ମଧ୍ୟାହ୍ନ ସମୟ ଏବଂ ମହାରାଷ୍ଟ୍ରର ଉଲ୍‌ହାସନଗର ତାଲୁକାରେ ହେଉଥିବା ଝିପିଝିପି ବର୍ଷା ଏବେ କମିଛି।

ଠାଣେ ଜିଲ୍ଲାର ଉଲହାସନଗର ସେଣ୍ଟ୍ରାଲ ହସ୍ପିଟାଲର ପ୍ରବେଶ ପଥରେ ଏକ ଅଟୋ ରିକ୍ସା ରହୁଛି। ବାମ ହାତରେ ଏକ ଧଳା-ନାଲି ଡବା ଧରିଥିବା ଜ୍ଞାନେଶ୍ୱର ରିକ୍ସାରୁ ବାହାରି ଆସୁଛନ୍ତି। ତାଙ୍କ ପତ୍ନୀ ଅର୍ଚ୍ଚନା ତାଙ୍କ ପଛେ ପଛେ, ଜ୍ଞାନେଶ୍ୱରଙ୍କ କାନ୍ଧକୁ ଧରି ଚାଲିଛନ୍ତି, ତାଙ୍କ ଚପଲରୁ କାଦୁଅ ପାଣି ଝିଟିକି ପଡ଼ୁଛି।

ଜ୍ଞାନେଶ୍ୱର ତାଙ୍କ ସାର୍ଟ ପକେଟରୁ ଦୁଇଟି ୫୦୦ ଟଙ୍କିଆ ନୋଟ୍‌ କାଢ଼ୁଛନ୍ତି ଏବଂ ସେଥିରୁ ଗୋଟିଏ ରିକ୍ସା ଡ୍ରାଇଭରଙ୍କ ହାତକୁ ବଢ଼ାଇ ଦେଉଛନ୍ତି। ଏହାପରେ ଡ୍ରାଇଭର ତାଙ୍କୁ ଖୁଚୁରା ଟଙ୍କା ଫେରାଉଛନ୍ତି। ଜ୍ଞାନେଶ୍ୱର ସେହି ଖୁଚୁରା ମୁଦ୍ରାକୁ ଧରୁଛନ୍ତି। ‘‘ପାଞ୍ଚ ଟଙ୍କା,’’ ଏହା କହି ସେ ଉକ୍ତ ମୁଦ୍ରାକୁ ନିଜ ସାର୍ଟ ପକେଟରେ ପୂରାଉଛନ୍ତି, ଯତ୍ନର ସହକାରେ ପକେଟରେ ତାହା ରଖିବାକୁ ସ୍ପର୍ଶ ମାଧ୍ୟମରେ ଅନୁଭବ କରୁଛନ୍ତି। ଏହି ୩୩ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ଆଖିରେ କର୍ଣ୍ଣିଆ ଅଲ୍‌ସର୍‌ ବା ଘା’ ହେବା କାରଣରୁ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି।

ଅମ୍ବାରନାଥ ତାଲୁକାରେ ଥିବା ଭାଙ୍ଗାନୀ ସହରରେ ଥିବା ନିଜ ଘର ଠାରୁ ୨୫ କିଲୋମିଟର ଦୂର ଉଲହାସନଗର ଡାକ୍ତରଖାନାରେ ଅର୍ଚ୍ଚନାଙ୍କର ଡାୟଲିସିସ ଚିକିତ୍ସା ହୋଇଥାଏ। ଏହି ଦମ୍ପତି କେବଳ ଥରେ ଚିକିତ୍ସା ନେବାକୁ ଆସିବା ସମୟରେ ଗୋଟିଏ ପଟ ରାସ୍ତା ଖର୍ଚ୍ଚ ବାବଦରେ ୪୮୦ରୁ ୫୨୦ ଟଙ୍କା ପର୍ଯ୍ୟନ୍ତ ରିକ୍ସା ଭଡ଼ା ଦେଇଥାନ୍ତି। ‘‘ମୋର ଜଣେ ବନ୍ଧୁଙ୍କଠାରୁ ମୁଁ ୧,୦୦୦ ଟଙ୍କା ଧାର (କେବଳ ଏହି ଟ୍ରିପ ପାଇଁ) ଆଣିଛି,’’ ଜ୍ଞାନେଶ୍ୱର କୁହନ୍ତି। ‘‘ମୋତେ ପ୍ରତିଥର ଉଧାର ଆଣିବାକୁ ପଡ଼ିଥାଏ (ଡାକ୍ତରଖାନାକୁ ଆସିବା ପାଇଁ)।’’ ଦମ୍ପତି ଚାଲିବା ଆରମ୍ଭ କରିଛନ୍ତି, ଧୀରେ ଧୀରେ, ସତର୍କତାର ପାଦ ପକାଇ ସେମାନେ ଡାକ୍ତରଖାନାର ଦ୍ୱିତୀୟ ମହଲାରେ ଥିବା ଡାୟଲିସିସ ରୁମକୁ ଯାଉଛନ୍ତି।

ଆଂଶିକ ଭାବେ ଦୃଷ୍ଟିହୀନ ଅର୍ଚ୍ଚନାଙ୍କର ଜଟିଳ କିଡନୀ ରୋଗ ରହିଥିବା ଚଳିତ ବର୍ଷ ମେ ମାସରେ ମୁମ୍ବାଇର ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲରେ ଚିକିତ୍ସା ସମୟରେ ଜଣାପଡ଼ିଥିଲା। ‘‘ତାଙ୍କର ଉଭୟ କିଡନୀ ଅଚଳ ହୋଇଯାଇଛି,’’ ଜ୍ଞାନେଶ୍ୱର କୁହନ୍ତି; ୨୮ ବର୍ଷୀୟା ଅର୍ଚ୍ଚନାଙ୍କୁ ସପ୍ତାହକୁ ତିନି ଥର ହେମୋଡାୟଲିସିସ ଆବଶ୍ୟକ ହୋଇଥାଏ।

ଉଲହାସନଗର ସେଣ୍ଟ୍ରାଲ ହସ୍ପିଟାଲର ଜଣେ କିଡନୀ ରୋଗ ବିଶେଷଜ୍ଞ ବା ନେଫ୍ରୋଲୋଜିଷ୍ଟ ଡାକ୍ତର ହାର୍ଦ୍ଦିକ ଶାହା କୁହନ୍ତି, ‘‘କିଡନୀ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଗୁଡ଼ିକ ଶରୀରରୁ ବର୍ଜ୍ୟ ଏବଂ ଅତ୍ୟଧିକ ଶାରୀରିକ ତରଳ ପଦାର୍ଥ ନିଷ୍କାସନ କରିଥାନ୍ତି। କିଡନୀ ଅଚଳ ହୋଇଗଲେ, ଜଣେ ବ୍ୟକ୍ତିଙ୍କୁ ଜୀବିତ ରହିବାକୁ ହେଲେ ଡାୟଲିସିସ କିମ୍ବା କିଡନୀ ପ୍ରତିରୋପଣ କରିବାକୁ ପଡ଼ିଥାଏ।’’ ପ୍ରତିବର୍ଷ, ଭାରତରେ ୨.୨ ଲକ୍ଷ ନୂଆ ଏଣ୍ଡ ଷ୍ଟେଜ୍‌ ରେନାଲ ଡିଜିଜ (ଇଏସଆରଡି) ରୋଗୀ ବା ଅନ୍ତିମ ସ୍ତରରେ ପହଞ୍ଚି ସାରିଥିବା ନୂଆ କିଡନୀ ରୋଗୀ ଚିହ୍ନଟ ହୋଇଥାନ୍ତି। ଏମାନଙ୍କ ପାଇଁ ଅତିରିକ୍ତ ୩.୪ କୋଟି ଡାୟଲିସିସ ଚିକିତ୍ସା ପଦ୍ଧତି ଆବଶ୍ୟକ ହୋଇଥାଏ।

Archana travels 25 kilometres thrice a week to receive dialysis at Central Hospital Ulhasnagar in Thane district
PHOTO • Jyoti Shinoli
Archana travels 25 kilometres thrice a week to receive dialysis at Central Hospital Ulhasnagar in Thane district
PHOTO • Jyoti Shinoli

ଠାଣେ ଜିଲ୍ଲାର ଉଲ୍‌ହାସନଗର ସେଣ୍ଟ୍ରାଲ ହସ୍ପିଟାଲରେ ଡାୟଲିସିସ ଚିକିତ୍ସା କରାଇବାକୁ ଅର୍ଚ୍ଚନା ଗୋଟିଏ ସପ୍ତାହରେ ତିନି ଥର ୨୫ କିଲୋମିଟର ଦୂର ଯାତ୍ରା କରିଥାନ୍ତି

କିଡନୀ ଅଚଳ ରୋଗରେ ପୀଡ଼ିତ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା (ବିପିଏଲ) ରୋଗୀଙ୍କୁ ମାଗଣାରେ ଡାୟଲିସିସ ଚିକିତ୍ସା ଦେବା ପାଇଁ ୨୦୧୬ରେ ପ୍ରଧାନମନ୍ତ୍ରୀ ଜାତୀୟ ଡାୟଲିସିସ କାର୍ଯ୍ୟକ୍ରମ (ପିଏମଏନଡିପି) ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଉଲହାସନଗର ଡାକ୍ତରଖାନାଠାରେ ଅର୍ଚ୍ଚନାଙ୍କୁ ମାଗଣା ଡାୟଲିସିସ ଚିକିତ୍ସା ମିଳିଥାଏ। ଦେଶର ଜିଲ୍ଲାସ୍ତରୀୟ ଡାକ୍ତରଖାନାଗୁଡ଼ିକର ଏହି ସେବା ମିଳିଥାଏ।

‘‘ଡାୟଲିସିସ ବାବଦରେ ମୋତେ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନଥାଏ, କିନ୍ତୁ ଯାତ୍ରା ଖର୍ଚ୍ଚ ଉଠାଇବା କଷ୍ଟକର ହୋଇପଡ଼େ,’’ ଜ୍ଞାନେଶ୍ୱର କୁହନ୍ତି। ଅର୍ଚ୍ଚନାଙ୍କ ଡାୟଲିସିସ ପାଇଁ ପ୍ରତି ଥର ଡାକ୍ତରଖାନାକୁ ଯିବା ଲାଗି ଅଟୋରିକ୍ସା ଭଡ଼ା ଦେବାକୁ ସେ ବନ୍ଧୁ ଓ ପଡ଼ୋଶୀଙ୍କଠାରୁ ଟଙ୍କା ଧାର ଆଣିବା ପାଇଁ ବାଧ୍ୟ ହୋଇଥାନ୍ତି। ଲୋକାଲ ଟ୍ରେନରେ ଯାତ୍ରା କରିବା ଯଦିଓ ଏକ ଶସ୍ତା ବିକଳ୍ପ, କିନ୍ତୁ ଏହା ନିରାପଦ ନୁହେଁ। ‘‘ସେ ଅତି ଦୁର୍ବଳ ଏବଂ ଷ୍ଟେସନରେ ଶିଢ଼ି ଚଢ଼ି ପାରିବେ ନାହିଁ,’’ ସେ କୁହନ୍ତି। ‘‘ମୁଁ ଅନ୍ଧ, ନଚେତ୍‌ ମୁଁ ତାଙ୍କୁ ମୋ ହାତରେ ଉଠେଇ ନେଇପାରିଥାନ୍ତି।’’

*****

ଉଲ୍‌ହାସନଗର ସରକାରୀ ଡାକ୍ତରଖାନାରେ ମାସକୁ ୧୨ ଥର ଡାୟଲିସିସ କରିବା ପାଇଁ ଅର୍ଚ୍ଚନା ଓ ଜ୍ଞାନେଶ୍ୱରଙ୍କୁ ମୋଟ୍‌ ୬୦୦ କିଲୋମିଟର ଯାତ୍ରା କରିବାକୁ ପଡ଼ିଥାଏ।

୨୦୧୭ର ଏକ ଅଧ୍ୟୟନରୁ ଜଣାପଡ଼େ ଯେ, ପ୍ରାୟ ୬୦ ପ୍ରତିଶତ ଭାରତୀୟ ଡାୟଲିସିସ ରୋଗୀଙ୍କୁ ହେମୋଡାୟଲିସିସ ସେବା ପାଇବା ପାଇଁ ୫୦ କିଲୋମିଟରରୁ ଅଧିକ ରାସ୍ତା ଯାତ୍ରା କରିବାକୁ ପଡ଼ିଥାଏ। ଆହୁରି ପ୍ରାୟ ଏକ ଚତୁର୍ଥାଂଶ ରୋଗୀ ଡାୟଲିସିସ କେନ୍ଦ୍ରଠାରୁ ୧୦୦ କିଲୋମିଟରରୁ ଅଧିକ ଦୂରରେ ରହିଥାନ୍ତି।

ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଥାଏ ଯେ ଭାରତରେ ପ୍ରାୟ ୪,୯୫୦ ଡାୟଲିସିସ କେନ୍ଦ୍ର ରହିଛି, ଏଥିମଧ୍ୟରୁ ଅଧିକାଂଶ ଘରୋଇ। ୩୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୫୬୯ ଜିଲ୍ଲାରେ ୧,୦୪୫ଟି କେନ୍ଦ୍ର ଜରିଆରେ ପିଏମଏନଡିପି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ୍‌ ୭,୧୨୯ଟି ହେମୋଡାୟଲିସିସ ମେସିନ ଉପଯୋଗ କରାଯାଉଛି।

ମୁମ୍ବାଇସ୍ଥିତ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ସହ-ନିର୍ଦ୍ଦେଶକ ନୀତିନ୍ ଆମ୍ବେଦକର କୁହନ୍ତି, ମହାରାଷ୍ଟ୍ରରେ ୫୩ଟି ମାଗଣା ଡାୟଲିସିସ କେନ୍ଦ୍ର ରହିଛି। ‘‘ଅଧିକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ହେଲେ ଆମକୁ ନେଫ୍ରୋଲୋଜିଷ୍ଟ, ଟେକ୍ନିସିଆନମାନଙ୍କର ଆବଶ୍ୟକତା ରହିଛି,’’ ସେ କୁହନ୍ତି।

Archana and Dnyaneshwar at their home in Vangani in 2020
PHOTO • Jyoti Shinoli

୨୦୨୦ରେ ଭାଙ୍ଗାନିସ୍ଥିତ ନିଜ ଘରେ ଅର୍ଚ୍ଚନା ଓ ଜ୍ଞାନେଶ୍ୱର

‘ତାଙ୍କର ପତ୍ନୀ ଚାରି ଘଣ୍ଟା ଧରି ଶୀତତାପ ନିୟନ୍ତ୍ରିତ ଡାୟଲିସିସ କୋଠରୀ ଭିତରେ ଚିକିତ୍ସିତ ହେଉଥିବା ବେଳେ ବାହାରେ ପଡ଼ିଥିବା ଧାତବ ବେଞ୍ଚ ଉପରେ ବସି ଜ୍ଞାନେଶ୍ୱର ଖୁବ ଧୀର ପାଟିରେ କହୁଛନ୍ତି, ‘‘ସାରା ଜୀବନ ଅର୍ଚ୍ଚୁକୁ ଡାୟଲିସିସ ଚିକିତ୍ସା ଦରକାର'

ଅର୍ଚ୍ଚନା ଓ ଜ୍ଞାନେଶ୍ୱର ରହୁଥିବା ଭାଙ୍ଗାନୀ ସହରରେ କୌଣସି ସରକାରୀ ଡାକ୍ତରଖାନା ନାହଁ। ଅନ୍ୟପଟେ, ୨୦୨୧ର ଜିଲ୍ଲା ସାମାଜିକ ଓ ଆର୍ଥିକ ସର୍ବେକ୍ଷଣରୁ ଜଣାପଡ଼ିଥାଏ ଯେ ଠାଣେରେ ପାଖାପାଖି ୭୧ଟି ଘରୋଇ ଡାକ୍ତରଖାନା ରହିଛି। ‘‘କିଛି ଘରୋଇ ଡାକ୍ତରଖାନା ଆମ ଘରଠାରୁ (ମାତ୍ର) ୧୦ କିଲୋମିଟର ଦୂର, କିନ୍ତୁ ଥରେ ଡାୟଲିସିସ ପାଇଁ ସେମାନେ ୧୫୦୦ ଟଙ୍କା ନିଅନ୍ତି,’’ ଜ୍ଞାନେଶ୍ୱର କୁହନ୍ତି।

ତେଣୁ, ୨୫ କିଲୋମିଟର ଦୂରରେ ଥିବା ଉଲ୍‌ହାସନଗର ସେଣ୍ଟ୍ରାଲ ହସ୍ପିଟାଲ କେବଳ ଅର୍ଚ୍ଚନାଙ୍କ ଡାୟଲିସିସ ପାଇଁ ନୁହେଁ ବରଂ ପରିବାରର ଯେକୌଣସି ଜରୁରି ଚିକିତ୍ସା ଆବଶ୍ୟକତା ପାଇଁ ଏକମାତ୍ର ବିକଳ୍ପ। କାହିଁକି ସେମାନଙ୍କୁ ହସ୍ପିଟାଲ ଦୌଡ଼ିବାକୁ ପଡ଼ୁଛି ସେ ଘଟଣାକ୍ରମ ସମ୍ପର୍କରେ ଜ୍ଞାନେଶ୍ୱର ବିସ୍ତୃତ ଭାବେ କହିଥାନ୍ତି।

୧୫ ଏପ୍ରିଲ, ୨୦୨୨ରେ, ଅର୍ଚ୍ଚନାଙ୍କର ମୁଣ୍ଡ ବୁଲାଇବା ସହିତ ପାଦରେ ଏକ ପ୍ରକାର ଶିହରଣ ଅନୁଭୂତ ହେଲା। ‘‘ମୁଁ ତା’କୁ ଏକ ସ୍ଥାନୀୟ ଘରୋଇ କ୍ଲିନିକକୁ ନେଇଗଲି, ସେଠାରେ ତାକୁ ଦୁର୍ବଳ ଲାଗିବା ପାଇଁ କିଛି ଔଷଧ ଦିଆଗଲା।,’’ ସେ କୁହନ୍ତି।

ହେଲେ, ମେ ୨ ତାରିଖ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବେଶୀ ଖରାପ ହୋଇଗଲା। ଛାତିରେ ଯନ୍ତ୍ରଣା ହେବା ସହ ସେ ଅଚେତ ହୋଇଗଲେ। ‘‘ସେ ଚାଲି ପାରୁନଥିଲା। ମୁଁ ଡରିଗଲି,’’ ଜ୍ଞାନେଶ୍ୱର କୁହନ୍ତି। ଅର୍ଚ୍ଚନାଙ୍କ ଚିକିତ୍ସା ପାଇଁ ତାଙ୍କୁ ଏକ ଭଡ଼ା କାରରେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ଦୌଡ଼ିବାକୁ ପଡ଼ିଥିଲା ବୋଲି ସେ କୁହନ୍ତି।

ଜ୍ଞାନେଶ୍ୱର କୁହନ୍ତି, ‘‘ମୁଁ ପ୍ରଥମେ ତା’କୁ ଉଲହାସନଗର ସେଣ୍ଟ୍ରାଲ ହସ୍ପିଟାଲକୁ ନେଇଗଲି, ସେମାନେ ତୁରନ୍ତ ତା’କୁ ଅକ୍ସିଜେନ ଲଗାଇ ଦେଲେ। ପରେ ତା’କୁ କାଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲ (ଉଲହାସନଗରଠାରୁ ୨୭ କିଲୋମିଟର ଦୂର) ନେଇଯିବା ଲାଗି ସେମାନେ ମୋତେ କହିଲେ କାରଣ ଅର୍ଚ୍ଚନାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା’’। କିନ୍ତୁ ଆମେ ଯେତେବେଳେ କାଲୱା ହସ୍ପିଟାଲରେ ପହଞ୍ଚିଲୁ, ସେମାନେ କହିଲେ ଯେ ସେଠାରେ ଏବେ ଗୋଟିଏ ହେଲେ ଆଇସିୟୁ ବେଡ୍‌ ନାହିଁ; ତେଣୁ ସେମାନଙ୍କୁ ଆମକୁ ସାୟନ ହସ୍ପିଟାଲକୁ ପଠାଇଦେଲେ।’’

ସେଦିନ ରାତିରେ ଅର୍ଚ୍ଚନା ଓ ଜ୍ଞାନେଶ୍ୱର ଜରୁରୀ ଚିକିତ୍ସା ସେବା ପାଇବା ପାଇଁ ଏକ ଭଡ଼ା କାର୍‌ରେ ପ୍ରାୟ ୭୮ କିଲୋମିଟର ଦୂର ଯାତ୍ରା କରିଥିଲେ ଏବଂ ୪,୮୦୦ ଟଙ୍କା ଖର୍ଚ୍ଚ କରିଥିଲେ। ସେବେଠାରୁ ଏହି ଖର୍ଚ୍ଚ ଆଉ ବନ୍ଦ ହୋଇନାହିଁ ।

*****

୨୦୧୩ରେ ଯୋଜନା ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ୍‌ ଜନସଂଖ୍ୟାର ପ୍ରାୟ ୨୨ ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ଏବଂ ମୂଳତଃ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲା ବାସିନ୍ଦା ଅର୍ଚ୍ଚନା ଓ ଜ୍ଞାନେଶ୍ୱର ମଧ୍ୟ ଏହି ସୀମାରେଖା ତଳେ ରହିଛନ୍ତି। ଅର୍ଚ୍ଚନାଙ୍କ ରୋଗ ଚିହ୍ନଟ ହେବା ପରେ, ଏହି ଦମ୍ପତିଙ୍କ ଉପରେ 'ବିନାଶକାରୀ ସ୍ୱାସ୍ଥ୍ୟସେବା ଖର୍ଚ୍ଚ'ର ବୋଝ ପଡ଼ିଥିଲା। ମାସିକ ଅଣ-ଖାଦ୍ୟ ବ୍ୟୟ ୪୦ ପ୍ରତିଶତରୁ ଅଧିକ ହେବାକୁ 'ବିନାଶକାରୀ ସ୍ୱାସ୍ଥ୍ୟସେବା ଖର୍ଚ୍ଚ' ଭାବେ ପରିଭାଷିତ କରାଯାଇଛି।

୧୨ ଦିନ ଡାୟଲିସିସ ବାବଦ ଯାତ୍ରା ଖର୍ଚ୍ଚ ପାଇଁ ଏହି ଦମ୍ପତି ମାସିକ ୧୨,୦୦୦ ଟଙ୍କା ଦେଇଥାନ୍ତି। ଔଷଧ ପାଇଁ ମାସକୁ ଆଉ ୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

The door to the dialysis room prohibits anyone other than the patient inside so Dnyaneshwar (right) must wait  outside for Archana to finish her procedure
PHOTO • Jyoti Shinoli
The door to the dialysis room prohibits anyone other than the patient inside so Dnyaneshwar (right) must wait  outside for Archana to finish her procedure
PHOTO • Jyoti Shinoli

ବାମ: ରୋଗୀଙ୍କ ଛଡ଼ା ଡାୟଲିସିସ କୋଠରୀ ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ ତେଣୁ ଅର୍ଚ୍ଚନାଙ୍କ ଚିକିତ୍ସା ସରିବା ପର୍ଯ୍ୟନ୍ତ ଜ୍ଞାନେଶ୍ୱର (ଡାହାଣ) ବାହାରେ ଅପେକ୍ଷା କରିଛନ୍ତି

ଇତିମଧ୍ୟରେ, ସେମାନଙ୍କ ଆୟ କେବଳ କମିବାକୁ ଲାଗିଛି। ଅର୍ଚ୍ଚନାଙ୍କ ଅସୁସ୍ଥତା ପୂର୍ବରୁ, ଏହି ଦମ୍ପତି ଭାଙ୍ଗାନି ଠାରୁ ୫୩ କିଲୋମିଟର ଦୂରରେ ଥିବା ଠାଣେ ରେଳ ଷ୍ଟେସନ ବାହାରେ ଫାଇଲ ଓ କାର୍ଡ ହୋଲ୍ଡର ବିକ୍ରି କରୁଥିଲେ। ବେପାର ଭଲ ହେଲେ ଦିନକୁ ୫୦୦ ଟଙ୍କା ରୋଜଗାର ହେଉଥିଲା। ଅନ୍ୟ ଦିନରେ ସେମାନେ ପାଖାପାଖି ୧୦୦ ଟଙ୍କା ରୋଜଗାର କରୁଥିଲେ। ଏମିତି ବି ଦିନ ଆସୁଥିଲା ଯେତେବେଳେ ସେମାନେ ଆଦୌ କିଛି ଟଙ୍କା ରୋଜଗାର କରିପାରୁନଥିଲେ। ଜ୍ଞାନେଶ୍ୱର କୁହନ୍ତି, ‘‘ଆମେ ମାସକୁ ମାତ୍ର ୬,୦୦୦ ଟଙ୍କା ରୋଜଗାର କରିପାରୁଥିଲୁ – ତା’ଠାରୁ ଅଧିକ ନୁହେଁ।’’ (ଆହୁରି ପଢ଼ନ୍ତୁ : ଏକ ମହାମାରୀ ସମୟରେ ‘ସ୍ପର୍ଶ ମାଧ୍ୟମରେ ଦୁନିଆକୁ ଦେଖିବା )

ଏତିକି ଅଳ୍ପ ଏବଂ ଅସ୍ଥିର ଆୟ କେବଳ ସେମାନଙ୍କର ମାସିକ ଘର ଭଡ଼ା ୨,୫୦୦ ଟଙ୍କା ଏବଂ ଅନ୍ୟ ଘରକରଣା ଖର୍ଚ୍ଚ ତୁଲାଇ ପାରୁଥିଲା। ପୂର୍ବରୁ ଆର୍ଥିକ ଦୁରବସ୍ଥା ମଧ୍ୟରେ ଥିବା ପରିବାର ଉପରେ ଅର୍ଚ୍ଚନାଙ୍କ ରୋଗ ଏକ ବଡ଼ ବୋଝ ପାଲଟିଛି।

ଅର୍ଚ୍ଚନାଙ୍କ ଧ୍ୟାନ ରଖିବା ପାଇଁ ନିକଟରେ ଥିବା କୌଣସି ପରିବାର ପ୍ରସ୍ତୁତ ନଥିବାରୁ ଜ୍ଞାନେଶ୍ୱର କାମ କରିବା ଲାଗି ବାହାରକୁ ଯାଇପାରୁ ନାହାନ୍ତି। ‘‘ସେ ଅତି ଦୁର୍ବଳ,’’ ଜ୍ଞାନେଶ୍ୱର କୁହନ୍ତି। ‘‘ଘର ଭିତରେ ମଧ୍ୟ ସେ ଚଲାବୁଲା କରିପାରିବ ନାହିଁ କିମ୍ବା ବିନା ସହାୟତାରେ ଶୌଚାଳୟ ମଧ୍ୟ ବ୍ୟବହାର କରିପାରିବ ନାହିଁ।’’

ଇତିମଧ୍ୟରେ, ସେମାନଙ୍କ ଋଣ ବୋଝ ବଢ଼ି ବଢ଼ି ଚାଲିଛି। ପଡ଼ୋଶୀ ଏବଂ ବନ୍ଧୁଙ୍କଠାରୁ ଜ୍ଞାନେଶ୍ୱର ୩୦,୦୦୦ ଟଙ୍କାର ଉଧାର ଆଣି ସାରିଲେଣି; ଦୁଇ ମାସର ଭଡ଼ା ବାକି ରହିଛି। ଅର୍ଚ୍ଚନାଙ୍କ ଡାୟଲିସିସ ପାଇଁ ଯାତ୍ରା ଖର୍ଚ୍ଚ ତୁଲାଇବା ଏହି ଦମ୍ପତିଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ପାଲଟିଛି। ସେମାନଙ୍କର ଆୟର ଏକମାତ୍ର ସ୍ଥିର ଉତ୍ସ ହେଉଛି ସଞ୍ଜୟ ଗାନ୍ଧୀ ନିରାଧାର ପେନସନ ଯୋଜନା ଅଧୀନରେ ମିଳୁଥିବା ୧,୦୦୦ ଟଙ୍କାର ମାସିକ ପେନସନ।

ତାଙ୍କର ପତ୍ନୀ ଚାରି ଘଣ୍ଟା ଧରି ଶୀତତାପ ନିୟନ୍ତ୍ରିତ ଡାୟଲିସିସ କୋଠରୀ ଭିତରେ ଚିକିତ୍ସିତ ହେଉଥିବା ବେଳେ ବାହାରେ ପଡ଼ିଥିବା ଧାତବ ବେଞ୍ଚ ଉପରେ ବସି ଜ୍ଞାନେଶ୍ୱର ଖୁବ ଧୀର ପାଟିରେ କହୁଛନ୍ତି, ‘‘ସାରା ଜୀବନ ଅର୍ଚ୍ଚୁକୁ ଡାୟଲିସିସ ଚିକିତ୍ସା ଦରକାର।’’ ଏହି ସମୟରେ, ପାନ ପିକ ଛିଟାରେ ଭର୍ତ୍ତି ହୋଇଯାଇଥିବା କାନ୍ଥରେ ମୁଣ୍ଡକୁ ବିଶ୍ରାମ ଦେବା ଲାଗି ପଛକୁ ଢଳି ପଡ଼ି ସେ ବାଷ୍ପରୁଦ୍ଧ କଣ୍ଠରେ କହୁଛନ୍ତି, ‘‘ମୁଁ ତା’କୁ ହରାଇବାକୁ ଚାହୁଁନାହିଁ।’’

ଭାରତୀୟ ଜନସଂଖ୍ୟାର ଅଧିକାଂଶ ଲୋକଙ୍କ ଭଳି, ଅର୍ଚ୍ଚନା ଓ ଜ୍ଞାନେଶ୍ୱର ଖୁବ ଅଧିକ ‘ଆଉଟ୍‌ ଅଫ ପକେଟ୍‌ ଏକ୍ସପେଣ୍ଡିଚର’ (ଓଓପିଇ) ବା ଆୟଠାରୁ ଅଧିକ ବ୍ୟୟର ବୋଝ ତଳେ ଚାପି ହୋଇ ସଂଘର୍ଷ କରୁଛନ୍ତି। ୨୦୨୦-୨୧ ଆର୍ଥିକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଭାରତରେ ବିଶ୍ୱର ଅନ୍ୟତମ ସର୍ବାଧିକ ଓଓପିଇ ସ୍ତର ରହିଛି। ଏହା ପ୍ରତ୍ୟକ୍ଷ ଭାବେ ଅଧିକ ବିନାଶକାରୀ ବ୍ୟୟ ଘଟଣା ଏବଂ ଦାରିଦ୍ର୍ୟ ପାଇଁ ଦାୟୀ।

When Archana goes through her four-hour long dialysis treatment, sometimes Dnyaneshwar steps outside the hospital
PHOTO • Jyoti Shinoli
Travel expenses alone for 12 days of dialysis for Archana set the couple back by Rs. 12,000 a month
PHOTO • Jyoti Shinoli

ବାମ: ଚାରି ଘଣ୍ଟା ଧରି ଅର୍ଚ୍ଚନାଙ୍କ ଚିକିତ୍ସା ଚାଲିଥିବା ସମୟରେ, ବେଳେ ବେଳେ ଜ୍ଞାନେଶ୍ୱର ହସ୍ପିଟାଲ ବାହାରେ ଆସି ବୁଲାବୁଲି କରନ୍ତି ଡାହାଣ: ୧୨ ଦିନ ପାଇଁ ଅର୍ଚ୍ଚନାଙ୍କ ଡାୟଲିସିସ ପାଇଁ ଯାତ୍ରା ଖର୍ଚ୍ଚ ବାବଦକୁ ଏହି ଦମ୍ପତିଙ୍କୁ ମାସିକ ୧୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ

‘‘ଗ୍ରାମାଞ୍ଚଳରେ ଡାୟଲିସିସ ଚିକିତ୍ସାର ଉପଲବ୍ଧତା ଯଥେଷ୍ଟ ନୁହେଁ। ପିଏମଏନଡିପି ଯୋଜନା ଅଧୀନରେ, ଉପ-ଜିଲ୍ଲାସ୍ତରରେ ଡାୟଲିସିସ କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ୍, ପ୍ରତ୍ୟେକ କେନ୍ଦ୍ରରେ ତିନୋଟି ଶଯ୍ୟା ରହିବା ଆବଶ୍ୟକ,’’ ଜନ ସ୍ୱାସ୍ଥ୍ୟ ଅଭିଯାନର ଜାତୀୟ ସହ-ଆବାହକ ଡକ୍ଟର ଅଭୟ ଶୁକ୍ଳା କୁହନ୍ତି। ‘‘ଆହୁରି ସରକାର ରୋଗୀଙ୍କ ଯାତ୍ରା ଖର୍ଚ୍ଚ ମଧ୍ୟ ଉଠାଇବା ଉଚିତ୍‌।’’

ଆୟଠାରୁ ଅଧିକ ବ୍ୟୟର ବୋଝ ରୋଗୀ ଉପରେ ଅନ୍ୟାନ୍ୟ ପ୍ରଭାବ ମଧ୍ୟ ପକାଇଥାଏ। ଉଦାହରଣ ସ୍ୱରୂପ, ଉପଯୁକ୍ତ ଖାଦ୍ୟ ଖାଇବା ପାଇଁ ଖର୍ଚ୍ଚ ଅଭାବ ପଡ଼ିଥାଏ। ଅର୍ଚ୍ଚନାଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ବେଳେ ବେଳେ ଫଳ ଖାଇବା ଲାଗି ପରାମର୍ଶ ଦିଆଯାଇଛି। କିନ୍ତୁ, ଦିନକୁ ଗୋଟିଏ ବେଳା ଖାଦ୍ୟ ଯୋଗାଡ଼ କରିବା ମଧ୍ୟ ଏହି ଦମ୍ପତିଙ୍କ ପାଇଁ ଏକ କଷ୍ଟକର କାର୍ଯ୍ୟ। ‘‘ଆମ ଘର ମାଲିକ ଆମକୁ ମଧ୍ୟାହ୍ନ ଭୋଜନ ନହେଲେ ରାତ୍ରୀଭୋଜନ ଦେଇଥାନ୍ତି; ବେଳେବେଳେ ମୋ ବନ୍ଧୁ କିଛି ଖାଦ୍ୟ ପଠାଇଥାନ୍ତି,’’ ଜ୍ଞାନେଶ୍ୱର କୁହନ୍ତି।

ଦିନେ ଦିନେ ସେମାନଙ୍କୁ କିଛି ଖାଇବା ମିଳେ ନାହିଁ।

‘‘କେମିତି (ଅନ୍ୟମାନଙ୍କୁ) ଖାଦ୍ୟ ମାଗିବୁ? ତେଣୁ, ମୁଁ ରୋଷେଇ କରିବାକୁ ଚେଷ୍ଟା କରେ,’’ ଜ୍ଞାନେଶ୍ୱର କୁହନ୍ତି। ସେ ପୂର୍ବରୁ କେବେ ରୋଷେଇ କରିନଥିଲେ। ‘‘ଗୋଟିଏ ମାସ ପାଇଁ ମୁଁ ଚାଉଳ, ଗହମ ଅଟା ଓ କିଛି ଡାଲି କିଣିଥିଲି।’’ ଯେଉଁ ଦିନ ସେମାନଙ୍କ ପାଇଁ ତାଙ୍କୁ ଖାଦ୍ୟ ରାନ୍ଧିବାକୁ ପଡ଼ିଥାଏ,  ସେଦିନ ଖଟ ଉପରେ ଶୋଇ ରହି ଅର୍ଚ୍ଚନା ତାଙ୍କୁ ରୋଷେଇ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି।

ଅର୍ଚ୍ଚନାଙ୍କ ଭଳି ରୋଗୀମାନେ ରୋଗ ଯନ୍ତ୍ରଣା ଏବଂ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚର ବୋଝ ତଳେ  ଚାପି ହୋଇ ରହିଛନ୍ତି। ଏହା ଜନସଂଖ୍ୟା ତୁଳନାରେ ସ୍ଵାସ୍ଥ୍ୟ ସେବା ପ୍ରସାରରେ ସୁଧାର ଆଣିବା ଏବଂ ରୋଗୀଙ୍କ ଆୟ ତୁଳନାରେ ଅଧିକ ବ୍ୟୟକୁ ତୁରନ୍ତ ହ୍ରାସ କରିବା ପ୍ରତି ଦୃଷ୍ଟି ଆକର୍ଷଣ କରିଥାଏ। ୨୦୨୧-୨୨ରେ, ଜନ ସ୍ଵାସ୍ଥ୍ୟ ବ୍ୟୟ ପରିମାଣ ଦେଶର ଜିଡିପି ତୁଳନାରେ ୨.୧ ପ୍ରତିଶତ ଥିଲା। ୨୦୨୦-୨୧ ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ପରାମର୍ଶ ଦିଆଯାଇଛି ଯେ, ‘‘ ଜାତୀୟ ସ୍ଵାସ୍ଥ୍ୟ ନୀତି ୨୦୧୭ର ପରିକଳ୍ପନା ଅନୁଯାୟୀ- ଜନ ସ୍ଵାସ୍ଥ୍ୟ ବ୍ୟୟ ପରିମାଣକୁ ଜିଡିପିର ୧ ପ୍ରତିଶତରୁ ବଢ଼ାଇ ୨.୫-୩ ପ୍ରତିଶତ କରାଯିବାର ଆବଶ୍ୟକତା ରହିଛି , ଏହା ଓଓପିଇ ସ୍ତରକୁ ମୋଟ ସ୍ଵାସ୍ଥ୍ୟ ସେବା ଖର୍ଚ୍ଚର ୬୫ ପ୍ରତିଶତରୁ ୩୦ ପ୍ରତିଶତକୁ ହ୍ରାସ କରିପାରିବ।’’

ଏସବୁ ଅର୍ଥନୈତିକ ବିଷୟ ଏବଂ ସୁପାରିସ ସମ୍ପର୍କରେ ଅର୍ଚ୍ଚନା ଓ ଜ୍ଞାନେଶ୍ୱର କିଛି ବୁଝନ୍ତି ନାହିଁ। ଅର୍ଚ୍ଚନାଙ୍କ ଡାୟଲିସିସ ପାଇଁ ଏକ ଲମ୍ବା ଓ ବ୍ୟୟବହୁଳ ଯାତ୍ରା ପରେ ସେମାନେ କେବଳ ଘରକୁ ଫେରିଯିବା ଲାଗି ଚାହୁଁଛନ୍ତି। ସେ ତାଙ୍କ ହାତକୁ ଧରି, ଧୀରେ ଧୀରେ ହସ୍ପିଟାଲ ବାହାରକୁ ଆସୁଛନ୍ତି ଏବଂ ଏକ ଅଟୋରିକ୍ସା ଧରୁଛନ୍ତି। ସକାଳର ଯାତ୍ରା ପରେ ତାଙ୍କ ପକେଟରେ ବଳକା ରହିଯାଇଥିବା ୫୦୫ ଟଙ୍କାକୁ ସେ ତୁରନ୍ତ ଦେଖି ନେଉଛନ୍ତି।

‘‘ଘରେ ପହଞ୍ଚିବା ପାଇଁ ଆମ ପାଖରେ ଯଥେଷ୍ଟ (ଟଙ୍କା) ଅଛି କି?’’ ଅର୍ଚ୍ଚନା ପଚାରୁଛନ୍ତି।

‘‘ହଁ…,’’ ଜ୍ଞାନେଶ୍ୱର କହୁଛନ୍ତି, ତାଙ୍କର କଣ୍ଠ ସ୍ଵର ସାମାନ୍ୟ ଅନିଶ୍ଚିତ ଲାଗୁଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Jyoti Shinoli

جیوتی شنولی پیپلز آرکائیو آف رورل انڈیا کی ایک رپورٹر ہیں؛ وہ پہلے ’می مراٹھی‘ اور ’مہاراشٹر۱‘ جیسے نیوز چینلوں کے ساتھ کام کر چکی ہیں۔

کے ذریعہ دیگر اسٹوریز جیوتی شنولی
Editor : Sangeeta Menon

سنگیتا مینن، ممبئی میں مقیم ایک قلم کار، ایڈیٹر، اور کمیونی کیشن کنسلٹینٹ ہیں۔

کے ذریعہ دیگر اسٹوریز Sangeeta Menon
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE