୨୦୨୩ ମସିହା ଏପ୍ରିଲ ୩୦ ତାରିଖ ଦିନ ହିମାଳୟ ପର୍ବତମାଳାର ଧଉଲାଧାର ପାର୍ବତ୍ୟ ଶୃଙ୍ଖଳରେ ଅବସ୍ଥିତ ଧର୍ମଶାଳା (ଧରମଶାଳା ବୋଲି ମଧ୍ୟ ଲେଖାଯାଏ) ସହରରେ ଆୟୋଜିତ ହୋଇଥିଲା ପ୍ରଥମ ‘ପ୍ରାଇଡ୍ ମାର୍ଚ୍ଚ୍’ - ସମଲିଙ୍ଗୀ ସମାଜର ସ୍ୱାଭିମାନ ପଦଯାତ୍ରା ।
‘ଏହି ଘର ତୁମ ପାଇଁ, ମୋ ପାଇଁ, ପୁରୁଷଙ୍କ ପାଇଁ, ମହିଳାଙ୍କ ପାଇଁ ସେମାନେ ଏବଂ ସେମାନଙ୍କ ପାଇଁ’- ଏହିଭଳି ବିଭିନ୍ନ ସ୍ଲୋଗାନ୍ ଲେଖା ଥିବା ପ୍ଲାକାର୍ଡ ହାତରେ ଧରିଥିବା ଲୋକମାନେ ମୁଖ୍ୟ ବଜାରରୁ ବାହାରି ଧର୍ମଶାଳାର ତିବ୍ବତୀୟ ଜନବସତି ମ୍ୟାକଲୋଡଗଞ୍ଜରେ ଅବସ୍ଥିତ ଦଲାଇ ଲାମାଙ୍କ ମନ୍ଦିର ଅଭିମୁଖେ ପଦଯାତ୍ରାରେ ଆଗେଇ ଯାଇଥିଲେ । ପରେ ଏହି ପଦଯାତ୍ରା ସହରର ଏକ ବ୍ୟସ୍ତବହୁଳ ବ୍ୟାବସାୟିକ ଅଞ୍ଚଳ କୋତୱାଲି ବଜାରରେ ପ୍ରବେଶ କରିଥିଲା । ଏହା ଥିଲା ହିମାଚଳ ପ୍ରଦେଶରେ ସମଲିଙ୍ଗୀ ବା LGBTQIA+ ସମାଜ ପ୍ରତି ସମର୍ଥନ ପ୍ରଦର୍ଶନ ପୂର୍ବକ ପ୍ରଥମ ସର୍ବସାଧାରଣ ସମାବେଶ ଏବଂ ଏଥିରେ ଭାଗ ନେଇଥିବା ଅଧିକାଂଶ ବ୍ୟକ୍ତି ରାଜ୍ୟର ଗ୍ରାମାଞ୍ଚଳ ତଥା ଛୋଟ ଛୋଟ ସହରରୁ ଆସିଥିଲେ।
“ଆମେ ଅଜିବ୍ (ଅଜବ୍) ଶବ୍ଦଟିକୁ ଗର୍ବର ସହ ବ୍ୟବହାର କରୁ,” ବୋଲି କହନ୍ତି ଡନ୍ ହସର, ପଦଯାତ୍ରାର ଅନ୍ୟତମ ସଂଗଠକ ଏବଂ ହିମାଚଳ କ୍ୟୁୟର ଫାଉଣ୍ଡେସନ୍ (HQF) ନାମକ ସଂସ୍ଥାର ସହ-ସଂସ୍ଥାପକ । ସେମାନଙ୍କ ପସନ୍ଦ ସଂପର୍କରେ ବୁଝାଇବାକୁ ଯାଇ ୩୦ ବର୍ଷୀୟ ଡନ୍ ଆହୁରି କହନ୍ତି, “କ୍ୟୁୟରନେସ୍ (ଯୌନ ସମ୍ବନ୍ଧ ପ୍ରସଙ୍ଗରେ ବିଚିତ୍ରତା) ଶବ୍ଦର ଅର୍ଥ ବର୍ଣ୍ଣନା କରିବା ପାଇଁ ଆମେ ଇଂଲିଶ ଶବ୍ଦଗୁଡ଼ିଏ ବ୍ୟବହାର କରୁ । କିନ୍ତୁ ହିନ୍ଦୀ ବା ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ କ’ଣ କୁହାଯିବ? ଆଞ୍ଚଳିକ ଭାଷାରେ ରହିଥିବା କେତେକ ଗୀତ ଏବଂ ଗପ ଉପଯୋଗ କରି ଆମେ କ୍ୟୁୟରନେସ୍ ଏବଂ ଫ୍ଲୁଇଡିଟି (ଯୌନ ସମ୍ବନ୍ଧ କ୍ଷେତ୍ରରେ ବିବିଧତା) ସଂପର୍କରେ କହିଥାଉ ।”
ସୂଚନା ପାଇବାର ଖୁବ୍ କମ୍ ସମୟ ମଧ୍ୟରେ ଦିଲ୍ଲୀ, ଚଣ୍ଡୀଗଡ଼, କୋଲକାତା, ମୁମ୍ବାଇ ଏବଂ ରାଜ୍ୟର ଛୋଟ ଛୋଟ ସହରରୁ ୩୦୦ ଲୋକ ଏହି ପଦଯାତ୍ରାରେ ଭାଗ ନେବାକୁ ଆସି ଏକାଠି ହୋଇଥିଲେ । ଏହି ‘ପ୍ରାଇଡ୍ ମାର୍ଚ୍ଚ’ରେ ଅଂଶଗ୍ରହଣ କରିଥିବା ଶିମଲା ବିଶ୍ୱବିଦ୍ୟାଳୟର ୨୦ ବର୍ଷୀୟ ଛାତ୍ର ଆୟୁଷ କହିଲେ, “ଏଠାରେ (ହିମାଚଳ ପ୍ରଦେଶରେ) କେହି ହେଲେ ଏ ବିଷୟରେ (କ୍ୟୁୟର ବା ସମଲିଙ୍ଗୀ ହୋଇଥିବା) କଥାବାର୍ତ୍ତା କରନ୍ତି ନାହିଁ ।” ସ୍କୁଲରେ ଥିବା ସମୟରେ ଆୟୁଷଙ୍କ ପାଇଁ ଗାଧୁଆ ଘରକୁ ଯିବା କଷ୍ଟକର ହୋଇପଡ଼ିଥିଲା । “ମୋ ଶ୍ରେଣୀର ପିଲାମାନେ ମୋତେ ଚିଡ଼ାନ୍ତି ଏବଂ ଧମକଚମକ ଦିଅନ୍ତି । ଅନଲାଇନରେ ଏହି ସଂପ୍ରଦାୟକୁ ପାଇବା ପରେ ମୁଁ ନିଜେ ନିଜକୁ ସୁରକ୍ଷିତ ଅନୁଭବ କଲି । ଯେଉଁ ଲୋକମାନେ ମୋତେ ବୁଝିପାରନ୍ତି, ସେମାନଙ୍କ ସହ ମିଶିବା ଲାଗି ଏହା ମୋତେ ସୁଯୋଗ ଦେଲା ।”
ଏହି ସବୁ ଆଲୋଚନାକୁ କଲେଜରେ ପହଞ୍ଚାଇବା ଦିଗରେ ଉଦ୍ୟମ କରୁଛନ୍ତି ଆୟୁଷ । ଏ ସଂପର୍କିତ ଖୋଲାଖୋଲି ଆଲୋଚନା କରିବା ସକାଶେ ଜଣେ ଅଧ୍ୟାପକଙ୍କୁ ଉପଦେଷ୍ଟା ଭାବରେ ରଖି ସେ ଏକ ମଞ୍ଚ ପ୍ରସ୍ତୁତ କରିଛନ୍ତି । ଲୋକେ ଲିଙ୍ଗ ଏବଂ ଯୌନାଚାର ସଂପର୍କରେ ଶିକ୍ଷାଲାଭ କରିବାକୁ ଏଠାକୁ ଆସନ୍ତି ଏବଂ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ନିଜ ନିଜର ଅନୁଭୂତି ବର୍ଣ୍ଣନା କରନ୍ତି ।
ହିମାଚଳ କ୍ୟୁୟର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଶଶାଙ୍କଙ୍କ ଘର କାଙ୍ଗଡ଼ା ଜିଲ୍ଲା ପାଲମପୁର ତହସିଲର ଗୋଟିଏ ଗାଁରେ । ଶଶାଙ୍କ କହନ୍ତି, “ମୁଁ ନିଜକୁ ଜଣେ ଅନୁପଯୁକ୍ତ ବ୍ୟକ୍ତି ବୋଲି ସବୁବେଳେ ଅନୁଭବ କରୁଥିଲି । ଘଟଣାକ୍ରମେ ସୋସିଆଲ ମିଡିଆ ଜରିଆରେ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଆସୁଥିବା ବ୍ୟକ୍ତିମାନଙ୍କୁ ମୁଁ ଭେଟିଲି । ଅନେକ ଲୋକ ଲଜ୍ଜା କିମ୍ବା ଦୋଷ କରିବା ଭଳି ଅନୁଭବ କରୁଥିଲେ ।” ଏହି ଅନୁଭୂତିରୁ ହିଁ ସଂକଟ ସମୟରେ ସେମାନଙ୍କ ସହାୟତା ନିମନ୍ତେ ଶଶାଙ୍କ ଏକ ହେଲପଲାଇନ୍ ଆରମ୍ଭ କଲେ ଏବଂ ୨୦୨୦ ନମ୍ବରଟି କେବଳ ଏଥିପାଇଁ ରହିଲା ।
ଏହି ପ୍ରସଙ୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସଂପର୍କରେ ସ୍ୱର ଉଠାଇବା ଉଦ୍ଦେଶ୍ୟରେ ଶଶାଙ୍କ କହିଲେ, “କାହିଁକି ଗ୍ରାମୀଣ ସମଲିଙ୍ଗୀ ବ୍ୟକ୍ତିମାନଙ୍କର ସ୍ୱର ଶୁଭୁନାହିଁ ?” ଉଭୟଲିଙ୍ଗୀ ବ୍ୟକ୍ତି (ଅଧିକାର ସଂରକ୍ଷଣ) ଆଇନ ୨୦୧୯ରେ ଥିବା ନିର୍ଦ୍ଦିଷ୍ଟ କେତେକ ବ୍ୟବସ୍ଥା ହିମାଚଳ ପ୍ରଦେଶରେ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଦର୍ଶାଇ ସେମାନେ ଶିମଲା ହାଇକୋର୍ଟରେ ଏକ ଆବେଦନ ମଧ୍ୟ ଦାଖଲ କରିବେ ।
ଏହି ପଦଯାତ୍ରାର ଅନ୍ୟତମ ସଂଗଠକ ଏବଂ ହିମାଚଳ କ୍ୟୁୟର ଫାଉଣ୍ଡେସନ (HQF)ର ସହ ସଂସ୍ଥାପକ ହେଲେ ଡନ୍ ହସର। ସେମାନେ କହନ୍ତି, ଏହି ସଂଗଠନ କମିଟି ଗଠନ କରିବା ପାଇଁ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରୁ ୧୩ ଜଣ ବ୍ୟକ୍ତି ଆସି ଏକତ୍ର ହୋଇଥିଲେ । କୋଲକାତା ନିବାସୀ ଡନ୍ କହନ୍ତି, “ଦୁଇ ସପ୍ତାହ ଭିତରେ ଆମେ ସବୁ କିଛି ଚୂଡ଼ାନ୍ତ କରିନେଲୁ ।” ଧର୍ମଶାଳାର ଏକ ତିବ୍ବତୀୟ ବସତି ମ୍ୟାକଲୋଡଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖରୁ ପଦଯାତ୍ରା ପାଇଁ ଅନୁମତି ହାସଲରୁ ସଂଗଠକମାନଙ୍କ କାମ ଆରମ୍ଭ ହେଲା ।
ଏହା ପରେ HQF ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିବରଣୀ ପ୍ରଦାନ କରାଗଲା ଏବଂ ଏଥିପ୍ରତି ଅନେକ ଉତ୍ସାହଭରା ପ୍ରତ୍ୟୁତ୍ତର ମିଳିଲା । ଅନ୍ୟତମ ସଂଗଠକ ମନୀଷ ଥାପା କହନ୍ତି, “ଗର୍ବର ସହିତ ପଦଯାତ୍ରାରେ ସାମିଲ ହେବା ପାଇଁ ସାହସ ଦରକାର । ଆମେ ଏହିଠାରେ (ଛୋଟ ଛୋଟ ସହରରେ) ହିଁ ଏ ସଂପର୍କିତ ଆଲୋଚନା ଆରମ୍ଭ କରିବା ଲାଗି ଚାହୁଁଥିଲୁ ।”
ତାଙ୍କ ସହିତ ସ୍ୱର ମିଳାଇ ଡନ୍ କହନ୍ତି ଯେ ସେମାନେ ମଧ୍ୟ ଜାତି, ଶ୍ରେଣୀ, ଭୂମିହୀନ ଏବଂ ରାଜ୍ୟହୀନ ବ୍ୟକ୍ତିଙ୍କ ସପକ୍ଷରେ ଏକଜୁଟ ହୋଇ ପଦଯାତ୍ରାରେ ଯାଇଛନ୍ତି । ଯେମିତି କି ପଦଯାତ୍ରାରେ ପ୍ରଦର୍ଶିତ ଗୋଟିଏ ପ୍ଲାକାର୍ଡରେ ଲେଖା ଥିଲା ‘ଜାତିପ୍ରଥା ଉଚ୍ଛେଦ ବିନା ସମଲିଙ୍ଗୀ ସ୍ୱାଧୀନତା ମିଳିବ ନାହିଁ, ଜୟ ଭୀମ !’
ଯେଉଁଦିନ ସମାବେଶ ହୋଇଥିଲା ସେଦିନ ଥିଲା ରବିବାର ଏବଂ ସହରର ବିଭିନ୍ନ ବାଣିଜ୍ୟିକ ଅଞ୍ଚଳ ଦେଇ ୯୦ ମିନିଟରେ ୧.୨ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା ପ୍ରାଇଡ୍ ମାର୍ଚ୍ଚ । ମଝିରେ ମଝିରେ ସେମାନେ ନାଚିବା ଏବଂ କହିବା ପାଇଁ ଅନେକ ଥର ରାସ୍ତାରେ ଅଟକିଥିଲେ । ଏହି ସ୍ଥାନକୁ ସେମାନେ କାହିଁକି ବାଛିଲେ ବୋଲି ପ୍ରଶ୍ନର ଉତ୍ତରରେ ମନୀଷ ଥାପା କହନ୍ତି, “ଏଠାରେ (ଏହି ବଜାରରେ) ପ୍ରାୟ ୩୦୦ ଛୋଟ ଛୋଟ ଦୋକାନ ରହିଛି । ବଡ଼କଥା ହେଲା ମୁଖ୍ୟ ରାସ୍ତାରେ ପଦଯାତ୍ରାରେ ଚାଲିଲେ ଲୋକେ ଆମକୁ ଦେଖିପାରିବେ ।”
ଉଭୟଲିଙ୍ଗୀ ବ୍ୟକ୍ତିଙ୍କ ପାଇଁ ରହିଥିବା ଜାତୀୟ ପୋର୍ଟାଲରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ୨୦୧୯ ମସିହାରେ ଏହା ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ ମାତ୍ର ୧୭ଟି ଉଭୟଲିଙ୍ଗୀ ପରିଚୟ ବହନ କରୁଥିବା କାର୍ଡ ଜାରି କରାଯାଇଛି ।
ଡନ୍ କହନ୍ତି, “ହିମାଚଳର କାଙ୍ଗଡ଼ା ଜିଲ୍ଲାରେ ଏହି ଉଭୟଲିଙ୍ଗୀ ପରିଚୟ ପତ୍ର ପାଇବାରେ ମୁଁ ପ୍ରଥମ ବ୍ୟକ୍ତି । ଏହାକୁ ପାଇବା ଲାଗି ମୋତେ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା । ହେଲେ ଯେଉଁମାନେ ନିଜ ଅଧିକାର ପାଇବାର ଉପାୟ ଜାଣିନାହାନ୍ତି ସେମାନଙ୍କ ସ୍ଥିତି କ’ଣ ? ସେମାନଙ୍କ ପାଇଁ କୌଣସି ରାଜ୍ୟସ୍ତରୀୟ କଲ୍ୟାଣ ବୋର୍ଡ ନାହିଁ । ଆଶ୍ରୟସ୍ଥଳୀ ଏବଂ କଲ୍ୟାଣକାରୀ ଯୋଜନା କାହିଁ ? ଏ ପ୍ରସଙ୍ଗରେ ସରକାରୀ ଅଧିକାରୀମାନେ କାହିଁକି ସମ୍ବେଦନଶୀଳ ହେଉନାହାନ୍ତି ? ”
ଏହି ‘ପ୍ରାଇଡ୍ ମାର୍ଚ୍ଚ’ ଦେଖୁଥିବା ଅନେକ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବି ଏ ସଂପର୍କିତ ସଚେତନତାର ଅଭାବ ପରିଲକ୍ଷିତ ହୋଇଥିଲା । କୋତୱାଲି ବଜାରରେ ଭଡ଼ାରେ ଦୋକାନ କରି ସେଠାରେ ଇଲେକ୍ଟ୍ରୋନିକସ ଏବଂ ଷ୍ଟେସନାରୀ ସାମଗ୍ରୀ ବିକ୍ରି କରୁଥିବା ଆକାଶ ଭାରଦ୍ୱାଜ ଏହି ଶୋଭାଯାତ୍ରାକୁ ଦେଖୁଥିଲେ । ସେ କହନ୍ତି, “ମୁଁ ଏହାକୁ ପ୍ରଥମ ଥର ପାଇଁ ଦେଖୁଛି ଏବଂ ସେମାନେ କ’ଣ କରୁଛନ୍ତି ତାହା ମୁଁ ଠିକ୍ ଭାବରେ ଜାଣିନି । ହେଲେ ସେମାନଙ୍କ ନାଚ ଦେଖିବାକୁ ଭଲ ଲାଗୁଛି । ଏଥିରେ ମୋର କିଛି ଭାବିବାର ନାହିଁ ।”
ସେମାନଙ୍କ ନାଚକୁ ଉପଭୋଗ କରୁଥିଲେ ଧର୍ମଶାଳାରେ ୫୬ ବର୍ଷ ଧରି ରହିଆସୁଥିବା ନବନୀତ କୋଠିୱାଲା। ସେ କହନ୍ତି, “ପ୍ରଥମ ଥର ପାଇଁ ମୁଁ ଏହାକୁ ଦେଖୁଛି ଏବଂ ଏହା ଦେଖିବାକୁ ଭଲ ଲାଗୁଛି ।”
କିନ୍ତୁ କ’ଣ ପାଇଁ ଏହି ପଦଯାତ୍ରାର ଆୟୋଜନ କରାଯାଇଛି, ସେ କଥା ଜାଣିବା ପରେ ସେ ତାଙ୍କ ମତାମତ ବଦଳାଇଥିଲେ । ସେ କହନ୍ତି, “ଏହା ଠିକ୍ ବୋଲି ମୁଁ ଭାବୁନି, ସେମାନେ ଏଥିପାଇଁ ଲଢ଼େଇ କରିବା ଉଚିତ ନୁହେଁ, କାରଣ ସେମାନେ ଯାହା ଚାହୁଁଛନ୍ତି, ତାହା ପ୍ରାକୃତିକ ନୁହେଁ- ସେମାନଙ୍କର ପିଲାଛୁଆ କେମିତି ହେବ ?”
ଡନ୍ କହନ୍ତି, “ଏହି ପଦଯାତ୍ରାରେ ମାରିକୋ (ତିବ୍ବତର ପ୍ରଥମ ଉଭୟଲିଙ୍ଗୀ ମହିଳା) ଯୋଗ ଦେଇଥିବାରୁ ଆମେ ଖୁବ୍ ଖୁସି ।”
ଶୋଭାଯାତ୍ରା ଦଲାଇ ଲାମା ମନ୍ଦିରରେ ପହଞ୍ଚିବା ସମୟରେ ରାସ୍ତାରେ ଠିଆ ହୋଇ ଏହାକୁ ଦେଖୁଥିଲେ ତିବ୍ବତୀୟ ମଠର ଅନ୍ତେବାସୀ ସେରିଙ୍ଗ । ସେ କହନ୍ତି, “ସେମାନେ ସେମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଛନ୍ତି ଏବଂ ଅନ୍ୟାନ୍ୟ ଅନେକ ଦେଶରେ ସେମାନଙ୍କୁ ଏହି ଅଧିକାର (ବିବାହ କରିବା) ଦିଆଯାଇଛି, ହୁଏତ ଭାରତ ସେ ସବୁ ଦେଶକୁ ଅନୁସରଣ କରିବାର ସମୟ ଆସିଛି ।”
୨୦୧୮ରେ ଭାରତୀୟ ଦଣ୍ଡବିଧି ଆଇନର ୩୭୭ ଧାରା ଉଚ୍ଛେଦ କରାଯାଇଥିଲେ ହେଁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଇନାହିଁ । ପୂର୍ବରୁ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବା ସଂପର୍କିତ ଅନେକ ଆବେଦନର ଶୁଣାଣି ଏହି ମାସରେ ସୁପ୍ରିମ କୋର୍ଟରେ ଶେଷ ହୋଇଛି ଏବଂ କୋର୍ଟ ଏ ପର୍ଯ୍ୟନ୍ତ ରାୟ ଶୁଣାଇ ନାହାନ୍ତି ।
ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଟ୍ରାଫିକ୍ ପରିଚାଳନା କରୁଥିଲେ ମହିଳା ପୋଲିସ କର୍ମଚାରୀ ନୀଲମ କପୁର । ସେ କହନ୍ତି, “ନିଜ ଅଧିକାର ପାଇଁ ଲଢ଼ିବା ଭଲକଥା । ସମସ୍ତେ ସେମାନଙ୍କ କଥା ଚିନ୍ତା କରିବା ଉଚିତ । କେଉଁଠାରୁ ନା କେଉଁଠାରୁ ଏହା ଆରମ୍ଭ ହେବା କଥା, ତେଣୁ ଏଠାରୁ କାହିଁକି ବା ନ ହେବ ?”
ଅନୁବାଦ : ଓଡ଼ିଶାଲାଇଭ୍