ନିକଟରେ ନୂତନ ସଂସଦ ଭବନରେ ପରିଲକ୍ଷିତ କାର୍ଯ୍ୟଧାରାକୁ ହୁଏତ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଡକ୍ଟର ବି.ଆର୍. ଆମ୍ବେଦକର, ସନ୍ଦେହ ଦୃଷ୍ଟିରେ ଦେଖିଥାଆନ୍ତେ। ସର୍ବୋପରି, ସେ ଥିଲେ ସେହି ବ୍ୟକ୍ତି, ଯେ କହିଥିଲେ, “ସମ୍ବିଧାନର ଅପବ୍ୟବହାର ଦେଖିଲେ, ପ୍ରଥମେ ମୁଁ ଏହାକୁ ପୋଡ଼ି ଦେବି ।”
୨୦୨୩ରେ ସଂସଦରେ ଗୃହୀତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍, ଯେଉଁଥିରେ ନାଗରିକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବା ଆଶଙ୍କା ବିଜଡ଼ିତ, ତାହା ଉପରେ ‘ପରୀ’ ଲାଇବ୍ରେରୀର ଏକ ତୀକ୍ଷ୍ଣ ଦୃଷ୍ଟିପାତ ।
ପ୍ରଥମେ ବନ (ସଂରକ୍ଷଣ) ସଂଶୋଧନ ଆଇନ- ୨୦୨୩ କଥା ନିଆଯାଉ । ଭାରତର ସୀମା ନିକଟରେ ଅବସ୍ଥିତ ଜଙ୍ଗଲଗୁଡ଼ିକ ଆଉ ଅଲଂଘ୍ୟ ହୋଇ ରହିନାହିଁ । ଉଦାହରଣ ରୂପରେ, ଅନ୍ୟ କେତେକ ଦେଶର ସୀମାକୁ ଲାଗି ରହିଥିବା ଉତ୍ତର ପୂର୍ବ ଭାରତର କଥା ବିଚାର କରାଯାଉ। ଉତ୍ତର-ପୂର୍ବ ଭାରତର ମୋଟ ନଥିଭୁକ୍ତ ବନାଞ୍ଚଳର ୫୦ ପ୍ରତିଶତ ‘ଅବର୍ଗୀକୃତ ଜଙ୍ଗଲ’ ଏବଂ ଏବେ ଆଇନରେ ସଂଶୋଧନ କରାଯିବା ପରେ, ଏଣିକି ଏହି ଜଙ୍ଗଲ ଅଞ୍ଚଳକୁ ସାମରିକ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ।
ଡିଜିଟାଲ ଗୋପନୀୟତା କ୍ଷେତ୍ରରେ, ପ୍ରଣୀତ ଏକ ନୂତନ ଆଇନ – ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ଆଇନ- ବଳରେ, କୌଣସି ମାମଲାର ତଦନ୍ତ ସମୟରେ, ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରେ ଫୋନ୍ ଓ ଲାପ୍ଟପ୍ ଭଳି ଉପକରଣ ଜବତ କରିବା ସହଜ ହୋଇଯାଇଛି ଏବଂ ଏହା ବ୍ୟକ୍ତିଗତ ଗୋପନୀୟତା ଭଳି ନାଗରିକମାନଙ୍କ ଏକାନ୍ତ ମୌଳିକ ଅଧିକାରକୁ ବିପନ୍ନ କରିବା ସମ୍ଭାବନା ସୃଷ୍ଟି ହୋଇଛି । ସେହିଭଳି ନୂତନ ଦୂରସଞ୍ଚାର ଆଇନରେ, ଦୂରସଞ୍ଚାର ସେବାର ଅଧିକାରପ୍ରାପ୍ତ ଏକ ସଂସ୍ଥା ଯାଞ୍ଚ କରାଯାଇପାରୁଥିବା ଶାରୀରିକ ତଥ୍ୟ ବା ବାୟୋମେଟ୍ରିକ୍ ଭିତ୍ତିକ ଚିହ୍ନଟ ସମ୍ବନ୍ଧୀୟ ତଥ୍ୟାବଳୀର ଉପଯୋଗ କରିପାରିବେ। ଏଭଳି ବାୟୋମେଟ୍ରିକ୍ ବା ଶାରୀରିକ ତଥ୍ୟ ଆହରଣ ଏବଂ ସାଇତି ରଖିବା, ବ୍ୟକ୍ତିଗତ ଗୋପନୀୟତା ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛି।
୨୦୨୩ରେ ଭାରତର ସଂସଦୀୟ ଅଧିବେଶନ କାଳରେ ଏହି ସବୁ ନୂତନ ବିଧି ସମ୍ବନ୍ଧୀୟ ପଦକ୍ଷେପ ଗୃହୀତ ହୋଇଥିଲା। ସଂସଦର ୭୨ ବର୍ଷ ପୁରୁଣା ଇତିହାସରେ, ପ୍ରଥମ ଥର ପାଇଁ ୨୦୨୩ ଡିସେମ୍ବରରେ ପରିଚାଳିତ ସଂସଦର ଶୀତକାଳୀନ ଅଧିବେଶନ ଅବସରରେ, ବିସ୍ମୟଜନକ ଭାବରେ ବିରୋଧୀ ଦଳର ୧୪୬ ଜଣ ସଂସଦ ସଦସ୍ୟ (ସାଂସଦ)ଙ୍କୁ ଗୃହରୁ ବହିଷ୍କାର କରାଯାଇଥିଲା । ସଂସଦର କୌଣସି ଏକ ନିର୍ଦ୍ଦିଷ୍ଟ ଅଧିବେଶନ ଅବସରରେ ନିଲମ୍ବନ ସଂଖ୍ୟା ଦୃଷ୍ଟିରୁ ଏହା ଥିଲା ସର୍ବାଧିକ।
ରାଜ୍ୟସଭାର ୪୬ ଜଣ ଏବଂ ଲୋକସଭାର ୧୦୦ ଜଣ ସଦସ୍ୟଙ୍କ ନିଲମ୍ବନ କାରଣରୁ, ଅପରାଧିକ ଆଇନ ସଂଶୋଧନ ସଂପର୍କିତ ବିତର୍କ ସମୟରେ ବିରୋଧୀ ପକ୍ଷର ଆସନଗୁଡ଼ିକ ଖାଲି ପଡ଼ିଥିବା ଦେଖାଯାଇଥିଲା।
ଲୋକସଭାରେ ବିତର୍କ ଅବସରରେ ଆଗତ ତିନିଟି ବିଲ୍ରେ ଭାରତୀୟ ଅପରାଧିକ ଆଇନରେ ସଂସ୍କାର ସହିତ ଏଗୁଡ଼ିକୁ ଔପନିବେଶବାଦ ଚିନ୍ତାଧାରା କବଳରୁ ମୁକ୍ତ କରିବା ଲକ୍ଷ୍ୟ ରହିଥିଲା। ଏହି ଆଇନଗୁଡ଼ିକ ହେଲା, ଭାରତୀୟ ଦଣ୍ଡବିଧି ଆଇନ, ୧୮୬୦; ଫୌଜଦାରୀ କାର୍ଯ୍ୟବିଧି ଧାରା, ୧୯୭୩, ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨। ପୂର୍ବରୁ ରହିଥିବା ଏହି ପ୍ରମୁଖ ଆଇନଗୁଡ଼ିକ ବଦଳରେ ଯଥାକ୍ରମେ ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା, ୨୦୨୩ (ବିଏନ୍ଏସ୍ଏସ୍), ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା, ୨୦୨୩ (ବିଏନ୍ଏସ୍ଏସ୍), ଏବଂ ଭାରତୀୟ ସାକ୍ଷ୍ୟ (ଦ୍ୱିତୀୟ) ଅଧିନିୟମ, ୨୦୨୩ (ବିଏସ୍ବି) ଆଗତ କରାଗଲା । ସଂସଦରେ ଆଗତ ହେବାର ୧୩ ଦିନ ଭିତରେ, ଡିସେମ୍ବର ୨୫ ତାରିଖ ଦିନ ଏହି ସବୁ ବିଲ୍କୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଲା ଏବଂ ଏଗୁଡ଼ିକ ୨୦୨୪ ଜୁଲାଇ ପହିଲାରୁ ଲାଗୁ ହେବ।
ପୂର୍ବରୁ ପ୍ରଚଳିତ ଭାରତୀୟ ଦଣ୍ଡବିଧି ଆଇନ, ୧୮୬୦ ( ଆଇପିସି )ରୁ ଓହରି ଯାଇ, ଭାରତୀୟ ନ୍ୟାୟ (ଦ୍ୱିତୀୟ) ସଂହିତା, ୨୦୨୩ ( ବିଏନ୍ଏସ୍ ) ଆଇନରେ ମୁଖ୍ୟତଃ ପ୍ରଚଳିତ ବିଧି ବ୍ୟବସ୍ଥାର ପୁନର୍ଗଠନ କରାଯାଇଥିବା ବେଳେ, ବିଏନ୍ଏସ୍ ବିଲର ଦ୍ୱିତୀୟ ସଂସ୍କରଣରେ ଏଥିରେ ଉଲ୍ଲେଖନୀୟ ସଂଶୋଧନର ପ୍ରସ୍ତାବ ରହିଛି।
ଏହି ଆଇନରେ ଦେଶଦ୍ରୋହ ଅପରାଧକୁ (ସଂପ୍ରତି ନୂତନ ନାମକରଣ ପଦ୍ଧତିରେ ପରିଭାଷିତ) ପୂର୍ବବତ୍ ସ୍ଥାନିତ କରାଯାଇଛି ଏବଂ “ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପ” ଭାବରେ ଏହାର ପରିସରକୁ ପ୍ରଶସ୍ତ କରାଯାଇଛି । ଦେଶଦ୍ରୋହ ଅପରାଧ ଆଇନର ବିଭିନ୍ନ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ପୂର୍ବରୁ ‘ହିଂସାକୁ ଉସୁକାଇବା’ କିମ୍ବା ‘ସର୍ବସାଧାରଣ ଶାନ୍ତିଭଙ୍ଗ’ ଅପରାଧ ରହିଥିବା ବେଳେ ସଂପ୍ରତି ପ୍ରସ୍ତାବିତ ୧୫୨ ଧାରାରେ ଏହାକୁ ବ୍ୟାପକ କରାଯାଇଛି । ପୂର୍ବ ପ୍ରଚଳିତ ଆଇନ ବଦଳରେ, ଏଥିରେ “ହିଂସା ଉସୁକାଇବା କିମ୍ବା ଉସୁକାଇବା ଉଦ୍ୟମ କରିବା, ଦେଶରୁ ବିଚ୍ଛିନ୍ନ ହେବା କିମ୍ବା ସଶସ୍ତ୍ର ବିଦ୍ରୋହ, କିମ୍ବା ଅନ୍ତର୍ଘାତୀ କାର୍ଯ୍ୟକଳାପ” ଭଳି ଯେ କୌଣସି କାର୍ଯ୍ୟର ଅପରାଧୀକରଣ କରାଯାଇଛି ।
ଏହି ବିଏନ୍ଏସ୍ ଆଇନର ଦ୍ୱିତୀୟ ସଂସ୍କରଣରେ କରାଯାଇଥିବା ଅନ୍ୟ ଏକ ଉଲ୍ଲେଖନୀୟ ସଂଶୋଧନ ହେଉଛି ଯେ ଏଥିରୁ ଭାରତୀୟ ଦଣ୍ଡବିଧି ଆଇନ ବା ଆଇପିସିର ୩୭୭ ଧାରାକୁ ବାଦ୍ ଦିଆଯାଇଛି । ଏହି ଧାରା ଅନୁସାରେ “ଯେ କେହି ନିଜ ଇଚ୍ଛାରେ ପ୍ରାକୃତିକ ଧାରା ବିପକ୍ଷରେ ଯାଇ କୌଣସି ପୁରୁଷ, ମହିଳା ବା ପ୍ରାଣୀ ସହିତ ଯୌନକ୍ରିୟାରେ ଲିପ୍ତ ହେଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବେ (....) ।” ହେଲେ, ନୂତନ ଆଇନରେ ଆବଶ୍ୟକ ବ୍ୟବସ୍ଥା ରହି ନଥିବାରୁ ଏହା ଅନ୍ୟ ଲିଙ୍ଗର ବ୍ୟକ୍ତିମାନଙ୍କୁ ଯୌନ ଉତ୍ପୀଡ଼ନ ବିରୋଧୀ ସୁରକ୍ଷାରୁ ବଞ୍ଚିତ କରିଛି ।
ବିଏନ୍ଏସ୍ଏସ୍ ଆଇନ ଭାବରେ ଗୃହୀତ ୨୦୨୩ର ଭାରତୀୟ ନାଗରିକ ସୁରକ୍ଷା (ଦ୍ୱିତୀୟ) ସଂହିତା ଆଇନ ୧୯୭୩ର ଫୌଜଦାରୀ କାର୍ଯ୍ୟବିଧି ଧାରା ବା କୋଡ୍ କୁ ଅକାମୀ କରିଦେଇଛି । ପୂର୍ବରୁ ପୋଲିସ ହାଜତରେ ଗିରଫ ଅଭିଯୁକ୍ତଙ୍କୁ ୧୫ ଦିନ ପାଇଁ ରଖିବାକୁ ଅନୁମତି ରହିଥିବା ବେଳେ ଏବେକାର ଏହି ଆଇନ ବ୍ୟବସ୍ଥାରେ ଏହାକୁ ଗିରଫ ହେବା ପରେ ସର୍ବାଧିକ ୯୦ ଦିନ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି । ଗିରଫ ପରେ ପୋଲିସ ହାଜତରେ ଅଟକ ରଖିବାର ଏହି ସଂପ୍ରସାରିତ ଅବଧି କେବଳ ମୃତ୍ୟୁଦଣ୍ଡ, ଆଜୀବନ କାରାଦଣ୍ଡ କିମ୍ବା ଅତି କମ୍ରେ ୧୦ ବର୍ଷର କାରାଦଣ୍ଡ ବ୍ୟବସ୍ଥା ରହିଥିବା ଗୁରୁତର ଅପରାଧ କ୍ଷେତ୍ରରେ ପ୍ରଯୁଜ୍ୟ ହେବ।
ଅଧିକନ୍ତୁ, ତଦନ୍ତ ସମଯରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଫୋନ୍ ଓ ଲାପ୍ଟପ୍ ଭଳି ଡିଜିଟାଲ ଉପକରଣକୁ ଜବତ କରିପାରିବେ ବୋଲି ଏହି ଆଇନରେ ବ୍ୟବସ୍ଥା ରହିଛି, ଯାହା କି ସମ୍ଭବତଃ ବ୍ୟକ୍ତିଗତ ଗୋପନୀୟତାର ଅଧିକାରକୁ କ୍ଷୁର୍ଣ୍ଣ କରିପାରେ।
ଭାରତୀୟ ସାକ୍ଷ୍ୟ ଆଇନ ,୨୦୨୩ରେ ମୋଟାମୋଟି ଭାବେ ୧୮୭୨ର ଭାରତୀୟ ପ୍ରମାଣ ଆଇନ ର ଢାଞ୍ଚାକୁ ସଂରକ୍ଷିତ ରଖାଯାଇ ଏଥିରେ ସର୍ବନିମ୍ନ ସଂଶୋଧାନ କରାଯାଇଛି।
ବନ (ସଂରକ୍ଷଣ) ଆଇନ, ୧୯୮୦ କୁ ବଦଳାଇ ଦେବା ଲାଗି ବନ (ସଂରକ୍ଷଣ) ସଂଶୋଧନ ଆଇନ, ୨୦୨୩ ଉଦ୍ଦିଷ୍ଟ। ଏହି ସଂଶୋଧିତ ଆଇନର ବ୍ୟବସ୍ଥା ଅନୁସାରେ କେତେକ ନିର୍ଦ୍ଦିଷ୍ଟ କିସମର ଜମିକୁ ଛାଡ଼ କରାଯାଇଛି । ସେହି କିସମରେ ରହିଛି:
“(କ) ରେଳଧାରଣା କିମ୍ବା ସରକାରଙ୍କ ରକ୍ଷଣାବେକ୍ଷଣରେ ରହିଥିବା କୌଣସି ସର୍ବସାଧାରଣ ରାସ୍ତା କଡ଼ରେ ଥିବା ଜମି, ଯାହାକି କୌଣସି ଜନବସତି, କିମ୍ବା ରେଳ, ଏବଂ ରାସ୍ତାକଡ଼ରେ ଉପଲବ୍ଧ ସୁବିଧା ହାସଲ କରିବାରେ ବ୍ୟବହୃତ ହେଉଥିବ ଏବଂ ପ୍ରତି କ୍ଷେତ୍ରରେ ଏହାର ଆକାର ସର୍ବାଧିକ ୦.୧୦ ହେକ୍ଟର ହୋଇଥିବ;
(ଖ) ଉପ-ଧାରା (୧)ର ପରିଚ୍ଛେଦ (କ) କିମ୍ବା (ଖ)ରେ ଚିହ୍ନିତ ହୋଇ ନଥିବା ଏଭଳି ବୃକ୍ଷ, ବୃକ୍ଷରୋପଣ କିମ୍ବା ପୁନଃବନୀକରଣ ନିମନ୍ତେ ବ୍ୟବହାର କରାଯାଇଥିବା ଜମି; ଏବଂ
(ଗ) ଏଭଳି ଜଙ୍ଗଲ ଜମି:
(i) ଅନ୍ତର୍ଜାତୀୟ ସୀମା କିମ୍ବା ନିୟନ୍ତ୍ରଣ ରେଖା କିମ୍ବା ବାସ୍ତବ ନିୟନ୍ତ୍ରଣ ରେଖା ସଂଲଗ୍ନ ଶହେ କିଲୋମିଟର ଦୂର ପର୍ଯ୍ୟନ୍ତ ରହିଥିବା ଜମି, ଯେଉଁଥିରେ କି ଜାତୀୟ ସୁରକ୍ଷା ପ୍ରସଙ୍ଗ ସଂପର୍କିତ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରକଳ୍ପ ସ୍ଥାପନ ନିମନ୍ତେ ପ୍ରସ୍ତାବ ରହିଥିବ; କିମ୍ବା
(ii) ସୁରକ୍ଷା ସଂପର୍କିତ ଭିତ୍ତିଭୂମି ଗଠନ ନିମନ୍ତେ ଉପଯୋଗ କରାଯିବାକୁ ପ୍ରସ୍ତାବ ରହିଥିବା ଦଶ ହେକ୍ଟର ପର୍ଯ୍ୟନ୍ତ ଜମି; କିମ୍ବା
(iii) ସେହିଭଳି, ପ୍ରସ୍ତାବିତ ପ୍ରତିରକ୍ଷା ସଂପର୍କିତ ପ୍ରକଳ୍ପ କିମ୍ବା ଅର୍ଦ୍ଧସାମରିକ ବାହିନୀର ଶିବିର କିମ୍ବା ସର୍ବସାଧାରଣ ଉପଯୋଗ ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପ ସ୍ଥାପନ ଲାଗି ଜମି (....) ।’’
ଉଲ୍ଲେଖଯୋଗ୍ୟ ଯେ, ଏହି ସଂଶୋଧନରେ ପରିବେଶଗତ ବ୍ୟବସ୍ଥା, ଜଳବାୟୁ ସଂକଟ ଏବଂ ପରିବେଶ ଅବକ୍ଷୟ ଦିଗରେ ଧ୍ୟାନ ଦିଆଯାଇନାହିଁ ।
ଭାରତର ଡିଜିଟାଲ କ୍ଷେତ୍ରରେ ବିଧାନ ପ୍ରଣୟନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଦୂରସଂଚାର ଆଇନ ୨୦୨୩ , ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ, ୨୦୨୩ ବା ( ଡିପିଡିପି ଆଇନ ) ଏବଂ ପ୍ରସାରଣ ସେବା (ନିୟନ୍ତ୍ରକ) ବିଲ୍ ୨୦୨୩କୁ ମଧ୍ୟ ସଂସଦରେ ଆଗତ କରାଯାଇଥିଲା । ଏହି ପଦକ୍ଷେପ ବଳରେ ନାଗରିକମାନଙ୍କର ଡିଜିଟାଲ ଅଧିକାର ଉପରେ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେବା ସହିତ ସାମ୍ବିଧାନିକ ଭାବରେ ସୁରକ୍ଷିତ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାର ଅଧିକାର ପ୍ରଭାବିତ ହେଉଛି ଏବଂ ଅନ୍ଲାଇନ୍ ବିଷୟବସ୍ତୁ ଉପରେ ନିୟନ୍ତ୍ରଣ ଏବଂ ବଳପୂର୍ବକ ଟେଲି ଯୋଗାଯୋଗ ଛିନ୍ନ କରିଦେବା ଏକ ଆଇନସମ୍ମତ ଅସ୍ତ୍ର ପ୍ରତିପାଦିତ ହୋଇଛି।
କୌଣସି ବିରୋଧୀ ସ୍ୱର ଉତ୍ତୋଳନର ଅବସର ନଥିବାରୁ ଟେଲି ଯୋଗାଯୋଗ ବିଲ୍ଟି ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚି ପାରିଥିଲା ଏବଂ ଲୋକସଭାରେ ଗୃହୀତ ହେବାର ମାତ୍ର ଚାରି ଦିନ ପରେ, ଡିସେମ୍ବର ୨୫ରେ, ରାଷ୍ଟ୍ରପତି ଏହାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଭାରତୀୟ ଟେଲିଗ୍ରାଫ ଆଇନ, ୧୮୮୫ ଏବଂ ଭାରତୀୟ ଓୟାରଲେସ୍ ଟେଲିଗ୍ରାଫି ଆଇନ, ୧୯୩୩ ରେ ସଂସ୍କାର ଆଣିବା ନିମନ୍ତେ ଅଭିପ୍ରେତ ଏହି ଆଇନ ନିୟନ୍ତ୍ରଣକାରୀ ରୂପରେଖର ଆଧୁନିକୀକରଣ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିପାଦିତ ହୋଇଛି, ଯେମିତି କି:
“(କ) (...)ନିର୍ଦ୍ଦିଷ୍ଟ ଭାବରେ ଚିହ୍ନିତ କେତେକ ବାର୍ତ୍ତା ବା ନିର୍ଦ୍ଦିଷ୍ଟ ଭାବରେ ଶ୍ରେଣୀଭୁକ୍ତ ବାର୍ତ୍ତା ପ୍ରାପ୍ତି ନିମନ୍ତେ ବ୍ୟବହାରକାରୀଙ୍କର ପୂର୍ବ ସମ୍ମତି
(ଖ) ବ୍ୟବହାରକାରୀଙ୍କର ପୂର୍ବ ସମ୍ମତି ବିନା ଏଭଳି ନିର୍ଦ୍ଦିଷ୍ଟ ଭାବରେ ଚିହ୍ନିତ ବାର୍ତ୍ତା ବା ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ ବାର୍ତ୍ତା ଯେମିତି ନ ମିଳେ, ତାହାକୁ ସୁନିଶ୍ଚିତ କରିବା ନିମନ୍ତେ ‘ଡୁ ନଟ୍ ଡିଷ୍ଟର୍ବ’ ନାମରେ ପରିଚିତ ହେବାକୁ ଥିବା ଏକ ବା ଏକାଧିକ ରେଜିଷ୍ଟର ପ୍ରସ୍ତୁତି ଏବଂ ରକ୍ଷଣାବେକ୍ଷଣ; କିମ୍ବା
(ଗ) ଏହି ଧାରାର ବିରୁଦ୍ଧାଚରଣ କରି ବ୍ୟବହାରକାରୀଙ୍କୁ ମିଳୁଥିବା ଭ୍ରମାତ୍ମକ କିମ୍ବା ନିର୍ଦ୍ଦିଷ୍ଟ ବାର୍ତ୍ତା ସଂପର୍କରେ ରିପୋର୍ଟ କରିବାକୁ ସୁଯୋଗ ପ୍ରଦାନ ଦିଗରେ ବ୍ୟବସ୍ଥା କରିବା
ଏହି ଆଇନ ବଳରେ ସରକାରୀ କର୍ତ୍ତୃପକ୍ଷ, କୌଣସି ସର୍ବସାଧାରଣ ଜରୁରୀକାଳୀନ ପରିସ୍ଥିତି ସମୟରେ, ଅପରାଧିକ କାର୍ଯ୍ୟକଳାପ ଦିଗରେ ପ୍ରରୋଚନାକୁ ଏଡ଼ାଇବା ଲାଗି “ଯେ କୌଣସି ଟେଲି ଯୋଗାଯୋଗ ସେବା କିମ୍ବା କୌଣସି ଏକ ଅଧିକୃତ ସଂସ୍ଥାର ଟେଲି ଯୋଗାଯୋଗ ନେଟ୍ୱାର୍କକୁ ଅସ୍ଥାୟୀ ଭାବରେ ନିଜ ହାତକୁ ନେଇପାରିବେ।”
ଏହି ଆଇନଗତ ବ୍ୟବସ୍ଥା ବଳରେ ପ୍ରଭୁତ କ୍ଷମତାସଂପନ୍ନ କୌଣସି ସରକାରୀ ଅଧିକାରୀ ସର୍ବସାଧାରଣ ସୁରକ୍ଷା ନାଁରେ ଟେଲି ଯୋଗାଯୋଗ ନେଟ୍ୱାର୍କ ଅନ୍ତର୍ଗତ ଯେ କୌଣସି ଯୋଗାଯୋଗକୁ ଯାଞ୍ଚ କିମ୍ବା ନିୟନ୍ତ୍ରଣ କରିପାରିବେ ।
ଦେଶର ଗୃହ ମନ୍ତ୍ରୀଙ୍କ ପୂର୍ବ ଘୋଷଣା ମୁତାବକ ମୂଳ ଆଇନରେ ଅଣାଯିବାକୁ ଥିବା ଏହି ସଂସ୍କାର ‘ନାଗରିକ ଅଭିମୁଖୀ’ ହେବା ଲାଗି ଉଦ୍ଦିଷ୍ଟ । ଏହା ଫଳରେ ଉତ୍ତର ପୂର୍ବ ରାଜ୍ୟ ସମୂହରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସଂପ୍ରଦାୟ- ‘ଶ୍ରେଣୀଭୁକ୍ତ ହୋଇ ନଥିବା ଜଙ୍ଗଲ’ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଆମ ଦେଶର ନାଗରିକମାନେ ସେମାନଙ୍କର ଜୀବିକା, ସଂସ୍କୃତି ଏବଂ ଇତିହାସକୁ ହରାଇବାର ଆଶଙ୍କା ଉପୁଜିଛି । ନୂତନ ବନ ସଂରକ୍ଷଣ (ସଂଶୋଧନ) ଆଇନ ବଳରେ ସେମାନଙ୍କର ଅଧିକାରକୁ ସୁରକ୍ଷା ଦିଆଯିବ ନାହିଁ ।
ଅପରାଧିକ ଆଇନରେ ବିଭିନ୍ନ ସଂଶୋଧନ ନାଗରିକମାନଙ୍କୁ ଡିଜିଟାଲ ଅଧିକାର ସହିତ ସାମ୍ବିଧାନିକ ଭାବେ ସୁରକ୍ଷିତ ବ୍ୟକ୍ତିଗତ ଗୋପନୀୟତାର ଅଧିକାରକୁ ମଧ୍ୟ କ୍ଷୁଣ୍ଣ କରିବ । ନାଗରିକମାନଙ୍କର ଅଧିକାର ଏବଂ ଅପରାଧ କ୍ଷେତ୍ରରେ ଆଇନଗତ ପ୍ରକ୍ରିୟା ମଧ୍ୟରେ ଭାରସାମ୍ୟ ଅବ୍ୟାହତ ରଖିବା କ୍ଷେତ୍ରରେ ଏହି ସବୁ ଆଇନ ବ୍ୟବଧାନ ସୃଷ୍ଟି କରିବାର ଆଶଙ୍କା ରହିଛି ଏବଂ ଏହା ଫଳରେ ଏହି ସବୁ ସଂଶୋଧନର ଅଧିକ ଯତ୍ନଶୀଳ ବିଚାରର ଆବଶ୍ୟକତା ରହିଛି।
କେନ୍ଦ୍ର ସରକାରଙ୍କ ଅନୁସାରେ ‘ନାଗରିକ-ଅଭିମୁଖୀ’ ଚିନ୍ତାଧାରା କିଭଳି ଗଠିତ ହୁଏ, ତାହା ଜାଣିବା ଲାଗି ବୋଧହୁଏ ଦେଶର ସମ୍ବିଧାନର ମୁଖ୍ୟ ରଚୟିତା ନିଶ୍ଚିତ ଭାବରେ ଆଗ୍ରହ ପ୍ରକାଶ କରିଥାଆନ୍ତେ ।
ମୁଖପୃଷ୍ଠ : ସ୍ୱ ଦେଶା ଶର୍ମା
ଅନୁବାଦ : ଓଡ଼ିଶାଲାଇଭ୍