ଋଣ ଟଙ୍କା [ଆପଣଙ୍କଠାରୁ] ଅସୁଲ କରିବା ପାଇଁ ବ୍ୟାଙ୍କ ଗାନ୍ଧିଗିରି କରିବାକୁ ନିଷ୍ପତ୍ତି ନେଲା। ଏଥିପାଇଁ ତିନିଟି ପନ୍ଥା ବ୍ୟାଙ୍କ ସ୍ଥିର କଲା: ୧) ପ୍ରତିବାଦ ପାଇଁ ଆପଣଙ୍କ ଘର ସାମ୍ନାରେ ତମ୍ବୁ ଟାଣିବା, ୨) ବାଜା ବଜାଇବା, ୩) ଘଣ୍ଟି ପିଟିବା।
“ଏଭଳି କାର୍ଯ୍ୟ ଦ୍ୱାରା ଆପଣଙ୍କର ସମାଜରେ ଥିବା ଖ୍ୟାତିରେ ଆଞ୍ଚ ଆସିପାରେ।”
ଏ ହେଉଛି ଓସମାନାବାଦ ଜିଲ୍ଲା କୋ-ଅପରେଟିଭ୍ ବ୍ୟାଙ୍କ (ଓଡିସିସି) ଯିଏ ତାର ୨୦,୦୦୦ ଗ୍ରାହକଙ୍କୁ ଏଭଳି ବେଇଜ୍ଜତ ଏବଂ ଉପହାସ କରିବା ପାଇଁ ପ୍ରତିଜ୍ଞା କଲା। ଏହି ଗ୍ରାହକଙ୍କ ମଧ୍ୟରେ ଅଧିକାଂଶ ଥିଲେ କୃଷକ। ଯେଉଁମାନେ ବର୍ଷ ବର୍ଷ ଧରି ସଂକଟରେ ଥିଲେ। କେତେବେଳେ ଶସ୍ୟହାନୀ ତ କେତେବେଳେ ଅଭାବ ବିକ୍ରୀ ଭଳି ପରିସ୍ଥିତି। ଉତ୍କଟ ଜଳ ସଂକଟ ଏବଂ ଗମ୍ଭୀର ମରୁଡି ସ୍ଥିତି ଋଣ ପରିଶୋଧ କରିବାରେ ବାଧକ ସାଜିଛି। ଏସବୁ ଭିତରେ ବଡ ସମସ୍ୟା ସୃଷ୍ଟି କରିଛି ନିକଟରେ ୫୦୦ ଟଙ୍କିଆ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ନେଇ ସରକାରଙ୍କ ନିଷ୍ପତ୍ତି। ଏଥିଯୋଗୁଁ ସେମାନେ ଶ୍ରମିକଙ୍କୁ ଦୈନିକ ମଜୁରୀ ଦେଇପାରୁ ନାହାନ୍ତି। ଖେଦ୍ ଗାଁର କ୍ଷୁଦ୍ର ଚାଷୀ ଏସ୍.ଏମ୍. ଗଓ୍ୱାଲେ କହିଲେ, “ନଭେମ୍ବର ୯ ବିମୁଦ୍ରାକରଣ ପରଠାରୁ କୃଷି ଶ୍ରମିକମାନେ ପଇସା ଆକାରରେ ଆଦୌ ପାରିଶ୍ରମିକ ପାଇ ନାହାନ୍ତି। ସମସ୍ତେ ଭୋକିଲା ଅଛନ୍ତି।”
କୃଷକମାନଙ୍କୁ ବ୍ୟାଙ୍କ ଚିଠିରେ (ଏହାର ଅନୁବାଦିତ ଅଂଶ କାହାଣୀର ଶେଷ ଭାଗରେ ଦିଆଯାଇଛି) କୁହାଯାଇଥିଲା ଯେ, ଜମାକାରୀ ଟଙ୍କା ନଉଠାଇପାରିବା ପାଇଁ ସେମାନେ ଦାୟୀ। ଆଉ କୌଣସି ଜମାକାରୀ ଯଦି ଆତ୍ମହତ୍ୟା କରନ୍ତି, ସେଥିପାଇଁ ତୁମେ ଦାୟୀ ରହିବ ବୋଲି କୃଷକଙ୍କୁ ଚେତାବନୀ ଦିଆଯାଇଥିଲା।
ଏଭଳି ସ୍ଥିତିରେ ବ୍ୟାଙ୍କର ଋଣ ଅସୁଲକାରୀ ଦଳ ଗାଁକୁ ଆସିବା ଉଭୟ ଚାଷୀ ଏବଂ ଚାଷୀ ପରିବାରରେ ଅସ୍ଥିରତା ଏବଂ ନିରାଶା ସୃଷ୍ଟି କରିଥିଲା। ପ୍ରାୟ ୨୦,୦୦୦ କୃଷକ ଓଡିସିସିକୁ ୧୮୦ କୋଟି ଟଙ୍କା ପରିଶୋଧ କରିବାର ଥିଲା। ଦୁଇଟି ଚିନି କଳ ଟେରନା ଏବଂ ଥୁଲଜିଆଭଓ୍ୱାନୀ ମଧ୍ୟ ସେହି ବ୍ୟାଙ୍କରୁ ୩୫୨ କୋଟି ଟଙ୍କା ଋଣ ନେଇଥିଲେ। କିନ୍ତୁ କେବଳ କୃଷକଙ୍କଠାରୁ ଋଣ ଅସୁଲ କରିବା ପାଇଁ ବ୍ୟାଙ୍କ ଚାଲ୍ କରିଥିଲା। କ୍ଷମତାଶାଳୀଙ୍କ ଦ୍ୱାରା ନିୟନ୍ତ୍ରିତ କମ୍ପାନୀ କ୍ଷେତ୍ରରେ ନିରୁପାୟ। ଡଡିସିସି ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିଜୟ ଘୋଁସେ ପାଟିଲ କହିଲେ, “ଦୁଇଟିଯାକ କାରଖାନା ବନ୍ଦ ହୋଇ ଯାଇଛି। ତେଣୁ ସେଠାରେ କିଛି ଗାନ୍ଧିଗିରି କରି ହେବନି। କୌଣସି ମୂଲ୍ୟବାନ ଜମି ମଧ୍ୟ ନାହିଁ ଯାହାକୁ ବ୍ୟାଙ୍କ ସିଜ୍ କରିବ କିମ୍ବା ନିଲାମ କରିବ।”
ଓସମାନାବାଦ ସହରରେ ଥିବା ବ୍ୟାଙ୍କ ମୁଖ୍ୟାଳୟରେ ତାଙ୍କୁ ଭେଟିଥିଲୁ। ସେ ନିଜ ସପକ୍ଷରେ ଯୁକ୍ତି ରଖି ହକିଲେ, “ଅରୁଣ ଜେଟ୍ଲିଙ୍କ ଭାଷଣରୁ ଗାନ୍ଧିଗିରି ପାଇଁ ପ୍ରେରଣା ମିଳିଥିଲା। ଗତ ବଜେଟ ଅଧିବେଶନରେ ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଚେତାବନୀ ଦେଇଥିଲେ।”


