ପ୍ରତି ବର୍ଷ ତାଙ୍କ ଫସଲର କିଛି ଭାଗ ହରାଇ ଆସୁଛନ୍ତି ଲକ୍ଷ୍ମୀବାଇ କାଲେ। ଅତ୍ୟଧିକ ବର୍ଷା କିମ୍ବା ମରୁଡ଼ି କିମ୍ବା ଚାଷବାସରେ ଜ୍ଞାନକୌଶଳ ଉପଯୋଗର ଅଭାବ ଯୋଗୁଁ ନୁହେଁ। ୬୦ ବର୍ଷୀୟା ଲକ୍ଷ୍ମୀବାଇ କହିଲେ, “ଆମ ଫସଲ ଏହି କାରଣରୁ ନଷ୍ଟ ହୋଇଯାଏ ଯେ ଆମ ଜମିରେ ଗାଈଗୋରୁ ଚରିବାକୁ ଛାଡ଼ିବା ପାଇଁ ପଞ୍ଚାୟତ ଅନୁମତି ଦିଏ। କେତେଥର ଯେ କ୍ଷତି ଆମେ ସହିଛୁ, ମୁଁ ସେ ହିସାବ ଭୁଲିଗଲିଣି।”
ନାସିକ ଜିଲ୍ଲାର ମୋହାଡ଼ି ଗାଁର ଲକ୍ଷ୍ମୀବାଇ ଏବଂ ତାଙ୍କ ସ୍ୱାମୀ ବାମନ, ଗତ ତିନି ଦଶନ୍ଧି ହେଲା ଯେଉଁ ପାଞ୍ଚ ଏକର ଜମିକୁ ଚାଷ କରିଆସୁଛନ୍ତି, ତାହା ଗାଇରାନ– ଅର୍ଥାତ୍ ଗୋଚର ରୂପେ ବ୍ୟବହୃତ ସରକାରଙ୍କ ନିୟନ୍ତ୍ରଣାଧୀନ ଗ୍ରାମର ସର୍ବସାଧାରଣ ଜମିର ଅଂଶବିଶେଷ । ସେମାନେ ସେଥିରେ ହରଡ଼, ବାଜରା, ଯଅ ଓ ଧାନ ଚାଷ କରନ୍ତି । ସେ କହିଲେ, “ପଞ୍ଚାୟତ ସଦସ୍ୟମାନେ କହିଲେ କି ଆମେ ଯଦି ଜମିରେ ଗାଁ ଲୋକଙ୍କ ଗୋରୁଗାଈ ଚରିବାକୁ ନ ଛାଡ଼ିବୁ, ତେବେ ସେମାନେ ଆମ ବିରୋଧରେ ମକଦ୍ଦମା କରିବେ ।”
ଲକ୍ଷ୍ମୀବାଇ ଏବଂ ଡିଣ୍ଡୋରି ତାଲୁକା ଅନ୍ତର୍ଗତ ତାଙ୍କ ଗାଁର ଅନ୍ୟ କୃଷକମାନେ ଜମି ଉପରେ ଅଧିକାର ପାଇଁ ୧୯୯୨ରୁ ସଂଘର୍ଷ ଚଳାଇ ଆସିଛନ୍ତି । ସେ କହିଲେ, ‘‘ଏହି ଜମି ଚାଷ କରିବାରେ ମୁଁ (ଆମ ପରିବାରର) ହେଉଛି ତୃତୀୟ ପିଢ଼ି, ହେଲେ ଏ ପର୍ଯ୍ୟନ୍ତ ଆମେ ଏହାର ମାଲିକ ହୋଇପାରିନାହୁଁ । ୨୦୦୨ରେ ଆମେ ଜମି ଉପରେ ଅଧିକାର ପାଇଁ ସତ୍ୟାଗ୍ରହ ଏବଂ ଏକ ଜେଲ୍ ଭରୋ ଆନ୍ଦୋଳନ କରିଥିଲୁ ।” ସେଦିନର କଥା ମନେ ପକାଇ ସେ କହନ୍ତି ଯେ, ସେ ସମୟରେ ଅଧିକାଂଶ ମହିଳାଙ୍କ ସମେତ ପ୍ରାୟ ୧,୫୦୦ କୃଷକ, ନାସିକ ଜେଲ୍ରେ ୧୭ ଦିନ ବିତାଇଥିଲେ ।
ମହାରାଷ୍ଟ୍ରରେ ‘ଅନ୍ୟାନ୍ୟ ପଛୁଆ ବର୍ଗ’ ରୂପେ ତାଲିକାଭୁକ୍ତ ଲୋହାର ଜାତିର ଲକ୍ଷ୍ମୀବାଇଙ୍କ ପାଖରେ କୌଣସି ଜମିର ମାଲିକାନା ନଥିବାରୁ ଫସଲହାନି ସଂପର୍କିତ କୌଣସି ଯୋଜନାରେ ତାଙ୍କୁ ସହାୟତା ମିଳେନାହିଁ । ସେ କହିଲେ, “ଜମି ଆମ ନାଁରେ ନାହିଁ ବୋଲି ଆମକୁ (ଫସଲ) ଋଣ କି ବୀମା ସୁବିଧା ମିଳେନାହିଁ ।” ତେଣୁ ଅଧିକ ରୋଜଗାର କରି ଫସଲର କ୍ଷତିଭରଣା କରିବା ଲାଗି ସେ ଜଣେ କୃଷି ଶ୍ରମିକ ରୂପେ, ବେଳେବେଳେ ଦିନକୁ ଦୁଇଟି ଆଠ ଘଣ୍ଟିଆ ସିଫ୍ଟରେ, କାମ କରନ୍ତି ।
ଜଣେ ଭିଲ ଆଦିବାସୀ ସଂପ୍ରଦାୟର ଶ୍ରମିକ ୫୫ ବର୍ଷୀୟା ବିଜାବାଇ ଗଙ୍ଗୁର୍ଡେଙ୍କ ଅବସ୍ଥା ବି ଏକାଭଳି । ମୋହାଡ଼ିରେ ଥିବା ତାଙ୍କ ଜମି ଚାଷ କରିଯାହା କିଛି ମିଳେ, ସେଥିରେ ସେଚଳି ପାରିବେନି । ବିଜାବାଇ କହିଲେ, “ମୋ ନିଜର ଦୁଇ ଏକର ଜମିରେ ଆଠ ଘଣ୍ଟା କାମ କରିବା ପରେ ମୁଁ (ଅନ୍ୟ କାହାରି ଜମିରେ) କୃଷି ଶ୍ରମିକ ଭାବରେ ଆଉ ଆଠ ଘଣ୍ଟା କାମ କରେ ।” ସକାଳ ୭ଟାରୁ ଆରମ୍ଭ ହେଉଥିବା ତାଙ୍କ ଦିନଗୁଡ଼ିକ ଦୁଇଟି ଶିଫ୍ଟରେ ଭାଗ ହୋଇଥାଏ ।
ସେ ଆହୁରି କହିଲେ, “କିନ୍ତୁ ମୁଁ କେବେହେଲେ ସାହୁକାରଙ୍କ ପାଖରୁ ଋଣ କରେ ନାହିଁ । ସାହୁକାରମାନେ ୧୦୦ ଟଙ୍କାର ଋଣ ଉପରେ ୧୦ ଟଙ୍କା ସୁଧ ନିଅନ୍ତି ଏବଂ ମାସ ଶେଷ ସୁଦ୍ଧା ଏହା ଶୁଝିବାକୁ ହୁଏ ।” ଲକ୍ଷ୍ମୀବାଇ ମଧ୍ୟ ଘରୋଇ ଋଣଦାତାଙ୍କଠାରୁ ଦୂରେଇ ରହନ୍ତି । ସେ କହିଲେ, “ଆଖପାଖ ଗାଁରେ ବିଧବାମାନଙ୍କୁ ସାହୁକାରମାନେ ହଇରାଣ କରିଛନ୍ତି ।”
ମୋହାଡ଼ି ଗାଁର ମହିଳାଙ୍କ ପାଇଁ ଅର୍ଥ ଉପାର୍ଜନ ଖୁବ୍ କଷ୍ଟକର । ପୁରୁଷମାନଙ୍କ ତୁଳନାରେ ସେମାନଙ୍କ ମଜୁରି କମ୍ । ଆଠ ଘଣ୍ଟାର କାମ ପାଇଁ ସେମାନଙ୍କୁ ୧୫୦ ଟଙ୍କା ମିଳୁଥିବା ବେଳେ ସେଇ ସମାନ କାମ ପାଇଁ ପୁରୁଷମାନଙ୍କୁ ୨୫୦ ଟଙ୍କା ମିଳେ । “ଆଜି ମଧ୍ୟ ଅଧିକ କାମ କଲେ ବି ମହିଳାମାନଙ୍କୁ ପୁରୁଷମାନଙ୍କଠାରୁ କମ୍ ମଜୁରି ଦିଆଯାଏ । ଏହି (ନୂତନ କୃଷି) ଆଇନଗୁଡ଼ିକ ମହିଳା କୃଷକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସରକାର କାହିଁକି ଭାବୁଛନ୍ତି ?” ଲକ୍ଷ୍ମୀବାଇ ପଚାରନ୍ତି ।
