‘‘ଯେହେତୁ ଆମେ ଯୌନକର୍ମୀ, ସେମାନେ ଭାବନ୍ତି ଆମ ଶରୀର ସବୁକିଛି ପାଇଁ ମୂଲ୍ୟଦେବା ଉଚିତ।’’ ୩୦ ବର୍ଷୀୟା ମୀରା ୨୦୧୨ରେ ଉତ୍ତରପ୍ରଦେଶର ଫାରୁଖାବାଦ୍ ସହରରୁ ଦିଲ୍ଲୀ ଆସିଥିଲେ, ସ୍ୱାମୀଙ୍କର ଅଚାନକ ହୃଦ୍ଘାତ ଯୋଗୁଁ ମୃତ୍ୟୁ ହୋଇଯିବା ପରେ ତାଙ୍କ ଉପରେ ତିନି ଜଣ ସନ୍ତାନଙ୍କର ଭାର ପଡ଼ିଥିଲା । ସେ ଏବେ କ୍ରୋଧରେ ଅଛନ୍ତି ଏବଂ ସମାନ ଭାବେ ଥକି ପଡ଼ିଛନ୍ତି ।
‘‘ଯେତେବେଳେ ସେମାନେ ମୋତେ ଔଷଧ ଦିଅନ୍ତି ସେତେବେଳେ ଏହା କରନ୍ତି ।’’ ଯେଉଁଭଳି ଭାବେ ପୁରୁଷ ସହାୟକ ଏବଂ ହସ୍ପିଟାଲରେ ୱାର୍ଡ ସହାୟକମାନେ ତାଙ୍କୁ ଜବରଦସ୍ତ ଛୁଅଁନ୍ତି, ତାଙ୍କ ଶରୀରର ଗୋଟିଏ ପାଖରେ ସେମାନଙ୍କ ହାତ ବୁଲାଇଥାଆନ୍ତି, ସେକଥା ମନେ ପକାଇ ୩୯ ବର୍ଷୀୟା ଅମିତା ଘୃଣାପୂର୍ଣ୍ଣ ଭାବରେ ନିଜ ମୁହଁ ମୋଡ଼ି ଦେଲେ । ସେ ଅପମାନକୁ ଡରନ୍ତି, କିନ୍ତୁ ପରୀକ୍ଷା କରାଇବାକୁ ବା ଔଷଧ ନେବା ପାଇଁ ସରକାରୀ ହସ୍ପିଟାଲକୁ ପୁଣି ଯାଆନ୍ତି ।
୪୫ ବର୍ଷୀୟା କୁସୁମ କହନ୍ତି, ‘‘ଯେତେବେଳେ ଆମେ ନିଜର ଏଚ୍ଆଇଭି ପରୀକ୍ଷା ପାଇଁ ଯାଉ, ଯଦି ସେମାନେ ଜାଣିଯାଆନ୍ତି ଯେ ଆମେମାନେ ଯୌନ କର୍ମୀ, ସେମାନେ ଆମକୁ ସାହାଯ୍ୟ ପାଇଁ ପ୍ରସ୍ତାବ ଦିଅନ୍ତି । ସେମାନେ କହନ୍ତି ‘ପିଛେ ସେ ଆ ଜାନା, ଦବାଇ ଦିଲ୍ୱା ଦୁଙ୍ଗା’ । [‘ପଛଦ୍ୱାର ଦେଇ ଆସ, ମୁଁ ତୁମକୁ ଔଷଧ ଦେବି]। ସେତେବେଳେ ସେମାନେ ଆମକୁ ଅନୁଚିତ ଭାବେ ଛୁଇଁବାର ସୁଯୋଗର ବ୍ୟବହାର କରିବେ ।’’ ଅଲ୍ଇଣ୍ଡିଆ ନେଟ୍ୱର୍କ ଅଫ୍ ସେକ୍ସ ୱାର୍କର୍ସ (ଏଆଇଏନ୍ଏସ୍ଡବ୍ଲୁ)ର ପୂର୍ବତନ ଅଧ୍ୟକ୍ଷଙ୍କ ସହ ଅନେକ ରାଜିନାମା, ୧୬ଟି ରାଜ୍ୟର ଗୋଷ୍ଠୀ ସଂଗଠନର ଗୋଟିଏ ସଂଘ, ଯାହା ୪.୫ ଲକ୍ଷ ଯୌନକର୍ମୀଙ୍କ ପ୍ରତିନିଧିତ୍ୱ କରେ ।
ଦିଲ୍ଲୀର ଉତ୍ତର-ପଶ୍ଚିମ ଜିଲ୍ଲାର ରୋହିଣୀ ଅଞ୍ଚଳରେ ଥିବା ଗୋଷ୍ଠୀ ଆଶ୍ରୟସ୍ଥଳୀରେ ପରୀ ଯୌନକର୍ମୀଙ୍କର ଏକ ସମୂହକୁ ଭେଟିଲା, ଯେଉଁମାନେ ମହାମାରୀ ଯୋଗୁଁ ପ୍ରାୟତଃ କାମ ପାଉନାହାନ୍ତି । ଏକ ଶୀତ ଅପରାହ୍ନରେ ଏକାଠି ବସି ସେମାନେ ଘରେ ତିଆରି ହୋଇଥିବା ତରକାରୀ, ଡାଲି ଏବଂ ରୁଟି ଖାଉଥିଲେ, ଯାହାକୁ ସେମାନେ ଷ୍ଟିଲ ଟିଫିନ୍ ବାକ୍ସରେ ଭର୍ତ୍ତି କରି ଆଣିଥିଲେ ।
ମୀରା କହନ୍ତି, ଜଣେ ଏକୁଟିଆ ଯୌନ କର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଯାଏଁ ପହଞ୍ଚିବା କଷ୍ଟସାଧ୍ୟ ।
‘‘ଏମାନେ ମୋତେ ଅପରାହ୍ନ ୨ଟା ପରେ ହସ୍ପିଟାଲ ଆସିବାକୁ କହନ୍ତି । ସେମାନେ କହନ୍ତି, ‘ମୁଁ ତୁମର କାମ କରାଇ ଦେବି । ଏହା କିଛି ନୁହେଁ ପାଇଁ ହୁଏ ନାହିଁ । ଔଷଧ ପାଇବା ପାଇଁ ମୋତେ ୱାର୍ଡ ବୟମାନଙ୍କ ସହ ମଧ୍ୟ ଯୌନ ସମ୍ପର୍କ ରଖିବାକୁ ପଡ଼ିଛି, ଯାହାଙ୍କୁ ମୁଁ ଭୁଲ୍ରେ ଡାକ୍ତର ବୋଲି ଭାବିଥିଲି ।’’ ବେଳେବେଳେ ଆମ ପାଖରେ କୌଣସି ବିକଳ୍ପ ନ ଥାଏ, ଆଉ ଆମକୁ ସାଲିସ କରିବାକୁ ପଡ଼େ । ଆମେ ସର୍ବଦା ଲମ୍ବା ଧାଡ଼ିରେ ଛିଡ଼ା ହୋଇପାରିବୁ ନାହିଁ । ଆମ ପାଖରେ ସେତେ ସମୟ ନ ଥାଏ, ଖାସ୍ କରି ଯଦି ମୋତେ ଜଣେ ଗ୍ରାହକଙ୍କୁ ଭେଟିବାକୁ ଥାଏ, ଯାହାକି ତାଙ୍କ ସୁବିଧା ମୁତାବକ ହୋଇଥାଏ । ଆମକୁ ଚିକିତ୍ସା କରାଇବାକୁ ହେବ ବା ଭୋକରେ ମରିବାକୁ ହେବ । ’’ ମୀରା ଜାରି ରଖନ୍ତି, ତାଙ୍କ ଆଖି ଚମକୁଥିବା ବେଳେ ସ୍ୱର ବ୍ୟଙ୍ଗାତ୍ମକ । ‘‘ଏବଂ ଯଦି ମୁଁ କିଛି କହେ ବା ସ୍ୱର ଉତ୍ତୋଳନ କରେ, ଏହା ମୋ ପାଇଁ କଳଙ୍କ ଆଣେ, ଯେ ମୁଁ ଜଣେ ଯୌନ କର୍ମୀ । ଏହାପରେ ଆହୁରି ଅଧିକ ଦ୍ୱାର ବନ୍ଦ ହୋଇଯିବ ।’’
ସ୍ଥାନୀୟ ଅଞ୍ଚଳରେ ଥିବା ଦୁଇଟି ସରକାରୀ ହସ୍ପିଟାଲ ଆଖପାଖ ସ୍ଥାନରେ ରହୁଥିବା ଯୌନକର୍ମୀଙ୍କ ସ୍ୱାସ୍ଥ୍ୟଗତ ଆବଶ୍ୟକତା ପାଇଁ ପ୍ରତିଦିନ ମଧ୍ୟାହ୍ନ ୧୨.୩୦ରୁ ଅପରାହ୍ନ ୧.୩୦ଯାଏଁ ୬୦ ମିନିଟ୍ ସମୟ ଦିଅନ୍ତି । ଏହି ଘଣ୍ଟାଏ ସମୟ ଯୌନକର୍ମୀଙ୍କ ପାଇଁ ଏଚ୍ଆଇଭି ଏବଂ ଅନ୍ୟାନ୍ୟ ଯୌନ ସଂକ୍ରମଣ (ଏସ୍ଟିଆଇ)- ପାଇଁ ପରୀକ୍ଷା କରିବା ଲାଗି ଉଦ୍ଦିଷ୍ଟ, ସ୍ୱେଚ୍ଛାସେବୀ ସଂଗଠନର କର୍ମୀମାନଙ୍କ ପକ୍ଷରୁ ନିବେଦନ କରାଯିବା ପରେ ଏହି ଦୁଇଟି ହସ୍ପିଟାଲ ଏହି ସେବା ଆରମ୍ଭ କରିଛନ୍ତି ।
ଯୌନ କର୍ମୀଙ୍କ ପାଇଁ କାମ କରୁଥିବା ଦିଲ୍ଲୀସ୍ଥିତ ଏକ ଅଣଲାଭକାରୀ ସଂଗଠନ ସବେରାର ଜଣେ ସ୍ୱେଚ୍ଛାସେବୀ ରଜନୀ ତିୱାରୀ କହିଲେ, ‘‘ଲମ୍ବା ଧାଡ଼ି ଏବଂ ପରୀକ୍ଷା ବା ଚିକିତ୍ସା ପାଇଁ ଦୀର୍ଘ ସମୟ ଲାଗୁଥିବାରୁ ଯୌନକର୍ମୀମାନେ ସାଧାରଣ ଲୋକଙ୍କ ସହିତ ଧାଡ଼ିରେ ଛିଡ଼ା ହୁଅନ୍ତି ନାହିଁ’’। ସେ କହନ୍ତି, ଧାଡ଼ିରେ ଛିଡ଼ା ହୋଇଥିବା ସମୟରେ ଯଦି ଜଣେ ଗ୍ରାହକ ଡାକନ୍ତି, ସେମାନେ ସେଠାରୁ ସିଧା ଚାଲିଯାଆନ୍ତି ।
ତିୱାରୀ କହନ୍ତି ବେଳେବେଳେ ସେହି ନିର୍ଦ୍ଦିଷ୍ଟ ଘଣ୍ଟାଏ ମଧ୍ୟରେ ଡାକ୍ତରଖାନା ଯିବା ମଧ୍ୟ କଷ୍ଟକର ହୋଇପଡ଼େ । ଏବଂ ଏହା କେବଳ ସେମାନଙ୍କର ସ୍ୱାସ୍ଥ୍ୟସେବା ସମସ୍ୟାର ଆରମ୍ଭ ମାତ୍ର ।
ଡାକ୍ତରମାନେ କେବଳ ଏସ୍ଟିଆଇଗୁଡ଼ିକ ପାଇଁ ଔଷଧ ଲେଖନ୍ତି ଓ ପ୍ରଦାନ କରନ୍ତି । ଯୌନକର୍ମୀଙ୍କ ଲାଗି ଏଚ୍ଆଇଭି ଏବଂ ସିଫିଲ୍ସ ପରୀକ୍ଷା ପାଇଁ କିଟ୍ ସବେରା ଭଳି ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା କିଣାଯାଇଥାଏ । ଏଥିଲାଗି ଦିଲ୍ଲୀ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟି ଆର୍ଥିକ ସହାୟତା ପ୍ରଦାନ କରେ ।
ସେ କହିଲେ, ‘‘ଯୌନକର୍ମୀମାନଙ୍କୁ ଅନ୍ୟ ସାଧାରଣ ଲୋକଙ୍କ ଭଳି ଜ୍ୱର, ଛାତିରେ ଯନ୍ତ୍ରଣା ଏବଂ ମଧୁମେହ ଭଳି ଅନ୍ୟ ରୋଗ ବି ହୋଇଥାଏ । ଏବଂ ଯଦି ୱାର୍ଡ ବୟମାନେ ସେମାନଙ୍କୁ ଯୌନ କର୍ମୀ ବୋଲି ଜାଣିନିଅନ୍ତି ତାହେଲେ ସେମାନେ ସେମାନଙ୍କୁ ଶୋଷଣ କରିବା ଅସାଧାରଣ କଥା ନୁହେଁ ।’’ ଯୌନ କର୍ମୀଙ୍କୁ କେଉଁ ସ୍ଥିତି ଦେଇ ଯିବାକୁ ହୁଏ ସେ ବାବଦରେ ସେ ଆହୁରି କହିଲେ ।
ପୁରୁଷ କର୍ମଚାରୀଙ୍କ ପାଇଁ ମହିଳା ରୋଗୀଙ୍କ ମଧ୍ୟରୁ ଯୌନ କର୍ମୀଙ୍କୁ ଚିହ୍ନଟ କରିବା ସହଜ ହୋଇପାରେ ।
ଗୋଷ୍ଠୀ ଆଶ୍ରୟସ୍ଥଳୀ ଯେଉଁଠାରେ ମହିଳାମାନେ ଏକାଠି ହୁଅନ୍ତି ତାହା ହସ୍ପିଟାଲଠାରୁ ଅଳ୍ପ ଦୂରରେ ଅବସ୍ଥିତ । ମହାମାରୀ ପୂର୍ବରୁ, ଅମିତାଙ୍କର ଗ୍ରାହକମାନେ ତାଙ୍କୁ କେତେକ ପୁରୁଷ କର୍ମଚାରୀଙ୍କ ସାମ୍ନାରେ ଡାକ୍ତରଖାନା ଗେଟ୍ ନିକଟରୁ ନେଇଯାଉଥିଲେ ।
ଅମିତା କହିଲେ ‘‘ଗାର୍ଡମାନେ ମଧ୍ୟ ବୁଝିପାରନ୍ତି ଯେ ଏକ କାଗଜ ନେଇ ଏଚ୍ଆଇଭି ପରୀକ୍ଷା ପାଇଁ ଯାଉଥିବା ଲୋକେ ଯୌନକର୍ମୀ । ପରେ, ଆମେ ଯେତେବେଳେ ପରୀକ୍ଷା ପାଇଁ ଯାଉ, ସେତେବେଳେ ସେମାନେ ଆମକୁ ଚିହ୍ନିଦିଅନ୍ତି ଏବଂ ପରସ୍ପରକୁ କହି ଦିଅନ୍ତି । ବେଳେବେଳେ ଆମକୁ ଧାଡ଼ିରେ ଛିଡ଼ା ନ ହୋଇ ଡାକ୍ତରଙ୍କୁ ଦେଖାଇବା ପାଇଁ ଜଣେ ଗ୍ରାହକଙ୍କର ସାହାଯ୍ୟର ଆବଶ୍ୟକତା ପଡ଼େ । ଏମିତିକି ପରାମର୍ଶ, ଚିକିତ୍ସା ଏବଂ ଔଷଧ ପାଇଁ ଭିନ୍ନ ଭିନ୍ନ ଧାଡ଼ିରେ ଛିଡ଼ା ହେବାକୁ ପଡ଼େ ।
ସ୍ୱାମୀ ଛାଡ଼ିଦେବା ପରେ ଅମିତା ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ଦୁଇ ଦଶନ୍ଧି ପୂର୍ବରୁ ପାଟନାରୁ ଦିଲ୍ଲୀ ଆସିଥିଲେ । ଗୋଟିଏ କାରଖାନାରେ ଦିନ ମଜୁରିଆ ଭାବେ କାମ ପାଇବା ପରେ ମଧ୍ୟ ପାଉଣା ନ ମିଳିବାରୁ ଜଣେ ବନ୍ଧୁ ତାଙ୍କୁ ଦେହ ବ୍ୟବସାୟରେ ଭର୍ତ୍ତି କରାଇଲେ । ‘‘ଦିନ ଦିନ ଧରି ମୁଁ କାନ୍ଦିଥିଲି ଯେ ମୁଁ ଏହି କାମ କରିବାକୁ ଚାହୁଁ ନ ଥିଲି, କିନ୍ତୁ ୨୦୦୭ରେ ଦିନକୁ ୬୦୦ ଟଙ୍କା ଗୋଟିଏ ବଡ଼ କଥା ଥିଲା – ମୁଁ ୧୦ ଦିନର ଖାଦ୍ୟ ପାଇପାରିବି।’’
ଅମିତା, ମୀରା ଏବଂ ଅନ୍ୟମାନଙ୍କ କଥାରୁ ଏହା ସହଜରେ ଦେଖାଯାଏ ଯେ ଯୌନକର୍ମୀମାନେ ନିଆରା କଳଙ୍କ ଅନୁଭବ କରନ୍ତି, ଯାହା ସ୍ୱାସ୍ଥ୍ୟସେବା ପାଇବା ନେଇ ସେମାନଙ୍କର କ୍ଷମତାକୁ ସୀମିତ କରେ । ୨୦୧୪ର ଏକ ରିପୋର୍ଟ ଅନୁସାରେ ଏହା ସେମାନଙ୍କୁ ହସ୍ପିଟାଲରେ ସେମାନଙ୍କର ବୃତ୍ତି ନ କହିବାକୁ ବାଧ୍ୟ କରେ । ଯୌନକର୍ମୀଙ୍କ ଅଧିକାର ପାଇଁ କାମ କରୁଥିବା ସଂଗଠନ ଏବଂ ଯୌନକର୍ମୀଙ୍କ ସଂଗଠନ ପକ୍ଷରୁ ନ୍ୟାସ୍ନାଲ୍ ନେଟ୍ୱର୍କ ଅଫ୍ ସେକ୍ସ ୱାର୍କର୍ସ ଅଧୀନରେ ସଂକଳିତ କରାଯାଇଥିବା ଏକ ରିପୋର୍ଟ ମୁତାବକ, ‘‘ମହିଳା ଯୌନକର୍ମୀମାନେ ଅପମାନିତ ଏବଂ ସମାଲୋଚିତ ହୋଇଥାଆନ୍ତି, ସେମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥାଏ, ଭଲଭାବେ ସେମାନଙ୍କର ପରୀକ୍ଷା ହୁଏ ନାହିଁ, ଏଚ୍ଆଇଭି ପରୀକ୍ଷା ଲାଗି ବାଧ୍ୟ କରାଯାଏ, ଘରୋଇ ହସ୍ପିଟାଲ୍ଗୁଡ଼ିକରେ ଚିକିତ୍ସା ପାଇଁ ସେମାନଙ୍କୁ ଅଧିକ ମୂଲ୍ୟ ଦେବାକୁ ହୁଏ, ପ୍ରସବ ଯତ୍ନ ଏବଂ ସେମାନଙ୍କର ଗୋପନୀୟତାର ଉଲ୍ଲଂଘନ ହୁଏ।’’
ଅମିତାଙ୍କ ଅଭିଜ୍ଞତା ସେହି ରିପୋର୍ଟର ତଥ୍ୟର ପ୍ରତିଫଳନ । ସେ କହିଲେ, ‘‘କେବଳ ବଡ଼ ରୋଗ ଯେପରିକି ଏଚ୍ଆଇଭି କିମ୍ବା ଗର୍ଭପାତ କିମ୍ବା ଯଦି ଆମେ ସ୍ଥାନୀୟ ଅଞ୍ଚଳରେ କିଛି ରୋଗର ଚିକିତ୍ସା କରାଇବାରେ ସଫଳ ନ ହେଉ ତାହେଲେ ଆମେ ବଡ଼ ହସ୍ପିଟାଲକୁ ଯାଉ। ଅନ୍ୟ ସମୟରେ ଆମେ ଝୋଲା ଛାପ ଡାକ୍ତର (ଲାଇସେନ୍ସ ନ ଥିବା ସ୍ୱାସ୍ଥ୍ୟକର୍ମୀ)ଙ୍କ ପାଖକୁ ଯାଉ। ଯଦି ସେମାନେ ଜାଣିଯାଆନ୍ତି ଯେ ଆମେ ଧନ୍ଦା(ଦେହ ବ୍ୟବସାୟ) କରୁ, ସେମାନେ ମଧ୍ୟ ଲାଭ ଉଠାଇବାକୁ ଚେଷ୍ଟା କରନ୍ତି।’’
କୁସୁମ କହିଲେ, ସେମାନେ ଭେଟୁଥିବା କେହି ବି ସେମାନଙ୍କ ପ୍ରତି ସମ୍ମାନପୂର୍ବକ ବ୍ୟବହାର କରନ୍ତି ନାହିଁ । ସେମାନଙ୍କ ବୃତ୍ତି ବାବଦରେ ଜଣାପଡ଼ିବା କ୍ଷଣି, ଶୋଷଣ ଆରମ୍ଭ ହୋଇଯାଏ । ଯଦି ଯୌନ ସମ୍ପର୍କ ନୁହେଁ, ତେବେ ସେମାନେ କ୍ଷଣିକ ସନ୍ତୁଷ୍ଟି ଚାହାନ୍ତି, ବା ସେମାନଙ୍କୁ ଅପମାନିତ କରିବାର ବିକୃତ ସୁଖ ଚାହାନ୍ତି । ‘‘ବାସ୍ କିସି ତରହ ବଡି ଟଚ୍ କର୍ନା ହେ ଉନ୍କୋ [ସେମାନେ କେବଳ ଆମ ଶରୀରକୁ ସ୍ପର୍ଶ କରିବାକୁ ଚାହାନ୍ତି]।’’
ଏହି କାରଣରୁ, ଯୌନକର୍ମୀଙ୍କୁ ଚିକିତ୍ସା ସହାୟତା ନେବାକୁ ବୁଝାଇବାକୁ ପଡ଼େ, ଏକ ଅଣଲାଭକାରୀ ସଂଗଠନ ଅଫିସ୍ରେ ଯୌନକର୍ମୀଙ୍କୁ ଦେଖୁଥିବା ରୋହିଣୀର ଜଣେ ଡାକ୍ତର ସୁମନ କୁମାର ବିଶ୍ୱାସ କହନ୍ତି । ସେ କଣ୍ଡୋମ ବିତରଣ କରନ୍ତି ଏବଂ ମହିଳାଙ୍କୁ ଚିକିତ୍ସାଜନିତ ପରାମର୍ଶ ଦିଅନ୍ତି ।
କୋଭିଡ୍-୧୯ ମହାମାରୀ ଯୌନ କର୍ମୀଙ୍କ ପ୍ରତି ପକ୍ଷପାତିତାକୁ ଆହୁରି ବଢ଼ାଇଦେଲା ସେମାନଙ୍କୁ ଶୋଷଣର ଶିକାର ହେବା ପାଇଁ ଆହୁରି ଠେଲିଦେଲା ।
ଏଆଇଏନ୍ଏସ୍ଡବ୍ଲୁର ବର୍ତ୍ତମାନର ସଭାପତି ପୁତୁଲ ସିଂହ କହନ୍ତି, ‘‘ଯୌନକର୍ମୀଙ୍କ ପ୍ରତି ଅଛୁଆଁ ଭଳି ବ୍ୟବହାର କରାଯାଇଆସୁଛି । ଆମକୁ ରାସନ ପାଇବା ଦୌଡ଼ରୁ ବାହାର କରିଦିଆଯାଇଥିଲା ବା ଆଧାରରୁ ବଞ୍ଚିତ କରାଯାଇଥିଲା…ଆମର ଜଣେ ଭଉଣୀର ଜଟିଳ ଗର୍ଭାବସ୍ଥା ଥିଲା, କିନ୍ତୁ ମାତ୍ର କିଛି କିଲୋମିଟର ପାଇଁ ୫,୦୦୦ ଟଙ୍କାରୁ ଅଧିକ ନ ଦେଲେ ଆମ୍ବୁଲାନ୍ସ ଆସିବାକୁ ମନା କରିଦେଲା । ଆମେ କୌଣସି ମତେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କଲୁ, କିନ୍ତୁ କର୍ମଚାରୀମାନେ ବିଭିନ୍ନ ବାହାନା କରି ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେଲେ । ଜଣେ ଡାକ୍ତର ତାଙ୍କୁ ଦେଖିବାକୁ ରାଜି ହେଲେ, କିନ୍ତୁ ରୋଗୀଠାରୁ କିଛି ଦୂରରେ ଛିଡ଼ା ହେଲେ।’’ ସିଂହ କହନ୍ତି, ଯଦିଓ ସେମାନେ ତାଙ୍କୁ ଏକ ଘରୋଇ କ୍ଲିନିକ୍କୁ ନେଇଯାଇଥିଲେ, ତଥାପି ଇତି ମଧ୍ୟରେ ମହିଳା ଜଣକ ତାଙ୍କ ପିଲାକୁ ହରାଇଲେ।
****
ମହିଳାମାନେ କହନ୍ତି, ଘରୋଇ ବନାମ ସରକାରୀ ସ୍ୱାସ୍ଥ୍ୟସେବା ଏକ ଜଟିଳ ଚୟନ। ଅମିତା କହିଲେ, ‘‘ଘରୋଇ ହସ୍ପିଟାଲରେ, ଆମର ଇଜ୍ଜତ(ସମ୍ମାନ) ନ ଦେଇ ଆମେ ଡାକ୍ତରଙ୍କ ସହ ପରାମର୍ଶ କରୁ। କିନ୍ତୁ ଏହି କ୍ଲିନିକ୍ଗୁଡ଼ିକ ଅତ୍ୟନ୍ତ ବ୍ୟୟବହୁଳ ହୋଇପାରନ୍ତି। ଉଦାହରଣ ଭାବେ, ଏକ ଘରୋଇ କ୍ଲିନିକ୍ରେ ଗୋଟିଏ ଗର୍ଭପାତ ପାଇଁ ତିନି ଗୁଣା ଅଧିକ ବା ଅତିକମ୍ରେ ୧୫,୦୦୦ ଖର୍ଚ୍ଚ ହୋଇଥାଏ ।
ସରକାରୀ ହସ୍ପିଟାଲ୍ଗୁଡ଼ିକରେ ଅନ୍ୟ ସମସ୍ୟା ହେଲା କାଗଜପତ୍ର କାମ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ।
୨୮ ବର୍ଷୀୟା ପିଙ୍କି ତାଙ୍କ ମୁହଁ ଓ ବେକରୁ ଓଢ଼ଣୀ କାଢ଼ି ଏକ କଦର୍ଯ୍ୟ ଦେଖାଯାଉଥିବା ଦାଗ ଦେଖାଇଲେ, ଯେଉଁଠାରେ ଗ୍ରାହକରୁ ପ୍ରେମିକ ପାଲଟିଥିବା ଜଣେ ବ୍ୟକ୍ତି ଈର୍ଷା ପରାୟଣ ହୋଇ ତାଙ୍କ ଗଳା କାଟିବାକୁ ଉଦ୍ୟମ କରିଥିଲେ । ସରକାରୀ ହସ୍ପିଟାଲକୁ ସେ କ’ଣ ପାଇଁ ଗଲେ ନାହିଁ ତାହା ବୁଝାଇ ସେ କହିଲେ, ‘‘ସେଠାରେ ଆମକୁ ନିୟୁତ ସଂଖ୍ୟକ ପ୍ରଶ୍ନ ପଚରାଯିବ, ପରିଚୟ ଜଣାପଡ଼ିଯିବ, ଆବଶ୍ୟକସ୍ଥଳେ ଆମ ଉପରେ ପୋଲିସ୍ କେସ୍ ହେବ। ଏଥିସହ ଯେତେବେଳେ ଆମ ଭିତରୁ ଅଧିକାଂଶ ଯେତେବେଳେଗାଁରେ ଥିବା ଘର ଛାଡୁ ସର୍ବଦା ରାସନ କାର୍ଡ଼ ବା ଏମିତି କାଗଜପତ୍ର ସାଙ୍ଗରେ ଆଣି ନ ଥାଉ।’’
୨୦୦୭ ମାର୍ଚ୍ଚରେ, ଇଣ୍ଡିଆନ୍ ଓମେନ୍ ହେଲ୍ଥ ଚାର୍ଟର ଅନୁସାରେ ଯୌନ କର୍ମୀମାନଙ୍କୁ ‘‘ସର୍ବସାଧାରଣ ସ୍ୱାସ୍ଥ୍ୟ ବିପଦ’’ ଭାବେ ଦେଖାଯାଏ। ଗୋଟିଏ ଦଶନ୍ଧିରୁ ଅଧିକ ସମୟ ପରେ, ରାଜଧାନୀରେ ସେମିତି କିଛି ବଦଳି ନାହିଁ । ଏବଂ ମହାମାରୀ ଯୌନକର୍ମୀଙ୍କୁ ପୁଣି କଡ଼କୁ ଠେଲିଦେଲା ।
୨୦୨୦ ଅକ୍ଟୋବରରେ ଜାତୀୟ ମାନବାଧିକାର ଆୟୋଗ କୋଭିଡ୍ -୧୯ ପରିପ୍ରେକ୍ଷୀରେ ମହିଳାଙ୍କ ଅଧିକାର ନେଇ ଏକ ମାର୍ଗଦର୍ଶିକା ଜାରି କଲେ । ଏଥିରେ କୁହାଗଲା ଯୌନକର୍ମୀଙ୍କ କ୍ଷେତ୍ରରେ ଆଶଙ୍କା ବହୁଗୁଣିତ ବଢ଼ିଯାଇଥିଲା-ସେମାନଙ୍କର ଜୀବିକା ପ୍ରଭାବିତ ହୋଇଥିଲା, ଯେଉଁମାନେ ଏଚ୍ଆଇଭି ପଜିଟିଭ୍ ଥିଲେ ସେମାନେ ଆଣ୍ଟି ରେଟ୍ରୋଭିଆଲ୍ ଥେରାପି ପାଇବାରେ ସକ୍ଷମ ହେଲେ ନାହିଁ ଏବଂ ପରିଚୟ ପତ୍ର ଜନିତ କାଗଜପତ୍ର ନ ଥିବାରୁ ଅଧିକାଂଶ ସରକାରୀ ଜନମଙ୍ଗଳ ଯୋଜନାର ଲାଭ ପାଇଲେ ନାହିଁ । ପରେ ଏନ୍ଏଚ୍ଆର୍ସି ଯୌନ କର୍ମୀଙ୍କ ସମ୍ପର୍କରେ ତା’ର ବୟାନକୁ ସଂଶୋଧିତ କଲା, ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଗଲା ଯେ ଯୌନକର୍ମୀଙ୍କୁ ଅଣଆନୁଷ୍ଠାନିକ ଶ୍ରମିକ ଭାବେ ଗ୍ରହଣ କର ଏବଂ ଯାହା ଫଳରେ ସେମାନେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଜନକଲ୍ୟାଣକାରୀ ଯୋଜନାର ଲାଭ ପାଇପାରିବେ। ପ୍ରତିବଦଳରେ ଏଥିରେ ପରାମର୍ଶ ଦିଆଗଲା ଯେ ଯୌନକର୍ମୀଙ୍କୁ ମାନବିକତା ଆଧାରରେ ସହାୟତା ପ୍ରଦାନ କରାଯାଉ।
ଦିଲ୍ଲୀ ଭିତ୍ତିକ ମାନବାଧିକାର ଆଇନ ନେଟ୍ୱର୍କର ଜଣେ ଓକିଲ ସ୍ନେହା ମୁଖାର୍ଜୀ କହନ୍ତି, ‘‘କରୋନା ସମୟରେ ଆହୁରି ଖରାପ ପରିସ୍ଥିତି ହେଲା ଯେତେବେଳେ ସରକାରୀ ହସ୍ପିଟାଲ୍ଗୁଡ଼ିକ ଯୌନକର୍ମୀଙ୍କୁ କହିଲେ ଯେ ‘ତୁମେ ଭାଇରସ୍ ପ୍ରସାର କରିବାର ଆଶଙ୍କା ଥିବାରୁ ଆମେ ତୁମକୁ ଛୁଇଁବୁ ନାହିଁ’। ତେଣୁ ସେମାନଙ୍କୁ ଔଷଧ ଏବଂ ଚିକିତ୍ସା ପାଇଁ ମନା କରାଗଲା।’’ ମୁଖାର୍ଜୀଙ୍କ ଅନୁସାରେ, ଟ୍ରାଫିକିଂ ଇନ୍ ପର୍ସନ୍ସ ବିଲ୍, ୨୦୨୧ର ଡ୍ରାଫ୍ଟ ମୁତାବକ ସମସ୍ତ ଯୌନକର୍ମୀ ମାନବ ଚାଲାଣର ଶିକାର ଏବଂ, ଥରେ ଆଇନ ପରିସରକୁ ଆସିଲେ, ସେମାନଙ୍କ ପାଇଁ ଯୌନକର୍ମୀ ଭାବେ କାମ କରିବା କଷ୍ଟକର ହୋଇଥାଏ। ସେ ସାବଧାନ କରାନ୍ତି ଯେ ଏହା ଯୌନକର୍ମୀଙ୍କୁ ସ୍ୱାସ୍ଥ୍ୟସେବାରୁ ଆହୁରି ଦୂରେଇ ନେବ।
୨୦୨୦ ପୂର୍ବରୁ, ଦିନକୁ ଜଣେରୁ ଦୁଇ ଜଣ ଗ୍ରାହକ ୨୦୦-୪୦୦ ଟଙ୍କା ଦେଉଥିବାବେଳେ, ଜଣେ ଯୌନ କର୍ମୀ ମାସକୁ ୬,୦୦୦-୮,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଥିଲେ। ଦେଶବ୍ୟାପୀ ହୋଇଥିବା ପ୍ରଥମ କୋଭିଡ୍ -୧୯ ଲକ୍ଡାଉନ୍ ପରଠାରୁ, ମାସ ମାସ ଧରି କୌଣସି ଗ୍ରାହକ ନ ମିଳିବାରୁ ଯୌନ କର୍ମୀମାନଙ୍କୁ ଅଧିକାଂଶ ଅଣଆନୁଷ୍ଠାନିକ ଶ୍ରମିକଙ୍କ ଭଳି ଦାନ ଉପରେ ନିର୍ଭର କରିବାକୁ ପଡୁଥିଲା । ଖାଦ୍ୟ ପାଇଁ ମାତ୍ର ଅଳ୍ପ କିଛି ରାସନ ମିଳୁଥିବାବେଳେ ଔଷଧ କଥା ତ ପ୍ରଶ୍ନ ହିଁ ଉଠୁ ନ ଥିଲା ।
ଏଆଇଏନ୍ଏସ୍ଡବ୍ଲୁର ସଂଯୋଜକ ଅମିତ୍ କୁମାର କହିଲେ, ‘‘ମାର୍ଚ୍ଚ ୨୦୨୧ରେ ରାସନ ବି ବନ୍ଦ ହୋଇଗଲା । ସରକାର ଯୌନକର୍ମୀଙ୍କୁ ସହାୟତା କରିବାକୁ କିଛି ଯୋଜନା ଆଣିଲେ ନାହିଁ । ମହାମାରୀର ପ୍ରାୟ ଦୁଇ ବର୍ଷ ପରେ ସେମାନେ ଏବେ ମଧ୍ୟ ଗ୍ରାହକ ପାଇବା ଲାଗି ସଂଘର୍ଷ କରୁଛନ୍ତି । ଖାଦ୍ୟ ଅଭାବ ବ୍ୟତୀତ, ଜୀବିକା ହରାଇବା ଏବଂ ସେମାନେ କ’ଣ କରନ୍ତି ତାହା ପରିବାର ଲୋକେ ଜାଣିଯିବା ହେତୁ ସେମାନେ ମାନସିକ ଅସୁସ୍ଥତାର ସାମ୍ନା କରୁଛନ୍ତି ।’’
ଯୌନ କର୍ମୀଙ୍କ ନେଟ୍ୱାର୍କ ଦ୍ୱାରା ୨୦୧୪ର ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ ପ୍ରାୟ ୮,୦୦,୦୦୦ ଯୌନ କର୍ମୀ ଥିଲେ । ତିୱାରୀଙ୍କ ଅନୁସାରେ, ଦିଲ୍ଲୀରେ ପ୍ରାୟ ୩୦,୦୦୦ ଅଛନ୍ତି - ରାଜଧାନୀରେ ପ୍ରାୟ ୩୦ଟି ଏନ୍ଜିଓ ସେମାନଙ୍କ ସହ କାମ କରୁଛନ୍ତି, ପ୍ରତ୍ୟେକଙ୍କ ନିକଟରେ ୧,୦୦୦ ବା ଅଧିକ ଯୌନକର୍ମୀଙ୍କର ନିୟମିତ ପରୀକ୍ଷା କରାଇବାର ଲକ୍ଷ୍ୟ ରହିଛି । ମହିଳାମାନେ ସେମାନଙ୍କୁ ଦିନ ମଜୁରିଆ ଭାବେ ଦେଖନ୍ତି । ଉତ୍ତରପ୍ରଦେଶ ବୁଦାଉଁ ଜିଲ୍ଲାର ଜଣେ ୩୪ ବର୍ଷୀୟା ବିଧବା ରାଣୀ କହନ୍ତି, ‘‘ଆମେ ଏହାକୁ ଯୌନ କାମ କହୁ, ବେଶ୍ୟା ବୃତ୍ତି ନୁହେଁ । ମୁଁ ପ୍ରତିଦିନ ରୋଜଗାର କରେ ଏବଂ ପ୍ରତିଦିନ ଖାଏ । ମୋର ଏକ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି । ମୁଁ ଦିନକୁ ଜଣେ କିମ୍ବା ଦୁଇ ଜଣ ଗ୍ରାହକଙ୍କୁ ନେଇପାରିବି । ସେମାନେ ୨୦୦ରୁ ୩୦୦ ଟଙ୍କା ଯାଏଁ ଦେଇଥାଆନ୍ତି ।’’
ଏହା ସେମାନଙ୍କର ରୋଜଗାରର ମାଧ୍ୟମ କିନ୍ତୁ ପରିଚୟର ଏକ ଅଂଶ । ମୁମ୍ବାଇ-ଭିତ୍ତିକ ସାମାଜିକ କର୍ମୀ ଏବଂ ମହିଳାଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ମଞ୍ଜିମା ଭଟ୍ଟାଚାର୍ଯ୍ୟ କହନ୍ତି, ‘‘ଏକଥା ମନେ ରଖିବା ଜରୁରୀ ଯେ ଯୌନକର୍ମୀମାନେ ମଧ୍ୟ ଏକାକୀ ମହିଳା, ଏକାକୀ ମା’, ଦଳିତ ମହିଳା, ଅଶିକ୍ଷିତ ମହିଳା, ପ୍ରବାସୀ ମହିଳା ଏବଂ ଏହିପରି, ଅନ୍ୟ ପରିଚୟଗୁଡ଼ିକ ଯାହା ସେମାନଙ୍କର ଜୀବନ ପଥ ନିର୍ଣ୍ଣୟ କରିଛି ।’’ ସେ ଇଣ୍ଟିମେଟ୍ ସିଟି ପୁସ୍ତକର ରଚୟିତା, ଯେଉଁଥିରେ ଜଗତିକରଣ ଏବଂ ଟେକ୍ନୋଲୋଜି କେମିତି ଯୌନ ବ୍ୟବସାୟକୁ ପ୍ରଭାବିତ କରିଛି ତାହା ବର୍ଣ୍ଣିତ ହୋଇଛି । ସେ କହିଲେ ‘‘ଅଧିକାଂଶ କ୍ଷେତ୍ରରେ ମହିଳାମାନେ ଗୁଜୁରାଣ ମେଣ୍ଟାଇବାକୁ ଅନେକ ଅଣଆନୁଷ୍ଠାନିକ କାମ କରିଥାଆନ୍ତି: କିଛି କ୍ଷେତ୍ରରେ ଘରୋଇ ସହାୟିକା, ଅନ୍ୟ କ୍ଷେତ୍ରରେ ଯୌନ କର୍ମୀ ଏବଂ ତୃତୀୟ କ୍ଷେତ୍ରରେ ନିର୍ମାଣ କାମ ବା କାରଖାନା କାମ ।’’
ଯୌନ ବ୍ୟବସାୟର ନିଜସ୍ୱ ଜଟିଳତା ରହିଛି । ରାଣୀ କହିଲେ, ‘‘ଯଦି ଆମେ କାମ ପାଇଁ କାହା ଘର ବ୍ୟବହାର କରୁ, ସେ ବ୍ୟକ୍ତି ମଧ୍ୟ କମିଶନ ନେଇଥାଆନ୍ତି । ଯଦି ଗ୍ରାହକ ମୋର ହୋଇଥାଆନ୍ତି ତେବେ ମୁଁ ମାସକୁ ୨୦୦-୩୦୦ ଟଙ୍କା ଭଡ଼ା ଦେଇଥାଏ । କିନ୍ତୁ ଯଦି ଗ୍ରାହକ ଦିଦିଙ୍କର[ଘର ମାଲିକ] ହୋଇଥାଏ, ତାହେଲେ ମୋତେ ଏକ ନିର୍ଦ୍ଦିଷ୍ଟ ଅର୍ଥ ଦେବାକୁ ପଡ଼େ।’’
ସେ ମୋତେ ସେହିଭଳି ଏକ ଆପାର୍ଟମେଣ୍ଟକୁ ନେଇଗଲେ, ଯେଉଁଠାରେ ମାଲିକ ଆମେ ତାଙ୍କର ପରିଚୟ ପ୍ରକାଶ କରି ବ୍ୟବସ୍ଥାକୁ ବିପଦରେ ପକାଇବାକୁ ନାହିଁ ବୋଲି ନିଶ୍ଚିତ କରିବା ପରେ ଆମକୁ ଏଥିପାଇଁ ଥିବା କୋଠରୀ ଦେଖାଇଲେ। ଏଠାରେ ଗୋଟିଏ ଖଟ, ଆଇନା, ଭାରତୀୟ ଦେବଦେବୀଙ୍କର ଫଟୋ ଏବଂ ଖରାଦିନ ପାଇଁ ଗୋଟିଏ କୁଲର ଥିଲା । ଦୁଇ ଜଣ ଯୁବତୀ ଖଟ ଉପରେ ବସି ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ। ବାଲକୋନିରେ ବସି ଧୁମପାନ କରୁଥିବା ଦୁଇ ଜଣ ଲୋକ ମୁହଁ ବୁଲାଇଦେଲେ।
ବିଶ୍ୱର ଏହି ସର୍ବପୁରାତନ ବୃତ୍ତିରେ ଶରୀରକୁ ଆର୍ଥିକ ସଂଶାଧନ ଭାବେ ଦେଖିବାର ପସନ୍ଦ ନେଇ ପ୍ରଶ୍ନର ଉତ୍ତର ଐତିହାସିକ ଭାବେ ଜଟିଳ। ଭଟ୍ଟାଚାର୍ଯ୍ୟ କହନ୍ତି, ‘‘ଯେତେବେଳେ ପସନ୍ଦ ଏକ ଭଲ ବା ନୈତିକ ବୋଲି ବିବେଚନା ହୋଇନଥାଏ ସେତେବେଳେ ପସନ୍ଦ ଚୟନ କରିବା କଷ୍ଟକର । ‘‘କେଉଁ ମହିଳା ସେଭଳି ପରିଚିତ ହେବାକୁ ଚାହିଁବେ ଯିଏ ଦେହ ବ୍ୟବସାୟ କରନ୍ତି? ଏକ ସମାନ୍ତରାଳ ଏହା ହୋଇପାରେ ଯେ କେମିତି ଝିଅମାନଙ୍କୁ ସ୍ପଷ୍ଟ ଭାବେ ଏକଥା କହିବା କଷ୍ଟକର ହୋଇଥାଏ ଯେ ସେମାନେ ପ୍ରେମିକ ବା ସାଥୀଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ସହମତି ଦେଇଥିଲେ କାରଣ ଏହା ତାଙ୍କୁ ‘ଖରାପ’ ଝିଅ ଭାବେ ଚିତ୍ରଣ କରେ ।
ଇତିମଧ୍ୟରେ ରାଣୀ ଚିନ୍ତାକରନ୍ତି, ତାଙ୍କର ବଢ଼ନ୍ତା ପିଲାମାନଙ୍କୁ ସେ କ’ଣ କହିବେ ଯେ ସେମାନଙ୍କୁ ଖାଦ୍ୟ, ଆଶ୍ରୟ, ସ୍କୁଲ ଫି ଏବଂ ଔଷଧ ଦେବା ପାଇଁ ତାଙ୍କ ମା’ କ’ଣ କରେ ।
ଯୌନକର୍ମୀମାନଙ୍କର ଗୋପନୀୟତା କୁ ସୁରକ୍ଷିତ ରଖିବାକୁ ସେମାନଙ୍କର ନାମ ବଦଳାଇ ଦିଆଯାଇଛି ।
ଗ୍ରାମୀଣ ଭାରତରେ କିଶୋରୀ ଏବଂ ଯୁବତୀଙ୍କ ଉପରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟିଂ ପରିଯୋଜନା, ସାଧାରଣ ଲୋକଙ୍କର ସ୍ୱ ର ଓ ସେମାନଙ୍କର ଅନୁଭୂତି ମାଧ୍ୟମରେ, ଏହି ମହ ତ୍ୱ ପୂର୍ଣ୍ଣ କିନ୍ତୁ ଅବହେଳିତ ଗୋଷ୍ଠୀଙ୍କର ସ୍ଥିତି ବାବଦରେ ଜାଣିବା ପାଇଁ ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ସମର୍ଥିତ ଏକ ଉଦ୍ୟମର ଅଂଶ ।
ଏହି ଲେଖାକୁ ପୁନଃପ୍ରକାଶନ କରିବାକୁ ଚାହୁଁଛନ୍ତି ? ଦୟାକରି [email protected] କୁ ଲେଖନ୍ତୁ [email protected]କୁ ସିସିରେ ରଖନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