ବର୍ଷା ଋତୁ ଶେଷ ହେବା ପରେ, ବର୍ଷକୁ ପ୍ରାୟ ଛଅ ମାସ କାଳ ମହାରାଷ୍ଟ୍ରର ମରାଠୱାଡ଼ା କ୍ଷେତ୍ରରେ, ଆଖୁ କଟାଳିମାନେ କାମଧନ୍ଦା ଖୋଜିବା ଲାଗି ଘର ଛାଡ଼ି ଅନ୍ୟ ସ୍ଥାନକୁ ଯାଇଥାଆନ୍ତି । ବର୍ତ୍ତମାନ ଔରଙ୍ଗାବାଦରେ ରହୁଥିବା ଅଡ଼ଗାଓଁର ଅଶୋକ ରାଠୋଡ଼ କହନ୍ତି, “ମୋ ବାପାଙ୍କୁ ଏହା କରିବାକୁ ପଡୁଥିଲା, ତେଣୁ ମୁଁ ମଧ୍ୟ କଲି ଏବଂ ମୋ ପୁଅ ବି କରିବ ।” ସେ ବଞ୍ଜାରା ସଂପ୍ରଦାୟର (ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) । ଏ ଅଞ୍ଚଳର ବହୁସଂଖ୍ୟକ ଆଖୁ କଟାଳି ଏଭଳି ନିଷ୍ପେଷିତ ଗୋଷ୍ଠୀ ଅନ୍ତର୍ଭୁକ୍ତ ।
ନିଜ ନିଜ ଗାଁରେ କାମଧନ୍ଦା ସୁଯୋଗର ଅଭାବ ହିଁ ଏହି ଋତୁଭିତ୍ତିକ ପ୍ରବାସନର ମୁଖ୍ୟ କାରଣ । ଯେତେବେଳେ ପୂରା ପରିବାର ଗାଁ ଛାଡ଼ି ବାହାରକୁ ଯାଆନ୍ତି, ସେମାନଙ୍କ ସହିତ ଯିବାକୁ ବାଧ୍ୟ ହେଉଥିବା ପିଲାମାନେ ନିଜ ନିଜର ପାଠପଢ଼ା ଅବ୍ୟାହତ ରଖିପାରନ୍ତି ନାହିଁ।
ମହାରାଷ୍ଟ୍ରରେ ଚିନି ଏବଂ ରାଜନୀତି ମଧ୍ୟରେ ଘନିଷ୍ଠ ସଂପର୍କ ରହିଛି । ପ୍ରାୟ ସବୁ ଚିନି କଳର ମାଲିକମାନେ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ସଂପୃକ୍ତ ଏବଂ ଜୀବିକା ଅର୍ଜନ ପାଇଁ ସେମାନଙ୍କ ଉପରେ ନିର୍ଭର କରୁଥିବା ଶ୍ରମିକମାନଙ୍କୁ ସେମାନେ ଅନାୟାସରେ ପ୍ରସ୍ତୁତ ଭୋଟ୍ ବ୍ୟାଙ୍କ ରୂପେ ବ୍ୟବହାର କରନ୍ତି ।
“ସେମାନେ ଚିନି କଳର ମାଲିକ, ସେହିମାନେ ହିଁ ସରକାର ଚଳାନ୍ତି, ସବୁ କିଛି ସେମାନଙ୍କ ହାତରେ,” ଅଶୋକ କହନ୍ତି ।
ହେଲେ, ଶ୍ରମିକମାନଙ୍କ ସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ । “ସେମାନେ ହାସପାତାଳଟିଏ ତିଆରି କରି ପାରିବେ (...) ବର୍ଷର ଯେଉଁ ସମୟରେ କାମ ନଥାଏ, ଲୋକେ ହାତ ବାନ୍ଧି ବସିଥାଆନ୍ତି, ସେମାନେ ଚାହିଁଲେ ୫୦୦ ଲୋକଙ୍କୁ କାମରେ ଲଗାଇ ପାରିବେ (...) କିନ୍ତୁ, ନା । ସେମାନେ ଆଦୌ ଏହା କରିବେନି,” ସେ କହନ୍ତି ।
ଏହି ଚଳଚ୍ଚିତ୍ରରେ ରହିଛି ଆଖୁ କାଟିବା ଲାଗି ଘର ଛାଡ଼ି ଅନ୍ୟ ସ୍ଥାନକୁ ଯାଉଥିବା କୃଷକ ଓ କୃଷି ଶ୍ରମିକମାନଙ୍କର ଏବଂ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର କାହାଣୀ ।
ଏଡିନବର୍ଗ ବିଶ୍ୱବିଦ୍ୟାଳୟ ସହଯୋଗରେ ଗ୍ଲୋବାଲ ଚ୍ୟାଲେଞ୍ଜେସ୍
ରିସର୍ଚ୍ଚ ଫଣ୍ଡ ଜରିଆରେ ପ୍ରାପ୍ତ ଆର୍ଥିକ ସହାୟତା ଏହି ଚଳଚ୍ଚିତ୍ର ନିର୍ମାଣକୁ ସୁଗମ କରିଛି ।
ଅନୁବାଦ
: ଓଡ଼ିଶାଲାଇଭ୍