ହିମାଚଳ ପ୍ରଦେଶର ଲାହାଉଲ୍ -ସ୍ପିଟି ଜିଲ୍ଲାର ଜଣେ କୃଷକ ଏବଂ ପଶୁପାଳକ ଚେରିଙ୍ଗ ଅଙ୍ଗଡୁଇ କହନ୍ତି ‘‘ପ୍ରାୟ ୩୦ ବର୍ଷ ତଳେ ସ୍ପିଟିରେ ପ୍ରବଳ ବରଫ ପଡ଼ୁଥିଲା। ଚାରିଆଡ଼ ଘଞ୍ଚ ସବୁଜିମାରେ ଭରି ରହିଥିଲା’’।
ଏହି 43 ବର୍ଷ ବୟସ୍କ ଜଣକ ସମୁଦ୍ର ପତ୍ତନଠାରୁ ୧୪,୫୦୦ ଫୁଟ ଉଚ୍ଚରେ ଅବସ୍ଥିତ ଲାଙ୍ଗଜା ଗ୍ରାମରେ ବାସ କରନ୍ତି ଏବଂ ଏଠାରେ ପ୍ରାୟ ୧୫୮ ଜଣ ବ୍ୟକ୍ତି ( ସେନସସ୍ ୨୦୧୧ ) ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୋଟ ଜାତିର, ଏହି ଜାତିକୁ ତାଙ୍କ ରାଜ୍ୟରେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ କରାଯାଇଛି। ଏହି ଗ୍ରାମର ବାସିନ୍ଦାମାନେ ବହୁଳ ଭାବରେ କୃଷି କାର୍ଯ୍ୟ, ପଶୁପାଳନ ଏବଂ ସ୍ପିଟିକୁ ଆସୁଥିବା ପର୍ଯ୍ୟଟକଙ୍କ ପରିଚାଳନା ମାଧ୍ୟମରେ ଜୀବିକା ଅର୍ଜନ କରିଥାନ୍ତି।
୨୦୨୧ ମସିହା ଜୁଲାଇ ଶେଷ ବେଳକୁ ଆମେ ଲାଙ୍ଗଜାର କେତେକ ପଶୁପାଳକଙ୍କ ସହ ଚେରିଙ୍ଗକୁ ଭେଟିଥିଲୁ। ସେମାନେ ତାଙ୍କର ଗାଈ, ମେଣ୍ଢା ଓ ଛେଳି ପଲକୁ ଅଡ଼ାଇ ନେଉଥିଲେ। ସେମାନେ କହିଲେ ଯେ ପଶୁମାନଙ୍କ ପାଇଁ ଘାସ ସନ୍ଧାନରେ ସେମାନେ ବହୁ ଦୂରରୁ ଆସିଛନ୍ତି।
ଚେରିଙ୍ଗ୍ କହିଲେ ‘‘ଏବେ ଏଠାରେ ପର୍ବତ ଉପରେ ଖୁବ୍ କମ୍ ବରଫ ପଡ଼ୁଛି। ବର୍ଷା ବି ଅଧିକ ହେଉନାହିଁ। ତେଣୁ ଆଉ ବିଶେଷ ଘାସ ବଢ଼ୁନାହିଁ’’। ‘‘ତେଣୁ ଆମକୁ ପଶୁମାନଙ୍କୁ ଘାସ ଚରିବା ପାଇଁ ଆହୁରି ଅଧିକ ଉଚ୍ଚ ସ୍ଥାନକୁ ନେବାକୁ ପଡ଼ୁଛି।’’
ସ୍ପିଟି ହିମାଚଳପ୍ରଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଅବସ୍ଥିତ। ଏହା ହେଉଛି ଏକାଧିକ ନଦୀର ଉଚ୍ଚ ଅକ୍ଷାଂଶରେ ରହିଥିବା ଉପତ୍ୟକା। ଏହି ଅଞ୍ଚଳର ପରିବେଶ ଏକ ଶୀତଳ ମରୁଭୂମି ପରି ହୋଇଥାଏ। ଏହି ପରିବେଶ ସାରା ଭାରତର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ - ବିଶେଷ କରି ଉତ୍ତପ୍ତ ଖରା ମାସ ସମୟରେ ଏଠାରେ ଭିଡ଼ ଜମିଥାଏ। ପର୍ଯ୍ୟଟକମାନେ ଏଠାରୁ ରାତିର ସ୍ପଷ୍ଟ ଆକାଶରେ ମିଲ୍କି ୱେ ଗ୍ୟାଲେକ୍ସିର ଝଲକ ମଧ୍ୟ ଦେଖିପାରନ୍ତି।
ଏହି ଫିଲ୍ମରେ ଦର୍ଶାଯାଇଥିବା ପଶୁଚରାଳିମାନଙ୍କର କାହାଣୀ ଆମକୁ କହିଥାଏ ଯେ ବରଫ ପଡ଼ିବା ଶୈଳୀରେ ବିଭ୍ରାଟ କିପରି ଭାବରେ ଚେରିଙ୍ଗ୍ ଏବଂ ତାଙ୍କର ସାଥୀ ପଶୁଚରାଳିମାନଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରିଛି।
‘‘ଆମେ [ଗ୍ରାମବାସୀବୃନ୍ଦ] ଭାବୁଛୁ ଯେ ଆଗାମୀ ବର୍ଷଗୁଡ଼ିକରେ ଏମିତି କିଛି ଘଟିବ ଏବଂ ଆମ ଛେଳି, ମେଣ୍ଢା ଲୋପ ପାଇଯିବେ କାରଣ ତାଙ୍କ ପାଇଁ ଖାଇବାକୁ ଘାସ ହିଁ ନଥିବ। ଆମେ ଘାସ କେଉଁଠାରୁ ଆଣିବୁ?’’ ସେ କହିଲା, ବେଳେ ତାଙ୍କ ମୁହଁରେ ଚିନ୍ତାର ରେଖା ଫୁଟି ଉଠୁଥାଏ।
ଅନୁବାଦ : ଓଡ଼ିଶାଲାଇଭ୍