୨୦୧୯ ମସିହାରେ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ତାଙ୍କ ଘରୁ ପାରୁକୁ ମାତ୍ର ୭ ବର୍ଷ ବୟସରେ ତା’ର ବାପା ମେଣ୍ଢା ଚରାଳି ଭାବରେ କାମ କରିବାକୁ ପଠାଇ ଦେଇଥିଲେ।

୩ ବର୍ଷ ପରେ ୨୦୨୨ ମସିହା ଅଗଷ୍ଟ ଶେଷ ଆଡ଼କୁ, ସେମାନେ ପାରୁକୁ ସଂଜ୍ଞାହୀନ ଅବସ୍ଥାରେ ତାଙ୍କ ଚାଳିଆ ବାହାରେ ଦେଖିଲେ। ତା’ ଦେହରେ କମ୍ବଳଟିଏ ଗୁଡ଼ା ହୋଇଥିଲା। ବେକରେ ଛୁରୀ ଭୁଷାଯିବାର ଚିହ୍ନ ରହିଥିଲା।

‘‘ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ କଥା ପଦେ କହି ପାରିନଥିଲା। ଆମେ କ’ଣ ହେଲା ବୋଲି ପଚାରିବାକୁ ଚେଷ୍ଟା କଲୁ କିନ୍ତୁ ସେ କହିପାରିନଥିଲା।’’ ଆଖିରୁ ଝରିଯାଉଥିବା ଲୁହ ପୋଛି ପୋଛି କହିଥିଲେ ପାରୁର ମା ସବିତାବାଇ। ‘‘ଆମେ ଭାବିଲୁ କେହି ତା’ ଉପରେ ଯାଦୁ ଟୋଣକା କରିଛନ୍ତି ତେଣୁ ଆମେ ପାଖରେ ଥିବାମୋରା ପାହାଡ଼ର ଏକ ମନ୍ଦିରକୁ ନେଇଗଲୁ (ମୁମ୍ବାଇ-ନାସିକ ହାଇୱେ ସମ୍ମୁଖରେ)। ପୂଜାରୀ ତା’ ଦେହରେ ବିଭୂତି (ପବିତ୍ର ପାଉଁଶ) ବୋଳିଦେଲେ। କାଳେ ତା’ର ଚେତା ଆସିବ ଆମେ ଅପେକ୍ଷା କରି ରହିଲୁ। କିନ୍ତୁ ତାହା ହେଲା ନାହିଁ,’’ ବୋଲି ସବିତାବାଇ ମନେ ପକାଇ କହିଥିଲେ। କିନ୍ତୁ ସେ ଆମ କୁଡ଼ିଆ ସାମ୍‌ନାରେ ମିଳିବାର ୫ ଦିନ ପରେ ସେପ୍ଟେମ୍ବର ୨, ୨୦୨୨ରେ ନାସିକ୍ ସହରର ସିଭିଲ୍ ହସ୍ପିଟାଲରେ ଦେହରେ ହୋଇଥିବା କ୍ଷତ ଯୋଗୁଁ ପାରୁ ମୃତ୍ୟୁବରଣ କଲା।

ପାରୁ ଗତ ୩ ବର୍ଷ ମଧ୍ୟରେ ଘରୁ ଯିବା ପରେ ମାତ୍ର ଥରେ ଘରକୁ ଫେରିଥିଲା। ତାକୁ କାମ କରିବାକୁ ନେଇଥିବା ମଧ୍ୟସ୍ଥି ଦେଢ଼ ବର୍ଷ ତଳେ ତାକୁ ଘରକୁ ଆଣିଥିଲା। ‘‘ସେ ସାତ ଆଠ ଦିନ ପାଇଁ ଘରେ ରହିଥିଲା। ଅଷ୍ଟମ ଦିନ ସେ ଆସି ପୁଣି ତାକୁ କାମକୁ ନେଇ ଯାଇଥିଲା।’’ ସବିତାବାଇ ପାରୁ ଅଚେତ ଅବସ୍ଥାରେ ମିଳିବା ପର ଦିନ ପୋଲିସ୍ ନିକଟରେ ଏହି ମଧ୍ୟସ୍ଥି ବା ଦଲାଲ୍ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।

PHOTO • Mamta Pared
PHOTO • Mamta Pared

ବାମ: ସ୍ୱର୍ଗତ ପାରୁର ଘର ଏବେ ଖାଲି ପଡ଼ିଛି; ତା’ର ପରିବାର କାମ ଖୋଜିବା ପାଇଁ ବାହାରକୁ ଚାଲି ଯାଇଛନ୍ତି। ଡାହାଣ: ହାଇୱେ ନିକଟରେ କଟକରି ସମ୍ପ୍ରଦାୟର ଘରଗୁଡ଼ିକ

ନାସିକ୍ ଜିଲ୍ଲାରେ ଘାଟି ପୋଲିସ୍ ଷ୍ଟେସନରେ ସେହି ଲୋକ ଜଣକ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା। ବନ୍ଧୁଆ ଶ୍ରମିକମାନଙ୍କୁ ମୁକ୍ତ କରିବାରେ ସାହାଯ୍ୟ କରୁଥିବା ଅନୁଷ୍ଠାନ ଶ୍ରମଜୀବୀ ସଙ୍ଗଠନର ସଭାପତି ସଞ୍ଜୟ ସିନ୍ଧେ କହନ୍ତି ‘‘ପରେ ତାଙ୍କୁ ହତ୍ୟା ଅପରାଧରେ ଗିରଫ କରାଯାଇଥିଲା ଓ ବେଲ୍‌ରେ ଛାଡ଼ି ଦିଆଯାଇଥିଲା।’’ ସେପ୍ଟେମ୍ବର ମାସରେ ବନ୍ଧୁଆ ଶ୍ରମିକ ବ୍ୟବସ୍ଥା (ଉଚ୍ଛେଦ) ଆଇନ ଅଧୀନରେ ଏକ ଅଭିଯୋଗ ଅହମ୍ମଦନଗରର ୪ ଜଣ ମେଷପାଳକଙ୍କ ବିରୋଧରେ (ପାରୁ ମେଣ୍ଢା ଚଳାଉଥିବା ଜିଲ୍ଲାରେ) ଦାଖଲ କରାଯାଇଥିଲା।

ସବିତାବାଇ ମନେ ପକାଇଥିଲେ ଯେ ଯେଉଁ ଦିନ ମଧ୍ୟସ୍ଥିଜଣକ ତାଙ୍କ ବସ୍ତିକୁ ଆସିଥିଲା - ମୁମ୍ବାଇ-ନାସିକ ହାଇୱେ ନିକଟରେ ଅବସ୍ଥିତ କଟକରି ଆଦିବାସୀଙ୍କ ବସ୍ତିରେ ପହଞ୍ଚିଥିଲା। ସେ କହିଥିଲେ ‘‘ମୋ ସ୍ୱାମୀକୁ ମଦ ପିଆଇଥିଲା, ତାକୁ ୩୦୦୦ ଟଙ୍କା ଦେଇଥିଲା ଓ ପାରୁକୁ ସାଙ୍ଗରେ ନେଇ ଯାଇଥିଲା।’’

ସବିତାବାଇ କ୍ଷୋଭଭରା କଣ୍ଠରେ କହିଥିଲେ ‘‘ଯେଉଁ ବୟସରେ ସେ ସିଲଟଖଡ଼ି ଧରି ଲେଖି ଶିଖିବା କଥା ତାକୁ ଖୋଲା ପଡ଼ିଆରେ ଦୀର୍ଘ ଦୂର ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡ଼ୁଥିଲା ଖରାରେ ତରାରେ ବୁଲି କାମ କରିବାକୁ ପଡ଼ୁଥିଲା। ସେ ୩ ବର୍ଷ ପର୍ଯ୍ୟନ୍ତ ବନ୍ଧୁଆ ଶିଶୁ ଶ୍ରମିକ ଭାବରେ କାମ କରିଥିଲା’’।

ପାରୁର ଭାଇ, ମୋହନକୁ ମଧ୍ୟ ୭ ବର୍ଷ ବୟସରେ କାମ କରିବାକୁ ପଠାଇଥିଲା। ତା’ ବାପା ମଧ୍ୟ ସେହି ଲୋକଠାରୁ ୩୦୦୦ ଟଙ୍କା ନେଇଥିଲେ। ଏବେ ମୋହନର ବୟସ ୧୦ ବର୍ଷ ଏବଂ ମୋହନ ମଧ୍ୟ ଯେଉଁ ମେଷପାଳକଙ୍କ ସହ କାର୍ଯ୍ୟ କରୁଥିଲା ତା’ର ଅନୁଭୂତି ବର୍ଣ୍ଣନା କରି କହିଥିଲା। ସେ କହିଥିଲା ‘‘ମୁଁ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଛେଳି ଓ ମେଣ୍ଢା ଚରାଇବାକୁ ନିଏ। ମୁଁ ୫୦ରୁ ୬୦ ମେଣ୍ଢା, ୫ରୁ ୬ଟି ଛେଳି ଓ ଅନ୍ୟାନ୍ୟ ପଶୁଙ୍କୁ ଚରାଇବାକୁ ନେଇଥାଏ।’’ ବର୍ଷରେ ଥରେ ମେଷପାଳକ ମୋହନକୁ ଗୋଟେ ସାର୍ଟ, ଗୋଟେ ଫୁଲ ପ୍ୟାଣ୍ଟ, ଗୋଟେ ହାଫ୍ ପ୍ୟାଣ୍ଟ, ଗୋଟେ ରୁମାଲ୍ ଓ ହଳେ ଚପଲ କିଣି ଦିଅନ୍ତି। ବାସ୍ ସେତିକି। ବେଳେ ବେଳେ ପିଲାଟିକୁ କିଛି କିଣି ଖାଇବା ପାଇଁ ୫, ୧୦ ଟଙ୍କା ଦେଇଥାନ୍ତି। ‘‘ମୁଁ କାମ ନ କଲେ ସେଠ୍ (ମେଣ୍ଢା ମାଲିକ) ମୋତେ ମାଡ଼ ଦିଅନ୍ତି। ମୁଁ ବହୁଥର ତାଙ୍କୁ ମୋତେ ଘରକୁ ପଠାଇବାକୁ କହେ। ସେ କହନ୍ତି ‘‘ମୁଁ ତୋ ବାପାକୁ କଲ୍ କରି କହିବି’’, କିନ୍ତୁ କେବେ ବି ବାପାଙ୍କୁ କହନ୍ତି ନାହିଁ।

ଭଉଣୀ ପାରୁ ପରି, ମୋହନ ମଧ୍ୟ ୩ ବର୍ଷରେ ଥରେ ଘରକୁ ଆସିଥାଏ। ‘‘ମାଆ ସବିତାବାଇ କହିଲେ। ଯେତେବେଳେ ସେ ପର ଥର ତାଙ୍କ ପିଲାଙ୍କୁ ଦେଖିଲେ ପିଲାମାନେ ତାଙ୍କ ଭାଷା କହିବା ଭୁଲି ଯାଇଥିଲେ’’। ‘‘ସେ ଆମକୁ ଚିହ୍ନି ପାରିନଥିଲା।’’

PHOTO • Mamta Pared

ମୁମ୍ବାଇ-ନାସିକ୍ ହାଇୱେ ନିକଟରେ ଅବସ୍ଥିତ ବସ୍ତି ରିମାବାଇ ଓ ତାଙ୍କ ସ୍ୱାମୀ

PHOTO • Mamta Pared
PHOTO • Mamta Pared

ରିମାବାଇଙ୍କ ପରି କଟକରି ଆଦିବାସୀମାନେ ଇଟାଭାଟି ଓ ନିର୍ମାଣ ସ୍ଥଳରେ କାମ ଖୋଜିବା ପାଇଁ ସାଧାରଣତଃ ଅନ୍ୟ ସ୍ଥାନକୁ ଯାଇଥାନ୍ତି

‘‘ମୋ ପରିବାରରେ କାହା ପାଇଁ କିଛି କାମ ନଥିଲା ଏବଂ ଖାଇବାକୁ ଘରେ କିଛି ନଥିଲା। ତେଣୁ ଆମେ ପିଲାମାନଙ୍କୁ କାମକୁ ପଠାଇ ଦେଲୁ’’, ରିମାବାଇ ବୁଝାଇ କହିଥିଲେ, ଯେ କି କଟକରି ବସ୍ତିରେ ରହନ୍ତି। ରିମାବାଇଙ୍କର ଦୁଇ ପୁଅ ମଧ୍ୟ ମେଣ୍ଢା ଚରାଇବା କାମ କରିବାକୁ ବାହାରକୁ ଯାଇଥିଲେ। ‘‘ଆମେ ଭାବିଲୁ ସେମାନେ କାମ କରିବେ ଓ ପେଟଭରି ଦୁଇ ମୁଠା ଖାଇବାକୁ ପାଇବେ।’’

ଜଣେ ମଧ୍ୟସ୍ଥି ରିମାବାଇଙ୍କ ଘରୁ ପିଲାମାନଙ୍କୁ ନେଇଥିଲା ଏବଂ ତାଙ୍କୁ ଅହମ୍ମଦନଗର ଜିଲ୍ଲାରେ ପାର୍ନେର ଜିଲ୍ଲାର ଜଣେ ମେଣ୍ଢା ଚରାଳିଙ୍କ ପାଖରେ ରଖିଥିଲା। ଉଭୟ ପାର୍ଶ୍ୱରେ ଟଙ୍କା କାରବାର ହୋଇଥିଲା- ମଧ୍ୟସ୍ଥି ପିଲାମାନଙ୍କୁ କାମ କରାଇବା ପାଇଁ ବାପମାଆଙ୍କୁ ପଇସା ଦେଇଥିଲା ଏବଂ ଏହି ପିଲାଙ୍କୁ ଆଣିବା ପାଇଁ ମଧ୍ୟସ୍ଥିକୁ ମେଣ୍ଢା ମାଲିକ ପଇସା ଦେଇଥିଲେ। କେତେକ ଘଟଣାରେ ଛେଳି ବା ମେଣ୍ଢା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥାଏ।

ରିମାବାଇଙ୍କର ପୁଅ ଆଗାମୀ ୩ ବର୍ଷ ପାଇଁ ପାର୍ନେରରେ ରହିଥିଲେ। ସେ ମେଣ୍ଢା ଚରାଇବା ସହ ସେମାନଙ୍କୁ ଖାଇବାକୁ ଦେଉଥିଲେ, କୂଅରୁ ପାଣି ଆଣୁଥିଲେ, ଲୁଗାପଟା ଧୋଉଥିଲେ ଏବଂ ଗୁହାଳ ପରିଷ୍କାର କରୁଥିଲେ। ସେମାନଙ୍କୁ କେବଳ ଥରେ ଘରକୁ ଯିବାକୁ ଅନୁମତି ଦିଆଯାଉଥିଲା।

ସାନପୁଅ ଏକନାଥ କହିଲେ ଯେ ଯଦି ସେ ସକାଳୁ ଉଠି ପାରୁନଥିଲେ ତାଙ୍କୁ ମାଡ଼ ଦିଆଯାଉଥିଲା ଏବଂ ସକାଳ ୫ଟାରୁ ଉଠି କାମକୁ ଯିବାକୁ ପଡ଼ୁଥିଲା। ସେ ପରିକୁ ଆହୁରି ମଧ୍ୟ କହିଥିଲା ‘‘ସେଠ୍ ମତେ ଅଭଦ୍ର ଭାଷାରେ ଗାଳି କରିବା ସହ ଗୋଡ଼କୁ ଏବଂ ପିଠିକୁ ଗୋଇଠା ମାରୁଥିଲା। ଆମକୁ ଭୋକରେ ରଖୁଥିଲା । ଯଦି ଆମେ ଚରାଉଥିବା ମେଣ୍ଢାମାନେ ଜମିକୁ ପଶି ଯାଉଥିଲେ ତେବେ ଉଭୟେ ଚାଷୀ ଓ (ମେଣ୍ଢା) ମାଲିକ ଉଭୟ ଆମକୁ ବାଡ଼ୋଉଥିଲେ। ଆମକୁ ରାତିରେ ଅନ୍ଧାର ହେବା ଯାଏଁ କାମ କରିବାକୁ ପଡ଼ୁଥିଲା।’’ ଥରେ ଏକନାଥର ବାମ ହାତ ଓ ଗୋଡ଼କୁ କୁକୁର କାମୁଡ଼ି ଦେଇଥିଲା, କିନ୍ତୁ ତାକୁ କୌଣସି ଚିକିତ୍ସା ଦିଆଯାଇନଥିଲା ଏବଂ ପଶୁ ଚରାଇବା ପାଇଁ ବାଧ୍ୟ କରାଯାଇଥିଲା।

ଉଭୟ ରିମାବାଇ ଓ ସବିତାବାଇଙ୍କ ପରିବାର କଟକରି ଆଦିବାସୀ ସମ୍ପ୍ରଦାୟର, ସେମାନେ ହେଉଛନ୍ତି ମହାରାଷ୍ଟ୍ରର ଏକ ନିର୍ଦ୍ଦିଷ୍ଟ ବିରଳ ଆଦିବାସୀ ଜାତି। ସେମାନଙ୍କର ନିଜର କୌଣସି ଜମି ନାହିଁ ଓ ସେମାନେ ମୂଲ ମଜୁରି କରି ନିଜର ଜୀବିକା ନିର୍ବାହ କରନ୍ତି, ମୂଲ ମଜୁରୀ ନ ମିଳିଲେ କାମ ସନ୍ଧାନରେ ପ୍ରବାସକୁ ଯାଆନ୍ତି - ଅଧିକାଂଶ ସମୟରେ ସେମାନେ ମୁଖ୍ୟତଃ ଇଟାଭାଟିରେ ଓ ନିର୍ମାଣସ୍ଥଳୀରେ କାମ କରିଥାନ୍ତି। ପରିବାରର ପେଟ ପୋଷିବା ପାଇଁ ଯଥେଷ୍ଟ ଆୟ ନଥିବାରୁ ସେମାନେ ବାଧ୍ୟ ହୋଇ ପିଲାମାନଙ୍କୁ ମେଣ୍ଢା ଚରାଇବା ପାଇଁ ଅର୍ଦ୍ଧ ଯାଯାବର ଡଙ୍ଗର ସମ୍ପ୍ରଦାୟର ମେଷ ପାଳକମାନଙ୍କ ପାଖକୁ ପଠାଇ ଦେଇଥାନ୍ତି।

PHOTO • Mamta Pared
PHOTO • Mamta Pared

ବାମ: ନାସିକର ସିଭିଲ୍ ହସ୍ପିଟାଲର ବାହାରେ ବାପାମାଆମାନେ ଅପେକ୍ଷା କରିଛନ୍ତି। ଡାହାଣ: ପୋଲିସ୍ ଉଦ୍ଧାର ହୋଇଥିବା ବନ୍ଧୁଆ ଶ୍ରମିକଙ୍କ ବୟାନ ରେକର୍ଡ କରୁଛି

୧୦ ବର୍ଷ ବୟସର ପାରୁର ଦୁଃଖଦ ମୃତ୍ୟୁ ଏହି ଅଞ୍ଚଳର ଶିଶୁ ଶ୍ରମିକ ଘଟଣାଗୁଡ଼ିକୁ ଲୋକଲୋଚନକୁ ଆଣିଥିଲା ଏବଂ ୪୨ ଜଣ ପିଲାଙ୍କୁ ସେପ୍ଟେମ୍ବର ୨୦୨୨ ମସିହାରେ ନାସିକ୍ ଜିଲ୍ଲାର ଡିଣ୍ଡୋରି ବ୍ଲକର ସଙ୍ଗମନର୍‌ ଗ୍ରାମରୁ ଉଦ୍ଧାର କରାଯାଇଥିଲା। ଶ୍ରମଜୀବୀ ସଙ୍ଗଠନ ଦ୍ୱାରା ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ନାସିକ୍ ଜିଲ୍ଲାର ଇଗତପୁରୀ ଏବଂ ତ୍ରୈମ୍ବକେଶ୍ୱର ବ୍ଲକରୁ, ଅହମ୍ମଦନଗର ଜିଲ୍ଲାର ଆକୋଲା ବ୍ଲକରୁ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା। ସଞ୍ଜୟ ସିଦ୍ଧେ କହିଥିଲେ ଏହି ପିଲାମାନଙ୍କୁ ଟଙ୍କା ବଦଳରେ ମେଣ୍ଢା ଚରାଇବା ପାଇଁ ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ପାରୁର ଭାଇ ମୋହନ ଏବଂ ତାଙ୍କର ପଡୋଶୀ ଏକନାଥ ସହିତ ଏହି ବସ୍ତିର ମୋଟ ୧୩ ଜଣ ପିଲା ଥିଲେ।

ଏହି ବସ୍ତିରେ ୨୬ଟି କଟକରି ପରିବାର ରହିଛନ୍ତି। ଏହା ଘୋଟି ନିକଟରେ ଅବସ୍ଥିତ। ସେମାନେ ୩୦ ବର୍ଷ ହେଲା ଏଠାରେ ରହି ଆସୁଛନ୍ତି। ତାଙ୍କର ଚାଳ ବା ଜରି ଛପର ଘର ରହିଛି, ଦୁଇ ବା ଅଧିକ ପରିବାର ଗୋଟିଏ ଚାଳିଆରେ ରହନ୍ତି। ସବିତାବାଇଙ୍କ କୁଡ଼ିଆରେ କବାଟ ନାହିଁ କି ଇଲେକ୍ଟ୍ରିସିଟି ନାହିଁ।

ମୁମ୍ବାଇ ବିଶ୍ୱବିଦ୍ୟାଳୟର ଅର୍ଥନୀତିର ପ୍ରଫେସର ଡାକ୍ତର ନିରଜ ହଟେକର କହନ୍ତି ‘‘ପ୍ରାୟ ୯୮% କଟକରି ପରିବାର ଭୂମିହୀନ ଅଟନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଜାତି ପ୍ରମାଣପତ୍ର ପରି ଆବଶ୍ୟକ ଦଲିଲ ମଧ୍ୟ ନାହିଁ।’’ ‘‘ନିଯୁକ୍ତି ସୁଯୋଗର ଘୋର ଅଭାବ ରହିଛି ତେଣୁ ସମଗ୍ର ପରିବାର ଇଟାଭାଟି, ମାଛ ଚାଷ, ଅଳିଆ ଗୋଟାଇବା ଓ ଏହିପରି ଛୋଟ ମୋଟ କାମ ଖୋଜିବା ପାଇଁ ଘର ଛାଡ଼ି ଅନ୍ୟ ସ୍ଥାନକୁ ଚାଲି ଯାଇଥାନ୍ତି।’’

PHOTO • Mamta Pared
PHOTO • Mamta Pared

ଉଦ୍ଧାର ହୋଇଥିବା ପିଲାମାନଙ୍କ ସହିତ ସୁନିଲ ୱାଘ (କଳା ସାର୍ଟ ପିନ୍ଧିଛନ୍ତି), ଏବଂ (ଡାହାଣ) ଇଗତପୁରୀ ତହସିଲଦାରଙ୍କ କାର୍ଯ୍ୟାଳୟର ବାହ୍ୟ ସ୍ଥଳ

୨୦୨୧ ମସିହାରେ ଡକ୍ଟର ହାଟେକର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଏକ ସର୍ବେକ୍ଷଣର ନେତୃତ୍ୱ ନେଇ ମହାରାଷ୍ଟ୍ରର କଟକରି ସମ୍ପ୍ରଦାୟର ସାମାଜିକ -ଆର୍ଥିକ ଅବସ୍ଥାର ଅଧ୍ୟୟନ କରିଥିଲେ। ଏହି ଦଳ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ମଧ୍ୟରୁ ମାତ୍ର ୩%ଙ୍କ ପାଖରେ ଜାତି ପ୍ରମାଣପତ୍ର ରହିଛି ଏବଂ ଅଧିକାଂଶଙ୍କ ପାଖରେ ଆଧାର କାର୍ଡ କିମ୍ବା ରେସନ୍ କାର୍ଡ ନାହିଁ। ହାଟେକର କହନ୍ତି ‘‘ଏହି କଟକରିମାନେ (ସରକାରୀ) ଗୃହନିର୍ମାଣ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବା ଉଚିତ୍। ସରକାର ସେମାନେ ବାସ କରୁଥିବା ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରିବା ପାଇଁ କାମ କରିବା ଉଚିତ୍’’।

*****

ଏବେ ପୁଅକୁ ଫେରି ପାଇବା ପରେ, ରିମାବାଇଙ୍କର ଇଚ୍ଛା ପୁଅ ସ୍କୁଲ ଯାଉ। ଶ୍ରମଜୀବୀ ସଙ୍ଗଠନର ଜିଲ୍ଲା ସଚିବ ସୁନିଲ ୱାଘଙ୍କୁ ଦେଖାଇ ସେ କହିଲେ ‘‘ଏପର୍ଯ୍ୟନ୍ତ ଆମକୁ ରେସନ୍ କାର୍ଡ ମିଳିନଥିଲା। ଆମେ ସେଗୁଡ଼ିକ କ’ଣ ଜାଣିନଥିଲୁ। କିନ୍ତୁ ଏହି ପିଲାମାନେ ଶିକ୍ଷିତ। ସେମାନେ ଆମ ପାଇଁ ଏବେ ଆଣି ଦେଇଛନ୍ତି।’’ ଉଦ୍ଧାର ଦଳ ସହିତ ସାମିଲ୍ ହୋଇ ସୁନିଲ ଏହି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ସୁନିଲ ମଧ୍ୟ ଏହି କଟକରି ସମ୍ପ୍ରଦାୟର ଅଟନ୍ତି। ସେ ତାଙ୍କ ଜାତିର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ବିଶେଷ ଆଗ୍ରହୀ।

ପାରୁ ମୃତ୍ୟୁ ପରଦିନ ସବିତାବାଇଙ୍କୁ ଭେଟିଲା ବେଳେ ସବିତାବାଇ କହିଥିଲେ ‘‘ପାରୁର ଆତ୍ମା ପାଇଁ ମୋତେ ଖାଦ୍ୟ ପ୍ରଦାନ କରିବାକୁ ହେବ... ମୋତେ ରାନ୍ଧିବାକୁ ହେବ,’’। ସେତେବେଳେ ସେ ତାଙ୍କ ଚାଳିଆ ବାହାରେ ପଥର ରଖି ଉଠାଚୁଲିରେ କାଠ ଜାଳି ନିଆଁ ଧରାଉଥିଲେ। ସେ ଗୋଟିଏ ବାସନରେ ଦି ମୁଠା ଚାଉଳ ପକାଇ ମୃତ ଝିଅ, ପରିବାରର ଅନ୍ୟ ୩ ପିଲା ଓ ସ୍ୱାମୀଙ୍କ ପାଇଁ ଭାତ ରାନ୍ଧୁଥିଲେ। ଘରେ ସମୁଦାୟ ସେତିକି ଚାଉଳ ଥିଲା। ସେ ଚାହିଁ ବସିଥିଲେ ଯେ ଯଦି ସ୍ୱାମୀ ଆଉ ପର ଜମିରେ କାମ କରି ଟଙ୍କା ୨୦୦ ଆଣିବେ ତେବେ ଭାତ ସହିତ ଆଉ କିଛି ଖାଇବାକୁ ମିଳିବ।

ଗୋପନୀୟତାର ସୁରକ୍ଷା ପାଇଁ ପିଲା ଓ ପିତାମାତାଙ୍କ ନାମ ବଦଳାଇ ଦିଆଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Mamta Pared

ممتا پارید (۲۰۲۲-۱۹۹۸) ایک صحافی اور ۲۰۱۸ کی پاری انٹرن تھیں۔ انہوں نے پونہ کے آباصاحب گروارے کالج سے صحافت اور ذرائع ابلاغ میں ماسٹر کی ڈگری حاصل کی تھی۔ وہ آدیواسیوں کی زندگی، خاص کر اپنی وارلی برادری، ان کے معاش اور جدوجہد سے متعلق رپورٹنگ کرتی تھیں۔

کے ذریعہ دیگر اسٹوریز Mamta Pared
Editor : S. Senthalir

ایس سینتلیر، پیپلز آرکائیو آف رورل انڈیا میں بطور رپورٹر اور اسسٹنٹ ایڈیٹر کام کر رہی ہیں۔ وہ سال ۲۰۲۰ کی پاری فیلو بھی رہ چکی ہیں۔

کے ذریعہ دیگر اسٹوریز S. Senthalir
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE