ସତ୍ୟପ୍ରିୟାଙ୍କ କାହାଣୀ ଆରମ୍ଭ କରିବା ପୂର୍ବରୁ ମୁଁ ପ୍ରଥମେ ମୋ ପେରିଅମ୍ମାଙ୍କ ବିଷୟରେ କହିବାକୁ ଚାହୁଁଛି। ମୁଁ ୧୨ ବର୍ଷ ବୟସରେ ଷଷ୍ଠ ଶ୍ରେଣୀରେ ପଢ଼ିବା ସମୟରୁ ମୁଁ ମୋ ପେରିଅପ୍ପା ଓ ପେରିଅମ୍ମା (ବାପାଙ୍କ ଭାଇ ଓ ତାଙ୍କ ପତ୍ନୀ) ଘରେ ରହି ଆସୁଥିଲି। ମୁଁ ସବୁବେଳେ ସେମାନଙ୍କୁ ଅମ୍ମା ଓ ଅପ୍ପା (ମା’ ଓ ବାପା) ବୋଲି ଡାକେ। ସେମାନେ ମୋର ଭଲ ଭାବେ ଯତ୍ନ ନେଉଥିଲେ ଏବଂ ମୋ ପରିବାର ଛୁଟି ଦିନରେ ପ୍ରାୟତଃ ସେମାନଙ୍କ ଘରକୁ ଯାଉଥିଲା।

ମୋ ପେରିଅମ୍ମା (ଖୁଡ଼ି) ମୋ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ଉଦାରତା ପୂର୍ବକ ମୋ ଆବଶ୍ୟକତା ପୂରଣ କରୁଥିଲେ। ଦିନ ସାରା ଆମକୁ ଠିକ ସମୟରେ ଖାଇବାକୁ ଦେଉଥିଲେ। ମୁଁ ଯେତେବେଳେ ବିଦ୍ୟାଳୟରେ ଇଂରାଜୀ ଶିଖିବା ଆରମ୍ଭ କଲି ମୋ ଖୁଡ଼ି ହିଁ ମୋତେ ଅନେକ କଥା ଶିଖାଇଥିଲେ। ସେ ରୋଷେଇ ଘରେ କାମ କରିବା ସମୟରେ ମୁଁ ତାଙ୍କ ପାଖକୁ ଯାଇ ପାଠ ପଚାରୁଥିଲି। ଅନେକ ଶବ୍ଦର ବନାନ ମୋତେ ଆସୁନଥିଲା, କିନ୍ତୁ ସେ ମୋତେ ଧୀରେ ଧୀରେ ଶିଖାଇଥିଲେ। ସେବେ ଠାରୁ ମୁଁ ତାଙ୍କୁ ଭଲ ପାଉଥିଲି।

ସ୍ତନ କର୍କଟରେ ପୀଡ଼ିତ ହୋଇ ସେ ପ୍ରାଣ ହରାଇଥିଲେ। ତେବେ ତାଙ୍କ ବିଷୟରେ ଏହା କୁହାଯାଇପାରିବ ଯେ ତାଙ୍କୁ ଯେତିକି ଦିନ ବଞ୍ଚିବାର ଥିଲା ସେ ବଞ୍ଚି ପାରିଲେ ନାହିଁ। ମୁଁ ତାଙ୍କ ବିଷୟରେ ଅନେକ କଥା କହିପାରିବି, କିନ୍ତୁ ମୁଁ ଏଇଠି ଅଟକିଯିବି।

*****

ମୋ ଖୁଡ଼ି ଚାଲିଯିବା ପରେ ତାଙ୍କର ଫଟୋ ଦେଖି ଚିତ୍ରଟିଏ ଆଙ୍କିପାରିବେ କି ବୋଲି ମୁଁ ସତ୍ୟପ୍ରିୟାଙ୍କୁ ପଚାରିଲି। ସାଧାରଣତଃ ମୁଁ କଳାକାରଙ୍କୁ ଇର୍ଷା କରେ ନାହିଁ କିନ୍ତୁ ସତ୍ୟପ୍ରିୟାଙ୍କ କାମ ଦେଖି ମୁଁ ଇର୍ଷା କଲି। କେବଳ ସତ୍ୟା ହିଁ କୌଣସି କାମକୁ ଏତେ ନିଖୁଣ ଭାବେ ଓ ଧୈର୍ଯ୍ୟର ସହ କରିପାରିବେ। ତାଙ୍କର ଶୈଳୀ ଅତି ଯଥାର୍ଥବାଦୀ ଏବଂ ଏକ ଉଚ୍ଚ ରିଜୋଲ୍ୟୁସନ୍‌ ଚିତ୍ର ଭଳି ହୋଇଥାଏ।

ଇନଷ୍ଟାଗ୍ରାମରେ ମୁଁ ସତ୍ୟାଙ୍କ ସହ ପରିଚିତ ହୋଇଥିଲି। ଯେତେବେଳେ ମୁଁ ତାଙ୍କୁ ଚିତ୍ର ଆଙ୍କିବା ଲାଗି ଫଟୋ ଫଠାଇଥିଲି, ତାହା ପିକ୍ସେଲେଟେଡ୍‌ ହୋଇଗଲା। ଚିତ୍ର ଆଙ୍କିବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ କି ନାହିଁ ସେ ସମ୍ପର୍କରେ ଆମେ ନିଶ୍ଚିତ ନଥିଲୁ। ମୁଁ ଭାବିଥିଲି ଏହା ଅସମ୍ଭବ।

କିଛି ଦିନ ପରେ ମୁଁ ମଦୁରାଇରେ ସଫେଇ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଗୋଟିଏ ଫଟୋଗ୍ରାଫ କର୍ମଶାଳା ଆୟୋଜନ କଲି। ଏହା ମୋର ପ୍ରଥମ କର୍ମଶାଳା ଥିଲା ଏବଂ ସେଠାରେ ମୁଁ ପ୍ରଥମ ଥର ସତ୍ୟାଙ୍କ ସହ ବ୍ୟକ୍ତିଗତ ଭାବେ ପରିଚିତ ହୋଇଥିଲି। ସେ ତିଆରି କରିଥିବା ମୋ ଖୁଡ଼ିଙ୍କ ଚିତ୍ର ସାଙ୍ଗରେ ନେଇ ଆସିଥିଲେ। ତାହା ଏକ ଚମତ୍କାର ପ୍ରୟାସ ଥିଲା ଏବଂ ମୁଁ ତୁରନ୍ତ ତାଙ୍କ ସହ ସମ୍ପର୍କ ବଢ଼ାଇଥିଲି।

ମୋର ପ୍ରଥମ କର୍ମଶାଳାରେ ମୋର ପ୍ରିୟ ଖୁଡ଼ିଙ୍କ ଚିତ୍ର ପାଇବା ମୋତେ ଆନନ୍ଦିତ କଲା। ସେହି ସମୟରେ ମୁଁ ସତ୍ୟପ୍ରିୟାଙ୍କ କାମ ବିଷୟରେ ଲେଖିବାକୁ ନିଷ୍ପତ୍ତି ନେଲି। ମୁଁ ଯାହା ଦେଖିଲି ସେଥିରେ ମୁଁ ମନ୍ତ୍ରମୁଗ୍ଧ ହୋଇଗଲି ଏବଂ ତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରିବା ଆରମ୍ଭ କରିଦେଲି। ଯେଉଁଦିନ ମୁଁ ତାଙ୍କ ଘରକୁ ଗଲି ସେଠାରେ ଚଟାଣ ଉପରେ, କାନ୍ଥରେ, ସବୁ ସ୍ଥାନରେ ତାଙ୍କର କୃତି ସବୁ ପୂରି ରହିଥିଲା, ସେସବୁ ଦେଖି ମୋର ଆକର୍ଷଣ ଆହୁରି ବଢ଼ିଗଲା।

PHOTO • M. Palani Kumar

ସତ୍ୟପ୍ରିୟା ତାଙ୍କ ଷ୍ଟୁଡିଓରେ କାମ କରୁଛନ୍ତି । ତାଙ୍କର ଶୈଳୀ ଅତି ଯଥାର୍ଥବାଦୀ ଏବଂ ଏକ ଉଚ୍ଚ ରିଜୋଲ୍ୟୁସନ୍ ଚିତ୍ର ଭଳି ହୋଇଥାଏ

PHOTO • M. Palani Kumar

ସତ୍ୟପ୍ରିୟାଙ୍କ ଘରେ ତାଙ୍କର କଳାକୃତିଗୁଡ଼ିକ ଭରି ରହିଥିଲା। ପ୍ରତ୍ୟେକ ଚିତ୍ର ପାଇଁ ଫାଉଣ୍ଡେସନ ପ୍ରସ୍ତୁତ କରିବା ଲାଗି ସେ ପ୍ରାୟ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ସମୟ ବିତାଇଥାନ୍ତି

ସତ୍ୟପ୍ରିୟା ମୋତେ ତାଙ୍କ କାହାଣୀ କରିବା ଆରମ୍ଭ କରିବା କ୍ଷଣି, ମୋତେ ଲାଗିଲା ଯେମିତି ତାଙ୍କ ଚିତ୍ରଗୁଡ଼ିକ କଥା କହୁଛନ୍ତି। ଯେତେବେଳେ ସତ୍ୟପ୍ରିୟା ତାଙ୍କ କାହାଣୀ କହିବା ଆରମ୍ଭ କରନ୍ତି, ଆପଣଙ୍କୁ ମଧ୍ୟ ଲାଗିବ ଯେମିତି ତାଙ୍କର ଚିତ୍ରଗୁଡ଼ିକ କଥା କହୁଛନ୍ତି।

‘‘ମୁଁ ୨୭ ବର୍ଷ ବୟସ୍କା ସତ୍ୟପ୍ରିୟା। ମୋ ଘର ମଦୁରାଇରେ। ମୋର କାମ ଅତିବାସ୍ତବବାଦ ଉପରେ ଆଧାରିତ। କେମିତି ଚିତ୍ର ଆଙ୍କିବାକୁ ହେବ ପ୍ରକୃତରେ ମୁଁ ଜାଣେ ନାହିଁ। ମୁଁ କଲେଜରେ ପଢ଼ୁଥିବା ସମୟରେ, ପ୍ରେମ ପ୍ରତାରଣାର ଶିକାର ହୋଇଥିଲି। ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ଜୀବନରେ ଆଗକୁ ବଢ଼ିବା ଲାଗି ମୁଁ ଚିତ୍ର ଆଙ୍କିବା ଆରମ୍ଭ କଲି; ପ୍ରଥମ ପ୍ରେମଠାରୁ ମୁଁ ଯେଉଁ ମାନସିକ ଆଘାତ ପାଇଥିଲି ସେଥିରୁ ମୁକୁଳିବା ପାଇଁ ମୁଁ ମୋ ଚିତ୍ରକଳାକୁ ଉପଯୋଗ କଲି। କଳା ମୋ ପାଇଁ ସିଗାରେଟ୍‌ ଟାଣିବା କିମ୍ବା ମଦ ପିଇବା ଭଳି - ମାନସିକ ଅବସାଦରୁ ମୁକୁଳିବାର ଗୋଟିଏ ବାଟ।

