“ମୋ ମାଆ ଗାଉଥିବା ଗୀତରୁ ମୁଁ ଦୁଇ-ତିନିଟି ଶବ୍ଦ ଯାହା ମନେ ରଖିଛି,” ହୌସାବାଇ ଦିଘେ କହିଲେ। ସେ ବର୍ଷ ଥିଲା ୧୯୯୫ ଏବଂ ସେ କଥାବାର୍ତ୍ତା କରୁଥିଲେ ହେମା ରାଇକର ଏବଂ ଗି ପୋଇଟବନଙ୍କ ସହିତ। ୧୯୮୦ ଦଶକର ଶେଷ ଭାଗରେ ଗ୍ରାଇଣ୍ଡମିଲ୍ ସଙ୍ଗସ ପ୍ରୋଜେକ୍ଟ (GSP)ର ଅୟମାରମ୍ଭ କରିଥିବା ପୁଣେର ଏହି ସମାଜ ବିଜ୍ଞାନୀ ଏବଂ ସାମାଜିକ କର୍ମୀ ଦୁହେଁ ସେମାନଙ୍କ ଟିମ୍ ସହିତ ‘ଗ୍ରାଇଣ୍ଡମିଲ ସଙ୍ଗସ’ ବା ପେଷଣା ଚକି ଗୀତର ମହିଳା ପରିବେଷଣକାରୀମାନଙ୍କ ସହିତ ବାର୍ତ୍ତାଳାପ କରିବା ଲାଗି ମୁଲଶି ତାଲୁକାର ଭାମ୍ବାର୍ଡେ ଗାଁରେ ପହଞ୍ଚି ଥିଲେ।
ଆଗକୁ ହୌସବାଇ କହିଲେ, “ମୁଁ କ୍ଷେତରେ କାମ କରି ଘରକୁ ଫେରିବା ବେଳକୁ ଦେଖେ ଯେ ଘରେ ଅଟା ନାହିଁ, ଏବଂ ମୁଁ ପେଷଣା ଚକି ଧରି ବସିପଡ଼େ ଏବଂ କାମ କରିବା ସହିତ ଗୀତ ଗାଉଥାଏ। ଏହି ଗୀତ ବ୍ୟତୀତ ଆମର ଦିନ ଅପୂର୍ଣ୍ଣ ରହିଯାଏ। ମୁଁ ଗୀତର ଶବ୍ଦଗୁଡ଼ିକ ମନେ ରଖିଥିବାରୁ ଗୀତର ଧାରା ଆପେ ଆପେ ଛୁଟିଯାଏ। କେବଳ ମୁଁ ମରିଯିବା ପରେ ହିଁ ଏହି ଗୀତ ଗାଇବା ବନ୍ଦ ହେବ। ସେ ପର୍ଯ୍ୟନ୍ତ, ମୁଁ ସେଗୁଡ଼ିକୁ ମନେ ରଖିବି।” ତାଙ୍କର ଏହି ଶବ୍ଦଗୁଡ଼ିକରେ ରହିଛି ଅନେକ ଗ୍ରାମୀଣ ମହିଳା ଗାୟକଙ୍କ ମନର କଥା, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଚାଷୀ, କୃଷି ଶ୍ରମିକ, ମତ୍ସ୍ୟଜୀବୀ, କୁମ୍ଭାର ଓ ମାଳି ପ୍ରଭୃତି ଅନେକ ସଂପ୍ରଦାୟର ମହିଳା। ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କାମ କରୁଥିବା ଏହି ମହିଳାମାନେ ସୂର୍ଯ୍ୟୋଦୟର ବହୁ ଆଗରୁ ଉଠି ଘରକାମ ସାରିବା ପରେ କ୍ଷେତକୁ କାମ କରିବାକୁ ଯାଆନ୍ତି।
