ପ୍ରିୟ ‘ପରୀ’ ପାଠକ,
ଏ ବର୍ଷ, www.ruralindiaonline.org ରେ କାର୍ଯ୍ୟବ୍ୟସ୍ତତାର ଏକ ବର୍ଷ ସାବ୍ୟସ୍ତ ହୋଇଛି ।
୨୦୨୩ ସରି ଆସୁଥିବା ବେଳେ ବର୍ଷ ଶେଷରେ, କେତେକ ବଛାବଛା ରିପୋର୍ଟର ସମୀକ୍ଷାକୁ ନେଇ ଏକ ଶୃଙ୍ଖଳ ସୃଷ୍ଟି ସକାଶେ ‘ପରୀ’ ଟିମ୍ ସ୍ଥିର କରିଛି । ଆକର୍ଷଣୀୟ ଚିତ୍ରାବଳୀ ସଂଲଗ୍ନ ଶିରୋନାମାରେ ପ୍ରକାଶ ପାଉଥିବା ଏହି ସମୀକ୍ଷାରେ ଆଗାମୀ ନଅ ଦିନ ଧରି, ପ୍ରତିଦିନ, ଆମେ ଆମ ସଂପାଦକଙ୍କ ପସନ୍ଦ ଅନୁସାରେ ‘ପରୀ’ର ଯେଉଁ କେତେକ ସର୍ବୋତ୍ତମ ଲେଖାର ସମୀକ୍ଷା ପ୍ରକାଶ କରିବାକୁ ଯାଉଛୁ ସେଥିରେ ରିପୋର୍ଟ, କବିତା, ସଙ୍ଗୀତ ଓ ଚିତ୍ରସଜ୍ଜା, ଚଳଚ୍ଚିତ୍ର, ଫଟୋ, ଅନୁବାଦ, ପାଠାଗାର, ବ୍ୟକ୍ତିତ୍ୱ , ସାମାଜିକ ଗଣମାଧ୍ୟମ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ ସ୍ଥାନ ପାଇଛି ।
ଆମେ ଦେଶର ବିଭିନ୍ନ ସ୍ଥାନରୁ ରିପୋର୍ଟ ପ୍ରକାଶନ ଅବ୍ୟାହତ ରଖିଆସିଛୁ ଏବଂ ଏ ବର୍ଷ ସେଥିରେ, ଉତ୍ତର ପୂର୍ବାଞ୍ଚଳ ସମେତ ଅନେକ ନୂଆ ସ୍ଥାନକୁ ସାମିଲ କରିଛୁ । କୃଷି ସଂପର୍କିତ ଆମର ଲେଖା ସମାହାରରେ ସ୍ଥାନ ପାଇଛି ମଲ୍ଲୀଫୁଲ, ରାଶି, ଶୁଖୁଆ ଏବଂ ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ଅପର୍ଣ୍ଣା କାର୍ତ୍ତିକେୟନଙ୍କ ନିବିଷ୍ଟ ଗବେଷଣାର ଟିକିନିଖି ବିବରଣୀ ସମ୍ବଳିତ ଅନେକ ରିପୋର୍ଟ । ଚାଷବାସ ସଂପର୍କିତ ଜୟଦୀପ ହାର୍ଡିକରଙ୍କର ଧାରାବାହିକ ରିପୋର୍ଟିଂ ଶୃଙ୍ଖଳରେ ଅବିଶ୍ରାନ୍ତ ଭାବେ ସ୍ଥାନିତ ହୋଇଛି ପଶୁ-ମଣିଷ ଲଢ଼େଇ ଏବଂ ଏହାର ପରିଣତିରୁ ସୃଷ୍ଟ ପରିସ୍ଥିତି, ବିଶେଷତଃ ବିଭିନ୍ନ ଅଭୟାରଣ୍ୟ ନିକଟରେ ବସବାସ କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ସଂପର୍କିତ ବିସ୍ତୃତ ବିବରଣୀ- ‘ଏକ ନୂଆ ପ୍ରକାରର ମରୁଡ଼ି’ ।
ଦାରିଦ୍ର୍ୟ ସୀମାବର୍ତ୍ତୀ ଇଲାକାରେ ବସବାସ କରୁଥିବା ଲୋକଙ୍କ ଜୀବନଧାରାର ଅନେକ ଅଭୁଲା ଫଟୋଚିତ୍ରକୁ ଏକତ୍ର କରିଛନ୍ତି ପଲାନି କୁମାର- ସେମାନଙ୍କ ମଧ୍ୟରେ ଅଛନ୍ତି ମୂର୍ତ୍ତି କାରିଗର, ଉଭୟଲିଙ୍ଗୀ କଳାକାର ଏବଂ ତାମିଲ ନାଡୁର ମତ୍ସ୍ୟଜୀବୀ ବର୍ଗ । ସମଗ୍ର କାଶ୍ମୀର ଓ ଲଦାଖର