ମଧ୍ୟାହ୍ନର ଠିକ୍ କିଛି ସମୟ ପୂର୍ବରୁ ଜଣେ ବ୍ୟକ୍ତି ତେଲୁଗୁ ଭାଷାରେ ଡାକବାଜି ଯନ୍ତ୍ରରେ ଘୋଷଣା କଲେ : ‘‘ପାଣ୍ଡୁ ନାଏକ, ଆପଣଙ୍କ ଝିଅ ଆମ ସହ ଅଛି। ଦୟାକରି ନିୟନ୍ତ୍ରଣ କକ୍ଷକୁ ଆସି ନେଇ ଯାଆନ୍ତୁ।’’ ଉଭୟ ପିଲା ଏବଂ ବୟସ୍କଙ୍କ ପାଇଁ ପୂର୍ବ ରାତିରୁ ଏଭଳି ଘୋଷଣା ଚାଲିଛି। ପ୍ରବଳ ଭିଡ଼ ଭିତରେ ପରିବାର ଓ ସାଥୀଙ୍କଠାରୁ କିଛି ଲୋକ ଅଲଗା ହୋଇଯାଆନ୍ତି - ଏବଂ କିଛି ସମୟର ଖୋଜାଖୋଜି ପରେ ପୁଣି ଏକାଠି ହୁଅନ୍ତି।
ପୂର୍ବ ରାତିରୁ ତୀର୍ଥଯାତ୍ରୀ ଓ ଦର୍ଶକଙ୍କ ସୁଅ ଛୁଟିଥିଲା - ସ୍ଥାନୀୟ ଗଣମାଧ୍ୟମର ଆକଳନ ଅନୁସାରେ ଅତି କମ୍ରେ ଏହି ସଂଖ୍ୟା ୫୦,୦୦୦। ପରଦିନ ସୂର୍ଯ୍ୟ ଉଦୟ ସୁଦ୍ଧା ତେଲେଙ୍ଗାନା ସୂର୍ୟାପେଟ୍ ଜିଲ୍ଲା ଜନପହାଡ଼ ଗାଁର ଏହି ଦରଘାକୁ ଲମ୍ବିଥିବା ସବୁ ଗଳି ରାସ୍ତା ଲୋକାରଣ୍ୟ ହୋଇ ଯାଇଥିଲା।
ଏ ହେଉଛି ଉର୍ସ ଉତ୍ସବ, ହଜରତ ଜନପକ ସହିଦଙ୍କ ଶ୍ରାଦ୍ଧ ବର୍ଷିକୀ, କ୍ୟାଲେଣ୍ଡରର ପ୍ରଥମ ମାସର ଚତୁର୍ଥ ଶୁକ୍ରବାର ପାଳନ କରାଯାଏ - ଏବର୍ଷ ଜାନୁଆରୀ ୨୪ରେ ପାଳନ ହେଉଛି।
ଏଠି ବିଭିନ୍ନ ସଂପ୍ରଦାୟର ଲୋକ ଠୁଳ ହୁଅନ୍ତି - ମୁସଲିମ୍ ଓ ହିନ୍ଦୁ, ଆଉ ଲାମ୍ବାଡ଼ି ଜନଜାତିମାନଙ୍କ ପାଇଁ ମଧ୍ୟ ଏହି ଉତ୍ସବ ବେଶ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟତଃ ଦର୍ଶକମାନେ ତେଲେଙ୍ଗାନାର ଖାମାମ୍, ୱାରାଙ୍ଗଲ, ଏବଂ ମେହବୁବନଗର ଓ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର, ପ୍ରକାଶମ୍ ଏବଂ କ୍ରିଷ୍ଣା ଜିଲ୍ଲାରୁ ଆସିଥାନ୍ତି।
ଧାର୍ମିକ ଆବେଗ ସହ, ଚାଷୀଙ୍କୁ ମଧ୍ୟ ଆକର୍ଷିତ କରିଥାଏ ଉର୍ସ। ସେମାନେ ଭଲ ଫସଲ କାମନା କରିଥାନ୍ତି। ରଜକ ସଂପ୍ରଦାୟର (ତେଲେଙ୍ଗାନାରେ ଏକ ପଛୁଆ ଜାତି) ଚାଷୀ ମୋଇଲଲା ଅଞ୍ଜମା କହନ୍ତି, ‘‘ପାଣ୍ଟା, ପାଇରୁ, ପିଲାଲୁ [ଉତ୍ପାଦନ, ଫସଲ ଆଉ ପିଲା] ଭଲ ହେବ। ସେଥିପାଇଁ ଆମେ ନିୟମିତ ଭାବେ ଗନ୍ଧମ୍ [ଚନ୍ଦନ] ଉତ୍ସବକୁ ଆସିଥାଉ। ସେ ଓ ତାଙ୍କ ସ୍ୱାମୀ ମୋଇଲବା ବଲିହା ମେହବୁବନଗର ଜିଲ୍ଲାର ଅଛାମପେଟ ମଣ୍ଡଳରୁ ଆସିଛନ୍ତି। ପାଲାକେଡ଼ୁ ମଣ୍ଡଳର ହଜରତ ଦରଗାହଠାରୁ ପ୍ରାୟ ୧୬୦ କିଲୋମିଟର ଦୂର।






