ଅହମୀୟା ପର୍ବ ରଙ୍ଗୋଲି ବିହୁ ପୂର୍ବ ଦିନଗୁଡ଼ିକରେ ତନ୍ତର କାଠ ଫ୍ରେମ୍ ଉପରେ ଚାଲୁଥିବା ସୂତା ଓ ଶଟଲ୍ର ଖଟ୍ ଖଟ୍ ସ୍ୱର ଆଖପାଖ ଅଞ୍ଚଳରେ ଶୁଣିବାକୁ ମିଳିଥାଏ।
ଭେଲାପାଡ଼ା ଅଞ୍ଚଳର ଏକ ଶାନ୍ତ ଗଳିରେ ପତ୍ନେ ଦେଉରୀ ନିଜ ହସ୍ତତନ୍ତରେ କାମ କରିବାରେ ବ୍ୟସ୍ତ ରହିଛନ୍ତି। ସେ ବଜ୍ରାଝର ଗାଁରେ ଥିବା ନିଜ ଘରେ ଏଣ୍ଡି ଗାମୁସା ବୁଣୁଛନ୍ତି। ଏପ୍ରିଲ ମାସରେ ଆୟୋଜିତ ହେଉଥିବା ଅହମୀୟା ନବବର୍ଷ ଏବଂ ଫସଲ ଉତ୍ସବ ପାଇଁ ସେଗୁଡ଼ିକୁ ଠିକ୍ ସମୟରେ ପ୍ରସ୍ତୁତ କରିବାକୁ ହେବ।
କିନ୍ତୁ ଏଗୁଡ଼ିକ ଅନ୍ୟ ସାଧାରଣ ଗାମୁସା ଭଳି ନୁହେଁ । ଏହି ୫୮ ବର୍ଷୀୟା ମହିଳା ଜଣଙ୍କ ଖୁବ୍ ନିଖୁଣ ଫୁଲ ଡିଜାଇନ ସବୁ ବୁଣିପାରନ୍ତି ଓ ଏଥିପାଇଁ ତାଙ୍କର ପ୍ରସିଦ୍ଧି ରହିଛି। “ବିହୁ ପୂର୍ବରୁ ମୋତେ ୩୦ଟି ଗାମୁସା ବୁଣିବା ଲାଗି ଅର୍ଡର ମିଳିଛି, କାରଣ ଲୋକମାନେ ଏସବୁକୁ ସେମାନଙ୍କ ଅତିଥିଙ୍କୁ ଉପହାର ରୂପେ ଭେଟିଦେବେ। ଗାମୁସା - ସାଧାରଣତଃ ଦେଢ଼ ମିଟର ଲମ୍ବ କପଡ଼ାରେ ବୁଣାହୁଏ ଏବଂ ଅହମୀୟା ସଂସ୍କୃତିରେ ଏହାର ବିଶେଷ ଗୁରୁତ୍ୱ ରହିଛି । ପର୍ବପର୍ବାଣୀ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାର ବିଶେଷ ଚାହିଦା ରହିଥାଏ, ଲାଲ ରଙ୍ଗର ସୂତା ଏହାକୁ ଉତ୍ସବମୟ ପରିବେଶର ପ୍ରତୀକ ରୂପେ ଦର୍ଶାଇଥାଏ।
“କପଡ଼ା ଉପରେ ଫୁଲ ବୁଣିବାରେ ମୋର ବିଶେଷ ରୁଚି ରହିଛି । ଯେତେବେଳେ ମୁଁ କୌଣସି ଫୁଲକୁ ଦେଖିବି, ମୁଁ ବୁଣୁଥିବା କପଡ଼ା ଉପରେ ଠିକ୍ ସେହିପରି ଫୁଲର ଡିଜାଇନ୍ କରିପାରିବି । ଥରେ ଖାଲି ସେହି ଫୁଲ ଦେଖିଲେ ମୁଁ ବୁଣିପାରିବି,” ଗର୍ବର ସହିତ ସ୍ମିତ ହସି ଦେଉରୀ କୁହନ୍ତି। ଦେଉରୀ ସମ୍ପ୍ରଦାୟ ଆସାମରେ ଅନୁସୂଚୀତ ଜନଜାତି ରୂପେ ତାଲିକାଭୁକ୍ତ ।
ଆସାମର ମଝବଟ ଉପଖଣ୍ଡରେ ଥିବା ଏହି ଗାଁର ବୁଣାକାର ରାଜ୍ୟର ୧୨ . ୬୯ ଲକ୍ଷ ହସ୍ତତନ୍ତ ପରିବାରର ଅଂଶବିଶେଷ ଅଟନ୍ତି, ଯେଉଁମାନଙ୍କ ମଧ୍ୟରେ ୧୨ ଲକ୍ଷରୁ ଅଧିକ ବୁଣାକାର ଅଛନ୍ତି - ଯେଉଁମାନେ ଦେଶର ଯେକୌଣସି ରାଜ୍ୟ ମଧ୍ୟରେ ସବୁଠୁ ଅଧିକ । ଆସାମ ଦେଶର ସେହିସବୁ ଶୀର୍ଷ ରାଜ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାକି ହସ୍ତତନ୍ତ ଉତ୍ପାଦ, ବିଶେଷ କରି ଚାରି ପ୍ରକାର ରେଷମ - ଏରୀ, ମୁଗା, ମଲବେରୀ ଓ ଟସର - ଉତ୍ପାଦନ କରିଥାଏ।
ଦେଉରୀ ଏରୀ (ଉଭୟ କପା ଓ ରେଷମ) ବ୍ୟବହାର କରନ୍ତି, ଯାହାକୁ ସ୍ଥାନୀୟ ବୋଡ଼ୋ ଭାଷାରେ ‘ଏଣ୍ଡି’ ମଧ୍ୟ କୁହାଯାଏ। “ମୁଁ ପିଲାଦିନେ ମୋ ମା’ଙ୍କ ଠାରୁ ବୁଣାକାମ ଶିଖିଥିଲି। ମୁଁ ଥରେ ତନ୍ତ ଚଲେଇବା ଶିଖିନେବା ପରେ, ବୁଣିବା ଆରମ୍ଭ କରିଦେଇଥିଲି। ସେବେଠାରୁ ମୁଁ ଏହି କାମ କରି ଆସୁଛି,” ଦକ୍ଷ ବୁଣାକାର ଜଣଙ୍କ କୁହନ୍ତି । ସେ ଗାମୁସା ଓ ଫୁଲାମଗାମୁସା (ଉଭୟ ପଟେ ଫୁଲ ଡିଜାଇନ ହୋଇଥିବା ଅହମୀୟ ତଉଲିଆ), ମେଖେଲା - ଚାଦୋର (ମହିଳାଙ୍କ ପାଇଁ ଦୁଇ ଖଣ୍ଡ ବିଶିଷ୍ଟ ଏକ ପାରମ୍ପରିକ ଅହମୀୟା ପୋଷାକ) ଏବଂ ଏଣ୍ଡି ଚାଦୋର (ବଡ଼ ଚଦର) ବୁଣିପାରିବେ।
ବିକ୍ରିରେ ସହାୟତା ଲାଗି, ୧୯୯୬ରେ ସେ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପ୍ରତିଷ୍ଠା କରିଥିଲେ। “ଆମେ ଯେତେବେଳେ ଭେଲାପାଡ଼ା ଖୁଦ୍ର ସଞ୍ଚୋୟ (ସଞ୍ଚୟ) ଏସଏଚଜି ପ୍ରତିଷ୍ଠା କଲୁ, ମୁଁ ବୁଣୁଥିବା ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲି,” ନିଜ ଉଦ୍ୟମିତାକୁ ନେଇ ସେ ଗର୍ବର ସହିତ କୁହନ୍ତି।
କିନ୍ତୁ ଦେଉରୀଙ୍କ ଭଳି ବୁଣାକାରମାନେ ଭାବନ୍ତି ଯେ ଅଧିକ ଆୟ କ୍ଷେତ୍ରରେ ସୂତା କିଣା ଖର୍ଚ୍ଚ ବାଧା ସୃଷ୍ଟି କରିଥାଏ। ସେ କୁହନ୍ତି, ସୂତା କିଣିବା ଲାଗି ତାଙ୍କ ପାଖରେ ଯେତିକି ଟଙ୍କା ଅଛି, ତା’ଠାରୁ ବହୁତ ଅଧିକ ପୁଞ୍ଜି ଦରକାର ହୋଇଥାଏ। ତେଣୁ ସେ କମିଶନ ଆଧାରରେ କିଣିବାକୁ ପସନ୍ଦ କରନ୍ତି। ଏଥିରେ ସେ ଦୋକାନୀ ଓ ବିକ୍ରେତାଙ୍କଠାରୁ ସୂତା ନିଅନ୍ତି ଏବଂ କ’ଣ ତିଆରି କରିବାକୁ ହେବ ତାଙ୍କୁ କୁହାଯାଏ। “ଗାମୁସା ତିଆରି କରିବା ଲାଗି, ଲମ୍ବ ଓ ତନ୍ତରେ ଲାଗୁଥିବା ସୂତା ପାଇଁ ଅତିକମରେ ତିନି କିଲୋଗ୍ରାମ ସୂତା କିଣିବାକୁ ହୋଇଥାଏ। ଗୋଟିଏ କିଲୋଗ୍ରାମ ଏଣ୍ଡି ର ମୂଲ୍ୟ ୭୦୦ ଟଙ୍କା। ମୁଁ ୨୧୦୦ ଟଙ୍କା ଖର୍ଚ୍ଚ କରିପାରିବି ନାହିଁ।” ବ୍ୟବସାୟୀମାନେ ତାଙ୍କୁ ୧୦ଟି ଗାମୁସା କିମ୍ବା ତିନୋଟି ଶାଢ଼ି ପାଇଁ ସୂତା ଦିଅନ୍ତି। “ମୁଁ ତା’ଉପରେ କାମ କରିଥାଏ ଏବଂ ଯଥାଶୀଘ୍ର ପୂରଣ କରିଥାଏ,” ସେ ଆହୁରି କହିଥା’ନ୍ତି।
ମାଧୋବୀ ଚାହରିଆ ମଧ୍ୟ କୁହନ୍ତି ଯେ ସୂତା ପାଇଁ ଖର୍ଚ୍ଚ କରିବା ଲାଗି ସମର୍ଥ ହେଉନଥିବା କାରଣରୁ ସେ ମଧ୍ୟ ତାଙ୍କ କାମ କମେଇ ଦେଇଛନ୍ତି। ସେ ହେଉଛନ୍ତି ଦେଉରୀଙ୍କ ପଡ଼ୋଶୀ ଏବଂ ନିଜେ ବୁଣୁଥିବା ଗାମସା ପାଇଁ ସୂତା କିଣିବା ଲାଗି ସେ ଅନ୍ୟମାନଙ୍କ ଉପରେ ନିର୍ଭର କରିଥା’ନ୍ତି। “ମୋ ସ୍ୱାମୀ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କୁ ବେଳେବେଳେ କାମ ମିଳିଥାଏ, ଆଉ କେବେକେବେ କାମ ମିଳେ ନାହିଁ। ଏଭଳି ପରିସ୍ଥିତିରେ, ମୁଁ ସୂତା କିଣିପାରିବି ନାହିଁ,” ସେ ପରୀକୁ କୁହନ୍ତି।
ଆସାମରେ ୧୨.୬୯ ଲକ୍ଷ ହସ୍ତତନ୍ତର ପରିବାର ଅଛନ୍ତି ଏବଂ ହାତ ବୁଣା ଉତ୍ପାଦ ଉତ୍ପାଦନରେ ଏହି ରାଜ୍ୟ ଦେଶର ଶୀର୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ପରିଗଣିତ ହୁଅନ୍ତି
ମାଧୋବୀ ଓ ଦେଉରୀଙ୍କ ପରିସ୍ଥିତି ଅସ୍ୱାଭାବିକ ନୁହେଁ : ରାଜ୍ୟରେ ସବୁ ଘରୋଇ ବୁଣାକାର ଏହି ସମସ୍ୟାର ସାମ୍ନା କରିଥା’ନ୍ତି ବୋଲି ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୨୦୨୦ର ଏକ ରିପୋର୍ଟ ରେ ଉଲ୍ଲେଖ କରାଯାଇଛି ଯାହାକି ସୁଧମୁକ୍ତ ଋଣ ଏବଂ ଉନ୍ନତ ଋଣ ସୁବିଧା ସପକ୍ଷରେ ଯୁକ୍ତି ବାଢ଼ିଥାଏ। ଏଥିରେ କୁହାଯାଇଛି ଯେ ମହିଳା ବୁଣାକାରଙ୍କ ମଧ୍ୟରେ ଏକ ମଜବୁତ କାର୍ଯ୍ୟକ୍ଷମ ସଂଗଠନର ଅଭାବ ସେମାନଙ୍କୁ ସରକାରୀ ଯୋଜନା, ସ୍ୱାସ୍ଥ୍ୟ ବୀମା, ଋଣ ଓ ବଜାର ସମ୍ପର୍କଠାରୁ ଯଥେଷ୍ଟ ଦୂରେଇ ରଖିଛି ।
“ତିନି ଦିନ ମଧ୍ୟରେ ମୁଁ ଗୋଟିଏ ଚାଦର ସମ୍ପୂର୍ଣ୍ଣ କରିପାରିବି,” ଦେଉରୀ କୁହନ୍ତି। ଗୋଟିଏ ମଧ୍ୟମ ଆକାରର ଗାମସା ତିଆରି କରିବା ଲାଗି ଗୋଟିଏ ସମ୍ପୂର୍ଣ୍ଣ ଦିନର ବୁଣାକାମ ଲାଗିଥାଏ ଏବଂ ଦେଉରୀଙ୍କୁ ପ୍ରତ୍ୟେକ ପୋଷାକ ପାଇଁ ସିଧାସଳଖ ୪୦୦ ଟଙ୍କା ମିଳିଥାଏ। ବଜାରରେ ଗୋଟିଏ ଅହମୀୟା ମେଖେଲା ଚାଦୋର ଦାମ୍ ୫,୦୦୦ ଟଙ୍କାରୁ ଆରମ୍ଭ କରି କିଛି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ, କିନ୍ତୁ ଦେଉରୀଙ୍କ ଭଳି କାରୀଗର ମାସିକ ମାତ୍ର ୬,୦୦୦ରୁ ୮,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିଥା’ନ୍ତି।
ବୁଣାକାମରୁ ହେଉଥିବା ରୋଜଗାରରୁ ତାଙ୍କର ସାତ ସଦସ୍ୟ ବିଶିଷ୍ଟ ପରିବାରର ଭରଣ-ପୋଷଣ କରିବା ସମ୍ଭବ ହୁଏ ନାହିଁ। ପରିବାରରେ ତାଙ୍କର ସ୍ୱାମୀ ନବୀନ ଦେଉରୀ (୬୬), ଦୁଇ ପିଲା : ରଜୋନି (୩୪) ଓ ରୁମୀ (୨୬) ଏବଂ ତାଙ୍କର ପରଲୋକଗତ ବଡ଼ ପୁଅର ବିଧବା ପତ୍ନୀ ଓ ତା’ର ପିଲାମାନେ ଅଛନ୍ତି । ତେଣୁ ସେ ସ୍ଥାନୀୟ ଏକ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ସେ ରୋଷେୟା ଭାବେ କାମ କରନ୍ତି।
ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା (୨୦୧୯ - ୨୦୨୦) ଅନୁଯାୟୀ ଆସାମରେ ପ୍ରାୟ ସବୁ (୧୧ . ୭୯ ଲକ୍ଷ) ବୁଣାକାରମାନେ ହେଉଛନ୍ତି ମହିଳା ଏବଂ ସେମାନଙ୍କୁ ଘର କାମ ସହିତ ବୁଣିବା କାମ ମଧ୍ୟ କରିବାକୁ ହୋଇଥାଏ , ଆଉ ଦେଉରୀଙ୍କ ଭଳି କିଛି ବୁଣାକାର ଅନ୍ୟ କାମ ମଧ୍ୟ କରନ୍ତି।
ଗୋଟିଏ ଦିନରେ ଏକାଧିକ କାମ କରିବାକୁ ଥିବାରୁ , ଦେଉରୀଙ୍କ ଦିନ ଭୋର୍ ୪ଟାରୁ ଆରମ୍ଭ ହୋଇଥାଏ। ସେ ତନ୍ତ ସାମ୍ନାରେ ପଡ଼ିଥିବା ବେଞ୍ଚ ଉପରେ ବସନ୍ତି , ଏହାର କଳଙ୍କି ଲାଗିଥିବା ଗୋଡ଼ ସନ୍ତୁଳନ ପାଇଁ ଇଟା ଉପରେ ରଖାଯାଇଥାଏ। ସେ କୁହନ୍ତି , “ସକାଳ ୭ : ୩୦ ରୁ ୮ଟା ପର୍ଯ୍ୟନ୍ତ କାମ କରିବା ପରେ ମୁଁ ସ୍କୁଲ୍ ଯାଇଥାଏ (ରୋଷେଇ କରିବା ଲାଗି)। ଅପରାହ୍ଣ ପ୍ରାୟ ୨ - ୩ଟା ବେଳକୁ ଘରକୁ ଫେରି ମୁଁ ବିଶ୍ରାମ ନିଏ। ଅପରାହ୍ଣ ୪ଟା ବେଳକୁ ମୁଁ ପୁଣିଥରେ କାମ ଆରମ୍ଭ କରେ ଏବଂ ଏହା ରାତି ୧୦ - ୧୧ଟା ପର୍ଯ୍ୟନ୍ତ ଚାଲିଥାଏ।”
କିନ୍ତୁ କେବଳ ବୁଣା କାମ ନୁହେଁ। ଦେଉରୀଙ୍କୁ ସୂତା ପ୍ରସ୍ତୁତ କରିବାକୁ ହୁଏ, ଯାହାକି ଖୁବ୍ ପରିଶ୍ରମ ସାପେକ୍ଷ କାମ। “ଆପଣଙ୍କୁ ସୂତା ଭିଜାଇବାକୁ ପଡ଼ିଥାଏ, ମଣ୍ଡ ଦେବାକୁ ହୁଏ ଏବଂ ତା’ପରେ ଏଣ୍ଡି କୁ ସୁଦୃଢ଼ କରିବାକୁ ଶୁଖାଇବାକୁ ହୋଇଥାଏ। ସୂତାକୁ ବିସ୍ତାରିତ କରିବା ଲାଗି ମୁଁ ଏହାର ଦୁଇ ପଟକୁ ଦୁଇଟି ବାଉଁଶ ଖୁଣ୍ଟରେ ବାନ୍ଧିଥାଏ। ଥରେ ସୂତା ପ୍ରସ୍ତୁତ ହୋଇଗଲେ , ମୁଁ ସେଗୁଡ଼ିକୁ ରା (ଟାଣି ରଖିବା ପାଇଁ ବିମ୍)ରେ ଗୁଡ଼ାଇ ଦେଇଥାଏ। ତା ’ ପରେ ଆପଣଙ୍କୁ ସେହି ବିମ୍କୁ ତନ୍ତର ସମ୍ପୂର୍ଣ୍ଣ ଶେଷ ଭାଗ ପର୍ଯ୍ୟନ୍ତ ଠେଲିବାକୁ ପଡ଼ିଥାଏ। ତା ’ ପରେ ଆପଣ ବୁଣିବା ଲାଗି ନିଜ ହାତ - ଗୋଡ଼ ଚଲେଇଥା’ନ୍ତି,” ସେ କୁହନ୍ତି।
ଦେଉରୀଙ୍କ ଦ୍ୱାରା ବ୍ୟବହୃତ ଦୁଇଟି ଯାକ ତନ୍ତ ପାରମ୍ପରିକ ଯାହାକୁ ସେ ତିନି ଦଶନ୍ଧି ପୂର୍ବରୁ କିଣିଥିଲେ ବୋଲି କୁହନ୍ତି। ସେଗୁଡ଼ିକରେ ଗୁଆ ଗଛର ଦୁଇଟି ଖୁଣ୍ଟ ଥାଏ ଯାହା ଉପରେ କାଠ ଫ୍ରେମ ଲାଗିଥାଏ ; ପେଡଲଗୁଡ଼ିକ ବାଉଁଶରେ ତିଆରି ହୋଇଥାଏ। ଜଟିଳ ଡିଜାଇନ୍ ପାଇଁ , ପାରମ୍ପରିକ ତନ୍ତ ଉପଯୋଗ କରୁଥିବା ପୁରୁଣା ବୁଣାକାର ନଡ଼ିଆ ତାଳ ପତ୍ରର ମଝି ଶିରା ସହିତ ପତଳା ବାଉଁଶ ପଟି ଉପଯୋଗ କରିଥାନ୍ତି। ସେମାନେ ଯେକୌଣସି ଡିଜାଇନ ତିଆରି କରିବା ଲାଗି ବାଛିଥିବା ଲମ୍ବା ସୂତା ମାଧ୍ୟମରେ ସୂତାକୁ ହାତରେ ନେଇଯାଆନ୍ତି। କପଡ଼ା ଉପରେ ରଙ୍ଗୀନ ସୂତା ବୁଣିବା ଲାଗି , ପ୍ରତ୍ୟେକ ଥର ଟ୍ରେଡଲକୁ ଠେଲିବା ସହିତ ଠିଆ ହୋଇଥିବା ସୂତା ମାଧ୍ୟମରେ ସେରୀ ( ପତଳା ବାଉଁଠ ପଟି ) ବୁଣିବାକୁ ପଡ଼ିଥାଏ। ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା ଅଟେ ଏବଂ ସେମାନଙ୍କୁ ଧିମା କରିଦେଇଥାଏ।
ଯଦିଓ ୨୦୧୭ - ୨୦୧୮ରେ ଗ୍ରହଣ କରାଯାଇଥିବା ଆସାମ ସରକାରଙ୍କ ହସ୍ତତନ୍ତ ନୀତିରେ ତନ୍ତଗୁଡ଼ିକର ଉନ୍ନତିକରଣ ଏବଂ ସୂତାକୁ ଅଧିକ ସୁଲଭ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି , ତଥାପି ଦେଉରୀ କୁହନ୍ତି ଯେ ଆଗକୁ ବଢ଼ିବା ଲାଗି ତାଙ୍କୁ କୌଣସି ଆର୍ଥିକ ସହାୟତା ମିଳିନାହିଁ। “ହସ୍ତତନ୍ତ ବିଭାଗ ସହିତ ତାଙ୍କର କୌଣସି ଯୋଗାଯୋଗ ନାହିଁ । ଏସବୁ ତନ୍ତ ପୁରୁଣା ହୋଇଗଲାଣି ଏବଂ ବିଭାଗ ଠାରୁ ମୁଁ କୌଣସି ଲାଭ ପାଇନାହିଁ।”
ବୁଣା କାମକୁ ଏକ ଜୀବିକା ଭାବେ ଗ୍ରହଣ କରି ଗୁଜୁରାଣ ମେଣ୍ଟାଇବା ସମ୍ଭବ ହୋଇନଥିବା କାରଣରୁ , ଉଦଲଗୁଡ଼ି ଜିଲ୍ଲା ହାତିଗଡ଼ ଗ୍ରାମର ତରୁ ବରୁଆ ଏହି ହସ୍ତଶିଳ୍ପକୁ ଛାଡ଼ି ଦେଇଛନ୍ତି। “ବୁଣାକାମରେ ମୁଁ ଅଗ୍ରଣୀ ଥିଲି। ମେଖେଲା ଚାଦର ଓ ଗାମୁସା ବୁଣିବା ଲାଗି ଲୋକମାନେ ମୋ ପାଖକୁ ଆସୁଥିଲେ। କିନ୍ତୁ ବିଦ୍ୟୁତ ଚାଳିତ ତନ୍ତ ଠାରୁ ମିଳୁଥିବା ପ୍ରତିଯୋଗିତା ଓ ଅନଲାଇନର ଶସ୍ତା ଉତ୍ପାଦ କାରଣରୁ ମୁଁ ଏବେ ବୁଣିବାକୁ ସକ୍ଷମ ହୋଇପାରୁନାହିଁ,” ୫୧ ବର୍ଷ ବୟସ୍କା ତରୁ କୁହନ୍ତି। ସେ ତାଙ୍କ ପରିତ୍ୟକ୍ତ ଏରୀ ବଗିଚା ପାଖରେ ଛିଡ଼ା ହୋଇଛନ୍ତି , ଯେଉଁଥିରେ ଏବେ ଆଉ ରେଶମ କୀଟ ହେଉନାହିଁ ।
“କେହି ଲୋକ ଆଉ ହାତ ତିଆରି ପୋଷାକ ପିନ୍ଧୁଥିବା ମୁଁ ଦେଖୁନାହିଁ। ଲୋକମାନେ ମୁଖ୍ୟତଃ ବିଦ୍ୟୁତ ଚାଳିତ ତନ୍ତରେ ତିଆରି ଶସ୍ତା ପୋଷାକ ପିନ୍ଧୁଛନ୍ତି। କିନ୍ତୁ ମୁଁ କେବଳ ହାତ ତିଆରି ପ୍ରାକୃତିକ ପୋଷାକ ପିନ୍ଧିଥାଏ ଏବଂ ଯେ ପର୍ଯ୍ୟନ୍ତ ମୁଁ ଜୀବିତ ଅଛି ବୁଣାକାମ ଜାରି ରଖିବି,” ଦେଉରୀ କୁହନ୍ତି। ସେ ମାକୁ (ଶଟଲ) ଚଳାଇବା ଲାଗି ପେଡଲକୁ ଆଗକୁ ବଢ଼ାଇ ଚାଲିଥା’ନ୍ତି ଏବଂ ଅହମୀୟା ତଉଲିଆ ଉପରେ ଫୁଲ ଡିଜାଇନ କରିଦିଅନ୍ତି।
ମୃଣାଳିନୀ ମୁଖାର୍ଜି ଫାଉଣ୍ଡେସନ (ଏମଏମଏଫ)ରୁ ମିଳିଥିବା ଏକ ଫେଲୋସିପ୍ ସହାୟତାରେ ଏହି ଷ୍ଟୋରୀ ପ୍ରସ୍ତୁତ କରାଯାଇଛି।
ଅନୁବାଦ : ଓଡ଼ିଶାଲାଇଭ୍