ବିଭିନ୍ନ ଉଚ୍ଚ ପର୍ବତ ଉପରେ ରହି ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ସହିତ ଖାପ ଖୁଆଇବାକୁ ଅହରହ ପ୍ରଯତ୍ନଶୀଳ ପଶୁପାଳକମାନଙ୍କ ନିତିଦିନିଆ କାର୍ଯ୍ୟଧାରାକୁ ଫଟୋରେ ତୋଳି ଧରିବା ଲାଗି ସେମାନଙ୍କ ସହିତ ଅନେକ ଦୂର ଯାଏଁ ଯାତ୍ରା କରିଛନ୍ତି ରୀତାୟନ ମୁଖାର୍ଜୀ ଏବଂ ମୁଜାମିଲ ଭଟ । ଗ୍ରାମୀଣ ମହାରାଷ୍ଟ୍ରରେ ବିଦ୍ୟମାନ ଅନ୍ୟାୟର ଆସ୍ତରଣ ଭେଦ କରିବାକୁ ଚେଷ୍ଟା କରିଛନ୍ତି ଜ୍ୟୋତି ଶିନୋଲି- ପ୍ରପୀଡ଼ିତ ଯୁବ କ୍ରୀଡ଼ାବିତ, ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା, ମାସିକ ଋତୁସ୍ରାବକୁ ନେଇ ପ୍ରଚଳିତ ସାମାଜିକ ଭ୍ରାନ୍ତି ଏବଂ ଆହୁରି ଅନେକ ପ୍ରସଙ୍ଗରେ । ଏବଂ ଆମେ ପ୍ରକାଶ କରିଛୁ ବିହାରର ମୁସାହାର ସଂପ୍ରଦାୟ ଓ ମଦ ଏବଂ ତଜ୍ଜନିତ ମୃତ୍ୟୁ ସଂପର୍କିତ ‘ପରୀ’ ଫେଲୋ ଉମେଶ କେ.ରାୟଙ୍କ ପ୍ରଭାବଶାଳୀ ରିପୋର୍ଟ ଶୃଙ୍ଖଳ।
ଭିନ୍ନ ଭିନ୍ନ ସଂପ୍ରଦାୟ ଏବଂ ସଂରକ୍ଷଣକୁ କେନ୍ଦ୍ର କରି ଗଢ଼ି ଉଠିଥିବା କେତେକ ନୂତନ ସାମାଜିକ କ୍ଷେତ୍ରରେ ଆମେ ଏ ବର୍ଷ ପ୍ରବେଶ କରିପାରିଛୁ: ହିମାଳୟ ପାର୍ବତ୍ୟାଞ୍ଚଳର ପୂର୍ବରେ, ବୁଗୁନ୍ ଲିଓଚିକଲା ନାମକ ପକ୍ଷୀ ବଂଶ ପ୍ରତି ବିପଦ ଏବଂ ଏହି ସଂକଟର ଅବସାନ ଦିଗରେ କାର୍ଯ୍ୟରତ ସ୍ଥାନୀୟ ଅଧିବାସୀମାନଙ୍କ ଉଦ୍ୟମକୁ ଆକଳନ କରିଛନ୍ତି ବିଶାଖା ଜର୍ଜ; ପ୍ରୀତି ଡେଭିଡଙ୍କ ରିପୋର୍ଟରେ ଲୋକଲୋଚନକୁ ଆସିଛି ରାଜସ୍ଥାନରେ ସଂପୂର୍ଣ୍ଣ ବିଲୁପ୍ତପ୍ରାୟ ସ୍ଥିତି ଅଭିମୁଖେ ଅଗ୍ରସର ହେଉଥିବା ‘ଗ୍ରେଟ୍ ଇଣ୍ଡିଆନ ବୁଷ୍ଟାର୍ଡ’ ପକ୍ଷୀ ଏବଂ ଅକ୍ଷୟ ଶକ୍ତି କାରଖାନା ଅକ୍ତିଆରକୁ ଚାଲିଯାଉଥିବା ପବିତ୍ର ଉପବନ - ଯାହା ଆଉ ପବିତ୍ର ହୋଇ ରହିନାହିଁ ।
ଖବରକୁ ଆମେ ଯେଉଁ ଭାବରେ ପାଇଛୁ, ଠିକ୍ ସେହି ଭାବରେ ଲେଖାରେ ପ୍ରକାଶ କରିଛୁ- ଆମେ ମହାରାଷ୍ଟ୍ରର ଆନ୍ଦୋଳନକାରୀ କୃଷକମାନଙ୍କ ସହିତ ପାଦରେ ପାଦ ମିଳାଇ ଚାଲିଛୁ, ଏବଂ ନିଜ ଅଧିକାର ପାଇଁ ପଦଯାତ୍ରା କରୁଥିବା ଆଦିବାସୀଙ୍କ ସହିତ, ଆଉ ଆନ୍ଦୋଳନକାରୀ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ବି କଥାବାର୍ତ୍ତା କରିଛୁ । ଆଉ ୨୦୨୩ ଡିସେମ୍ବରରେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ, ସେଠାକାର ସ୍ଥିତି ସଂପର୍କରେ ବାସ୍ତବ ଚିତ୍ର ପ୍ରଦାନ କରିଥିଲେ ପାର୍ଥ ଏମ୍.ଏନ୍. । ନିର୍ବାଚନ ଅଭିମୁଖୀ ଏହି ଦୁଇ ରାଜ୍ୟରେ ବୁଲଡୋଜର ଅନ୍ୟାୟ ପ୍ରପୀଡ଼ିତ ଲୋକଙ୍କ ବାସ୍ତବ ଜୀବନ, ଆଦିବାସୀଙ୍କ ଉପରେ ଅତ୍ୟାଚାର ଏବଂ ହାଜତ ମୃତ୍ୟୁ ସଂପର୍କରେ ସେ ରିପୋର୍ଟ କରିଥିଲେ ।
ବାସ୍ତବ କ୍ଷେତ୍ରରୁ ରିପୋର୍ଟିଂ କରିବା ବେଳେ ଅନେକ ସମୟରେ ଏମିତି କେତେକ କ୍ଷୁଦ୍ର ‘ ମୁସାଫିର’ ଲେଖା ସୃଷ୍ଟି ହୋଇଥାଏ, ଯେମିତି କି ମୁର୍ଶିଦାବାଦ ଜିଲ୍ଲାରେ ମହିଳାମାନଙ୍କ ଗୀତ ଏବଂ ପିଲାମାନଙ୍କ ଖେଳ – ଯେଉଁଠାରୁ ବିଡ଼ି ଶ୍ରମିକମାନଙ୍କ ସଂପର୍କିତ ଖବର ସଂଗ୍ରହ କରିଥିଲେ ସ୍ମିତା ଖାଟୋର । କେତେକ ଖବରରେ ବ୍ୟକ୍ତିଗତ ଭାବନା ବି ଜଡ଼ିତ ହୋଇଥାଏ- ଯେମିତି କି ମେଧା କାଲେଙ୍କ ରିପୋର୍ଟରେ ଦେଖାଯାଇଥିଲା- ସେ ବି ଜଣେ ଶିକ୍ଷୟିତ୍ରୀ ଏବଂ ସ୍ୱତନ୍ତ୍ର ଶିକ୍ଷାଦାତାମାନଙ୍କ ସଂପର୍କରେ ଚମତ୍କାର ରିପୋର୍ଟ କରିଥିଲେ । ଆମ ରିପୋର୍ଟରମାନେ ଗ୍ରାମୀଣ ଭାରତରେ ପାଳିତ ବିଭିନ୍ନ ପର୍ବ ଦେଖିଥିଲେ ଏବଂ ସେ ସଂପର୍କିତ ଖବର ପରିବେଷଣ କରିଥିଲେ- ଯେମିତି କି ମାଆ ବୋନବିବି, ଶୈଲା ନୃତ୍ୟ, ଚାଦର ବାଦନି, ପିଲି ବେଶ, ଏବଂ ତା ସହିତ ଆମ ପାଖରେ ଆଉ ଖଣ୍ଡେ ରିପୋର୍ଟ ବି ରହିଛି- ‘ଏମିତିରେ, କାହାର ଏ ପୂଜାପୀଠ ?’
ଅସହାୟ ମୁକ୍ତବୃତ୍ତି କର୍ମଚାରୀଙ୍କ କଥା ହେଉ କି ଅନୁବାଦକ, ପ୍ରବାସୀ ଶ୍ରମିକ ଏବଂ ପ୍ରବାସୀ ଶିଶୁମାନଙ୍କ ଦୁଃଖ ଓ ଉତ୍କଣ୍ଠାର କାହାଣୀ, ଏମିତି କି ଭାରତର ଗ୍ରାମାଞ୍ଚଳରେ ମହିଳାମାନେ କେମିତି ସେମାନଙ୍କ ‘ଅବସର’ ସମୟ କାଟନ୍ତି, ସେ କଥା ହେଉ, ଭାରତର ଅନେକ ସ୍ଥାନରେ ‘ପରୀ’ ଟିମ୍ ସଦସ୍ୟମାନେ କାର୍ଯ୍ୟରତ ଥିବାରୁ ଆମେ ସମଗ୍ର ଭାରତର ବିଭିନ୍ନ ସ୍ଥାନରୁ ଅନେକ ସମସ୍ୟାଭିତ୍ତିକ ରିପୋର୍ଟ ପ୍ରକାଶ କରିଛୁ ।
