ପାଖାପାଖି ଛଅ ଦଶନ୍ଧି ପୂର୍ବର ସମୟ କଥା ମନେ ପକାଇ ୭୪ ବର୍ଷୀୟ ପ୍ରେମରାମ ଭଟ କୁହନ୍ତି, “ମୋର ପିତା ମୋ ଆଙ୍ଗୁଠିରେ ସୂତା ବାନ୍ଧି ଦେଉଥିଲେ ଏବଂ ମୋତେ କାଠ କଣ୍ଢେଇ ନଚାଇବା ଶିଖାଇ ଦେଉଥିଲେ।”
ସେ କୁହନ୍ତି, “ମୋତେ ୯ ବର୍ଷ ହୋଇଥିବା ସମୟରେ, ମୋର ପିତା ମୋତେ ତାଙ୍କ ସହିତ କାଠକଣ୍ଢେଇ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଭିନ୍ନ ଭିନ୍ନ ଗ୍ରାମକୁ ନେଇଯାଉଥିଲେ। ମୁଁ ବାଜା ବଜାଉଥିଲି। ଧୀରେ ଧୀରେ ମୋର ଆଗ୍ରହ କାଠକଣ୍ଢେଇ ଖେଳରେ ବଢ଼ିବାକୁ ଲାଗିଲା। ମୋ ପିତା ଲାଲୁରାମ ଭଟ ମୋତେ କାଠକଣ୍ଢେଇ ଚଲାଇବା ଶିଖାଇଥିଲେ, ଏବଂ ମୁଁ ମଧ୍ୟ କାଠ କଣ୍ଢେଇ ନଚାଇବା ଆରମ୍ଭ କଲି।”
ପ୍ରେମରାମ ପଶ୍ଚିମ ଯୋଧପୁରର ପ୍ରତାପ ନଗର ଇଲାକାରେ ଫୁଟପାଥ ଉପରେ ଝୁଗି (କୁଡ଼ିଆ ଘରେ) ରେ ରୁହନ୍ତି। ତାଙ୍କ ପତ୍ନୀ ଜୁଗନୀ ବାଈ (୭୦), ପୁଅ ସୁରେଶ, ବୋହୂ ସୁନୀତା ଏବଂ ସେମାନଙ୍କର ୪ ପିଲା, ଯେଉଁମାନଙ୍କ ବୟସ ୩ରୁ ୧୨ ବର୍ଷ ମଧ୍ୟରେ ହେବ, ସମସ୍ତେ ଏକାଠି ରହୁଛନ୍ତି। ସେମାନଙ୍କ ପରିବାର ଭାଟ ସମ୍ପ୍ରଦାୟର (ରାଜସ୍ଥାନରେ ଓବିସି ଭାବେ ତାଲିକାଭୁକ୍ତ)। ଏହି ସମ୍ପ୍ରଦାୟର ବରିଷ୍ଠ ନାଗରିକମାନେ କୁହନ୍ତି ଯେ ଭାଟ ପରିବାର ପାଖାପାଖି ୧୦୦ ବର୍ଷ ପୂର୍ବେ, ରାଜ୍ୟର ନାଗୌର ଜିଲ୍ଲାରୁ ଆସି ରାଜସ୍ଥାନର ବିଭିନ୍ନ ସହର, ଯେପରିକି ଯୋଧପୁର, ଜୟପୁର, ଜୈସଲମେର ଓ ବିକାନିରରେ ରହିବା ଆରମ୍ଭ କରି ଦେଇଥିଲେ।
୩୯ ବର୍ଷୀୟ ସୁରେଶ କୁହନ୍ତି, “ମୁଁ କାଠ କଣ୍ଢେଇ ତିଆରି କରିବା କିମ୍ବା କାଠକଣ୍ଢେଇ ଖେଳ ଦେଖାଇବା ଲାଗି କୌଣସି ପ୍ରଶିକ୍ଷଣ ନେଇନାହିଁ। ମୁଁ ଏହି କଳା କେବଳ ମୋ ବାପାଙ୍କଠାରୁ ଦେଖି ଶିଖିଛି।” ସେ ମଧ୍ୟ ପ୍ରେମରାମଙ୍କ ସହିତ ଗ୍ରାମକୁ ଯାଉଥିଲେ ଏବଂ ପ୍ରାୟ ୧୦ ବର୍ଷ ବୟସରୁ ଏହି କଳା ପ୍ରଦର୍ଶନରେ ସାମିଲ ହୋଇଥିଲେ। ଘରେ ସେ କାଠ କଣ୍ଢେଇ ତିଆରି କରିବାରେ ସହାୟତା କରୁଥିଲେ। ଆହୁରି ସେ କହିଥାନ୍ତି, “ମୋତେ ୧୫ ବର୍ଷ ହୋଇଥିବା ସମୟରେ, ମୁଁ କାଠକଣ୍ଢେଇ ଭଲ ଭାବେ ନଚାଇବା ଶିଖି ଯାଇଥିଲି। ମୁଁ ଏକାକୀ ବିଭିନ୍ନ ଗ୍ରାମକୁ ଯାଇ କଣ୍ଢେଇ ନାଚ ଦେଖାଉଥିଲି।”
ତାଙ୍କର ୧୨ ବର୍ଷର ପୁଅ ମୋହିତ ଏବେ ତାଙ୍କୁ ସହାୟତା କରୁଛି। ସୁରେଶ କୁହନ୍ତି, “ଯେତେବେଳେ ଆମକୁ କିଛି କାମ ମିଳିଥାଏ, ମୋହିତ ମୋ ସହିତ ବାଜା ବଜାଇଥାଏ। ସେ ପଞ୍ଚମ ଶ୍ରେଣୀରେ ପଢ଼ୁଛି, କିନ୍ତୁ ମହାମାରୀ-ଲକଡାଉନ କାରଣରୁ ସ୍କୁଲ ବନ୍ଦ ରହିଛି।”
କାମ ମିଳିବା ଦିନକୁ ଦିନ କଷ୍ଟକର ହେବାରେ ଲାଗିଛି। ଦୀର୍ଘ ସମୟ ଧରି, ରାଜସ୍ଥାନର ହୋଟେଲଗୁଡ଼ିକରେ କାଠ କଣ୍ଢେଇ ଖେଳର ଦର୍ଶକ ମୁଖ୍ୟତଃ ବିଦେଶୀ ପର୍ଯ୍ୟଟକ ଥିଲେ। ତିନି ଜଣ ପୁରୁଷଙ୍କୁ ନେଇ ଏକ ଦଳ ପର୍ଯ୍ୟଟକମାନଙ୍କ ପାଇଁ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲୁଥିବା ଏକ କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଥିଲେ-ଜଣେ କାଠ କଣ୍ଢେଇ ନଚାଉଥିଲା, ଏବଂ ଅନ୍ୟ ଦୁଇ ଜଣ ହାରମୋନିୟମ ଓ ବାଜା ବଜାଉଥିଲେ। ଏହିପରି କାର୍ଯ୍ୟକ୍ରମରେ ସାଧାରଣତଃ ଲୋକଗୀତ ଏବଂ ରାଜବଂଶର ଷଡ଼ଯନ୍ତ୍ର ଓ ସଂଘର୍ଷର ବର୍ଣ୍ଣନା ରହୁଥିଲା (ଷ୍ଟୋରୀରେ ସାମିଲ ଭିଡିଓ ଦେଖନ୍ତୁ)।
ଏହି କାର୍ଯ୍ୟକ୍ରମ ପ୍ରଦର୍ଶନରେ ପ୍ରତ୍ୟେକ କଳାକାର ମାସରେ ପାଖାପାଖି ୩-୪ ଥର ୩୦୦ ଟଙ୍କାରୁ ୫୦୦ ଟଙ୍କା ଲେଖାଏଁ ମିଳିଥାଏ। ଲକଡାଉନ ସମୟରେ ଏପରି ନିମନ୍ତ୍ରଣ ମିଳିବା ବନ୍ଦ ହୋଇଗଲା ଏବଂ କାଠକଣ୍ଢେଇ କଳାକାରମାନଙ୍କୁ ରାସ୍ତା କଡ଼ରେ ନିଜର ଖେଳ ପ୍ରଦର୍ଶନ କରିବାକୁ ପଡ଼ିଲା। ଏହାଫଳରେ ସେମାନଙ୍କୁ ପ୍ରତି କାର୍ଯ୍ୟକ୍ରମ ପିଛା ୧୦୦-୧୫୦ ଟଙ୍କା ମିଳୁଛି। ଏବଂ ସେମାନେ ନଡ଼ା ଓ ଭେଲଭେଟ ସାମଗ୍ରୀ ବିକ୍ରି କରି ମଧ୍ୟ କିଛି ଟଙ୍କା ରୋଜଗାର କରିଥାନ୍ତି। (ପଢ଼ନ୍ତୁ - ଜୟପୁରର ଖେଳନା ବାଲା : ଯେଉଁମାନଙ୍କ ଜୀବନ ଖେଳନା ପାଲଟିଯାଇଛି )
ଲକଡାଉନ ସମୟରେ ଏହି ସମ୍ପ୍ରଦାୟକୁ ରାସନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ଦାତବ୍ୟ ଅନୁଷ୍ଠାନଗୁଡ଼ିକ ଉପରେ ନିର୍ଭର କରବାକୁ ପଡ଼ିଥିଲା। ତେବେ, ସାରା ରାଜ୍ୟରେ କଟକଣା କୋହଳ ହେବା ପରେ ଏବେ କାମ ଧୀରେ ଧୀରେ ମିଳିବାକୁ ଲାଗୁଛି।
ଯୋଧପୁରର ପ୍ରତାପ ନଗରରେ ଫୁଟପାଥ କଡ଼ରେ ଏକ କୁଡ଼ିଆ ଘରେ ରହୁଥିବା ୩୮ ବର୍ଷୀୟ ମଞ୍ଜୁ ଭଟ ପୋଷାକ ସିଲେଇ କରିଥାନ୍ତି ଏବଂ କାଠ କଣ୍ଢେଇ ଲାଗି ଆଭୂଷଣ ତିଆରି କରିଥାନ୍ତି, ତାଙ୍କର ୪୧ବର୍ଷୀୟ ସ୍ୱାମୀ ବନବାରୀ ଲାଲ ଭଟ ନିଜ କାଠ କଣ୍ଢେଇରେ ସେଗୁଡ଼ିକର ବ୍ୟବହାର କରିଥାନ୍ତି।
ସେ କୁହନ୍ତି, “ଏହି କଳା ମୃତ୍ୟୁମୁଖରେ ପଡ଼ିବାକୁ ଯାଉଛି। ପୂର୍ବରୁ ଆମକୁ ଗୋଟିଏ ମାସରେ ୩-୪ଟି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରିବାକୁ ପଡ଼ୁଥିଲା, କିନ୍ତୁ କରୋନା ପରେ ଆମେ ପ୍ରାୟତଃ ଖାଲି ବସି ରହୁଛୁ। ଏହି କଳାକୁ ଏବେ ସରକାର ହିଁ ବଞ୍ଚାଇ ପାରିବେ। ଆମେ ବଞ୍ଚାଇ ପାରିବୁ ନାହିଁ। ଏବେ ମନୋରଞ୍ଜନର ନୂଆ ନୂଆ ସାଧନ ମିଳିଗଲାଣି ଏବଂ ଆମ କଥା ଶୁଣିବା କିମ୍ବା ଆମ କାର୍ଯ୍ୟକ୍ରମ ଦେଖିବା ଲୋକ କେହି ନାହାନ୍ତି।”
ଏହାଛଡ଼ା, ସେ କୁହନ୍ତି, ତାଙ୍କର ପାରମ୍ପରିକ କାହାଣୀକୁ ଏବେ ତ୍ରୁଟିପୂର୍ଣ୍ଣ ଭାବେ ପରିବେଷଣ କରାଯାଉଛି। “ଆମ ପାଖରେ ଅସଲୀ କାହାଣୀ ରହିଛି। ଶିକ୍ଷିତ ଲୋକମାନେ ଆମ ପାଖକୁ ଆସି ଆମ କାହାଣୀ ଶୁଣୁଛନ୍ତି, ଏହାପରେ ସେମାନଙ୍କୁ ଯାହା ପସନ୍ଦ ସେଥିରେ ନିଜ ଇଚ୍ଛାରେ ଭିନ୍ନ କିଛି ଯୋଡ଼ି କିମ୍ବା କାଟି ଟେଲିଭିଜନ ଧାରାବାହିକ, ନାଟକ କିମ୍ବା ଚଳଚ୍ଚିତ୍ର ପ୍ରସ୍ତୁତ କରୁଛନ୍ତି। ଏଥିରେ ମିଛ ଅଧିକ ଏବଂ ସତ କମ ରହୁଛି।”
ପ୍ରେମରାମ ମଧ୍ୟ ଏହା କୁହନ୍ତି ଯେ ଟେଲିଭିଜନ ଓ ମୋବାଇଲ ଫୋନ ଭଳି ନୂଆ ପ୍ରଯୁକ୍ତି ତାଙ୍କ ଭଳି କଳାକାରଙ୍କ ଗୁରୁତ୍ୱକୁ ହ୍ରାସ କରି ଦେଇଛି। “ଆମର ପୂର୍ବପୁରୁଷମାନେ ରାଜା ଓ ସମ୍ରାଟମାନଙ୍କ ଦରବାରରେ ମନୋରଞ୍ଜନ ପ୍ରଦର୍ଶନ କରୁଥିଲେ। ଏହା ପରିବର୍ତ୍ତେ ସେମାନଙ୍କୁ ଅନ୍ନ, ଧନରାଶି ଏବଂ ବିଭିନ୍ନ ପ୍ରକାରର ସାମଗ୍ରୀ ମିଳୁଥିଲା, ସେଗୁଡ଼ିକ ସହାୟତାରେ ସାରା ବର୍ଷ ଆମ ମାନଙ୍କ ଜୀବନ ଆରାମରେ ଚଳି ଯାଉଥିଲା। ମୋ ପିତା ଏବଂ ଜେଜେ ବାପା ପ୍ରତି ଗ୍ରାମକୁ ଯାଇ ଲୋକମାନଙ୍କର ମନୋରଞ୍ଜନ କରୁଥିଲେ। ଗାଁର ଲୋକମାନେ ଏବେ ବି ଆମକୁ ସମ୍ମାନ କରିଥାନ୍ତି, କିନ୍ତୁ ଦୁନିଆ ବଦଳିଯାଇଛି। ପୂର୍ବ ଭଳି ଆମ କଳାକୁ କେହି ସମ୍ମାନ କରୁନାହାନ୍ତି। ଏହା ଏକ ଲୁପ୍ତପ୍ରାୟ କଳା ପାଲଟିଯାଇଛି ଏବଂ ମୋର ଏବେ କାଠ କଣ୍ଢେଇ ଖେଳ ପ୍ରଦର୍ଶନ କରିବା ଲାଗି ପୂର୍ବ ଭଳି ଆଗ୍ରହ ନାହିଁ।
ଅନୁବାଦ: ଓଡ଼ିଶାଲାଇଭ୍