ଗତବର୍ଷର ଏକ ଖରାପ ମୌସୁମୀ ଏହି ବର୍ଷ ଆରମ୍ଭରୁ ଦୀର୍ଘକାଳୀନ ସମସ୍ୟାକୁ ବଢ଼ାଇ ଦେଇଛି ଏବଂ ଗଲତାରେର ଜଳ ଉତ୍ସଗୁଡ଼ିକୁ ଶୁଖାଇ ଦେଇଛି। ଏହା ପଲଘର ଜିଲ୍ଲାର ଏହି ଗ୍ରାମର ମହିଳାମାନଙ୍କୁ ପିଇବା ପାଣି ସଂଗ୍ରହ କରିବା ନିମନ୍ତେ ଦୈନିକ ୨୫ କିଲୋମିଟର ଚାଲିବାକୁ ବାଧ୍ୟ କରିଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଅପରାହ୍ନରେ ଭୀଷଣ ଖରାରେ ତିନି ମାଠିଆ ପାଣି ନେଉଥିବା ସମୟରେ ୨୪ ବର୍ଷ ବୟସ୍କା ମାନ୍‌ତା ରିଞ୍ଜାଦ୍‌ ନିଜ ଘରଠାରୁ କୂଅ ମଧ୍ୟରେ ଥିବା ନିକାଞ୍ଚନ ରାସ୍ତାରେ ଅଚେତ୍ ହୋଇପଡ଼ିଲେ। ସେ କୁହନ୍ତି, ‘‘ମୁଁ ରାସ୍ତାରେ ମଲା ମଣିଷ ପରି କେହି ମୋତେ ଦେଖିନଥିଲେ।’’ ‘‘ଯେତେବେଳେ ମୁଁ ୨୦ମିନିଟ୍‌ ପରେ ଉଠିଲି (ମୁଁ ଦେଖିଲି) ମୁଁ ସବୁ ପାଣି ଢ଼ାଳି ଦେଇଛି। କୌଣସି ମତେ ମୁଁ ଘରକୁ ଚାଲିଚାଲି ଫେରିଲି ଏବଂ ସ୍ୱାମୀଙ୍କୁ ଉଠାଇଲି, ସେ ମୋ ପାଇଁ ଲୁଣ-ଚିନି [ଲୁଣ-ଚିନି] ପାଣି କଲେ।’’

ଚଳିତବର୍ଷ, ଗାଲତାରେର ଅନ୍ୟ ମହିଳାଙ୍କମାନଙ୍କ ପରି, ମମତା, ଏକ କୂଅ ପାଖକୁ ଖରାଦିନର ନିତିଦିନିଆ କଷ୍ଟକର ଯାତ୍ରା ଆରମ୍ଭ କରିଥିଲେ। ଏହି କୂଅ ତିନି କିଲୋମିଟର ଦୂରରେ ରହିଛି। ଅନ୍ୟ ବର୍ଷଗୁଡ଼ିକ ତୁଳନାରେ ଏ ବର୍ଷ ଏ ଯାତ୍ରା ଖୁବ୍‌ ଆଗୁଆ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ପଲଘର ଜିଲ୍ଲାର ୱାଡା ତାଲୁକାରେ ଥିବା ଗଲତାରେ ଗ୍ରାମରେ ଥିବା ଦୁଇଟି କୂଅ ଏବର୍ଷ ଫେବୃଆରୀ ମାସରୁ ଶୁଖିଯାଇଛି। ଏଠାରେ ଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି ଅନ୍ୟ ବର୍ଷଗୁଡ଼ିକରେ, ଏହି କୂଅରେ ଥିବା ପାଣି ଯାହାକୁ ସେମାନେ ପିଇବା ଏବଂ ରୋଷେଇରେ ବ୍ୟବହାର କରନ୍ତି ମେ’ ମାସ ଆରମ୍ଭ ପର୍ଯ୍ୟନ୍ତ ରହୁଥିଲା। ଏହା ପରେ, ମହିଳାମାନଙ୍କୁ ଦୂରରେ ଥିବା କୂଅକୁ ଯିବାକୁ ହେଉଥିଲା ଯେଉଁଥିରେ କିଛି ପାଣି ବାକି ଥାଏ। କିନ୍ତୁ ୨୦୧୯ରେ, ଏହି ଅଭାବ କେଇମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା।

ଗ୍ରାମଠାରୁ ପ୍ରାୟ ଅଧକିଲୋମିଟର ଦୂରରେ ପ୍ରବାହିତ ହେଉଥିବା ବୈତର୍ଣ୍ଣ ନଦୀ, ଗଲତାରେର ୨୪୭୪ ଅଧିବାସୀ (୨୦୧୧ ଜନଗଣନା)ଙ୍କ ପାଇଁ ଜଳର ମୁଖ୍ୟ ଉତ୍ସ ମଧ୍ୟରୁ ଅନ୍ୟତମ। ଏମାନଙ୍କ ମଧ୍ୟରୁ ଅଧିକାଂଶ କୋଲି ମହ୍ଲାର ଏବଂ ୱର୍ଲି (ଜନଗଣନାରେ ବର୍ଲି ଭାବରେ ତାଲିକାଭୁକ୍ତ) ଆଦିବାସୀ ସମୂହର। ଚଳିତବର୍ଷ ମେ ସୁଦ୍ଧା ନଦୀରେ କେବଳ ପଥର ଗଦା ହୋଇଛି ଏବଂ ପ୍ରାୟତଃ କେଉଁଠାରେ ପାଣି ନାହିଁ। ଗଲତାରେର ଲୋକମାନେ କୁହନ୍ତି, ପୂର୍ବ ଗ୍ରୀଷ୍ମଋତୁଗୁଡ଼ିକରେ ବୈତର୍ଣ୍ଣରେ ଅଧିକ ପାଣି ଥିଲା। ମାନାଲି କୁହନ୍ତି, ‘‘ନଈରେ ଥିବା ସାମାନ୍ୟ ପାଣି (ବର୍ତ୍ତମାନ) ଗାଈଗୋରୁଙ୍କୁ ଗାଧୋଇବା ପାଇଁ ବ୍ୟବହୃତ ହେଉଛି ଏବଂ ସେହି ସମାନ ମଇଳା ପାଣି ଗାଁ’ ନଳକୁ ଆସୁଛି।

Mamta Rinjad
PHOTO • Shraddha Agarwal
Mamta Rinjad’s house
PHOTO • Shraddha Agarwal

ମମତା ରିଞ୍ଜାଦ (ବାମ) ଗଲତାରେ ଗ୍ରାମରେ ଥିବା ତାଙ୍କ ଘରୁ (ଡାହାଣ) ତିନିକିଲୋମିଟର ଦୂରରେ ଥିବା ଏକ କୂଅକୁ ଦିନରେ ଅନେକ ଥର ଆସୁଛନ୍ତି

ପାଣି କମ୍‌ ହେବାର କାରଣ ମଧ୍ୟରୁ ଗୋଟିଏ ହେଉଛି ଦୁର୍ବଳ ମୌସୁମୀ। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଦର୍ଶାଉଛି ଯେ, ୨୦୧୮ ମସିହାରେ ପଲଘରଠାରେ ତିନିବର୍ଷର ସର୍ବନିମ୍ନ ବୃଷ୍ଟିପାତ ରେକର୍ଡ କରାଯାଇଥିଲା-୨,୩୯୦ ମିମି (ଜୁନ୍‌ରୁ ସେପ୍ଟେମ୍ବର)। କିନ୍ତୁ ୨୦୧୭ରେ ଏହି ସମୟ ମଧ୍ୟରେ ୩,୦୧୫ମିମି ଏବଂ ୨୦୧୬ରେ ୩,୦୫୨ମିମି ବୃଷ୍ଟିପାତ ରେକର୍ଡ କରାଯାଇଥିଲା। ମନ୍ଦିର ପରିସରରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ପ୍ରଦୀପ ପଡଓ୍ୱାଲେ କୁହନ୍ତି, ‘‘ବୃଷ୍ଟିପାତ କମ୍‌ ହେବାରେ ଲାଗିଛି, ଖରାଦିନ ଶୀଘ୍ର ଆରମ୍ଭ ହେଉଛି, ନଦୀଗୁଡ଼ିକ ଶୁଖିଯାଉଛି ଏଥିସହ ଅଧିକ ଉତ୍ତାପ ଯୋଗୁ ଆମେ ଅଧିକ ପାଣି ପିଇବା ବି ଦରକାର ହେଉଛି।’’ ପ୍ରଦୀପ ମନ୍ଦିରରୁ ଅତିଥି ଏବଂ ପର୍ଯ୍ୟଟକମାନଙ୍କୁ ନେବା ଆଣିବା କରି ଦିନରେ ପ୍ରାୟ ୨୫୦ଟଙ୍କା ରୋଜଗାର କରନ୍ତି।

ମୁମ୍ବାଇରେ ଅବସ୍ଥାପିତ ଜନୈକ ପରିବେଶ୍‌ବିତ୍‌ ଷ୍ଟାଲିନ୍‌ ଦୟାନନ୍ଦ କୁହନ୍ତି, ‘‘ଏହି ଅଞ୍ଚଳରେ ଅତ୍ୟଧିକ ଜଙ୍ଗଲ କାଟ ଯୋଗୁଁ ନଦୀଗୁଡ଼ିକ ଶୁଖିବାରେ ଲାଗିଛି। ସେଗୁଡ଼ିକ ଚିରସ୍ରୋତା ନଦୀରୁ ଋତୁକାଳୀନ ନଦୀ ପାଲଟିବାରେ ଲାଗିଛନ୍ତି। ଏହା ହୁଏ ଯେତେବେଳେ ଜଙ୍ଗଲ ଏବଂ ନଦୀଗୁଡ଼ିକ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଏ।’’

ବୈତର୍ଣ୍ଣରୁ ପାଣି ଗଲତାରେର ୪୪୯ ପରିବାରକୁ ୧୨ଟି ସାର୍ବଜନୀନ ନଳ ଦ୍ୱାରା ଯୋଗାଣ କରାଯାଏ। ଏଥିପାଇଁ ପଞ୍ଚାୟତ ପ୍ରତ୍ୟେକ ଘର ପାଇଁ ମାସିକ ୩୦ଟଙ୍କା ଦେୟ ନେଇଥାଏ। ଏସବୁ ନଳ ଦୁଇ ସପ୍ତାହ ତଳୁ ଶୁଖିଗଲାଣି। ଅତୀତରେ ଗାଁ’ର ପିଲାମାନେ ପ୍ରଦୂଷିତ ନଳ ପାଣି ପିଇ ଅସୁସ୍ଥ ହୋଇଥିଲେ। ପ୍ରଦୀପଙ୍କ ପତ୍ନୀ ୨୬ବର୍ଷ ବୟସ୍କା ପ୍ରତୀକ୍ଷା ପଡ଼ଓ୍ୱାଲେ କୁହନ୍ତି, ‘‘ଛୋଟ ପିଲାମାନେ ବୁଝିପାରନ୍ତି ନାହିଁ ଏ ପାଣି ମଇଳା।’’ ସେମାନଙ୍କର ଦୁଇଟି ପୁଅ, ୧୦ ବର୍ଷର ପ୍ରତୀକ ଏବଂ ୮ବର୍ଷର ପ୍ରନୀତ୍‌। ସେ କୁହନ୍ତି, ‘‘ଦୁଇମାସ ତଳେ, ରାତି ପ୍ରାୟ ୧୧ଟା ସମୟରେ, ପ୍ରତୀକ ଭୀଷଣ ଅସୁସ୍ଥ ହୋଇପଡ଼ିଲା, ସେ କାନ୍ଦିଲା ଏବଂ ବାନ୍ତିକଲା। ସେ କହିଲା, ଆମକୁ ପାଖ ଗଳିରେ ରହୁଥିବା ଅଟୋବାଲାର ଘରକୁ ଯାଇ ତାକୁ ଡାକିବାକୁ ହେଲା ଆମକୁ ଡାକ୍ତରଖାନା ନେବା ପାଇଁ।’’ ତାଙ୍କର ନିକଟତମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗଲତାରେରୁ ୮ କିଲୋମିଟର ଦୂର ହମାରାପୁର ଗ୍ରାମରେ ଅଛି।