ଆଉ ପ୍ରାୟ ସବୁଦିନ, ଅଟା ପେଷିବା ଲାଗି ପଥର ଚକିରେ ବସିବା ପାଖରୁ ହିଁ ଦିନଯାକର କାମ ଆରମ୍ଭ ହୁଏ। ସେମାନେ କାମ କଲା ବେଳେ ଗୀତ ଗାଆନ୍ତି। ରନ୍ଧାଘରର କୋଣ କିମ୍ବା ବାରଣ୍ଡା ହିଁ ସେମାନଙ୍କ ପାଇଁ ଥିଲା ଆରାମଦାୟକ ସ୍ଥାନ, ଯେଉଁଠି ସେମାନେ ନିଜ ନିଜର ସଂଘର୍ଷ, ଆନନ୍ଦ, ଦୁଃଖ ଏବଂ ସଫଳତା ସଂପର୍କରେ ଗୀତ ମାଧ୍ୟମରେ ଭାବ ବିନିମୟ କରୁଥିଲେ।
ଏହା କରିବା ଅବସରରେ, ସେମାନେ ମଧ୍ୟ ସାରା ବିଶ୍ୱ, ସେମାନଙ୍କ ଗାଁରେ ଜୀବନ ଓ ସମାଜ, ପାରିବାରିକ ସମ୍ବନ୍ଧ, ଧର୍ମ ଏବଂ ତୀର୍ଥଯାତ୍ରା, ଜାତିଭିତ୍ତିକ ଶୋଷଣ ଏବଂ ପୁରୁଷ ପ୍ରଧାନ ବ୍ୟବସ୍ଥା, ବାବାସାହେବ ଆମ୍ବେଦକରଙ୍କ କାର୍ଯ୍ୟଧାରା ଏବଂ ଆହୁରି ଅନ୍ୟାନ୍ୟ ପ୍ରସଙ୍ଗରେ ନିଜ ନିଜର ମତ ଉପସ୍ଥାପନ କରୁଥିଲେ। ଏହି ଭିଡିଓରେ, ଏ ସଂପର୍କରେ କହନ୍ତି ପୁଣେର ମୁଲଶି ତାଲୁକା ଅନ୍ତର୍ଗତ ଖଡ଼କୱାଡ଼ି ବସ୍ତିର ତାରାବାଇ ଉଭେ।
‘ପରୀ’ ଦ୍ୱାରା ପ୍ରସ୍ତୁତ ଏହି ଦସ୍ତାବିଜରେ, ଏହି ସବୁ ଗୀତ ରେକର୍ଡିଂ କରି ‘ଗ୍ରାଇଣ୍ଡମିଲ୍ ସଙ୍ଗସ’ର ଡାଟାବେସ୍ ପ୍ରସ୍ତୁତ କରିଥିବା ସଙ୍ଗୀତବିଦ୍ ଏବଂ ବୈଷୟିକ ବିଶେଷଜ୍ଞ ବର୍ଣ୍ଣାର୍ଡ ବେଲ, ମରାଠୀ ଭାଷାରେ ଥିବା ଏହି ସବୁ ଗୀତର ପ୍ରତିଲିପି ବା ଆକ୍ଷରିକ ଅନୁବାଦ କରିଥିବା ଗବେଷକ ଜିତେନ୍ଦ୍ର ମୈଦ ଏବଂ ଗୀତଗୁଡ଼ିକୁ ମରାଠୀରୁ ଇଂରାଜୀରେ ଅନୁବାଦ କରିଥିବା ଆଶା ଓଗଲେଙ୍କ ସହିତ ମଧ୍ୟ ସାକ୍ଷାତକାର କରାଯାଇଛି।
‘ଗ୍ରାଇଣ୍ଡମିଲ ସଙ୍ଗସ ପ୍ରୋଜେକ୍ଟ’ କୁ ୨୦୧୬ରେ ‘ପରୀ’ ହାତକୁ ନେଇଥିଲା ଏବଂ ୨୦୧୭ ମାର୍ଚ୍ଚ ୬ ତାରିଖରୁ ଏହି ଗୀତଗୁଡ଼ିକର ପ୍ରକାଶନ ଆରମ୍ଭ ହୋଇଥିଲା। ପଢ଼ନ୍ତୁ: ଗ୍ରାଇଣ୍ଡମିଲ ସଙ୍ଗସ୍: ଏକ ଜାତୀୟ ସଂପଦର ଦସ୍ତାବିଜ୍ ପ୍ରସ୍ତୁତି .
ଏବେ, ସାତ ବର୍ଷ ପରେ, ବିଭିନ୍ନ ଗାଁକୁ ଯାଇ ସେଠାରେ ଏହି ସବୁ ଗୀତ ଗାଉଥିବା ମହିଳାମାନଙ୍କ ସାକ୍ଷାତ କରିବା ସହିତ ସେମାନଙ୍କ ଜୀବନ କାହାଣୀ ଏବଂ ଗୀତର ପ୍ରକାଶନ ଧାରାକୁ ‘ପରୀ’ ଅବ୍ୟାହତ ରଖିଛି। ଆପଣ ଆମର ସମଗ୍ର ସଂଗ୍ରହାବଳୀକୁ ଏଠାରେ ଦେଖିପାରିବେ : ଗ୍ରାଇଣ୍ଡମିଲ ସଙ୍ଗସ୍ ପ୍ରୋଜେକ୍ଟ: ଆଜି ପର୍ଯ୍ୟନ୍ତ ସମସ୍ତ ଲେଖା
ଏହି ସଂଗ୍ରହାବଳୀର ୧୧୦,୦୦୦ ଜାତ୍ୟାବର୍ଚ୍ୟା ଓବ୍ୟା ବା ‘ଗ୍ରାଇଣ୍ଡମିଲ ସଙ୍ଗସ’ ପ୍ରସ୍ତୁତି ଦିଗରେ ବିଶେଷ ଅବଦାନ ରହିଥିବା ମହାରାଷ୍ଟ୍ରର ୧,୧୦୭ଟି ଏବଂ କର୍ଣ୍ଣାଟକର ୧୧ଟି ଗାଁରେ ରହୁଥିବା ୩,୩୦୨ ଜଣ ଗୀତ ପରିବେଷଣକାରୀଙ୍କ ମଧ୍ୟରୁ କେଇ ଜଣ ମାତ୍ର ଏହି ଦସ୍ତାବିଜରେ ସ୍ଥାନ ପାଇଛନ୍ତି।
ସେମାନଙ୍କ ଗୀତଗୁଡ଼ିକର ଆକ୍ଷରିକ ଅନୁବାଦ ଭଳି ବିରାଟ କାର୍ଯ୍ୟଭାର ତୁଲାଇ ଥିଲେ ଜିତେନ୍ଦ୍ର ମୈଦ ଏବଂ ଅନ୍ୟ କେତେ ଜଣ; ଦିନକୁ ଦିନ ବଢୁଥିବା ଏହି ଡାଟାବେସ ପାଇଁ ଏହି ଗୀତଗୁଡ଼ିକର ମରାଠୀ ପ୍ରତିଲିପି ପ୍ରସ୍ତୁତ କରିଥିଲେ ରଜନୀ ଖଲାଡ଼କର। ହେମା ରାଇକର କେତେକ ଗୀତର ଅନୁବାଦ କରିଥିଲେ। ମୈଦଙ୍କ ସହିତ ଆଶା ଓଗଲେ ମଧ୍ୟ ତାଙ୍କର ଅନୁବାଦ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି ଏବଂ ପ୍ରାୟ ୩୦,୦୦୦ ଗୀତର ପ୍ରସ୍ତୁତି ବାକି ରହିଛି।
ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଏହି ପ୍ରକଳ୍ପର ପରିଚୟ ପ୍ରଦାନ କରେ ଏବଂ ଏଥିରେ ୧୯୯୦ ଦଶକରେ ସଙ୍ଗୀତବିଦ୍ ଏବଂ ବୈଷୟିକ ବିଶେଷଜ୍ଞ ବର୍ଣ୍ଣାର୍ଡ ବେଲ ଏବଂ ତାଙ୍କ ସହିତ ଥିବା ଗବେଷକ, ସାମାଜିକ କର୍ମୀଙ୍କର ଏକ ଟିମ୍ ଦ୍ୱାରା ଉତ୍ତୋଳିତ କେତେକ ଦୃଶ୍ୟାବଳୀ ସ୍ଥାନ ପାଇଛି।
୧୯୯୫ରୁ ୨୦୦୩ ମସିହା ମଧ୍ୟରେ ବେଲ୍ ପ୍ରାୟ ୪,୫୦୦ଟି ଗୀତର ଟେପ୍ ରେକର୍ଡିଂ କରିଥିଲେ, ହେଲେ ଏହି ବିରାଟ ପ୍ରକଳ୍ପ ଲାଗି ଭିତ୍ତିସ୍ଥାପନ କାମ ବହୁ ଆଗରୁ ଆରମ୍ଭ ହୋଇଥିଲା। ତାହା ଥିଲା ୧୯୮୦ ଦଶକର କଥା, ଯେତେବେଳେ ଗି ବାବା ଏବଂ ହେମାତାଇ – ସ୍ନେହ ଓ ସମ୍ମାନରେ ଏହି ପ୍ରକଳ୍ପର ପ୍ରତିଷ୍ଠାତାମାନଙ୍କୁ ଗାୟିକାମାନେ ଏହି ନାଁରେ ଡାକୁଥିଲେ – ପୁଣେ ଜିଲ୍ଲାର କେତେକ ଗାଁକୁ ଯାତ୍ରା କଲେ। ପିଇବା ପାଣି ଭଳି ମୌଳିକ ସୁବିଧା ହାସଲ କରିବା ସହିତ ଯୌତୁକ ଏବଂ ଘରୋଇ ନିର୍ଯାତନା ବିରୋଧରେ ସଂଘର୍ଷରତ ଏହି ମହିଳାମାନଙ୍କ ସହଯୋଗ ଦିଗରେ ସେମାନଙ୍କ ସହିତ କାମ କରିବା ଲାଗି ଦୁହେଁ ସ୍ଥିର କରିନେଇଥିଲେ। ତା’ପରେ ହିଁ ଏହି ମହିଳାମାନେ ଗୀତ ମାଧ୍ୟମରେ ସେମାନଙ୍କର ମନର ଭାବନା ଓ ଜୀବନ କାହାଣୀ ବର୍ଣ୍ଣନା କରିଥିଲେ। ଏହି ଗୀତଗୁଡ଼ିକ ହିଁ ଗ୍ରାମୀଣ ଭାରତର ଏହି ଭାଗରେ ସେମାନଙ୍କ ସଂଘର୍ଷ ଓ ଆନନ୍ଦର ଦସ୍ତାବିଜ୍।
ବ୍ୟାପକ ଭାବରେ ପ୍ରସାରିତ ‘ଗ୍ରାଇଣ୍ଡମିଲ୍ ସଙ୍ଗସ ପ୍ରୋଜେକ୍ଟ’ର ଗୀତ ଓ ସଙ୍ଗୀତ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରିଛି। ୨୦୨୧ରେ ଏହା ଦକ୍ଷିଣ କୋରିଆରେ ଅନୁଷ୍ଠିତ ୧୩ଶ ଗୁଆଙ୍ଗଜୁ ଦ୍ୱିବାର୍ଷିକ ସମାରୋହରେ ସ୍ଥାନ ପାଇଥିଲା। ଏହା ମଧ୍ୟ ୨୦୨୨ରେ ବର୍ଲିନର ଗ୍ରୋପିଅସ୍ ବୌ ମ୍ୟୁଜିୟମରେ ଆୟୋଜିତ ପ୍ରଦର୍ଶନୀ ଏବଂ ୨୦୨୩ରେ ଲଣ୍ଡନ ବାର୍ବିକାନର ଅଂଶବିଶେଷ ଥିଲା। ଇଣ୍ଡିଆନ ଏକସପ୍ରେସ୍, ସ୍କ୍ରଲ୍.ଇନ୍, ଦି ହିନ୍ଦୁ, ବିଜିନେସଲାଇନ୍ ପ୍ରଭୃତି ସମେତ ଅନେକ ଗଣମାଧ୍ୟମରେ ଏହି ପ୍ରକଳ୍ପ ସଂପର୍କିତ ଆଲେଖ୍ୟ ପ୍ରକାଶିତ ହୋଇଛି।
ଡକ୍ଟରେଟ୍ ଉପାଧି ଲାଗି ଅଧ୍ୟୟନରତ ନାସିକର ଜଣେ ଗବେଷକ ତାଙ୍କ ଗବେଷଣା ନିବନ୍ଧ ପ୍ରସ୍ତୁତି ଲାଗି ବାବାସାହେବ ଆମ୍ବେଦକରଙ୍କ ଉପରେ ଲିଖିତ ପେଷଣା ଚକିର ଗୀତ ବା ଗ୍ରାଇଣ୍ଡମିଲ ସଙ୍ଗସ ଉପଯୋଗ କରୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବିଜ୍ଞାନୀ, ଏହି ଗ୍ରାଇଣ୍ଡମିଲ ସଙ୍ଗସ ପ୍ରୋଜେକ୍ଟର ଡାଟାବେସରେ ଥିବା କେତେକ ଦ୍ୱିପଦୀ ଏବଂ ଲୋକଗୀତର ଅନ୍ୟାନ୍ୟ ଉତ୍ସରୁ ପୁଣେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଥିବା ବୋରି (ବରକୋଳି), ବଭୁଲ (ବବୁଲ), ଖୈର (ଖଇର) ଏବଂ ଅନ୍ୟାନ୍ୟ କଣ୍ଟା ଗଛର ନାମ ସମ୍ମିଳିତ ପ୍ରକୃତିର ବର୍ଣ୍ଣନାକୁ ସନ୍ଦର୍ଭ ଭାବରେ ଉପସ୍ଥାପନ କରିଛନ୍ତି। ବର୍ଷ ବର୍ଷ ହେଲା ଅନେକ ଛାତ୍ରଛାତ୍ରୀ ଏବଂ ବିଦ୍ୱାନ ‘ପରୀ’ର ଏହି ସଂଗ୍ରହାବଳୀରୁ ତଥ୍ୟ ଆହରଣ କରିଛନ୍ତି।
ଏତେ ସଂଖ୍ୟକ ଲୋକଙ୍କୁ ଏକତ୍ର କରିବା ସହିତ ସାଧାରଣ ଲୋକ, ଗବେଷକ ଏବଂ ଲୋକଗୀତ ଓ ସଙ୍ଗୀତର ପ୍ରଶଂସକମାନଙ୍କ ପଥକୁ ଆଲୋକିତ କରିଥିବା ଏହି ବିରାଟ ପ୍ରକଳ୍ପକୁ ଦେଖନ୍ତୁ।
ଏହି ଦସ୍ତାବିଜ ପ୍ରସ୍ତୁତିରେ ବର୍ଣ୍ଣାର୍ଡ ବେଲଙ୍କ ଦ୍ୱାରା ସଂରକ୍ଷିତ ‘ ଅନଫେଟରଡ୍ ଭଏସେସ୍ ’ ଶୀର୍ଷକ ଭିଡିଓର ଦୃଶ୍ୟାବଳୀ ଏବଂ ୨୦୧୭ ରୁ ଆଜି ପର୍ଯ୍ୟନ୍ତ ‘ ପରୀ ’ ରେ ପ୍ରକାଶିତ ‘ ଗ୍ରାଇଣ୍ଡମିଲ ସଙ୍ଗସ ପ୍ରୋଜେକ୍ଟ ’ ର କେତେକ ଲେଖାରେ ସନ୍ନିହିତ ସଂକ୍ଷିପ୍ତ ଦୃଶ୍ୟ ଓ ଚିତ୍ର ବ୍ୟବହାର କରାଯାଇଛି।
ଅନୁବାଦ: ଓଡ଼ିଶାଲାଇଭ୍