ଏହା ପୁରୁଣା ଏବଂ ଏହା ନୂଆ। ଏହା ପୁରାତନ ଏବଂ ଏହା ସମସାମୟିକ। ଏହାର ବିଶେଷ ଐତିହାସିକ ଗୁରୁତ୍ୱ ରହିଛି। ତଥାପି ଏକ ବଡ଼ ଆଧୁନିକ ପ୍ରାସଙ୍ଗିକତା ମଧ୍ୟ ଅଛି। ମଦୁରାଇର କ୍ଷୁଦ୍ରାକୃତି ରୂପ ହେଉଛି ପୁଧୁ ମଣ୍ଡପମ୍। ଏକ ୩୮୪ ବର୍ଷ ପୁରୁଣା ଐତିହାସିକ ଅଟ୍ଟାଳିକା ଯେଉଁଥିରେ ଏକ ସପିଂ କମ୍ପ୍ଲେକ୍ସ ରହିଛି, ଏହା ସେହିପରି ପୁରାତନ ସହରର ମାଧୂର୍ଯ୍ୟକୁ ସାଉଁଟି ରଖିଛି ଏମିତି ଭାବରେ ଯାହା ଏହାର ଅନ୍ୟ କୌଣସି ଅଂଶରେ ବି ନାହିଁ। ଖୁବ୍ ଉଜ୍ଜଳ ଏବଂ ଚମକଦାର କପଡ଼ାରେ ପୋଷାକ ପ୍ରସ୍ତୁତକାରୀମାନଙ୍କଠାରୁ ଆରମ୍ଭ କରି ଦୋକାନମାନଙ୍କରେ ପାରମ୍ପରିକ ବାସନକୁସନ ଏବଂ ରୋଷେଇ ଉପକରଣ ବିକ୍ରି ହୁଏ। ଏ ସ୍ଥାନର ରଙ୍ଗ ଅନେକ।
ଏହା ସେହି ସ୍ଥାନ ଯେଉଁଠାରେ ତାମଲନାଡ଼ରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର ଉତ୍ସବଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିନ୍ଧୁଥିବା ପୋଷାକ ତିଆରି ହୁଏ। ଏବଂ ଏହା ସେହି ସ୍ଥାନ ଯେଉଁଠାରେ ସହରର ୧୫୦ ପୋଷାକ ପ୍ରସ୍ତୁତକାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ମୁସଲମାନ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକ ସାଧାରଣତଃ ମଦୁରାଇ ଆଖପାଖର ଗ୍ରାମୀଣ ଅଞ୍ଚଳର ହିନ୍ଦୁମାନେ ଖୁବ୍ ଧାର୍ମିକ ବିଶ୍ୱାସର ସହ ପରିଧାନ କରନ୍ତି।
ଆପଣଙ୍କ ସେମାନଙ୍କୁ ପଚାରନ୍ତୁ ମୁସଲମାନ ହୋଇ କେମିତି ଏକ ହିନ୍ଦୁ ଉତ୍ସବ ପାଇଁ ପୋଷାକ ସିଲେଇ କରୁଛନ୍ତି, ଏବଂ ସେମାନେ ଏହାକୁ ଖାରଜ କରିଦେବେ। ଅମୀର ଜନ କୁହନ୍ତୁ, ‘‘ମ୍ୟାଡାମ୍ ! ଏହା ଉତ୍ତର ଭାରତ ନୁହେଁ। ଆମେ ଏକାଠି ପିଢ଼ି ପରେ ପିଢ଼ି ରହିଛୁ ଏବଂ ପରସ୍ପରକୁ ସମ୍ପର୍କୀୟ ଭାବରେ ସମ୍ବୋଧନ କରୁ। ଏଠି କିଛି ଭୁଲ୍ ହେବ କେମିତି?
ପୁଧୁ ମଣ୍ଡପମ୍ର ଅନ୍ୟ ଜଣେ ପୋଷାକ ପ୍ରସ୍ତୁତକାରୀ ୪୨ ବର୍ଷ ବୟସ୍କ ମୁବାରକ ଅଲ୍ଲୀ ପଚାରିଲେ, ‘‘ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି। ଆମେ ପିଢ଼ି ପରେ ପିଢ଼ି ଏହା ହିଁ କରୁଛୁ।
ତାମିଲ ଭାଷାରେ ‘ମଣ୍ଡପମ୍’ର ଅର୍ଥ ମନ୍ଦିରରେ ଏକ ମଞ୍ଚ। ଏହା ସାଧାରଣତଃ ବିବାହ ହଲ କିମ୍ବା ସାମାଜିକ-ସାଂସ୍କୃତିକ କିମ୍ବା ଧାର୍ମିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିବା ସ୍ତମ୍ଭ ବିଶିଷ୍ଟ ଏକ ମଞ୍ଚ। ମଦୁରାଇର କେନ୍ଦ୍ରସ୍ଥଳରେ ମୀନାକ୍ଷୀ ଅମ୍ମନ ମନ୍ଦିରର ପୌରାଣିକ ପୂର୍ବ ସ୍ତମ୍ଭର ବିପରିତ ଦିଗରେ ରହିଛି।
ଏହା ଆହୁରି ବିଚିତ୍ର ମନେହେବ, ଯେହେତୁ ଏହି ପ୍ରାୟ ଚାରି ଶତାବ୍ଦୀ ପୁରାତନ ଅଟ୍ଟାଳିକାର ନାମ ‘ପୁଧୁ’, ଯାହାର ଅର୍ଥ ତାମିଲ ଭାଷାରେ ‘ନୂଆ’। କିନ୍ତୁ ଏହା ସତ ଯେ, ୧୬୩୫ ମସିହାରେ ମଦୁରାଇର ରାଜା. ତିରୁମଲାଇ ନାୟକର ଏହି ସ୍ଥାନକୁ ବସନ୍ତ ଉତ୍ସବ ପାଳନ ନିମନ୍ତେ ନିର୍ମାଣ କରିଥିଲେ।
ଏହାର ଧାର୍ମିକ-ସାଂସ୍କୃତିକ ପ୍ରକୃତି ଏକ ଦୁଇ ସହସ୍ରାବ୍ଦୀ ପୁରୁଣା ରାଜନୈତିକ ବିଶ୍ୱାସ ସହ ଖାପ ଖୁଆଏ, ବିଶ୍ୱାସ ଅଛି ଯେ, ମଦୁରାଇକୁ ନିୟନ୍ତ୍ରଣ କରିବ ସେ ସାରା ତାମିଲନାଡୁକୁ ନିୟନ୍ତ୍ରଣ କରିବ। ନିକଟରେ ମାତ୍ର ଗତ ସପ୍ତାହରେ ଏହି ରାଜନୈତିକ ବିଶ୍ୱାସ ମଦୁରାଇ ଲୋକସଭା ଆସନରେ ଅଲ ଇଣ୍ଡିଆ ଦ୍ରାବିଡ ମୁନେତ୍ରା କାଝାଗମ୍ (ଏଆଇଡିଏମ୍କେ)ର ଭି.ଭି.ଆର୍. ରାଜ ସତ୍ୟନ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ)ସି ର ସୁ ଭେଙ୍କଟେସନଙ୍କ ମଧ୍ୟରେ ନିର୍ବାଚନ ଯୁଦ୍ଧରେ ପ୍ରତିଫଳିତ ହୋଇଛି। ଏହାର ସମସ୍ତ ଧାର୍ମିକ ଗୁରୁତ୍ୱ କାରଣରୁ ବାମପନ୍ଥୀମାନେ ତିନିଥର ମଦୁରାଇ ଆସନ ଜିତି ପାରିଛନ୍ତି।
ଆଜି, ଏପ୍ରିଲ୍ ୨୨, ‘ଅଝାଗର ଉତ୍ସବ’ ନାମକ ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ଦିନ ଯେଉଁଥିରେ ପୋଷାକ ପ୍ରସ୍ତୁତକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି- ଏପ୍ରିଲ୍ ୧୮ ତାରିଖରେ ଶେଷ ହୋଇଥିବା ରାଜନୈତିକ ଉତ୍ସବରେ ଭୋଟ ଦାନ ଶେଷ ହେବାର ମାତ୍ର ୧୦୦ ଘଣ୍ଟା ପରେ।
ଅଝାଗର, ଅଝାଗର କୋବିଲ (ମନ୍ଦିର)ର ଅଧିଷ୍ଠାତା ଦେବତା କାଲାଝାଗରଙ୍କ ସଂକ୍ଷିପ୍ତ ନାମ। ମଦୁରାଇ ସହରଠାରୁ ମାତ୍ର ୨୦ କିଲୋମିଟର ଦୂରରେ ମେଲୁର ବ୍ଲକ୍ରେ ଅଝାଗର ଗ୍ରାମରେ ଏହି ମନ୍ଦିର ରହିଛି। ଲୋକପ୍ରିୟ ସାଂସ୍କୃତିକ ଅନୁଯାୟୀ ବିଶ୍ୱାସ କରାଯାଏ ଅଝାଗର ବୈଗାଇ ନଦୀ ଅତିକ୍ରମ କରି ତାଙ୍କ ଭଉଣୀ ମିନାକ୍ଷୀଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ, କିନ୍ତୁ ତରବରିଆ ଭାବରେ ରାଗି ଫେରିଆସିଲେ, ଯେତେବେଳେ ଜାଣିଲେ ଯେ ବିବାହ ସରିଯାଇଛି।
ମିନାକ୍ଷୀ ମନ୍ଦିର ଉତ୍ସବ ଯାହାକି ଚଳିତବର୍ଷ ଏପ୍ରିଲ୍ ୧୮ ତାରିଖରେ ଆରମ୍ଭ ହୋଇଥିଲା ପ୍ରାୟ ୧୨ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳିତବର୍ଷ ଏପ୍ରିଲ୍ ୧୪ ତାରିଖରେ ଆରମ୍ଭ ହୋଇଥିବା ଅଝାଗର ଉତ୍ସବ ୯ଦିନ ପର୍ଯ୍ୟନ୍ତ ଚାଲେ ଏବଂ ଆଜି ଏପ୍ରିଲ୍ ୨୨ ତାରିଖରେ ଶେଷ ହେବ। ଏହି ଦୁଇଟି ଏକକାଳୀନ ଉତ୍ସବକୁ ଏକାଠି କୁହାଯାଏ ଚିତିରାଇ ଥିରୁଭିଜା। ଏଥିରେ ଏହା ଆରମ୍ଭ ହୁଏ ମୀନାକ୍ଷି ଥିରୁ କଲ୍ୟାଣମ୍ (ମୀନାକ୍ଷିଙ୍କ ଐଶ୍ୱରୀୟ ବିବାହ) ଏବଂ ଥେରୋଟ୍ଟମ (ରଥ ଦୌଡ଼)ରୁ।
ପୁଧୁ ମଣ୍ଡପମ୍ ଅଟ୍ଟାଳିକା ୩୩୩ ଫୁଟ ଲମ୍ବ ଏବଂ ୨୫ଫୁଟ ଚୌଡ଼ା। ଏଥିରେ ୧୨୫ଟି ସ୍ତମ୍ଭ ରହିଛି ପ୍ରତ୍ୟେକରେ ନାୟକ ରାଜାମାନଙ୍କର ଏବଂ ଦେବୀମାନଙ୍କର କଳାକୃତି ରହିଛି। ଏଥିରେ ଥିବା ସପିଂ କମ୍ପ୍ଲେକ୍ସ ବୋଧହୁଏ ତାମିଲନାଡୁର ସର୍ବପୁରାତନ । ଏଥିରେ ଥିବା ୩୦୦ ଦୋକାନରେ ପୁସ୍ତକ ବାସନକୁସନ, ପୋଷାକ, ଚୁଡ଼ି, ଉପହାର ସାମଗ୍ରୀ, ଖେଳଣା ଏବଂ ଆହୁରି ଅନେକ କିଛି ବିକ୍ରି ହୁଏ। ମଦୁରାଇ ପୁଧୁ ମଣ୍ଡପମ୍ ବ୍ୟବସାୟୀ ଏବଂ ପୋଷାକ ପ୍ରସ୍ତୁତକାରୀ ସଂଘର ସଭାପତି ଜି. ମୁଥୁ ପଣ୍ଡି କୁହନ୍ତି, ‘‘ମୁଁ ଯେତେଦୁର ଜାଣିଛି ଏସବୁ ଦୋକାନ ଅତିକମ୍ରେ ଦୁଇ ଶତାବ୍ଦୀ ଧରି ପୁଧୁ ମଣ୍ଡପମ୍ରେ ଅଛି। ସେ ମଧ୍ୟରୁ ସବୁଠାରୁ ପୁରୁଣା ହେଉଛି ସିକନ୍ଦର ଲୁହା ବାସନ ଦୋକାନ। ଏହା ଅତିକମ୍ରେ ୧୫୦ ବର୍ଷ ଧରି ଥିବା ଆମେ ଜାଣୁ।’’
ପ୍ରତିବର୍ଷ ତାମିଲ ଚିତିରାଇ ମାସରେ –ଏପ୍ରିଲ୍ ୧୫ରୁ ମଇ ୧୫- ପୋଷାକ ପ୍ରସ୍ତୁତକାରୀ ଦରଜୀମାନେ ଅନ୍ୟ ଦୋକାନମାନଙ୍କଠାରୁ ଅଧିକ କାର୍ଯ୍ୟ ବ୍ୟସ୍ତ ହୋଇଯାଆନ୍ତି। ଏହି ସମୟରେ ସେମାନେ ମନ୍ଦିରର ଉତ୍ସବ ଅବସରରେ ନିଜକୁ ଅଝାଗର ଭାବରେ ବେଶ କରାଉଥିବା ଶହ ଶହ ଶ୍ରଦ୍ଧାଳୁମାନଙ୍କ ପାଇଁ ପୋଷାକ ସିଲେଇ କରନ୍ତି । ଅମୀର ଜନ୍ ସେମାନଙ୍କ ମଧ୍ୟରୁ ଜଣେ ଯିଏ କି ଅବିରତ ଭାବରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ନାନା ରଙ୍ଗର କପଡ଼ା କାଟୁଛନ୍ତି ଏବଂ ସିଲେଇ କରୁଛନ୍ତି । ଏହି ବ୍ୟବସାୟରେ ତିନି ପିଢ଼ି ହେବ ଥିବା ଗୋଟିଏ ମୁସଲମାନ ପରିବାରରୁ ସେ ଆସିଛନ୍ତି । ସେ ଶ୍ରଦ୍ଧାଳୁମାନେ ନିଜନିଜର ଭୂମିକା ଏବଂ ପ୍ରାର୍ଥନା ଅନୁଯାୟୀ କେଉଁ ପୋଷାକଗୁଡ଼ିକ ପିନ୍ଧିବେ ତାହା ଆମକୁ ଦେଖାଇବା ସମୟରେ କାମ କରିବା ବନ୍ଦ କରୁନଥିଲେ । ତାଙ୍କ ଅଭ୍ୟସ୍ତ ଅଙ୍ଗୁଳିଗୁଡ଼ିକ ଜଟିଳ ଛୁଞ୍ଚିକାମକୁ ଏତେ ସହଜରେ କରୁଥିଲା ଯେ ତାହା ପିଲାଖେଳ ପରି ମନେ ହେଉଥିଲା । ସେ କୁହନ୍ତି, ‘‘ଆମର ଏହି ଦୋକାନ ୬୦ବର୍ଷ ହେବ ଅଛି ଏବଂ ମୁଁ ଏହି ବ୍ୟବସାୟ ମୋର ବାପା ଶେଖ୍ ନବାବ ଜନ୍ଙ୍କ ଠାରୁ ଶିଖିଛି ।’’
ଶ୍ରଦ୍ଧାଳୁମାନେ ଚୟନ କରିଥିବା ଭୂମକା ଅନୁଯାୟୀ ସେମାନେ ସାଲାଦମ (ଟାଉଜର), କଛାଇ (କମର ଚାରିପଟେ ବନ୍ଧା ଯାଉଥିବା କପଡ଼ା), ମାରାଦି ମାଲାଇ (ମାଳ), ଉରୁମା (ପଗଡ଼ି) କିମ୍ବା ସଟ୍ଟାଇ (ଚାବୁକ) ଆବଶ୍ୟକ କରନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଥୋପାରାଇ (କପଡ଼ାରେ ପ୍ରସ୍ତୁତ ହୋଇଥିବା ଏକ ପାଣି ଜଗ୍, ଯେଉଁଥିରେ ଏକ ଛିଦ୍ର ଥାଏ ଯାହା ନିୟନ୍ତ୍ରିତ ଭାବରେ ତରଳ ପଦାର୍ଥକୁ ନିଗାଡ଼ି ପାରେ) କିମ୍ବା କପଡ଼ା ଟୁକୁଡ଼ାରେ ପ୍ରସ୍ତୁତ ହୋଇଥିବା ‘ମଶାଲ’ ଆବଶ୍ୟକ କରିପାରନ୍ତି ।
ତାମିଲନାଡୁର ତିରୁନେଲଭେଲିସ୍ଥିତ ମନୋମନ୍ୟମ ସୁନ୍ଦରନର ବିଶ୍ୱବିଦ୍ୟାଳୟର ତାମିଲ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଥୋ ପରମଶିବନଙ୍କ ଦ୍ୱାରା ଲିଖିତ ୧୯୮୮ ମସିହାର ପୁସ୍ତକ ଅଝାଗର କୋବିଲ ନାମକ ପ୍ରଭାବଶାଳୀ ପୁସ୍ତକ ଅନୁଯାୟୀ ଶ୍ରଦ୍ଧାଳୁମାନେ ଉତ୍ସବ ଅବସରରେ ଚାରୋଟି ଭିନ୍ନ ଭିନ୍ନ ଭୂମିକାର ପୋଷାକ ପିନ୍ଧିଥାନ୍ତି : ଥିରିୟେଦୁଥାଡୁଭର (ଯେଉଁମାନେ ନିଆଁ ଧରି ନୃତ୍ୟ କରନ୍ତି), ଥିରିଇନ୍ଦ୍ରି ଆଦୁଭୋର (ଯେଉଁମାନେ ବିନା ନିଆଁରେ ନୃତ୍ୟ କରନ୍ତି), ସଟ୍ଟାଇ ଆଦିଥାଆଦୁଭୋର୍ (ଯେଉଁମାନେ ନୃତ୍ୟ ସମୟରେ ନିଜକୁ ଚାବୁକ ମାରିଥାନ୍ତି) ଏବଂ ଥିରୁଥି ନିର ଥେଲିପୋର (ଯେଉଁମାନେ ଦେବତା ଏବଂ ଶ୍ରଦ୍ଧାଳୁଙ୍କ ଉପରେ ଜଳ ସିଞ୍ଚନ କରିଥାନ୍ତି)।
'ସେମାନେ [ ମୁସଲମାନ ପୋଷାକ ପ୍ରସ୍ତୁତକାରୀ] ସେମାନେ ସହଜ ଭାବରେ ଆମର ଅଂଶ। ଆମେମାନେ ସମ୍ପର୍କୀୟ ପରି ଏବଂ ସେହିପରି ଆମେ ପରସ୍ପରକୁ ସମ୍ବୋଧନ କରୁ। ଆମେ ପରସ୍ପର ପାଇଁ ଛିଡ଼ା ହେଉ, ପରସ୍ପରକୁ ସୁରକ୍ଷା ଦେଉ
ପ୍ରଥମ ତିନିଗୋଷ୍ଠୀ କେବଳ ଲାଲ୍ ଟ୍ରାଉଜର ପିନ୍ଧନ୍ତି, ଯେଉଁମାନେ ନିଆଁ ସହ ନୃତ୍ୟ କରନ୍ତି, ସେମାନେ ଲାଲ୍ ପଗଡ଼ି ପିନ୍ଧନ୍ତି । ଯେଉଁମାନେ ପାଣି ଛିଞ୍ଚନ୍ତି କିମ୍ବା ପାଣି ବାଣ୍ଟନ୍ତି ଯୋଦ୍ଧାଙ୍କ ପରି ବେଶ ହୁଅନ୍ତୁ ଏବଂ ଉରୁମା ଏବଂ ମାରାଦି ମାଲାଇ ପରିଧାନ କରନ୍ତି। ପରମଶିବନ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ଜାତିର ଜନସାଧାରଣ ଏପରିକି ଦଳିତ ସମୂହର ଲୋକମାନେ ମଧ୍ୟ ଏହି ରୀତିନୀତିରେ ଅଂଶଗ୍ରହଣ କରନ୍ତି। ସେମାନେ ସାଧାରଣତଃ ଏହି ରୀତିନୀତିର କାରଣ ଜାଣନ୍ତି ନାହିଁ । ପରମଶିବନ ଲକ୍ଷ୍ୟ କରିଛନ୍ତି ଯେ, ‘‘ସେମାନଙ୍କ ମଧ୍ୟରୁ ଅଧିକାଂଶ ବିନା କାରଣରେ [କିମ୍ବା ମାନସିକ ଭାବରେ] କରନ୍ତି ଏବଂ ପାରମ୍ପରିକ ଭାବରେ କରି ଆସୁଛନ୍ତି ।’’ ମହିଳାମାନେ ଖୁବ୍ ବିରଳ ଭାବରେ ଏପରି ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ଯଦିଓ ଏହା କରିବା ଉପରେ କୌଣସି ଜ୍ଞାତ ନିଷେଧାଦେଶ ନାହିଁ । ପରମ ଶିବନ ଲକ୍ଷ୍ୟ କରିଛନ୍ତି ଯେ, ମିନାକ୍ଷୀ ଉତ୍ସବ ମଦୁରାଇ ସହରର ଲୋକମାନଙ୍କ ଦ୍ୱାରା ଅଧୀକ ଭାବରେ ପାଳିତ ହୁଏ ଏବଂ ଅଝାଗର ଉତ୍ସବ ଗ୍ରାମୀଣ ଜନତାଙ୍କ ଦ୍ୱାରା ଅଧିକ ପାଳିତ ହୁଏ।
ନିଜର ଅନ୍ୟ ପ୍ରତିପକ୍ଷଙ୍କ ବିପରୀତରେ ୫୩ବର୍ଷ ବୟସ୍କ ଅବୁ ବକ୍କର ସିଦ୍ଧିକ ଅଝାଗର ଦୁନିଆରେ ମାତ୍ର ୨୦୦୭ ମସିହାରେ ଯୋଗ ଦେଲେ । ‘‘ମୋର ପ୍ରଥମେ ପୁଧୁ ମଣ୍ଡପମ୍ରେ ଏକ ଫ୍ୟାନ୍ସି ଷ୍ଟୋର୍ [ବିଭିନ୍ନ ପ୍ରକାର ଛୋଟ ଜିନିଷ ବିକ୍ରି ହେଉଥିଲା] ଥିଲା, କିନ୍ତୁ ମୋତେ ଏହା ଆକର୍ଷିତ କଲା । କଳ୍ପନା କରନ୍ତୁ ପୁଧୁ ମଣ୍ଡପମ୍ ପୋଷାକ ପ୍ରସ୍ତୁତକାରୀମାନେ କେବଳ ମଦୁରାଇ ମଧ୍ୟରେ ସୀମିତ ନୁହଁନ୍ତି ସେମାନେ ସାରା ରାଜ୍ୟର ଯେ କୌଣସି ମନ୍ଦିର ଉତ୍ସବ ପାଇଁ ପୋଷାକ ପ୍ରସ୍ତୁତ କରନ୍ତି । ’’
ସେମାନଙ୍କ ମଧ୍ୟରେ ଅଛନ୍ତି ୫୯ବର୍ଷ ବୟସ୍କ ଶେଖ୍ ଦାଉଦ୍ ଯିଏ ଅଝାଗରଙ୍କ ପାଇଁ ମାତ୍ର ୧୩ବର୍ଷ ବୟସରୁ ପୋଷାକ ପ୍ରସ୍ତୁତ କରୁଛନ୍ତି। ସେ କୁହନ୍ତି, ‘‘ମୁଁ [ମଧ୍ୟ] ଶିବରାତ୍ରୀ, କନ୍ଦସାମୀ ମନ୍ଦିର ଉତ୍ସବ ଏବଂ ଅନ୍ୟଗୁଡ଼ିକ ପାଇଁ ପୋଷାକ ପ୍ରସ୍ତୁତ କରେ।’’
ଲକ୍ଷ ଲକ୍ଷ ଲୋକ ଗୋଟିଏ ଦିନରେ ଅଝାଗର ବୈଗାଇ ନଦୀ ଭିତରେ ପ୍ରବେଶ କରିବା ଏବଂ ଏହାକୁ ଅତିକ୍ରମ କରିବା ଦେଖିବା ପାଇଁ ଏକତ୍ର ହୁଅନ୍ତି । ଏହି ଘଟଣାର ଅଭିନୟ ହିଁ ଅଝାଗର ଉତ୍ସବର ମୁଖ୍ୟ କେନ୍ଦ୍ର । ଏହି ଦିନ ହିଁ ଶ୍ରଦ୍ଧାଳୁମାନେ ବିଭିନ୍ନ ପ୍ରକାର ଭୂମିକା ଅନୁଯାୟୀ ପୋଷାକ ପରିଧାନ କରି ଏକ ଶୋଭାଯାତ୍ରା ବାହାର କରନ୍ତି।
ଏକ ଅଝାଗର ପୋଷାକ ସେଟ୍ ୭୫୦ଟଙ୍କାରୁ ୧୫୦୦ଟଙ୍କା ମଧ୍ୟରେ ଆସିଥାଏ, ଯାହାକି କ୍ରେତାଙ୍କ ଆବଶ୍ୟକତା ଉପରେ ନିର୍ଭର କରେ । ଅନେକ ସମୟରେ ଗ୍ରାହକମାନେ ମଧ୍ୟ ଅଝାଗର କୋବିଲର ସଂରକ୍ଷକ ଦେବତା କାରୁପା ସାମୀଙ୍କୁ ଅର୍ପଣ କରିବା ପାଇଁ ଦାଆ କିଣନ୍ତି। ଜଣେ ପୋଷାକ ପ୍ରସ୍ତୁତକାରୀ ଦିନରେ ହାରାହାରି ଦୁଇଟି ପୋଷାକ ପ୍ରସ୍ତୁତ କରିପାରନ୍ତି । ଅନ୍ୟଦିନମାନଙ୍କରେ ଯଦିଓ ସେମାନେ ୫୦୦-୬୦୦ଟଙ୍କାରୁ କମ୍ ରୋଜଗାର କରନ୍ତି, ଉତ୍ସବ ସମୟରେ ସେ ପ୍ରସ୍ତୁତ କରୁଥିବା ପୋଷାକ ଉପରେ ନିର୍ଭର କରି ନିଜର ସହାୟକମାନଙ୍କୁ ପୈଠ କରିସାରିବା ପରେ ମଧ୍ୟ ସେ ସେତିକି ରୋଜଗାର କରିପାରନ୍ତି ।
ସିଦ୍ଦିକ୍ କୁହନ୍ତି ତାଙ୍କର କେତେକ ଗ୍ରାହକ ଅଛନ୍ତି ଯେଉଁମାନେ କି ସେ ମୁସଲମାନ ବୋଲି ଜାଣିବା ପରେ , ‘‘ମୋତେ ଅଧିକ ଦିଅନ୍ତି ଏବଂ କୁହନ୍ତି ସେମାନେ ଏଠାରୁ ଜିନିଷ କିଣୁଥିବାରୁ ଭାଗ୍ୟବାନ।’’
ମଦୁରାଇ ପୁଧୁ ମଣ୍ଡପମ୍ ବ୍ୟବସାୟୀ ଏବଂ ପୋଷାକ ପ୍ରସ୍ତୁତକାରୀ ସଂଘର ସଭାପତି ଜ. ମୁଥୁ ପଣ୍ଡି ଆକଳନ କରନ୍ତି ଯେ, ପୁଧୁ ମଣ୍ଡପମର ୧୫୦ଜଣ ପୋଷାକ ପ୍ରସ୍ତୁତକାରୀଙ୍କ ମଧ୍ୟରୁ ଅତିକମ୍ରେ ୬୦ଜଣ ମୁସଲମାନ ଏବଂ ‘‘ସେମାନଙ୍କର କୌଣସି କ୍ଷତି କରିବା’’ କଳ୍ପନାର ବାହାରେ । ‘‘ସେମାନେ ସହଜ ଭାବରେ ଆମର ଅଂଶ । ଆମେମାନେ ସମ୍ପର୍କୀୟ ପରି ଏବଂ ସେହିପରି ଭାବରେ ପରସ୍ପରକୁ ସମ୍ବୋଧନ କରୁ , ପରସ୍ପରକୁ ସୁରକ୍ଷା ଦେଉ। ଦେଶରେ ଅନ୍ୟ କେଉଁଠି ଏହା ଭିନ୍ନ ହୋଇପାରେ, କିନ୍ତୁ ମଦୁରାଇରେ ଆପଣ ଆମକୁ ପରସ୍ପରର ବାହୁରେ ପାଇବେ, ପରସ୍ପରର ତଣ୍ଟିରେ ନୁହେଁ। ’’
ପୋଷାକ ନିର୍ମାତାମାନେ ସହମତି ପ୍ରକାଶ କରନ୍ତି ଯେ, ସେମାନେଙ୍କର ବ୍ୟବସାୟ କେବେ ବି ତଳକୁ ଖସିନି- ବୋଧହୁଏ କେବଳ ୨୦୧୮ ଫେବୃଆରୀରେ ମିନାକ୍ଷୀ ମନ୍ଦିରରେ ଅଗ୍ନିକାଣ୍ଡ ହେବା ପରେ ୬ମାସ ପାଇଁ ପୁଧୁ ମଣ୍ଡପମ ବନ୍ଦ ରହିଥିବା ସମୟ ବ୍ୟତୀତ। ଏହା ପରେ ସେଗୁଡ଼ିକ ଖୋଲିଲା , କିନ୍ତୁ କର୍ତ୍ତୃପକ୍ଷ ସେମାନଙ୍କର ଦୋକାନଗୁଡ଼ିକୁ ବର୍ତ୍ତମାନର ଭୀଷଣ ରୁଦ୍ଧ ପରିବେଶରୁ ଅନ୍ୟ ସ୍ଥାନକୁ ବଦଳାଇବା ପାଇଁ ଯୋଜନା କରୁଛନ୍ତି । ସିଦ୍ଦିକ କୁହନ୍ତି, ‘‘ଆମେମାନେ ମଧ୍ୟ ପୁଧୁ ମଣ୍ଡପମ୍ର ଐତିହାସିକ ଗୁରୁତ୍ୱ ବୁଝୁଛୁ ଏବଂ ଏହାକୁ ସଂରକ୍ଷିତ କରିବାକୁ ଚାହୁଁଛୁ। ପ୍ରଶାସନ ଆମକୁ କୁନାଥୁରୁ ଛତ୍ରମଠାରେ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦେଇଛି, ଯାହାକି ମାତ୍ର ଦୁଇଟି ଅଟ୍ଟାଳିକା ପରେ। ଯେତେବେଳେ ଏହା ପ୍ରସ୍ତୁତ ହୋଇଯିବ ଆମେ ଦୋକାନ ଉଠାଇ ନେବୁ।’’ ସେମାନଙ୍କର ବିଶ୍ୱାସ ଦୋକାନର ସ୍ଥାନ ପରିବର୍ତ୍ତନ ସେମାନଙ୍କ ବ୍ୟବସାୟକୁ କ୍ଷତିଗ୍ରସ୍ତ କରିବ ନାହିଁ।
ଏଥିସହ ସିଦ୍ଦିକ କୁହନ୍ତି, ‘‘ବୋଧହୁଏ ଏହା ଏକମାତ୍ର ବ୍ୟବସାୟ ଯେଉଁଥିରେ କେବେ ବି କ୍ଷତି ନାହିଁ। କ୍ରମବର୍ଦ୍ଧିଷ୍ଣୁ ସଂକୁଚିତ ପୃଥିବୀରେ ଚିତିରାଇ ପରି ଉତ୍ସବ ଲୋକମାନଙ୍କୁ ନିଶ୍ୱାସ ନେବା ପାଇଁ ସ୍ଥାନ ଦିଏ । ସେମାନେ ଏକାଠି ଆସନ୍ତି, କେଇଦିନ ଏକାଠି ଭଲ ସମୟ କଟାନ୍ତି । ମୁଁ ଭାବୁଛି ବୋଧହୁଏ ସେଥିପାଇଁ ଆମେ କେବେ କୌଣସି କ୍ଷତିର ସାମ୍ନା କରିନୁ ।’’
ଅନୁବାଦ: ଓଡ଼ିଶାଲାଇଭ୍