ଯେତେବେଳେ ପରୀ ହେଉଛି ଶିକ୍ଷକ ଏବଂ ଗ୍ରାମୀଣ ଭାରତ ହେଉଛି ପାଠ୍ୟ ବିଷୟ, ଆମେ ଦେଖୁଛୁ ଯେ ଏହି ଶିକ୍ଷାଲାଭ ହେଉଛି ବାସ୍ତବିକ, ଦୃଢ଼ ଏବଂ ଦୀର୍ଘ ସ୍ଥାୟୀ।
ଆମ ସହ ଶିକ୍ଷାଲାଭ କରୁଥିବା ଆୟୁଷ ମଙ୍ଗଲଙ୍କର ଅଭିଜ୍ଞତାର ଉଦାହରଣ ନିଅନ୍ତୁ। ସେ ଗ୍ରାମୀଣ ଛତିଶଗଡ଼ର ଆଦିବାସୀମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ନିକଟରେ ପହଞ୍ଚିବାର ଅଭାବ ଏବଂ ଝୋଲା ଛାପ ଡାକ୍ତରମାନଙ୍କ ଦୁନିଆ ମଧ୍ୟରେ ସଂଯୋଗକୁ ବୁଝିବା ପାଇଁ ସେ ପରୀ ସହିତ ନିଜର ସମୟ କଟାଇଥିଲେ। ସେ ସମୟରେ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ ନିମନ୍ତେ ଅଧ୍ୟୟନ କରୁଥିବା ରାଜ୍ୟର ଜାଞ୍ଜଗିର୍ ଚମ୍ପା ଜିଲ୍ଲାର ଏହି ଛାତ୍ର କହନ୍ତି, ‘‘ମୁଁ ଘରୋଇ ଏବଂ ସାର୍ବଜନୀନ, ଏବଂ ଯୋଗ୍ୟ ଏବଂ ଅଯୋଗ୍ୟ ଡାକ୍ତରମାନଙ୍କ ମଧ୍ୟରେ ଛନ୍ଦାଛନ୍ଦି ହୋଇ ରହିଥିବା ସମ୍ପର୍କକୁ ନିଜ ଆଖିରେ ଦେଖିଛି। କୌଣସି ବ୍ୟବସ୍ଥା ବା ନୀତି ଏହାର ସମାଧାନ କରିବା ଖୁବ୍ ଜରୁରୀ।’’
ଯୁବ ପିଢ଼ି ମଧ୍ୟ ଅବହେଳିତ ଲୋକମାନଙ୍କ ସମ୍ପର୍କରେ ଅଧିକ ଜାଣୁଛନ୍ତି, ଯେଉଁମାନେ କି ସେମାନଙ୍କର ପାଠ୍ୟ ପୁସ୍ତକରେ ସ୍ଥାନ ପାଆନ୍ତି ନାହିଁ। ଓଡ଼ିଶାର କୋରାପୁଟରେ ରାଜ୍ୟ ସରକାରଙ୍କ ସୁବିଧାଗୁଡ଼ିକ ପାଇବା ଗୌରାଙ୍କ ପରି ଭିନ୍ନକ୍ଷମତା ଥିବା ଲୋକମାନଙ୍କ ପାଇଁ କେତେ କଷ୍ଟକର ହୋଇଥାଏ ତାହା ସମ୍ପର୍କରେ ସମ୍ବାଦ ସଂଗ୍ରହ କରୁଥିବା ସାମ୍ବାଦିକତାର ଛାତ୍ରୀ ଶୁଭଶ୍ରୀ ମହାପାତ୍ରଙ୍କୁ ଏହା ଏକ ପ୍ରଶ୍ନ ପଚାରିବାକୁ ବାଧ୍ୟ କରିଛି: ‘‘ପ୍ରଶାସନର କେଉଁ ଅଭାବ ଗୌରା ଙ୍କୁ ଏତେ ଭାବନାତ୍ମକ ଏବଂ ଶାରୀରିକ ଯନ୍ତ୍ରଣାରେ ପକାଇଛି?’’
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ଶିକ୍ଷା ବିଭାଗ ପରୀ ଏଜୁକେସନ୍ ସେପ୍ଟେମ୍ବର ୨୦୨୨ରେ ଏହାର ପଞ୍ଚମ ବର୍ଷରେ ପ୍ରବେଶ କରିଛି। ଏହିସବୁ ବର୍ଷଗୁଡ଼ିକରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ସାମାଜିକ ପରିବର୍ତ୍ତନ ନିମନ୍ତେ ବିଭିନ୍ନ ସଂଗଠନରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀ ଏବଂ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ ସମସ୍ତେ ସାଧାରଣ ଲୋକଙ୍କ ପାଖରେ ଥିବା ବିବିଧ ଦକ୍ଷତା ଏବଂ ଜ୍ଞାନ ବିଷୟରେ ଏକ ଗଭୀର ବୁଝାମଣା ପାଇପାରିଛନ୍ତି। ଯେମିତି ହାଇସ୍କୁଲ୍ ଛାତ୍ର ପ୍ରଜୋଲ ଠାକୁର ଛତିଶଗଡ଼ର ରାୟପୁରରେ ଧାନ ଝୁମର୍ସ ର ଦଲିଲ୍କରଣ ପରେ ଏହା ବୁଝିପାରିଛନ୍ତି: ‘‘ପରୀ ଏଜୁକେସନ୍ ସହିତ କାମ କରିବା ପରେ ମୁଁ ଯେଉଁ ସମାଜରେ ରହୁଛି ତାହାର ଏକ ନୂଆ ପରିପ୍ରେକ୍ଷ ପାଇଛି… ମୁଁ ପର୍ବପର୍ବାଣୀରେ କୃଷକମାନଙ୍କର ଭୂମିକା ସମ୍ପର୍କରେ ଏବଂ ଧାନର ଗୁରୁତ୍ୱ ସମ୍ପର୍କରେ ଅଧିକ ସଚେତନ ହୋଇଛି।’’
ପ୍ରାୟ ଶହେରୁ ଅଧିକ ସ୍ଥାନରେ, ସେମାନଙ୍କର ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପ୍ରକଳ୍ପଗୁଡ଼ିକ ଜରିଆରେ, ସେମାନେ ସେହି ଦିନର ଘଟଣାଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି: ଦିଲ୍ଲୀରେ କୃଷକ ପ୍ରତିବାଦରୁ ଆରମ୍ଭ କରି ସାରା ଦେଶରେ ଅବହେଳିତ ଜନତାଙ୍କ ମଧ୍ୟରେ କୋଭିଡ୍-୧୯ର ପ୍ରଭାବ ଉଦ୍ଭାବନ କରିବା ଏବଂ ପ୍ରବାସୀ ଶ୍ରମିକମାନଙ୍କ ଜୀବନଯାତ୍ରା ଏବଂ ସମସ୍ୟାଗୁଡ଼ିକୁ ଖୋଜିବା ପର୍ଯ୍ୟନ୍ତ।
ଯେତେବେଳେ ସାମ୍ବାଦିକତାର ଛାତ୍ର ଆଦର୍ଶ ବି. ପ୍ରଦୀପ କୋଚିରେ ଗୋଟିଏ କେନାଲ୍ କୂଳରେ ବାସ କରୁଥିବା ପରିବାରଗୁଡ଼ିକ ସେମାନଙ୍କ ଘର ଭିତରକୁ ମଇଳା ପାଣି ପଶିଆସୁଥିବା କାରଣରୁ ଉଚ୍ଚ ସ୍ଥାନକୁ ଚାଲି ଯାଉଥିବା ଦେଖିଲେ, ସେତେବେଳେ ସେ ସେମାନଙ୍କୁ କାହିଁକି ସେମାନଙ୍କର ଘର ତ୍ୟାଗ କରିବାକୁ ପଡ଼ିଲା ତାହା ଉପରେ ଆଲୋକପାତ କରି ଏକ ଆଲେଖ୍ୟ ଲେଖିଲେ। ସେ କହନ୍ତି, ‘‘ପରୀ ସହ କାମ କରିବା ମୋତେ ଅନେକ ଜିନିଷ ଶିଖାଇଛି: ସରକାରୀ ଉତ୍ସରୁ ବିଶ୍ୱାସଯୋଗ୍ୟ ତଥ୍ୟ ସନ୍ଧାନ କରିବାଠାରୁ ଆରମ୍ଭ କରି ଛୋଟ ଛୋଟ ଜିନିଷ ଉପରେ ଧ୍ୟାନଦେବା ପର୍ଯ୍ୟନ୍ତ। ଏହା ଏକ ଶିକ୍ଷଣ ଅଭିଜ୍ଞତା ଥିଲା କିନ୍ତୁ ଏହା ମଧ୍ୟ ମୋତେ ମୁଁ ଯେଉଁ ସମୂହ ଉପରେ ଗବେଷଣା କରୁଥିଲି ତାହାର ନିକଟତର କରିଥିଲା।’’
କେବଳ ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ଅବହେଳିତ ଜନସମୂହକୁ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକ ନୁହେଁ, ଛାତ୍ରଛାତ୍ରୀମାନେ ଏହି ଆଲେଖ୍ୟଗୁଡ଼ିକ ସେମାନଙ୍କର ନିଜ ଭାଷାରେ ମଧ୍ୟ ଲେଖୁଛନ୍ତି। ଆମେ ହିନ୍ଦୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ଲେଖାଯାଇଥିବା ରିପୋର୍ଟଗୁଡ଼ିକ ଗ୍ରହଣ କରୁଛୁ ଏବଂ ପ୍ରକାଶ କରୁଛୁ। ପରୀ ଦ୍ୱାରା ହୋଇଥିବା ଏକ କର୍ମଶାଳାରେ ଯୋଗ ଦେବା ପରେ ବିହାରର ଗୟା ଜିଲ୍ଲାର ସିମ୍ପଲ କୁମାରୀ ହିନ୍ଦୀରେ ଜଣେ ପ୍ରେରଣାଦାୟୀ ବହୁମୁଖୀ ଦଳିତ ମହିଳା ମୋରା ଙ୍କ ସମ୍ପର୍କରେ ହିନ୍ଦୀରେ ଲେଖିଥିଲେ- ସେ ଏକାଧାରରେ ଜଣେ କୃଷକ, ୱାର୍ଡ ସମିତି ସଭ୍ୟ ଏବଂ ହିମାଚଳ ପ୍ରଦେଶର କାଂଗ୍ରା ଜିଲ୍ଲାରେ ଜଣେ ଆଶା କର୍ମୀ।
ପରୀ ଏଜୁକେସନ୍ ୱେବ୍ସାଇଟ୍ରେ , ଆମେ କମ୍ ବୟସର ଲୋକଙ୍କ ଦ୍ୱାରା ଜମା କରାଯାଇଥିବା ୨୦୦ରୁ ଅଧିକ ମୌଳିକ ଆଲେଖ୍ୟ ସ୍ଥାନିତ କରିଛୁ। ସେମାନେ କେବଳ ଗଣମାଧ୍ୟମ ଦ୍ୱାରା ଅନ୍ୟଥା ଅବହେଳିତ ସାଧାରଣ ଲୋକଙ୍କ ଜୀବନର ଖବର ପ୍ରକାଶନ ଏବଂ ଦଲିଲ୍କରଣ କରିନାହାନ୍ତି, ଏଥିସହିତ ସାମାଜିକ, ଅର୍ଥନୈତିକ, ଲିଙ୍ଗଗତ ଏବଂ ଅନ୍ୟାନ୍ୟ ନ୍ୟାୟର ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।
ଦିଲ୍ଲୀରେ ଏକ ଛୋଟ କାରଖାନାରେ ପ୍ରବାସୀ ଶ୍ରମିକଙ୍କ ର ଦୁନିଆକୁ ପରୀକ୍ଷା ନିରୀକ୍ଷା କରିଥିବା ଛାତ୍ର ପ୍ରବୀଣ କୁମାର କହନ୍ତି, ‘‘ମୁଁ ହୃଦୟଙ୍ଗମ କଲି ଯେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକ କେବେହେଲେ ବି କେବଳ ବ୍ୟକ୍ତିଗତ କିମ୍ବା ଏକକ ନୁହେଁ। ବରଂ ଏଗୁଡ଼ିକ ପ୍ରକୃତରେ ସମାଜର ଅନ୍ୟାନ୍ୟ ଭାଗ ସହ ଗଭୀର ଭାବରେ ସଂଯୁକ୍ତ। ଜଣେ ବ୍ୟକ୍ତି ତା’ର ଗାଁ ଛାଡ଼େ ଏବଂ କାମ ପାଇଁ ସହରକୁ ଯାଏ ତାହା ସମୁଦାୟ ସମୂହ, ରାଜ୍ୟ ଏବଂ ଦେଶର ସମସ୍ୟା।’’
ଅନ୍ୱେଷଣ କରିବା, ନିୟୋଜିତ ହେବା ଏବଂ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ମାଧ୍ୟମରେ ଶିକ୍ଷାଲାଭ କରିବା ଆମ ସମାଜକୁ ବୁଝିବାରେ ଆମକୁ ସାହାଯ୍ୟ କରିଥାଏ। ପରୀ ଏଜୁକେସନ୍ ହେଉଛି ସାରା ଜୀବନ ପାଇଁ ଏକ ଶିକ୍ଷା। ସବୁଠାରୁ ଭଲ ଶିକ୍ଷକ ହେଉଛନ୍ତି ସେହିମାନେ ଯେଉଁମାନେ ସେମାନଙ୍କର ଛାତ୍ରଛାତ୍ରୀଙ୍କ ସହ ସଂଯୁକ୍ତ ହୋଇପାରନ୍ତି ଏବଂ ପରୀ ତାହା କରିଥାଏ- ଗ୍ରାମୀଣ ଭାରତକୁ ଯୁବ ଭାରତୀୟଙ୍କ ସହ ସଂଯୁକ୍ତ କରିଥାଏ।
[email protected] ରେ ପରୀ ଏଜୁକେସନ୍ ଟିମ୍ ସହ ଯୋଗାଯୋଗ କରିହେବ
ପ୍ରଚ୍ଛଦ ଫଟୋ: ବିନଇଫର୍ ଭାରୁକା
ଅନୁବାଦ : ଓଡ଼ିଶାଲାଇଭ୍