‘ପରୀ’ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ନମିତା ୱାଇକରଙ୍କ ପରିଚାଳନାରେ ଗଢ଼ି ଉଠିଥିବା ପ୍ରକଳ୍ପ ‘ଦି ଗ୍ରାଇଣ୍ଡମିଲ ସଙ୍ଗସ ପ୍ରୋଜେକ୍ଟ’ର ଅବଦାନ ଏ ବର୍ଷ ମଧ୍ୟ ଅବ୍ୟାହତ ରହିଥିଲା ଏବଂ ଏଥର ଏକ ଚିତ୍ତାକର୍ଷକ ଭିଡିଓରେ ଏହାର ଇତିହାସକୁ ଉପସ୍ଥାପନ କରାଯାଇଥିଲା । ୨୦୨୩ରେ ଆମେ କଚ୍ଛି ଗୀତର ଏକ ସଂଗ୍ରହକୁ ସାମିଲ କରିଥିଲୁ ଏବଂ ଆମ ନିଜ ସଂସ୍ଥାର କବୟିତ୍ରୀ ପ୍ରତିଷ୍ଠା ପାଣ୍ଡ୍ୟା, କଛର ରଣ ଅଞ୍ଚଳର ଅନେକ ଗୀତକୁ ରେକର୍ଡ କରିଥିଲେ ।
ଏ ବର୍ଷ ପ୍ରଥମ ଥର ପାଇଁ ‘ପରୀ’ରେ ସ୍ଥାନ ପାଇଥିଲା ଆଦିବାସୀ ପିଲାମାନଙ୍କର ଚିତ୍ରକଳା । ଗ୍ରାମୀଣ ଓଡ଼ିଶାର ପିଲାମାନଙ୍କ ଚିତ୍ରକଳାକୁ ପୁଙ୍ଖାନୁପୁଙ୍ଖ ଭାବେ ପରଖି ଏକତ୍ର କରିବା ଭଳି କଷ୍ଟସାଧ୍ୟ କାର୍ଯ୍ୟଭାର ବହନ କରିଥିଲେ କନିକା ଗୁପ୍ତା । ପଶ୍ଚିମ ବଙ୍ଗର ଦେଉଚା ପାଚମୀ କୋଇଲା ଖଣି ଅଞ୍ଚଳରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ମହିଳାମାନଙ୍କ କାହାଣୀକୁ ଚିତ୍ରରେ ଚିତ୍ରରେ ବର୍ଣ୍ଣନା କରିଥିଲେ ଚିତ୍ରଶିଳ୍ପୀ ଲବଣୀ ଜାଙ୍ଗି ।
‘ପରୀ-ଏମ୍ଏମ୍ଏଫ୍’ ଫେଲୋ ବା ଗବେଷକ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିଲେ ସଂକଟରେ ଜୀବନ ବିତାଉଥିବା କାରିଗରମାନଙ୍କ କାହାଣୀ: ମହାରାଷ୍ଟ୍ରର ଗୋଟିଏ ଛୋଟ ଗାଁରୁ ସଙ୍କେତ ଜୈନ ପ୍ରସ୍ତୁତ କରିଥିଲେ ଝୋପଡ଼ି, ଜାଲି ଏବଂ ଆଉ କେତେକ ସାମଗ୍ରୀ ତିଆରି କରୁଥିବା ଅଖ୍ୟାତ କାରିଗରମାନଙ୍କ କଥା; ଭାରତର ଖେଳପଡ଼ିଆରୁ ରିପୋର୍ଟ କରିଥିଲେ ଶ୍ରୁତି ଶର୍ମା- ଯେଉଁଥିରେ କେବଳ କାରିଗରୀ ନୁହେଁ, ବରଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖେଳ ସାମଗ୍ରୀ ଓ ଉପକରଣକୁ କେନ୍ଦ୍ର କରି ରହିଥିବା ସାମାଜିକ-ସାଂସ୍କୃତିକ ପରିବେଶର କାହାଣୀ ରହିଥିଲା । ଆସାମର ମାଜୁଲିରୁ ସେଠାକାର ରାସ ପରମ୍ପରା ସଂପର୍କରେ ଲେଖିଥିଲେ ପ୍ରକାଶ ଭୂୟାଁ; ସଙ୍ଗୀତ ଶଙ୍କର କହିଥିଲେ ଉତ୍ତର କେରଳର ତୋଲପାୱାକୁତୁର ପରମ୍ପରାର କଥା ଏବଂ ଫୈଜଲ ଅହମଦ ବର୍ଣ୍ଣନା କରିଥିଲେ କର୍ଣ୍ଣାଟକ ତୁଲୁନାଡୁର ଭୂତ କାହାଣୀ ।
ଋଣ ଯନ୍ତାରେ ପଡ଼ି ଛଟପଟ ହେଉଥିବା ପରିବାର ସଂପର୍କରେ ଆନ୍ଧ୍ର ପ୍ରଦେଶରୁ ରିପୋର୍ଟିଂ କରି ଲିଙ୍ଗଭେଦ ଦୃଷ୍ଟିକୋଣରୁ ଆମ ଲେଖା ସମାହାରରେ ଆଉ ଏକ ଅଧ୍ୟାୟ ଯୋଡ଼ିଥିଲେ ‘ପରୀ’ ଫେଲୋ ଅମୃତା ।
ଉପରୋକ୍ତ ବ୍ୟତୀତ, ଦୀର୍ଘ ବର୍ଷ ଧରି ନିୟମିତ ଭାବରେ ରିପୋର୍ଟିଂ କରି ‘ପରୀ’ର ଅଭିଲେଖାଗାରକୁ ସମୃଦ୍ଧ କରାଇଥିବା ପୁରୁଖା ରିପୋର୍ଟରମାନେ ମଧ୍ୟ ସେମାନଙ୍କ ଅବଦାନ ଅବ୍ୟାହତ ରଖିଥିଲେ : ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ବିଭିନ୍ନ ଆଦିବାସୀ ସଂପ୍ରଦାୟର ଜୀବନ, ଜୀବିକା ଓ ପର୍ବପର୍ବାଣୀ ସଂପର୍କରେ ଲେଖିବା ସହିତ ଫଟୋ ଓ ଭିଡିଓ ପ୍ରେରଣ କରିଥିଲେ ପୁରୁଷୋତ୍ତମ ଠାକୁର, ଯମୁନା ନଦୀ ଯୋଗୁଁ ବାସଚ୍ୟୁତ କୃଷକଙ୍କ ସମସ୍ୟାର ଅନୁସରଣ କରିଥିଲେ ଶାଳିନୀ ସିଂହ ଏବଂ ଉର୍ବଶୀ ସରକାର ଲେଖିଥିଲେ ସୁନ୍ଦରବନରେ ନଈରୁ କଙ୍କଡ଼ା ଧରିବା ଏବଂ ଏକ ତ୍ରୈମାସିକ ପତ୍ରିକାର କାହାଣୀ । କବିତା ଆୟାର ଓଡ଼ିଶାର ଗ୍ରାମାଞ୍ଚଳରେ ସ୍କୁଲ ବନ୍ଦ ହେବା ସଂପର୍କରେ ଲେଖିଥିଲେ ଏବଂ ବେଲାରିର ମହିଳା ଖଣି ଶ୍ରମିକଙ୍କ କଥା କହିଥିଲେ ଏସ୍. ସେନ୍ଥାଲିର, ହିମାଚଳ ପ୍ରଦେଶରେ ଆୟୋଜିତ ଏକ ‘ପ୍ରାଇଡ୍ ମାର୍ଚ୍ଚ’ର ବିବରଣୀ ଦେଇଥିଲେ ଶ୍ୱେତା ଡାଗା, ବିକ୍ରି ପାଇଁ ଥିବା ବୋହୂମାନଙ୍କ କାହାଣୀ ଲେଖିଥିଲେ ଜିଜ୍ଞାସା ମିଶ୍ରା ଏବଂ ଲଫାଫା ଓ ଚାଲୁଣୀ ଭଳି ଘରେ ଘରେ ଆବଶ୍ୟକ ସାମଗ୍ରୀର କାରିଗରମାନଙ୍କ ସଂପର୍କରେ ଲେଖିଥିଲେ ଉମେଶ ସୋଲାଙ୍କି, ଏବଂ ଆକାଂକ୍ଷା କହିଥିଲେ ମୁମ୍ବାଇର ଲୋକାଲ ଟ୍ରେନରେ ସଙ୍ଗୀତର ଜୟଯାତ୍ରା କଥା ଏବଂ ସ୍ମିତା ତୁମୁଲୁରୁଙ୍କ ରିପୋର୍ଟରେ ଥିଲା ତାମିଲନାଡୁର ଇରୁଲାମାନଙ୍କ ଜୀବନ କାହାଣୀ ।
କଡ୍ଡଲୁରରେ ମାଛଧରା ଏବଂ ହିମାଳୟ ପାର୍ବତ୍ୟାଞ୍ଚଳରେ ପଶୁପାଳନ ଉପରେ ଆମେ ଡକ୍ଟର ନିତ୍ୟା ରାଓ ଏବଂ ଡକ୍ଟର ଓଭି ଥୋରାଟଙ୍କ ଭଳି କେତେକ ବିଦ୍ୱାନ ଓ ଶିକ୍ଷାବିତଙ୍କ ପାଖରୁ ଅନେକ ଲେଖା ପାଇଥିଲୁ । ସେମାନଙ୍କ ସହିତ ସମାନ୍ତରାଳ ଭାବରେ ଅଧିସ୍ନାତକ ଏବଂ ସ୍ନାତକ ବିଦ୍ୱାନମାନେ ମଧ୍ୟ, ସେମାନେ ଯେଉଁ ବ୍ୟକ୍ତି ଓ ସଂପ୍ରଦାୟ ବିଷୟରେ ଅଧ୍ୟୟନ କରୁଛନ୍ତି ସେମାନଙ୍କୁ ଭଲ ଭାବରେ ବୁଝିବା ଲକ୍ଷ୍ୟ ନେଇ, ସେହିମାନଙ୍କ ବିଷୟରେ ‘ପରୀ’ ପାଇଁ ଲେଖିଥିଲେ - ଯେମିତି କି ବିମୁକ୍ତ ଜନଜାତି, ଗ୍ରାମୀଣ ବିହାରରେ ମହିଳା ନୃତ୍ୟଶିଳ୍ପୀ, କୋଚିର ଲୁଗାସଫା କରୁଥିବା ପୁରୁଷ ଓ ମହିଳା । ଗ୍ରାମୀଣ ଭାରତରେ କାର୍ଯ୍ୟରତ ଜଣେ ଡାକବାଲାଙ୍କ ଉପରେ ଲେଖିଥିଲେ ଜଣେ ହାଇସ୍କୁଲ ଛାତ୍ର ।
ଏବେ ୨୦୨୩ରେ ‘ପରୀ’ର ସର୍ବଶ୍ରେଷ୍ଠ ଲେଖା ଉପରେ ଏକ ନଜର - ଚିତ୍ତାକର୍ଷକ ଦୃଶ୍ୟାବଳୀ ସମ୍ବଳିତ ଏହି ଲେଖା
ଶୃଙ୍ଖଳ ଆସନ୍ତା ସପ୍ତାହରେ ଉପଲବଧ ହେବ ।
ଆମେ ଆରମ୍ଭ କରିବା ‘ ମୋଜାଇକ୍ ’ ଶିରୋନାମା ଅନ୍ତର୍ଗତ ଆମର ସର୍ବଶ୍ରେଷ୍ଠ ରିପୋର୍ଟରୁ – ଏ ବର୍ଷ ବଛାବଛା କବିତା, ସଙ୍ଗୀତ ଏବଂ ଗୀତକୁ ନେଇ ଆମ ଅଭିଲେଖାଗାର ସମୃଦ୍ଧ ଓ ସଂପ୍ରସାରିତ ହୋଇଛି । ଏହା ପରେ ପରେ ରହିଛି ଆମ ‘ ଲାଇବ୍ରେରୀ ’ ଟିମ୍ ଦ୍ୱାରା ସଂପାଦିତ କାର୍ଯ୍ୟ – ଶହ ଶହ ଲେଖାର ସମୀକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥିବା ଏହି ଟିମ୍ ଆମକୁ କହିବେ ଯେ କେଉଁ କେଉଁ ଲେଖାକୁ ସେମାନେ ପ୍ରାଥମିକତା ଦେଇ ଲୋକଲୋଚନକୁ ଆଣିବାକୁ ଚାହୁଁଛନ୍ତି । ଏ ବର୍ଷ ‘ପରୀ’ର ଫିଲ୍ମ ଟିମ୍ ଅନେକ ବକ୍ସ-ଅଫିସ୍ ହିଟ୍ ପ୍ରଦାନ କରିଛି ଏବଂ ଅନେକ ଚଳଚ୍ଚିତ୍ର ନିର୍ମାତା ଏବଂ ଭିଡିଓଗ୍ରାଫର ସେମାନଙ୍କ ପ୍ରଥମ କୃତୀ ସହିତ ଆମ ୟୁଟ୍ୟୁବ୍ ପ୍ଲେ-ଲିଷ୍ଟରେ ପଦାର୍ପଣ କରିଛନ୍ତି । ‘ପରୀ’ରେ ସ୍ଥାନିତ ଅନେକ ଦର୍ଶନୀୟ ଚଳଚ୍ଚିତ୍ର ମଧ୍ୟରେ ରହିଛି – ମଦ୍ରାସା ଅଜିଜିୟା ସଂପର୍କିତ ଶ୍ରେୟା କାତ୍ୟାୟନୀଙ୍କର ଏବଂ ଜୟସାଲମେରରେ ଓରଣ ଗୁଡ଼ିକର ସୁରକ୍ଷା ଉପରେ ଉର୍ଜାଙ୍କର ଚଳଚ୍ଚିତ୍ର । ସାମାଜିକ ଅଧିକାରରୁ ବଞ୍ଚିତ ଅଳିଆ ସଂଗ୍ରାହକମାନଙ୍କ ଉପରେ କବିତା କାର୍ନେଇରୋଙ୍କ ଚଳଚ୍ଚିତ୍ର ‘ପରୀ’ର ସର୍ବକାଳୀନ ଶ୍ରେଷ୍ଠ ସଂଗ୍ରହର ମାନ୍ୟତା ହାସଲ କରିଛି । ବର୍ଷ ଶେଷରେ ପ୍ରକାଶିତ ହେବାକୁ ଥିବା ସେମାନଙ୍କ ଲେଖା ସମୂହରେ ଏସବୁ ସହିତ ଆହୁରି ଅନେକ ଚଳମାନ ଦୃଶ୍ୟାବଳୀ ସଂପର୍କରେ ଆପଣ ଶୁଣିପାରିବେ ।
‘ପରୀ’ରେ ପ୍ରକାଶିତ ସବୁ ରିପୋର୍ଟ ୧୪ଟି ଭାରତୀୟ ଭାଷାରେ ପୁନରୁଜ୍ଜୀବିତ ହୋଇଥାଏ ।’ ଆମେ ଜାଣୁ ଯେ ନିର୍ଭୁଲ ଭାବରେ ଅନୁଦିତ ରିପୋର୍ଟ ସମୂହର ଏକ ସଂସ୍କରଣ ଗାଣତାନ୍ତ୍ରିକ ଧାରାକୁ ପରିପୁଷ୍ଟ କରିବାରେ ସହାୟକ ହୋଇଥାଏ । ଭାରତୀୟ ଭାଷାରେ ଅନୁବାଦକ ଓ ଭାଷା ସଂପାଦକମାନଙ୍କର ଏକ ଟିମ୍- ‘ପରୀ’ ଭାଷାର ପ୍ରୟାସ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି । ବର୍ଷ ଶେଷରେ ସେମାନଙ୍କ ପ୍ରତିବେଦନରେ ରହିବ ସେମାନଙ୍କ ଦ୍ୱାରା ସୃଷ୍ଟ ବିପୁଳ ପରିମାଣର କାର୍ଯ୍ୟ ସଂପର୍କିତ ବିବରଣୀ ।
‘ପରୀ’ କାର୍ଯ୍ୟଧାରାର କେନ୍ଦ୍ରରେ ରହିଛି ଫଟୋ ଏବଂ ଆପଣ ଆମ ଦ୍ୱାରା ଚୟନ କରାଯାଇଥିବା ୨୦୨୩ ର ଫଟୋ ଦେଖିବା ସହିତ ଜାଣିପାରିବେ ଯେ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ ପରୀ ’ ରେ ଇଣ୍ଟର୍ନଶିପ୍ ବା ଶିକ୍ଷା ପରବର୍ତ୍ତୀ ପ୍ରଶିକ୍ଷଣର ମହତ୍ତ୍ୱ କେତେ ଅଧିକ । ଏହା ବ୍ୟତୀତ ଏ ବର୍ଷ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଆମର ପୋଷ୍ଟଗୁଡ଼ିକୁ ନେଇ ରଚିତ ‘ ଏସ୍ଏମ୍ ହାଇଲାଇଟ୍ ରିଲ୍ ’ ଦେଖିବାକୁ ଭୁଲନ୍ତୁ ନାହିଁ । ଶେଷରେ, ଆମେ ଆମ ସଂପାଦକଙ୍କ ପସନ୍ଦର ‘ ଫେସେସ୍ ଅନ୍ ପରୀ ’ ବା ‘ପରୀ’ରେ ସ୍ଥାନ ପାଇଥିବା ବ୍ୟକ୍ତିତ୍ୱର ବିବରଣୀ- ଯାହା କି ଭାରତର ବିବିଧତାକୁ ସ୍ପଷ୍ଟ ଭାବେ ଦର୍ଶାଉଥିବା ଏକ ଅଗ୍ରଣୀ ପ୍ରକଳ୍ପ- ସହିତ ଏ ବର୍ଷକୁ ବିଦାୟ ଦେବୁ ଏବଂ ନୂତନ ବର୍ଷର ଅୟମାରମ୍ଭ କରିବୁ ।
୨୦୨୩ ଶେଷ ସୁଦ୍ଧା ବିଗତ ନଅ ବର୍ଷରେ ଆମେ ହାସଲ କରିଥିବା ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ୬୭ରେ ପହଞ୍ଚିଛି । ଏଥିରୁ ସର୍ବଶେଷ ପୁରସ୍କାର ବିଜୟିନୀ ହୋଇଛନ୍ତି ‘ପରୀ’ର ସହ ପ୍ରତିଷ୍ଠାତା ଶାଲିନୀ ସିଂହ ଏବଂ ତାଙ୍କୁ ଡିସେମ୍ବର ମାସରେ ମିଳିତ ଜାତିସଂଘର କରେସପଣ୍ଡେଣ୍ଟସ ଆସୋସିଏସନ୍ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆମେ ବିଶ୍ୱାସ କରୁ ଯେ, ଏସବୁ ପୁରସ୍କାର ଉପରେ ସର୍ବପ୍ରଥମ ଅଧିକାର ସେହି ସାଧାରଣ ଲୋକମାନଙ୍କର, ଯେଉଁମାନେ ସହୃଦୟତାର ସହିତ ଆମକୁ ସେମାନଙ୍କ ଜୀବନ କାହାଣୀ ଶୁଣାଇଛନ୍ତି, ସେହି ରିପୋର୍ଟରମାନଙ୍କର, ଯେଉଁମାନେ ସେମାନଙ୍କ ସହିତ ପାଦରେ ପାଦ ମିଳାଇ ଚାଲିଛନ୍ତି, ସେହି ଲେଖା, ଭିଡିଓ, ଫଟୋ ସଂପାଦକ ଓ ଅନୁବାଦକମାନଙ୍କର, ଯେଉଁମାନେ ଏହାକୁ ପ୍ରକାଶ କରିବା ଦିଗରେ କାମ କରିଛନ୍ତି ।
‘ପରୀ’ର ସଂପାଦକମାନେ ରିପୋର୍ଟରମାନଙ୍କ ସହିତ ଅନ୍ତରଙ୍ଗ ଭାବରେ କାମ କରନ୍ତି, ସେମାନଙ୍କୁ ପରାମର୍ଶ ଦେଇଥାଆନ୍ତି ଏବଂ ସେମାନଙ୍କ କଥାବସ୍ତୁକୁ ପରିମାର୍ଜିତ କରିଥାଆନ୍ତି । ସେମାନେ ‘ପରୀ’ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ମଧ୍ୟରେ ଅଛନ୍ତି ଆମ ସଂସ୍ଥାରେ କାର୍ଯ୍ୟରତ ଇଂରାଜୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାର ଲେଖା ସଂପାଦକ, ଫଟୋ ସଂପାଦକ ଏବଂ ଆମ ସହିତ କାର୍ଯ୍ୟରତ ମୁକ୍ତବୃତ୍ତି ସଂପାଦକମାନେ ।
କେବଳ ‘ ପରୀ ଡେସ୍କ ’ ଯୋଗୁଁ ହିଁ ଗୋଟିଏ ଅନଲାଇନ୍ ପତ୍ରିକା ପ୍ରକାଶ କରିବା ସହିତ ସମକାଳୀନ ଭାବରେ ଏକ ଅଭିଲେଖାଗାର ଗଠନ କରିବା ସମ୍ଭବ ହୋଇପାରିଛି ଏବଂ ସେମାନେ ସଂପାଦନା ସହିତ ବିଷୟବସ୍ତୁରେ ସନ୍ନିହିତ ତଥ୍ୟ ପରଖିବା ଏବଂ ଏହାକୁ ସଜାଇବା ବା ଲେ-ଆଉଟ୍ ପ୍ରସ୍ତୁତ କରିଆସିଛନ୍ତି । ଆରମ୍ଭରୁ ସେମାନେ ରିପୋର୍ଟରମାନଙ୍କ ସହିତ ଘନିଷ୍ଠ ଭାବରେ କାମ କରନ୍ତି ଏବଂ ଶେଷ ପର୍ଯ୍ୟନ୍ତ ସାଙ୍ଗରେ ରହିଥାଆନ୍ତି – ଫଳରେ ଚୂଡ଼ାନ୍ତ ସଂପାଦନା ନିମନ୍ତେ ଏକ ତ୍ରୁଟିହୀନ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ । ପ୍ରକାଶନ ପ୍ରକ୍ରିୟାର କୌଣସି ଗୋଟିଏ ହେଲେ କାମ ସେମାନଙ୍କ ସାମର୍ଥ୍ୟ ବହିର୍ଭୂତ ନୁହେଁ ଏବଂ ପରଦା ଆଢୁଆଳରେ ରହୁଥିଲେ ହେଁ ତଥ୍ୟନିଷ୍ଠ ବିଷୟବସ୍ତୁ ହାସଲ କ୍ଷେତ୍ରରେ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ସେମାନେ ପ୍ରସ୍ତୁତ ହୋଇଥାଆନ୍ତି ।
୨୦୨୪ ଜାନୁଆରୀ ୨ ତାରିଖରୁ ଆମେ ଆମର ନିୟମିତ ପ୍ରକାଶନ ଅବ୍ୟାହତ ରଖିବୁ । ଏହି କ୍ରମରେ ଆଗକୁ ରହିଛି ଅଗରତାଲାର ମେଳାରେ ‘ମୃତ୍ୟୁର କୂଅ’, ବିହାରର ଛାପା କାରିଗର, ମହାରାଷ୍ଟ୍ରରେ ସାଂପ୍ରଦାୟିକ ପୋଲିସ କାମ, ମେରଠର ଲୁହା ଶ୍ରମିକ ଏବଂ ଆହୁରି ଅନେକ ବିଷୟ ।
ଆସନ୍ତା ବର୍ଷ ଆମେ ଆହୁରି ଅଧିକ କାହାଣୀ ଶୁଣାଇବାକୁ ଲକ୍ଷ୍ୟ ରଖିଛୁ – ନିତିଦିନିଆ ମଣିଷର ନିତିଦିନିଆ କାର୍ଯ୍ୟକୁ ନେଇ ଆହୁରି ଅଧିକ ଭଲ ରିପୋର୍ଟ ସହିତ ଭଲ ଚିତ୍ର ଏବଂ ଚଳଚ୍ଚିତ୍ର ଏବଂ ଆହୁରି ଭଲ ଢଙ୍ଗରେ ପରିବେଷଣ କରିବୁ ।
ଧନ୍ୟବାଦ !
ପରୀ ଦଳ