ଏପ୍ରିଲ ୧୯ ତାରିଖ, ୨୦୨୪ ମସିହା ବେଙ୍ଗାଲୁରୁର ଅନ୍ୟତମ ବୃହତ୍ତମ ବସ୍ତି, ଦେବରା ଜୀବନହାଲିରେ ତୃତୀୟ ଲିଙ୍ଗୀମାନଙ୍କର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମନୋହର ଇଲାଭାରତୀ ପ୍ରସ୍ତୁତ ହେଉଥିଲେ। ଇଲାଭାରତୀ ହେଉଛନ୍ତି ସଂଖ୍ୟାଲଘୁ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟର ଅଧିକାର ପାଇଁ ଅନୁଷ୍ଠାନ ସଙ୍ଗମର ଅନ୍ୟତମ ପ୍ରତିଷ୍ଠାତା। ସେ ଏଲଜିବିଟିକ୍ୟୁଆଇଏ+ (ସମଲିଙ୍ଗୀ, କିନ୍ନର, ଉଭୟଲିଙ୍ଗୀ, ନରକିନ୍ନର, ନାରୀ କିନ୍ନର, ତୃତୀୟଲିଙ୍ଗୀ, ଇଣ୍ଟରସେକ୍ସ ଏବଂ ଆସେକ୍ସୁଆଲ୍ “+” କହିଲେ ଅନ୍ୟ ସମସ୍ତଙ୍କୁ ସୂଚିତ କରେ ଯେଉଁମାନେ ଏହି ସଂକ୍ଷିପ୍ତ ପଦରେ ଆସନ୍ତି ନାହିଁ) ସମସ୍ୟାଗୁଡ଼ିକ ସହିତ ବ୍ୟାପକ ସାମାଜିକ ସମସ୍ୟା ଯେପରିକି ଜୀବିକା ଉପାର୍ଜନ କରିବା, ବେକାରୀ ଏବଂ ବାସିନ୍ଦାମାନଙ୍କ ମଧ୍ୟରେ ଧର୍ମନିରପେକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆଲୋଚନା କରିବା ପାଇଁ ଯୋଜନା କରିଥିଲେ। ସେ ଆଲୋଚନା ଆଗେଇ ନେବା ପାଇଁ ଜେଣ୍ଡର ଆଣ୍ଡ୍ ସେସ୍କୁଆଲ୍ ମାଇନୋରିଟିଜ୍ ଫର୍ ସେକୁଲାର୍ ଆଣ୍ଡ୍ କନଷ୍ଟିଚ୍ୟୁସନାଲ୍ ଡେମୋକ୍ରାସି (ଜିଏସଏମ୍)ର ସଦସ୍ୟମାନଙ୍କ ସହ ଏକତ୍ରିତ ହୋଇଥିଲେ।
ସଂଯୋଗବଶତଃ, ଏହି ଦିନ ମଧ୍ୟ ଭାରତରେ ୨୦୨୪ ସାଧାରଣ ନିର୍ବାଚନ ଆରମ୍ଭ ହେଉଥିଲା ଏବଂ ସପ୍ତାହେ ପୂର୍ବରୁ କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରେ ମତଦାନ ଆରମ୍ଭ ହେବାର ଥିଲା।
ଇଲାଭାରତୀ ଆଲୋଚନା ଆରମ୍ଭ କରିବା ମାତ୍ରେ, ଶାସକ ଭାରତୀୟ ଜନତା ଦଳ (ବିଜେପି) ର ୧୦ ଜଣ ବ୍ୟକ୍ତି କମଳା ରଙ୍ଗର ଚାଦର ପକାଇ ଏବଂ ଦଳର ସଙ୍କେତ ସହିତ ତାଙ୍କୁ ଓ ମତେ (ଏହି ଆଲୋଚନାର ରିପୋର୍ଟ ତିଆରି କରୁଥିବା ସାମ୍ବାଦିକଙ୍କୁ) ଦେବରା ଜୀବନହାଲି ଯାହାକି ସାଧାରଣରେ ଡିଜେ ହାଲି ଭାବରେ ଜଣାଶୁଣା, ସେଠାକାର ଅଣ ଓସାରିଆ ଗଳିରେ ଘେରି ଯାଇଥିଲେ। ଅଧିକାଂଶ ମତଦାତା ଗ୍ରାମାଞ୍ଚଳରୁ ପ୍ରବାସକୁ ଆସିଥିବା ବ୍ୟକ୍ତି ଓ ମୁସଲମାନ ସମ୍ପ୍ରଦାୟର।
ଜଣେ ବିଜେପି ସଦସ୍ୟ ବଡ଼ ପାଟିରେ କହିଥିଲେ ‘‘ଆପଣ ହେଉଛନ୍ତି କଂଗ୍ରେସ ଦଳର ଏଜେଣ୍ଟ!’’, ଜିଏସଏମଙ୍କର ଏହି ସଚେତନତା ଯୋଜନାର ପ୍ରତିବାଦ କରି ତାଙ୍କୁ ଘେରିଥିବା ଅନ୍ୟମାନେ ସମବେତ ସ୍ତରରେ ପ୍ରତିବାଦ କରିଥିଲେ। ଜିଏସଏମ୍ର ଲିଫଲେଟକୁ ବିଜେପି ଲୋକେ ‘‘ଅବୈଧ ବୋଲି’’ କହିଥିଲେ।
ଯେକୌଣସି ସିଭିଲ୍ ସୋସାଇଟି ଗୋଷ୍ଠୀ ଆଇନଗତ ଭାବରେ ଶାସକ ଦଳର ସମାଲୋଚନା କରିବା ପାଇଁ ପ୍ରଚାରପତ୍ର ବିତରଣ କରିପାରିବେ। ଯେତେବେଳେ କି ନିର୍ବାଚନ ଆୟୋଗର ନୀତି ସ୍ପଷ୍ଟ କରିଥାଏ ଯେ ଏକ ରାଜନୈତିକ ଦଳ, ଅନ୍ୟ ବିରୋଧରେ ଦଳ ବିଷୟରେ ସମାଲୋଚନାମୂଳକ ବିଷୟବସ୍ତୁ ପ୍ରସାରଣ କରିବା ନିଷେଧ।
ମନୋହର ଉତ୍ତେଜିତ ଅବସ୍ଥାରେ ଥିବା ଦଳର ସଦସ୍ୟମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହଠାତ୍, ସେମାନଙ୍କ ଦୃଷ୍ଟି ମୋ ଉପରେ ପଡ଼ିଥିଲା ଓ ସେମାନେ ସେଠାରେ ମୋର ଉପସ୍ଥିତି ବିଷୟରେ ପ୍ରଶ୍ନ ପଚାରିଥିଲେ ଏବଂ ମୋର କ୍ୟାମେରା ବନ୍ଦ କରିବା ପାଇଁ ଦାବି କରିଥିଲେ।
ମୁଁ ସାମ୍ବାଦିକ ବୋଲି ଜାଣିବା ପରେ ସେମାନେ ମୋ ପ୍ରତି କମ୍ ହିଂସ୍ରଭାବ ପ୍ରଦର୍ଶନ କରିଥିଲେ। ଫଳରେ ମୁଁ ଏବଂ ମନୋହର ଅନ୍ୟ ସ୍ୱେଚ୍ଛାସେବୀଙ୍କୁ ଭେଟିବା ପାଇଁ ଟିକେ ଆଗକୁ ଚାଲି ଯାଇପାରିଲୁ। ସ୍ଥାନୀୟ ବିଜେପି ଦଳର କାର୍ଯ୍ୟାଳୟର ଉପସଭାପତି ମଣିମାରନ୍ ରାଜୁ ଯେ କି ଏହି ଦଳ ମଧ୍ୟରେ ରହିଥିଲେ, ଆମକୁ ଆଗକୁ ଯିବା ପାଇଁ ଅନୁମତି ଦେବାକୁ ସ୍ଥିର କଲେ।
କିନ୍ତୁ ମାତ୍ର କେତୋଟି ମୁହୂର୍ତ୍ତ ମଧ୍ୟରେ ଆମକୁ ଦୁଇ ଗୁଣ ଦଳର ସଦସ୍ୟ ଘେରି ଯାଇଥିଲେ। ପରିସ୍ଥିତି ଅଧିକ ସମ୍ବେଦନଶୀଳ ହୋଇ ପଡ଼ିଥିଲା। ଜଣେ ଅଧିକାରୀଙ୍କର କାର୍ ଅଟକିବା ସହିତ ଘଟଣା ସ୍ଥଳରେ ନିର୍ବାଚନ ଅଧିକାରୀ ଓ ପୋଲିସ୍ ମଧ୍ୟ ପହଞ୍ଚିଥିଲେ।
ମାତ୍ର କେଇ ମିନିଟ୍ ଭିତରେ, ଆଲୋଚନା ଆରମ୍ଭ ହେବା ପୂର୍ବରୁ, ମନୋହର, ଜିଏସଏମ୍ ସ୍ୱେଚ୍ଛାସେବୀମାନଙ୍କୁ ଓ ମୋତେ ଦେବରା ଜୀବନହାଲି ପୋଲିସ୍ ଷ୍ଟେସନକୁ ଯିବା ପାଇଁ କୁହାଯାଇଥିଲା।
*****
୨୦୧୪ ମସିହାରୁ, ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିଥିଲେ ଏବଂ ଏବେ ତୃତୀୟ ଥର ପାଇଁ ୨୦୨୪ ମସିହାରେ ନିର୍ବାଚନ ଲଢ଼ୁଛନ୍ତି। ଏହି ସ୍ଥାନ ବାଙ୍ଗାଲୁରୁର ଉତ୍ତର ଲୋକସଭା ନିର୍ବାଚନ କ୍ଷେତ୍ରର ଏକ ଅଂଶ ଏବଂ ଏଠାରେ ବିଜେପିରୁ ଶୋଭା କରଣଦଲଜି ପ୍ରାର୍ଥୀ ହୋଇଥିଲା ବେଳେ କଂଗ୍ରେସରୁ ପ୍ରଫେସର ଏମ୍.ଭି. ରାଜୀବ ଗୌଡ଼ା ପ୍ରାର୍ଥୀ ହୋଇଛନ୍ତି।
ଜିଏସଏମ୍ର ପ୍ରଚାରପତ୍ରରେ ଗ୍ୟାସ୍ ସିଲିଣ୍ଡରର ଦରବୃଦ୍ଧି, ଯୁବକ ଯୁବତୀଙ୍କ ମଧ୍ୟରେ ବେକାରୀ ସମସ୍ୟା ଏବଂ ଦେଶବ୍ୟାପୀ ଗତ ୧୦ ବର୍ଷ ମଧ୍ୟରେ ଦେଖା ଦେଇଥିବା ଧାର୍ମିକ ଅସହିଷ୍ଣୁତାରେ ତୀବ୍ର ବୃଦ୍ଧି ପରି ସମାଲୋଚନାଭିତ୍ତିକ ବିଷୟମାନ ଅନ୍ତର୍ଭୁକ୍ତ ହୋଇଛି।
ଏହି ପ୍ରଚାରପତ୍ରରେ କୁହାଯାଇଛି ଯେ ‘‘ଏହାର ପ୍ରତିନିଧିମାନେ ଧର୍ମ, ଜାତି ଏବଂ ଭାଷା ନାମରେ ଆମକୁ ବିଭାଜିତ କରିବା ପାଇଁ ଲଗାତାର ଭାବରେ ଭାଷଣ ଦେଉଛନ୍ତି। ଆମେ ସେମାନଙ୍କୁ ଆମ କର୍ଣ୍ଣାଟକ, ଶାନ୍ତି ଓ ସଦଭାବର ଭୂମି (?)ରେ ଘୃଣାଭାବ ବୃଦ୍ଧି କରିବାକୁ ଦେବୁ ନାହିଁ’’
ମନୋହର କହନ୍ତି ‘‘ଯେତେବେଳେ ଗଣତନ୍ତ୍ର ବିପନ୍ନ ଅବସ୍ଥାରେ ରହିଛି, ଆମେ କେବଳ ଗୋଟିଏ ଗୋଷ୍ଠୀର ସୁରକ୍ଷା ପ୍ରତି ଦୃଷ୍ଟି ଦେବାରେ କୌଣସି ଯଥାର୍ଥତା ନାହିଁ ବରଂ ଆମେ ଗଣତନ୍ତ୍ରର ବୃହତ୍ତର ସ୍ୱାର୍ଥ ରକ୍ଷା କରିବା ଆବଶ୍ୟକ।’’ ସେ ଏହି ବସ୍ତିର ଅଣ ଓସାରିଆ ରାସ୍ତାରେ ଚାଲି ଚାଲି ଗଲାବେଳେ, କହିଲେ ‘‘ଜିଏସଏମ୍ ପାଇଁ କଂଗ୍ରେସ ଶ୍ରେଷ୍ଠ ଦଳ ବୋଲି ଆମେ ବିଚାର କରୁନାହୁଁ, କିନ୍ତୁ ବର୍ତ୍ତମାନର ଶାସନ ବ୍ୟବସ୍ଥା ହେଉଛି ଆମର ସମ୍ବିଧାନ, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ। ଯଦି ଗଣତନ୍ତ୍ର ସତ୍ତା ହରାଇବ ତେବେ ସମସ୍ତ ଅବହେଳିତ ସମ୍ପ୍ରଦାୟ ଲୀନ ହୋଇଯିବେ’’।
ଜଣେ ତୃତୀୟ ଲିଙ୍ଗୀ ବୁଦ୍ଧିଜୀବୀ କହନ୍ତି ‘‘କର୍ଣ୍ଣାଟକର ଇତିହାସରେ ପ୍ରଥମ ଥର ପାଇଁ ଏଲଜିବିଟିକ୍ୟୁଆଇଏ + ବ୍ୟକ୍ତିମାନେ ନିର୍ବାଚନ ସମୟରେ ଏପରି ବହୁ ସଂଖ୍ୟାରେ ମିଳିତ ହୋଇଛନ୍ତି’’। ଜିଏସଏମ୍ରେ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ସଦସ୍ୟମାନେ ରହିଛନ୍ତି ଏବଂ କର୍ଣ୍ଣାଟକର ବିଭିନ୍ନ ଜିଲ୍ଲା କୋଲାର, ବେଙ୍ଗାଲୁରୁ ଅର୍ବାନ, ବେଙ୍ଗାଲୁରୁ ରୁରାଲ, ଚିକବଲ୍ଲାପୁର, ରାମନଗର, ଟୁମକୁର୍, ଚିତ୍ରଦୁର୍ଗା, ବିଜୟନଗର, ବଲାରୀ, କୋପ୍ପଲ, ରାଇଚୁର, ୟାଦଗିରି, କାଲାବୁରାଗୀ, ବିଦର, ବୀଜାପୁର, ବେଲାଗାଭି, ଧରୱାଡ, ଗଦଗ, ସିମୋଗା, ଚିକାମାଙ୍ଗାଲୁର, ହସନ ଏବଂ ଚମରାଜନଗରରୁ ମଧ୍ୟ ବହୁ ସହଯୋଗୀ ରହିଛନ୍ତି।
ଏହି ଲିଙ୍ଗଭିତ୍ତିକ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଯୌନ କର୍ମୀଙ୍କ ଅଧିକାରର ସମନ୍ୱୟନ (କୋଆଲିସନ୍ ଫର୍ ସେକ୍ସୁଆଲ୍ ମାଇନରଟି ଆଣ୍ଡ୍ ସେକ୍ସ ୱାର୍କର୍ସ ରାଇଟ୍ସ୍ (ସିଏସଏମଆର୍)ର ମଧ୍ୟ ଅଂଶ ହୋଇଥିବା ସିଦ୍ଧାର୍ଥ ଯେ କି ବୃହତ୍ତମ ଜିଏସଏମ୍ର ସଦସ୍ୟ କହନ୍ତି ଯେ ‘‘ଜିଏସଏମ୍ ଅଧୀନରେ ଏହି ତୃତୀୟଲିଙ୍ଗୀ ସମ୍ପ୍ରଦାୟ ଏକାଠି ହୋଇଛନ୍ତି ଏବଂ ସମସ୍ତ ସଂଖ୍ୟା ଲଘୁମାନଙ୍କ ପାଇଁ ସମାଜରେ ସମାନ ସ୍ଥିତି ହାସଲ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହି ଅଭିଯାନ ହେଉଛି ଏକ ପ୍ରୟାସ।’’
*****
ଉତ୍ତ୍ୟକ୍ତ ଦଳୀୟ କର୍ମୀଙ୍କୁ କର୍ମୀ ଘେରି ରହିଥିବା ଆମର କର୍ମୀମାନଙ୍କର ଦଳକୁ ସମ୍ବୋଧିତ କରି ନିର୍ବାଚନ ଆୟୋଗଙ୍କର ଅଧିକାରୀ, ସୟେଦ୍ ମୁନିୟାଜ୍ କହିଥିଲେ ‘‘ନିୟମ ଭଙ୍ଗ ହୋଇଛି।’’ ମୁନିଆଜ୍ ହେଉଛନ୍ତି ନିର୍ବାଚନ ଆୟୋଗ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଅଂଶ, ସେ ବିଜେପି ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ଅନୁସନ୍ଧାନ କରୁଥିଲେ। ଆମେ ଯେତେବେଳେ ଏହି ଅଭିଯୋଗ ଦେଖିବା ପାଇଁ କହିଲୁ, ସେ କହିଲେ ଯେ ଏହା କେବଳ ଏକ ମୌଖିକ ଅଭିଯୋଗ ଥିଲା।
ମୁଁ ପଚାରିଲି ‘‘ସ୍ୱେଚ୍ଛାସେବୀଙ୍କ ବିରୋଧରେ କ’ଣ ଅଭିଯୋଗ ପଞ୍ଜିକରଣ କରାଯାଇଥିଲା?’’ ମୁନିଆଜ, ପ୍ରଚାରପତ୍ର ବିତରଣକୁ ସୂଚିତ କରି କହିଥିଲେ, ‘‘ସେମାନେ ନିୟମ ଭାଙ୍ଗିଛନ୍ତି, ତେଣୁ ସେମାନଙ୍କୁ ଏଠାରୁ ଯିବାକୁ ହେବ।’’ ଜିଏସଏମ୍ ସ୍ୱେଚ୍ଛାସେବୀମାନେ ସ୍ଥିର କରିଥିଲେ ଯେ ପରିସ୍ଥିତିକୁ ଶାନ୍ତ କରି ରଖିବା ପାଇଁ ନିର୍ଦ୍ଦେଶ ପାଳନ କରିବା ଶ୍ରେୟସ୍କର ହେବ।
ଆମ୍ଭେମାନେ ଷ୍ଟେସନକୁ ଚାଲି ଚାଲି ଯାଉଥିବା ବେଳେ କମଳା ରଙ୍ଗର ଚାଦର କାନ୍ଧରେ ପକାଇଥିବା ଲୋକେ ମୋଟର ବାଇକରେ ଆମ ପାଖ ଦେଇ ଚାଲି ଯାଇଥିଲେ, ଛୋଟିଆ ଗଳିରେ ଭୟଙ୍କର ଚିତ୍କାର କରି, ‘‘ତୁମେମାନେ ମରିବା ଉଚିତ୍’’, ‘‘ପାକିସ୍ତାନ ଯାଅ’’ ଏବଂ ‘‘ତୁମେମାନେ ଭାରତୀୟ ନୁହଁ’’ ପାଖାପାଖି ଦେହରେ ଘଷି ହୋଇ ଆମକୁ ଅତିକ୍ରମ କରିଥିଲେ।
ଷ୍ଟେସନରେ ଆଉ ୨୦ ଜଣ ବ୍ୟକ୍ତି ଆମକୁ ଅପେକ୍ଷା କରିଥିଲେ। ଯେତେବେଳେ ଜିଏସଏମ୍ ସ୍ୱେଚ୍ଛାସେବୀମାନେ ଆଉ ମୁଁ ଭିତରକୁ ଗଲୁ ସେମାନେ ଆମକୁ ଘେରି ଯାଇଥିଲେ। ସେମାନେ ସମସ୍ତ ଦଳର କର୍ମୀ ଥିଲେ, ମୋର ଫୋନ୍ ଓ କ୍ୟାମେରା ନେଇଯିବାକୁ ଧମକ ଦେଇଥିଲେ। କେତେ ଜଣ ମୋ ଆଡ଼କୁ ମାଡ଼ି ଆସିଥିଲେ କିନ୍ତୁ ଆଉ କିଛି ଜଣ ସେମାନଙ୍କୁ ଅଟକାଇ ରଖିଥିଲେ। ପୋଲିସ୍ ଇନସ୍ପେକ୍ଟର ସ୍ୱେଚ୍ଛାସେବୀଙ୍କ ସହିତ କଥାବାର୍ତ୍ତା କଲାବେଳେ ସେମାନେ ଚାହୁଁଥିଲେ ଯେ ମୁଁ କୋଠରୀ ବାହାରେ ରହେ।
ପ୍ରାୟ ଅଧ ଘଣ୍ଟା ପାଖାପାଖି ଷ୍ଟେସନରେ ଅଟକ ରଖିବା ପରେ ଏହି ଦଳକୁ ଛାଡ଼ି ଦିଆଯାଇଥିଲା। କୌଣସି ଲିଖିତ ଅଭିଯୋଗ ଫାଇଲ୍ କରାଯାଇନଥିଲା। ଜିଏସଏମ୍ର ସ୍ୱେଚ୍ଛାସେବୀମାନଙ୍କୁ ସେହି କାର୍ଯ୍ୟକ୍ରମର ସମସ୍ତ ବୈଧତା ସତ୍ତ୍ୱେ ଏପରି କାହିଁକି ଘଟିଲା ପ୍ରଶ୍ନ କରିବା ପାଇଁ କୌଣସି ସୁଯୋଗ ନ ଦେଇ ତୁରନ୍ତ ଷ୍ଟେସନ ଛାଡ଼ିବାକୁ କୁହାଯାଇଥିଲା। ସେଦିନ ସେମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡ଼ିଥିଲା।
ସିଦ୍ଧାର୍ଥ, ବେଙ୍ଗାଲୁରୁରେ ତୃତୀୟ ଲିଙ୍ଗୀ ସଚେତନତା ପ୍ରୟାସ ଉପରେ ଅଧ୍ୟୟନ କରୁଥିବା ଜଣେ ବୁଦ୍ଧିଜୀବୀ କହିଛନ୍ତି: ‘‘ରାଜ୍ୟ ଦ୍ୱାରା ଶହ ଶହ ବର୍ଷ ଧରି ଅପରାଧିକରଣ କରାଯିବା ପରେ, ଏହି ଆନ୍ଦୋଳନ ରାଜ୍ୟର ଅବହେଳା, ଉଦାସୀନତା ଏବଂ ହିଂସା ବିରୋଧରେ ମୁଣ୍ଡ ଟେକିଛି, ଯେଉଁଠାରେ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟ ରାଜନୀତି କ୍ଷେତ୍ରରେ ତୃତୀୟ ଲିଙ୍ଗୀଙ୍କର ପ୍ରତିନିଧିତ୍ୱ ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।
ମୁଁ ଚାହୁଁଥିବା ବିଷୟରେ ରିପୋର୍ଟ କରିବାକୁ ସକ୍ଷମ ହୋଇନଥିଲି, କିନ୍ତୁ ଏହି ଘଟଣା ବିଷୟରେ ଜଣାଇବା ଗୁରୁତ୍ୱପୂର୍ଣ୍ଣ ଥିଲା।
ଯେତେବେଳେ ବିଜେପିର ମଣିମାରନ୍ ରାଜୁଙ୍କ ତାଙ୍କ ସାଥିମାନଙ୍କର ଆଚରଣ ବିଷୟରେ ପଚରାଯାଇଥିଲା ସେ କହିଥିଲେ ‘‘ମୁଁ କ’ଣ କହିପାରିବି?’’। ‘‘କ’ଣ କହିବି ମୁଁ ଜାଣିନି। ଏସବୁ ସରିବା ପରେ ମୁଁ ସେମାନଙ୍କ ସହିତ ଯଥାଶୀଘ୍ର କଥାବାର୍ତ୍ତା ହେବି। ସେମାନେ ଏପରି କାମ କରିବା ଉଚିତ୍ ନୁହେଁ। (କ୍ୟାମେରା ଛଡ଼ାଇ ନେବାକୁ ଚେଷ୍ଟା କରିବା)।’’
ନିର୍ବାଚନ ପ୍ରକ୍ରିୟା ପାଇଁ ଏକ ମାସରୁ କମ୍ ସମୟ ବାକି ଅଛି, ଦେଶ ବ୍ୟାପୀ ହସ୍ତକ୍ଷେପ ପାଇଁ ବାରମ୍ବାର ନିର୍ବାଚନ ଆୟୋଗର ଦୃଷ୍ଟି ଆକର୍ଷଣ କରାଯାଉଛି କିନ୍ତୁ ଏହି ମତଦାନ ପ୍ରକ୍ରିୟା ସମୟରେ ବହୁ ନାଗରିକ ନିର୍ଯାତନା ଓ ଆତଙ୍କରାଜର ସମ୍ମୁଖୀନ ହେଉଛନ୍ତି।
ଏହି ସ୍ୱେଚ୍ଛାସେବୀ ଏବଂ ମୁଁ କୌଣସି ଶାରୀରିକ କ୍ଷତି ବ୍ୟତୀତ ସେହି ସ୍ଥାନରୁ ବାହାରିଯିବାକୁ ସକ୍ଷମ ହୋଇଥିଲୁ କିନ୍ତୁ ଗୋଟିଏ ପ୍ରଶ୍ନ ମନରେ ରହିଗଲା: କିପରି ଭାବରେ ଅଧିକରୁ ଅଧିକ ଲୋକଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରର ପ୍ରୟୋଗ କରିବାକୁ ସଚେତନ କରାଯିବ?
ଅନୁବାଦ : ଓଡ଼ିଶାଲାଇଭ୍