One of the dugwells of Galtare
PHOTO • Shraddha Agarwal
Vaitarna river
PHOTO • Shraddha Agarwal

ଗଲତାରେ ଗ୍ରାମର ଦୁଇଟି କୂଅ (ଗୋଟିଏ ଫଟୋରେ ବାମ ପାଖରେ) ଶୁଖିଯାଇଛି ଏବଂ ନିକଟସ୍ଥ ବୈତର୍ଣ୍ଣ ନଦୀ (ଡାହାଣ)ରେ ଅଳ୍ପ କେଇଟି ସ୍ଥାନରେ ପାଣି ଅଛି

ପଡ଼ଓ୍ୱାଲ ପରିବାରର ୩ଏକର ଜମି ଠିକ୍‌ ଗାଁ’ ବାହାରେ ଅଛି। ଏହି ଜମିରେ ସେମାନେ ଧାନ ଏବଂ ବାଜରା ଚାଷ କରନ୍ତି। ପ୍ରଦୀପ କୁହନ୍ତି, ‘‘ଆମ ଗାଁ’ରେ ଅନେକ ପରିବାରର ୨-୩ ଏକର ଜମି ଅଛି। କିନ୍ତୁ ପାଣି ବିନା ସେଗୁଡ଼ିକ ମୂଲ୍ୟହୀନ। ମୁଁ ଚାଷୀ ହୋଇ ମଧ୍ୟ ଖରାଦିନେ ଜଣେ ଡ୍ରାଇଭର ଭାବରେ କାମ କରେ।

ଗାଁ’ର ଦୁଇ ପୁରୁଣା ଗଭୀର କୂପରେ ସାମାନ୍ୟ ପାଣି ଅଛି ଏବଂ ହ୍ୟାଣ୍ଡପମ୍ପଗୁଡ଼ିକ ବାରମ୍ବାର ଅଚଳ ହୋଇଯାଏ। ୨୦୧୮ ମସିହାରେ ଏବଂ ୨୦୧୫ ପଞ୍ଚାୟତ ନିର୍ବାଚନ ସମୟରେ ପଞ୍ଚାୟତ ଗ୍ରାମର ଜମି ସର୍ବେକ୍ଷଣ କରି ୫ଟି ଅଧିକ ବୋରଓ୍ୱେଲ୍‌ ଖୋଳିଥିଲା। କିନ୍ତୁ ହ୍ୟାଣ୍ଡପମ୍ପ ଲଗା ଯାଇନଥିଲା ବୋଲି ଗଲତାରେର ଲୋକମାନେ ମନେପକାଇ କୁହନ୍ତି। ପ୍ରତୀକ୍ଷା କୁହନ୍ତି, ‘‘ଏପରିକି ମୁଁ ମୋ ଜମି ହ୍ୟାଣ୍ଡପମ୍ପ ପାଇଁ ବ୍ୟବହାର କରିବା ନିମନ୍ତେ ଦର୍ଶାଇ ଷ୍ଟାମ୍ପ ପେପର ମଧ୍ୟ ପ୍ରସ୍ତୁତ କରିଦେଇଥିଲି। କିନ୍ତୁ ପଞ୍ଚାୟତ ଏ ପର୍ଯ୍ୟନ୍ତ ନିର୍ମାଣ ଆରମ୍ଭ କରିନାହିଁ।’’

‘‘ଆମେ ବର୍ଷକୁ ମାତ୍ର ୧୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଉଛୁ। ଗୋଟିଏ ବୋରଓ୍ୱେଲ୍‌ ଖୋଳିବା ପାଇଁ ୮୦,୦୦୦ଟଙ୍କା ଖର୍ଚ୍ଚ ହୁଏ। ଆମକୁ ଅନ୍ୟ ଅତ୍ୟାବଶ୍ୟକ ପ୍ରସଙ୍ଗରେ ମଧ୍ୟ ଏହି ପାଣ୍ଠି ଖର୍ଚ୍ଚ କରିବାକୁ ହୋଇଥାଏ।’’ ଏହା କୁହନ୍ତି ୩୦ବର୍ଷ ବୟସ୍କ ଯୋଗେଶ ବର୍ଥା; ସେ ମୋ ପ୍ରଶ୍ନର ଉତ୍ତର ଦେବା ବେଳେ ତାଙ୍କପତ୍ନୀ ଏବଂ ଗଲତାରେର ସରପଞ୍ଚ ୨୯ବର୍ଷ ବୟସ୍କା ନେତ୍ରା ନୀରବରେ ଛିଡ଼ା ହୋଇଥାନ୍ତି।

ଯେତେବେଳେ ଜଳ ଉତ୍ସଗୁଡ଼ିକ ଶୁଖିଯାଏ, ସେତେବେଳେ ଗ୍ରାମର ମହିଳା ଏବଂ ଝିଅମାନେ ସାଧାରଣତଃ ପାଣି ସଂଗ୍ରହ କରିବା ଏବଂ ତାହାକୁ ନିଜନିଜର ପରିବାର ପାଇଁ ସାଇତି ରଖିବାର ଉଠାଇଥାନ୍ତି। ତିନି କିଲୋମିଟର ଦୂରରେ ଥିବା କୂଅ ତଳୁ ପାଣି ସଂଗ୍ରହ କରିବାକୁ ଚେଷ୍ଟା କରିବା ସମୟରେ ନନ୍ଦିନୀ ପଡ଼ଓ୍ୱାଲେ ଚିତ୍କାର କରି କୁହନ୍ତି, ‘‘ଆମ ପାଇଁ ସହରରୁ ଟ୍ୟାଙ୍କର ଆଣ। ଆମେ ଥକି ଗଲୁଣି।’’ ବର୍ତ୍ତମାନ ଏହା ତାଙ୍କ ପରିବାରର ପାନୀୟ ଜଳର ଏକମାତ୍ର ଉତ୍ସ। ସେ ୧୦୦ଫୁଟ ଗଭୀର କୂଅର ତିନିଫୁଟ ଉଚ୍ଚ ଫନ୍ଦ ଉପରେ ଛିଡ଼ା ହୋଇ ଦଉଡ଼ି ସାହାଯ୍ୟରେ ଗୋଟିଏ ପ୍ଲାଷ୍ଟିକ୍‌ ବାଲ୍‌ଟିରେ ବାଲଟିଏ ପାଣି ଉଠାଉଛନ୍ତି। ଟିକିଏ ଏପଟସେପଟ ହୋଇଗଲେ ସେ ସିଧା ତଳେ ପଡ଼ିବେ।

Pratiksha Padwale showing contaminated tap water
PHOTO • Shraddha Agarwal
Contaminated tap water
PHOTO • Shraddha Agarwal
One of the hand pumps that barely trickles water
PHOTO • Shraddha Agarwal

ପ୍ରତୀକ୍ଷା ପଡ଼ଓ୍ୱାଲେ ନଦୀରୁ ଗୋଳିଆ ପାଣି ସହ (ବାମ ଏବଂ କେନ୍ଦ୍ର)। ଗ୍ରାମର ଦୁଇ ପୁରୁଣା ବୋରୱେଲ୍‌ର ହ୍ୟାଣ୍ଡପମ୍ପ (ଡାହାଣ) ବାରମ୍ବାର ଅଚଳ ହୋଇଯାଏ।

କୂଅକୁ ଯିବା ପାଇଁ ଏବଂ ଘରକୁ ଫେରିବା ପାଇଁ ନନ୍ଦୀନିକୁ ଫେରିବା ପାଇଁ ୫୦-୬୦ମିନିଟ୍‌ ଲାଗେ। ଏବଂ ସେ ଦିନରେ ଅତିକମ୍‌ରେ ୪ଥର ଯିବା ଆସିବା କରନ୍ତି। ଦୁଇଥର ସକାଳ ୬ଟା ସମୟ ପରେ, ଥରେ ଅପରାହ୍ନରେ ଏବଂ ଏହା ପରେ ଅନ୍ଧାର ହୋଇଯିବା ପୂର୍ବରୁ ସନ୍ଧ୍ୟା ୬ଟାରେ। ସେ କୁହନ୍ତି, ‘‘ମୁଁ ଅଧା ବାଟରେ ବିଶ୍ରାମ ନେବାକୁ ଅଟକି ପାରିବି ନାହିଁ’’, କାରଣ ‘‘ମାଠିଆଗୁଡ଼ିକର ସନ୍ତୁଳନ ରକ୍ଷା କରିବା ଏମିତିରେ କଷ୍ଟ। ଯଦି ମୁଁ ଏହାକୁ ମୁଣ୍ଡରୁ ତଳକୁ ଓହ୍ଲାଇବି ପୁଣି ଉଠାଇବି ତାହା ହେଲେ ମୋର ସାରାଦିନ ଚାଲିଯିବ।’’

ପ୍ରତିଦିନ ସଫା ପାଣି ସଂଗ୍ରହ କରିବାର ପରିଶ୍ରମ- ୪ଥରରେ ସମୁଦାୟ ୨୪କିଲୋମିଟର –ତାଙ୍କର ଭୀଷଣ ଆଣ୍ଠୁଯନ୍ତ୍ରଣା ଆରମ୍ଭ କରିଛି। ୩୪ ବର୍ଷ ବୟସ୍କା ନନ୍ଦିନୀ କୁହନ୍ତି, ‘‘ଏହା ମୋର ଆଣ୍ଠୁ ନଷ୍ଟ କରିଦେଇଛି।’’ ତେଣୁ ତିନୋଟି ଧାତବ ହାଣ୍ଡିରେ ନଅ ଲିଟର ପାଣି ଆଣିବା ବଦଳରେ ସେ ଏବେ ଦୁଇଟି ପ୍ଲାଷ୍ଟିକ୍‌ ପାତ୍ରରେ ଆଠ ଲିଟର ଲେଖାଏଁ ପାଣି ଆଣୁଛନ୍ତି। ତାଙ୍କ ସ୍ୱାମୀ ନୀତିନ୍ଙ୍କର ଦୁଇଏକର ଜମି ଅଛି, ଏଥିରେ ତାଙ୍କ ପରିବାର ଧାନ ଏବଂ ମଟର ଚାଷ କରନ୍ତି। ସେ. ବେଳେ ବେଳେ ଡ୍ରାଇଭର ଭାବରେ ମଧ୍ୟ କାର୍ଯ୍ୟ କରନ୍ତି।

ମମତା ରିଞ୍ଜାଦ, ଯେ ମାର୍ଚ୍ଚ ମାସରେ ଅଚେତ ହୋଇଯାଇଥିଲେ, ସେ ମଧ୍ୟ ଦିନକୁ କୂଅ ପାଖକୁ ୪-୫ଥର ଯାଆନ୍ତି। ସେ ମୁଣ୍ଡରେ ଦୁଇଟି ମାଠିଆ ଏବଂ ଅଣ୍ଟାରେ ଗୋଟିଏ ମାଠିଆ ରଖି ପାଣି ଆଣନ୍ତି। ପ୍ରତ୍ୟେକରେ ୪ଲିଟର ଲେଖାଏ ପାଣି ରହେ। ପାଣି ପାଇଁ ଦିନକୁ ୨୫-୩୦ କିଲୋମିଟର ଚାଲିବା ତାଙ୍କ ପାଇଁ ଅଧିକ କଷ୍ଟକର। ସେ ବୁଝାଇ କୁହନ୍ତି, ‘‘ମୋର ଗୋଟିଏ ଗୋଡ଼ ଜନ୍ମରୁ ଅନ୍ୟ ଗୋଡ଼ ତୁଳନାରେ ଛୋଟ’’। ‘‘ପ୍ରତିଦିନ ଯେତେବେଳେ ମୁଁ ମୁଣ୍ଡରେ ପାଣି ବୋହି ଆଣେ ମୋର ଗୋଡ଼ ଅଚଳ ହୋଇଯାଏ।।’’

Nandini Padwale standing on the well
PHOTO • Shraddha Agarwal
Deepali Khalpade (who shifted to Man pada) carrying pots of water on her head
PHOTO • Shraddha Agarwal
Women carrying water
PHOTO • Shraddha Agarwal

ବାମ: ନନ୍ଦିନୀ ପଡ଼ଓ୍ୱାଲେ କୁଅ ଧାରରେ; ଗୋଟିଏ ପାଦ ଭୁଲ ହେଲେ ସେ ସିଧା କୂଅରେ ପଡ଼ିବେ। ମଝି: ହତାଶ ହୋଇଦୀପାଲି ଖଲପଡ଼େ ଏବଂ ତାଙ୍କ ପରିବାର ଏକ ନିକଟସ୍ଥ ବସ୍ତିକୁ ଚାଲି ଗଲେ। ଡାହାଣ ଯେତେବେଳେ ଜଳ ଉତ୍ସ ଶୁଖିଯାଏ, ସେତେବେଳେ ଗାଁ’ର ମହିଳା ଏବଂ ଝିଅମାନେ ସେମାନଙ୍କ ପରିବାର ପାଇଁ ପାଣି ସଂଗ୍ରହ କରିବା ଏବଂ ସାଇତି ରଖିବାର ଅତିରିକ୍ତ ବୋଝ ବହନ କରନ୍ତି।

ବର୍ଷ ପରେ ବର୍ଷ ହତାଶ ହୋଇ ପ୍ରାୟ ୨୦ଟି ପରିବାରର କିଛି ସଦସ୍ୟ ଗଲତାରେରୁ ସ୍ଥାୟୀ ଭାବରେ ୮କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲ ଜମିରେ ଥିବା ବସ୍ତିକୁ ଚାଲିଯାଇଛନ୍ତି। ସେଠାରେ ସେମାନେ ଜଙ୍ଗଲ ଜମିରେ ଚାଷ କରୁଛନ୍ତି। ଦୀପାଲି ଖଲପାଡ଼େ କୁହନ୍ତି, ‘‘ଆମ ପଡ଼ା [ବସତି]ରେ ଗୋଟିଏ କୂଅ ଅଛି ଯେଉଁଥିରେ ସଫା ପାଣି ଅଛି।’’ ୱାର୍ଲିଂ ସମୂହର ଏହି ମହିଳା ୫ବର୍ଷ ତଳେ ପଡ଼ାକୁ ଚାଲିଯାଇଥିଲେ। ସେ କୁହନ୍ତି, ‘‘ଯଦିଓ ମୋତେ ମନ୍ଦିର [ଯେଉଁଠାରେ ସେ ମାଳି ଭାବରେ କାମ କରନ୍ତି]କୁ ଚାଲିକରି ଆସିବା ପାଇଁ ଘଣ୍ଟାଏ ଲାଗେ କିନ୍ତୁ ଏହା ପାଣି ନଥିବା ଗାଁ’ରେ ବାସ କରିବା ଠାରୁ ଢ଼େର ଭଲ।’’

୫ବର୍ଷ ଧରି ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଗଲତାରେର ମହିଳାମାନେ ୱାଡ଼ା (ଜନଗଣନାରେ ବାଡ଼ା ଭାବରେ ତାଲିକାଭୁକ୍ତ) ସହରର ବିଷ୍ଣୁ ଶବରଙ୍କ ଘରକୁ ଏକ ଶୋଭାଯାତ୍ରାରେ ଯାଆନ୍ତି ଏହା ଗଲତାରେଠାରୁ ପ୍ରାୟ ୩୦କିଲୋମିଟର ଦୂରରେ। ଶ୍ରୀ ଶବର ଜଣେ ଭାରତୀୟ ଜନତା ପାର୍ଟି ନେତା ଏବଂ ପୂର୍ବତନ ଆଦିବାସୀ ଉନ୍ନୟନ ମନ୍ତ୍ରୀ। ପ୍ରତିଥର ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ସହ ଫେରାଇ ଦିଆଯାଏ। ଯୋଗେଶ କୁହନ୍ତି, ‘‘ଯଦିଓ ବିଷ୍ଣୁ ସାହେବ ଆମ ଗାଁ’ର ସେ ଆମକୁ ସାହାଯ୍ୟ କରିବା ପାଇଁ କିଛି ବି କରିନାହାନ୍ତି’’।

ଆମେ କଥାବାର୍ତ୍ତା ହେବା ଭିତରେ ରବିବାରର ଅପରାହ୍ଣ ହୋଇଗଲା, ଏବଂ ମହିଳା ଏବଂ କମ୍‌ ବୟସର ଝିଅମାନେ ନିଜ ନିଜ ଘରୁ ଖାଲି ମାଠିଆ ଧରି ବାହାରିଲେ। ହ୍ୟାଣ୍ଡ ପମ୍ପ୍‌ ପାଖରେ ଧାଡ଼ିରେ ଛିଡ଼ା ହୋଇ ପାଣି ଭରିବା ପାଇଁ ନିଜ ପାଳି ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମହିଳାମାନେ । ସେହି ଧାଡ଼ିରେ ଯୋଗ ଦେବା ପାଇଁ ଦୌଡ଼ି ଦୌଡ଼ି ଯାଉଥିବା ସମୟରେ ୧୫ ବର୍ଷ ବୟସ୍କା ଅସ୍ମିତା ଧନଓ୍ୱା କହିଥିଲେ, ‘‘ସଫା ପାଣି ଏକ ବିଳାସ, ଆମେ ତା’ର ମୂଲ୍ୟ ଦେଇପାରିବୁ ନାହିଁ। ମୁଁ ମୁଣ୍ଡରେ ଦୁଇଟି ହାଣ୍ଡି ରଖି ପାଣି ଆଣିବା ଶିଖିଯାଇଛି। ଏହା ଆମ ସମୟ ବଞ୍ଚାଏ।’’ ୨୭ ବର୍ଷ ବୟସ୍କା ସୁନନ୍ଦା ପଡଓ୍ୱାଲେ କୁହନ୍ତି, ‘‘ପମ୍ପ ମାରିବା ଦ୍ୱାରା ମୋ ଛାତି ଏବଂ ପିଠିରେ ଯନ୍ତ୍ରଣା ହେଉଛି। ପାଣି ଏତେ ଧିରେ ଆସୁଛି ଯେ ୬ ଲିଟର ପାଣି ଧରୁଥିବା ହାଣ୍ଡି ପୂରିବା ପାଇଁ ୨୦ ମିନିଟ୍‌ ପମ୍ପ୍‌ ମାରିବାକୁ ହେଉଛି।’’ ତାଙ୍କ ୧୦ ବର୍ଷର ଝିଅ ଦୀପାଳୀ ମା’ ଠାରୁ ଏହି ଦାୟିତ୍ୱ ନିଏ, ପମ୍ପ୍‌ ମାରିବା ସମୟରେ ଦେଖେ ଯେ ଆଉ ପାଣି ଆସୁନି ।

ଅନୁବାଦ: ଓଡ଼ିଶାଲାଇଭ୍‍

Shraddha Agarwal

شردھا اگروال پیپلز آرکائیو آف رورل انڈیا کی رپورٹر اور کانٹینٹ ایڈیٹر ہیں۔

کے ذریعہ دیگر اسٹوریز Shraddha Agarwal
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE