ସାମ୍ରାଜ୍ୟବାଦୀଙ୍କ ଶୟନକକ୍ଷରେ କମ୍ପନ ସୃଷ୍ଟି ହେଲା ବେଳକୁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା ବିଖଣ୍ଡିତ ଦୁର୍ଗର ମରାମତି କରିବାକୁ, ଶାସନକର୍ତ୍ତା ଓ ତାଙ୍କ ସାମନ୍ତମାନେ କୌଣସି ମୁକାବିଲା କରିବା ପାଇଁ ମଧ୍ୟ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା ।
ସାରା ସାମ୍ରାଜ୍ୟରେ ସଗର୍ବେ ପ୍ରଲମ୍ବିତ ହୋଇଥିଲା ଗଭୀର ଖାଇ। ସଦ୍ୟ କଟାହୋଇ ଆସିଥିବା ଗହମ ଗୋଚ୍ଛାରୁ ବାହାରୁଥିବା ଗନ୍ଧ ପରି ବାସୁଥିଲା ସେହି ଖାଇ, ଭୋକିଲା ମଣିଷମାନଙ୍କ ପ୍ରତି ଶାସନକର୍ତ୍ତାଙ୍କ ଭିତରେ ଥିବା ଘୃଣାଠାରୁ ଆହୁରି ଅଧିକ ଦୁର୍ଗନ୍ଧ ବାହାରୁଥିବା ଓ ତାଙ୍କ ଆକାଶ ପରି ବକ୍ଷ ଠାରୁ ଅଧିକ ପ୍ରଶସ୍ତ ସେହି ଖାଇ ଜନପଦ, ବଜାର, ପ୍ରାଚୀର ଓ ପବିତ୍ର ଗୌଶାଳା ଦେଇ ପ୍ରଲମ୍ବିତ ହୋଇ ଯାଇଥିଲା ତାଙ୍କ ପ୍ରାସାଦ ପର୍ଯ୍ୟନ୍ତ। ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା।
ଜନସାଧାରଣଙ୍କ ଭିତରେ କର୍କଶ ରଡ଼ି ଛାଡି ଡିଆଁ ଡେଇଁ କରିବା ପାଇଁ ପୋଷା କୁଆମାନଙ୍କୁ ଖୋଲିଦେବା ପାଇଁ, ଫମ୍ପା କଳରବ ଭାବି କମ୍ପନକୁ ଉପଦ୍ରବ ବୋଲି ଘୋଷଣା କରିବା ପାଇଁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଆଗକୁ ବଢୁଥିବା ପାଦଗୁଡ଼ିକୁ ଘୃଣା କରିବାକୁ ମଧ୍ୟ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଓଃ ସେହି ଫଟା ଆଉ ଖରା-ସିଝା ପାଦଗୁଡ଼ିକ କିପରି ସିଂହାସନକୁ ଥରହର କରିଦେଲେ! ଏହି ପବିତ୍ର ସାମ୍ରାଜ୍ୟ ଚିରକାଳ ତିଷ୍ଠି ରହିବ ବୋଲି ପ୍ରଚାର କରିବା ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଧୂଳିମାଟିରୁ ରସାଳ ମକା ଫଳାଇ ପାରୁଥିବା ସେହି ଅନଭ୍ୟସ୍ତ ହାତଗୁଡ଼ିକ ଆକାଶ ଛୁଉଁଥିଲା।
କିନ୍ତୁ କାହାର ଥିଲା ସେହି ସଶକ୍ତ ମୁଠା? ସେମାନଙ୍କ ମଧ୍ୟରୁ ଅଧା ଥିଲେ ମହିଳା, ଏକ-ତୃତୀୟାଂଶ ମାନୁ ନଥିଲେ ଦାସତ୍ଵ, ଅନ୍ୟମାନଙ୍କଠାରୁ ପୁରୁଣାକାଳର ଥିଲେ ଏକ-ଚତୁର୍ଥାଂଶ। ଉଜ୍ଜ୍ଵଳ ଇନ୍ଦ୍ରଧନୁ ପରି ଥିଲା କେତେକଙ୍କର ପରିଧାନ, ଅନ୍ୟ କେତେକଙ୍କ ଆବରଣରେ ନାରଙ୍ଗି ରଙ୍ଗର ଉଲ୍ଲାସ ଥିଲା, କିମ୍ବା ତା’ ଉପରେ କିଛିଟା ହଳଦିଆ ଛିଟା ପଡିଥିଲା, ଏବଂ ଅନ୍ୟମାନେ ଛିଣ୍ଡା ଲୁଗାପଟା ପିନ୍ଧିଥିଲେ। ସେହି ଛିଣ୍ଡା ଲୁଗାପଟା ଥିଲା ସମ୍ରାଟଙ୍କ ନିୟୁତ-ଡଲାର ପୋଷାକଠାରୁ ଯଥେଷ୍ଟ ଅଧିକ ରାଜକୀୟ। ସେମାନେ ଥିଲେ ମୃତ୍ୟୁକୁ ଅସ୍ଵୀକାର କରୁଥିବା ଦଳେ ଆତଙ୍କ ଖେଳେଇବାର ସ୍ପର୍ଦ୍ଧା ଯେଉଁମାନେ ଆଗକୁ ମାଡି ଚାଲୁଥିଲେ, ଗାଉଥିଲେ, ହସୁଥିଲେ, ଆନନ୍ଦରେ ବିଭୋର ହେଉଥିଲେ। ସେମାନେ ଥିଲେ ଲଙ୍ଗଳ ଚଳଉଥିବା ଅସଭ୍ୟ ମଣିଷ ଯେଉଁମାନଙ୍କୁ କି ପଥର ଫିଙ୍ଗୁଥିବା ଶକ୍ତିଶାଳୀ ଟ୍ରେବୁଚେଟ ମେସିନ କିମ୍ବା ପବିତ୍ର ବନ୍ଧୁକ ଗୁଳି ମାରିବାକୁ ସକ୍ଷମ ହୋଇ ପାରି ନଥିଲା।
ସାମ୍ରାଜ୍ୟବାଦୀଙ୍କ କକ୍ଷରେ ଯେଉଁଠାରେ ଗୋଟିଏ ହୃଦୟ ରହିବା କଥା, ସେଠାରେ ଯେତେବେଳେ କମ୍ପନ ପହଞ୍ଚିଲା ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା।
ଚାଷୀମାନଙ୍କ ପ୍ରତି...
୧)
କଣ୍ଢେଇ ପରି ନିର୍ଜୀବ ଚାଷୀମାନେ,
କାହିଁକି ହସୁଛ?
“ଆଖି ମୋର ବନ୍ଧୁକ ଗୁଳି
ଉତ୍ତର ଯଥେଷ୍ଟ”।
ହେ ଦଳିତ ଚାଷୀମାନେ, କାହିଁକି
ତୁମେ ରକ୍ତ ଜର୍ଜ୍ଜରିତ?
“ଚର୍ମ ମୋର ପାପ
କ୍ଷୁଧା ମୋର ନେଇଛି ସନ୍ନ୍ୟାସ”।
୨)
ସଶସ୍ତ୍ର ମହିଳା, କେମିତି
ଆଗକୁ ଚାଲ?
“ସୂର୍ଯ୍ୟ ଓ ଦାଆ ସହ
ନିୟୁତ ଦୃଷ୍ଟି ସମ୍ମୁଖରେ”।
କପର୍ଦକ ଶୂନ୍ୟ ଚାଷୀମାନେ, କେମିତି
ନିଅ ଦୀର୍ଘଶ୍ଵାସ?
“ମୁଠାଏ ଗହମ ଯେମିତି,
ଯେମିତି ବୈଶାଖୀ ସୋରିଷ”।
୩)
ଲାଲ, ଲାଲ ଚାଷୀ, କେଉଁଠି
ନିଃଶ୍ଵାସ ନିଅ?
“ଝଡର ହୃଦୟରେ
ଶୀତ ଅୟନାନ୍ତ ଲୋହରି ଉତ୍ସବ ପଛରେ”।
ଟେରାକୋଟା ମାଟିର ଚାଷୀ, ଦଉଡୁଛ
କେଉଁ ଆଡେ?
“ଶ୍ଳୋକ ଓ ହାତୁଡି ପାଖକୁ
ଭଙ୍ଗା କାଠ ପରି ଭାସମାନ ସୂର୍ଯ୍ୟ ନିକଟକୁ”।
୪)
ଭୂମିହୀନ ଚାଷୀମାନେ, ତୁମେ ଅବା
କେବେ ଦେଖିବ ସ୍ଵପ୍ନ?
“ଯେତେବେଳେ ଜାଳିଦିଏ ବର୍ଷା ଟୋପାଟିଏ
ଭୟଙ୍କର ଶାସନ ତୁମର”।
ଘର-ଝୁରା ସୈନିକମାନେ, ବିହନ
ବୁଣିବ କେବେ?
“କେବଳ ଭାଗଚାଷ ଆଦାୟ ପରି
ଝାମ୍ପଦିଆ କାଉମାନଙ୍କର”।
୫)
ଆଦିବାସୀ ଚାଷୀମାନେ, କି ଗୀତ
ଗାଉଛ ତୁମେ?
“ଚକ୍ଷୁ ବିନିମୟେ ଚକ୍ଷୁ ,
ଓ ରାଜାଙ୍କ ସହ ପତନ”।
ମଧ୍ୟରାତ୍ରିର ଚାଷୀମାନେ, କଣ ସବୁ
ବୋହି ନିଅ ତୁମେ?
“ଆମର ଅନାଥ ଚାଷଜମି ସବୁ
ଯେତେବେଳେ ରାଜତ୍ଵଗୁଡିକର ହୁଏ ପତନ”।
ଶବ୍ଦାବ ଳି
ବକସଟ: ଏକ ପ୍ରକାରର ବନ୍ଧୁକ ଗୁଳି
ବହୁଜନ: ଦଳିତ, ଶୂଦ୍ର ଓ ଆଦିବାସୀ
ଗୌଶାଳା: ଗାଈମାନଙ୍କ ସୁରକ୍ଷିତ ବାସସ୍ଥଳୀ
ଲୋହରି: ଶୀତ ପରବର୍ତ୍ତୀ ଅୟନାନ୍ତ ସମୟରେ ପଞ୍ଜାବରେ ପାଳନ କରାଯାଉଥିବା ପର୍ବ ଓ ଉତ୍ତର ଭାରତର ଅନ୍ୟାନ୍ୟ
ମସନଦ: ସିଂହାସନ
ରଶୀଦ: ଆଞ୍ଜ।କାରୀ, ନୀତିନିଷ୍ଠ
ସତରପ: କରଦ ରାଜା କିମ୍ବା ଜମିଦାର
ଟ୍ରେବୁଚେତ: ପୁରୁଣା କାଳରେ ଶସ୍ତ୍ର କ୍ଷେପଣକାରୀ ବିରାଟ ଯାନ୍ତ୍ରିକ ବ୍ୟବସ୍ଥା
ବୈଶାଖୀ: ମୁଖ୍ୟତଃ ପଞ୍ଜାବ, କିନ୍ତୁ ଉତ୍ତର ଭାରତର ସମସ୍ତ ଅଞ୍ଚଳରେ ପାଳିତ ହେଉଥିବା ବସନ୍ତକାଳୀନ ଉତ୍ସବ
ଏହି ଦଳଗତ ପ୍ରଚେଷ୍ଟାରେ ଉଲ୍ଲେଖନୀୟ ଯୋଗଦାନ କରିଥିବାରୁ ଆମେ ସ୍ମିତା ଖତୋରଙ୍କୁ ଆନ୍ତରିକ
ଧନ୍ୟବାଦ ଜଣାଉଛୁ।
ଅନୁବାଦ: ଓଡ଼ିଶାଲାଇଭ୍