ଏହି ନୂତନ କୃଷି ଆଇନଗୁଡ଼ିକ ବିରୋଧରେ ପ୍ରତିବାଦ ନିମନ୍ତେ ସଂଯୁକ୍ତ ଶେତକାରୀ କାମଗାର ମୋର୍ଟ୍ଟା ପକ୍ଷରୁ ଜାନୁଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ଧାରଣାରେ ଯୋଗ ଦେବା ଲାଗି ଲକ୍ଷ୍ମୀବାଇ ଓ ବିଜାବାଇ ଆସିଛନ୍ତି ।
ଜାନୁଆରୀ ୨୩ ତାରିଖ ଦିନ ନାସିକ ଓ ଆଖପାଖ ଜିଲ୍ଲାର ୧୫,୦୦୦ରୁ ଅଧିକ ଚାଷୀ ଟେମ୍ପୋ, ଜୀପ ଏବଂ ପିକ୍-ଅପ୍ ଟ୍ରକ୍ରେ ଆସି ପରଦିନ ମୁମ୍ବାଇରେ ପହଞ୍ଚିଲେ । ମଇଦାନରେ, ସେମାନେ ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇଲେ ଏବଂ ଜମି ଉପରେ ସେମାନଙ୍କ ଅଧିକାର ବି ଦାବି କଲେ । ପ୍ରତିବାଦର ପ୍ରତୀକାତ୍ମକ ଭଙ୍ଗୀରେ ହାତମୁଠା ଉପରକୁ ଉଠାଇ ଲକ୍ଷ୍ମୀବାଇ କହିଲେ, “ଆମେ ସରକାରଙ୍କୁ ଡରୁନାହିଁ । ଆମେ (୨୦୧୮ରେ) ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ପଦଯାତ୍ରାରେ ଆମେ ଭାଗ ନେଇଥିଲୁ, ଆମେ ଦିଲ୍ଲୀ ବି ଯାଇଥିଲୁ ଏବଂ ନାସିକ ଓ ମୁମ୍ବାଇରେ ତ ଦୁଇ ଡଜନରୁ ଅଧିକ ଥର ପ୍ରତିବାଦ କରିଛୁ ।
କୃଷକମାନେ ଯେଉଁ ତିନିଟି ନୂତନ ଆଇନର ପ୍ରତିବାଦ କରୁଛନ୍ତି ସେଗୁଡ଼ିକ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ, ୨୦୨୦ ; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ । କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍ ୫ ତାରିଖ ଦିନ ଏହି ଆଇନଗୁଡ଼ିକୁ ଅଧ୍ୟାଦେଶ ରୂପରେ ଜାରି କଲେ, ତା’ ପରେ ସେପ୍ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ କୃଷି ବିଲ୍ ରୂପରେ ଉପସ୍ଥାପନ କରିବା ପରେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ ।
କୃଷକମାନଙ୍କ ଦୃଷ୍ଟିରେ ଏହି ଆଇନଗୁଡ଼ିକ ଲାଗୁ ହେଲେ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀର କ୍ଷମତା ପ୍ରୟୋଗର ପରିସର ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସେମାନଙ୍କ ଜୀବିକାକୁ ବିପର୍ଯ୍ୟସ୍ତ କରିଦେବ । ଏହି କମ୍ପାନୀଗୁଡ଼ିକ, ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (MSP), କୃଷିଜାତ ସାମଗ୍ରୀ ବିପଣନ କମିଟି (APMC), ରାଜ୍ୟ ସରକାରଙ୍କ ଦ୍ୱାରା ଫସଲ କ୍ରୟ ସମେତକୃଷକଙ୍କ ପାଇଁ ରହିଥିବା ବିଭିନ୍ନ ପ୍ରମୁଖ ସହଯୋଗ ବ୍ୟବସ୍ଥାକୁ ଏଡ଼ାଇ ଯିବେ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକମାନଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।
ବେସରକାରୀ ସଂସ୍ଥାମାନେ କୃଷି ଉତ୍ପାଦକୁ ନ୍ୟୂନତମ ସମର୍ଥନ ମୂଲ୍ୟଠାରୁ କମ୍ ଦରରେ କିଣିଲେ, ଏହା ଦ୍ୱାରା ଉଭୟ କୃଷକ ଓ କୃଷି ଶ୍ରମିକ ପ୍ରଭାବିତ ହୁଅନ୍ତି ବୋଲି ଲକ୍ଷ୍ମୀବାଇ କହିଲେ । “ଜଣେ ଚାଷୀ ଭଲ ଦାମରେ ଫସଲ ବିକିଲେ ହିଁ ସେ ଭଲ ରୋଜଗାର କରିବେ ଏବଂ ଶ୍ରମିକମାନଙ୍କୁ ପାଉଣା ଦେବେ ।” ଏହି ଆଇନଗୁଡ଼ିକ ସଂପର୍କରେ କଥା ଆଗକୁ ବଢ଼ାଇ ସେ କହିଲେ, “ବଜାରରେ ଅଧିକ ଘରୋଇ ସଂସ୍ଥା ଦେଖାଦେବେ । ଆମ୍ହି ଭାବ କରୁ ଶକଣାର ନାହି (ଆମେ ମୂଲଚାଲ କରିବାରେ ସକ୍ଷମ ହେବୁନାହିଁ )।”
ଆଜାଦ ମଇଦାନ ପ୍ରତିବାଦ ସ୍ଥଳରେ, ଡିଣ୍ଡୋରି ତାଲୁକା ଅନ୍ତର୍ଗତ କୋରହାଟେ ଗାଁର ୩୮ ବର୍ଷୀୟା ସୁବର୍ଣ୍ଣା ଗଙ୍ଗୁର୍ଡେ ଏ କଥାରେ ସମ୍ମତି ପ୍ରକାଶ କଲେ ଯେ ଏହି ଆଇନଗୁଡ଼ିକ ଯୋଗୁଁ ମହିଳାମାନେ ହିଁ ସବୁଠାରୁ ଅଧିକ ପ୍ରଭାବିତ ହେବେ । କୋଲି ମହାଦେବ ଆଦିବାସୀ ସଂପ୍ରଦାୟର ସୁବର୍ଣ୍ଣା କହିଲେ, “ଚାଷ କାମର ୭୦-୮୦ ପ୍ରତିଶତ କେବଳ ମହିଳାଙ୍କ ଦ୍ୱାରା ହୋଇଥାଏ । କିନ୍ତୁ, ପିଏମ୍-କିଷାନ ଯୋଜନାକୁ ଦେଖନ୍ତୁ । ଆମ ଗାଁର କୌଣସି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୁଏନାହିଁ ।” କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତି ବର୍ଷ ରୋଜଗାର ସହାୟତା ଆକାରରେ ୬,୦୦୦ ଟଙ୍କା ଦିଆଯାଏ ।
ସୁବର୍ଣ୍ଣାଙ୍କ କହିବା ଅନୁସାରେ, ୨୦୧୨ ମସିହାରେ କୋରହାଟେ ଗାଁର ୬୪ଟି ଆଦିବାସୀ ପରିବାର ମଧ୍ୟରୁ ମାତ୍ର ୫୫ଟି ପରିବାରକୁ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ‘୭/୧୨’ (ଜମି ଅଧିକାର ସ୍ୱତ୍ୱଲିପି ବା ପଟ୍ଟା) ପ୍ରଦାନ କରାଯାଇଥିଲା। କିନ୍ତୁ ଏହି ପଟ୍ଟାର ଶେରା (ମନ୍ତବ୍ୟ)ରେ ପୋଟଖରାବା ଜମୀନ୍ (ଅଣ-ଚାଷଯୋଗ୍ୟ ବା ଅନାବାଦୀ ଜମି) ବୋଲି ଉଲ୍ଲେଖ କରାଯାଇଥିଲା । “ଏହି ଜମି ଚାଷ କରିବାରେ ଆମେ ହେଉଛୁ ତୃତୀୟ ପିଢ଼ି । ତେଣୁ ସେମାନେ ଏହାକୁ ପୋଟଖରାବା ଜମୀନ ବୋଲି କିପରି କହିପାରିବେ ?” ସେ ପଚାରନ୍ତି ।
ସୁବର୍ଣ୍ଣା ଚାଷ କରୁଥିବା ପାଞ୍ଚ ଏକର ଜମିରେ ଟମାଟୋ, ଭୂଇମୁଗ (ଚୀନାବାଦାମ), ଧନିଆ, ସୋୟା ଶାଗ, ପାଳଙ୍ଗ ଏବଂ ଅନ୍ୟାନ୍ୟ ଶାଗ ପରିବା ଫସଲ କରନ୍ତି । ତାଙ୍କ ମାଲିକାନାରେ କେବଳ ଦୁଇ ଏକର ଜମି ରହିଛି, ଯଦିଓ ବାକିତକ ଜମି ଉପରେ ବି ତାଙ୍କର ହକ ରହିଛି । ସେ କହିଲେ, “ ଫସବନୁକ୍ କେଲେଲି ଆହେ ” (ଆମକୁ ଠକି ଦିଆଯାଇଛି)।”
ନିଜ ନିଜ ନାଁରେ ଜମିର ମାଲିକାନା ସ୍ୱତ୍ୱ ଚାହୁଁଥିବା ସତ୍ତ୍ୱେ, କୋର୍ହାଟେର ଆଦିବାସୀ କୃଷକମାନଙ୍କୁ ମିଳିତ ଭାବେ ‘୭/୧୨’ ଦିଆଯାଇଥିଲା । ସୁବର୍ଣ୍ଣା କହିଲେ, “ଏଥିରେ ଥିବା ଶେରା ଯୋଗୁଁ ଆମେ ନାଁ କୃଷିଋଣ ପାଇପାରୁଛୁ, ନା ଆମ ଜମିରେ ନଳକୂଅ ଖୋଳିପାରୁଛୁ କି ବର୍ଷା ପାଣି ଜମା କରି ରଖିପାରୁଛୁ । ଆମେ ଜମିରେ ପୋଖରୀଟିଏ ବି ଖୋଳିପାରିବୁ ନାହିଁ ।”
ଆନ୍ଦୋଳନରେ ଯୋଗ ଦେବା ପାଇଁ କୋରହାଟେର ୫୦ ଜଣ କୃଷକ ଓ କୃଷି ଶ୍ରମିକ ମୁମ୍ବାଇ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୩୫ ଜଣ ମହିଳା ।
ଆନ୍ଦୋଳନକାରୀ କୃଷକମାନେ ଜାନୁଆରୀ ୨୫ ତାରିଖ ଦିନ ଦକ୍ଷିଣ ମୁମ୍ବାଇସ୍ଥିତ ମହାରାଷ୍ଟ୍ର ରାଜ୍ୟପାଳଙ୍କ ବାସଗୃହ, ରାଜ ଭବନ ଯିବାକୁ ସ୍ଥିର କରିଥିଲେ । ନୂତନ କୃଷି ଆଇନଗୁଡ଼ିକର ପ୍ରତ୍ୟାହାର, ନ୍ୟୂନତମ ସମର୍ଥନ ମୂଲ୍ୟରେ ଫସଲ କିଣା, ସେମାନଙ୍କ ନାଁରେ ଜମିର ସ୍ୱତ୍ୱଲିପି ପ୍ରଦାନ ଏବଂ ୨୦୨୦ରେ ଆରମ୍ଭ ହୋଇଥିବା ଚାରିଟି ଶ୍ରମ ଆଇନ ପ୍ରତ୍ୟାହାର ପ୍ରଭୃତି ଦାବି ସମ୍ବଳିତ ଦାବିପତ୍ର ଦେବାକୁ ସେମାନେ ଚାହୁଁଥିଲେ ।
ରାଜଭବନ ଯାଏ ପଦଯାତ୍ରା କରିବା ପୂର୍ବରୁ ଅହମଦନଗର ଜିଲ୍ଲାରୁ ଆସିଥିବା ଭିଲ ଆଦିବାସୀ ସଂପ୍ରଦାୟର ଜଣେ ୪୫ ବର୍ଷୀୟା କୃଷକ ମଥୁରାବାଇ ବର୍ଡେ ପାଖରେ ରଖିଥିବା ଅନେକ ହଳଦିଆ ରଙ୍ଗର ଫର୍ମକୁ ନିରେଖି ଦେଖିବାରେ ଲାଗିପଡ଼ିଥିଲେ। ଆଜାଦ ମଇଦାନରେ ଆନ୍ଦୋଳନକାରୀମାନଙ୍କୁ ଏକତ୍ର କରିଥିବା ଅଖିଳ ଭାରତୀୟ କିଷାନ ସଭା ଦ୍ୱାରା ପ୍ରସ୍ତୁତ ଏହି ଫର୍ମଗୁଡ଼ିକରେ କୃଷକମାନେ ସମ୍ମୁଖୀନ ହେଉଥିବା କେତେକ ସାଧାରଣ ସମସ୍ୟାର ତାଲିକା ରହିଥିଲା। ଏହି ତାଲିକାରେ, ‘ମୁଁ ଯେଉଁ ୭/୧୨ ଜମି ଚାଷ କରୁଛି ତାହାକୁ ମୋତେ ଦିଆଯାଇନାହିଁ’; ‘ଚାଷଜମିର କେବଳ କିଛି ଅଂଶ ମୋତେ ଦିଆଯାଇଛି’; ‘ମୋତେ ଜମିର ପଟ୍ଟା ଦେବା ବଦଳରେ ଜମି ଛାଡ଼ି ଚାଲିଯିବାକୁ ସରକାରୀ କର୍ତ୍ତୃପକ୍ଷ କହିଲେ’; ଭଳି ସମସ୍ୟା ଅନ୍ତର୍ଭୁକ୍ତ ।
ଏଥିରୁ ପ୍ରତ୍ୟେକ କୃଷକ ସେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ବାଛିବେ ଏବଂ ଏଭଳି ଭାବରେ ପୂରଣ ହୋଇଥିବା ଫର୍ମଗୁଡ଼ିକୁ ଦାବିପତ୍ର ସହିତ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଥିଲା। ସାଙ୍ଗାମନର ତାଲୁକା ଅନ୍ତର୍ଗତ ତାଙ୍କ ଗାଁ ଶିଣ୍ଡୋଡିରୁ ଆସିଥିବା ମହିଳାମାନେ ଯେଭଳି ଠିକ୍ ଭାବରେ ଫର୍ମ ପୂରଣ କରନ୍ତି, ସେ କଥା ମଥୁରାବାଇ ନିଶ୍ଚିତ କରୁଥିଲେ । ସେ ତାଙ୍କ ହାତଲେଖା କୃଷକମାନଙ୍କର ନାମ ତାଲିକା ସହିତ ଫର୍ମଗୁଡ଼ିକୁ ମିଳାଇବା ସହିତ ପ୍ରତ୍ୟେକ କୃଷକ ସବୁକଥା ଉପଯୁକ୍ତ ଭାବରେ ପୂରଣ କରିଛନ୍ତି କି ନାହିଁ ତାହା ଯାଞ୍ଚ କରିନେଉଥିଲେ ।
ତାଙ୍କ ଗାଁରେ ମଥୁରାବାଇ ୭.୫ ଏକର ଜମି ଚାଷ କରନ୍ତି । ନିକଟରେ ଘରୋଇ ବ୍ୟବସାୟୀଙ୍କ ସହିତ ତାଙ୍କର ଅନୁଭୂତି ହିଁ ତାଙ୍କୁ ଏହି ନୂତନ ଆଇନଗୁଡ଼ିକ ବିରୋଧରେ ପ୍ରତିବାଦ କରିବା ଲାଗି ଅଧିକ ଦୃଢ଼ମନା କରିଛି । ସେ କହିଲେ ଯେ ତାଙ୍କୁ ଏହି ବ୍ୟବସାୟୀମାନେ ଏକ କୁଇଣ୍ଟାଲ ଗହମ ବାବଦରେ ୯୦୦ ଟଙ୍କା ଦେଲେ, ଯାହା କି, ୨୦୨୦-୨୦୨୧ ବର୍ଷ ପାଇଁ ଗହମର ଅନୁମୋଦିତ ନ୍ୟୂନତମ ସମର୍ଥନ ମୂଲ୍ୟ,୧୯୨୫ ଟଙ୍କାରୁ ବହୁତ କମ୍ । ମଥୁରାବାଇ କହିଲେ, “ସେମାନେ ସେହି ଏକା ଗହମକୁ ବଜାରରେ ଆମକୁ ତିନି ଗୁଣ ଦରରେ ବିକନ୍ତି । ଆମେ ଗହମ ଫସଲ କରିଥାଉ, ଏବଂ ତଥାପି ଆମଠାରୁ ବହୁତ ଅଧିକ ଦାମ ନିଆଯାଏ ।”
ମୁମ୍ବାଇ ପୋଲିସ ଅନୁମତି ନଦେବା କାରଣରୁ ଜାନୁଆରୀ ୨୫ରେ ରାଜଭବନ ପର୍ଯ୍ୟନ୍ତ କୃଷକମାନଙ୍କର ପଦଯାତ୍ରା କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିଲା । ରାଜ୍ୟପାଳଙ୍କୁ ସେମାନେ ସାକ୍ଷାତ ନ କରିବା ଘଟଣାରେ ଉତ୍କ୍ଷିପ୍ତ ମଥୁରାବାଇ କହିଲେ, “ଆମେ ଲଢ଼େଇ କରିବା ବନ୍ଦ କରିବୁ ନାହିଁ । ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ଆମେ ହିଁ ଫସଲ କରୁ ।”
ଅନୁବାଦ - ଓଡ଼ିଶାଲାଇଭ୍