ନିଶା ଚଟାଣରେ ବସି ନିଜକୁ ବିଞ୍ଚି ହେଉଛନ୍ତି। ଜୁନ୍‌ ମାସର ଗରମ ଅପରାହ୍ଣରେ ତାପମାତ୍ରା ବଢ଼ି ଚାଲିଛି ଏବଂ ତମାଖୁ ଓ ଶୁଖିଲା ପତ୍ରର ଗନ୍ଧ ବାତାବରଣକୁ ଅସ୍ୱସ୍ତିକର କରି ଦେଇଛି। ‘‘ଚଳିତ ସପ୍ତାହରେ ମୁଁ ମାତ୍ର ଏତିକି ବିଡ଼ି ତିଆରି କରିଛି,’’ ସେ କୁହନ୍ତି, ୧୭ଟି ଲେଖାଏଁ ବିଡ଼ିକୁ ନେଇ ବନ୍ଧା ହୋଇଥିବା ଗୋଟିଏ ଲେଖାଏଁ କଠା ମିଶି ୭୦୦ ପାଖାପାଖି ବିଡ଼ିକୁ ଦେଖାଇ ସେ କୁହନ୍ତି। ନିଜର ଗୋଟିଏ ସପ୍ତାହର କାମ ବିଷୟରେ ସୂଚନା ଦେଇ ଏହି ୩୨ ବର୍ଷୀୟା ବିଡ଼ି ଶ୍ରମିକ ଜଣଙ୍କ କୁହନ୍ତି, ‘‘ଏହାର ମୂଲ୍ୟ ପାଖାପାଖି ୧୦୦ ଟଙ୍କା ହେବ। ଏଠାରେ ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ୧ ହଜାର ବିଡ଼ି ପାଇଁ ୧୫୦ ଟଙ୍କା ପାରିଶ୍ରମିକ ମିଳିଥାଏ।

ପ୍ରତ୍ୟେକ ବୁଧବାର ଓ ଶୁକ୍ରବାର ବିଡ଼ି ଶ୍ରମିକମାନେ ତିଆରି କରିଥିବା ବିଡ଼ିକୁ ନେଇ କାରଖାନାକୁ ଆସିଥା’ନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟ ବିଡ଼ି ତିଆରି ପାଇଁ କଞ୍ଚାମାଲ୍‌ ସଂଗ୍ରହ କରନ୍ତି। ଅଧିକାଂଶ କାରଖାନା ଦମୋହ ସହର ଉପକଣ୍ଠରେ ରହିଛି। ସେମାନେ ଠେକେଦାର (ଠିକାଦାର)ଙ୍କୁ ନିଯୁକ୍ତ କରିଥାନ୍ତି ଯେଉଁମାନେ ମୁଖ୍ୟତଃ ମହିଳା ଶ୍ରମିକଙ୍କୁ ଠିକାରେ ବିଡ଼ି ତିଆରି କାମ ଦିଅନ୍ତି।

ମହିଳାମାନେ ସେମାନଙ୍କ କଞ୍ଚାମାଲ ସଂଗ୍ରହ କରିବା ପରେ ସପ୍ତାହ ସାରା ତେନ୍ଦୁ (କେନ୍ଦୁ) ପତ୍ରରେ କଟା ହୋଇଥିବା ତମାଖୁକୁ ଗୁଡ଼ାଇବା ପରେ ସରୁ ସୂତାରେ ବିଡ଼ି ମୋଡ଼ିବେ ଏବଂ ସେଗୁଡ଼ିକୁ କଠା (ବିଡ଼ା)ରେ ବାନ୍ଧିବେ। ବିଡ଼ି ଶ୍ରମିକମାନଙ୍କର ହାରାହାରୀ ମାସିକ ପାରିବାରିକ ଆୟ ୧୦,୦୦୦-୨୦,୦୦୦ ମଧ୍ୟରେ ହୋଇଥିବା ବେଳେ ୮-୧୦ ସଦସ୍ୟ ବିଶିଷ୍ଟ ପରିବାର ଚଳାଇବାରେ ନିଜର ଯୋଗଦାନ ଦେବା ପାଇଁ ସେମାନେ ସବୁ ଘରକରଣା କାମ ସାରିବା ପରେ ବିଡ଼ି ବାନ୍ଧିବା କାମ କରିଥାନ୍ତି। ଅଧିକାଂଶ ମହିଳା କୃଷି ଶ୍ରମିକ କିମ୍ବା ଅଳ୍ପ ସମ୍ପତ୍ତିବାଡ଼ିର ମାଲିକ ହୋଇଥାନ୍ତି।

‘‘ଶୁଖିଲା ତେନ୍ଦୁ (କେନ୍ଦୁ) ପତ୍ରରୁ ନାଡ଼ ବାହାର କରିବା ଲାଗି ତାହାକୁ ପ୍ରଥମେ ପାଣିରେ ଭିଜାଇବାକୁ ପଡ଼ିଥାଏ। ତା’ପରେ, ଏକ ଫର୍ମା (ଲୁହା ଢାଞ୍ଚା) ବ୍ୟବହାର କରି ପତ୍ରକୁ ଆୟତାକାର କରି କଟାଯାଏ। ଜର୍ଦ୍ଦା (ବାସ୍ନାଯୁକ୍ତ ତମାଖୁ) ଭର୍ତ୍ତି କରିବା ପରେ ପତ୍ରକୁ ବିଡ଼ି ଆକାରରେ ମୋଡ଼ାଯାଏ,’’ ନିଶା କୁହନ୍ତି। ପ୍ରତ୍ୟେକ ବିଡ଼ିକୁ ରଙ୍ଗୀନ ସୂତାରେ ବନ୍ଧାଯାଏ ଯାହାକି ଗୋଟିଏ ବ୍ରାଣ୍ଡର ପରିଚୟ ଦେଇଥାଏ। ଏହା ଗୋଟିଏ କମ୍ପାନୀକୁ ଅନ୍ୟଠାରୁ ଅଲଗା କରିଥାଏ।

ତା’ପରେ ଏଗୁଡ଼ିକୁ ବିଡ଼ି ‘କାରଖାନା’କୁ ବିକ୍ରି କରିବା ଲାଗି ଅଣାଯାଏ - ଯାହାକି ବିଡ଼ି ତିଆରି ବ୍ରାଣ୍ଡର ପ୍ରକ୍ରିୟାକରଣ, ପ୍ୟାକେଜିଂ ୟୁନିଟ୍‌ ଓ ପଣ୍ୟାଗାର ଭାବେ କାମ କରିଥାଏ। ସେମାନେ ନିଜ କାମ ଠିକାଦାରଙ୍କୁ ହସ୍ତାନ୍ତର କରନ୍ତି ଯେଉଁମାନେ ସେମାନଙ୍କୁ କାରଖାନାକୁ ନେଇ ଆସନ୍ତି କିମ୍ବା ସେମାନଙ୍କୁ ସିଧାସଳଖ ଟଙ୍କା ପଇଠ କରିଥାନ୍ତି। କାରଖାନା ଭିତରେ, ସେଗୁଡ଼ିକୁ ଅଲଗା କରାଯାଏ, ସେକା ଯାଏ ଏବଂ ପ୍ୟାକ କରି ରଖାଯାଏ।

PHOTO • Priti David
PHOTO • Kuhuo Bajaj

ବିଡ଼ି ତିଆରି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ତେନ୍ଦୁ (କେନ୍ଦୁ) ପତ୍ର। ଏହାକୁ ତମାଖୁ ଗୁଡ଼ାଇବା ପାଇଁ ବ୍ୟବହାର କରାଯାଏ। ଛିନ୍ଦୱାଡ଼ା ଏବଂ ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ତେନ୍ଦୁ ଗଛ ଜଙ୍ଗଲ ରହିଛି । ଡାହାଣ : ନିଶା ଘର କାମ ଭିତରେ ବିଡ଼ି ତିଆରି କରିଥାନ୍ତି

ଏଠାରେ ବିଡ଼ି ନିର୍ମାତାଙ୍କ ମଧ୍ୟରେ ମୁଖ୍ୟତଃ ମୁସଲିମ୍‌ ମହିଳା ଥାଆନ୍ତି କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଜୀବିକାରେ ନିୟୋଜିତ ଅଛନ୍ତି।

ଦମୋହରେ ଥିବା ପ୍ରାୟ ୨୫ଟି କାରଖାନା ମଧ୍ୟପ୍ରଦେଶର ଆଖପାଖ ଜିଲ୍ଲାରେ ଥିବା ବିଭିନ୍ନ ତେନ୍ଦୁ (କେନ୍ଦୁ) ଜଙ୍ଗଲ ପାଖରେ ରହିଛି ଯେଉଁଠାରେ ୩୧ ପ୍ରତିଶତ ବନାଞ୍ଚଳ ବ୍ୟାପି ରହିଛି। ସିଉନି, ମଣ୍ଡଲା, ସୀହୋର୍‌, ରାଏସେନ, ସାଗର, ଜବଲପୁର, କଟନି ଓ ଛିନ୍ଦୱାଡ଼ାରେ ପ୍ରଚୁର ପରିମାଣରେ ତେନ୍ଦୁ ପତ୍ର ମିଳିଥାଏ। ଏହା ବିଡ଼ି ତିଆରି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହାକୁ ତମାଖୁ ଗୁଡ଼ାଇବା ପାଇଁ ବ୍ୟବହାର କରାଯାଏ।

*****

ଖରା ଦିନେ ଏକ ଗରମ ଅପରାହ୍ଣରେ, ଉଜ୍ଜ୍ୱଳ ରଙ୍ଗର ସଲୱାର କମିଜ୍‌ ପିନ୍ଧିଥିବା, ଛଅ ଜଣ ମହିଳା ସେମାନଙ୍କ ବିଡ଼ି ଗଣତି ପାଇଁ ଅପେକ୍ଷା କରି ରହିଛନ୍ତି। ଠେକେଦାରଙ୍କ ସହ ସେମାନଙ୍କ କଥାବାର୍ତ୍ତା ଓ ଯୁକ୍ତିତର୍କ ସହିତ ନିକଟସ୍ଥ ଏକ ମସଜିଦ୍‌ରୁ ଆସୁଥିବା ଶୁକ୍ରବାର ନମାଜ୍‌ର ଶବ୍ଦ ଆପଣ ଶୁଣିପାରିବେ। ମହିଳାମାନେ ସେମାନଙ୍କ ତସଲା (ଲୁହା ପାତ୍ର) ଧରି ବସିଛନ୍ତି ଯେଉଁଥିରେ ସେମାନଙ୍କ ସପ୍ତାହକର କାମ ରହିଛି।

ଅମିନା (ଛଦ୍ମନାମ) ଗଣତିକୁ ନେଇ ସନ୍ତୁଷ୍ଟ ନାହାନ୍ତି : ‘‘ଅଧିକ ବିଡ଼ି ଅଛି, କିନ୍ତୁ ଠେକେଦାର ଗଣତି ସମୟରେ ମାନୁନାହିଁ’’, ସେ କୁହନ୍ତି। ମହିଳାମାନେ ନିଜକୁ ବିଡ଼ି ମଜଦୁର (ଶ୍ରମିକ) ବୋଲି କହିଥାନ୍ତି। ସେମାନେ କୁହନ୍ତି ଯେ, ୧,୦୦୦ ବିଡ଼ି ପାଇଁ ୧୫୦ ଟଙ୍କା ମିଳିବା ସେମାନଙ୍କ ପରିଶ୍ରମ ଅନୁଯାୟୀ ଉଚିତ୍‌ ପାରିଶ୍ରମିକ ନୁହେଁ।

‘‘ମୁଁ ଏଇ କାମ ଛାଡ଼ି ସିଲେଇ ଆରମ୍ଭ କରିବି। ସେଥିରୁ ମୋତେ ଅଧିକ ଅର୍ଥ ମିଳିବ,’’ ଦମୋର ଜଣେ ପୂର୍ବତନ ବିଡ଼ି ଶ୍ରମିକ ଜାନୁ କୁହନ୍ତି। ତେବେ, ସେ ଯେତେବେଳେ ୧୪ ବର୍ଷ ବୟସରେ କାମ ଆରମ୍ଭ କରିଥିଲେ, ‘‘ମୋ ପାଖରେ ଅଧିକ ଦକ୍ଷତା କିମ୍ବା ବିକଳ୍ପ ନଥିଲା,’’ ସେ କୁହନ୍ତି।

PHOTO • Kuhuo Bajaj

ବାସ୍ନାଯୁକ୍ତ ତମାଖୁ, ଜର୍ଦ୍ଦା (ବାମ) ତେନ୍ଦୁ ପତ୍ରରେ ଗୁଡ଼ାଇ ବିଡ଼ି ତିଆରି କରାଯାଏ (ଡାହାଣ)

ଘଣ୍ଟା ଘଣ୍ଟା ଧରି ବସି ରହିବା ଫଳରେ ଶ୍ରମିକମାନଙ୍କ ପିଠି ଓ ବେକରେ ଗମ୍ଭୀର ଯନ୍ତ୍ରଣା ହୋଇଥାଏ, ହାତ ବଧିରା ହୋଇଯାଏ, ଯାହାଫଳରେ ସେମାନେ ନିୟମିତ ଘର କାମ କରିବାରେ ସମସ୍ୟାର ସାମ୍ନା କରିଥାନ୍ତି। ମହିଳାଙ୍କୁ କୌଣସି କ୍ଷତିପୂରଣ କିମ୍ବା ଚିକିତ୍ସା ସହାୟତା ମିଳେ ନାହିଁ। କାରଖାନା ମାଲିକ ସେମାନଙ୍କ କଷ୍ଟକୁ ଗୁରୁତ୍ୱ ଦିଅନ୍ତି ନାହିଁ: ସେମାନଙ୍କ ମଧ୍ୟରୁ ଜଣେ ଏହି ରିପୋର୍ଟରଙ୍କୁ କହିଥିଲେ, ‘‘ମହିଳାମାନେ କେବଳ ଘରେ ବସି ବିଡ଼ି ତିଆରି କରୁଛନ୍ତି,’’ ଏହା ସେମାନଙ୍କ କାମ ସଂକ୍ରାନ୍ତ ଅସୁସ୍ଥତାକୁ ସମ୍ପୂର୍ଣ୍ଣ ଅଣଦେଖା କରିଥାଏ।

ସେ କହିଥିଲେ, ‘‘ସେମାନେ ସପ୍ତାହକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ।’’ ତାଙ୍କ ମତରେ ଘର ଖର୍ଚ୍ଚ ତୁଲାଇବା ପାଇଁ ଏହା ଯଥେଷ୍ଟ ବୋଲି ସେ କହିଥିଲେ। ତେବେ, ତାଙ୍କ ଆକଳନ ଅନୁଯାୟୀ, ସପ୍ତାହକୁ ୫୦୦ ଟଙ୍କା ରୋଜଗାର କରିବାର ଅର୍ଥ ହେଉଛି ଜଣେ ଶ୍ରମିକ ପ୍ରାୟ ୪,୦୦୦ ବିଡ଼ି ତିଆରି କରିବା - ଯାହା ବର୍ତ୍ତମାନ ସେମାନେ ଗୋଟିଏ ମାସରେ କରିପାରୁଛନ୍ତି।

ଆମେ ଯେତେ ମହିଳାଙ୍କ ସହ କଥା ହୋଇଥିଲୁ ସେମାନେ ଶାରୀରିକ ଯନ୍ତ୍ରଣା ଓ ଆଘାତ ନେଇ ଅଭିଯୋଗ କରିଥିଲେ। ଲଗାତର ଓଦା ପତ୍ରକୁ ଗୁଡ଼ାଇବା ଏବଂ ନିୟମିତ ଭାବେ ତମାଖୁ ସଂସ୍ପର୍ଶରେ ଆସିବା କାରଣରୁ ଚର୍ମ ରୋଗ ମଧ୍ୟ ଦେଖା ଦେଇଥାଏ। ‘‘ ହାଥ୍‌ ସେ କାଟ୍‌ତେ ରେହତେ ହେଁ, ନିଶାନ୍‌ ତକ୍‌ ପଡ଼ ଯାତେ ହେଁ (ହାତରେ ଲଗାତର କାଟିବା କାରଣରୁ, ଦାଗ ମଧ୍ୟ ହୋଇଯାଏ)’’, ଜଣେ ବିଡ଼ି ଶ୍ରମିକ କୁହନ୍ତି। ୧୦ ବର୍ଷ ଧରି କାମ କରିବା ଯୋଗୁ ତାଙ୍କ ହାତରେ ବିଣ୍ଡି ଓ ଛାଲି ପଡ଼ିଯାଇଥିବା ସେ ମୋତେ ଦେଖାଇ ଦେଇଥିଲେ।

ସୀମା (ଛଦ୍ମନାମ), ଆଉ ଜଣେ ଶ୍ରମିକ କୁହନ୍ତି, ସେ ଲଗାତର ଓଦା ପତ୍ରକୁ ସ୍ପର୍ଶ କରିବା ଜନିତ କ୍ଷତିକୁ ଭରଣା କରିବା ପାଇଁ ଚେଷ୍ଟା କରିଥାନ୍ତି। ‘‘ଶୋଇବା ପୂର୍ବରୁ ମୋ ହାତରେ ବୋରୋଲିନ୍‌ (ଆରାମଦାୟକ ମଲମ) ଲଗାଇଥାଏ, ନଚେତ୍‌ ତମାଖୁ ଏବଂ ଓଦା ପତ୍ର ସଂସ୍ପର୍ଶରେ ଆସିବା ଫଳରେ ମୋ ଚମଡ଼ାରୁ ଚୋପା ଛାଡ଼ିବ ।’’ ୪୦ ବର୍ଷ ବୟସ୍କ ଏହି ମହିଳା ଜଣଙ୍କ କୁହନ୍ତି, ‘‘ମୁଁ ତମାଖୁ ସେବନ କରେ ନାହିଁ, କିନ୍ତୁ ଏହାର ଗନ୍ଧ ବାଜିବା ପରେ ମୁଁ କାଶିବା ଆରମ୍ଭ କରିଦେଇଥାଏ।’’ ତେଣୁ ପ୍ରାୟ ୧୨-୧୩ ବର୍ଷ ପୂର୍ବରୁ, ଶେଷରେ ସେ ଏହି କାମ ଛାଡ଼ି ଦେଇଥିଲେ ଏବଂ ସହରରେ ଜଣେ ଘରୋଇ ସେବିକା ଭାବେ କାମ ଆରମ୍ଭ କରିଥିଲେ, ଏଥିରୁ ତାଙ୍କୁ ମାସିକ ୪,୦୦୦ ଟଙ୍କା ମିଳୁଛି।

ରଜିଆ (ଛଦ୍ମନାମ), କେବେ ଠାରୁ ବିଡ଼ି ତିଆରି ଆରମ୍ଭ କରିଛନ୍ତି ତାହା ସେ ମନେ ପକାଇ ପାରୁନାହାନ୍ତି। ତେନ୍ଦୁ ପତ୍ର ଓଜନ କରୁଥିବା ଠେକେଦାର୍‌ ଉପରେ ବିରକ୍ତ ହୋଇ ସେ କୁହନ୍ତି : ‘‘ତୁମେ ଆମକୁ କେମିତିକା ପତ୍ର ଦେଉଛ? ଏଥିରୁ ଆମେ କେମିତି ଭଲ ବିଡ଼ି ତିଆରି କରିବୁ? ଯାଞ୍ଚ କରିବା ସମୟରେ ତୁମେ ଏସବୁ ଖାରଜ କରିଦେବ।’’

PHOTO • Kuhuo Bajaj

ବୁଧବାର ଏବଂ ଶୁକ୍ରବାର ଦିନ ବିଡ଼ି ଶ୍ରମିକମାନେ କାରଖାନାକୁ ଆସି କଞ୍ଚା ମାଲ୍‌ : ତେନ୍ଦୁ ପତ୍ର ଓ ଜର୍ଦ୍ଦା ସଂଗ୍ରହ କରିଥାନ୍ତି

ବର୍ଷା ଆଉ ଏକ ସମସ୍ୟା। ‘‘ ଜୋ ୱ ବାରିଶ୍‌ କେ 4 ମହିନେ ଲଗତେ ଥେ, ମାନୋ ପୁରୀ ବିଡ଼ି କଚ୍‌ରେ ମେ ଜାତି ଥି (ବର୍ଷା ଚାରି ମାସ ଲାଗେ ଯେମିତି ସବୁତକ ବିଡ଼ି ନଷ୍ଟ ହୋଇଯିବ)।’’ ଓଦା ତେନ୍ଦୁ ପତ୍ରରେ ଗୁଡ଼ା ହୋଇଥିବା ତମାଖୁ ଠିକ୍‌ ଭାବେ ଶୁଖିନଥାଏ ଏବଂ ଏହା ଫିମ୍ପି ମାରିଯାଏ, ସମ୍ପୂର୍ଣ୍ଣ ବିଡ଼ା ନଷ୍ଟ ହୋଇଯାଏ। ‘‘ବର୍ଷା ଦିନେ ଆମ କପଡ଼ା ଶୁଖାଇବାକୁ ସକ୍ଷମ ହୋଇନଥିଲେ ମଧ୍ୟ, ଆମେ ସେହି ବିଡ଼ିକୁ ଶୁଖାଇଥାଉ,’’ ନଚେତ୍‌ ସେଥିରୁ କିଛି ରୋଜଗାର ହେବ ନାହିଁ।

ଠେକେଦାର ଗୋଟିଏ ବିଡ଼ି ନେବାକୁ ମନା କଲେ ଶ୍ରମ ସମୟ କ୍ଷତି ହେବା ସହିତ, ଏହାକୁ ତିଆରି କରିବା ଲାଗି ବିନିଯୋଗ ହୋଇଥିବା କଞ୍ଚାମାଲ ଦାମ୍‌ ମଧ୍ୟ ସେମାନଙ୍କ ରୋଜଗାରରୁ କାଟି ରଖି ଦିଆଯାଏ। ‘‘ ଖୁବ୍‌ ଲମ୍ବି ଲାଇନ୍‌ ଲଗତି ଥି ଗିନୱାନେ କେ ଦିନ୍‌। ଜୈସେ ତୈସେ ନମ୍ବର ଆତା ଥା, ତୋ ତବ ଆଧି ବିଡ଼ି ତୋ ନିକାଲ୍‌ ଦେତେ ଥେ (ବିଡ଼ି ଗଣିବା ପାଇଁ ବଡ଼ ଲମ୍ବା ଲାଇନ ଲାଗିଥାଏ। ଆଉ ଯେତେବେଳେ ଆମ ନମ୍ବର ଆସେ ଠିକାଦାର ସେଥିମଧ୍ୟରୁ ଅଧା ବିଡ଼ି ବାହାର କରିଦିଏ)’’, ଜାନୁ ଅପେକ୍ଷା ଓ ଆଶଙ୍କା ବିଷୟରେ ମନେ ପକାଇ କୁହନ୍ତି।

ଲମ୍ବା, ମୋଟେଇ, ପତ୍ରର ମାନ ଏବଂ ଗୁଡ଼ାଇବା ଆଦି ବିଭିନ୍ନ କାରଣ ଦର୍ଶାଇ ବିଡ଼ିକୁ ନାକଚ କରିଦିଆଯାଏ। ‘‘ଯଦି ପତ୍ର ସାମାନ୍ୟ ଭଙ୍ଗୁର ହୋଇଯାଏ ଏବଂ ମୋଡ଼ିବା ସମୟରେ ସାମାନ୍ୟ ଫାଟି ଯାଏ କିମ୍ବା ସୂତା ଢିଲା କରି ବନ୍ଧାଯାଏ ତା’ହେଲେ ବିଡ଼ି ନାକଚ ହୋଇଯାଏ,’’ ୬୦ ବର୍ଷ ବୟସ୍କ ଜଣେ ବିଡ଼ି ମଜଦୁର (ଶ୍ରମିକ) କୁହନ୍ତି। ଠେକେଦାର ନାକଚ ହୋଇଯାଇଥିବା ବିଡ଼ିକୁ ନିଜ ପାଖରେ ରଖି ସେଗୁଡ଼ିକୁ ଶସ୍ତା ଦରରେ ବିକ୍ରି କରିଥାଏ। ‘‘କିନ୍ତୁ ଆମକୁ ସେଥିପାଇଁ କିଛି କ୍ଷତିପୂରଣ ମିଳେ ନାହିଁ। ସେହି ବିଡ଼ିଗୁଡ଼ିକୁ ଆମକୁ ଫେରାଇ ମଧ୍ୟ ଦିଆଯାଏ ନାହିଁ।’’

*****

କେନ୍ଦ୍ର ସରକାର ବିଡ଼ି ଶ୍ରମିକ କଲ୍ୟାଣ ପାଣ୍ଠି ଆଇନ, ୧୯୭୬ ଅଧୀନରେ ୧୯୭୭ରେ ବିଡ଼ି ତିଆରି କରୁଥିବା ଶ୍ରମିକମାନଙ୍କ ପାଇଁ ବିଡ଼ି କାର୍ଡ ତିଆରି କରିବା ଆରମ୍ଭ କରିଥିଲେ। ଯଦିଓ ବିଡ଼ି କାର୍ଡର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଡ଼ି ଶ୍ରମିକଙ୍କୁ ଚିହ୍ନଟ କରିବା ତଥାପି ଏହାଦ୍ୱାରା ସେମାନେ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା, ଶିଶୁ ଜନ୍ମ ଜନିତ ସହାୟତା, ମୃତକଙ୍କ ଅନ୍ତ୍ୟେଷ୍ଟି ପାଇଁ ନଗଦ ସହାୟତା, ଆଖି ପରୀକ୍ଷା ଓ ଚଷମା ଦେବା, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି, ବିଦ୍ୟାଳୟ ୟୁନିଫର୍ମ ଅନୁଦାନ ଆଦି ପାଇବା ଲାଗି ଯୋଗ୍ୟ ହୋଇଥାନ୍ତି। ବିଡ଼ି ଓ ସିଗାର ଶ୍ରମିକ (ନିଯୁକ୍ତି ପରିସ୍ଥିତି) ଆଇନ, ୧୯୬୬ ସେମାନଙ୍କୁ ଲାଭ ପାଇବା ପାଇଁ ସକ୍ଷମ କରିଥାଏ। ମୁଖ୍ୟତଃ, କାର୍ଡ ଥିବା ବିଡ଼ି ଶ୍ରମିକମାନେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଗଣା କିମ୍ବା ସବସିଡି ଦରରେ ଔଷଧ ପାଇବାକୁ ଏହାକୁ ବ୍ୟବହାର କରିଥା’ନ୍ତି।

‘‘ ଜ୍ୟାଦା କୁଛ୍‌ ନେହିଁ ଲେକିନ୍‌ ବଦନ୍‌ ଦର୍ଦ୍ଦ, ବୁଖାର୍‌ କି ଦୱାଇ ତୋ ମିଲ ଯାତି ହୈ (ଅଧିକ କିଛି ନୁହେଁ, କିନ୍ତୁ ଅତିକମରେ ଦେହହାତ ବିନ୍ଧା, ଜ୍ୱର ଭଳି ସାଧାରଣ ଔଷଧ ମିଳିଯାଏ),’’ ଦମୋର ବିଡି କାର୍ଡଧାରୀ ଖୁଶବୁ ରାଜ୍‌ (୩୦) କୁହନ୍ତି। ୧୧ ବର୍ଷ ଧରି ସେ ବିଡ଼ି ତିଆରି କରି ଆସୁଥିଲେ କିନ୍ତୁ ନିକଟରେ ଦମୋ ସହରରେ ଏକ ଛୋଟ ଚୁଡ଼ି ଷ୍ଟୋରରେ ଜଣେ ବିକ୍ରି ସହାୟିକା ଭାବେ କାମ କରୁଛନ୍ତି।

PHOTO • Kuhuo Bajaj

ବିଡ଼ି କାର୍ଡ ଶ୍ରମିକଙ୍କୁ ଚିହ୍ନଟ କରିଥାଏ

ଏହି କାର୍ଡରେ ଅନେକ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି, କିନ୍ତୁ ଅଧିକାଂଶ ବିଡି ଶ୍ରମିକ ନିର୍ଦ୍ଦିଷ୍ଟ ଡିସପେନ୍ସରୀରୁ ମାଗଣା କିମ୍ବା ରିହାତିରେ ଔଷଧ ପାଇବା ପାଇଁ ଏହି କାର୍ଡ ବ୍ୟବହାର କରନ୍ତି । ତେବେ କାର୍ଡଟିଏ ପାଇବାର ପ୍ରକ୍ରିୟା ଶୋଷଣକାରୀ ହୋଇପାରେ

କାର୍ଡଟିଏ ପାଇବା ଲାଗି, ‘‘ଆମକୁ ଅଧିକାରୀଙ୍କ ଆଗରେ କିଛି ବିଡ଼ି ତିଆରି କରିବାକୁ ପଡ଼ିଥାଏ,’’ ଖୁଶବୁ କହିଥାନ୍ତି, ‘‘ ସରକାରୀ ଅଫିସର୍‌ ଦେଖତେ ହେଁ କି ହମସେ ସହି ମେଁ ବିଡ଼ି ବନତି ହୈ ୟା ସିର୍ଫ ଐସେ ହିଁ କାର୍ଡ ବନଓ୍ୱା ରହେ ହେଁ (ଆମେ ପ୍ରକୃତରେ ବିଡ଼ି ତିଆରି କରି ଜାଣିଛୁ ନା ସେମିତି ଲାଭ ପାଇବାକୁ ନକଲି କାର୍ଡ ତିଆରି କରିବାକୁ ଚାହୁଁଛୁ ତାହା ସରକାରୀ ଅଧିକାରୀ ଯାଞ୍ଚ କରିଥାନ୍ତି),’’ ସେ କହିଥାନ୍ତି।

‘‘ଯଦି ଆମେ କାର୍ଡ ତିଆରି କରୁ, ସେମାନେ ପାଣ୍ଠି କାଟି ଦିଅନ୍ତି’’, ନିଜ ପୁରୁଣା ଗାଁରେ ପୂର୍ବରୁ କାର୍ଡ ପାଇଥିବା ଜଣେ ମହିଳା କହିଥିଲେ। ଜାଲିଆତି କାରବାର ହେଉଥିବା ନେଇ ସେ ବିବ୍ରତ ହୋଇ କହିଥାନ୍ତି। କିନ୍ତୁ ସେ ଆହୁରି କହିଥିଲେ ଯେ ମାଲିକମାନେ ଶ୍ରମିକଙ୍କଠାରୁ ଟଙ୍କା କାଟି ରଖି ଦେଇଥାନ୍ତି ଏବଂ ତାହାକୁ ପାଣ୍ଠି ପାଇଁ ଉପଯୋଗ କରିଥାନ୍ତି। ୧୯୭୬ ଆଇନ ଅନୁଯାୟୀ ସରକାର ମଧ୍ୟ ଏହି ପାଣ୍ଠିରେ ସମାନ ପରିମାଣର ଯୋଗଦାନ କରନ୍ତି। ଉଲ୍ଲେଖ କରାଯାଇଥିବା କେତେକ ଯୋଜନାରେ ଶ୍ରମିକମାନେ ଏହି ଅର୍ଥ ଉଠାଇପାରିବେ କିମ୍ବା ସେମାନେ ଭଲ ପାଇଁ ବିଡ଼ି ତିଆରି କରିବା ବନ୍ଦ କରି ନିଜ ସମ୍ପୂର୍ଣ୍ଣ ଜମା ଅର୍ଥକୁ ଏକାଥରକେ ଉଠାଇପାରିବେ।

ଦୁଇ ମାସ ତଳେ ବିଡ଼ି ତିଆରି ବନ୍ଦ କରିବା ପରେ ଖୁଶବୁଙ୍କୁ ପାଣ୍ଠି ବାବଦରେ ୩,୦୦୦ ଟଙ୍କା ମିଳିଥିଲା। କେତେକ ଶ୍ରମିକଙ୍କ ପାଇଁ ଏହି ପାଣ୍ଠି ବ୍ୟବସ୍ଥା ଲାଭଦାୟକ ମନେ ହେଉଥିଲେ ହେଁ, ଅନ୍ୟମାନଙ୍କ ପାଇଁ ଏହା ସେମାନଙ୍କ ଶ୍ରମ ବାବଦରେ ଖୁବ୍‌ କମ୍ ମଜୁରି ପାଇବା ପରି ମନେ ହୁଏ। ଏହାବ୍ୟତୀତ, ପାଣ୍ଠି ଅର୍ଥ ସେମାନଙ୍କୁ ଭବିଷ୍ୟତରେ ଫେରାଇ ଦିଆଯିବ ବୋଲି କୌଣସି ଗ୍ୟାରେଣ୍ଟୀ ନାହିଁ।

ଯଦିଓ ବିଡି କାର୍ଡ ଲାଭଦାୟକ ମନେ ହୁଏ, କିନ୍ତୁ ଏହାକୁ ତିଆରି କରିବାର ପ୍ରକ୍ରିୟା ଅସୁରକ୍ଷିତ ଏବଂ କିଛି ଲୋକଙ୍କ ପାଇଁ ଶୋଷଣକାରୀ ହୋଇପାରେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ନିଜର ତିକ୍ତ ଅନୁଭୂତି ବିଷୟରେ ସୂଚନା ଦେଇ କୁହନ୍ତି, ଥରେ ସେ ବିଡି କାର୍ଡ ପାଇବାକୁ ସ୍ଥାନୀୟ କେନ୍ଦ୍ରକୁ ଯାଇଥିବା ସମୟରେ ସେଠାରେ ଜଣେ ସାହାବ (ଅଧିକାରୀ)ଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ। ‘‘ସେ ମୋ ଶରୀର ଉପରେ ନଜର ପକାଇଲେ ଏବଂ ପରଦିନ ଆସିବାକୁ କହିଲେ। ପରଦିନ ମୁଁ ଯେତେବେଳେ ସେଠାକୁ ଗଲି ସାଙ୍ଗରେ ମୋ ସାନ ଭାଇକୁ ନେଇ ଯାଇଥିଲି। ସାଙ୍ଗରେ ସାନ ଭାଇକୁ କାହିଁକି ଆଣିଲି ବୋଲି ସେ ମୋତେ ପଚାରିଲେ, ମୁଁ ଏକାକୀ ଆସିବା ଉଚିତ୍‌ ଥିଲା (ସେ ଇସାରା ଦେଇଥିଲେ),’’ ମହିଳା ଜଣଙ୍କ କୁହନ୍ତି।

ଯେତେବେଳେ ସେ କାର୍ଡ ତିଆରି କରିବାକୁ ମନା କଲେ, ଅଧିକାରୀ ଜଣଙ୍କ ତାଙ୍କୁ ହଇରାଣ ହରକତ କଲେ ଏବଂ ତାଙ୍କୁ ଖରାପ ଦୃଷ୍ଟିରେ ଚାହିଁଲେ। ‘‘ଆଉ ଦିନେ, ମୁଁ ସେହି ସ୍ଥାନ ଦେଇ ଯିବା ସମୟରେ, ସେ ମୋତେ ଦେଖି ଡାକିଲେ। ସେଠାରେ ଗଣ୍ଡଗୋଳ କଲେ,’’ ମହିଳା ଜଣଙ୍କ କହିଥାନ୍ତି। ‘‘ମୋତେ ସେମିତି  ଖରାପ ମହିଳା ବୋଲି ଭାବ ନାହିଁ, ମୁଁ ଏଠାକୁ ତୁମର ମନ୍ଦ ଉଦ୍ଦେଶ୍ୟ ପୂରଣ କରିବାକୁ ଆସିନାହିଁ ଏବଂ ଯଦି ତୁମେ ଏପରି କରିବା ଜାରି ରଖିବ, ମୁଁ ତୁମକୁ ଏଠାରୁ ବଦଳି କରାଇଦେବି। ‘‘ ବହୁତ ହିମ୍ମତ ଲଗତି ତବ୍‌ (ଏଥିପାଇଁ ଅନେକ ସାହସ ଦରକାର),’’ ସେ କୁହନ୍ତି, ‘‘ବଦଳି ହେବା ପୂର୍ବରୁ ସେ ଆଉ ୨-୩ ଜଣ ମହିଳାଙ୍କ ସହ ଏପରି କରିଥିଲେ।’’

*****

PHOTO • Kuhuo Bajaj
PHOTO • Kuhuo Bajaj

ବାମ: ବନ୍ଧା ସରିବା ପରେ ବିଡ଼ି ପ୍ୟାକିଂ ହୋଇ ବିକ୍ରି ଲାଗି ପ୍ରସ୍ତୁତ। ଡାହାଣ: ପୂର୍ବତନ ଶ୍ରମିକ ଅନିତା (ବାମ) ଏବଂ ଜୈନବତୀ (ଡାହାଣ) ସେମାନଙ୍କର ଅନୁଭୂତି ବିଷୟରେ କହୁଛନ୍ତି

ଯେତେବେଳେ ମହିଳାମାନେ ନିଜର ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବାକୁ ଏକାଠି ହୋଇଥା’ନ୍ତି, ସେମାନେ ନିଜ ପାଳିକୁ ଅପେକ୍ଷା କରିବା ସମୟରେ ନିଜ ପିଠି  ଏବଂ  ହାତ ଯନ୍ତ୍ରଣା ଭୁଲି ଥଟ୍ଟାମଜା କରନ୍ତି ଏବଂ ହସନ୍ତି । ସପ୍ତାହକୁ ଦୁଇ ଥର ହେଉଥିବା ଏହି ଭେଟ ସେମାନଙ୍କ ମଧ୍ୟରେ ଗୋଷ୍ଠୀଗତ ଭାବନା ଜାଗ୍ରତ କରିଥାଏ।

‘‘ଏହି ଭେଟ ସମୟରେ ହେଉଥିବା କଥାବାର୍ତ୍ତା… ମୋତେ ଭଲ ଓ ସୁଖଦ ଅନୁଭବ ଦେଇଥାଏ। ମୁଁ ଘରୁ ବାହାରକୁ ବାହାରି ପାରୁଛି,’’ ଜଣେ ମହିଳା ଏହି ରିପୋର୍ଟରଙ୍କୁ କହିଥିଲେ।

ଟୁପୁରୁ ଟାପୁରୁ କଥାବାର୍ତ୍ତାରେ ବାତାବରଣ ପୂରି ଉଠିଛି - ପରିବାରର ସୁଖଦୁଃଖକୁ ନେଇ ଚର୍ଚ୍ଚା, ପିଲାମାନଙ୍କ କିମ୍ବା ନାତିନାତୁଣୀଙ୍କ ଅଜବ କାମ ଓ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ବାସ୍ତବ ଚିନ୍ତା ଉପରେ ସେମାନେ ଆଲୋଚନା କରୁଛନ୍ତି। ଆଜି ସକାଳେ ସୀମାଙ୍କ ଚାରି ବର୍ଷର ନାତିକୁ ଗାଈ କିପରି ଲାତ ମାରିଲା ସେ ବିଷୟରେ ସେ କହୁଛନ୍ତି, ତା’ର ମା’ ଗାଈ ଦୁହିଁବା ବେଳେ ତାଙ୍କ ନାତି ଗାଈକୁ ଚିଡ଼ାଉଥିବା ଯୋଗୁ ଏପରି ଘଟିଥିଲା। ଏହି ସମୟରେ ଆଉ ଜଣେ ମହିଳା ନିଜ ପଡ଼ୋଶୀଙ୍କ ଝିଅ ବାହାଘର ସମ୍ପର୍କରେ ଆଲୋଚନା କରନ୍ତି।

କିନ୍ତୁ ଯେତେବେଳେ ସେମାନେ ଘରକୁ ଫେରନ୍ତି, ଖୁସିର ଏହି କୋଳାହଳ ନିରବୀ ଯାଏ କାରଣ ଅତି କମ୍‌ ରୋଜଗାରରେ ଘର ଖର୍ଚ୍ଚ ତୁଲାଇବାର ଚିନ୍ତା ସେମାନଙ୍କୁ ମାଡ଼ି ବସିଥାଏ। ମହିଳାମାନେ ସେମାନଙ୍କର ସାମାନ୍ୟ ରୋଜଗାରକୁ ନେଇ ଘରକୁ ଫେରିବା ସମୟରେ, ସେମାନଙ୍କ ଶ୍ରମ ଓ ସ୍ୱାସ୍ଥ୍ୟ ବଦଳରେ ମିଳିଥିବା ପାରିଶ୍ରମିକ ଅନୁଚିତ୍‌ ଲାଗିଥାଏ।

ସୀମା ଭୋଗିଥିବା କଷ୍ଟ ଓ ସମସ୍ୟା ବିଷୟରେ ମନେ ପକାଇ କୁହନ୍ତି : ‘‘ପିଠି, ହାତ, କାନ୍ଧ…. ସବୁକିଛି ଖୁବ୍‌ ଜୋରରେ ବିନ୍ଧୁଥିଲା।  ଏ ଯେଉଁ ଆଙ୍ଗୁଠି ଆପଣ ଦେଖୁଛନ୍ତି ତା’ ବିଡ଼ି ବାନ୍ଧିବା କାରଣରୁ ପତଳା ଓ ବିଣ୍ଡି ହୋଇଯାଉଥିଲା।’’

କଷ୍ଟ ଓ ଚିନ୍ତା ସତ୍ତ୍ୱେ, ମଧ୍ୟପ୍ରଦେଶର ବିଡ଼ି ନିର୍ମାତାମାନେ ପରିଶ୍ରମ କରିବା ଜାରି ରଖିଛନ୍ତି, ଅତି କମ୍‌ ମଜୁରିରେ ନିଜକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କୁହନ୍ତି, ‘‘ଅବ୍‌ କ୍ୟା କରେଁ ସବକୀ ଅପନୀ ମଜବୁରୀ ହୋତି ହୈ (ଆମେ କ’ଣ କରିପାରିବା, ସମସ୍ତଙ୍କର ବାଧ୍ୟବାଧକତା ରହିଛି) ।’’

ଏ କାହାଣୀରେ କେତେକ ଛଦ୍ମ ନାମ ବ୍ୟବହାର କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Student Reporter : Kuhuo Bajaj

کوہو بجاج، اشوکا یونیورسٹی سے اکنامکس، فائنانس اور انٹرنیشنل رلیشنز میں گریجویشن کی تعلیم حاصل کر رہی ہیں۔ دیہی ہندوستان کی اسٹوریز کور کرنے میں ان کی دلچسپی ہے۔

کے ذریعہ دیگر اسٹوریز Kuhuo Bajaj
Editor : PARI Desk

پاری ڈیسک ہمارے ادارتی کام کا بنیادی مرکز ہے۔ یہ ٹیم پورے ملک میں پھیلے نامہ نگاروں، محققین، فوٹوگرافرز، فلم سازوں اور ترجمہ نگاروں کے ساتھ مل کر کام کرتی ہے۔ ڈیسک پر موجود ہماری یہ ٹیم پاری کے ذریعہ شائع کردہ متن، ویڈیو، آڈیو اور تحقیقی رپورٹوں کی اشاعت میں مدد کرتی ہے اور ان کا بندوبست کرتی ہے۔

کے ذریعہ دیگر اسٹوریز PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE