ସବୁ ଥର ଭଳି ଏଥର ମଧ୍ୟ ବିବାହ ଉତ୍ସବସ୍ଥଳୀ ସଜାଇବାରେ ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି ଅନିଲ ନାର୍‌କଣ୍ଡେ । ହେଲେ ଆଗକୁ ତାଙ୍କ ଜୀବନ କାହାଣୀରେ କୌଣସି ନୂଆ ମୋଡ଼ ଆସିବା ସମ୍ଭାବନାକୁ ସେ ଆଦୌ ଦେଖିପାରୁ ନାହାନ୍ତି !

ଭଣ୍ଡାରାର ଆଲେସୁର ଗାଁର ଏହି ୩୬ ବର୍ଷୀୟ କୃଷକ ଜଣକ ମଞ୍ଚ ଓ ମଣ୍ଡପ ସାଜସଜ୍ଜା କରିବା ସହିତ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରନ୍ତି । ପାଖ ଗାଁର ଏକ ବିବାହ ଉତ୍ସବ ନିମନ୍ତେ ସେ ହଳଦିଆ ରଙ୍ଗର ଏକ ବିଶାଳ ଶାମିୟାନା (ସାମିଆନା) ଲଗାଇବା ସହିତ ଉତ୍ସବ ସ୍ଥଳକୁ ପ୍ଲାଷ୍ଟିକ୍‌ ଫୁଲରେ ସଜାଇଛନ୍ତି । ଅତିଥିମାନଙ୍କ ପାଇଁ ସେ ଚଉକି ମଗାଇଛନ୍ତି, ବିବାହ ସମୟରେ ବର ଓ କନ୍ୟା ବସିବା ଲାଗି ବ୍ୟବହୃତ ସ୍ୱତନ୍ତ୍ର ସୋଫା ଆଣିବା ସହିତ ବିବାହ ସ୍ଥଳୀରେ ସଙ୍ଗୀତ ପରିବେଷଣ ଲାଗି  ‘ଡିଜେ’ ଉପକରଣ ଏବଂ ସୁସଜ୍ଜିତ ଆଲୋକ ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ବିବାହ ଉପଲକ୍ଷେ ବେଶ୍‌ ସୁନ୍ଦର ସାଜସଜ୍ଜା ସହିତ ନୂତନ ରୂପ ନେଇଥିଲା ବରର ଇଟାମାଟି ଘର- କନ୍ୟା ଆସୁଥିଲା ସାତପୁରା ପର୍ବତ ମାଳା ସଂଲଗ୍ନ ମଧ୍ୟ ପ୍ରଦେଶର ସେଓନି ଗାଁରୁ ।

ହେଲେ, ବିବାହ ଦିନ ସବୁ ଓଲଟପାଲଟ ହୋଇଗଲା, ଅନିଲ କହନ୍ତି । ଆଗକୁ ଗ୍ରୀଷ୍ମର ବିବାହ ଋତୁରେ ଜୋରଦାର ଢଙ୍ଗରେ ନିଜ ବ୍ୟବସାୟର ଶୁଭାରମ୍ଭ କରିବାକୁ ଚିନ୍ତା କରିଥିଲେ ସେ । ହେଲେ ବିବାହର ଦିନକ ପୂର୍ବରୁ, ପୂର୍ବରୁ କାମଧନ୍ଦା ଖୋଜି ଖୋଜି ଅନ୍ୟ ରାଜ୍ୟକୁ ଯାଉଥିବା ୨୭ ବର୍ଷର ବରପାତ୍ରଟି ଘର ଛାଡ଼ି ପଳାଇ ଗଲା ।

ପୁରୁଣା କଥା ମନେ ପକାଇ ଅନିଲ କହନ୍ତି, “ସେ ତା’ର ବାପାମାଆଙ୍କୁ ଫୋନ୍‌ କରି କହିଲା, ଯଦି ଏ ବାହାଘର ବନ୍ଦ ନ କର, ତେବେ ମୁଁ ବିଷ ପିଇ ଦେବି । କେଉଁଠି ତା’ର କେହି ଜଣେ ପ୍ରେମିକା ଥିଲା ।”

ବିବାହ ହୋଇପାରିବନି ବୋଲି କହିବା ବେଳକୁ କନ୍ୟା ଓ ଏବଂ କନ୍ୟାଯାତ୍ରୀମାନେ ଆସି ପହଞ୍ଚି ସାରିଥିଲେ । ହସଖୁସି ବଦଳରେ ଘୋର ଅପମାନିତ ହୋଇଥିଲେ ପୁଅର ବାପାମାଆ ଏବଂ ସେମାନଙ୍କ ଗାଁ ଲୋକେ ।

ଅନିଲଙ୍କୁ ସେ ତାଙ୍କ ପାଉଣା ଦେଇପାରିବେ ନାହିଁ ବୋଲି ମାନସିକ ଆଘାତପ୍ରାପ୍ତ ବରପିତା କହିଦେଇଥିଲେ ।

PHOTO • Jaideep Hardikar
PHOTO • Jaideep Hardikar

ବାମ : ଭଣ୍ଡାରାର ତୁମସର ତହସିଲ ଅନ୍ତର୍ଗତ ଆଲେସୁର ନିବାସୀ ଅନିଲ ନାରକଣ୍ଡେ ପାଖ ଗାଁରେ ସଜାଇଥିବା ବିବାହ ଉତ୍ସବ ସ୍ଥଳୀ । ଏହି ବିବାହ ଉତ୍ସବରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା, ବିବାହ ପୂର୍ବ ସନ୍ଧ୍ୟାରେ ବର ଲୁଚି ପଳାଇ ଯିବାରୁ ବିବାହ ବାତିଲ ହୋଇଯାଇଥିଲା । ବରପିତା ଅନିଲଙ୍କ ପାଉଣା ଦେଇପାରିବେନି ବୋଲି କହିଦେଇଥିଲେ । ଡାହାଣ : ଆଉ ଏ ଅଞ୍ଚଳରେ ଚାଷବାସ ରୋଜଗାରର ମୁଖ୍ୟ ସ୍ରୋତ ହୋଇ ରହି ନଥିବାରୁ ଅନିଲଙ୍କ ଭଳି ଅନେକ ଚାଷୀ ଜୀବିକା ଅର୍ଜନ ଲାଗି ଛୋଟମୋଟ ବ୍ୟବସାୟକୁ ଆଦରି ନେଇଛନ୍ତି । ତାଙ୍କର ଏହି ସାଜସଜ୍ଜା ବ୍ୟବସାୟ ସଂସ୍ଥାକୁ ଗଢ଼ି ତୋଳିବା ଲାଗି ଗତ କେଇ ବର୍ଷ ମଧ୍ୟରେ ଅନିଲ ୧୨ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି

“ତାଙ୍କୁ ପଇସା ମାଗିବା ଲାଗି ମୋର ମନ ହେଉନଥିଲା,” ଭଣ୍ଡାରାର ଆଲେସୁରରେ ତାଙ୍କ ଘରେ ବସିଥିବା ଅନିଲ କହନ୍ତି । ଏହି ଗାଁର ଅଧିକାଂଶ ଲୋକ କ୍ଷୁଦ୍ର ଚାଷୀ କିମ୍ବା କୃଷି ଶ୍ରମିକ । ସେ କହନ୍ତି, “ସେମାନେ ଭୂମିହୀନ ଧୀବର (କେଉଟ ଜାତି); ବରପିତା ଜଣକ ତାଙ୍କ ସଂପର୍କୀୟମାନଙ୍କ ପାଖରୁ ଧାର କରି ଟଙ୍କା ଆଣିଥିଲେ ।” ଅନିଲ ତାଙ୍କ ନିଜ ଖର୍ଚ୍ଚକୁ ଛାଡ଼ି ଦେଇଥିଲେ ଏବଂ କେବଳ ଶ୍ରମିକମାନଙ୍କୁ ସେମାନଙ୍କ ମଜୁରି ଦେବାକୁ କହିଥିଲେ ।

ଏହି ଅକଳ୍ପନୀୟ ଘଟଣା ଯୋଗୁଁ ତାଙ୍କର ୧୫,୦୦୦ ଟଙ୍କା କ୍ଷତି ହୋଇଥିଲା ବୋଲି କହନ୍ତି ଅନିଲ । ବାଉଁଶ ଖୁଣ୍ଟ, ମଞ୍ଚର ଢାଞ୍ଚା, ବଡ଼ ବଡ଼ ସ୍ପିକର ଏବଂ ଅନ୍ୟାନ୍ୟ ଡିଜେ ଉପକରଣ, ପେଣ୍ଡାଲ ସଜାଇବା ଲାଗି ରଙ୍ଗିନ କପଡ଼ା ଏବଂ ନବ ବିବାହିତ ବରକନ୍ୟାଙ୍କ ପାଇଁ ସ୍ୱତନ୍ତ୍ର ସୋଫା ପ୍ରଭୃତି ସାଜସଜ୍ଜା ସାମଗ୍ରୀରେ ଭରି ରହିଥିବା ତାଙ୍କ ଗୋଦାମକୁ ଦେଖାଇ ଦିଅନ୍ତି ସେ । ଏ ସବୁ ସାମଗ୍ରୀ ରଖିବା ଲାଗି ସେ ତାଙ୍କ ସାଧାରଣ ସିମେଣ୍ଟ ଘରକୁ ଲାଗି ବଡ଼ ଏକ ହଲ୍‌ ତିଆରି କରିଛନ୍ତି ।

ତୁମସର ତହସିଲ ଅନ୍ତର୍ଗତ ବନାଞ୍ଚଳରେ, ସାତପୁରା ପର୍ବତ ଶୃଙ୍ଖଳର ପାଦଦେଶରେ ଆଲେସୁର ଗାଁ ଅବସ୍ଥିତ । ବର୍ଷକୁ ଥରଟିଏ ମାତ୍ର ଫସଲ ହେଉଥିବା ଏହି ଅଞ୍ଚଳର ଚାଷୀମାନେ ଧାନଚାଷ କରନ୍ତି । ଧାନ ଅମଳ ହେବା ପରେ ଅଧିକାଂଶ ଚାଷୀ କାମଧନ୍ଦା ଖୋଜିବାକୁ ଅନ୍ୟ ସ୍ଥାନକୁ ପଳାଇ ଯାଆନ୍ତି । ଏ ଅଞ୍ଚଳରେ କୌଣସି ବଡ଼ ଶିଳ୍ପ ସଂସ୍ଥା କିମ୍ବା ନିଯୁକ୍ତି ସୁଯୋଗ ଦେଉଥିବା ଅନ୍ୟ କୌଣସି ସଂସ୍ଥା ନଥିବାରୁ, ଏଠାକାର ଆଦିବାସୀ ଓ ପଛୁଆ ବର୍ଗର ଅଧିକାଂଶ ଲୋକ ଗ୍ରୀଷ୍ମ ଋତୁରେ ଜୀବିକା ଅର୍ଜନ ଲାଗି ଜଙ୍ଗଲ ଉପରେ ନିର୍ଭର କରନ୍ତି । ଏବଂ ‘ମନରେଗା’ କାମ କ୍ଷେତ୍ରରେ ମଧ୍ୟ ତୁମସର ତହସିଲର ଇତିହାସ ଖୁବ୍‌ ଖରାପ ।

ତେଣୁ, ଅନିଲଙ୍କ ଭଳି ଅନେକ ଗାଁ ଲୋକ ଜୀବିକା ଲାଗି ନିଜ ନିଜର ଛୋଟମୋଟ ବ୍ୟବସାୟ କରନ୍ତି । ଚାଷବାସରୁ ହେଉଥିବା ଆୟ ସ୍ଥିର ରହୁଥିବାରୁ କିମ୍ବା ହ୍ରାସ ପାଉଥିବାରୁ ସେମାନଙ୍କ ବ୍ୟବସାୟ ଉପରେ ଏହାର କୁପ୍ରଭାବ ମଧ୍ୟ ପଡୁଛି ।

ଗାଁ ଗାଁରେ ଡିଜେ ଏବଂ ସାଜସଜ୍ଜାର ଚାହିଦା ବଢ଼ିବାରେ ଲାଗିଛି ସତ, ହେଲେ ଅଭାବ ସମୟରେ ଏଭଳି ଏକ ବ୍ୟବସାୟ ଚଳାଇବା ସହଜ ନୁହେଁ ବୋଲି କହନ୍ତି ଅନିଲ । “ଗାଁର ଅର୍ଥନୈତିକ ସ୍ଥିତି ଶୋଚନୀୟ ।”

ସବୁ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଆସିଛନ୍ତି ଅନିଲ । ତାଙ୍କ ଗାଓଲି ସଂପ୍ରଦାୟର ଲୋକେ ସ୍ଥାନୀୟ ବିଜେପି ନେତାଙ୍କ ନିକଟତର ହୋଇ ରହି ଆସିଛନ୍ତି । କିନ୍ତୁ ଏଥର ଗାଁ ଲୋକମାନଙ୍କର ରାଜନୈତିକ ପସନ୍ଦ ବଦଳିଥିବା ଭଳି ତାଙ୍କୁ ମନେ ହେଉଛି  । (ଏଥର ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣରେ ଭଣ୍ଡାରା-ଗୋନ୍ଦିଆ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୧୯ ତାରିଖ ଦିନ ଭୋଟଗ୍ରହଣ ହେଉଛି) । “ ଲୋକାନ୍ନା କାମ ନାହି ; ତ୍ରସ୍ତ ଆହେତ (ଲୋକଙ୍କ ପାଖରେ କାମ ନାହିଁ, ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି),” ସେ କହନ୍ତି । ମୂଳକଥା ହେଉଛି, ବର୍ତ୍ତମାନର ବିଜେପି ସାଂସଦ ସୁନୀଲ ମେଣ୍ଢେ ତାଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଥରଟିଏ ହେଲେ ତାଙ୍କ ଗାଁକୁ ଆସି ନାହାନ୍ତି ଏବଂ ଏହି କଥା ଏଥର ତାଙ୍କ ବିରୋଧରେ ଲୋକମତ ଗଠନରେ ସହାୟକ ହୋଇଛି ବୋଲି ‘ପରୀ’ ସହିତ କଥାବାର୍ତ୍ତା ଅବସରରେ ବିଭିନ୍ନ ବର୍ଗର ଲୋକେ କହିଛନ୍ତି ।

PHOTO • Jaideep Hardikar
PHOTO • Jaideep Hardikar

ଅନିଲ ତାଙ୍କ ଘରେ ଥିବା ଗୋଦାମରେ ତାଙ୍କ ଜିନିଷପତ୍ର ରଖନ୍ତି- ସେଥିରେ ଅନ୍ୟାନ୍ୟ ସାମଗ୍ରୀ ସହିତ ରହିଛି ନବଦମ୍ପତିଙ୍କ ପାଇଁ ସୋଫା, ଡିଜେ ସେଟ୍‌, ଶାମିୟାନା (ସାମିଆନା) ପାଇଁ କପଡ଼ା ଏବଂ ବିଭିନ୍ନ ଫ୍ରେମ୍‌

ଏଠାକାର ମହିଳାମାନେ ସବୁଦିନ ବଡ଼ ବଡ଼ ଚାଷଜମିରେ କାମ କରିବାକୁ ଯାଆନ୍ତି, ଅନିଲ କହନ୍ତି । ଆପଣ ଯଦି କେବେ ସକାଳ ବେଳା ଗାଁକୁ ଆସିବେ ତେବେ ସେମାନେ ମଟର ଗାଡ଼ିରେ ବସି କାମ କରିବାକୁ ଯାଉଥିବା ଦେଖିପାରିବେ  । ସେମାନେ ସନ୍ଧ୍ୟାରେ ଘରକୁ ଫେରନ୍ତି । ସେ କହନ୍ତି, “ଶିଳ୍ପ ସଂସ୍ଥା, ରାସ୍ତା କିମ୍ବା କେନାଲ ନିର୍ମାଣ ସ୍ଥଳ, ଏବଂ ଅନ୍ୟାନ୍ୟ ଭାରୀ କାମ କରିବା ଲାଗି ଗାଁର ଯୁବକମାନେ ଅନ୍ୟ ରାଜ୍ୟକୁ ପଳାଇ ଯାଆନ୍ତି ।”

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲେ ସେ ମଧ୍ୟ କାମ ଖୋଜିବାକୁ ପଳାଇ ଯାଇଥାଆନ୍ତେ ବୋଲି ଅନିଲ କହନ୍ତି । ତାଙ୍କର ଦୁଇଟି ପିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ‘ଡାଉନ୍‌ ସିନ୍‌ଡ୍ରୋମ୍‌’ରେ ପୀଡ଼ିତ । ଏହି ରୋଗରେ ଶିଶୁମାନଙ୍କର ମାନସିକ ଓ ଶାରୀରିକ ବିକାଶ ଧିମେଇ ଯାଇଥାଏ । “ଦଶମ ଶ୍ରେଣୀରେ ଫେଲ୍‌ ହେବା ପରେ ମୁଁ ନାଗପୁର ଯାଇ ସେଠାରେ ୱେଟର ଭାବରେ କାମ କଲି ।” କିନ୍ତୁ ତା ପରେ, ମୁଁ ଘରକୁ ଫେରି ଆସି ଋଣ ନେଲି ଏବଂ ମହିଳା ଶ୍ରମିକମାନଙ୍କୁ କ୍ଷେତକୁ ନେବାଆଣିବା ଲାଗି ଟେମ୍ପୋ ଚଳାଇଲି । ଯେତେବେଳେ ସେହି କାମରୁ ବି ସେତେଟା ଫାଇଦା ହେଲାନି, ଏବଂ ଦିନକୁ ଦିନ କଷ୍ଟକର ମନେ ହେଲା, ସେ ତାଙ୍କ ଗାଡ଼ି ବିକି ଦେଲେ ଏବଂ ସାଜସଜ୍ଜା ବ୍ୟବସାୟ କରିବାକୁ ସ୍ଥିର କଲେ । ତାହା ପ୍ରାୟ ପାଞ୍ଚ ବର୍ଷ ତଳର କଥା । ଏ ସବୁ ଉତ୍ସବ ପାଇଁ ମଧ୍ୟ ସେ ପ୍ରାୟତଃ ଉଧାରି (ବାକି) ନେଇ କାମ କରନ୍ତି । “ଲୋକେ ମୋର ସେବା ନିଅନ୍ତି ଏବଂ ପରେ ପଇସା ଦେବୁ ବୋଲି ପ୍ରତିଶ୍ରୁତି ଦିଅନ୍ତି,” ଅନିଲ କହନ୍ତି ।

“ମୃତ୍ୟୁ ପରବର୍ତ୍ତୀ କ୍ରିୟାକର୍ମ ଲାଗି ପେଣ୍ଡାଲ ସ୍ଥାପନ କଲେ ମୁଁ ମୋ ଗ୍ରାହକଙ୍କ ପାଖରୁ କୌଣସି ପାଉଣା ନିଏ ନାହିଁ,” ସେ କହି ଚାଲନ୍ତି, “ଏବଂ ବିବାହ ଉତ୍ସବ ଲାଗି ମୁଁ ମାତ୍ର ୧୫-୨୦,୦୦୦ ଟଙ୍କା ନେଇଥାଏ, କାରଣ ସେତିକି ହିଁ ଏଠାକାର ଲୋକେ ଦେଇପାରିବେ ।”

ଅନିଲ ତାଙ୍କ ବ୍ୟବସାୟରେ ୧୨ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି । ଏଥିପାଇଁ ସେ ତାଙ୍କର ସାତ ଏକର ଜମିକୁ ଅମାନତ ରୂପେ ଦେଖାଇ ବ୍ୟାଙ୍କରୁ ଋଣ ନେଇଛନ୍ତି ଏବଂ ଏ ବାବଦ କିସ୍ତି ପରିଶୋଧ କରୁଛନ୍ତି ।

“ମୋର ଚାଷକାମ ଏବଂ କ୍ଷୀର ବ୍ୟବସାୟରୁ ସେତେ ଭଲ ଆୟ ହେଉନାହିଁ,” ସେ କହନ୍ତି । “ମୁଁ ବିଚାୟତ (ସାଜସଜ୍ଜା) କାରବାରରେ ମୋର ଭାଗ୍ୟ ପରୀକ୍ଷା କରୁଛି । ହେଲେ ଆଜିକାଲି ଅଧିକରୁ ଅଧିକ ଲୋକ ଏହି ବ୍ୟବସାୟ କରିବାକୁ ବାହାରିଲେଣି ।”

*****

ଅନ୍ୟ ଏକ ଦୁଃଖଦ ଘଟଣାରୁ ଏଠାକାର ଲୋକେ କ୍ଷୁବ୍‌ଧ ହୋଇଛନ୍ତି: ତା ହେଉଛି ଗାଁ ଛାଡ଼ି କାମଧନ୍ଦା ପାଇଁ ଯାଇଥିବା ଯୁବ ଶ୍ରମିକମାନଙ୍କର ଦୂର ସ୍ଥାନରେ ମୃତ୍ୟୁ । ଏଭଳି ଅଧିକାଂଶ ମାମଲାରେ, ତଦନ୍ତ ସରୁନାହିଁ କି କିଛି ସହାୟତା ମିଳୁନାହିଁ ।

ଏପ୍ରିଲ ଆରମ୍ଭରେ ‘ପରୀ’ ସାକ୍ଷାତ୍‌ କରିଥିବା ଦୁଇଟି ପରିବାର ମଧ୍ୟରୁ ଗୋଟିକୁ ଉଦାହରଣ ରୂପେ ନିଆଯାଉ: ୨୦୨୩ ମେ ମାସ ୩୦ ତାରିଖ ଦିନ ଆନ୍ଧ୍ର ପ୍ରଦେଶର ଚିତୁର ଜିଲ୍ଲା ଅନ୍ତର୍ଗତ ସୋନ୍ନେଗୋନିପାଲ୍ଲୀ ଗାଁ ନିକଟରେ ଏକ ଭୂତଳ କେନାଲ ନିର୍ମାଣ ସ୍ଥଳୀରେ କାମ କରିବା ସମୟରେ ଏଠାକାର ଭୂମିହୀନ ଗୋୱାରି (ଅଧିସୂଚିତ ଜନଜାତି) ସଂପ୍ରଦାୟର ଜଣେ ୨୭ ବର୍ଷୀୟ ଅବିବାହିତ ଯୁବକ ବିଜେଶ କୋୱାଲେଙ୍କର ମୃତ୍ୟୁ ଘଟିଲା ।

PHOTO • Jaideep Hardikar

କାମ କରିବା ଲାଗି ପ୍ରତି ବର୍ଷ ଆନ୍ଧ୍ର ପ୍ରଦେଶକୁ ଯାଉଥିବା ପୁଅ ବିଜେଶର ଦୁର୍ଘଟଣାଜନିତ ମୃତ୍ୟୁ ପରେ ଭଣ୍ଡାରା ଜିଲ୍ଲା ଆଲେସୁର ଗାଁର ରମେଶ କୋୱାଲେ ଏବଂ ତାଙ୍କ ପତ୍ନୀ ଜାନାବାଇଙ୍କ ଦୁଃଖର ଅନ୍ତ ନାହିଁ । ଗୋଟିଏ ପଟେ କୋୱାଲେ ସଂପ୍ରଦାୟ ବିଜେଶଙ୍କ ପ୍ରଥମ ମୃତ୍ୟୁବାର୍ଷିକୀ ପାଳିବାକୁ ଯାଉଥିବା ବେଳେ ଅନ୍ୟ ପଟେ ଏ ବର୍ଷ ସେମାନଙ୍କ ସବା ବଡ଼ ପୁଅ ରାଜେଶର ବିବାହ ଲାଗି ମଧ୍ୟ ସେମାନେ ପ୍ରସ୍ତୁତ ହେଉଛନ୍ତି । ରାଜେଶ ଜଣେ ଟ୍ରକ୍‌ ଡ୍ରାଇଭର ଭାବେ କାମ କରନ୍ତି । ଅନ୍ୟ ରାଜ୍ୟରେ ନିର୍ମାଣ କାମ ଓ ଅନ୍ୟ ଭାରୀ କାମ କରିବା ଲାଗି ପରିବାରର ଅନ୍ୟ ପୁଅମାନଙ୍କୁ ପଠାଇବାକୁ ଏବେ ଏହି ପରିବାର ରାଜି ନୁହଁନ୍ତି

ବିଜେଶଙ୍କ ବାପା ରମେଶ କୋୱାଲେ କହନ୍ତି. “ଅନ୍ତିମ ସଂସ୍କାର ଲାଗି ପୁଅର ମୃତଦେହ ଗାଁକୁ ଆଣିବା ସକାଶେ ଆମକୁ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବା ମୁତାବକ ମୃତ୍ୟୁର ପ୍ରାଥମିକ କାରଣ ଥିଲା “ବିଦ୍ୟୁତ୍ ଆଘାତ ।”

ନିଶାସକ୍ତ ଅବସ୍ଥାରେ ବିଦ୍ୟୁତ ଶକ୍ତି ପ୍ରବାହିତ ଏକ ତାରକୁ ବିଜେଶ ଭୁଲବଶତଃ ଛୁଇଁ ଦେଇଥିଲେ ବୋଲି ଏତଲା (ଏଫଆଇଆର)ରେ ଦର୍ଶାଯାଇଛି । ତାଙ୍କୁ ଯେଉଁ ନିକଟବର୍ତ୍ତୀ ହାସପାତାଳରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ପ୍ରାଣ ହରାଇଥିଲେ ।

କୋୱାଲେ କହନ୍ତି, “ପ୍ରତିଶ୍ରୁତି ସତ୍ତ୍ବେ ତାଙ୍କ ପୁଅକୁ ନିଯୁକ୍ତି ଦେଇଥିବା କମ୍ପାନୀ ଆମକୁ କୌଣସି କ୍ଷତିପୂରଣ ଦେଲା ନାହିଁ । ଗତ ବର୍ଷ ମୋ ସଂପର୍କୀୟମାନଙ୍କ ପାଖରୁ ନେଇଥିବା ହାତ ଉଧାରିକୁ ମୁଁ ଏ ପର୍ଯ୍ୟନ୍ତ ଶୁଝୁଛି ।” ବିଜେଶଙ୍କ ବଡ଼ଭାଇ ରାଜେଶ ନିକଟରେ ବିବାହ କରିବାକୁ ଯାଉଛନ୍ତି । ସେ ଜଣେ ଟ୍ରକ୍‌ ଡ୍ରାଇଭର ଏବଂ ତାଙ୍କ ସାନ ଭାଇ ସତୀଶ ସ୍ଥାନୀୟ ଚାଷଜମିରେ କାମ କରନ୍ତି ।

“ସଡ଼କ ପଥରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍‌ସରେ ଆଣିବାକୁ ଆମକୁ ଦୁଇ ଦିନ ଲାଗିଗଲା,” ରମେଶ କହନ୍ତି ।

ବିଗତ ବର୍ଷରେ, ବିଜେଶଙ୍କ ଭଳି ଗାଁର ଅନ୍ୟ ଚାରି-ପାଞ୍ଚ ଜଣ ଯୁବକ ମଧ୍ୟ ଦୂରସ୍ଥାନରେ କାମ କରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ହେଲେ ତାହା ଆଉ ଏକ ଭିନ୍ନ କାହାଣୀ ।

ଏହିଭଳି ଦୁର୍ଘଟଣାରେ ନିଜର ଏକମାତ୍ର ପୁଅ ଅତୁଲକୁ ହରାଇଛନ୍ତି ଚିଖାଲି ଗାଁର ସୁଖଦେବ ଉଇକେ । ସେହି ମାମଲାର ତଦନ୍ତ ଏବେ ବି ଚାଲିଛି ।

“ନିଜ ଗୋଷ୍ଠୀର ଅନ୍ୟମାନେ ତାକୁ ହତ୍ୟା କରିଛନ୍ତି କି ସେ ଦୁର୍ଘଟଣାରେ ପ୍ରାଣ ହରାଇଛି, ସେ କଥା ଆମେ ଏ ପର୍ଯ୍ୟନ୍ତ ଜାଣିନାହୁଁ,” ଉଇକେ କହନ୍ତି । ସେ ଗାଁର ଜଣେ କ୍ଷୁଦ୍ର ଚାଷୀ ଏବଂ ଶ୍ରମିକ ଭାବରେ ମଧ୍ୟ କାମ କରନ୍ତି । “ଆମେ ତା’ର ମୃତଦେହ ଦେଖିବାକୁ ବି ଯାଇ ନଥିଲୁ । କାରଣ ଆମକୁ ନ ଜଣାଇ ବା ଆମ ସହିତ ଯୋଗାଯୋଗ ନ କରି, ଆନ୍ଧ୍ର ପ୍ରଦେଶ ପୋଲିସ ଶବ ସତ୍କାର କରିଦେଇଥିଲା ।”

PHOTO • Jaideep Hardikar

୨୦୨୩ ମେ ମାସରେ, ଆନ୍ଧ୍ର ପ୍ରଦେଶର ରାଜାମହେନ୍ଦ୍ରି ନିକଟରେ କାମ କରୁଥିବା ବେଳେ ଅତୁଲ ଉଇକେଙ୍କର ମୃତ୍ୟୁ ହୋଇଥିଲା । ଏବେ ବି ତାଙ୍କ ମୃତ୍ୟୁର କାରଣ ଖୋଜୁଛନ୍ତି ତାଙ୍କ ବାପା ସୁଖଦେବ, ମାଆ ଓ ଭଉଣୀ ଶାଲୁ ମାଧବୀ । ସାଧାରଣ ନିର୍ବାଚନରେ ଭୋଟ ଦେବା କଥା ସେମାନଙ୍କ ମନରେ ଆଦୌ ନାହିଁ

୨୦୨୨ ଡିସେମ୍ବରରେ, ଏ ଅଞ୍ଚଳର ଅନ୍ୟ କେତେକ ଯୁବକଙ୍କ ସହିତ ଅତୁଲ ଆନ୍ଧ୍ର ପ୍ରଦେଶର ରାଜାମହେନ୍ଦ୍ରିର ଧାନଜମିରେ ଜଣେ ‘ଥ୍ରେସର ଅପରେଟର’ (ଧାନ ଓ ନଡ଼ାକୁ ଅଲଗା କରିବା ଯନ୍ତ୍ର ଚାଳକ) ଭାବରେ କାମ କରିବାକୁ ଯାଇଥିଲେ । ୨୦୨୩ ମେ ମାସ ୨୨ ତାରିଖ ଦିନ ସେ ତାଙ୍କ ବାପାମାଆଙ୍କୁ ଫୋନ୍‌ କରି ସେମାନେ ଘରକୁ ଫେରିବା ରାସ୍ତାରେ ଅଛନ୍ତି ବୋଲି କହିଥିଲେ ।

“ତାହା ହିଁ ଥିଲା ତା’ର ଶେଷ ଫୋନ୍‌ କଲ୍‌,” ଉଇକେ ସ୍ମୃତିଚାରଣ କରନ୍ତି । ତା’ପରେ ଅତୁଲର ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଗଲା । ତାଙ୍କ ଭଊଣୀ ଶାଲୁ ମାଧବୀ କହନ୍ତି, ସେ ଆଉ ଘରକୁ ଫେରିଲେନି, “ଆମେ ତାଙ୍କ ସଂପର୍କରେ ପଚରାଉଚରା କରି ଏବଂ ସେ କାମ କରୁଥିବା ସ୍ଥାନକୁ ଯିବାରୁ, ପ୍ରାୟ ସପ୍ତାହକ ପରେ ତାଙ୍କ ମୃତ୍ୟୁ ସଂପର୍କରେ ଜାଣିଲୁ ।

ତାଙ୍କ ପରିବାରକୁ କେତେକ ‘ଭିଡିଓ କ୍ଲିପ୍‌’ ଦେଖାଇ ଦିଆଗଲା ଏବଂ ଏଥିରୁ ଘଟଣା ଆହୁରି ଜଟିଳ ହୋଇପଡ଼ିଲା । ଭିଡିଓରେ ଅନିଲ ଗୋଟିଏ ମଦ ବାର୍‌ ନିକଟରେ ରାସ୍ତା କଡ଼ରେ ଶୋଇଥିବା ଦେଖାଯାଇଥିଲା । “ଲୋକେ ଭାବିଲେ ସେ ମଦ ନିଶାରେ ଅଛନ୍ତି । କିନ୍ତୁ ନିଶ୍ଚିତ ଭାବରେ ତାକୁ କେହି ଜଣେ ଆଘାତ ଦେଇଥିବ,” ତାଙ୍କ ବାପା କହନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୁଣ୍ଡ ପଛରେ ଗଭୀର କ୍ଷତଚିହ୍ନ ଥିବା କଥା ଉଲ୍ଲେଖ କରାଯାଇଛି । “ପୋଲିସ ଆମକୁ ଦାହ ସଂସ୍କାର ସ୍ଥଳ ଦେଖାଇ ଦେଲେ,” ଶୋକଗ୍ରସ୍ତ ଉଇକେ କହନ୍ତି ଏବଂ ‘ପରୀ’କୁ ଏତଲା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଖାନ୍ତି । “ଆମ ପୁଅର ପ୍ରକୃତରେ କ’ଣ ହୋଇଥିଲା, ତାହା ରହସ୍ୟ ହୋଇ ରହିଗଲା ।” ତା ସହିତ କାମ କରିବାକୁ ଯାଇଥିବା ଅନ୍ୟ ଲୋକମାନେ ବି ମୁହଁ ଖୋଲିଲେନି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏ ବର୍ଷ କାମ କରିବାକୁ ବାହାରକୁ ପଳାଇ ଯାଇଛନ୍ତି ବୋଲି ସେ ‘ପରୀ’କୁ କହନ୍ତି ।

ଚିଖାଲିର ସରପଞ୍ଚ ସୁଲୋଚନା ମେହେର କହନ୍ତି, “ଦୁର୍ଘଟଣାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନିହାତି ସାଧାରଣ କଥା, ଆମେ ଏଥିରେ ବେଶି କିଛି ସହାୟତା କରିପାରିବୁ ନାହିଁ ।” ଭଣ୍ଡାରା ପୋଲିସ ସହାୟତାରେ ଏହି ମାମଲାର ତଦନ୍ତ ଆଗେଇ ନେବାକୁ ଚେଷ୍ଟା କରି ସେ ମଧ୍ୟ ବ୍ୟର୍ଥ ହୋଇଥିଲେ ।

ଭାରତର ସାଧାରଣ ନିର୍ବାଚନରେ ଭୋଟ ଦେବା ଅପେକ୍ଷା ଅତୁଲଙ୍କ ମୃତ୍ୟୁ ପଛର ସତ୍ୟତା ଜାଣିବାକୁ ଅଧିକ ଆଗ୍ରହୀ ଉଇକେ ଏବଂ ତାଙ୍କ ପରିବାର ଲୋକେ । “ସେମାନଙ୍କ ଦ୍ବାରା କୋଉ କାମ ହେବନି,” ଲୋକ ପ୍ରତିନିଧିମାନଙ୍କ ସଂପର୍କରେ ସୁଖଦେବ କହନ୍ତି । ଅନେକ ଦୃଷ୍ଟିକୋଣରୁ ସାଂସଦ ଓ ବିଧାୟକମାନେ ତୃଣମୂଳ ସ୍ତର ସହିତ ସେମାନଙ୍କର ସଂପର୍କ ହରାଇ ସାରିଥିବା କଥାକୁ ସେ ସ୍ପଷ୍ଟ କରିଦିଅନ୍ତି ।

ତେଣେ ଆଲେସୁରରେ, ଅନିଲ କହନ୍ତି ଯେ ସେ ଉଭୟ ଶୋକଗ୍ରସ୍ତ ପରିବାର- କୋୱାଲେ ଓ ଉଇକେ ପରିବାରକୁ ଜାଣିଛନ୍ତି । କାରଣ, ମୃତ୍ୟୁ ପରବର୍ତ୍ତୀ କ୍ରିୟାକର୍ମ ବେଳେ ସେ ହିଁ ଉଭୟ ପରିବାର ପାଇଁ ମାଗଣାରେ ସେମାନଙ୍କ ଘରେ ମଣ୍ଡପ (ତମ୍ବୁ) ଲଗାଇଥିଲେ । “ସେତେ ବେଶି ରୋଜଗାର ନ ହେଲେ ବି ମୋ ବ୍ୟବସାୟ ଓ ଚାଷବାସରୁ ମୁଁ ଭଲରେ ଚଳୁଛି,” ସେ କହନ୍ତି, “ଅନ୍ତତଃ, ମୁଁ ବଞ୍ଚି ତ ରହିଛି ।”

ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

جے دیپ ہرڈیکر ناگپور میں مقیم صحافی اور قلم کار، اور پاری کے کور ٹیم ممبر ہیں۔

کے ذریعہ دیگر اسٹوریز جے دیپ ہرڈیکر
Editor : Sarbajaya Bhattacharya

سربجیہ بھٹاچاریہ، پاری کی سینئر اسسٹنٹ ایڈیٹر ہیں۔ وہ ایک تجربہ کار بنگالی مترجم ہیں۔ وہ کولکاتا میں رہتی ہیں اور شہر کی تاریخ اور سیاحتی ادب میں دلچسپی رکھتی ہیں۔

کے ذریعہ دیگر اسٹوریز Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE