ପଦ୍ମାବାଈ ଗଜାରେ ନିଜର ଜମି ହରାଇବା ପୂର୍ବରୁ ଏହା କେବଳ ସମୟର ବିଷୟ ହୋଇଥାନ୍ତା। ‘‘ଏହା ଜମି ପାଇଁ ହୋଇନଥିଲେ ଭଗବାନ ଜାଣନ୍ତି ଆମେ କେମିତି ବଞ୍ଚୁଥାନ୍ତୁ’’ ସେ କୁହନ୍ତି।
ତାଙ୍କ ସ୍ୱାମୀ ପନ୍ଧାରିନାଥ, ୩୯ଙ୍କୁ ଏକ ମୋଟରସାଇକେଲ ଦୁର୍ଘଟଣାରେ ହରାଇବାର ୮ବର୍ଷ ପର୍ଯ୍ୟନ୍ତ ପଦ୍ମାବାଈ ଅକ୍ଳାନ୍ତ ପରିଶ୍ରମ କରି ନିଜ ପରିବାରକୁ ସ୍ଥିର କରିଛନ୍ତି, ଯାହାକି କ୍ଷତିରୁ ଉଠିବା ଆରମ୍ଭ କରିଛି। ପନ୍ଧାରିନାଥ ତାଙ୍କ ପଛରେ ଦୁଇଟି ପୁଅ, ଦୁଇଟି ଝିଅ, ତାଙ୍କ ମାଆ ଏବଂ ୬.୫ ଏକର ଚାଷ ଜମି ଛାଡ଼ି ଯାଇଥିଲେ।
ସେ ଔରଙ୍ଗାବାଦର ବୈଜାପୁର ତାଲୁକାରେ ଥିବା ନିଜର ହଦାସ ପିମ୍ପଲଗାଓଁ ଗାଁ’ରେ ଥିବା ଦୁଇବଖରିଆ ଘରେ ବସି କୁହନ୍ତି, ‘‘ମୁଁ ଖୁବ୍ ଭୟଭୀତ ଏବଂ ଏକାକିନୀ ଥିଲି।’’ ‘‘ମୋ ପିଲାମାନେ ଛୋଟ ଥିଲେ। ମୁଁ ଯେଉଁ ଦାୟିତ୍ୱରେ ଅଭ୍ୟସ୍ତ ନଥିଲି ତାହା ନେବାକୁ ହୋଇଥିଲା। ରୋଷେଇଠାରୁ ଆରମ୍ଭ କରି ଚାଷ ଜମି କଥା ମଧ୍ୟ ବୁଝିଲି। ଆଜି ମଧ୍ୟ ମୁଁ ଜମିରେ କାମ କରୁଛି।’’






