ଗୁଲମର୍ଗର ବରଫାବୃତ ଗଡ଼ାଣୀରେ ନିଜ ସ୍ଲେଜ୍‌ (ଟଣା ଗାଡ଼ି)କୁ ନେଇଯିବା ଲାଗି ପ୍ରସ୍ତୁତ ଥିଲେ ଅବଦୁଲ୍‌ ୱହାବ୍‌ ଥୋକର। ତେବେ ୧୪ ଜାନୁଆରୀ ୨୦୨୪ରେ ଥୋକର ନିରାଶ ହୋଇ ନିଜ ଗାଡ଼ି ଉପରେ ବସିଗଲେ। ତାଙ୍କ ଆଖି ଆଗରେ ଏକ ବିନାଶକାରୀ ଦୃଶ୍ୟ ଥିଲା । ସେ ଏକ ବାଦାମୀ ଓ ଟାଙ୍ଗରା ଭୂଇଁକୁ ଦେଖୁଥିଲେ।

‘‘ଏହା ଚିଲ୍ଲା-ଏ-କଲାଁ (ଚରମ ସ୍ଥିତିରେ ଶୀତ ଋତୁ) ଏବଂ ଗୁଲମର୍ଗରେ ବରଫ ନାହିଁ,’’ ୪୩ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟର ସହ କହିଥା’ନ୍ତି। ୨୫ ବର୍ଷ ଧରି ସ୍ଲେଜ୍‌ ଟାଣୁଥିବା ଥୋକର କୁହନ୍ତି ଯେ ସେ ଏପରି ପୂର୍ବରୁ କେବେ ଦେଖିନଥିଲେ ଏବଂ ଭୟଭୀତ ଅଛନ୍ତି : ‘‘ଯଦି ଏଭଳି ସ୍ଥିତି ଜାରି ରହିବ, ତା’ହେଲେ ଆମେ ଯଥାଶୀଘ୍ର ଋଣରେ ବୁଡ଼ଯିବୁ।’’

କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀର (ଜେଏଣ୍ଡକେ) ବାରାମୁଲା ଜିଲ୍ଲାର ଏକ ପ୍ରସିଦ୍ଧ ଶୈଳ ନିବାସ ଗୁଲମର୍ଗ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରୁ ଲକ୍ଷାଧିକ ଲୋକଙ୍କୁ ଆକୃଷ୍ଟ କରିଥାଏ। ଏହି ପର୍ଯ୍ୟଟନ ହିଁ ପ୍ରାୟ ୨,୦୦୦ ଲୋକ (ଜନଗଣନା ୨୦୧୧) ଙ୍କୁ ନେଇ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଥୋକରଙ୍କ ଭଳି ଅନ୍ୟ ଲୋକମାନେ ମଧ୍ୟ ଏଠାକୁ କାମ କରିବା ପାଇଁ ଆସନ୍ତି ।

ବାରାମୁଲାରେ କଲନ୍ତାରା ଗାଁର ବାସିନ୍ଦା କାମ ଖୋଜିବା ଆଶାରେ ସ୍ଥାନୀୟ ପରିବହନ ମାଧ୍ୟମ ଉପଯୋଗ କରି ପ୍ରତ୍ୟେକ ଦିନ ୩୦ କିଲୋମିଟର ଯାତ୍ରା କରି ଗୁଲମର୍ଗ ଆସିଥା’ନ୍ତି। ‘‘ବର୍ତ୍ତମାନ, ମୋତେ ଜଣେ ଗ୍ରାହକ ମିଳିଲେ ମଧ୍ୟ ମୁଁ ମାତ୍ର ୧୫୦-୨୦୦ ଟଙ୍କା ରୋଜଗାର କରିପାରୁଛି କାରଣ ଏବେ ସବାରୀ କରିବା ପାଇଁ ଆଉ ବରଫ ନାହିଁ । ଏବେ ଆମେ କେବଳ ଗ୍ରାହକମାନଙ୍କୁ ଥଣ୍ଡା ପାଣି (ପୂର୍ବରୁ ତରଳି ଯାଇଥିବା ବରଫ)ରେ ବୁଲାଇ ପାରିବୁ,’’ ସେ କୁହନ୍ତି।

ଜାମ୍ମୁ ଓ କାଶ୍ମୀରର ସରକାରୀ ୱେବସାଇଟ୍‌ରେ ସୂଚନା ଦିଆଯାଇଛି, ‘‘ଶୀତ ଋତୁରେ ଗୁଲମର୍ଗ ଏକ ‘ଚମତ୍କାର ଅନୁଭବ’ ଦେଇଥାଏ, ‘ସମ୍ପୂର୍ଣ୍ଣ ଭାବେ ବରଫ ଚାଦରରେ ଢାଙ୍କି ହୋଇଥିବା ଏହି ସ୍ଥାନ ସ୍କିୟର୍‌ (ବରଫରେ କ୍ରୀଡ଼ା କରୁଥିବା ଲୋକ)ଙ୍କ ପାଇଁ ସ୍ୱର୍ଗ ପାଲଟିଯାଇଥାଏ।’’ ଏଠାକାର ପ୍ରାକୃତିକ ଗଡ଼ାଣୀଗୁଡ଼ିକ ଅସ୍ପୃଶ୍ୟ ହୋଇ ରହିଛି ଏବଂ ଅଗ୍ରଣୀ ସ୍କିୟରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥାଏ!’ ’’

Due to no snowfall, sledge pullers in Gulmarg have switched to taking customers for rides on frozen water
PHOTO • Muzamil Bhat
Due to no snowfall, sledge pullers in Gulmarg have switched to taking customers for rides on frozen water
PHOTO • Muzamil Bhat

ବରଫ ପଡ଼ୁନଥିବାରୁ, ଗୁଲମର୍ଗରେ ସ୍ଲେଜ୍‌ ଟାଣୁଥିବା ଗ୍ରାହକମାନେ ଶୀତଳ ଜଳରେ ଗ୍ରାହକଙ୍କୁ ସବାରୀ କରିବା ଆରମ୍ଭ କରି ଦେଇଛନ୍ତି

ଗୁଲମର୍ଗର ତୃଣମୂଳ ସ୍ତରରେ, ଉପରୋକ୍ତ ଘଟଣାର କାରଣ କିଛି ବି ହୋଇପାରେ କିନ୍ତୁ ସମ୍ପୂର୍ଣ୍ଣ ସତ। ଏହି ଶୀତ ଋତୁରେ, ଜଳବାୟୁ ପରିବର୍ତ୍ତନ ହିମାଳୟ ଏ ଗଡ଼ାଣୀ ଉପରେ ଜୀବିକାକୁ ପ୍ରଭାବିତ କରିଛି । ବରଫପାତ ନହେବାର ଦୂରଗାମୀ ପ୍ରଭାବ ଉଭୟ ପରିବେଶ ଏବଂ ଆର୍ଥିକ ଦୃଷ୍ଟିରୁ ଲୋକଙ୍କ ଉପରେ ପଡ଼ିଛି। ବିଶେଷ କରି ସେହି ଲୋକମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ଯେଉଁମାନଙ୍କର ଭୂମିକା ପଶୁପାଳନ ସହ ଜଡ଼ିତ ଏବଂ ଯେଉଁମାନେ ଚାରଣ ଭୂମି ସୃଷ୍ଟି ପାଇଁ ବରଫ ଉପରେ ନିର୍ଭର କରିଥାନ୍ତି। ‘‘ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ ହେଉଛି ଏବଂ ଏହା କାଶ୍ମୀର ଉପରେ ମଧ୍ୟ ପ୍ରଭାବ ପକାଉଛି,’’ କାଶ୍ମୀର ବିଶ୍ୱବିଦ୍ୟାଳୟର ପରିବେଶ ଓ ବିଜ୍ଞାନ ବିଭାଗର ଜଣେ ବୈଜ୍ଞାନିକ ଡକ୍ଟର ମହମ୍ମଦ ମୁସଲିମ୍‌ କୁହନ୍ତି।

ଥୋକରଙ୍କ ରୋଜଗାର କଥା ଉଦାହରଣ ଭାବେ ନେଲେ, ସେ କୁହନ୍ତି ବର୍ଷ ଭଲ ଥିଲେ ସେ ଦିନକୁ ୧୨୦୦ ଟଙ୍କା ରୋଜଗାର କରୁଥିଲେ । ଯାତ୍ରା ଓ ପାରିବାରିକ ଖର୍ଚ୍ଚ ଏବେ ତାଙ୍କ ରୋଜଗାରକୁ ବଳି ପଡ଼ୁଛି। ‘‘ଏଠି ମୁଁ ମାତ୍ର ୨୦୦ ଟଙ୍କା ରୋଜଗାର କରିପାରୁଛି, କିନ୍ତୁ ମୋତେ ୩୦୦ (ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ୁଛି,’’ ସେ ଦୁଃଖର ସହିତ କହିଥା’ନ୍ତି। ଥୋକର ଓ ତାଙ୍କ ପତ୍ନୀ କିଶୋରାବସ୍ଥାରେ ଥିବା ନିଜର ଦୁଇ ପିଲା ଓ ନିଜର ଭରଣପୋଷଣ ପାଇଁ ଅଳ୍ପ ଆୟ ଉପରେ ନିର୍ଭର କରୁଛନ୍ତି ।

ଡକ୍ଟର ମୁସଲିମ୍‌ କୁହନ୍ତି, ଚଳିତ ବର୍ଷ ‘ପଶ୍ଚିମା ଝଡ଼’ କାରଣରୁ ବରଫପାତରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହା ପାଣିପାଗ ସଂକ୍ରାନ୍ତ ଘଟଣା ଯାହା ଭୂମଧ୍ୟସାଗରୀୟ କ୍ଷେତ୍ରରେ ଉପ ଗ୍ରୀଷ୍ମମଣ୍ଡଳୀୟ ଝଡ଼ ରୂପରେ ଆରମ୍ଭ ହୋଇଥାଏ ଯାହାକି ଜେଟ୍‌ ଷ୍ଟ୍ରିମ୍‌ (ଜୋର ପବନ ପ୍ରଭାବ) ମାଧ୍ୟମରେ ପୂର୍ବ ଦିଗକୁ ଗତି କରିଥାଏ ଏବଂ ଶେଷରେ ପାକିସ୍ତାନ ଓ ଉତ୍ତର ଭାରତରେ ବରଫପାତ ଓ ବର୍ଷା ରୂପରେ ସାମ୍ନାକୁ ଆସିଥାଏ। ପଶ୍ଚିମା ଝଡ଼ ସ୍ଥାନୀୟ ଅଞ୍ଚଳରେ ଜଳ ସୁରକ୍ଷା, କୃଷି ଓ ପର୍ଯ୍ୟଟନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

ରାଜଧାନୀ ଶ୍ରୀନଗରରେ ଜାନୁଆରୀ ୧୩ ତାରିଖରେ ସର୍ବାଧିକ ୧୫ ଡିଗ୍ରୀ ସେଲସିୟସ୍‌ ତାପାମାତ୍ରା ରେକର୍ଡ କରାଯାଇଥିଲା ଯାହାକି ଦୁଇ ଦଶନ୍ଧି ମଧ୍ୟରେ ସବୁଠୁ ଅଧିକ। ପାଖାପାଖି ସେହି ସମୟରେ ଅବଶିଷ୍ଟ ଉତ୍ତର ଭାରତରେ ଅନେକ ଡିଗ୍ରୀ ଅଧିକ ଶୀତ ଅନୁଭୂତ ହୋଇଥିଲା।

‘‘ବର୍ତ୍ତମାନ ସୁଦ୍ଧା, କାଶ୍ମୀରର କୌଣସି ସ୍ଥାନରେ ଆମେ ବଡ଼ ବରଫପାତ ଦେଖିନାହୁଁ ଏବଂ ପାଣିପାଗ ଲଗାତାର ଉଷ୍ମ ହୋଇଚାଲିଛି । ଜାନୁଆରୀ ୧୫ ତାରିଖରେ ପହଲଗାମରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ତାପମାତ୍ରା ୧୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାପୂର୍ବରୁ ସେଠାରେ ସବୁଠୁ ଅଧିକ ତାପମାତ୍ରା ୨୦୧୮ରେ ୧୩.୮ ଡିଗ୍ରୀ ସେଲସିୟସ୍‌ ଅନୁଭୂତ ହୋଇଥିଲା,’’ ଶ୍ରୀନଗର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମୁଖତାର ଅହମ୍ମଦ କୁହନ୍ତି।

ସୋନମର୍ଗ ଓ ପହଲଗାମରେ ବିଶେଷ ବରଫପାତ ଦେଖିବାକୁ ମିଳିନାହିଁ । ସବୁଆଡ଼େ ତାପମାତ୍ରା ବଢ଼ୁଛି, ଫଳରେ ଏହି ଅଞ୍ଚଳରେ ଅଧିକ ଉଷ୍ମ ଶୀତ ଋତୁ ଅନୁଭୂତ ହେଉଛି। ବିଗତ ଦଶନ୍ଧିରେ, ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ ହିମାଳୟରେ ତାପମାତ୍ରା ବୃଦ୍ଧି ହାର ବିଶ୍ୱ ହାରାହାରୀଠାରୁ ଅଧିକ ରହିଛି । ଫଳରେ ଏହା ଜଳବାୟୁ ପରିବର୍ତ୍ତନ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ମଧ୍ୟରେ ସ୍ଥାନ ପାଇଛି ।

Left: Gulmarg in January 2024; normally there is 5-6 feet of snow covering this area.
PHOTO • Muzamil Bhat
Right: Mudasir Ahmad shows a photo of snow-clad mountains in January 2023
PHOTO • Muzamil Bhat

ବାମ : ଗୁଲମର୍ଗରେ ଜାନୁଆରୀ ୨୦୨୪ର ଦୃଶ୍ୟ; ସାଧାରଣତଃ ଏହି ଅଞ୍ଚଳରେ ୫-୬ ଫୁଟ ଗଭୀରତାର ବରଫ ଦେଖିବାକୁ ମିଳିଥାଏ। ଡାହାଣ  : ମୁଦାସୀର ଅହମ୍ମଦ ଆମକୁ ଜାନୁଆରୀ ୨୦୨୩ର ବରଫାବୃତ ପର୍ବତର ଫଟୋ ଦେଖାଉଛନ୍ତି

ସ୍ଥାନୀୟ ଲୋକମାନେ ଏବେ ଶୀତ ଋତୁର ପରିଦୃଶ୍ୟକୁ ‘ମରୁଭୂମି’ ବୋଲି କହୁଛନ୍ତି ଏବଂ ପର୍ଯ୍ୟଟନ ଉଦ୍ୟୋଗ ଉପରେ ଏହାର ବିନାଶକାରୀ ପ୍ରଭାବ ପଡ଼ୁଛି । ହୋଟେଲ୍‌ ବ୍ୟବସାୟୀ, ଗାଇଡ୍‌, ସ୍ଲେଜ୍‌ ଟାଣୁଥିବା ଲୋକ, ସ୍କି ପ୍ରଶିକ୍ଷକ, ଏବଂ ଏଟିଭି (ଉଚ୍ଚ ପାହାଡ଼କୁ ଉଠୁଥିବା ଯାନ) ଚାଳକ, ଓ ଅନ୍ୟାନ୍ୟ ବେଉସାର ଲୋକମାନେ ସଂଘର୍ଷ କରୁଛନ୍ତି।

‘‘କେବଳ ଜାନୁଆରୀରେ ୧୫୦ ବାତିଲ୍‌ ହୋଇଛି । ଏଭଳି ସ୍ଥିତି ଲାଗି ରହିଲେ ବାତିଲ୍‌ ସଂଖ୍ୟା ବଢ଼ିପାରେ,’’ ଗୁଲମାର୍ଗର ଖଲୀଲ୍‌ ପ୍ୟାଲେସ ହୋଟେଲ୍‌ ମ୍ୟାନେଜର ମୁଦାସୀର ଅହମ୍ମଦ କୁହନ୍ତି । ‘‘ମୁଁ ମୋ ଜୀବନରେ କେବେ ଏପରି ପାଗ ଦେଖିନଥିଲି,’’ ଏହି ୨୯ ବର୍ଷୀୟ ଯୁବକ ଜଣଙ୍କ କହିଥା’ନ୍ତି। ଚଳିତ ଋତୁରେ ତାଙ୍କର ପ୍ରାୟ ୧୫ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଅହମ୍ମଦ ଆକଳନ କରିଥା’ନ୍ତି ।

ହିଲଟପ୍‌ ହୋଟେଲ୍‌ରେ, କିଛି ପର୍ଯ୍ୟଟକ ଆଗୁଆ ହୋଟେଲ୍‌ ଛାଡ଼ି ଚାଲିଯାଉଥିବା ସେଠାକାର କର୍ମଚାରୀ ଦେଖିଛନ୍ତି। ‘‘ଏଠାକୁ ବରଫ ଦେଖିବା ଲାଗି ଆସିଥିବା ଅତିଥିମାନେ ଚାଲି ଯାଉଛନ୍ତି । ‘‘ପ୍ରତିଦିନ, କେହି ନା କେହି ଅତିଥି ନିଜ ରହଣୀ ସମୟଠାରୁ ଆଗୁଆ ହୋଟେଲ ଛାଡ଼ି ଦେଉଛନ୍ତି,’’ ହିଲଟପ୍‌ ହୋଟେଲ୍‌ ମ୍ୟାନେଜର ଏଜାଜ୍‌ ଭଟ୍‌ (୩୫) କୁହନ୍ତି। ଏହି ହୋଟେଲରେ ୯୦ ଜଣ ଲୋକଙ୍କୁ ନିଯୁକ୍ତି ମିଳିଛି। ଗୁଲମର୍ଗର ଅଧିକାଂଶ ହୋଟେଲ ଅବସ୍ଥା ଏପରି ବୋଲି ସେ କୁହନ୍ତି। ‘‘ଗତ ବର୍ଷ ଏହି ସମୟରେ ଆମେ ୫-୬ ଫୁଟ ଗଭୀର ବରଫପାତ ଦେଖିଥିଲୁ, କିନ୍ତୁ ଏ ବର୍ଷ ମାତ୍ର ଅଳ୍ପ କିଛି ଇଞ୍ଚ ବରଫ ପଡ଼ିଛି।’’

ଜାଭେଦ୍‌ ଅହମ୍ମଦ ରେଶି, ଜଣେ ଜଣେ ସ୍କି ଗାଇଡ୍‌ । ପାଣିପାଗରେ ଏପରି ଅସ୍ୱାଭାବିକ ପରିବର୍ତ୍ତନ ପାଇଁ ସେ ସ୍ଥାନୀୟ ଲୋକଙ୍କୁ ଦାୟୀ କରିଥାନ୍ତି। ‘‘ଗୁଲମର୍ଗକୁ ଆସି ଏହି ଅଞ୍ଚଳକୁ ନଷ୍ଟ କରି ଦେଉଛନ୍ତି ବୋଲି ମୁଁ ପର୍ଯ୍ୟଟକମାନଙ୍କୁ ଦୋଷାରାପ କରିପାରିବି ନାହିଁ,’’ ୪୧ ବର୍ଷ ବୟସ୍କ ରେଶି କୁହନ୍ତି । ‘‘ଆମେ ନିଜ ହାତରେ ଗୁଲମର୍ଗକୁ ନଷ୍ଟ କରି ଦେଇଛୁ।’’

Javaid Reshi displays ski gear outside his hut in Gulmarg. Lack of snow in January has affected his livelihood
PHOTO • Muzamil Bhat

ଗୁଲମର୍ଗରେ ନିଜ କୁଡ଼ିଆ ଭାବେ ସ୍କି ଗିୟରକୁ ଦେଖାଉଛନ୍ତି ଜାଭେଦ୍‌ ରେଶି । ଜାନୁଆରୀରେ ବରଫ ପଡ଼ିନଥିବାରୁ ତାଙ୍କର ଜୀବିକା ପ୍ରଭାବିତ ହୋଇଛି

Left: 'People don’t want to ride ATV on the road, they like to ride it on snow,' says Mushtaq Bhat, an ATV driver in Gulmarg.
PHOTO • Muzamil Bhat
Right: With no business, many drivers have packed and covered their vehicles in plastic
PHOTO • Muzamil Bhat

ବାମ : ‘ସଡ଼କରେ ଲୋକମାନେ ଏଟିଭିରେ ସବାର ହେବାକୁ ଚାହୁଁନାହାନ୍ତି, ସେମାନେ ବରଫ ଉପରେ ଏହାକୁ ଚଳାଇବା ପସନ୍ଦ କରନ୍ତି,’ ଗୁଲମର୍ଗର ଜଣେ ଏଟିଭି ଚାଳକ ମୁଶତାକ୍‌ ଭଟ କୁହନ୍ତି । ଡାହାଣ : ବେପାର ନଥିବାରୁ ଅଧିକାଂଶ ଡ୍ରାଇଭର ସେମାନଙ୍କ ଗାଡ଼ିକୁ ପ୍ୟାକ୍‌ କରି ପ୍ଲାଷ୍ଟିକ୍‌ ଘୋଡ଼େଇ ଦେଇଛନ୍ତି

ପ୍ରାୟ ଦଶ ବର୍ଷ ହେବ ଏଟିଭି ଚାଳକ ମୁଶତାକ୍‌ ଅହମ୍ମଦ ଭଟ ଏହି ଅଫ-ରୋଡ୍‌ ବାହନ ଚଳାଇ ଆସୁଛନ୍ତି । ଶୀତ ଋତୁରେ, ଅଧିକ ବରଫ ପଡ଼ିଲେ ଏଟିଭି ହିଁ ଏକମାତ୍ର ପରିବହନ ମାଧ୍ୟମ ପାଲଟିଥାଏ। ଡ୍ରାଇଭରମାନେ ଦେଢ଼ଘଣ୍ଟା ଏହି ଗାଡ଼ିରେ ବସାଇବା ପାଇଁ ୧,୫୦୦ ଟଙ୍କା ପାଉଣା ନିଅନ୍ତି ।

ମୁଶତାକ୍‌ ମଧ୍ୟ ଏହି ମତ ଦିଅନ୍ତି ଯେ ଗାଡ଼ି ସଂଖ୍ୟା ବଢ଼ିବା କାରଣରୁ ଏହି ଅଞ୍ଚଳର ସୂକ୍ଷ୍ମ ଜଳବାୟୁ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି । ‘‘ପ୍ରଶାସନିକ କର୍ତ୍ତୃପକ୍ଷ ଗୁଲମର୍ଗ ବାଉଲ୍‌ (ଉପରୁ ଦେଖିଲେ ଗିନା ଭଳି ଦେଖାଯାଏ) ଭିତରକୁ ଗାଡ଼ି ଛାଡ଼ିବା ଉଚିତ୍ ନୁହେଁ କାରଣ ଏହାଦ୍ୱାରା ସ୍ଥାନୀୟ ସବୁଜିମା ନଷ୍ଟ ହେବା ସହିତ ଏଠାରେ ବରଫପାତ ହ୍ରାସ ପାଇଛି। ଏହା ଆମ ରୋଜଗାରକୁ ଗୁରୁତର ଭାବେ ପ୍ରଭାବିତ କରିଛି,’’ ୪୦ ବର୍ଷୀୟ ମୁଶତାକ୍‌ କହିଥା’ନ୍ତି।

ତିନି ଦିନ ହେଲା ମୁଶତାକଙ୍କୁ ଜଣେ ହେଲେ ଗ୍ରାହକ ମିଳିନାହାନ୍ତି, ତେଣୁ ସେ ବିବ୍ରତ ହୋଇପଡ଼ିଛନ୍ତି ଏହାର ବିଶେଷ କାରଣ ହେଉଛି ୧୦ ଲକ୍ଷ ଟଙ୍କା ଋଣ କରି ସେ ଏଟିଭି କିଣିଥିଲେ। ଗାଡ଼ି କିଣିବା ସମୟରେ ପରବର୍ତ୍ତୀ ବର୍ଷଗୁଡ଼ିକରେ ଭଲ ବ୍ୟବସାୟ ହେବ ବୋଲି ତାଙ୍କର ଆଶା ରହିଥିଲା। ସେ ଶୀଘ୍ର ଋଣ ସୁଝିଦେବେ ବୋଲି ଭାବିଥିଲେ। ‘‘ଏବେ ମୋତେ ଲାଗୁଛି ମୁଁ ଋଣ ପରିଶୋଧ କରିପାରିବି ନାହିଁ ଏବଂ ମୋତେ ଚଳିତ ଗ୍ରୀଷ୍ମ ଋତୁରେ ନିଜର ଏଟିଭି ବିକ୍ରି କରିବାକୁ ପଡ଼ିପାରେ।’’

ଏପରିକି ଭଡ଼ାରେ ପୋଷାକ ପରିଧାନ ଦେଉଥିବା ଦୋକାନଗୁଡ଼ିକରେ ମଧ୍ୟ ଖାଲି କର୍ମଚାରୀ ଅଛନ୍ତି, ଗ୍ରାହକ ନାହାନ୍ତି। ‘‘ଆମ ବ୍ୟବସାୟ ସମ୍ପୂର୍ଣ୍ଣ ରୂପରେ ବରଫ ପଡ଼ିବା ଉପରେ ନିର୍ଭରଶୀଳ କାରଣ ଆମେ ଗୁଲମର୍ଗକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କୋଟ୍‌ ଏବଂ ବରଫରେ ଚାଲିବା ପାଇଁ ଜୋତା ଯୋଗାଇ ଦେଇଥାଉ। ଏବେ ଦିନକୁ ୫୦୦-୧୦୦୦ ଟଙ୍କା ସୁଦ୍ଧା ମିଳୁନାହିଁ,’’ ଫୟାଜ୍‌ ଅହମ୍ମଦ ଦିଦେଡ୍‌ (୩୦) କୁହନ୍ତି। ସେ ଗୁଲମର୍ଗ ଠାରୁ ଅଧଘଣ୍ଟା ଦୂର ଏକ ସହର ତନମର୍ଗରେ ଥିବା ସ୍ଥାନୀୟ ପୋଷାକ  ଭଡ଼ା ଦେଉଥିବା ଦୋକାନରେ କାମ କରନ୍ତି । ଏସବୁ ଦୋକାନ କୋଟ୍‌ ଓ ବୁଟ୍‌ ଷ୍ଟୋର୍‌ ନାମରେ ପରିଚିତ ।

Left: Local warm clothing rental shops in Tanmarg, popularly called Coat and Boot stores are empty.
PHOTO • Muzamil Bhat
Right: Fayaz Ahmed (left) and Firdous Ahmad (right) are hoping that it will snow and business will pick up
PHOTO • Muzamil Bhat

ବାମ : ସ୍ଥାନୀୟ ଗରମ ପୋଷାକ ଭଡ଼ାରେ ଦେଉଥିବା ଦୋକାନ, ଯାହାକି କୋଟ୍‌ ଓ ବୁଟ୍‌ ଷ୍ଟୋର୍‌ ନାମରେ ପରିଚିତ, ଏବେ ଖାଲି ପଡ଼ିଛି । ଡାହାଣ : ଫୟଜ୍‌ ଅହମ୍ମଦ (ବାମ) ଏବଂ ଫିର୍ଦୋସ୍‌ ଅହମ୍ମଦ (ଡାହାଣ) ବରଫ ପଡ଼ିବ ଓ ବ୍ୟବସାୟ ବଢ଼ିବ ବୋଲି ଆଶା ରଖିଛନ୍ତି

Employees of clothing rental shops watch videos on their mobile phones (left) or play cricket in a nearby ground as they wait for work
PHOTO • Muzamil Bhat
Employees of clothing rental shops watch videos on their mobile phones (left) or play cricket in a nearby ground as they wait for work
PHOTO • Muzamil Bhat

କାମ ଅପେକ୍ଷାରେ ଖାଲି ବସିଥିବା ପୋଷାକ ଭଡ଼ା ଦୋକାନର କର୍ମଚାରୀମାନେ ସେମାନଙ୍କ ମୋବାଇଲ୍‌ ଫୋନ୍‌ (ବାମ)ରେ ଭିଡ଼ିଓ ଦେଖୁଛନ୍ତି କିମ୍ବା ନିକଟସ୍ଥ ପଡ଼ିଆରେ କ୍ରିକେଟ୍‌ ଖେଳୁଛନ୍ତି

ଦିଦେଡ୍‌ ଏବଂ ଅନ୍ୟ ୧୧ ଜଣ କର୍ମଚାରୀ ବ୍ୟସ୍ତ ହୋଇ ବରଫ ପଡ଼ିବାକୁ ଅପେକ୍ଷା କରି ରହିଛନ୍ତି ଯାହାଫଳରେ ସେମାନେ ପୂର୍ବ ଭଳି ରୋଜଗାର କରିପାରିବେ। ପୂର୍ବରୁ ଦିନ ଭଲ ଥିଲେ ସେମାନେ ୨୦୦ ଟଙ୍କା ଲେଖାଏଁରେ ୨୦୦ କୋଟ୍‌ ଓ ଜ୍ୟାକେଟ୍‌ ଭଡ଼ାରେ ଦେଇ ଦୈନିକ ୪୦,୦୦୦ ଟଙ୍କା ରୋଜଗାର କରିପାରୁଥିଲେ। ବର୍ତ୍ତମାନ ପର୍ଯ୍ୟଟକମାନଙ୍କୁ ମୋଟା ଶୀତ ପୋଷାକ ଆବଶ୍ୟକ ହେଉନାହିଁ ।

ବରଫ ଅଭାବ କାରଣରୁ କେବଳ ପର୍ଯ୍ୟଟନ ଋତୁ ପ୍ରଭାବିତ ହୋଇନାହିଁ, ବରଂ ଏହାପରେ ଆହୁରି ଖରାପ ଅବସ୍ଥା ଦେଖିବାକୁ ମିଳିବ। ‘‘ସମ୍ପୂର୍ଣ୍ଣ ଉପତ୍ୟାକାରେ ବରଫ ଅଭାବ ଥିବା ଦେଖିବାକୁ ମିଳିଛି। ଆଗକୁ ପିଇବା କିମ୍ବା କୃଷି କାମ ପାଇଁ ପାଣି ମିଳିବ ନାହିଁ । ତନମର୍ଗ ଗ୍ରାମବାସୀ ଏବେ ଠାରୁ ଜଳସଂକଟ ଅନୁଭବ କଲେଣି,’’ ସ୍କି ଗାଇଡ୍ ରେଶି କୁହନ୍ତି।

ଶୀତ ଋତୁରେ ବରଫପାତ ସାଧାରଣତଃ ଗ୍ଲେସିୟର ଓ ସମୁଦ୍ର ବରଫ (ପୃଥିବୀରେ ସର୍ବବୃହତ ମଧୁର ଜଳ ଭଣ୍ଡାର ଭାବେ ବିବେଚିତ) ଭଳି କ୍ରାୟୋସ୍ଫିୟର ଭଣ୍ଡାରରେ ଜଳସ୍ତର ବଢ଼ାଇବାରେ ସହାୟକ ହୋଇଥାଏ। ଏହି ଜଳଭଣ୍ଡାରଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଜଳସୁରକ୍ଷାକୁ ପରିଚାଳନା କରିଥାଏ। ମୁସଲିମ୍‌ କୁହନ୍ତି, ‘‘ଗ୍ଲେସିୟର ବରଫରେ କୌଣସି ଅଭାବ ଆମ କୃଷି ଜଳସେଚନକୁ ଗମ୍ଭୀର ଭାବେ ପ୍ରଭାବିତ କରିବ। କାଶ୍ମୀରର ଉଚ୍ଚ ସ୍ଥାନରେ ଗ୍ରୀଷ୍ମ ଋତୁରେ ତରଳୁଥିବା ବରଫ ମୁଖ୍ୟ ଜଳ ଉତ୍ସ ହୋଇଥାଏ, କିନ୍ତୁ ଆଜି ଆମ ପାହାଡ଼ରେ ଆଦୌ ବରଫ ନାହିଁ। ଉପତ୍ୟାକାର ଲୋକମାନେ ସମସ୍ୟାର ସାମ୍ନା କରିବେ।’’

ଅନ୍ୟପଟେ ତନମର୍ଗର ପୋଷାକ ଷ୍ଟୋରରେ ଦିଦେଡ୍‌ ଓ ତାଙ୍କର ସହଯୋଗୀମାନେ ସେମାନଙ୍କ ଅସ୍ଥିର ମନକୁ ଶାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି । ‘‘ଏଠାରେ ୧୨ ଜଣ ଲୋକ କାମ କରନ୍ତି ଏବଂ ଆମ ସମସ୍ତଙ୍କର ୩-୪ ଜଣିଆ ପରିବାର ରହିଛି। ବର୍ତ୍ତମାନ ପରିସ୍ଥିତିରେ ସେମାନେ ଦିନକୁ ୧୦୦୦ ଟଙ୍କା ରୋଜଗାର କରୁଛନ୍ତି ଏବଂ ସେହି ଅର୍ଥକୁ ନିଜ ଭିତରେ ସମାନ ଭାବେ ବାଣ୍ଟି ନେଉଛନ୍ତି । ‘‘ଆମେ ଆମ ପରିବାରକୁ ଖାଇବାକୁ କେମିତି ଦେବୁ?’’ ଜଣେ ସେଲସ୍‌ମ୍ୟାନ୍‌ ପ୍ରଶ୍ନ କରନ୍ତି, ‘‘ଏ ପାଗ ଆମ ସମସ୍ତଙ୍କୁ ମାରୁଛି।’’

ଅନୁବାଦ : ଓଡ଼ିଶାଲାଇଭ୍‍

Muzamil Bhat

مزمل بھٹ، سرینگر میں مقیم ایک آزاد فوٹو جرنلسٹ اور فلم ساز ہیں۔ وہ ۲۰۲۲ کے پاری فیلو تھے۔

کے ذریعہ دیگر اسٹوریز Muzamil Bhat
Editor : Vishaka George

وشاکھا جارج، پاری کی سینئر ایڈیٹر ہیں۔ وہ معاش اور ماحولیات سے متعلق امور پر رپورٹنگ کرتی ہیں۔ وشاکھا، پاری کے سوشل میڈیا سے جڑے کاموں کی سربراہ ہیں اور پاری ایجوکیشن ٹیم کی بھی رکن ہیں، جو دیہی علاقوں کے مسائل کو کلاس روم اور نصاب کا حصہ بنانے کے لیے اسکولوں اور کالجوں کے ساتھ مل کر کام کرتی ہے۔

کے ذریعہ دیگر اسٹوریز وشاکا جارج
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE