ଛୋଟ ଝିଅ ହୋଇଥିବା ବେଳେ, କେକୁୱେ-ୟୁ ତାଙ୍କ ମା’ ଏବଂ ଜେଜେମା’ଙ୍କୁ ବିଛୁଆତି ଛାଲ କିମ୍ବା ଥେଭୋ ରେ ବୁଣାବୁଣି କରୁଥିବା ଦେଖୁଥିଲେ । ନିଜ ମା’ଙ୍କ ଦ୍ୱାରା ଅଧା ହୋଇଯାଇଥିବା ଖଣ୍ଡେ ଅଧେ ଉଠାଇ ସେ ଅଭ୍ୟାସ କରୁଥିଲେ । କିନ୍ତୁ ତାଙ୍କୁ ଲୁଚି ଲୁଚି ଏପରି କରିବାକୁ ପଡୁଥିଲା, କାରଣ ତାଙ୍କ ମା’ କୌଣସି ଖଣ୍ଡକୁ ସ୍ପର୍ଶ ନକରିବା ପାଇଁ ତାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହିପରି ଭାବେ କେକୁୱେ-ୟୁ ଧୀରେ ଧୀରେ ଏବଂ ଗୁପ୍ତରେ ନାଗା ଶାଲ୍ ବୁଣିବାର କୌଶଳ ଶିଖିଗଲେ, ତାଙ୍କୁ ପ୍ରକୃତରେ କେହି ଶିଖାଇ ନଥିବା ସେ କୁହନ୍ତି ।
ଆଜି ସେ ଜଣେ କୁଶଳ କାରିଗର, ତାଙ୍କର ଚାଷ କାମ ଏବଂ ଘର କାମ ଭିତରେ ସେ ବୁଣାବୁଣି ପାଇଁ ସମୟ କାଢ଼ନ୍ତି । ‘‘ଭାତ ରାନ୍ଧିବା ପାଇଁ ପାଣି ଫୁଟିବାକୁ ଅପେକ୍ଷା କଲାବେଳେ, କିମ୍ବା ଯଦି କେହି ଆମ ପିଲାମାନଙ୍କୁ ବୁଲାଇବାକୁ ନେଇ ଯାଆନ୍ତି, ତେବେ ଆମେ ଏତିକି ବୁଣିବାକୁ ଚେଷ୍ଟା କରୁ,’’ ବିଶି ଆଙ୍ଗୁଠିର ମାପ ଦେଖାଇ ସେ କୁହନ୍ତି ।
କେକୁୱେ-ୟୁ ତାଙ୍କ ଦୁଇ ପଡ଼ୋଶୀ - ଭେହୁଜୁଲୁ ଏବଂ ଏୟିହିଲୁ ଚଟ୍ସାଙ୍କ ସହ ରୁକିଜୋ କଲୋନୀରେ ଥିବା ଟିଣ ଛାତ ଘରେ ବସିଛନ୍ତି । କେକୁୱେ-ୟୁଙ୍କ ଆକଳନ ଅନୁଯାୟୀ, ନାଗାଲାଣ୍ଡର ଫେକ୍ ଜିଲ୍ଲାର ଫୁତସେରୋ ଗ୍ରାମରେ ଥିବା ୨୬୬ ପରିବାରର ପ୍ରାୟ ୧୧ ପ୍ରତିଶତ ବୁଣାକାର ଭାବେ କାର୍ଯ୍ୟ କରନ୍ତି। ଏବଂ ମୁଖ୍ୟତଃ ଚାଖେଞ୍ଚା ସମ୍ପ୍ରଦାୟର କୁଝାମି ଉପ-ଗୋଷ୍ଠୀର ମହିଳାମାନେ (ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ) ଏହା କରନ୍ତି । କେକୁୱେ-ୟୁ କୁହନ୍ତି, “ଆମର ସ୍ୱାମୀମାନେ ସାହାଯ୍ୟ କରନ୍ତି, ସେମାନେ ମଧ୍ୟ ରୋଷେଇ କରି ପାରନ୍ତି, କିନ୍ତୁ ସେମାନେ ମହିଳାଙ୍କ ପରି ‘ଧୁରନ୍ଧର’ ନୁହଁନ୍ତି । ଆମକୁ ରୋଷେଇ, ଚାଷ, ବୁଣାବୁଣି ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପଡ଼େ ।”
![](/media/images/02a-IMG_4727-MJ-In_Nagaland-women_weave_th.max-1400x1120.jpg)
![](/media/images/02b-IMG_4736-MJ-In_Nagaland-women_weave_th.max-1400x1120.jpg)
ବାମ: କେକୁୱେ-ୟୁ ତାଙ୍କ ଦ୍ୱାରା ନିର୍ମିତ ଏକ ଶାଲ୍ ଦେଖାଉଛନ୍ତି । ଡାହାଣ: ରୁକିଜୁ କଲୋନୀରେ ବୁଣାକାର ( ବାମରୁ ଡାହାଣ ) ଭେହୁଜୁଲୁ , ନିଖୁ ଥୁଲୁ , ସେମାନଙ୍କ ପଡ଼ୋଶୀ (ମଝିରେ ଲାଲ୍ ଶାଲ୍ରେ) , କେକୁୱେ-ୟୁଙ୍କ ଘରେ କେକୁୱେ-ୟୁ ଏବଂ ଏ ୟି ହିଲୁ ଚଟ୍ସୋ
![](/media/images/03a-IMG_4731-MJ-In_Nagaland-women_weave_th.max-1400x1120.jpg)
![](/media/images/03b-IMG_5846-MJ-In_Nagaland-women_weave_th.max-1400x1120.jpg)
ବାମ: କେକୁୱେ-ୟୁଙ୍କ ରୋଷେଇ ଘରେ ବିଛୁଆତି (ଉର୍ଟିକା) ଛାଲରୁ ନିର୍ମିତ ସୂତା । କେତେକ ନାଗା ଜନଜାତି ଏହି ସୂତା ବୁଣା ପାଇଁ ବ୍ୟବହାର କରନ୍ତି । ଚାଖେଞ୍ଚା ଜନଜାତି ଏହିପରି ସୂତାକୁ ସାଜୁଖୁ , ଥେବଭୋରା କିମ୍ବା ଲୁସା କୁହନ୍ତି । ଡାହାଣ: କେକୁୱେ-ୟୁ ତାଙ୍କ ରୋଷେଇ ଘରେ ଏକ ଶାଲ ବୁଣୁଛନ୍ତି , ଯେଉଁଠାରେ ସେ ସାଧାରଣତଃ ଅଧିକାଂଶ ବୁଣାବୁଣି କାର୍ଯ୍ୟ କରିଥାନ୍ତି
କେକୁୱେ-ୟୁଙ୍କ ପରି, ଭେହୁଜୁଲୁ ଏବଂ ଏୟିହିଲୁ ଚୋଟସୋ ମଧ୍ୟ ଅଳ୍ପ ବୟସରେ ବୁଣାବୁଣି କାମ ଆରମ୍ଭ କରିଥିଲେ । ଶିକ୍ଷଣ ପ୍ରକ୍ରିୟା ଛୋଟ ଛୋଟ କାର୍ଯ୍ୟ କରିବା ସହିତ ଆରମ୍ଭ ହୁଏ ଯେପରିକି ସୂତା କାଟିବା, ଗୁଡ଼ାଇବା କିମ୍ବା ବୁଣିବା ।
ଏୟିହିଲୁ ଚଟସୋ, ବର୍ତ୍ତମାନ ତାଙ୍କୁ ୩୫ ବର୍ଷ, ଯେତେବେଳେ ସେ ପ୍ରାୟ ୨୦ ବର୍ଷ ବୟସର ହୋଇଥିଲେ ବୁଣାବୁଣି ଆରମ୍ଭ କରିଥିଲେ । ସେ କୁହନ୍ତି, “ମୁଁ ବିଭିନ୍ନ ପ୍ରକାରର ପୋଷାକ ବୁଣେ - ଶାଲ୍ ଏବଂ ଘୋଡ଼େଇ ହେବା । ସେ କୁହନ୍ତି, ମୁଁ ପ୍ରାୟ ୩୦ ଖଣ୍ଡ ବୁଣୁଥିଲି କିନ୍ତୁ ବର୍ତ୍ତମାନ ପିଲାମାନଙ୍କ ଯତ୍ନ ନେବା ସହ ଅତି ବେଶୀରେ ମୁଁ ସପ୍ତାହରେ ଗୋଟିଏ କିମ୍ବା ବେଳେବେଳେ ଦୁଇଟି ଶାଲ୍ ବୁଣି ପାରୁଛି ।’’
ସେ ଆହୁରି ମଧ୍ୟ କହିଛନ୍ତି, ‘‘ସକାଳେ ଏବଂ ସନ୍ଧ୍ୟାରେ ମୁଁ ମୋର ପିଲାମାନଙ୍କର ଯତ୍ନ ନେଉଛି ଏବଂ ଦିନରେ ବୁଣାବୁଣି କରେ ।’’ କିନ୍ତୁ ତାଙ୍କର ଚତୁର୍ଥ ସନ୍ତାନ ହେବାକୁ ଥିବାରୁ ସେ ବର୍ତ୍ତମାନ କାମ କରିବା ବନ୍ଦ କରି ଦେଇଛନ୍ତି।
ମହିଳାମାନେ ନିଜ ପାରମ୍ପରିକ ପୋଷାକ - ମେଖାଲା (ପାରମ୍ପରିକ ନାଗା ସାରୋଙ୍ଗ) ଏବଂ ଶାଲ୍ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ବୁଣନ୍ତି । ଚତୁର୍ଥ ପିଢ଼ିର ବୁଣାକାର ଭେହୁଜୁଲୁ ମଧ୍ୟ ଅଙ୍ଗାମୀ ଜନଜାତି ପାଇଁ ପୋଷାକ ବୁଣନ୍ତି । ସେ କୁହନ୍ତି, ‘‘ମୁଁ ବିଶେଷ କରି ବାର୍ଷିକ ହର୍ନବିଲ୍ ଫେଷ୍ଟିଭାଲ ଯେତେବେଳେ ଚାହିଦା ଅଧିକ ଥାଏ ସେମାନଙ୍କ ପାଇଁ ବୁଣେ ।
ନାଗାଲାଣ୍ଡ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହର୍ନବିଲ୍ ଫେଷ୍ଟିଭାଲ୍ ୧୦ ଦିନ ଧରି ପାଳନ କରାଯାଏ, ଯାହା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୁଏ । ଏହି ଉତ୍ସବରେ ପାରମ୍ପରିକ ସଂସ୍କୃତି ଏବଂ ଜୀବନ ଶୈଳୀ ପ୍ରଦର୍ଶିତ ହୁଏ ଏବଂ ଭାରତ ତଥା ଭାରତ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି ।
![](/media/images/04a-IMG_4760-MJ-In_Nagaland-women_weave_th.max-1400x1120.jpg)
![](/media/images/04b-IMG_4752-MJ-In_Nagaland-women_weave_th.max-1400x1120.jpg)
ନିଖୁ ଥୁଲୁ (ବାମ) ଏବଂ ଭେହୁଜୁଲୁ (ଡାହାଣ) ଘରେ ବୁଣାବୁଣି କରୁଛନ୍ତି
*****
ପ୍ରତ୍ୟେକ ନାଗା ଜନଜାତିଙ୍କର ନିଜସ୍ୱ ଶାଲ୍ ରହିଛି, ଯାହା ସେମାନଙ୍କ ସମ୍ପ୍ରଦାୟ ପାଇଁ ସ୍ୱତନ୍ତ୍ର ଏବଂ ଚାଖେଞ୍ଚା ଶାଲ୍ ୨୦୧୭ ରେ ଭୌଗୋଳିକ ସୂଚକାଙ୍କ (GI) ଟ୍ୟାଗ୍ ପାଇଛି ।
ଫେକ୍ ସରକାରୀ କଲେଜରେ ଇତିହାସ ଶିକ୍ଷା ଦେଉଥିବା ଡକ୍ଟର ଝୋକୁଶେୟୀ ରାଖୋ ବର୍ଣ୍ଣନା କରନ୍ତି, “ଅନ୍ୟ ଜିନିଷ ବ୍ୟତୀତ ଶାଲ୍ ପରିଚୟ, ସ୍ଥିତି ଏବଂ ଲିଙ୍ଗର ପ୍ରତୀକ ଅଟେ । ଶାଲ୍ ବିନା କୌଣସି ସମାରୋହ କିମ୍ବା ପର୍ବ ଅସମ୍ପୂର୍ଣ୍ଣ ।’’
"ପାରମ୍ପରିକ ଶାଲ୍ ଆମର ସଂସ୍କୃତି ଏବଂ ମୂଲ୍ୟବୋଧକୁ ସୂଚିତ କରେ," ବର୍ଣ୍ଣନା କରନ୍ତି ଚିଜାମୀ ବୟନ (ନାଗାଲାଣ୍ଡର ଅନନ୍ୟ ବୟନକୁ ପ୍ରୋତ୍ସାହିତ ତଥା ସଂରକ୍ଷଣ ପାଇଁ ଉତ୍ସର୍ଗୀକୃତ ଜୀବିକା କାର୍ଯ୍ୟକ୍ରମ) ର ପ୍ରକଳ୍ପ ସଂଯୋଜକ ନିତଶୋପେୟୁ (ଆତ୍ଶୋଲ) ଥୋପି ।
“ପ୍ରତ୍ୟେକ ଶାଲ୍ କିମ୍ବା ମେଖେଲା ଅଲଗା ଅଲଗା ଶ୍ରେଣୀ ପାଇଁ ହୋଇଥାଏ । ଉଦାହରଣ ସ୍ୱରୂପ, ଅବିବାହିତ ବ୍ୟକ୍ତି, ବିବାହିତ ଦମ୍ପତି, କମ୍ ବୟସର ଯୁବକ କିମ୍ବା ଯୁବତୀ ପାଇଁ ନିର୍ଦ୍ଦିଷ୍ଟ ଧରଣର ହୋଇଥାଏ ଏବଂ କିଛି ଅନ୍ତିମ ସଂସ୍କାର ପାଇଁ ସଂରକ୍ଷିତ ରହିଥାଏ,’’ ସେ ସ୍ପଷ୍ଟ କରିଛନ୍ତି । ଅତଶୋଲଙ୍କ ଅନୁସାରେ ବର୍ଚ୍ଛା, ଢାଲ, ମିଥୁନ, ହାତୀ, ଚନ୍ଦ୍ର, ସୂର୍ଯ୍ୟ, ଫୁଲ ଏବଂ ପ୍ରଜାପତି ଆଦି କିଛି ସାଧାରଣ ରୂପାଙ୍କନ ଚାଖେଞ୍ଚା ଶାଲ୍ରେ ଦେଖିବାକୁ ମିଳେ ।
![](/media/images/05a-IMG_0390-MJ-In_Nagaland-women_weave_th.max-1400x1120.jpg)
![](/media/images/05b-IMG_2A-MJ-In_Nagaland-women_weave_thro.max-1400x1120.jpg)
ବାମ: ଗତ ବର୍ଷଗୁଡ଼ିକରେ , ରୀରା ଏବଂ ରୁରା ସହ ଥୁଃ ପିଖୁ / ସୁଃକେଚୁଃରା / ହାପିଦାସା ଶାଲ୍ ଚାଖେଞ୍ଚା ଜନଜାତିର ସବୁଠୁ ଅଧିକ ପରିଚିତ ଶାଲ୍ ଭାବରେ ଉଭା ହୋଇଛି । ପାରମ୍ପରିକ ଭାବେ , ଏହି ଶାଲ୍ ଦମ୍ପତିମାନଙ୍କୁ ପ୍ରଦାନ କରାଯାଇଥାଏ ଯେଉଁମାନେ ସମସ୍ତ ନିର୍ଦ୍ଦିଷ୍ଟ ' ପୂଣ୍ୟର ପର୍ବ’ ପ୍ରଦର୍ଶନ କରିଥାନ୍ତି । ହାପିଦାସା ଶାଲ୍ ସବୁଠୁ ଅଧିକ ସମ୍ମାନ ପାଇଥାଏ ଏବଂ ଏହା ସମୃଦ୍ଧତା ଓ ଉଦାରତାର ପ୍ରତୀକ । ଡାହାଣ: ‘ରୁରା’ ଶାଲ୍ ହେଉଛି ‘ରୀରା’ର ସ୍ତ୍ରୀଲିଙ୍ଗ ପ୍ରତିରୂପ । ଏହା ସାଧାରଣତଃ ଏରୁ ଡିଜାଇନ୍ ସହିତ ଧଳା ହୋଇଥାଏ । ଅତିରିକ୍ତ ବଡ଼ ଧଳା ପଟ୍ଟି ଆଲୋକ , ସୁଖ ଏବଂ ମାନସିକ ଶାନ୍ତିର ପ୍ରତିନିଧିତ୍ୱ କରେ ଏବଂ ଏରୁ ଡିଜାଇନ୍ ଧନ ଏବଂ ପୁରସ୍କାରର ପ୍ରତୀକ
![](/media/images/06a-Image_1B-MJ-In_Nagaland-women_weave_th.max-1400x1120.jpg)
![](/media/images/06b-IMG_1493-MJ-In_Nagaland-women_weave_th.max-1400x1120.jpg)
ବାମ: ଏକ ପାରମ୍ପରିକ ଚାଖେଞ୍ଚା ଷ୍ଟୋଲ୍ । ଡାହାଣ: ପୁରୁଷମାନଙ୍କ ପାଇଁ ‘ରୀରା’ ଶାଲ୍ରେ ବର୍ଚ୍ଛା , ଢା ଲ , ପଶୁ ହାଡ଼ ଏବଂ ଅନ୍ୟଗୁଡ଼ିକ ମଧ୍ୟରେ ଏକପ୍ରକାର ଛୁରୀ ଆକୃତି ରହିଥାଏ
କିନ୍ତୁ ଯେଉଁ ମହିଳାମାନଙ୍କ ସହ ‘ପରୀ’ କଥା ହୋଇଥିଲା ସେମାନଙ୍କ ମଧ୍ୟରୁ ଅନେକ ଏହି ବର୍ଗଗୁଡ଼ିକ ସଂପର୍କରେ ଏବଂ ସେମାନେ ବୁଣୁଥିବା ରୂପାଙ୍କନ ବିଷୟରେ ଅବଗତ ନଥିଲେ, ଏହା ସୂଚାଉଛି ଯେ ଏହି ହସ୍ତଶିଳ୍ପ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ି ପର୍ଯ୍ୟନ୍ତ ଚାଲିଆସିଛି, ଏଥିରେ ଥିବା କାହାଣୀଗୁଡ଼ିକ ନୁହେଁ । କେକୁୱେ-ୟୁ ଏବଂ ତାଙ୍କ ପଡ଼ୋଶୀମାନେ ମଧ୍ୟ ଜାଣି ନାହାନ୍ତି ଯେ ଚାଖେଞ୍ଚା ଶାଲ୍ ଜିଆଇ ଟ୍ୟାଗ୍ ପାଇଛି, କିନ୍ତୁ ଆର୍ଥିକ ଜରୁରୀକାଳୀନ ସମୟରେ ବୁଣାବୁଣି ବହୁତ ସାହାଯ୍ୟ କରିଥାଏ ବୋଲି କହିଛନ୍ତି । ଭେହୁଜୁଲୁ, ସୂତାରେ ପଟି ବୁଣି ଏହାକୁ ଏକ କାଠ ବିଟର ସହିତ ଶକ୍ତ ଭାବେ ବାନ୍ଧି ‘ପରୀ’କୁ କୁହନ୍ତି, “ଫସଲ ଅମଳ ନହେବା ପର୍ଯ୍ୟନ୍ତ ଆମେ ଚାଷରୁ କିଛି ରୋଜଗାର କରୁନାହୁଁ, କିନ୍ତୁ ବୁଣାବୁଣି କ୍ଷେତ୍ରରେ ଏହା ଯେକୌଣସି ସମୟରେ ସଙ୍କଟ ସହ ମୁକାବିଲା କରୁଥିବା ବେଳେ ବିକ୍ରି ହୋଇପାରେ ।”
*****
ବୁଣାକାରମାନେ ସାଧାରଣତଃ ଫେକ୍ ଜିଲ୍ଲାର ଏକ ସବ୍-ଡିଭିଜନ୍ ଫୁତ୍ସେରୋର ବଜାରରୁ କଞ୍ଚାମାଲ କିଣନ୍ତି । ବୁଣାବୁଣିରେ ଦୁଇ ପ୍ରକାରର ସୂତା ବ୍ୟବହୃତ ହୁଏ - କପା ଏବଂ ଉଲ୍ ଏବେ ଅଧିକ ପ୍ରଚଳିତ ଏବଂ ବହୁ ପରିମାଣରେ ଉତ୍ପାଦିତ ହେଉଥିବା ସୂତାର ଉପଲବ୍ଧତା ସହିତ ଉଦ୍ଭିଦରୁ ପାରମ୍ପରିକ ପ୍ରାକୃତିକ ଫାଇବରର ପ୍ରଚଳନ ଧୀରେ ଧୀରେ ହ୍ରାସ ପାଉଛି ।
ଭେହୁଜୁଲୁ କୁହନ୍ତି, “ଆମେ ସାଧାରଣତଃ ନଭେମ୍ବର-ଡିସେମ୍ବର ମାସରେ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ବହୁଳ ଭାବରେ କ୍ରୟ କରିଥାଉ, ଯିଏ ସାଧାରଣତଃ ଆମର ପ୍ରସ୍ତୁତ ଉତ୍ପାଦକୁ ବିକ୍ରୟ ପାଇଁ ରଖନ୍ତି କିମ୍ବା ଅର୍ଡର ଆଣିବା ବ୍ୟବସ୍ଥା କରନ୍ତି ।’’ ଏକ କିଲୋ ସ୍ଥାନୀୟ ଉଲ୍ ଏବଂ ଦୁଇ ପ୍ଲାଇ ସୂତା ମୂଲ୍ୟ ୫୫୦ ଟଙ୍କା ଏବଂ ଥାଇଲ୍ୟାଣ୍ଡ ସୂତାର ମୂଲ୍ୟ ଏକ କିଲୋକୁ ୬୪୦ ଟଙ୍କା।
ବୁଣାକାରମାନେ ବାଉଁଶ ଏବଂ କାଠରେ ନିର୍ମିତ ଏକ ପାରମ୍ପରିକ ନାଗା ଲୋଇ ଲୁମ୍ରେ ବୁଣିଥାନ୍ତି ।
ଚେଝେରୋ କିମ୍ବା ବ୍ୟାକଷ୍ଟ୍ରାପ୍ ଏବଂ ରାଡ୍ଜୁ କିମ୍ବା ଏକ କାଠ ରାପିଂ ମେସିନ ଆଡ଼କୁ ଇସାରା କରନ୍ତି କେକୁୱେ-ୟୁ । ସେ ବୁଝାଇ କୁହନ୍ତି ଯେ ବ୍ୟାକଷ୍ଟ୍ରାପ୍ ଏକ କେପେ (କାଠ ପଟ୍ଟା କିମ୍ବା ରଡ୍) ସହିତ ସଂଯୁକ୍ତ । ଏହା ଟେନସନ ସୃଷ୍ଟି କରେ ଏବଂ ବୁଣା ଯାଇଥିବା ଶେଷ ଭାଗକୁ ଗୁଡ଼ାଏ । ତଥାପି, 'ରାଡଜୁ' ବିନା, ରାପ୍ ବିମ୍, ଯାହାକୁ 'ରାଡ୍ଜୁ କୁଲୋ' କୁହାଯାଏ, ଭୂସମାନ୍ତର ଭାବରେ ଏକ କାନ୍ଥ କିମ୍ବା ଟେନସନ୍ ସୃଷ୍ଟି କରିବାକୁ ଯେକୌଣସି ସହାୟକ ସଂରଚନା ସହିତ ଯୋଡ଼ା ଯାଇପାରେ ।
![](/media/images/07a-Weaving-MJIn_Nagaland-women_weave_thro.max-1400x1120.jpg)
![](/media/images/07b-IMG_5849-MJ-In_Nagaland-women_weave_th.max-1400x1120.jpg)
ବାମ: ବୁଣିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପକରଣ ଆବଶ୍ୟକ ହୁଏ। ଡାହାଣ: କେକୁୱେ-ୟୁ 'ରାଡଜୋ କୁଲୋ' ନାମକ ଏକ ରାପ୍ ବିମ୍ରେ ବୁଣୁଛନ୍ତି ଯାହା ରୋଷେଇ କାନ୍ଥରେ ଭୂସମାନ୍ତର ଭାବରେ ସଂଲଗ୍ନ ହୋଇଛି
![](/media/images/08a-IMG_5813-MJ-In_Nagaland-women_weave_th.max-1400x1120.jpg)
![](/media/images/08b-IMG_4761-MJ-In_Nagaland-women_weave_th.max-1400x1120.jpg)
ବାମ: ଭେହୁଜୁଲୁ ଅଙ୍ଗାମୀ ଜନଜାତିର ଶାଲ୍ ଉପରେ ଏକ ପାର୍ଟନ ବୁଣୁଛନ୍ତି। ଡାହାଣ: ନିଖୁ ଥୁଲୁ କାର୍ଯ୍ୟରେ ବ୍ୟସ୍ତ
ବୁଣାକାରମାନେ ବୟନ ପ୍ରକ୍ରିୟା ପାଇଁ ପାଞ୍ଚରୁ ଆଠଟି ଉପକରଣ ବ୍ୟବହାର କରନ୍ତି: ଶାଲ୍ର ଗୁଣବତ୍ତା, ଚିକ୍କଣତା ଏବଂ ଦୃଢ଼ତା ନିର୍ଦ୍ଧାରିତ କରିବା ପାଇଁ ଏକ ଲୋଜି କିମ୍ବା କାଠ ବିଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ; ମେଫେଟଶୁକା ନାମକ ଏକ ବୁଣା ସଟଲ ହେଉଛି ସୂତା ସହିତ ଏକ ସାଧାରଣ ବାଡ଼ି । ଜଟିଳ ପାର୍ଟନଗୁଡ଼ିକର ଡିଜାଇନ ପାଇଁ, ବୁଣାକାରମାନେ ପତଳା ବାଉଁଶ ହେଡଲ୍ ଷ୍ଟିକ୍ ବ୍ୟବହାର କରନ୍ତି – ଲୋନୁ ଥସୁକା - ସୂତା ହେଡଲ୍ ସହିତ ବନ୍ଧାଯାଏ । ବୁଣିବା ସମୟରେ ଉପର ଏବଂ ତଳ ଧାଡ଼ି ଅଲଗା କରିବା ପାଇଁ ଲୋପୁ ବା ବାଉଁଶ ଶେଡ୍ ବାଡ଼ି ବ୍ୟବହୃତ ହୁଏ । ପତଳା ବାଉଁଶ ବାଡ଼ିଗୁଡ଼ିକୁ କେଝେଚୁଃକା ଏବଂ ନାଚେ ଚୁଃକା କୁହାଯାଏ, ଏହା ସୂତାକୁ ଅଲଗା ଏବଂ କ୍ରମରେ ରଖିବା ପାଇଁ ଲିଜ୍ ରଡ୍ ଭାବରେ କାର୍ଯ୍ୟ କରେ ।
*****
ଏଠାରେ ମୁଖ୍ୟ ଫସଲ ହେଉଛି ଧାନ, ଯାହା ମେ’ - ଜୁନ୍ ମାସରେ ଚାଷ କରାଯାଏ । ଭେହୁଜୁଲୁ ସେମାନଙ୍କର ଛୋଟ ଜମିରେ ଖୁଭି (ଆଲିୟମ୍ ଚାଇନିଜ୍) ମଧ୍ୟ ଚାଷ କରନ୍ତି - ସାଲାଡ ଏବଂ ଅନ୍ୟାନ୍ୟ ଖାଦ୍ୟରେ ବ୍ୟବହୃତ ଏକ ପ୍ରକାର ସୁଗନ୍ଧିତ ଜଡିବୁଟି ଯାହାକୁ ଭେହୁଜୁଲୁ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି ।
“ଫସଲ ବୁଣିବା ଏବଂ ଅମଳ ମଧ୍ୟରେ ଥିବା ସମୟ ମଧ୍ୟରେ, ସାଧାରଣ କୃଷି ଚକ୍ର ଅଛି ଯେପରିକି ଘାସ ବଛା, ପୋଷଣ ଏବଂ ବନ୍ୟଜନ୍ତୁଙ୍କଠାରୁ ଫସଲକୁ ରକ୍ଷା କରିବା,” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିରେ ବୁଣାବୁଣି ପାଇଁ ପୂରା ଧ୍ୟାନ ଦେବାକୁ ସୀମିତ ସମୟ ବଳିଥାଏ ।
କେକୁୱେ-ୟୁ ମନେ ପକାନ୍ତି ଯେ ଚାଷ କାର୍ଯ୍ୟରେ ଯଥେଷ୍ଟ ଯୋଗଦାନ ନ ଦେଇ ତା’ ବଦଳରେ ବୁଣାବୁଣିରେ ସମୟ ଦେଇଥିବାରୁ ତାଙ୍କ ପରିବାର ଲୋକ ତାଙ୍କୁ ଅପମାନିତ କରିଥିଲେ । କିନ୍ତୁ ସେ ତାଙ୍କ ମନ ପରିବର୍ତ୍ତନ କରିନଥିଲେ । ସେ କୁହନ୍ତି, “ଯଦିଓ ମୁଁ କ୍ଷେତକୁ ସବୁବେଳେ ଯାଉନଥିଲି, ବୁଣାବୁଣି ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜୀବିକା ଉତ୍ସ ହୋଇଥିଲା । ବିବାହ ପୂର୍ବରୁ ମୋ ଭାଇର ପିଲାମାନଙ୍କ ପାଇଁ ଟ୍ୟୁସନ ଫି ଦେବାରେ ମୁଁ ସାହାଯ୍ୟ କରୁଥିଲି ଏବଂ ପର୍ବପର୍ବାଣୀରେ ଯେଉଁ ପ୍ରକାରେ ହେଉ ମୁଁ ସାହାଯ୍ୟ କରୁଥିଲି ।’’ କେକୁୱେ-ୟୁ ଆହୁରି କୁହିଛନ୍ତି ଯେ ଅଫ୍ ସିଜନ୍ ସମୟରେ, ପରିବାରର ରାସନ କିଣିବା ପାଇଁ ସେ ବୁଣାବୁଣିରୁ ଅର୍ଜନ କରିଥିବା ଟଙ୍କା ଦେଉଥିଲେ ।
![](/media/images/09a-IMG_4735-MJ-In_Nagaland-women_weave_th.max-1400x1120.jpg)
![](/media/images/09b-IMG_5802-MJ-In_Nagaland-women_weave_th.max-1400x1120.jpg)
ବାମ ଏବଂ ଡାହାଣ: ନିଜ ଝିଅ ସହ କେକୁୱେ-ୟୁ । ତାଙ୍କୁ ଚାଷ ଏବଂ ଘର କାମ ମଧ୍ୟରେ ବୁଣାବୁଣି ପାଇଁ ସମୟ ବାହାର କରିବାକୁ ପଡ଼େ
![](/media/images/010a-IMG_4722-MJIn_Nagaland-women_weave_th.max-1400x1120.jpg)
![](/media/images/010b-IMG_5833-Crop-MJ-In_Nagaland-women_we.max-1400x1120.jpg)
ବାମ: କେକୁୱେ-ୟୁଙ୍କ ବାସଭବନର ଏକ ଦୃଶ୍ୟ । ଡାହାଣ: କେକୁୱେ-ୟୁ ଏବଂ ଭେହୁଜୁଲୁ ଏକ ତିନି ଭାଗ ଅଙ୍ଗାମି ନାଗା ଜନଜାତିର ଶା ଲ୍ ର ସରିଥିବା ଅଂଶକୁ ଦେଖାଉଛନ୍ତି, ଯାହାକୁ ସେ ବୁଣୁଛନ୍ତି
ମହିଳାମାନଙ୍କ କହିବା କଥା ମଜୁରୀ ଯଥେଷ୍ଟ ମିଳେ ନାହିଁ ।
ଭେହୁଜୁଲୁ କୁହନ୍ତି, "ଯଦି ଆମେ ଦୈନିକ ମଜୁରୀ ପାଇଁ ଯିବା ତେବେ ଆମେ ପ୍ରାୟ ୫୦୦ ରୁ ୬୦୦ ଟଙ୍କା ରୋଜଗାର କରିପାରିବା ଏବଂ ଯଦି ଆମେ ବୁଣାବୁଣି କରିଥାଉ, ତେବେ ଆମେ ସପ୍ତାହକୁ ପ୍ରାୟ ୧୦୦୦ରୁ ୧୫୦୦ ଟଙ୍କା ରୋଜଗାର କରିପାରିବା ।" ଏଥିରେ କେକୁୱେ-ୟୁ ଯୋଗ କରି କୁହନ୍ତି ଯେ କମ୍ ଦୈନିକ ମଜୁରୀ କାରଣ ହେଉଛି ଜଣେ ଦିନ ମଜୁରିଆ ଦିନକୁ ପ୍ରାୟ ୬୦୦ରୁ ୧୦୦୦ରୋଜଗାର କରେ, କିନ୍ତୁ ମହିଳାମାନେ ମାତ୍ର ୧୦୦ ରୁ ୧୫୦ ପାଇଥାନ୍ତି ।
“ପୋଇସା ପୈଲି ହୋଇସେ (ଯେପର୍ଯ୍ୟନ୍ତ ମୁଁ ପାରିଶ୍ରମିକ ନେଉଛି ଠିକ୍ ଅଛି)’’ ଏୟିହିଲୁ ଚଟସୋ ଏକ ହାଲୁକା ଢଙ୍ଗରେ କୁହନ୍ତି ଏବଂ ପରେ ଉଦ୍ବେଗ ପ୍ରକାଶ କରି କୁହନ୍ତି, “ଏଠାରେ ସରକାରଙ୍କ ସହାୟତା ନାହିଁ।”
ଏଠାରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଅଛି । ଅତ୍ୟଧିକ ସମୟ ପାଇଁ ଗୋଟିଏ ଅବସ୍ଥାରେ ବସିବା କିମ୍ବା ନଇଁବା ଯୋଗୁଁ ହମ ରବିଖା (ପିଠି ଯନ୍ତ୍ରଣା) ହୋଇଥାଏ, ଯାହା ସଂପର୍କରେ ଭେହୁଜୁଲୁ ତୁରନ୍ତ କୁହନ୍ତି ଯେ ଏହା ହେଉଛି ସବୁଠୁ ବଡ଼ ଆହ୍ୱାନ ମଧ୍ୟରୁ ଗୋଟିଏ ।
ବଜାରରେ ମେସିନ୍ ନିର୍ମିତ ଉତ୍ପାଦଠାରୁ ମଧ୍ୟ ପ୍ରତିଯୋଗିତା ରହିଛି । କେକୁୱେ-ୟୁ କୁହନ୍ତି, “ବଜାରରୁ ଏପରି ପୋଷାକ କିଣିବା ସମୟରେ ବିନା ଅଭିଯୋଗରେ ଲୋକମାନେ ଅଧିକ ମୂଲ୍ୟ ଦିଅନ୍ତି, କିନ୍ତୁ ଯେତେବେଳେ ସ୍ଥାନୀୟ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର କଥା ଆସେ, ଏପରିକି ଯଦି ଗୋଟିଏ ସୂତା ଢିଲା ଥାଏ, ଲୋକେ ରିହାତି ମାଗନ୍ତି ।’’
ଏହି କାହାଣୀ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ୍ (MMF)ର ଏକ ଫେଲୋସିପ୍ ଦ୍ୱାରା ସମର୍ଥିତ ।
ଅନୁବାଦ: ଓଡ଼ିଶାଲାଇଭ୍