ପାଖାପାଖି ଛଅ ଦଶନ୍ଧି ପୂର୍ବର ସମୟ କଥା ମନେ ପକାଇ ୭୪ ବର୍ଷୀୟ ପ୍ରେମରାମ ଭଟ କୁହନ୍ତି, “ମୋର ପିତା ମୋ ଆଙ୍ଗୁଠିରେ ସୂତା ବାନ୍ଧି ଦେଉଥିଲେ ଏବଂ ମୋତେ କାଠ କଣ୍ଢେଇ ନଚାଇବା ଶିଖାଇ ଦେଉଥିଲେ।”
ସେ କୁହନ୍ତି, “ମୋତେ ୯ ବର୍ଷ ହୋଇଥିବା ସମୟରେ, ମୋର ପିତା ମୋତେ ତାଙ୍କ ସହିତ କାଠକଣ୍ଢେଇ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଭିନ୍ନ ଭିନ୍ନ ଗ୍ରାମକୁ ନେଇଯାଉଥିଲେ। ମୁଁ ବାଜା ବଜାଉଥିଲି। ଧୀରେ ଧୀରେ ମୋର ଆଗ୍ରହ କାଠକଣ୍ଢେଇ ଖେଳରେ ବଢ଼ିବାକୁ ଲାଗିଲା। ମୋ ପିତା ଲାଲୁରାମ ଭଟ ମୋତେ କାଠକଣ୍ଢେଇ ଚଲାଇବା ଶିଖାଇଥିଲେ, ଏବଂ ମୁଁ ମଧ୍ୟ କାଠ କଣ୍ଢେଇ ନଚାଇବା ଆରମ୍ଭ କଲି।”
ପ୍ରେମରାମ ପଶ୍ଚିମ ଯୋଧପୁରର ପ୍ରତାପ ନଗର ଇଲାକାରେ ଫୁଟପାଥ ଉପରେ ଝୁଗି (କୁଡ଼ିଆ ଘରେ) ରେ ରୁହନ୍ତି। ତାଙ୍କ ପତ୍ନୀ ଜୁଗନୀ ବାଈ (୭୦), ପୁଅ ସୁରେଶ, ବୋହୂ ସୁନୀତା ଏବଂ ସେମାନଙ୍କର ୪ ପିଲା, ଯେଉଁମାନଙ୍କ ବୟସ ୩ରୁ ୧୨ ବର୍ଷ ମଧ୍ୟରେ ହେବ, ସମସ୍ତେ ଏକାଠି ରହୁଛନ୍ତି। ସେମାନଙ୍କ ପରିବାର ଭାଟ ସମ୍ପ୍ରଦାୟର (ରାଜସ୍ଥାନରେ ଓବିସି ଭାବେ ତାଲିକାଭୁକ୍ତ)। ଏହି ସମ୍ପ୍ରଦାୟର ବରିଷ୍ଠ ନାଗରିକମାନେ କୁହନ୍ତି ଯେ ଭାଟ ପରିବାର ପାଖାପାଖି ୧୦୦ ବର୍ଷ ପୂର୍ବେ, ରାଜ୍ୟର ନାଗୌର ଜିଲ୍ଲାରୁ ଆସି ରାଜସ୍ଥାନର ବିଭିନ୍ନ ସହର, ଯେପରିକି ଯୋଧପୁର, ଜୟପୁର, ଜୈସଲମେର ଓ ବିକାନିରରେ ରହିବା ଆରମ୍ଭ କରି ଦେଇଥିଲେ।
୩୯ ବର୍ଷୀୟ ସୁରେଶ କୁହନ୍ତି, “ମୁଁ କାଠ କଣ୍ଢେଇ ତିଆରି କରିବା କିମ୍ବା କାଠକଣ୍ଢେଇ ଖେଳ ଦେଖାଇବା ଲାଗି କୌଣସି ପ୍ରଶିକ୍ଷଣ ନେଇନାହିଁ। ମୁଁ ଏହି କଳା କେବଳ ମୋ ବାପାଙ୍କଠାରୁ ଦେଖି ଶିଖିଛି।” ସେ ମଧ୍ୟ ପ୍ରେମରାମଙ୍କ ସହିତ ଗ୍ରାମକୁ ଯାଉଥିଲେ ଏବଂ ପ୍ରାୟ ୧୦ ବର୍ଷ ବୟସରୁ ଏହି କଳା ପ୍ରଦର୍ଶନରେ ସାମିଲ ହୋଇଥିଲେ। ଘରେ ସେ କାଠ କଣ୍ଢେଇ ତିଆରି କରିବାରେ ସହାୟତା କରୁଥିଲେ। ଆହୁରି ସେ କହିଥାନ୍ତି, “ମୋତେ ୧୫ ବର୍ଷ ହୋଇଥିବା ସମୟରେ, ମୁଁ କାଠକଣ୍ଢେଇ ଭଲ ଭାବେ ନଚାଇବା ଶିଖି ଯାଇଥିଲି। ମୁଁ ଏକାକୀ ବିଭିନ୍ନ ଗ୍ରାମକୁ ଯାଇ କଣ୍ଢେଇ ନାଚ ଦେଖାଉଥିଲି।”




