ଭୁରି କାଲୁ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଥିବା ଭାରକୁରା ଗାଁରେ ଏକୁଟିଆ ଚଳନ୍ତି। ତାଙ୍କର ଘର, ଅଗଣା ଏବଂ ଚୁଲି ସମ୍ପୂର୍ଣ୍ଣ ଭାବେ ମାଟିରେ ତିଆରି। ଏକମାତ୍ର ବ୍ୟତିକ୍ରମ ହେଲା ଏକ ମେଳ ଖାଉ ନ ଥିବା ଛାତ ନ ଥିବା ତିନି କାନ୍ଥିଆ ଇଟାରେ ତିଆରି ନିର୍ମାଣ ଯାହାକୁ ମୁଁ ପରେ ଏକ ଅସମ୍ପୂର୍ଣ୍ଣ ପାଇଖାନା ବୋଲି ବୁଝିଲି।
ଏକ ମାଟି ତିଆରି ଚୁଲି ଉପରୁ ସେ ଘୋଡ଼ଣା ଖୋଲିଲେ-ଯାହାକି ଅନେକ ମୁହଁ ଥିବା ଏକ ଗାତ। ଏହା ତାଙ୍କ ଆୟର ପ୍ରାଥମିକ ଉତ୍ସ ଏବଂ ବିଭିନ୍ନ ସ୍ତରର ପ୍ଲାଷ୍ଟିକ, ବ୍ୟବହୃତ ଅଖା ଖଣ୍ଡରେ ଘୋଡ଼ାଯାଇଥାଏ। ‘‘ମୁଁ ଏଠାରେ ଚଣା ଓ ଗହମ ଭାଜେ, କିନ୍ତୁ ତାହା କେବଳ ବିବାହ ଋତୁରେ। ଅନ୍ୟଥା, ମୁଁ ସରକାରଙ୍କ ପକ୍ଷରୁ ବାର୍ଷିକ ପ୍ରାୟ ୧,୮୦୦ ଟଙ୍କା ଭତ୍ତା ଆକାରରେ ପାଏ। ମୋତେ ସେଥିରେ ଚଳିବାକୁ ହୁଏ।’’
ଚାଷ କରିବା ବା ବଖରା ଦେବା ପାଇଁ ତାଙ୍କର କିଛି ଜମି ଅଛି କି ବୋଲି ମୁଁ ତାଙ୍କୁ ପଚାରିଲି। ସେ ତାଙ୍କ ମୁଣ୍ଡ ହଲାଇଲେ। ‘‘ମୋର ଦୁଇ ବିଘା ଜମି ଥିଲା, କିନ୍ତୁ ତାହା ଦୀର୍ଘ ଦିନ ପୂର୍ବରୁ। ମୋ ପିଲାଙ୍କ ପାଇଁ ଔଷଧ କିଣିବାକୁ ମୁଁ ତାକୁ ବିକ୍ରି କରିଦେଲି।’’ ତାଙ୍କର ସାବାଳକ ପୁଅ ହରିୟାଣାର ସୋନିପତରେ କାମ କରୁଛନ୍ତି। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ତାଙ୍କ ପତିଙ୍କର ଦେହାନ୍ତ ହୋଇଥିଲା।




