‘‘ଆପଣଙ୍କର ଝିଅ ହୋଇଛି,’’ ଡାକ୍ତର କହିଲେ।
ଏହା ଆଶାଙ୍କର ଚତୁର୍ଥ ସନ୍ତାନ ହେବ - କିନ୍ତୁ ନିଶ୍ଚିତ ଭାବରେ ତାଙ୍କର ଶେଷ ନୁହେଁ। ସ୍ତ୍ରୀ ରୋଗ ବିଶେଷଜ୍ଞ ତାଙ୍କ ମା କାନ୍ତାବେନ୍ଙ୍କୁ ସାନ୍ତ୍ୱନା ଦେଇଥିବାର ସେ ଶୁଣିଥିଲେ: “ମା, ତୁମେ କାନ୍ଦ ନାହିଁ। ଆବଶ୍ୟକ ହେଲେ ମୁଁ ଆଉ ଆଠଟି ସିଜରିଆନ୍ କରିବି। କିନ୍ତୁ ସେ ଏକ ପୁଅକୁ ଜନ୍ମ ଦେବା ଯାଏଁ ମୁଁ ଏଠାରେ ଅଛି। ତା’ର ଦାୟିତ୍ୱ ମୋର। ”
ଏହାପୂର୍ବରୁ ଆଶାଙ୍କର ତିନି ସନ୍ତାନ ସମସ୍ତେ ଝିଅ ଥିଲେ, ସମସ୍ତେ ସିଜରିଆନ୍ ସର୍ଜରୀ ମାଧ୍ୟମରେ ଜନ୍ମ ହୋଇଥିଲେ। ଏବଂ ବର୍ତ୍ତମାନ ସେ ଅହମ୍ମଦାବାଦ ସହରର ମଣିନାଗର ଅଞ୍ଚଳର ଏକ ଘରୋଇ କ୍ଲିନିକରେ ଭ୍ରୁଣ ଲିଙ୍ଗ ନିରୀକ୍ଷଣ ବାବଦରେ ରାୟ ଦେଉଥିବା ଶୁଣୁଥିଲେ। (ଏହିପରି ପରୀକ୍ଷା ବେଆଇନ୍, କିନ୍ତୁ ବହୁଳ ଭାବରେ ଉପଲବ୍ଧ ଅଛି।) ବହୁ ବର୍ଷ ମଧ୍ୟରେ ଏହା ତାଙ୍କର ଚତୁର୍ଥ ଗର୍ଭଧାରଣ ଥିଲା। ସେ କାନ୍ତାବେନ୍ଙ୍କ ସହିତ ୪୦ କିଲୋମିଟର ଦୂରରେ ଥିବା ଖାନପର୍ ଗାଁରୁ ଏଠାକୁ ଆସିଥିଲେ। ଉଭୟ ମା ଓ ଝିଅ ଶୋକଗ୍ରସ୍ତ ଥିଲେ। ସେମାନେ ଜାଣିଥିଲେ ଆଶାଙ୍କ ଶ୍ୱଶୁର ତାଙ୍କୁ ଗର୍ଭପାତ କରିବାକୁ ଦେବେ ନାହିଁ। କାନ୍ତାବେନ୍ କହିଲେ, ‘ଏହା ଆମର ବିଶ୍ୱାସର ବିରୋଧୀ। ’
ଅନ୍ୟ ଶବ୍ଦରେ କହିଲେ : ଏହା ଆଶାଙ୍କର ଶେଷ ଗର୍ଭଧାରଣ ହେବ ନାହିଁ।
ଆଶା ଓ କାନ୍ତାବେନ୍ ଭରୱାଡ୍ ସମ୍ପ୍ରଦାୟର ପାଳକ, ଯେଉଁମାନେ ସାଧାରଣତଃ ମେଣ୍ଢା ଓ ଛେଳି ପାଳନ୍ତି। ଅବଶ୍ୟ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଳ୍ପ ସଂଖ୍ୟାରେ ଗାଈ ଓ ମଇଁଷି ପାଳନ କରନ୍ତି। ଅହମ୍ମଦାବାଦ ଜିଲ୍ଲାର ଢୋଲକା ତାଲୁକା ଅଧୀନ ତାଙ୍କ ଗାଁ ଖାନପରରେ ମାତ୍ର ୨୭୧ ପରିବାର ଓ ୧,୫୦୦ ରୁ କମ୍ ଲୋକ ଅଛନ୍ତି (ଜନଗଣନା ୨୦୧୧) । ପାରମ୍ପରିକ ସାମାଜିକ ସ୍ତରରେ, ଏହି ସମ୍ପ୍ରଦାୟ ପାଳକ ଜାତିଙ୍କ ମଧ୍ୟରେ ସର୍ବନିମ୍ନ ଭାବରେ ଦେଖାଯାଏ ଓ ଗୁଜୁରାଟରେ ଏକ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ।
*****
ଖାନପାରର ଛୋଟ କୋଠରୀ, ଯେଉଁଠାରେ ଆମେ ତାଙ୍କୁ ଅପେକ୍ଷା କରିଥିଲୁ, ସେଠାରେ ପ୍ରବେଶ କରିବା ବେଳେ କାନ୍ତାବେନ୍ ମୁଣ୍ଡରେ ଓଢ଼ଣା ଦେଇଥିବା ଶାଢ଼ୀ କାନିକୁ ଟେକି ଦେଲେ। ଏହି ଗାଁ ଓ ନିକଟବର୍ତ୍ତୀ ଗାଁର ଅନ୍ୟ କେତେକ ମହିଳା ଏଠାରେ ଆମ ସହିତ ଯୋଗ ଦେଇଛନ୍ତି, ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କଥାବାର୍ତ୍ତା କରିବା ପାଇଁ - ଯାହା କଥା ହେବା ପାଇଁ ଆଦୌ ଗୋଟିଏ ସହଜ ବିଷୟ ନୁହେଁ।
କାନ୍ତାବେନ୍ କହନ୍ତି, “ଏହି ଗାଁରେ ଛୋଟ ଓ ବଡ଼ ୮୦ରୁ ୯୦ ଭରୱାଡ ପରିବାର ଅଛନ୍ତି । “ଏଠାରେ ହରିଜନ [ଦଳିତ], ଭଗ୍ରିସ୍, ଏମିତିକି ଠାକୁର ଏବଂ କେତେକ କୁମ୍ଭାର ପରିବାର ଅଛନ୍ତି। କିନ୍ତୁ ଏଠାରେ ଅଧିକାଂଶ ପରିବାର ଭରୱାଡ।” କୋଲି ଠାକୁରମାନେ ଗୁଜୁରାଟର ଏକ ବୃହତ ଜାତି - ଅନ୍ୟ ରାଜ୍ୟରେ ଠାକୁରଙ୍କ ସହ ଏମାନେ ସମାନ ନୁହନ୍ତି।
ପ୍ରାୟ ୫୦ ବର୍ଷର କାନ୍ତାବେନ୍ କହିଲେ, "ଆମ ଝିଅମାନେ ଶୀଘ୍ର ବିବାହ କରନ୍ତି କିନ୍ତୁ ୧୬ କିମ୍ବା ୧୮ ବର୍ଷ ପର୍ଯ୍ୟନ୍ତ ବାପାଙ୍କ ଘରେ ରୁହନ୍ତି ଏବଂ ତା’ ପରେ ଶାଶୂଘରକୁ ଯିବାକୁ ପ୍ରସ୍ତୁତ ହୁଅନ୍ତି ।" ତାଙ୍କ ଝିଅ ଆଶା ମଧ୍ୟ ଶୀଘ୍ର ବିବାହ କରିଥିଲେ, ୨୪ ବର୍ଷ ବୟସ ବେଳକୁ ତାଙ୍କର ତିନିଟି ସନ୍ତାନ ଥିଲେ ଏବଂ ବର୍ତ୍ତମାନ ଚତୁର୍ଥ ସନ୍ତାନର ଆଶା କରୁଛନ୍ତି। ବାଲ୍ୟ ବିବାହ ଏକ ନିୟମ ଏବଂ ସମ୍ପ୍ରଦାୟର ଅଧିକାଂଶ ମହିଳା ସେମାନଙ୍କର ବୟସ, ବିବାହ ବର୍ଷ, କିମ୍ବା ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ହେବାବେଳେ ତାଙ୍କୁ କେତେ ବୟସ ହୋଇଥିଲା ସେ ବାବଦରେ ସ୍ପଷ୍ଟ ଧାରଣା ରଖନ୍ତି ନାହିଁ।
କାନ୍ତାବେନ୍ କହନ୍ତି, ‘‘ମୁଁ କେବେ ବିବାହ କଲି ମୁଁ ଠିକ୍ ଭାବେ ମନେ ପକାଇ ପାରୁନାହିଁ, କିନ୍ତୁ ମୋର ମନେ ଅଛି ପ୍ରାୟ ପ୍ରତିବର୍ଷ ମୁଁ ଗର୍ଭବତୀ ହେଉଥିଲି।’’ ତାଙ୍କ ଆଧାର କାର୍ଡରେ ଥିବା ତାରିଖ ତାଙ୍କ ସ୍ମୃତି ଶକ୍ତି ଭଳି ବିଶ୍ୱାସଯୋଗ୍ୟ।
ସେଠାରେ ସେଦିନ ଏକାଠି ହୋଇଥିବା ମହିଳାମାନଙ୍କ ମଧ୍ୟରୁ ଜଣେ ହୀରାବେନ୍ ଭରୱାଡ୍ କହନ୍ତି, ‘‘ମୋର ନଅଟି ଝିଅ ଅଛନ୍ତି ଏବଂ ଏହି ଦଶମଟି ପୁଅ। ମୋ ପୁଅ ଅଷ୍ଟମ ଶ୍ରେଣୀରେ ପଢୁଛି। ମୋ ଝିଅମାନଙ୍କ ମଧ୍ୟରୁ ଛଅ ଜଣ ବିବାହିତା, ୨ ଜଣ ବିବାହ କରିବାକୁ ଅଛନ୍ତି। ଆମେ ସେମାନଙ୍କୁ ଯୋଡ଼ି ଯୋଡ଼ି କରି ବିବାହ କରାଉଛୁ।’’ ଏହି ତାଲୁକାର ଖାନାପର ଓ ଅନ୍ୟ ଗାଁ ଗୁଡ଼ିକରେ ଏହି ସଂପ୍ରଦାୟରେ ଏକାଧିକ ଓ ଲଗାତାର ଗର୍ଭଧାରଣ ସାଧାରଣ କଥା। ହୀରାବେନ୍ କହନ୍ତି, ‘‘ଆମ ଗାଁରେ ଜଣେ ମହିଳା ଥିଲେ ଯାହାଙ୍କର ୧୩ ଥର ଗର୍ଭପାତ ପରେ ଗୋଟିଏ ପୁଅ ହେଲା’’। ‘‘ଏହା ପାଗଳପଣ। ଏଠାରେ ଲୋକେ ଗୋଟିଏ ପୁଅ ହେବା ଯାଏଁ ଯେତେ ପାର୍ ସେତେ ଗର୍ଭଧାରଣ କରନ୍ତି। ସେମାନେ କିଛି ବୁଝନ୍ତି ନାହିଁ। ସେମାନଙ୍କର ଗୋଟିଏ ପୁଅ ଦରକାର। ମୋ ଶାଶୂଙ୍କର ଆଠଟି ପିଲା ଥିଲେ। ମୋ ଖୁଡ଼ୀଙ୍କର ୧୬ଟି ପିଲା ଥିଲେ। ତାକୁ ଆପଣ କ’ଣ କହିବେ ?’’
ଜୀବନର ୪୦ ଦଶକରେ ଥିବା ରମିଳା ଭରୱାଡ କହିଲେ, ‘‘ଶାଶୂ ଘର ଲୋକେ ପୁଅ ଚାହାନ୍ତି। ଯଦି ତୁମେ ତାହା ନ କଲ ତେବେ ଶାଶୂଙ୍କଠାରୁ ନେଇ ନଣନ୍ଦ ଏମିତିକି ପଡ଼ୋଶୀମାନେ ସମସ୍ତେ ତୁମକୁ ଗଞ୍ଜଣା ଦେବେ। ଆଜିକାଲି ପିଲାଙ୍କୁ ବଡ଼ କରିବା ସହଜ ନୁହେଁ। ମୋର ବଡ଼ ପୁଅ ୧୦ମ ଶ୍ରେଣୀରେ ଦୁଇ ଥର ଫେଲ୍ ହେଲା ଏବଂ ଏବେ ତୃତୀୟ ଥର ପରୀକ୍ଷା ଦେଉଛି। ଆମେ ମହିଳାମାନେ କେବଳ ଜାଣିଛୁ ଏହି ପିଲାଙ୍କୁ ବଡ଼ କରିବା କେତେ କଷ୍ଟ। କିନ୍ତୁ ଆମେ କ’ଣ କରିପାରିବୁ ?’’
ଗୋଟିଏ ପୁଅ ପାଇଁ ସେହି ଦୃଢ଼ ପସନ୍ଦ ବାବଦରେ ପରିବାର ନିଷ୍ପତ୍ତି ଶୁଣାଇ ଦିଏ ଏବଂ ମହିଳାମାନଙ୍କୁ ପିଲା ଜନ୍ମ କରିବାକୁ ହୁଏ। ରମିଳା ପଚାରନ୍ତି, ‘‘ଭଗବାନ ଯେତେବେଳେ ଆମକୁ ପୁଅ ପାଇଁ ଅପେକ୍ଷା କରାଇଲେ ସେତେବେଳେ କ’ଣ କରିବା ? ମୋର ମଧ୍ୟ ପୁଅ ପୂର୍ବରୁ ମଧ୍ୟ ତିନି ଝିଅ ଥିଲେ। ପୂର୍ବରୁ ଆମେ ସମସ୍ତେ ପୁଅକୁ ଅପେକ୍ଷା କରୁଥିଲୁ, କିନ୍ତୁ ବର୍ତ୍ତମାନ କଥା ଟିକିଏ ଅଲଗା ହୋଇପାରେ।”
୧୫୨୨ ଲୋକ ରହୁଥିବା ପଡ଼ୋଶୀ ଗାଁ ଲାନାରେ ରହୁଥିବା ରେଖାବେନ୍ ପରିହାସ କରି କହିଲେ, ‘‘କଣ ଅଲଗା ? ମୋର କ’ଣ ଚାରିଟି ଝିଅ ନ ଥିଲେ। ’’ ଆମେ ଯେଉଁ ମହିଳାମାନଙ୍କ ବାବଦରେ କହୁଛୁ ସେମାନେ ଅହମ୍ମଦାବାଦ ସହରର ୫୦ କିମି ପରିଧି ମଧ୍ୟରେ ଆସୁଥିବା ଏହି ତାଲୁକାର ଖାନପର, ଲାନା ଏବଂ ଅମ୍ବାଲିୟାରା ଗାଁର ବାସିନ୍ଦା। ଏବଂ ବର୍ତ୍ତମାନ ସେମାନେ କେବଳ ଏହି ସାମ୍ବାଦିକଙ୍କ ସହ ନୁହେଁ ବରଂ ନିଜ ମଧ୍ୟରେ ମଧ୍ୟ ଉତ୍ସାହପୂର୍ଣ୍ଣ ଭାବେ କଥା ହେଉଛନ୍ତି। ପରିସ୍ଥିତି ବଦଳିବା ନେଇ ରମିଳା ଦେଇଥିବା ମତ ଉପରେ ରେଖାବେନ୍ ପ୍ରଶ୍ନ କଲେ :‘‘ମୁଁ ମଧ୍ୟ କେବଳ ଗୋଟିଏ ପୁଅ ପାଇଁ ଅପେକ୍ଷା କରିଥିଲି, କରି ନ ଥିଲି କି ? ଆମେ ଭରୱାଡ୍, ଆମର ଗୋଟିଏ ପୁଅ ରହିବା ଉଚିତ। ଯଦି ଆମର କେବଳ ଝିଅ ହେବେ ଆମକୁ ବାଞ୍ଝ କୁହାଯିବ।’’
ସମ୍ପ୍ରଦାୟର ଦାବି ସମ୍ପର୍କରେ ରମିଳାବେନ୍ଙ୍କ ସାହସିକ ସମାଲୋଚନା ନିର୍ବିଶେଷରେ, ଅଧିକାଂଶ ମହିଳା ଗୋଟିଏ ‘ପୁଅର ପସନ୍ଦ’କୁ ସାମାଜିକ ଚାପ ଏବଂ ସାଂସ୍କୃତିକ ପରମ୍ପରାର ଫଳ ବୋଲି କହନ୍ତି। ୨୦୧୫ ମସିହାରେ ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ହେଲ୍ଥ ସାଇସେନ୍ସ ଏଣ୍ଡ ରିସର୍ଚ୍ଚରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅହମ୍ମଦାବାଦ ଜିଲ୍ଲାର ଗ୍ରାମାଞ୍ଚଳରେ ୮୪ ପ୍ରତିଶତ ମହିଳା କହିଲେ, ସେମାନେ ଗୋଟିଏ ପୁଅ ଚାହୁଁଥିଲେ। ରିପୋର୍ଟ ଅନୁସାରେ, ମହିଳମାନଙ୍କର ଏମିତି ପସନ୍ଦ ପଛର କାରଣ ହେଲା ପୁରୁଷମାନଙ୍କର: ‘‘ଅଧିକ ମଜୁରୀ ଆୟ କରିବା କ୍ଷମତା ଥାଏ, ଖାସ୍ କରି କୃଷିଭିତ୍ତିକ ଅର୍ଥନୀତିରେ; ସେମାନେ ବଂଶକୁ ଆଗକୁ ନିଅନ୍ତି; ସେମାନେ ସାଧାରଣତଃ ଉତ୍ତରାଧିକାରୀ ହୁଅନ୍ତି। ’’
ଅନ୍ୟ ପଟେ, ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଯୌତୁକ ପ୍ରଥା ଯୋଗୁଁ ଝିଅମାନେ ଆର୍ଥିକ ବୋଝ ଭାବରେ ବିବେଚନା କରାଯାଆନ୍ତି; “ବିବାହ ପରେ ସେମାନେ ସାଧାରଣତଃ ସ୍ୱାମୀଙ୍କ ପରିବାରର ସଦସ୍ୟ ହୁଅନ୍ତି ଏବଂ (ତା ସହ) ଅସୁସ୍ଥତା ଏବଂ ବୃଦ୍ଧାବସ୍ଥାରେ ନିଜ ବାପା-ମା’ଙ୍କ ପାଇଁ ମଧ୍ୟ ଦାୟିତ୍ୱ ରଖନ୍ତି ନାହିଁ। ”
*****
୩୦ ବର୍ଷୀୟ ଜିଲୁବେନ୍ ଭରୱାଡ୍, ୩୫୬୭ ଜନସଂଖ୍ୟା ବିଶିଷ୍ଟ ଗାଁ ଆମ୍ବଲିୟାରାର ବାସିନ୍ଦା ୩୦ ବର୍ଷୀୟ ଜିଲୁବେନ୍ ଭରୱାଡ କିଛି ବର୍ଷ ପୂର୍ବେ ଢୋଲକା ତାଲୁକା ଅଧୀନ କୋଥ (କୋଥା ବୋଲି କହନ୍ତି) ଗାଁ ନିକଟସ୍ଥ ଏକ ସରକାରୀ ହସ୍ପିଟାଲରେ ପରିବାର ନିୟୋଜନ କରାଇଥିଲେ। କିନ୍ତୁ ତାଙ୍କର ଚାରିଟି ପିଲା ହେବା ପରେ ହିଁ ଏହି ନିରାକରଣ କରାଯାଇଥିଲା। ସେ କହନ୍ତି, ‘‘ମୋର ଦୁଇଟି ପୁଅ ହେବା ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବାକୁ ହେଲା। ମୁଁ ୭ ବା ୮ ବର୍ଷର ହୋଇଥିବା ବେଳେ ମୋର ବିବାହ ହୋଇଥିଲା। ମୁଁ ପରିପକ୍ୱ ହେବା ପରେ ଶାଶୂ ଘରକୁ ପଠାଗଲି। ସେତେବେଳକୁ ମୋତେ ୧୯ ହୋଇଥିଲା। ମୁଁ ମୋର ବିବାହ ପୋଷାକ ବଦଳାଇବା ପୂର୍ବରୁ ହିଁ ଗର୍ଭବତୀ ହୋଇଗଲି। ତା’ପରେ ପ୍ରାୟ ପ୍ରତିବର୍ଷ ଏହି ଧାରା ଚାଲିଲା।’’
ସେ ଗର୍ଭନିରୋଧକ ବଟିକା ନେବା ବା ଏକ ଅନ୍ତଗର୍ଭାଶୟୀ ଯନ୍ତ୍ର (କପର-ଟି) ବ୍ୟବହାର ବାବଦରେ ନିଶ୍ଚିତ ନ ଥିଲେ । ବହୁତ ଭାବି ସେ କହିଲେ, ‘‘ମୁଁ ଏ ବାବଦରେ ଖୁବ୍ କମ୍ ଜାଣିଥିଲି। ମୁଁ ଅଧିକ ଜାଣିଥିଲେ ସମ୍ଭବତଃ ଏତେ ସଂଖ୍ୟାରେ ପିଲା ଜନ୍ମ କରିନଥାନ୍ତି। କିନ୍ତୁ ଆମ ଭରୱାଡଙ୍କ ମଧ୍ୟରେ ମାତାଜୀ (ମେଲାଦି ମା, ଏକ ସମ୍ପ୍ରଦାୟ ଦେବୀ) ଯାହା ଦିଅନ୍ତି ତାକୁ ଆମକୁ ଗ୍ରହଣ କରିବାକୁ ହୁଏ। ଯଦି ମୁଁ ଆଉ ଗୋଟିଏ ପିଲା ଜନ୍ମ କରିନଥାନ୍ତି, ଲୋକେ କଥା ହୋଇଥାଆନ୍ତେ। ସେମାନେ ଭାବିଥାଆନ୍ତେ ମୁଁ ଆଉ ଜଣେ ପୁରୁଷ ପ୍ରତି ଆଗ୍ରହୀ। ଏସବୁ କିଏ ସାମ୍ନା କରିବ ?’’
ଜିଲୁବେନ୍ଙ୍କର ପ୍ରଥମ ସନ୍ତାନ ଗୋଟିଏ ପୁଅ ଥିଲା, କିନ୍ତୁ ଆଉ ଗୋଟିଏ ପାଇଁ ତାଙ୍କ ପରିବାର ନିର୍ଦ୍ଦେଶ ଦେଲା ଏବଂ ସେ ଦ୍ୱିତୀୟ ପୁଅକୁ ଅପେକ୍ଷା କରୁଥିଲେ, ତା’ ବଦଳରେ ପରବର୍ତ୍ତୀ ଦୁଇ ଥର ତାଙ୍କର ଝିଅ ହେଲା। ଦୁଇ ଝିଅଙ୍କ ମଧ୍ୟରୁ ଜଣେ କଥା କହିପାରେ ନାହିଁ କି ଶୁଣିପାରେ ନାହିଁ। ସେ କହନ୍ତି, ‘‘ଆମ ଭରୱାଡମାନଙ୍କର ଦୁଇଟି ପୁଅ ଦରକାର। ଆଜିକାଲି କେତେକ ମହିଳା ଭାବୁଛନ୍ତି ଗୋଟିଏ ପୁଅ ଓ ଗୋଟିଏ ଝିଅ ହେବା ଯଥେଷ୍ଟ, ତଥାପି ଆମେ ମାତାଜୀଙ୍କର ଆଶୀର୍ବାଦ ଆଶା ରଖିଥାଉ।’’
ତାଙ୍କର ଦ୍ୱିତୀୟ ପୁଅ ହେବା ପରେ ଆଉ ଜଣେ ମହିଳାଙ୍କ ଉପଦେଶକ୍ରମେ, ସମ୍ଭାବ୍ୟ ବିକଳ୍ପ ଉପରେ ଅଧିକ ସୂଚନା ଦେଲେ ଯେ ଜିଲୁବେନ୍ ଶେଷରେ ନିଜ ଭାଉଜଙ୍କ ସହ କୋଥକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଯିବାକୁ ରାଜି ହେଲେ। ସେ କହିଲେ, ‘‘ମୋ ସ୍ୱାମୀ ବି ମୋତେ ଏହା କରିବାକୁ କହିଲେ। ସେ ମଧ୍ୟ ଜାଣିଥିଲେ(ସୀମା) ସେ କେତେ ଆୟ କରିପାରିବେ ଓ ଘରକୁ ଆଣିପାରିବେ। ଆମ ପାଖରେ କୌଣସି ଭଲ ନିଯୁକ୍ତି ବିକଳ୍ପ ନାହିଁ। ଆମ ପାଖରେ ଯାହା ଅଛି ତାହା ହେଲା କେବଳ ଏହି ପଶୁମାନଙ୍କୁ ଦେଖାଶୁଣା କରିବା। ’’
ଢୋଲକା ତାଲୁକାର ଏହି ସମ୍ପ୍ରଦାୟ ସୌରାଷ୍ଟ୍ର ବା କଚ୍ଛର ଭରୱାଡ ପଶୁପାଳକଙ୍କଠାରୁ ଅନେକାଂଶରେ ଭିନ୍ନ। ସେହି ଗୋଷ୍ଠୀଙ୍କ ପାଖରେ ବହୁ ସଂଖ୍ୟାରେ ମେଣ୍ଢା ଓ ଛେଳି ଥିବାବେଳେ, ଢୋଲକାର ଭରୱାଡମାନେ କେବଳ କେତେକ ଗାଈ ଓ ମଇଁଷି ପାଳନ କରନ୍ତି। ଅମ୍ବାଲିୟାରାର ଜୟାବେନ୍ କହନ୍ତି, ‘‘ଏଠାରେ ପ୍ରତି ପରିବାର ପାଖରେ ମାତ୍ର ୨-୪ଟି ପଶୁ ଅଛନ୍ତି। ସେଥିରୁ ଆମ ଘରର ଆବଶ୍ୟକତା ପୂରଣ ହୁଏ ନାହିଁ। ଏମାନଙ୍କଠାରୁ କୌଣସି ରୋଜଗାର ହୁଏ ନାହିଁ। ଆମେ ସେମାନଙ୍କର ଖାଦ୍ୟ ପାଇଁ ବ୍ୟବସ୍ଥା କରୁ। ବେଳେବେଳେ ଉତ୍ପାଦନ ସମୟରେ ଲୋକେ ଆମକୁ କିଛି ଧାନ ଦିଅନ୍ତି, ନ ହେଲେ ଆମକୁ ତାହା ମଧ୍ୟ କିଣିବାକୁ ହୁଏ।’’
ଭରୱାଡମାନଙ୍କର ଅଧିକାର ପାଇଁ କାମ କରୁଥିବା ଗୁଜରାଟ ଅହମ୍ମଦାବାଦ ଭିତ୍ତିକ ମାଲଧାରୀ ସଂଗଠନର ସଭାପତି କହନ୍ତି, ‘‘ଏହି ଅଞ୍ଚଳଗୁଡ଼ିକରେ ପୁରୁଷମାନେ ଅଣକୁଶଳୀ ଶ୍ରମିକ ଭାବେ ପରିବହନ, ନିର୍ମାଣ ଏବଂ କୃଷି ଆଦି କ୍ଷେତ୍ରରେ କାମ କରନ୍ତି। ସେମାନେ ଦିନକୁ କାମ ମିଳିବା ଅନୁସାରେ ଦିନକୁ ୨୫୦ରୁ ୩୦୦ ଟଙ୍କା ଆୟ କରନ୍ତି।’’
ଜୟାବେନ୍ ନିଶ୍ଚିତ କଲେ ଯେ ପୁରୁଷମାନେ ‘‘ବାହାରକୁ ଯାଆନ୍ତି ଏବଂ ମଜୁରୀ ଶ୍ରମିକ ଭାବେ କାମ କରନ୍ତି। ମୋ ସ୍ୱାମୀ ଯାଆନ୍ତି ଏବଂ ସିମେଣ୍ଟ ବ୍ୟାଗ ଉଠାନ୍ତି, ପ୍ରାୟ ୨୦୦-୨୫୦ ଟଙ୍କା ରୋଜଗାର କରନ୍ତି।’’ ଏବଂ ସେ ଭାଗ୍ୟବାନ ଯେ ନିକଟରେ ଗୋଟିଏ ସିମେଣ୍ଟ ଫ୍ୟାକ୍ଟ୍ରି ଅଛି ଯେଉଁଠାରେ ସେ ଅଧିକାଂଶ ଦିନ କାମ ପାଆନ୍ତି। ତାଙ୍କ ପରିବାର ପାଖରେ ବି ଏଠାକାର ଅଧିକାଂଶ ପରିବାର ଭଳି ଗୋଟିଏ ବିପିଏଲ୍(ଦାରିଦ୍ର୍ୟ ସୀମାରେଖା ତଳେ) ରାସନ କାର୍ଡ ନାହିଁ।
ଦୁଇ ପୁଅ ଓ ଗୋଟିଏ ଝିଅର ମା’ ହେବା ପରେ ବି ଜୟାବେନ୍ ଗର୍ଭନିରୋଧକ ବଟିକା ଖାଇବା ବା କପର ଟି ନେବା ନେଇ ଭୟଭୀତ। ସେ ମଧ୍ୟ ସ୍ଥାୟୀ ଅସ୍ତ୍ରୋପଚାର କରାଇବାକୁ ଚାହାନ୍ତି ନାହିଁ। ସେ କହନ୍ତି, ‘‘ମୋର ସବୁ ପ୍ରସବ ଘରେ ହୋଇଛି। ସେମାନେ ବ୍ୟବହାର କରୁଥିବା ସେ ସବୁ ଯନ୍ତ୍ର ପ୍ରତି ମୋର ବହୁ ଭୟ ଅଛି। ଠାକୁରଙ୍କ ସ୍ତ୍ରୀ ଅପରେସନ୍ ପରେ କଷ୍ଟ ପାଉଥିବା ମୁଁ ଦେଖିଛି।’’
‘‘ଏଣୁ ମୁଁ ନିଷ୍ପତ୍ତି ନେଲି ଯେ ଆମ ମେଲାଦୀ ମା’ଙ୍କୁ କହିବି ଯେ ତାଙ୍କ ଅନୁମତି ବିନା ମୁଁ ଅସ୍ତ୍ରୋପଚାର କରାଇ ପାରିବି ନାହିଁ। ଗୋଟିଏ ବଢୁଥିବା ଗଛକୁ କାଟିବାକୁ ମାତାଜୀ ମୋତେ କାହିଁକି ବା ଅନୁମତି ଦେବେ ? କିନ୍ତୁ ଆଜିକାଲି ସବୁକିଛି ଦାମୀ ହୋଇଗଲାଣି। ଏତେ ପାଟିକୁ କେମିତି ଖୁଆଇବା ? ତେଣୁ ମୁଁ ମାତାଜୀଙ୍କୁ କହିଲି ଯେ ମୋର ଯଥେଷ୍ଟ ପିଲା ଅଛନ୍ତି କିନ୍ତୁ ମୁଁ ଅପରେସନକୁ ଭୟ କରେ। ମୁଁ ତାଙ୍କ ପାଖରେ ମାନସିକ କଲି। ମାତାଜୀ ୧୦ ବର୍ଷ ହେଲା ମୋ କଥା ବୁଝିଛନ୍ତି। ମୋତେ ଗୋଟିଏ ବି ଔଷଧ ନେବାକୁ ହୋଇନାହିଁ। ’’
*****
ଏଠାରେ ସମବେତ ସମସ୍ତ ମହିଳାଙ୍କ ସମେତ ଜୟାବେନଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ପୁରୁଷ ନସବନ୍ଦୀ କରିପାରନ୍ତି ବୋଲି ଧାରଣା ଆଶ୍ଚର୍ଯ୍ୟଜନକ ଥିଲା।
ସେମାନଙ୍କର ପ୍ରତିକ୍ରିୟା ପୁରୁଷ ବନ୍ଧ୍ୟାକରଣ ବାବଦରେ ଏକ ଜାତୀୟ ଦ୍ୱିଧାକୁ ଦର୍ଶାଉଛି। ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ରିପୋର୍ଟ ଅନୁସାରେ ସାରା ଭାରତରେ ୨୦୧୭-୧୮ରେ ହୋଇଥିବା ମୋଟ ୧୪,୭୩,୪୧୮ ବନ୍ଧ୍ୟାକରଣ ପ୍ରକ୍ରିୟା ମଧ୍ୟରୁ, ମାତ୍ର ୬.୮% ଥିଲେ ପୁରୁଷ ବନ୍ଧ୍ୟାକରଣ ଏବଂ ୯୩.୧% ଥିଲେ ମହିଳା।
ସମସ୍ତ ବନ୍ଧ୍ୟାକରଣ ପ୍ରକ୍ରିୟା ମଧ୍ୟରୁ ପୁରୁଷ ବନ୍ଧ୍ୟାକରଣର ପ୍ରସାର ଓ ଗ୍ରହଣୀୟତା ଆନୁପାତିକ ଭାବେ ଦେଖିଲେ ଆଜି ତୁଳନାରେ ୫୦ ବର୍ଷ ପୂର୍ବରୁ ଅଧିକ ଥିଲା। ୧୯୭୦ ଦଶକରେ ଏହା ଖୁବ୍ ଦ୍ରୁତ ଗତିରେ ଖସିଲା, ଖାସ୍ କରି ସେତେବେଳେ ଯେତେବେଳେ ୧୯୭୫-୭୭ ଜରୁରୀ ପରିସ୍ଥିତି ସମୟରେ କରାଯାଇଥିବା କୁଖ୍ୟାତ ବାଧ୍ୟତାମୂଳକ ବନ୍ଧ୍ୟାକରଣ ପରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ହାର ୧୯୭୦ରେ ୭୪.୨ ପ୍ରତିଶତରୁ ଖସି ୧୯୯୨ରେ ୪.୨ ପ୍ରତିଶତକୁ ଆସିଗଲା।
ପରିବାର ନିୟୋଜନ ମୋଟାମୋଟି ଭାବେ ମହିଳାଙ୍କର ଦାୟିତ୍ୱ ଭାବେ ଦେଖାଯାଇଆସୁଛି।
ଏହି ଗୋଷ୍ଠୀ ମଧ୍ୟରେ କେବଳ ଜିଲୁବେନ ଜଣେ ଯିଏ ମହିଳା ନସବନ୍ଦୀ କରାଇଛନ୍ତି, ସେ ମନେ ପକାନ୍ତି ସେହି ପ୍ରକ୍ରିୟା ପୂର୍ବରୁ ‘‘ମୋର ସ୍ୱାମୀଙ୍କୁ କିଛି ବ୍ୟବହାର କରିବା କଥା ପଚାରିବାର କୌଣସି ପ୍ରଶ୍ନ ନ ଥିଲା। ମୁଁ ଏକଥା ବି ଜାଣିନଥିଲି ଯେ ତାଙ୍କର ଗୋଟିଏ ଅପରେସନ୍ ହୋଇପାରେ। ଯାହା ହେଉ ଆମେ କେବେ ବି ଏ ସବୁ ବାବଦରେ କଥା ହୋଇନାହୁଁ। ’’ ସେ କହନ୍ତି, ‘‘ଏମିତି କେତେଥର ହୋଇଛି ଯେ ତାଙ୍କ ସ୍ୱାମୀ ନିଜ ଆଡୁ ଢୋଲକାରୁ ଜରୁରୀ ଗର୍ଭନିରୋଧକ ବଟିକା ୩ଟିକୁ ୫୦୦ ଟଙ୍କା ଦେଇ କିଣି ଆଣିଥିଲେ। ’’ତାହା ଥିଲା ତାଙ୍କର ନସବନ୍ଦୀର ଠିକ୍ କିଛି ବର୍ଷ ପୂର୍ବ ସମୟରେ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ (୨୦୧୫-୧୬) ଅନୁସାରେ ଗ୍ରାମୀଣ ଗୁଜରାଟରେ ସମସ୍ତ ପରିବାର ନିୟୋଜନ ପ୍ରକ୍ରିୟା ମଧ୍ୟରୁ ପୁରୁଷ ବନ୍ଧ୍ୟାକରଣ ମାତ୍ର ୦.୨ ପ୍ରତିଶତ। ମହିଳାମାନେ ହିଁ ସମସ୍ତ ଅନ୍ୟ ପ୍ରକ୍ରିୟା ଅନୁସରଣ କରନ୍ତି ଯେମିତି ମହିଳା ବନ୍ଧ୍ୟାକରଣ, ଅନ୍ତଗର୍ଭାଶୟୀ ଯନ୍ତ୍ର ଏବଂ ବଟିକା।
ଢୋଲକାର ଭରୱାଡ ମହିଳାଙ୍କ ପାଇଁ ନସବନ୍ଦୀ କରାଇବା ଅର୍ଥ ପିତୃସତ୍ତାତ୍ମକ ସାମାଜିକ ବ୍ୟବସ୍ଥାର ବିରୋଧ କରିବା ଏବଂ ସେମାନଙ୍କ ଭୟର ଉର୍ଦ୍ଧ୍ୱରୁ ଉଠିବା।
ପ୍ରାୟ ୨୫ ବର୍ଷୀୟା କାନ୍ତାବେନ୍ଙ୍କ ନାତୁଣି କନକବେନ୍ ଭରୱାଡ କହନ୍ତି, ‘‘ଆଶା(ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ)ମାନେ ଆମକୁ ସରକାରୀ ହସ୍ପିଟାଲକୁ ନିଅନ୍ତି। କିନ୍ତୁ ଆମେ ସମସ୍ତେ ଡରିଯାଉ।’’ ସେ ଶୁଣିଥିଲେ, ‘‘ଗୋଟିଏ ଅପରେସନ୍ ସମୟରେ ହିଁ ଜଣେ ମହିଳା ପ୍ରାଣ ହରାଇଲେ। ଡାକ୍ତର ଭୁଲରେ ଭୁଲ ନାଡ଼ି କାଟିଦେଲେ ଏବଂ ସେ ଅପରେସନ୍ ଟେବୁଲରେ ହିଁ ମରିଗଲେ। ଏହି ଘଟଣାକୁ ଏକ ବର୍ଷ ବି ହୋଇନାହିଁ।’’
କିନ୍ତୁ ଢୋଲକାରେ ଗର୍ଭଧାରଣ ଖୁବ୍ ବିପଦପୂର୍ଣ୍ଣ। ସରକାରଙ୍କ ଦ୍ୱାରା ପରିଚାଳିତ ସାମୂହିକ ଆରୋଗ୍ୟ କେନ୍ଦ୍ର (ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସିଏଚ୍ସି)ର ଜଣେ ଡାକ୍ତର କହନ୍ତି, ‘‘ନିରକ୍ଷରତା ଓ ଦାରିଦ୍ର୍ୟ ଉପଯୁକ୍ତ ବ୍ୟବଧାନ ନ ରଖି ଏକାଧିକ ଗର୍ଭଧାରଣ ପାଇଁ ଦାୟୀ। ଏବଂ ପରୀକ୍ଷା ପାଇଁ କେହି ନିୟମିତ ଭାବେ ଆସନ୍ତି ନାହିଁ। କେନ୍ଦ୍ରକୁ ଆସୁଥିବା ଅଧିକାଂଶ ମହିଳା ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର। ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ମହିଳାଙ୍କର ହିମୋଗ୍ଲୋବିନ୍ ୮ ପ୍ରତିଶତରୁ କମ୍।’’
ଏହା ଉପରେ ପୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଦୁର୍ବଳ ଭିତ୍ତିଭୂମି ଓ ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବ। ସୋନୋଗ୍ରାଫି ମେସିନ୍ ନାହିଁ ଏବଂ ଦୀର୍ଘ ସମୟ ଧରି ଏଠାରେ କେହି ସ୍ଥାୟୀ ସ୍ତ୍ରୀରୋଗ ବିଶେଷଜ୍ଞ ବା ଆବଶ୍ୟକସ୍ଥଳେ କେହି ଆନାସ୍ଥେସିଷ୍ଟ କଲ୍ରେ ଉପଲବ୍ଧ ନାହାନ୍ତି। ଢୋଲକାରେ ୬ଟି ପିଏଚ୍ସି(ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର), ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବହୁ ଘରୋଇ ହସ୍ପିଟାଲ୍ ବା କ୍ଲିନିକ୍ ପାଇଁ ଜଣେ ହିଁ ଆନାସ୍ଥେସିଷ୍ଟ ଅଛନ୍ତି ଏବଂ ରୋଗୀମାନଙ୍କୁ ତାଙ୍କୁ ଅଲଗା ଭାବେ ଟଙ୍କା ଦେବାକୁ ହୁଏ।
ଖାନପର ଗାଁର ସେହି କୋଠରୀରେ, ମହିଳାଙ୍କର ନିଜ ଶରୀର ଉପରେ ନିୟନ୍ତ୍ରଣ ଅଭାବ ଉପରେ ଆଲୋଚନା ଭିତରେ ଗୋଟିଏ କ୍ରୋଧିତ ସ୍ୱର ପଶିଆସିଲା। କୋଳରେ ଏକ ବର୍ଷର ଗୋଟିଏ ପିଲାକୁ ଧରି ଜଣେ କମ୍ ବୟସ୍କ ମା’ ଖୁବ୍ କଡ଼ା ଭାବେ ପ୍ରଶ୍ନ କଲେ: ‘‘କିଏ ନିଷ୍ପତ୍ତି ନେବାର ଅର୍ଥ କ’ଣ ? ମୁଁ ନିଷ୍ପତ୍ତି ନେବି। ଏହା ମୋ ଶରୀର; ଆଉ କିଏ କାହିଁକି ନିଷ୍ପତ୍ତି ନେବ ? ମୁଁ ଜାଣିଛି ମୁଁ ଆଉ ଏକ ପିଲା ଚାହୁଁନାହିଁ। ଏବଂ ମୁଁ ବଟିକା ନେବାକୁ ଚାହୁଁନାହିଁ। ତେଣୁ ମୁଁ ଯଦି ଗର୍ଭଧାରଣ କରେ, ସରକାର ଆମକୁ ଔଷଧ ଦେଉଛନ୍ତି, ଦେଉନାହାନ୍ତି କି ? ମୁଁ ସେହି ଔଷଧ ନେବି (ଇଞ୍ଜେକ୍ସନ୍ ଆକାରରେ ଗର୍ଭନିରୋଧକ)। କେବଳ ମୁଁ ନିଷ୍ପତ୍ତି ନେବି। ’’
ଯଦିଓ ଏହା ଏକ ବିରଳ ସ୍ୱର ଥିଲା ତଥାପି ରମିଳା ଭରୱାଡ ଆଲୋଚନା ଆରମ୍ଭରେ କହିଥିଲେ:‘‘ଏବେ ସ୍ଥିତି ଟିକିଏ ଭିନ୍ନ ହୋଇପାରେ।’’ ମାତ୍ର ଅଳ୍ପ ହୋଇପାରେ।
ଏହି କାହାଣୀରେ ଗୋପନୀୟତା ରକ୍ଷା କରିବାକୁ ସମସ୍ତ ମହିଳାଙ୍କର ନାମ ପରିବର୍ତ୍ତନ କରାଯାଇଛି ।
ତାଙ୍କର ସହଯୋଗ ପାଇଁ ସମ୍ବେଦନା ଟ୍ରଷ୍ଟର ଜାନକୀ ବସନ୍ତଙ୍କୁ ଧନ୍ୟବାଦ ।
ଭାରତର ଗ୍ରାମାଞ୍ଚଳର କିଶୋରୀ ବାଳିକା ଏବଂ ଯୁବତୀମାନଙ୍କ ଉପରେ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ ସାଧାରଣ ଲୋକଙ୍କ ସ୍ୱର ଏବଂ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ଜନସଂଖ୍ୟା ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ସମର୍ଥିତ ଏକ ପଦକ୍ଷେପ ଅଟେ ।
ଏହି ପ୍ରବନ୍ଧ ପୁନଃ ପ୍ରକାଶିତ କରିବାକୁ ଚାହାଁନ୍ତି, ଦୟାକରି [email protected] କୁ ଏକ ସିସି ସହିତ [email protected] କୁ ଲେଖନ୍ତୁ
ଅନୁବାଦ: ଓଡ଼ିଶାଲାଇଭ୍