“ମୁଁ ଜାଣିନି ଆମର କେତେ ପିଢ଼ି ଏହି ଜଙ୍ଗଲରେ ଜୀବନ ବିତାଇ ସାରିଲେଣି,” ମସ୍ତୁ (ସେ କେବଳ ନିଜର ଏହି ନାଁ କହନ୍ତି) କହନ୍ତି । ବନ ଗୁଜ୍ଜର ସଂପ୍ରଦାୟର ଏହି ପଶୁପାଳକ ଜଣକ ସାହରନପୁର ଜିଲ୍ଲାର ଶାକମ୍ଭରୀ ବନ ମଣ୍ଡଳ ନିକଟ ବେହାତ ଗାଁରେ ରହନ୍ତି ।
ବନ ଗୁଜ୍ଜରମାନେ ଯାଯାବର ପଶୁପାଳକ ସଂପ୍ରଦାୟର ଏକ ଅଂଶ, ଯେଉଁମାନେ କି ଋତୁ ଅନୁସାରେ ଉତ୍ତର ଭାରତର ସମତଳ ଭୂମି ଏବଂ ହିମାଳୟ ପର୍ବତ ଶ୍ରେଣୀରେ ବସବାସ କରନ୍ତି । ମସ୍ତୁ ଏବଂ ତାଙ୍କ ଗୋଷ୍ଠୀ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ସୀମାସଂଲଗ୍ନ ଶିବାଲିକ ପାର୍ବତ୍ୟ ଶ୍ରେଣୀ ଦେଇ ଉତ୍ତରକାଶୀ ଜିଲ୍ଲାର ବିଭିନ୍ନ ବୁଗ୍ୟାଲ ବା ଚାରଣଭୂମି ଅଭିମୁଖେ ଯାତ୍ରା କରୁଛନ୍ତି । ଶୀତଋତୁ ଆସିଲେ ସେମାନେ ପୁଣି ଶିବାଲିକକୁ ଫେରିଆସିବେ ।
ବନ ଅଧିକାର ଆଇନ (FRA)-୨୦୦୬ ଜଙ୍ଗଲରେ ରହି ଆସୁଥିବା କିମ୍ବା ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କୁ ସୁରକ୍ଷା ପ୍ରଦାନ କରେ। ଜୀବିକା ଅର୍ଜନ ପାଇଁ ଜଙ୍ଗଲ ସମ୍ବଳ ଉପରେ ନିର୍ଭର କରିଆସୁଥିବା ଏହି ସବୁ ସଂପ୍ରଦାୟର ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଅଧିକାରକୁ ଏହି ଆଇନ ସ୍ୱୀକୃତି ପ୍ରଦାନ କରେ । ଏହା ସତ୍ତ୍ୱେ, ବନ ଗୁଜ୍ଜର ସଂପ୍ରଦାୟ ପାଇଁ ଆଇନ ଅନୁସାରେ ସେମାନଙ୍କୁ ଦିଆଯାଇଥିବା ଅଧିକାର ହାସଲ କରିବା ପ୍ରାୟତଃ ଅସମ୍ଭବ ହୋଇପଡ଼ିଛି ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଫଳରେ ମଧ୍ୟ ଜଙ୍ଗଲର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ‘ସୋସାଇଟି ଫର୍ ପ୍ରମୋସନ ଅଫ୍ ହିମାଲୟାନ୍ ଇଣ୍ଡିଜେନସ୍ ଆକ୍ଟିଭିଟିଜ୍’ ସଂଗଠନର ସହକାରୀ ନିର୍ଦ୍ଦେଶକ ମୁନେଶ ଶର୍ମା କହନ୍ତି, “ଜଙ୍ଗଲର ପରବେଶଗତ ସ୍ଥିତି ବଦଳୁଛି, ଏହା ଫଳରେ ଖାଦ୍ୟ ଅନୁପଯୋଗୀ ଗଛ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଚାରଣ ଭୂମି ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।”
“ଜଙ୍ଗଲ ଯେବେ ରହିବନି, ତେବେ ଆମେ ଆମ ଗୃହପାଳିତ ପଶୁଙ୍କୁ କେମିତି ପାଳିବୁ?” ସାହନ ବିବି ପଚାରନ୍ତି । ସେ ଓ ତାଙ୍କ ପୁଅ ଗୁଲାମ ନବୀ, ମସ୍ତୁଙ୍କ ଦଳରେ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରୁଛନ୍ତି ।
ପ୍ରତି ବର୍ଷ ଏହି ଯାତ୍ରା ସମୟରେ ଏହି ଗୋଷ୍ଠୀ ଓ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମୂହକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ।
ଅନୁବାଦ : ଓଡ଼ିଶାଲାଇଭ୍