ ପୁସ୍ତକର ପ୍ରଚ୍ଛଦର ଶୋଭା ମଣ୍ଡନ କରେ ଲାବନିଙ୍କ ଚିତ୍ର

PHOTO • Courtesy: Labani Jangi
PHOTO • Labani Jangi

ବାମ : ୨୦୨୪ ମାର୍ଚ୍ଚରେ ଅହମ୍ମଦାବାଦର ଗାନ୍ଧିନଗରସ୍ଥିତ ଆଇଆଇଟିରେ ଆୟୋଜିତ କମିକ୍‌ସ କନ୍‌କ୍ଲେଭ୍‌ . ରେ ଲାବନି ତାଙ୍କ ଚିତ୍ରକଳା ଉପସ୍ଥାପନ କରିଥିଲେ । ଡାହାଣ : ସେ ମଧ୍ୟ ୨୦୨୨ ଅଗଷ୍ଟରେ ମଲ୍ଲିକା ସରାଭାଇଙ୍କ ଦ୍ୱାରା ସଂଯୋଜିତ ଥିଏଟର ଫ୍ରମ୍‌ ଷ୍ଟ୍ରୀଟ୍‌ସର ଏକ ପ୍ରକଳ୍ପରେ ଭାରତ, ଭେନେଜୁଏଲା, ପାଲେଷ୍ଟାଇନ, ଏବଂ ଲେବାନନର କବି ଓ ଶିଳ୍ପୀମାନଙ୍କ ସୃଷ୍ଟି ସହିତ ତାଙ୍କ ଚିତ୍ରକଳା ଉପସ୍ଥାପନ କରିଥିଲେ

ଲାବନିଙ୍କ ଚିତ୍ରର ସୁସ୍ପଷ୍ଟ ରଙ୍ଗ, ଶକ୍ତିଶାଳୀ ଅଙ୍କନ ଏବଂ ମାନବ ଜୀବନର ବାସ୍ତବ ଚିତ୍ରଣରେ ନିହିତ ସାଂସ୍କୃତିକ ଏକୀକରଣକୁ ବିରୋଧର କାହାଣୀ, ତା ସହିତ ସାମୂହିକ ସ୍ମରଣର, ମାନବୀୟ ସତ୍ତା ଓ ସଂସ୍କୃତିର, ବିଭାଜିତ ଦୁନିଆ ଭିତରେ ସଂପର୍କ ସ୍ଥାପନର ଭାବଧାରା ସମ୍ବଳିତ କାହାଣୀ । “ମୁଁ ଭାବୁଛି, ଏକ ଆଦର୍ଶ ସମାଜ ସ୍ଥାପନର ତୁରନ୍ତ ଆବଶ୍ୟକତା ମୋତେ ପ୍ରେରିତ କରିଥାଏ । ଚାରିଆଡ଼କୁ ବ୍ୟାପ୍ତ ହିଂସାର ପ୍ରତ୍ୟୁତ୍ତରରେ ଗୋଟିଏ ନୂଆ ସମାଜ ଗଠନର ଚିନ୍ତାଧାରା ଏକାନ୍ତ ପ୍ରୟୋଜନୀୟ ମନେ ହୁଏ,” ଲାବନି କହନ୍ତି । “ଏମିତି ଏକ ଦୁନିଆରେ, ଯେଉଁଠି ରାଜନୈତିକ ବ୍ୟାଖ୍ୟାନ ସହିତ ବିନାଶର ସଂପର୍କ ସବୁବେଳେ ଲାଗି ରହିଥାଏ, ସେଠାରେ, ସମରୂପରେ ଶକ୍ତିଶାଳୀ ଭାଷାରେ ମୋ ଚିତ୍ର କହେ ପ୍ରତିବାଦ ଓ ସ୍ଥିତିସ୍ଥାପକତାର ଏକ କୋମଳ କାହାଣୀ ।”

ତାଙ୍କ ଜେଜେମାଆଙ୍କ ପାଖରୁ ସେ ଏହି ଭାଷା ଶିଖିଥିଲେ, ଯାହାଙ୍କ ସହିତ ଜୀବନର ପ୍ରଥମ ୧୦ ବର୍ଷ ସେ ରହିଥିଲେ । “ମାଆଙ୍କ ପକ୍ଷରେ ଆମ ଦୁହିଁଙ୍କର, ମୋ ଭାଇ ଏବଂ ମୋର ଯତ୍ନ ନେବା କଷ୍ଟକର ହୋଇପଡ଼ିଲା,” ଲାବନି କହନ୍ତି । “ଘରଟି ବି ଛୋଟିଆ ଥିଲା । ତେଣୁ ସେ ମୋତେ ମୋ ନାନୀ ଙ୍କ (ଆଈଙ୍କ) ଘରକୁ ପଠାଇ ଦେଲେ, ଯେଉଁଠି ସେ ଓ ମୋ ଖାଲା (ମାଆଙ୍କ ଭଉଣୀ) ଦଶ ବର୍ଷ କାଳ ମୋର ଦେଖାରେଖା କଲେ । ସେଠି ତାଙ୍କ ଘର ପାଖରେ ଗୋଟିଏ ପୋଖରୀ ଥିଲା ଏବଂ ସେଠାରେ ଆମେ କାଂଥା (ଛୁଞ୍ଚିକାମ) କାମ କରି ପ୍ରତିଟି ଅପରାହ୍‌ଣ ବିତାଇ ଦେଉଥିଲୁ ।” ତାଙ୍କ ଜେଜେମାଆ ରଙ୍ଗିନ ସୂତାରେ ଛୁଞ୍ଚିକାମ କରି ଜଟିଳ କାହାଣୀ ସବୁ ରଚନା କରୁଥିଲେ । କେବଳ ଗୋଟିଏ ସରଳ ସିଲେଇ କାମରେ ସେ ଏହା କରିପାରୁଥିଲେ । ହୁଏତ ତାଙ୍କ ଜେଜେମାଆଙ୍କ ପାଖରୁ ଲାବନି ଶିଖିଥିଲେ ସରଳ ମୁନରେ ଜଟିଳ କାହାଣୀ ତୋଳି ଧରିବାର କଳା । ହେଲେ ନିରାଶା ଓ ଆଶା ଭିତରର ଯେଉଁ ଶୂନ୍ୟସ୍ଥାନରେ ସେ ଏବେ ରହୁଛନ୍ତି, ତାହାକୁ ସୃଷ୍ଟି କରିଥିଲେ ତାଙ୍କ ମାଆ ।

PHOTO • Courtesy: Labani Jangi
PHOTO • Courtesy: Labani Jangi

ବାମ : ଲାବନିଙ୍କ ଜୀବନର ଦୁଇଟି ଗୁରୁ ତ୍ୱ ପୂର୍ଣ୍ଣ ବ୍ୟକ୍ତି ତ୍ୱ ହୋଇ ରହିଛନ୍ତି ତାଙ୍କ ଆବ୍ବା (ବାପା) ଓ ମା । ସେମାନେ ତାଙ୍କ ଭିତରେ ଥିବା ଏହି ସ୍ଥିତିସ୍ଥାପକତାକୁ ଆକାର ପ୍ରଦାନ କରିଥିଲେ । ଡାହାଣ : ଚିତ୍ରଶିଳ୍ପୀଙ୍କ ନାନୀ (ଆଈ), ଯାହାଙ୍କ ସହିତ କାଂଥା କାମ ଓ କାହାଣୀ ଶୁଣାଇବାର କଳା ଭଳି ଅନେକ କିଛି ଶିଖିବାରେ ତାଙ୍କ ଜୀବନର ପ୍ରଥମ ଦଶ ବର୍ଷ ସେ ବିତାଇ ଦେଇଥିଲେ

PHOTO • Courtesy: Labani Jangi
PHOTO • Courtesy: Labani Jangi

ବାମ : ଲାବନି ଓ ଆଉ କେତେକ ଅନ୍ୟ ଚିତ୍ରଶିଳ୍ପୀ ମିଶି ଉତ୍ତର ପ୍ରଦେଶର ଗିରିରାଜପୁର ଗାଁରେ ଶିଶୁ ଓ ଯୁବ ବର୍ଗ ଲାଗି ଖଣ୍ଡେରା ଆର୍ଟ ସ୍ପେସ୍‌ ନାମକ ଏକ କଳା ଶିକ୍ଷା କେନ୍ଦ୍ର ସ୍ଥାପନ କରିଛନ୍ତି । ଡାହାଣ : ପଞ୍ଜେରି ଚିତ୍ରଶିଳ୍ପୀ ସଂଘର ସେ ଜଣେ ସଦସ୍ୟା

“ପିଲାଦିନେ ମୁଁ ପରୀକ୍ଷାରେ ଖୁବ୍ ଖରାପ କରୁଥିଲି । ମୁଁ ଗଣିତରେ ଶୂନ ପାଉଥିଲି ଏବଂ ବେଳେବେଳେ ବିଜ୍ଞାନରେ ମଧ୍ୟ,” ସେ କହନ୍ତି । “ଆଉ ସେହି ସମୟରେ, କେଜାଣି କାହିଁକି, ମା ’ ମୋ ଉପରେ ବିଶ୍ୱାସ ରଖିଥିଲେ । ଏମିତି କି ବାବା ଙ୍କର ସନ୍ଦେହ ଥିଲା । ମାଆ ମୋତେ ଆଶ୍ୱାସନା ଦେଇ କହନ୍ତି ଯେ ଆରଥରକୁ ମୁଁ ଭଲ କରିବି । ତାଙ୍କ ବିନା ମୁଁ ଏତେ ଦୂରରେ ପହଞ୍ଚି ପାରି ନଥାଆନ୍ତି । ହେଲେ, ଇଚ୍ଛା ଥାଇ ମଧ୍ୟ ମା କେବେହେଲେ କଲେଜରେ ନାଁ ଲେଖାଇ ପାରି ନଥିଲେ । ତାଙ୍କୁ ବାହା କରି ଦିଆଯାଇଥିଲା । ତେଣୁ ମୋ ଜରିଆରେ ହିଁ ସେ ତାଙ୍କ ଜୀବନକୁ ଜୀଇଁବାରେ ଲାଗିଛନ୍ତି । ମୁଁ ଯେତେବେଳେ କୋଲକାତାରୁ ଫେରି ଆସେ, ସେ ଆସି ମୋ ପାଖରେ ବସନ୍ତି, ଏବଂ ତାଙ୍କ ଘର ବାହାରେ ଥିବା ଦୁନିଆର କାହାଣୀକୁ ଆଗ୍ରହର ସହିତ ଶୁଣନ୍ତି । ମୋ ଆଖି ଜରିଆରେ ସେ ସେହି ଦୁନିଆକୁ ଦେଖନ୍ତି ।”

ହେଲେ ଏ ଦୁନିଆ ଏକ ଭୟଙ୍କର ସ୍ଥାନ, ଏମିତି କି ଲାଭଜନକ ବ୍ୟବସାୟରେ ପରିଣତ ହେବା ଲାଗି ଦ୍ରୁତ ଗତିରେ ଆଗେଇ ଚାଲିଥିବା କଳାର ଦୁନିଆ ବି । “ମୁଁ ଆଶଙ୍କା କରେ ଯେ ମୁଁ ମୋ ଭାବାବେଗର ସତ୍ତାକୁ ହରାଇ ବସିବି । ବଡ଼ ଚିତ୍ରଶିଳ୍ପୀ ହେବା ଆଶାରେ ମୁଁ ମୋର ଭାବାବେଗ ହରାଇ ବସିବାକୁ, ମୋ ଲୋକମାନଙ୍କ ପାଖରୁ ଏବଂ ମୋର କଳାକୁ ଧରି ରଖିଥିବା ମୂଲ୍ୟବୋଧ ପାଖରୁ ଦୂରେଇ ଯିବାକୁ ଚାହେଁନାହିଁ । ପଇସା ବାବଦରେ, ସମୟ ବାବଦରେ ମୋର ସଂଘର୍ଷ ଅବ୍ୟାହତ ରହିଛି ସତ, କିନ୍ତୁ ମୋର ଆତ୍ମାକୁ ବିକ୍ରି ନ କରି ଏ ପୃଥିବୀରେ ତିଷ୍ଠି ରହିବା ମୋ ପାଇଁ ସବୁଠାରୁ ବଡ଼ ସଂଘର୍ଷ ।”

PHOTO • Courtesy: Labani Jangi
PHOTO • Labani Jangi
PHOTO • Labani Jangi

ପଞ୍ଜେରି ଚିତ୍ରଶିଳ୍ପୀ ସଂଘର ଜଣେ ସଦସ୍ୟା ଭାବରେ ଲାବନି ସହଯୋଗିତା ଭିତ୍ତିକ ସାଂସ୍କୃତିକ ଏବଂ ବୌଦ୍ଧିକ ଆଲୋଚନାରେ ଗଭୀର ଭାବରେ ଜଡ଼ିତ ଏବଂ ସାରା ଭାରତରେ ଚାରିଟି ଦଳଗତ ପ୍ରଦର୍ଶନୀ କରିସାରିଛନ୍ତି

PHOTO • Ritayan Mukherjee

ଏହି ପୁରସ୍କାର ବିଜୟିନୀ ଚିତ୍ରଶିଳ୍ପୀଙ୍କର ସବୁଠାରୁ ବଡ଼ ସଂଘର୍ଷ ହେଉଛି, ମୋର ଆତ୍ମାକୁ ବିକ୍ରି ନ କରି ଏ ପୃଥିବୀରେ ତିଷ୍ଠି ରହିବା, ସେ କହନ୍ତି

ପ୍ରଚ୍ଛଦ ଚିତ୍ର: ଜୟନ୍ତୀ ବୁରୁଦା
ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

پرتشٹھا پانڈیہ، پاری میں بطور سینئر ایڈیٹر کام کرتی ہیں، اور پاری کے تخلیقی تحریر والے شعبہ کی سربراہ ہیں۔ وہ پاری بھاشا ٹیم کی رکن ہیں اور گجراتی میں اسٹوریز کا ترجمہ اور ایڈیٹنگ کرتی ہیں۔ پرتشٹھا گجراتی اور انگریزی زبان کی شاعرہ بھی ہیں۔

کے ذریعہ دیگر اسٹوریز Pratishtha Pandya

پی سائی ناتھ ’پیپلز آرکائیو آف رورل انڈیا‘ کے بانی ایڈیٹر ہیں۔ وہ کئی دہائیوں تک دیہی ہندوستان کے رپورٹر رہے اور Everybody Loves a Good Drought اور The Last Heroes: Foot Soldiers of Indian Freedom کے مصنف ہیں۔

کے ذریعہ دیگر اسٹوریز پی۔ سائی ناتھ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE