ମଧ୍ୟାହ୍ନର ଠିକ୍ କିଛି ସମୟ ପୂର୍ବରୁ ଜଣେ ବ୍ୟକ୍ତି ତେଲୁଗୁ ଭାଷାରେ ଡାକବାଜି ଯନ୍ତ୍ରରେ ଘୋଷଣା କଲେ : ‘‘ପାଣ୍ଡୁ ନାଏକ, ଆପଣଙ୍କ ଝିଅ ଆମ ସହ ଅଛି। ଦୟାକରି ନିୟନ୍ତ୍ରଣ କକ୍ଷକୁ ଆସି ନେଇ ଯାଆନ୍ତୁ।’’ ଉଭୟ ପିଲା ଏବଂ ବୟସ୍କଙ୍କ ପାଇଁ ପୂର୍ବ ରାତିରୁ ଏଭଳି ଘୋଷଣା ଚାଲିଛି। ପ୍ରବଳ ଭିଡ଼ ଭିତରେ ପରିବାର ଓ ସାଥୀଙ୍କଠାରୁ କିଛି ଲୋକ ଅଲଗା ହୋଇଯାଆନ୍ତି - ଏବଂ କିଛି ସମୟର ଖୋଜାଖୋଜି ପରେ ପୁଣି ଏକାଠି ହୁଅନ୍ତି।
ପୂର୍ବ ରାତିରୁ ତୀର୍ଥଯାତ୍ରୀ ଓ ଦର୍ଶକଙ୍କ ସୁଅ ଛୁଟିଥିଲା - ସ୍ଥାନୀୟ ଗଣମାଧ୍ୟମର ଆକଳନ ଅନୁସାରେ ଅତି କମ୍ରେ ଏହି ସଂଖ୍ୟା ୫୦,୦୦୦। ପରଦିନ ସୂର୍ଯ୍ୟ ଉଦୟ ସୁଦ୍ଧା ତେଲେଙ୍ଗାନା ସୂର୍ୟାପେଟ୍ ଜିଲ୍ଲା ଜନପହାଡ଼ ଗାଁର ଏହି ଦରଘାକୁ ଲମ୍ବିଥିବା ସବୁ ଗଳି ରାସ୍ତା ଲୋକାରଣ୍ୟ ହୋଇ ଯାଇଥିଲା।
ଏ ହେଉଛି ଉର୍ସ ଉତ୍ସବ, ହଜରତ ଜନପକ ସହିଦଙ୍କ ଶ୍ରାଦ୍ଧ ବର୍ଷିକୀ, କ୍ୟାଲେଣ୍ଡରର ପ୍ରଥମ ମାସର ଚତୁର୍ଥ ଶୁକ୍ରବାର ପାଳନ କରାଯାଏ - ଏବର୍ଷ ଜାନୁଆରୀ ୨୪ରେ ପାଳନ ହେଉଛି।
ଏଠି ବିଭିନ୍ନ ସଂପ୍ରଦାୟର ଲୋକ ଠୁଳ ହୁଅନ୍ତି - ମୁସଲିମ୍ ଓ ହିନ୍ଦୁ, ଆଉ ଲାମ୍ବାଡ଼ି ଜନଜାତିମାନଙ୍କ ପାଇଁ ମଧ୍ୟ ଏହି ଉତ୍ସବ ବେଶ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟତଃ ଦର୍ଶକମାନେ ତେଲେଙ୍ଗାନାର ଖାମାମ୍, ୱାରାଙ୍ଗଲ, ଏବଂ ମେହବୁବନଗର ଓ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର, ପ୍ରକାଶମ୍ ଏବଂ କ୍ରିଷ୍ଣା ଜିଲ୍ଲାରୁ ଆସିଥାନ୍ତି।
ଧାର୍ମିକ ଆବେଗ ସହ, ଚାଷୀଙ୍କୁ ମଧ୍ୟ ଆକର୍ଷିତ କରିଥାଏ ଉର୍ସ। ସେମାନେ ଭଲ ଫସଲ କାମନା କରିଥାନ୍ତି। ରଜକ ସଂପ୍ରଦାୟର (ତେଲେଙ୍ଗାନାରେ ଏକ ପଛୁଆ ଜାତି) ଚାଷୀ ମୋଇଲଲା ଅଞ୍ଜମା କହନ୍ତି, ‘‘ପାଣ୍ଟା, ପାଇରୁ, ପିଲାଲୁ [ଉତ୍ପାଦନ, ଫସଲ ଆଉ ପିଲା] ଭଲ ହେବ। ସେଥିପାଇଁ ଆମେ ନିୟମିତ ଭାବେ ଗନ୍ଧମ୍ [ଚନ୍ଦନ] ଉତ୍ସବକୁ ଆସିଥାଉ। ସେ ଓ ତାଙ୍କ ସ୍ୱାମୀ ମୋଇଲବା ବଲିହା ମେହବୁବନଗର ଜିଲ୍ଲାର ଅଛାମପେଟ ମଣ୍ଡଳରୁ ଆସିଛନ୍ତି। ପାଲାକେଡ଼ୁ ମଣ୍ଡଳର ହଜରତ ଦରଗାହଠାରୁ ପ୍ରାୟ ୧୬୦ କିଲୋମିଟର ଦୂର।
ଅନ୍ୟମାନଙ୍କ ଭଳି ଅଞ୍ଜମା ଦୃଢ ବିଶ୍ୱାସ ନେଇ ହଜରତ ଜନପାକ୍ ସହିଦଙ୍କୁ ଆସିଥିଲେ - ସ୍ଥାନୀୟ ଲୋକେ ଜନ ପହଡ ସାଇଡୁଲୁ କହନ୍ତି। କେତେକ ହିସାବ ଅନୁଯାୟୀ ପ୍ରାୟ ୪୦୦ ବର୍ଷ ତଳେ ସେ ଏଠାରେ ରହୁଥିଲେ। ଦରଗାହ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ପିପୁଲ୍ସ୍ ଗଡ୍ ପୁସ୍ତିକାରେ ବିଶ୍ୱାସର ଏକ କାହାଣୀ ବର୍ଣ୍ଣନା ହୋଇଛି। ଉନବିଂଶ ଶତାବ୍ଦୀରେ ଜଣେ ସ୍ଥାନୀୟ ଜମିଦାରଙ୍କର କିଛି ଗାଈ ହଜି ଯାଇଥିଲେ। ସେ ବହୁ ଖୋଜାଖୋଜି କରି ପାଇ ନଥିଲେ। ଶେଷରେ ସେ ସାଇଡୁଲୁ ଦରଗାହକୁ ଆସି ପ୍ରାର୍ଥନା କରିଥିଲେ ଆଉ ବାର୍ଷିକ ଉତ୍ସବ କରିବା ସହ ଗୋଟିଏ କୂଅ ଖୋଳିବାକୁ ମାନସିକ କରିଥିଲେ - ଯାହା ଏବେ ବି ରହିଛି - ଶ୍ରଦ୍ଧାଳୁଙ୍କୁ ପାଣି ଯୋଗାଉଛି। ସେ ଘରେ ପହଞ୍ଚିବା ବେଳକୁ ଗାଈ ଫେରି ଆସିଥିଲେ।
ଏହି ପୁସ୍ତିକାରେ ଆହୁରି ଅନେକ ବର୍ଣ୍ଣନା ରହିଛି - କିଭଳି ଆଶୀର୍ବାଦରୁ ଦମ୍ପତ୍ତିଙ୍କୁ ସନ୍ତାନ ଲାଭ ହୋଇଛି, ନିଶା ଛାଡ଼ିଛି, ରୋଗ ଭଲ ହୋଇଛି। ବିଶ୍ୱାସ ଉପରେ ବର୍ଣ୍ଣିତ ଏହି ସବୁ କାହାଣୀର ଶକ୍ତି ଅଞ୍ଜମାଙ୍କ ଭଳି ଅନେକ ଲୋକଙ୍କୁ ଉର୍ସକୁ ଟାଣି ଆଣିଛି।
ଜାନୁଆରୀ ମାସର ସେହି ଶେଷ ଶୁକ୍ରବାର ସକାଳ ୧୦ଟାରେ ପୂଜକଙ୍କ ଘରୁ, ଦରଗାହଠାରୁ ପ୍ରାୟ ୧୦୦ ମିଟର ଦୂରରୁ ଆରମ୍ଭ ହୋଇଥିଲା ଚନ୍ଦନ ଶୋଭାଯାତ୍ରା, ଯେଉଁଥିରେ ଅଞ୍ଜମା ଯୋଗ ଦେଇଥିଲେ। ତା ପରେ ନିକଟରେ ଥିବା ବିଭିନ୍ନ ପଡ଼ାକୁ ଯାଇଥିଲା ଶୋଭାଯାତ୍ରା। ରଜନୀଗନ୍ଧା ଓ ଗୋଲାପ ଫୁଲ ଉପରେ ରଖାଯାଇଥିବା ଏକ ଷ୍ଟିଲ୍ ପାତ୍ରରେ ଚନ୍ଦନ କାଠର ଘୋଳା ଥିଲା। ତା ଉପରେ ଚାନ୍ଦୁଆ ଧରି ଶ୍ରଦ୍ଧାଳୁମାନେ ଚାଲିଥିଲେ। ଅପରାହ୍ଣ ପ୍ରାୟ ୩ଟା ବେଳେ ଦରଗାହରେ ପହଞ୍ଚିଥିଲା ଶୋଭାଯାତ୍ରା, ଯେଉଁଠି ମଜାରରେ ଚନ୍ଦନର ଘୋଳାକୁ ଲେପନ କରାଯାଇଥିଲା - ହଜରତ ଜନପକ ସହିଦ ସହ ତାଙ୍କ ଭାଇ ମଇଉଦ୍ଦିନ ସହିଦଙ୍କ କବରକୁ ବି ଯାଇଥିଲା।
ଗନ୍ଧମ୍ ଉପଚାରରେ ଲାଗିଥିବା ଯେ କୌଣସି ପଦାର୍ଥ - ପାତ୍ର, କପଡ଼ା, ପଙ୍ଖା, ଏବଂ ଏପରିକି ଶୋଭାଯାତ୍ରା ଆଗରେ ଯାଉଥିବା ଘୋଡ଼ାକୁ ସ୍ପର୍ଶ କରିବା ପାଇଁ ଆବେଗପୂର୍ଣ୍ଣ ଶ୍ରଦ୍ଧାଳୁମାନେ ସବୁ ପ୍ରକାର ଉଦ୍ୟମ କରିଥାନ୍ତି। ରାସ୍ତାର ଧୂଳି ହେଉ କି ଦଳାଚକଟାର ଭୟ, ସେମାନଙ୍କୁ କିଛି ବି ଅଟକାଇ ପାରେ ନାହିଁ।
ଗନ୍ଧମ୍ ଉପଚାରରେ ଲାଗିଥିବା ଯେ କୌଣସି ପଦାର୍ଥ - ପାତ୍ର, କପଡ଼ା, ପଙ୍ଖା, ଏବଂ ଏପରିକି ଶୋଭାଯାତ୍ରା ଆଗରେ ଯାଉଥିବା ଘୋଡ଼ାକୁ ସ୍ପର୍ଶ କରିବା ପାଇଁ ଆବେଗପୂର୍ଣ୍ଣ ଶ୍ରଦ୍ଧାଳୁମାନେ ସବୁ ପ୍ରକାର ଉଦ୍ୟମ କରିଥାନ୍ତି
ବଲିହା କହନ୍ତି, ‘‘ପାଞ୍ଚ ବର୍ଷ ତଳେ ମୋ ଭାଇ ତାଙ୍କ ନାତି ସହ ଏଠିକି ଆସିଥିଲେ। ସେମାନେ ଶୋଭାଯାତ୍ରା ବେଳେ ତଳେ ପଡ଼ିଗଲେ। ପିଲାଟିର [ତିନି ବର୍ଷର ଛୁଆ] ମୃତ୍ୟୁ ହୋଇଗଲା, କିନ୍ତୁ ସେମାନେ ଦଳାଚକଟାରୁ ଅଳ୍ପକେ ବର୍ତ୍ତିଗଲେ’’। ଅନ୍ୟ ଶ୍ରଦ୍ଧାଳୁଙ୍କ ଭଳି ବଲିହା ଓ ଅଞ୍ଜମା ଘରକୁ ଫେରିବା ବେଳେ, ଦରଗାହ କର୍ମକର୍ତ୍ତା ବାଣ୍ଟିଥିବା ଚନ୍ଦନ ଘୋଳାକୁ ଖୋଳରେ ପୂରାଇ ସାଙ୍ଗରେ ଆଣିଥିଲେ। ଏହାକୁ ସେମାନେ ଜମିରେ, ଚାଷ ଯନ୍ତ୍ରପାତିରେ, ଏବଂ ଏପରିକି ଲୁଗାପଟାରେ ମଧ୍ୟ ବୋଳିବେ।
ଅଞ୍ଜାମା ଓ ବଲିଆଙ୍କ ବିଶ୍ୱାସ ୩୦ ବର୍ଷ ତଳର, ଯେତେବେଳେ ସେମାନେ, ଧାନ ଓ କପା ଚାଷ କରୁଥିବା ତାଙ୍କ ୮ ଏକର ଚାଷ ଜମି ଭିତରେ ଏକ ଛୋଟିଆ ଦରଗାହ ତିଆରି କରିଥିଲେ। ସେମାନେ କୁହନ୍ତି, ତାଙ୍କ ପୁଅର ସ୍ୱାସ୍ଥ୍ୟ ପାଇଁ ଏହା ହେଉଛି ପ୍ରାର୍ଥନାର ଏକ ରୂପ। ସେମାନେ ବହୁ ମନ୍ଦିର ମଧ୍ୟ ବୁଲନ୍ତି, ଯେଉଁଠାରୁ ସେମାନେ ଦରଗାହର ଚନ୍ଦନ ଘୋଳା ଭଳି ଗୋଟିଏ ପୋଷ୍ଟର ବା କ୍ୟାଲେଣ୍ଡର ନେଇ ଆସନ୍ତି। ତାଙ୍କ ଗାଁ ବସ୍ରେ ଯାତ୍ରା କରିବା ବେଳେ ବଲିହା କହିଲେ, ‘‘ଆମେ ଏଠିକି ମଧ୍ୟ ଆସୁ।’’
ଉର୍ସ ମଧ୍ୟ କିଣାବିକା ଓ ବୁଲାବୁଲି କରିବାର ଏକ ପର୍ବ। ଦରଗାହ ଚତୁଃପାର୍ଶ୍ୱ ଅଞ୍ଚଳ ମେଳା ପଡ଼ିଆରେ ପରିଣତ ହୁଏ। ଚକ୍ରି ଦୋଳି, ପିଲାଙ୍କ ଦୋଳି ଏବଂ ଅନ୍ୟାନ୍ୟ ଆକର୍ଷଣ ସହ ବିକ୍ରିବଟା। ଏଠାରେ ଭଲ ଲାଭ ହେଉଥିବା ପ୍ରଚାର ଯୋଗୁଁ ଦିନକୁ ଦିନ ଅଧିକ ବ୍ୟବସାୟୀ ମେଳା ପଡ଼ିଆରେ ଜାଗା ପାଇବାକୁ ଉଦ୍ୟମ କରୁଛନ୍ତି - ଠେଲାଗାଡ଼ି, ଭୂମି ଉପରେ ଏବଂ ଷ୍ଟଲରେ - ଖେଳଣା, ଚୁଡ଼ି, ପୋଷ୍ଟର, ମାଟିର ମୂର୍ତ୍ତି, ଇମିଟେସନ୍ ଅଳଙ୍କାର, ଅଣ୍ଡା, କ୍ଷୀର, ଲଟେରୀ ଟିକେଟ୍, ହ୍ୟାଣ୍ଡବ୍ୟାଗ୍ ଓ ଆହୁରି କେତେ କଣ।
ରୂପବତ ସରୋଜା କୁହନ୍ତି, ‘‘ଦାନ୍ତ ଘଷିବାକୁ ବି ଆମକୁ ସମୟ ମିଳେନି। ଅତି କମ୍ରେ ୩ ଜଣ ଲୋକଙ୍କୁ ଗାଡ଼ି ପାଖରେ ଛିଡ଼ା ହେବାକୁ ହୁଏ। ’’ ସେ ତାଙ୍କ ନିଜ ହାତ ତିଆରି ଚଣା ଅଟାର ପତି ସହ ନାସ୍ତା ବିକ୍ରି କରନ୍ତି। ଖାଦ୍ୟ ଗାଡ଼ିରେ ଜଲେବି, ବୁନ୍ଦି ମିକ୍ସର, ନଡ଼ିଆ ହାଲୱା ଏବଂ ଆହୁରି ଅନେକ ଜିନିଷ ବିକ୍ରି ହୁଏ।
ଏ ବର୍ଷ ବହୁ ସଂଖ୍ୟାରେ ଖାଦ୍ୟ ଗାଡ଼ି ଲାଗିଥିଲା, ସରୋଜା ଆଶା କରୁଥିଲେ ପୂର୍ବ ବର୍ଷର ୩୦ ହଜାର ଟଙ୍କା ତୁଳନାରେ କମ୍ ବିକ୍ରି ହେବ। ସରୋଜାଙ୍କର ଗୋଟିଏ ଛୋଟ ସ୍ଥାୟୀ ଦୋକାନ ଅଛି। ଦରଗାହଠାରୁ ବେଶି ଦୂରରେ ନୁହେଁ। ଏହି ଦୋକାନ ସପ୍ତାହ ସାରା ଖୋଲା ରହେ - ଯଦିଓ ଉର୍ସ ଦିନ ସବୁଠାରୁ ଅଧିକ ବିକ୍ରି ହୁଏ। ସବୁ ଶୁକ୍ରବାର ଗୁଡ଼ିକରେ ମଧ୍ୟ ଭଲ ବେପାର ହୁଏ। ଏହି ଦିନ ଗୁଡ଼ିରେ ସରୋଜା ୫,୦୦୦ ରୁ ୧୦,୦୦୦ ଟଙ୍କା କମାନ୍ତି।
ମିଶାଲ (ତାଙ୍କ ପୂରା ନାଁ କହିଲେନି) କହିଲେ, ‘‘ଆମେ ଉର୍ସ ସମୟରେ ଗୋଟିଏ ଦିନରେ ୧୫,୦୦୦ ଟଙ୍କା [ଗୋଟିଏ ଠେଲାଗାଡ଼ି ପିଛା] ଲାଭ କରିଥାଉ’’। ମିଶାଲ ଚୂଡ଼ି ବିକ୍ରି କରନ୍ତି। ସେ ସାଧାରଣତଃ ମାସରେ ସେତିକି ଟଙ୍କା ରୋଜଗାର କରନ୍ତି। ଦିନକର ବେପାର ପାଇଁ ବିଜୟୱାଡ଼ାରୁ ଦରଗାହକୁ ଠେଲାଗାଡ଼ି ଆଣିବା ପାଇଁ ଏ ବର୍ଷ ସେ ଓ ଅନ୍ୟ ୭ ଜଣ ବେପାରୀ ୧୬,୦୦୦ ଟଙ୍କା ଦେଇ ଗୋଟିଏ ଟ୍ରକ୍ ଭଡ଼ା କରିଥିଲେ।
ଏହି ଧାର୍ମିକ ସ୍ଥଳ ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ବଡ଼ ଅବସର। ଲାମ୍ବାଡ଼ି ସଂପ୍ରଦାୟର ୪୮ ବର୍ଷୀୟ ଭୁକ୍ୟା ପ୍ରକାଶ କହିଲେ, ‘‘ଆମେ ପ୍ରାର୍ଥନା କରୁ ଆମ ପଡ଼ିପନ୍ତା [ଗାଈଗୋରୁ ଓ ଫସଲ] ଭଲ ହେଉ। ଆମର ମୁଖ୍ୟ ପର୍ବ ହେଉଛି ଉର୍ସ।’’ ଦରଗାହଠାରୁ ୨ କିଲୋମିଟର ଦୂରରେ ଥିବା କାଲମେଟ୍ ଥାନ୍ଦା ଗାଁରେ ପ୍ରକାଶଙ୍କ ଘର। ସେ ୫.୫ ଏକର ଜମିରେ କପା, ଧାନ ଓ ଲଙ୍କା ଚାଷ କରନ୍ତି।
ପ୍ରକାଶ କହିଲେ, ‘‘ମୋ ପରିବାର ପ୍ରାୟ ୩୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି [ପୂର୍ବରୁ ଓ ଉର୍ସ ସମୟରେ]।’’ ଏହି ଟଙ୍କା ସେମାନେ ଲୁଗାପଟା, ଅଳଙ୍କାର କିଣାକିଣି, ଓ ନାସ୍ତା ପ୍ରସ୍ତୁତ କରିବାରେ ଖର୍ଚ୍ଚ କରନ୍ତି। ସେମାନେ ଦଶହରା ବା ଦିୱାଲି ଭଳି ବଡ଼ ପର୍ବରେ ଏତେ ଚଳଚଞ୍ଚଳ ନଥାନ୍ତି।
ଆମେ ତାଙ୍କୁ ଭେଟିବା ବେଳେ ପ୍ରକାଶ ଡ୍ରାମା ରିହାରସାଲ୍ ପାଇଁ ପ୍ରସ୍ତୁତ ହେଉଥିଲେ, ସଂଳାପ କହୁଥିଲେ। ଗତ ୨୦ ଦିନ ହେବ ସେ ଓ ତାଙ୍କ ଟିମ୍ ଡ୍ରାମାରେ ମାତିଛନ୍ତି। ଏଇ କିଛି ବର୍ଷ ହେବ ତାଙ୍କ ଉତ୍ସବରେ ନାଟକ ସାମିଲ ହୋଇଛି। ଏହା ଏକ ପ୍ରତିଶୋଧ ପରାୟଣ କାହାଣୀ। ନାଟକର ନାଁ ‘ନିଦ୍ରା ଲେଚିନା ରୁଦ୍ର ସିମାଲୁ (ଜାଗ୍ରତ ହୋଇଥିବା ସିଂହ ଗର୍ଜୁଛି), ଉର୍ସ ପରେ ଉତ୍ସବ ଜାରି ରହିବ ଏବଂ ଏହି ସମୟରେ ଏହି ନାଟକ ତାଙ୍କ ଗାଁରେ ପ୍ରଦର୍ଶିତ ହେବ।
ଲାମ୍ବାଡ଼ିମାନଙ୍କ ପାଇଁ ଦରଗାହରେ କାନ୍ଦୁରୁ ର ବିଶେଷ ଗୁରୁତ୍ୱ ରହିଛି - କାମନା ବା କୃତଜ୍ଞତା ସ୍ୱରୂପ ଛେଳି ବା ମେଣ୍ଢା ଯାଚନା କରିବା - କଲେଜରେ ନାମଲେଖା ପାଇଁ, ରୋଗରୁ ଆରୋଗ୍ୟ ପାଇଁ ବା ଭଲ ଫସଲ ପାଇଁ। କିନ୍ତୁ ଜନଗହଳି ଯୋଗୁଁ, ଅନେକ କୁକୁଡ଼ା ବଳି ଦିଅନ୍ତି ଏବଂ କାଠ ଚୁଲିରେ ରୋଷେଇ କରି ଖାଆନ୍ତି। କିଛି ଲୋକ ତାଙ୍କ ନିଜ ହାଣ୍ଡି କଡ଼େଇ ଧରି ଆସିଥାନ୍ତି, ଆଉ କିଛି ଲୋକ ସ୍ଥାନୀୟ ଦୋକାନରୁ କାଠ ସହ ବାସନକୁସନ ଭଡ଼ାରେ ନିଅନ୍ତି। ଚନ୍ଦନ କାଠ ଓ ଗୁଣ୍ଡ ମିଶ୍ରଣରେ ସୁଗନ୍ଧିତ ଖାଦ୍ୟ ପ୍ରସ୍ତୁତ ହୋଇଥାଏ।
ଦରଗାହ ଠାରୁ ପ୍ରାୟ ୧୫ କିଲୋମିଟର ଦୂର କେଶବପୁରମ୍ ଗ୍ରାମପଞ୍ଚାୟତର ସରପଞ୍ଚ ସଇଦା ନାଏକ କହିଲେ, ‘‘ଏହା [ଉର୍ସ] ଆରମ୍ଭ ମାତ୍ର ହେଉଛି।’’ ଉର୍ସ ପରେ ଜୁନ୍-ଜୁଲାଇ ଚାଷ ଋତୁ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାରକୁ ସେ ଇଙ୍ଗିତ କରୁଥିଲେ, ଯେତେବେଳେ କାନ୍ଦୁରୁ ପାଇଁ ଲୋକେ ଛେଳି ଆଉ ମେଣ୍ଢା ବଳି ଦେବାକୁ ଜନପହଡ଼ ଗାଁକୁ ଆସିବା ଜାରି ରଖନ୍ତି।
ବଳି ଦେବା ଏବଂ ପରେ ରୋଷେଇ କରି ମନ୍ତ୍ର ଉଚ୍ଚାରଣ ସହ ଅର୍ପଣ କରିବା ପାଇଁ ପ୍ରତି ପଶୁ ପିଛା ୧,୨୦୦ ଟଙ୍କା ଆଦାୟ ହୁଏ। ଅନେକ କୁହନ୍ତି ସେମାନେ ଏତେ ଟଙ୍କା ବ୍ୟୟ କରିବାକୁ ସକ୍ଷମ ନୁହନ୍ତି। ଏହି ଟଙ୍କା ଦରଗାହ ରକ୍ଷଣାବେକ୍ଷଣ କର୍ତ୍ତୃପକ୍ଷ ବା ସବ-କଣ୍ଟ୍ରାକ୍ଟର ଆଦାୟ କରନ୍ତି। (ଯେଉଁମାନେ ବଳି ଦେବା, ନଡିଆ ବିକ୍ରି କରିବା, ଲଡ଼ୁ ବାଣ୍ଟିବା, ଏବଂ ଆହୁରି ଅନେକ ଆକର୍ଷଣୀୟ କାର୍ଯ୍ୟ ପାଇଁ ଅଧିକାର ପାଇଥାନ୍ତି)। ରାଜ୍ୟ ୱାକଫ୍ ବୋର୍ଡ ଦ୍ୱାରା ଠିକା ପାଇଁ ନିଲାମ ହୋଇଥାଏ।
ଲୋକେ ଦେବାକୁ ଅସମର୍ଥ ହେଉଥିବା ମାସୁଲ ବ୍ୟତୀତ, ଏଠାରେ ପରିମଳ ବ୍ୟବସ୍ଥା ଭଲ ନଥିବା ଏବଂ ଶୌଚାଳୟ ଅଭାବ ଥିବା ଦର୍ଶକ କହନ୍ତି। ‘‘ସଇଦା ନାଏକ କହନ୍ତି, ‘‘ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ ଓ ଆରଡିଓ [ରେଭେନ୍ୟୁ ଡିଭିଜନାଲ ଅଫିସର]ମାନେ ଏଠାକୁ ଆସିଛନ୍ତି। ଆମେ ତାଙ୍କୁ ଅନେକ ଥର କହିଛୁ, କିନ୍ତୁ କିଛି ବଦଳିନି।’’ ଅତୀତରେ ଦରଗାହ ପରିଚାଳନରେ ହେଉଥିବା ଅନିୟମିତତା ଏବଂ ସୁବିଧାସୁଯୋଗର ଅଭାବ ସଂପର୍କରେ ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଥିଲା।
ତଥାପି, ଦର୍ଶକ ଏଠାକୁ ଆସନ୍ତି, ବର୍ଷ ପରେ ବର୍ଷ, ଜାତି ଧର୍ମ ନିର୍ବିଶେଷରେ - ବିଶ୍ୱାସ, ଆଶା ଏବଂ ସମ୍ଭବତଃ ଏକ ସ୍ୱାଦିଷ୍ଟ ଭୋଜନ ପାଇଁ ଧାଇଁ ଆସିଥାନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