ସମିରୁଦ୍ଦିନ ଶେଖ ଦିନରେ ଦୁଇ ଥର ଅହମ୍ମଦାବାଦର ପୁରୁଣା ସହରସ୍ଥିତ ଭିଡ଼ ଇଲାକାର ଗଳିରେ ନିଜର ସାଇକେଲ ଧରି ଏପଟସେପଟ ହୋଇଥାନ୍ତି। ତାଙ୍କ ଘର ଫତେବାଡ଼ି, ଜୁହାପୁରାରୁ ତାଜ ଏନଭଲପସ୍ ପର୍ଯ୍ୟନ୍ତ ୧୩ କିଲୋମିଟର ତାଙ୍କୁ ଯାତ୍ରା କରିବାକୁ ପଡ଼ିଥାଏ। ନିଜର ଏହି କାର୍ଯ୍ୟସ୍ଥଳୀରେ ପହଞ୍ଚିବା ଲାଗି ତାଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗେ। “બાઇકહૈપરનહીંલેજાતા, ક્યોંકિપેટ્રોલનહીંપોસાતા [ମୁଁ ବାଇକ ନେଇପାରିବି ନାହିଁ କାରଣ ପେଟ୍ରୋଲ ଭରିବାକୁ ମୋ ପାଖରେ ଟଙ୍କା ନାହିଁ],”ନିଜ ସାଇକେଲ ରଖିବା ସମୟରେ ଏହି ୩୬ ବର୍ଷ ବୟସ୍କ ମୃଦୁଭାଷୀ ବ୍ୟକ୍ତିଜଣଙ୍କ କୁହନ୍ତି।
ପୁରୁଣା ସହରର ଖାଡ଼ିଆ ନାମକ ସ୍ଥାନରେ ଥିବା ଏକ ସପିଂ କମ୍ପ୍ଲେକ୍ସର ବେସମେଣ୍ଟରେ ୧୦ x୨୦ ଆକାର ବିଶିଷ୍ଟ ଏକ କୋଠରୀରେ ତାଙ୍କର କାର୍ଯ୍ୟ ଦିବସ ଆରମ୍ଭ ଓ ଶେଷ ହୋଇଥାଏ। ସେ ତାଙ୍କ ଭଳି ଆଉ ୧୦ ଜଣ ଲୋକଙ୍କ ସହିତ ଲଫାପା ତିଆରି କାମରେ ଲାଗି ପଡ଼ନ୍ତି। ବ୍ୟକ୍ତିଗତ ଭାବେ ଦିନକୁ ସେ ସର୍ବାଧିକ ୬,୦୦୦ରୁ ୭,୦୦୦ ଲଫାପା ତିଆରି କରନ୍ତି।
ଲଫାପା ତିଆରି କରିବା ଯେତିକି ସହଜ ଲାଗେ ପ୍ରକୃତରେ ସେତେ ସହଜ ନୁହେଁ । ସମିରୁଦ୍ଦିନ କୁହନ୍ତି, “ଏହି କଳା ଶିଖିବା ଲାଗି ଦେଢ଼ରୁ ଦୁଇ ବର୍ଷ ସମୟ ଲାଗିଥାଏ। ଯେପର୍ଯ୍ୟନ୍ତ ଉସ୍ତାଦ (ବରିଷ୍ଠ ଶିଳ୍ପକାର ଏବଂ ପ୍ରଶିକ୍ଷକ) ଆପଣଙ୍କ କାମର ଗୁଣବତ୍ତାକୁ ମଞ୍ଜୁରି ଦିଅନ୍ତି ନାହିଁ ଏବଂ ସେଥିରେ ନିଜର ମୋହର ଲଗାନ୍ତି ନାହିଁ ସେ ପର୍ଯ୍ୟନ୍ତ ଆପଣ ଜଣେ ସ୍ୱାଧୀନ କର୍ମଚାରୀ ଭାବେ ସ୍ୱତନ୍ତ୍ର ବେତନ ପାଇବାକୁ ହକଦାର ହୋଇପାରିବେ ନାହିଁ ।”
ଏଠାରେ ଗୁଣବତ୍ତାର ଅର୍ଥ ହେଉଛି ଗତି, ସଠିକତା, ନିପୁଣତା ଓ ଉପକରଣ ଜ୍ଞାନର ଏକ ମିଶ୍ରଣ। ପ୍ରତ୍ୟେକ କାର୍ଯ୍ୟଶାଳାରେ କଟିଂ ଓ ପ୍ୟାଚିଂ ପାଇଁ ଦୁଇଟି ମେସିନକୁ ଛାଡ଼ି ଦେଲେ ସବୁ କାମ ହାତରେ କରାଯାଇଥାଏ।
ମୁଖ୍ୟତଃ କାର୍ଯ୍ୟଶାଳାର ମାଲିକମାନେ ମେସିନ ପରିଚାଳନା କରିଥାନ୍ତି; ବଡ଼ ଆକାରର କାଗଜକୁ ଛୋଟ ଛୋଟ ନିର୍ଦ୍ଧାରିତ ଆକାରରେ କଟାଯାଏ ଏବଂ ଏକ ସ୍ୱତନ୍ତ୍ର ଡାଇ ବ୍ୟବହାର କରାଯାଇ ଭିନ୍ନ ଭିନ୍ନ ଆକାରରେ ଭଙ୍ଗା ଯାଇଥାଏ। ଶ୍ରମିକମାନେ କାଗଜ ଗଣିଥାନ୍ତି ଏବଂ ଗୋଟିଏ ଥରରେ ୧୦୦ଟି ଲଫାପା ମୋଡ଼ନ୍ତି, ଅଠା ଲଗାଇଥାନ୍ତି, ସିଲ ଓ ପ୍ୟାକିଂ କରିଥାନ୍ତି।
ଏହି ପ୍ରକ୍ରିୟାକୁ ସାବଧାନତାପୂର୍ବକ କରିବାର ଆବଶ୍ୟକତା ରହିଛି। ଲଫାପାର ପ୍ରତ୍ୟେକ ଭାଙ୍ଗକୁ ବିଶେଷ ନାମ ଦିଆଯାଇଛି – ମାଥୁ (ଉପର ଭାଙ୍ଗ), ପେଣ୍ଡି (ନିମ୍ନ ଭାଙ୍ଗ), ଧାପା (କଡ଼ ଭାଙ୍ଗ ଯେଉଁଥିରେ ଅଠା ଲଗାଯାଏ), ଖୋଲା (କଡ଼ ଭାଙ୍ଗ ଯାହାକୁ ପୂର୍ବରୁ ଅଠାରେ ଲଗାଯାଇଥିବା ଭାଙ୍ଗ ସହିତ ଲଗାଯାଏ)। ଆହୁରି ସ୍ପଷ୍ଟ ଭାବେ ନାମକରଣ କରାଯାଇଥିବା ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ କଡ଼ାକଡ଼ି ପାଳନ କରାଯିବା ଉଚିତ୍। ଉପକରଣଗୁଡ଼ିକୁ ସାବଧାନତାପୂର୍ବକ ଓ ସଠିକ ଜ୍ଞାନ ହାସଲ କରିବା ପରେ ଉପଯୋଗ କରାଯିବା ଉଚିତ, ନଚେତ ଏଥିରୁ ଗମ୍ଭୀର ଆଘାତ ଲାଗିପାରେ ।
କଡ଼ ଭାଙ୍ଗଗୁଡ଼ିକୁ ଯେତେବେଳେ ମୋଡ଼ା ଯାଇଥାଏ, କାରୀଗରମାନେ ନିଜ ମୁଠିର ଉପଯୋଗ କରିଥାନ୍ତି ଓ ଏହାପରେ ପତ୍ଥର (ପଥର) ନାମକ ଉପକରଣକୁ ସ୍ପଷ୍ଟ ମୁନିଆ ଧାର ତିଆରି କରିବାକୁ ଉପଯୋଗ କରିଥାନ୍ତି । ଏହି ‘ଫୋଲ୍ଡିଂ ଷ୍ଟୋନ’କୁ ପୂର୍ବରୁ ପେଶିବା ପଥରରେ ତିଆରି କରାଯାଉଥିଲା କିନ୍ତୁ ଏବେ ଏହା ସ୍ଥାନରେ ଲୁହାର ଓଜନିଆ ସ୍ଲାବ ବ୍ୟବହାର କରାଯାଉଛି। ୫୧ ବର୍ଷୀୟ ଅବଦୁଲ ମୁତ୍ତାଲିବ ଅନସାରୀ କୁହନ୍ତି, “ଯେତେବେଳେ ମୁଁ ପ୍ରକ୍ରିୟା ଶିଖୁଥିଲି ପଥରରେ ମୋ ହାତ ଚାପି ହୋଇଯାଇଥିଲା। ମୋର ହାତରୁ ରକ୍ତ ଛିଟିକି ବାହାରି ଆସିଥିଲା ଏବଂ ପାଖରେ ଥିବା କାନ୍ଥରେ ପଡ଼ିଥିଲା। ଏହି ସମୟରେ ମୋତେ ଉସ୍ତାଦ କହିଥିଲେ ଯେ, ଯଦି ମୁଁ ଜଣେ କୁଶଳୀ କାରିଗର ହେବାକୁ ଚାହୁଁଛି, ତା’ହେଲେ ମୋତେ ଶାରୀରିକ ବଳ ଅପେକ୍ଷା ଜ୍ଞାନକୌଶଳ ଉପଯୋଗ କରିବାକୁ ହେବ।”
ସେହି ‘ପଥର’ ଓଜନ ପ୍ରାୟ ଗୋଟିଏ କିଲୋଗ୍ରାମ ହେବ। “ଏକ ସାଧାରଣ ଲଫାପା ପାଇଁ ଆପଣଙ୍କୁ ଏହା ଚାରିରୁ ପାଞ୍ଚ ଥର ବ୍ୟବହାର କରିବାକୁ ହେବ,’’ ଅବଦୁଲ ମୁତ୍ତାବିଲ ଅନସାରୀ କୁହନ୍ତି । ‘‘କାଗଜର ମୋଟେଇ ଉପରେ ନିର୍ଭର କରି ଆପଣଙ୍କର କୌଶଳ ପରିବର୍ତ୍ତନ ହେବା ଉଚିତ୍। ଆପଣ କେତେ ଉଚ୍ଚକୁ ପତ୍ଥର ଉଠାଇବେ, କେତେ ଜୋରରେ ମାଡ଼ କରିବେ ଏବଂ କେତେ ଥର ଆପଣ ମାଡ଼ କରିବେ, କେବଳ କାମ କରିବା ସମୟରେ ଆପଣ ଏସବୁ କଥା ଶିଖିପାରିବେ,’’ ୫୨ ବର୍ଷ ବୟସ୍କ ଅବଦୁଲ ଗଫର ଅନସାରୀ କହିଥାନ୍ତି । ‘‘ତିଆରି ସମୟରେ ଗୋଟିଏ ଲଫାପା ୧୬ରୁ ୧୭ ଥର ଆମ ହାତର ସ୍ପର୍ଶ ପାଇଥାଏ। ତେଣୁ ସବୁ ଦିନ ଆମ ହାତ କଟିବାର ଆଶଙ୍କା ଅଧିକ ଥାଏ। ଯଦି ଅଠା ଆପଣଙ୍କର କଟା ହାତରେ ବାଜିଗଲା, ତା’ହେଲେ ଖୁବଜୋରରେ ପୋଡ଼ିଥାଏ,’’ ସେ କୁହନ୍ତି ।
ଲଫାପା ତିଆରି କରୁଥିବା ୬୪ ବର୍ଷ ବୟସ୍କ ମୁସ୍ତାନସିର ଉଜ୍ଜୟିନୀ କୁହନ୍ତି ଯେ ସେ ନିଜ କଟା ହାତରେ ଗରମ କୋକମ ତେଲ ଲଗାଇଥାନ୍ତି। ଅନ୍ୟମାନେ ଆରାମ ପାଇବା ଲାଗି ଭେସଲିନ କିମ୍ବା ନଡ଼ିଆ ତେଲ ଉପଯୋଗ କରିଥାନ୍ତି । କାଗଜର ପ୍ରକାରଭେଦ ଉପରେ କାମର କଠିନତା ନିର୍ଭର କରିଥାଏ । ‘‘ବେଳେବେଳେ ଯେତେବେଳେ ଆମକୁ କଡ଼କମାଲ (୧୨୦ ଜିଏସଏମର ଆର୍ଟ ପେପର) କାଗଜ ମିଳେ, ଆମ ହାତକୁ ଯନ୍ତ୍ରଣା ହୁଏ। ତା’ପରେ ମୁଁ ଆରାମ ପାଇବା ଲାଗି ଲୁଣ ଗରମ ପାଣିରେ ସାତ-ଆଠ ମିନିଟ୍ ପର୍ଯ୍ୟନ୍ତ ହାତକୁ ବୁଡ଼େଇ ରଖିଥାଏ,’’ ସୋନଲ ଏନଭଲପ୍ସର ମହମ୍ମଦ ଆସିଫ କହିଥାନ୍ତି । ‘‘ଶୀତ ଦିନେ ମଧ୍ୟ ଆମ ହାତକୁ ଯନ୍ତ୍ରଣା ହୁଏ। ସେତେବେଳେ ମଧ୍ୟ ମୁଁ ଆରାମ ପାଇବାକୁ ଗରମ ପାଣି ବ୍ୟବହାର କରିଥାଏ,’’ ସମିରୁଦ୍ଦିନ ଶେଖ କୁହନ୍ତି ।
ଏହି କାମରେ କାରିଗରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚଟାଣରେ ବସି ରହିବାକୁ ପଡ଼ିଥାଏ। ‘‘ଆମେ ସକାଳ ସାଢ଼େ ୯ଟାରେ ତଳେ ବସି କାମ ଆରମ୍ଭ କରିଥାଉ ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଗୋଟାଏ ବେଳେ ଉଠିବା ପର୍ଯ୍ୟନ୍ତ ସେମିତି ବସି ରହିଥାଉ। ସନ୍ଧ୍ୟାରେ ମୁଁ ଯେତେବେଳେ କାମରୁ ଉଠିଥାଏ ମୋ ପିଠି ଯନ୍ତ୍ରଣା ହୁଏ,’’ ସମିରୁଦ୍ଦିନ କୁହନ୍ତି । ସମାନ ସ୍ଥିତିରେ ବସି ରହି ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଥିବା କାରଣରୁ ତାଙ୍କ ଗୋଇଠିରେ ବିଣ୍ଡି ପଡ଼ିଗଲାଣି। ସେ କୁହନ୍ତି, ‘‘ସମସ୍ତଙ୍କର ଏମିତି ସମସ୍ୟା ହେବ । କାରଣ ସେମାନେ ସମସ୍ତେ ଚଟାଣରେ ଗୋଟିଏ ଗୋଡ଼କୁ ଭାଙ୍ଗି ବସୁଛନ୍ତି । ଯଦି ମୁଁ ମୋ ଗୋଡ଼କୁ ସୁରକ୍ଷିତ ରଖିବାକୁ ଚାହିଁବି ତା’ହେଲେ ମୋର ପିଠି ବିନ୍ଧିବ,’’ ସେ ଆହୁରି କହିଥାନ୍ତି ।
ଏହି କାମରୁ ଖୁବ କମ୍ ରୋଜଗାର ହେଉଛି, ତା’ଛଡ଼ା ଆଘାତ, ପୋଡ଼ାଜଳା, ଦେହହାତ ଦରଜ ଓ ବିନ୍ଧା ସମସ୍ୟା ଅଛି । ୩୩ ବର୍ଷ ବୟସ୍କ ମୋହସୀନ ଖାନ ପଠାନ ସବୁବେଳେ ଆଶଙ୍କା ମଧ୍ୟରେ ରହୁଛନ୍ତି । ସେ କୁହନ୍ତି, ‘‘ମୋର ପରିବାର କେବଳ ମୋ (ମୋ ରୋଜଗାର) ଉପରେ ନିର୍ଭର କରି ଚଳିଥାଏ। ଘର ଭଡ଼ା ୬,୦୦୦ ଟଙ୍କା। ମୁଁ ଚା’ ଓ ଜଳଖିଆ ବାବଦରେ ୫୦ଟଙ୍କା ଦିନକୁ ଖର୍ଚ୍ଚ କରିଥାଏ। ଆଉ ୬୦ ଟଙ୍କା ବସ୍ ଓ ଅଟୋ ଭଡ଼ାରେ ଯାଏ।’’ ତାଙ୍କର ଚାରି ବର୍ଷର ଝିଅ ନିକଟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଛି । ‘‘ସେଠି ବର୍ଷକୁ ୧୦,୦୦୦ ଟଙ୍କାର ଫି’ ଦେବାକୁ ହେବ,’’ ଲଫାପା ଭାଙ୍ଗିବା ସମୟରେ ସେ ଆଶଙ୍କା ବ୍ୟକ୍ତ କରି କହିଥାନ୍ତି ।
ସମିରୁଦ୍ଦିନ ଶେଖଙ୍କ ପରିବାରରେ ଛଅ ଜଣ ସଦସ୍ୟ – ତାଙ୍କ ପତ୍ନୀ, ତିନି ପିଲା ଓ ବୃଦ୍ଧ ପିତା ଅଛନ୍ତି । ସେ କୁହନ୍ତି, ‘‘ପିଲାମାନେ ବଡ଼ ହେଉଛନ୍ତି, ଆଉ ଏ ଲଫାପା ତିଆରି କାମରୁ ମୋତେ ଭଲ ପାରିଶ୍ରମିକ ମିଳୁନାହିଁ। ମୁଁ ଯେନତେନ ପ୍ରକାରେ ଘର ଚଳେଇ ନେଉଛି କିନ୍ତୁ ଟଙ୍କା ସଞ୍ଚୟ କରିପାରୁନାହିଁ ।’’ ସେ ଅନ୍ୟ କିଛି କାମ ପାଇଁ ଚିନ୍ତା କରୁଛନ୍ତି ଓ ଗୋଟିଏ ଅଟୋ ଲାଇସେନ୍ସ ପାଇବା ଚେଷ୍ଟାରେ ଅଛନ୍ତି । ଅଟୋ ରିକ୍ସା ଚଲେଇ ସେ ଭଲ ରୋଜଗାର କରିପାରିବେ ବୋଲି ଭାବୁଛନ୍ତି । ‘‘ଲଫାପା ତିଆରି କାମରେ ହେଉଥିବା ରୋଜଗାର ମଧ୍ୟ ଅନିଶ୍ଚିତ। ଯେଉଁଦିନ କିଛି କାମ ନଥାଏ, ଅପରାହ୍ଣ ଦୁଇଟା କିମ୍ବା ତିନିଟା ବେଳକୁ ଆମ କାମ ସରିଯାଏ। ଆପଣ ଦେଖନ୍ତୁ ଆମେ ସମସ୍ତେ ଶ୍ରମିକମାନେ କମିଶନରେ କାମ କରୁଛୁ । ଆମର କୌଣସି ନିର୍ଦ୍ଧାରିତ ବେତନ ନାହିଁ,’’ ସେ ଆହୁରି କହିଥାନ୍ତି ।
୧୯୮୮ ମସିହାରେ ଲଫାପା କାରିଗରମାନଙ୍କର ଏକ ସଂଘ ପ୍ରତିଷ୍ଠା ହୋଇଥିଲା। ଏହା ଖୁବ କମ୍ ସମୟ ପର୍ଯ୍ୟନ୍ତ ସକ୍ରିୟ ଥିଲା, କିଛି ଦିନ ପରେ ସ୍ଥାଣୁ ପାଲଟିଗଲା ଓ ଶେଷରେ ଭାଙ୍ଗିଗଲା। ସଂଘ ଠିକ୍ କେବେ ଭାଙ୍ଗିଲା ତାହା ଶ୍ରମିକମାନେ ଜାଣନ୍ତି ନାହିଁ । ସେମାନେ କୁହନ୍ତି ଯେ କିଛି ବର୍ଷ ପରେ ଏମାନଙ୍କ ମଧ୍ୟରୁ କେତେଜଣ ମାଲିକମାନଙ୍କ ସହିତ ମିଶି ନିଷ୍ପତ୍ତି ନେଲେ ଯେ ବାର୍ଷିକ ବେତନ ବୃଦ୍ଧି ସହିତ କାମକୁ ଦେଖି ଶ୍ରମିକମାନଙ୍କୁ ଦରଦାମ ବୃଦ୍ଧି ବାବଦରେ ୧୦ ପ୍ରତିଶତ, ବୋନସ ଏବଂ କିଛି ଛୁଟିର ବ୍ୟବସ୍ଥା କରାଯିବା ଉଚିତ୍ ।
ଅହମ୍ମଦାବାଦରେ ଏହି ଉଦ୍ୟୋଗରେ ମୁଖ୍ୟତଃ ପୁରୁଷମାନେ କାମ କରନ୍ତି – କେବଳ ଜଣେ ଲଫାଫା କାରିଗର ମହିଳା।
ସପ୍ତାହକୁ ଥରେ, ଏବଂ ଲଫାପାର ସଂଖ୍ୟା ସହିତ ସେଗୁଡ଼ିକର ଆକାର ଓ ମୋଟେଇକୁ ଆଧାର କରି ବେତନ ଦିଆଯାଏ । ସାଧାରଣ କାଗଜରେ ତିଆରି ହୋଇଥିବା ୧,୦୦୦ ଲଫାପା ପାଇଁ ୩୫୦ ଟଙ୍କାର ବେତନ ମିଳୁଥିବା ବେଳେ ଆର୍ଟ ପେପରରେ ତିଆରି ହୋଇଥିବା ସମାନ ସଂଖ୍ୟକ ଲଫାପା ନିମନ୍ତେ ୪୮୯ ଟଙ୍କାର ପାରିଶ୍ରମିକ ମିଳିଥାଏ। ଜଣେ କାରିଗର ଦିନକୁ ୨,୦୦୦ରୁ ୬,୦୦୦ ଲଫାପା ତିଆରି କରନ୍ତି ଏବଂ ଏହା ଲଫାପାର ପ୍ରକାର, କାରିଗରଙ୍କ ଗତିଶୀଳତା ଓ ସେହି ଋତୁର ଚାହିଦା ଉପରେ ନିର୍ଭର କରିଥାଏ।
୧୧ x ୫ ଇଞ୍ଚ ଆକାରର ଏବଂ ଓଜନ ୧୦୦ ଜିଏସଏମ (ପ୍ରତି ବର୍ଗ ମିଟର ଗ୍ରାମ୍)ର ଗୋଟିଏ ଅଫିସ ଲଫାପା ପାଞ୍ଚ ଟଙ୍କାରେ ବିକ୍ରି ହୋଇଥାଏ।
୧୦୦ ଜିଏସଏମ ଗୁଣବତ୍ତାର ୧,୦୦୦ ଲଫାପା ତିଆରି କରିବା ପାଇଁ ଜଣେ ଶ୍ରମିକଙ୍କୁ ୧୦୦ ଟଙ୍କାର ବେତନ ମିଳିଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ, ତାଙ୍କୁ ବିକ୍ରି ମୂଲ୍ୟର ଏକ ପଞ୍ଚମାଂଶ ମିଳିଥାଏ।
ଶହେ ଟଙ୍କା ରୋଜଗାର କରିବାକୁ ଜଣେ କାରିଗରଙ୍କୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥାଏ।
ଏହି ଷ୍ଟୋରୀ ପାଇଁ ଖବର ସଂଗ୍ରହରେ ସହାୟତା ନିମନ୍ତେ ହୋଜେଫା ଉଜ୍ଜୟିନୀଙ୍କୁ ଲେଖକ ଧନ୍ୟବାଦ ଜଣାଇଛନ୍ତି
ଅନୁବାଦ : ଓଡ଼ିଶାଲାଇଭ୍