କଳା ମୋତେ ଆଶ୍ୱସ୍ତି ଦେଲା। ମୁଁ ମୋ ପରିବାର ଲୋକଙ୍କୁ କହିଲି ଯେ ଏବେଠାରୁ ମୁଁ କେବଳ ଚିତ୍ର ଆଙ୍କିବା ପାଇଁ ଚାହୁଁଛି। ଜାଣେ ନାହିଁ ଏକଥା କହିବା ପାଇଁ ମୋର ସାହସ କେଉଁଠୁ ଆସିଲା। ପ୍ରଥମେ ମୁଁ ଆଇଏଏସ କିମ୍ବା ଆଇପିଏସ (ପ୍ରଶାସନିକ ସେବା) ଅଧିକାରୀ ହେବାକୁ ଚାହୁଁଥିଲି। ସେଥିପାଇଁ ମୁଁ ୟୁପିଏସସି (ସଂଘ ଲୋକସେବା ଆୟୋଗ) ପରୀକ୍ଷା ଦେଇଥିଲି। କିନ୍ତୁ ତା’ପରେ ମୁଁ ଆଉ କେବେ ଏହା କରିନଥିଲି।

ପିଲାଦିନୁ ମୋତେ ନିଜ ରଙ୍ଗ ଓ ରୂପକୁ ନେଇ ଭେଦଭାବର ଶିକାର ହେବାକୁ ପଡ଼ିଥିଲା। ସ୍କୁଲ, କଲେଜ ଏବଂ ଏନସିସି (ଜାତୀୟ ସମରଶିକ୍ଷାର୍ଥୀ ବାହିନୀ) ଶିବିରରେ ଅନ୍ୟମାନେ ମୋତେ ନୀଚ ମଣୁଥିଲେ, ମୋ ସହ ଭିନ୍ନ ବ୍ୟବହାର କରୁଥିଲେ। ମୋ ସ୍କୁଲର ଅଧ୍ୟକ୍ଷ ଏବଂ ଶିକ୍ଷକ ମୋତେ ସମାଲୋଚନା କରୁଥିଲେ ଏବଂ ସବୁବେଳେ ମୋତେ ଗାଳି ଦେଉଥିଲେ।

ମୁଁ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲର ନଳା ଜାମ୍‌ ହୋଇଯାଇଥିଲା କାରଣ ଝିଅମାନେ ବ୍ୟବହାର କରିଥିବା ସାନିଟାରୀ ନାପକିନକୁ ଠିକ୍‌ ଭାବେ ନଷ୍ଟ କରୁନଥିଲେ। ଆମର ସ୍କୁଲ ଅଧ୍ୟକ୍ଷ ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀର ସବୁ ଛାତ୍ରୀ କିମ୍ବା ନିକଟରେ ଋତୁସ୍ରାବ କରିଥିବା ଛାତ୍ରୀଙ୍କୁ ଡାକି ସେମାନଙ୍କୁ ନାପକିନ ଠିକ୍‌ ଭାବେ ଫିଙ୍ଗିବାର ଉପାୟ କହିବା ଉଚିତ୍‌ ଥିଲା।

ଏହା ପରିବର୍ତ୍ତେ କେବଳ ମୋତେ ଆକ୍ଷେପ କରାଗଲା। ସକାଳ ପ୍ରାର୍ଥନା ପରେ ଯେତେବେଳେ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନେ ଯୋଗ କରିବାକୁ ରହିଲେ, ସେତେବେଳେ ସେ କହିଲେ, ‘‘କେବଳ ଏମିତିକା ଝିଅ (ମୋ ଭଳି ଝିଅମାନେ) ଏପରି କାମ (ଡ୍ରେନ୍‌ ଜାମ୍‌ କରିବା) କରିଥାନ୍ତି।’’ ମୁଁ ଚକିତ ହୋଇଗଲି। ଜାମ୍‌ ହୋଇଥିବା ଡ୍ରେନ୍‌ ସହ ମୋର ସମ୍ପର୍କ କ’ଣ?

PHOTO • M. Palani Kumar
PHOTO • M. Palani Kumar

ବାମ: ଗୋଟିଏ ସ୍କୁଲ ଛାତ୍ରୀର ଚିତ୍ର। ଡାହାଣ: ପରୀରେ ପ୍ରକାଶିତ ତାଙ୍କ କାହାଣୀରେ ରୀତା ଆକ୍କାଙ୍କ ଚିତ୍ର

ସ୍କୁଲରେ ମୋତେ ପ୍ରାୟତଃ ଏପରି ଆକ୍ଷେପର ଶିକାର ହେବାକୁ ପଡ଼ୁଥିଲା, ଅଧିକାଂଶ ସମୟରେ। ନବମ ଶ୍ରେଣୀରେ ଯେତେବେଳେ ପିଲାମାନେ ପ୍ରେମ ସମ୍ପର୍କରେ ପଡ଼ିଲେ, ତାହା ମୋର ଭୁଲ ଥିଲା। ସେମାନେ ମୋ ବାପାମା’ଙ୍କୁ ଡାକୁଥିଲେ ଏବଂ ଏପରି ସମ୍ପର୍କ ରଖିବାରେ କୁଆଡ଼େ ମୁଁ ସାହାଯ୍ୟ କରୁଥିଲି ଏବଂ ମୁଁ ସେମାନଙ୍କୁ ଏକାଠି କରୁଥିଲି ବୋଲି ଅଭିଯୋଗ କରୁଥିଲେ। ସେମାନେ ମୋ ପିତାମାତାଙ୍କୁ ‘ଅପ୍ରୀତିକର ଶବ୍ଦ’ କିମ୍ବା ‘ଅପ୍ରୀତିକର କାର୍ଯ୍ୟ’ ପାଇଁ ମୋ ତରଫରୁ କ୍ଷମା ମାଗି ଏକ ଚିଠି ଲେଖିବା ପାଇଁ କହୁଥିଲେ। ସେମାନେ ମୋତେ ଭଗବଦ୍ ଗୀତା ଆଣିବାକୁ କହୁଥିଲେ ଏବଂ ମୁଁ ମିଛ କହୁନାହିଁ ବୋଲି ଶପଥ କରାଉଥିଲେ।

ସ୍କୁଲରେ ଏମିତି ଗୋଟିଏ ଦିନ ମଧ୍ୟ ବିତିନଥିଲା, ଯେଉଁଦିନ ମୁଁ ନକାନ୍ଦି ଘରକୁ ଫେରିଥିଲି। ଘରେ ମୋତେ କୁହାଯାଉଥିଲା, ‘ମୁଁ ନିଶ୍ଚିତ ଯେ, ତୁମେ କିଛି ନା କିଛି କହିଥିବ’ କିମ୍ବା ‘ତୁମର ଦୋଷ ହୋଇଥିବ’। ତା’ପରେ ମୁଁ ଘରେ କିଛି କହିବା ବନ୍ଦ କରିଦେଲି।

ମୋ ଭିତରେ ଗୋଟିଏ ଅସୁରକ୍ଷା ଭାବ ସୃଷ୍ଟି ହେଲା।

କଲେଜରେ ମୋ ଦାନ୍ତ ପାଇଁ ମୋତେ ଥଟ୍ଟା ପରିହାସ କରାଯାଉଥିଲା। ଏ ବିଷୟରେ ଆପଣ ଟିକିଏ ଚିନ୍ତା କଲେ, ଚଳଚ୍ଚିତ୍ରରେ ମଧ୍ୟ ଲୋକମାନେ ଏଭଳି ଥଟ୍ଟା ପରିହାସ କରୁଥିବା ଦେଖିବାକୁ ମିଳିଥାଏ। କାହିଁକି? ମୁଁ ମଧ୍ୟ ଅନ୍ୟମାନଙ୍କ ଭଳି ମଣିଷ। ଲୋକମାନେ ଚିଡ଼ାଇବାକୁ ସ୍ୱାଭାବିକ ବୋଲି ବିବେଚନା କରନ୍ତି କାରଣ ସମସ୍ତେ ଏହା କରନ୍ତି। ସେମାନଙ୍କ ଚିଡ଼ାଇବା ଜଣେ ଲୋକ ଉପରେ କିଭଳି ପ୍ରଭାବ ପକାଇଥାଏ, ତାଙ୍କୁ ମାନସିକ ଆଘାତ ଦିଏ କିମ୍ବା ତାଙ୍କ ଭିତରେ କେତେ ଅସୁରକ୍ଷା ଭାବନା ସୃଷ୍ଟି କରିଥାଏ, ସେଥିପ୍ରତି ସେମାନେ ଧ୍ୟାନ ଦିଅନ୍ତି ନାହିଁ।

ଏବେ ବି ଏମିତି କିଛି ମୁହୂର୍ତ୍ତକୁ ମୁଁ ସାମ୍ନା କରିଥାଏ ଯେତେବେଳେ ମୋ ଜୀବନର ଏଭଳି ଘଟଣା ମୋତେ ପ୍ରଭାବିତ କରିଥାଏ। ଏବେ ମଧ୍ୟ ଯେତେବେଳେ କେହି ମୋ ଫଟୋ ଉଠାନ୍ତି, ମୁଁ ଅସୁରକ୍ଷିତ ଅନୁଭବ କରେ। ମୁଁ ୨୫ କିମ୍ବା ୨୬ ବର୍ଷ ଧରି ଏହା ଅନୁଭବ କରୁଛି। ଜଣେ ବ୍ୟକ୍ତିର ଶରୀରକୁ ନେଇ ଥଟ୍ଟା ପରିହାସ କରିବା କେତେ ସ୍ୱାଭାବିକ ହୋଇଗଲାଣି।

*****

ମୁଁ କାହିଁକି ମୋର ଚିତ୍ର ଆଙ୍କେ ନାହିଁ? ଯଦି ମୁଁ ନିଜର ପ୍ରତିନିଧିତ୍ୱ ନକରିବି, କିଏ କରିବ?

ମୋ ଭଳି ଚେହେରାର ଚିତ୍ର ଆଙ୍କିବା କେମିତି ହେବ ବୋଲି ମୁଁ ଭାବୁଥିଲି।

PHOTO • M. Palani Kumar

ସତ୍ୟପ୍ରିୟା ନିଜେ ଆଙ୍କିଥିବା ନିଜର ଏବଂ ସେ ବ୍ୟବହାର କରୁଥିବା ଉପକରଣଗୁଡ଼ିକର ଏକ ଚିତ୍ର

PHOTO • M. Palani Kumar

ସତ୍ୟପ୍ରିୟା ଉତ୍ସାହପୂର୍ବକ ନିଜ ଚିତ୍ର ବିଷୟରେ ନିଜର ଦୃଷ୍ଟିକୋଣ ବ୍ୟାଖ୍ୟା କରୁଛନ୍ତି

ମୁଁ ସୁନ୍ଦର ଚେହେରାକୁ ନେଇ ଏହି କାମ ଆରମ୍ଭ କରିଥିଲି। କିନ୍ତୁ ପରେ ମୁଁ ଅନୁଭବ କଲି ଯେ କେବଳ ସୁନ୍ଦରତାକୁ ନେଇ ନୁହେଁ ଆମେ ଲୋକମାନଙ୍କୁ ସେମାନଙ୍କର ଜାତି, ଧର୍ମ, ପ୍ରତିଭା, ବୃତ୍ତି, ଲିଙ୍ଗ, ଲିଙ୍ଗଭେଦକୁ ନେଇ ସେମାନଙ୍କୁ ଆକଳନ କରିଥାଉ। ତେଣୁ ମୁଁ ନିଜର ଚିତ୍ରଗୁଡ଼ିକୁ ଅଣପାରମ୍ପରିକ ସୌନ୍ଦର୍ଯ୍ୟ ଆଧାରରେ ଆଙ୍କିଥାଏ। ଯଦି ଆମେ କିନ୍ନରଙ୍କୁ ଚିତ୍ର କଥା କହିବା ତା’ହେଲେ ଚିତ୍ରକଳାରେ କେବଳ ସେହିମାନଙ୍କର ଚିତ୍ର ଅଙ୍କା ଯାଇଥାଏ ଯେଉଁମାନେ କେବଳ ମହିଳାଙ୍କ ଭଳି ଦେଖାଯାଆନ୍ତି। ଅନ୍ୟ କିନ୍ନରମାନଙ୍କ ଚିତ୍ର ଆଙ୍କିବ କିଏ? ସବୁ ଜିନିଷର ଗୋଟିଏ ମାନଦଣ୍ଡ ରହିଛି ଏବଂ ମୋର ସେହି ସେହି ମାନଦଣ୍ଡଗୁଡ଼ିକୁ ନେଇ କୌଣସି ଆଗ୍ରହ ନାହିଁ। ମୁଁ ନିଜ କଳାରେ ଲୋକମାନଙ୍କୁ କାହିଁକି ସାମିଲ କରିବି ସେ ସମ୍ପର୍କରେ ମୁଁ ବିଚାର କରିଥାଏ। ମୁଁ ଚାହୁଁଛି ଯେ ମୋ କଳା ଦେଖି ଲୋକମାନେ ଖୁସି ହୁଅନ୍ତୁ।

ଭିନ୍ନକ୍ଷମ ଲୋକଙ୍କୁ ନେଇ କେହି ଚିତ୍ର ଆଙ୍କନ୍ତି ନାହିଁ। ଭିନ୍ନକ୍ଷମ ଲୋକମାନେ ଅନେକ କାମ କରିଛନ୍ତି କିନ୍ତୁ ତାଙ୍କ ଉପରେ କୌଣସି ଚିତ୍ର ନାହିଁ। ସଫେଇ କର୍ମୀଙ୍କ ମୃତ୍ୟୁ ଉପରେ କେହି କାମ କରନ୍ତି ନାହିଁ ।

କଳା ଏକ ସୌନ୍ଦର୍ଯ୍ୟବୋଧ ଏବଂ ସମସ୍ତେ ଏହାକୁ ସୁନ୍ଦରତା ପରିପ୍ରେକ୍ଷୀରେ ଦେଖିଥା’ନ୍ତି, ଏହି କାରଣ ପାଇଁ ଏପରି ହୋଇଥାଏ କି? ମୁଁ ନିଜ କଳାକୁ ସାଧାରଣ ଲୋକଙ୍କ ରାଜନୀତି ଏବଂ ସେମାନଙ୍କ ଜୀବନର ବାସ୍ତବତାକୁ ସାମ୍ନାକୁ ଆଣିବାର ମାଧ୍ୟମ ରୂପେ ଦେଖିଥାଏ।  ଏଥିପାଇଁ ଅତିବାସ୍ତବତାବାଦ ଏକ ଗୁରୁତ୍ୱପୂର୍ଣ୍ଣ ଶୈଳୀ ଅଟେ। ଅନେକ ଲୋକ ମୋତେ କହିଥା’ନ୍ତି, ‘ଓଃ କିନ୍ତୁ ଆପଣ କେବଳ ଫଟୋଗ୍ରାଫୀ ପ୍ରସ୍ତୁତ କରିଥା’ନ୍ତି।’ ହଁ, ମୁଁ କେବଳ ଫଟୋଗ୍ରାଫୀ ପ୍ରସ୍ତୁତ କରିଥାଏ। ଅତିବାସ୍ତବତାବାଦ ଫଟୋଗ୍ରାଫୀରୁ ହିଁ ଆସିଛି। ଏହା କ୍ୟାମେରା ଉଦ୍ଭାବନ ହେବା ଏବଂ ଫଟୋ ଉଠାଯିବା ପରେ ଉଦ୍ଭବ ହୋଇଛି।

ମୁଁ ଅନ୍ୟମାନଙ୍କୁ କହିବା ଲାଗି ଚାହୁଁଛି, ‘ଏହି ଲୋକମାନଙ୍କୁ ଦେଖ, ସେମାନଙ୍କୁ ଜାଣ’।

PHOTO • M. Palani Kumar
PHOTO • M. Palani Kumar

ସଠିକ ବିବରଣୀ ହାସଲ କରିବା ଲାଗି କଳାକାରକୁ ୨୦ରୁ ୪୫ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ

PHOTO • M. Palani Kumar
PHOTO • M. Palani Kumar

ଏସବୁ ଚିତ୍ର କୁଳଶାଇ ମହୋତ୍ସବକୁ ଦର୍ଶାଉଛି

ସାଧାରଣତଃ ଭିନ୍ନକ୍ଷମମାନଙ୍କୁ ଆମେ କିପରି ଉପସ୍ଥାପନ କରୁ? ଜଣେ ‘ସ୍ୱତନ୍ତ୍ର ବ୍ୟକ୍ତି’ ଭାବେ ଦର୍ଶାଇ ଆମେ ସେମାନଙ୍କର ମାନ ହ୍ରାସ କରିଥାଉ। ଜଣଙ୍କୁ କାହିଁକି ଆମେ ସ୍ୱତନ୍ତ୍ର ବୋଲି ଦେଖିବା? ସେମାନେ ଆମ ଭଳି ସାଧାରଣ ମଣିଷ। ଉଦାହରଣସ୍ୱରୂପ, ଯଦି ଆମେ କରିବାକୁ ସକ୍ଷମ ହୋଇଥାଉ ଆଉ ଜଣେ ଏହା କରିବାକୁ ସକ୍ଷମ ହୋଇନଥା’ନ୍ତି, ଆମକୁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ଯାହାଫଳରେ ସେହି ବ୍ୟକ୍ତି ସବୁକିଛି ସୁବିଧା ପାଇପାରିବେ। ଆମେ ସେମାନଙ୍କୁ ‘ସ୍ୱତନ୍ତ୍ର ଆବଶ୍ୟକତା’ ଥିବା ବ୍ୟକ୍ତି ଭାବେ ବର୍ଗୀକରଣ କରିବା କିପରି ଉଚିତ୍‌ ହେବ। ସମାବେଶୀ ବ୍ୟବସ୍ଥା କରିବା ବିନା ସେମାନଙ୍କୁ ସ୍ୱାଭାବିକ ହେବାକୁ ଦିଆଯାଉ।

ସେମାନଙ୍କର ଇଚ୍ଛା ଓ ଆଶା ରହିଛି। ସକ୍ଷମ ଲୋକମାନେ ଗୋଟିଏ ମିନିଟ୍ ପାଇଁ ଘରକୁ ବାହାରି ନପାରିଲେ ଆମେ ନିରାଶ ହୋଇଯାଉ। ତା’ହେଲେ ଭିନ୍ନକ୍ଷମ ଲୋକମାନେ କାହିଁକି ଏମିତି ଅନୁଭବ କରିବେ ନାହିଁ? ସେହି ବ୍ୟକ୍ତିଙ୍କର ମନୋରଞ୍ଜନ ଦରକାର ନାହିଁ କି? ସେହି ବ୍ୟକ୍ତିଙ୍କର ଶିକ୍ଷା ଲାଭ କରିବାକୁ ଚାହାନ୍ତି ନାହିଁ କି? ତାଙ୍କ ମନରେ ଯୌନସମ୍ପର୍କ ଓ ପ୍ରେମ ପାଇଁ ଇଚ୍ଛା ନାହିଁ କି? ଆମେ ସେମାନଙ୍କ ପ୍ରତି ଧ୍ୟାନ ଦେଇନଥାଉ। ଆମେ ସେମାନଙ୍କୁ ଜାଣିବା ଲାଗି ଚେଷ୍ଟା କରିନଥାଉ। କୌଣସି କଳା ଭିନ୍ନକ୍ଷମ ଲୋକଙ୍କର ପ୍ରତିନିଧିତ୍ୱ କରିନଥାଏ। କୌଣସି ମୁଖ୍ୟଧାରା ଗଣମାଧ୍ୟମ ସେମାନଙ୍କୁ ଦେଖାଏ ନାହିଁ। ଆମେ ସମାଜକୁ କେମିତି ମନେ ପକାଇବା ଯେ ସେମାନଙ୍କର ଅସ୍ତିତ୍ୱ ରହିଛି ଏବଂ ସେମାନଙ୍କର ମଧ୍ୟ ଆବଶ୍ୟକତା ରହିଛି।

ଏବେ ଆପଣ (ପାଲାନି କୁମାର) ଛଅ ବର୍ଷରୁ ଅଧିକ ସମୟ ଧରି ସଫେଇ କର୍ମଚାରୀଙ୍କ ସହ କାମ କରି ଆସୁଛନ୍ତି। କାହିଁକି? କାରଣ ଆମେ ଯେତେବେଳେ କୌଣସି ବିଷୟରେ ବାରମ୍ବାର ସମ୍ପୃକ୍ତ ରହିଥାଉ, ଲୋକମାନେ ଏହାକୁ ଜାଣିବା ଲାଗି ଆଗେଇ ଆସନ୍ତି। ଯେକୌଣସି ବିଷୟ: ଆଘାତ, ଲୋକକଳା, ଭିନ୍ନକ୍ଷମଙ୍କ ଅସ୍ତିତ୍ୱ ନେଇ ଦସ୍ତାବିଜ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଆମ ସମସ୍ତଙ୍କର କାମ ସମାଜକୁ ସହାୟତା କରିବା ଉଚିତ୍‌। ମୁଁ କଳାକୁ ଏକ ସହଯୋଗ ପ୍ରଣାଳୀ ରୂପରେ ଦେଖିଥାଏ। ଲୋକମାନଙ୍କ ସହିତ କ’ଣ ଘଟିଥାଏ ତାହା ଅନ୍ୟମାନଙ୍କୁ ଜଣାଇବା ଲାଗି ଏହା ଏକ ମାଧ୍ୟମ। ବିକଳାଙ୍ଗ ପିଲାମାନଙ୍କୁ ଦେଖାଇବା ନାହିଁ କାହିଁକି? ପିଲାମାନଙ୍କୁ ହସୁଥିବାର ଦେଖାଇବା ନାହିଁ କାହିଁକି? ଏପରି ପିଲା ସବୁବେଳେ ଦୁଃଖୀ ଓ ଦୟନୀୟ ଦେଖାଯିବା ଜରୁରୀ କି?

PHOTO • M. Palani Kumar
PHOTO • M. Palani Kumar

ବାମ: ଗୋଟିଏ ଯାଯାବର ଜନଜାତିର ପିଲାମାନେ। ଡାହାଣ: ଜଣେ ଭିନ୍ନକ୍ଷମ ବ୍ୟକ୍ତି

ଅନିତା ଅମ୍ମା ଙ୍କୁ ନେଇ ମୋର ଗୋଟିଏ କାମ। ଆମେ ସେତେବେଳେ ଏକାଠି କାମ କରୁଥିଲୁ। ସେ ପ୍ରକଳ୍ପକୁ ଆଗକୁ ବଢ଼ାଇ ପାରିଲେ ନାହିଁ କାରଣ କୌଣସି ଆର୍ଥିକ କିମ୍ବା ଭାବନାତ୍ମକ ସହଯୋଗ ନଥିଲା। ସେ ଅନେକ ସମସ୍ୟାର ସାମ୍ନା କରିଥିଲେ। ଏଠାରେ, ଆମକୁ ବିଷୟ ସହିତ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି, ତା’ପରେ ଯାଇ ଆମେ ପାଣ୍ଠି ସଂଗ୍ରହ କରିପାରିବା। ଆମେ ଯେତେବେଳେ ଏହା କରିଥାଉ, ଆମେ ଲୋକମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରସ୍ତାବ ଦେଇପାରିବା। ଭାବନାତ୍ମକ ସମର୍ଥନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ମୁଁ ମୋର କଳାକୁ ସେମାନଙ୍କ ପାଇଁ ବ୍ୟବହାର କରିବାକୁ ଚାହୁଁଛି।

ମୁଁ କଳା ଓ ଧଳା ମାଧ୍ୟମକୁ ଏଥିପାଇଁ ବାଛିଲି, କାରଣ ଏହା ମୋତେ ମୋର ଇଚ୍ଛା ମୁତାବକ ଲୋକଙ୍କୁ ଚିତ୍ରିତ କରିବା ଲାଗି ସୁଯୋଗ ଦେଇଥାଏ ଏବଂ ଦର୍ଶକମାନେ କେବଳ ସେହି ବାସ୍ତବତାକୁ ହିଁ ଦେଖିପାରନ୍ତି। ସେମାନେ ଆଦୌ ଦ୍ୱନ୍ଦ୍ୱରେ ପଡ଼ନ୍ତି ନାହିଁ। ଆମେ ସେଗୁଡ଼ିକ (ବିଷୟ ଏବଂ ମଡେଲ) ର ସାରାଂଶ ଏବଂ ସେଗୁଡ଼ିକର ବାସ୍ତବିକ ଭାବଗତ ସ୍ୱତ୍ୱକୁ ସାମ୍ନାକୁ ଆଣିପାରିବା।

ଅନିତା ଅମ୍ମାଙ୍କ କଳାକୃତି ମୋର ସବୁଠୁ ପ୍ରସିଦ୍ଧ କୃତି। ଅନିତା ଅମ୍ମାଙ୍କ ଚିତ୍ର ଉପରେ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ କାମ କରିଛି; ଏବଂ ମୋ ମନରେ ଏହା ପ୍ରତି ଗଭୀର ଭାବନା ରହିଛି। ମୁଁ ଚିତ୍ର ଉପରେ କାମ କରିବା ସମୟରେ ମୋର ସ୍ତନ ଯନ୍ତ୍ରଣା ହୋଇଥିଲା। ମୋ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥିଲା।

ଆଜି ମଧ୍ୟ ସେପ୍ଟିକ୍‌ - ଟାଙ୍କି ଜନିତ ମୃତ୍ୟୁ ହେଉଛି, ଯାହା ଲଗାତାର ଅନେକ ଜୀବନ ଓ ପରିବାରକୁ ପ୍ରଭାବିତ କରୁଛି। ଏ ସମ୍ପର୍କରେ କୌଣସି ସଚେତନତା ନାହିଁ। ଏହି କାମ (ହାତରେ ମଇଳା ସଫା କରିବା) ଏକ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କ ଦ୍ୱାରା ସେମାନଙ୍କ ଇଚ୍ଛା ବିରୋଧରେ କରାଯାଇଥାଏ। ସେମାନେ ଏହି କାମ କରି ନିଜର ପ୍ରାଣ ଓ ସମ୍ମାନ ହରାଇଥା’ନ୍ତି। ଏସବୁ ସତ୍ତ୍ୱେ ସମାଜ ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖିଥାଏ। ସେମାନଙ୍କ ଜୀବନର କୌଣସି ମୂଲ୍ୟ ନଥାଏ।

ଜଣେ ସମସାମୟିକ କଳାକାର ଭାବେ, ମୋ କଳାରେ ମୋ ଚାରିପାଖରେ ଥିବା ସମାଜ ଏବଂ ସେଥିରେ ରହିଥିବା ସମସ୍ୟା ପ୍ରତିଫଳିତ ହୋଇଥାଏ।’’

PHOTO • M. Palani Kumar

‘ମୁଁ କଳା ଓ ଧଳା ମାଧ୍ୟମକୁ ଏଥିପାଇଁ ବାଛିଲି, କାରଣ ଏହା ମୋତେ ମୋର ଇଚ୍ଛା ମୁତାବକ ଲୋକଙ୍କୁ ଚିତ୍ରିତ କରିବା ଲାଗି ସୁଯୋଗ ଦେଇଥାଏ ଏବଂ ଦର୍ଶକମାନେ କେବଳ ସେହି ବାସ୍ତବତାକୁ ହିଁ ଦେଖିପାରନ୍ତି। ସେମାନେ ଆଦୌ ଦ୍ୱନ୍ଦ୍ୱରେ ପଡ଼ନ୍ତି ନାହିଁ। ଆମେ ସେଗୁଡ଼ିକ (ବିଷୟ ଏବଂ ମଡେଲ) ର ସାରାଂଶ ଏବଂ ସେଗୁଡ଼ିକର ବାସ୍ତବିକ ଭାବଗତ ସ୍ୱତ୍ୱକୁ ସାମ୍ନାକୁ ଆଣିପାରିବା,’ ସତ୍ୟପ୍ରିୟା କୁହନ୍ତି

PHOTO • M. Palani Kumar

ସେ ପରୀକୁ କୁହନ୍ତି, ‘ଜଣେ ସମସାମୟିକ କଳାକାର ଭାବେ, ମୋ କଳାରେ ମୋ ଚାରିପାଖରେ ଥିବା ସମାଜ ଏବଂ ସେଥିରେ ରହିଥିବା ସମସ୍ୟା ପ୍ରତିଫଳିତ ହୋଇଥାଏ’

PHOTO • M. Palani Kumar

ସତ୍ୟପ୍ରିୟା ଆଙ୍କିଥିବା ସ୍ତନ କର୍କଟରେ ପୀଡ଼ିତ ଜଣେ ମହିଳା ଏବଂ ଭିନ୍ନକ୍ଷମ ଲୋକଙ୍କ ଚିତ୍ର

ଅନୁବାଦ : ଓଡ଼ିଶାଲାଇଭ୍‍

M. Palani Kumar

ایم پلنی کمار پیپلز آرکائیو آف رورل انڈیا کے اسٹاف فوٹوگرافر ہیں۔ وہ کام کرنے والی خواتین اور محروم طبقوں کی زندگیوں کو دستاویزی شکل دینے میں دلچسپی رکھتے ہیں۔ پلنی نے ۲۰۲۱ میں ’ایمپلیفائی گرانٹ‘ اور ۲۰۲۰ میں ’سمیُکت درشٹی اور فوٹو ساؤتھ ایشیا گرانٹ‘ حاصل کیا تھا۔ سال ۲۰۲۲ میں انہیں پہلے ’دیانیتا سنگھ-پاری ڈاکیومینٹری فوٹوگرافی ایوارڈ‘ سے نوازا گیا تھا۔ پلنی تمل زبان میں فلم ساز دویہ بھارتی کی ہدایت کاری میں، تمل ناڈو کے ہاتھ سے میلا ڈھونے والوں پر بنائی گئی دستاویزی فلم ’ککوس‘ (بیت الخلاء) کے سنیماٹوگرافر بھی تھے۔

کے ذریعہ دیگر اسٹوریز M. Palani Kumar
Sathyapriya

ستیہ پریہ، مدورئی کی آرٹسٹ ہیں اور انتہائی حقیقت پسندانہ طرز میں پینٹنگ کرتی ہیں۔

کے ذریعہ دیگر اسٹوریز Sathyapriya
Editor : Priti David

پریتی ڈیوڈ، پاری کی ایگزیکٹو ایڈیٹر ہیں۔ وہ جنگلات، آدیواسیوں اور معاش جیسے موضوعات پر لکھتی ہیں۔ پریتی، پاری کے ’ایجوکیشن‘ والے حصہ کی سربراہ بھی ہیں اور دیہی علاقوں کے مسائل کو کلاس روم اور نصاب تک پہنچانے کے لیے اسکولوں اور کالجوں کے ساتھ مل کر کام کرتی ہیں۔

کے ذریعہ دیگر اسٹوریز Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE