ଶ୍ରୀକାକୁଲମ ପରଦେସମ କୁହନ୍ତି ଯେ, ଚଳିତ ଦୀପାବଳି ପାଇଁ ସେ ୧୦,୦୦୦-୧୨,୦୦୦ ଦୀପ ତିଆରି କରିଛନ୍ତି। ଚଳିତ ସପ୍ତାହରେ ପାଳିତ ହେବାକୁ ଥିବା ଏହି ପର୍ବର ଗୋଟିଏ ମାସରୁ ଅଧିକ ସମୟ ପୂର୍ବରୁ ଏହି ୯୨ ବର୍ଷୀୟ କୁମ୍ଭାର ଦୀପ ନିର୍ମାଣ କାମରେ ଲାଗି ପଡ଼ିଛନ୍ତି। ପ୍ରତିଦିନ ସକାଳ ୭ଟାରେ କପେ ଚା’ ପିଇବା ପରେ ସେ ନିଜ କାମ ଆରମ୍ଭ କରିଥାନ୍ତି। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ କାମ ଜାରି ରହିଥାଏ, ମଝିରେ ସେ ଦୁଇଥର ବିଶ୍ରାମ ନିଅନ୍ତି।
କିଛି ସପ୍ତାହ ପୂର୍ବରୁ, ଅକ୍ଟୋବର ମାସ ଆରମ୍ଭରେ, ପରଦେସମ, ଏକ ଛୋଟିଆ ଷ୍ଟାଣ୍ଡ ଥିବା ଦୀପ ତିଆରି କାମ ଆରମ୍ଭ କରିଥିଲେ। ‘‘ଏଗୁଡ଼ିକୁ ତିଆରି କରିବା ସାମାନ୍ୟ କଷ୍ଟକର। ଷ୍ଟାଣ୍ଡର ମୋଟେଇ ସଠିକ ହେବା ଉଚିତ୍,’’ ସେ କୁହନ୍ତି। ତେଲ ଭର୍ତ୍ତି କପ ଆକୃତିର ଦୀପରୁ ତେଲ ଖସି ପଡ଼ିବା ଏବଂ ଜଳୁଥିବା ସଳିତାକୁ ବାହାରକୁ ଖସିଯିବାରୁ ଏହି ଷ୍ଟାଣ୍ଡ ଅଟକାଇଥାଏ। ଏଭଳି ଗୋଟିଏ ଦୀପ ତିଆରି କରିବା ଲାଗି ତାଙ୍କୁ ପାଞ୍ଚ ମିନିଟ୍ ଲାଗିଥାଏ। ଅନ୍ୟପଟେ ସେ ନିୟମିତ ତିଆରି କରୁଥିବା ଦୀପ ପାଇଁ ୨ ମିନିଟ ସମୟ ଲାଗିଥାଏ। ତେବେ ଗ୍ରାହକଙ୍କୁ ହରାଇବା ଆଶଙ୍କାରେ, ସେ ସାଧାରଣ ଦୀପକୁ ମାତ୍ର ୧ ଟଙ୍କା ଲାଭ ରଖି ୩ ଟଙ୍କାରେ ବିକ୍ରି କରିଥାନ୍ତି।
ନିଜ ଶିଳ୍ପକୁ ନେଇ ପରଦେସମଙ୍କ ଆଗ୍ରହ ଏବଂ ସଉକ କାରଣରୁ ବିଶାଖାପାଟଣାର କୁମାରୀ ୱିଧି (କୁମ୍ଭାରଙ୍କ ସାହି)ରେ ଥିବା ତାଙ୍କ ଘରେ ଗତ ଆଠ ଦଶନ୍ଧି ଧରି କୁମ୍ଭାର ଚକ ଘୂରିଚାଲିଛି। ଏବେ ସୁଦ୍ଧା ସେ ଲକ୍ଷାଧିକ ଦୀପ ବା ଦୀପମ ତିଆରି କରିସାରିଲେଣି ଯାହାକି ଦୀପାବଳି ପାଳନ କରୁଥିବା ଘରକୁ ଆଲୋକିତ କରୁଛି। ‘‘ଆକୃତିବିହୀନ କାଦୁଅ ଆମ ହାତ, ଶକ୍ତି ଓ ଏକ ଚକ ସାହାଯ୍ୟରେ ଗୋଟିଏ ବସ୍ତୁରେ ପରିଣତ ହୋଇଥାଏ। ଏହା ଏକ କଳା,’’ ୯୦ ବର୍ଷ ଅତିକ୍ରାନ୍ତ କରିସାରିଥିବା ଏହି ବୟୋବୃଦ୍ଧ କହିଥାନ୍ତି। ସେ ନିଜ ପରିବାର ସହ ଏଠାରେ ରହୁଛନ୍ତି। ଶ୍ରବଣ ଶକ୍ତି କମିଯାଇଥିବା କାରଣରୁ ସେ ଆଉ ବେଶି ବାହାରକୁ ଯାଉନାହାନ୍ତି।
ବିଶାଖାପାଟଣା ସହରରେ ଥିବା ଆକ୍କାୟାପାଲେମ ଅଞ୍ଚଳର ଏକ ବ୍ୟସ୍ତବହୁଳ ବଜାର ନିକଟରେ କୁମାରୀୱିଧି ଅବସ୍ଥିତ। ଏହି ସାହିର ଅଧିକାଂଶ ବାସିନ୍ଦା କୁମାରୀ ସମ୍ପ୍ରଦାୟର। ଏମାନେ ହେଉଛନ୍ତି ଏକ କୁମ୍ଭାର ସମୁଦାୟ ଯେଉଁମାନେ ମୂର୍ତ୍ତି ସମେତ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ନିର୍ମାଣ କରନ୍ତି। ପରଦେସମଙ୍କ ଜେଜେବାପା କାମ ସନ୍ଧାନରେ ବିଶାଖାପାଟଣା ଜିଲ୍ଲା ପଦ୍ମନାଭନ ମଣ୍ଡଳରେ ଥିବା ପୋଟନୁରୁ ଗ୍ରାମରୁ ଏ ସହରକୁ ଚାଲି ଆସିଥିଲେ। ତାଙ୍କର ମନେ ଅଛି, ସେ ଛୋଟ ହୋଇଥିବା ସମୟରେ ଏହି କୁମ୍ଭାର ସାହିରେ ୩୦ଟି କୁମ୍ଭାର ପରିବାର ରହୁଥିଲେ ଏବଂ ସେମାନେ ମୂର୍ତ୍ତି ସମେତ ଦୀପ, ଗଛ ଲଗାଇବାକୁ କୁଣ୍ଡ, ‘କୁମ୍ପି’, କାଦୁଅ ଜାର, କପ ଓ ମୂର୍ତ୍ତି ସମେତ ଅନ୍ୟାନ୍ୟ ମାଟି ସାମଗ୍ରୀ ତିଆରି କରୁଥିଲେ।
ଆଜି, ପରଦେସମ ହେଉଛନ୍ତି ଦୀପ ତିଆରି କରୁଥିବା ଶେଷ ଶିଳ୍ପୀ ଏବଂ ବିଶାଖାପାଟଣାରେ କେବଳ ତାଙ୍କ ଘରେ ହିଁ ଦୀପ ତିଆରି ହେଉଛି ବୋଲି ସମସ୍ତେ ଜାଣନ୍ତି। ଏଠାରେ ଥିବା ଅନ୍ୟ କୁମ୍ଭାର ପରିବାରମାନେ କେବଳ ମୂର୍ତ୍ତି ଏବଂ ଅନ୍ୟାନ୍ୟ ମାଟି ସାମଗ୍ରୀ ତିଆରି କରୁଛନ୍ତି କିମ୍ବା ଏହି କାମ ଛାଡ଼ି ଦେଇଛନ୍ତି। ଏକ ଦଶନ୍ଧି ପୂର୍ବରୁ, ସେ ମଧ୍ୟ ପର୍ବପର୍ବାଣୀ ସମୟରେ ମୂର୍ତ୍ତି ତିଆରି କରୁଥିଲେ କିନ୍ତୁ ଧୀରେ ଧୀରେ ତାହା ବନ୍ଦ କରିଦେଲେ: ମୂର୍ତ୍ତି ତିଆରି କରିବା ଶାରୀରିକ ଦୃଷ୍ଟିରୁ କଠିନ କାମ ଏବଂ ସେ କୁହନ୍ତି ଯେ ଘଣ୍ଟା ଘଣ୍ଟା ତଳେ ବସି ରହିବା ତାଙ୍କ ପାଇଁ କଷ୍ଟକର।
ପରଦେଶମ ଏବେ ବିନାୟକ (ଗଣେଶ) ଚତୁର୍ଥୀ ସରିବାକୁ ଅପେକ୍ଷା କରିଛନ୍ତି ଯାହାଫଳରେ ସେ ଦୀପାବଳୀ ପାଇଁ ଦୀପ ତିଆରି ଆରମ୍ଭ କରିପାରିବେ। ‘‘ଦୀପ ତିଆରି କରିବାରେ ମୋତେ କାହିଁକି ଆନନ୍ଦ ମିଳିଥାଏ ତାହା ବାସ୍ତବରେ ମୁଁ ଜାଣେ ନାହିଁ। କିନ୍ତୁ ମୁଁ ତିଆରି କରେ। କାଦୁଅର ବାସ୍ନାକୁ ବୋଧହୁଏ ମୁଁ ଅଧିକ ପସନ୍ଦ କରିଥାଏ’’, ତାଙ୍କ ଘର ପାଖ ଗଳିରେ ଥିବା ଏକ ଅସ୍ଥାୟୀ କୋଠରୀରେ କାମ କରିବା ସମୟରେ ସେ କୁହନ୍ତି। ସେହି କୋଠରୀଟି କାଦୁଅ ମେଞ୍ଚା, ଭଙ୍ଗା ପାତ୍ର, ମୂର୍ତ୍ତି ଏବଂ ପାଣି ରଖିବା ପାଇଁ ଉଦ୍ଦିଷ୍ଟ ଡ୍ରମରେ ଭର୍ତ୍ତି ହୋଇ ରହିଛି।
ପରଦେସମ ଛୋଟ ବେଳେ ନିଜ ପିତାଙ୍କଠାରୁ ଦୀପାବଳିରେ ଘରକୁ ଆଲୋକିତ କରିବା ଲାଗି ସାଧାରଣ ଦୀପ କିପରି ପ୍ରସ୍ତୁତ କରାଯାଏ ତାହା ଶିଖିଥିଲେ। ପରେ ସେ ଉଭୟ ସାଧାରଣ ଏବଂ ଆଳଙ୍କାରିକ ଦୀପ ତିଆରି କରିଥିଲେ। ଏଥିସହିତ ଗଛ ଲଗାଇବା କୁଣ୍ଡ, କୁମ୍ପି ଓ ବିନାୟକ ଚତୁର୍ଥୀ ପାଇଁ ଗଣେଶ ମୂର୍ତ୍ତି ସହିତ ‘ଫୁଲମାଠିଆ’ ବା ଫ୍ଲାୱାର ପଟ୍ ତିଆରି କରିବା ଆରମ୍ଭ କରିଥିଲେ। ଏହି ଛୋଟ ମାଟି ମାଠିଆକୁ ବାଣ ନିର୍ମାତାମାନେ ଏକ ପ୍ରକାରର ବାଣ ତିଆରି କରିବା ଲାଗି ବ୍ୟବହୃତ କରିଥାନ୍ତି ଯାହାର ନାଁ ମଧ୍ୟ ସମାନ ହୋଇଥାଏ। ଚଳିତ ବର୍ଷ ତାଙ୍କୁ ୧,୦୦୦ ଫୁଲମାଠିଆ ପାଇଁ ଅର୍ଡର ମିଳିଛି ଏବଂ ଗୋଟାକୁ ସେ ୩ଟଙ୍କାରେ ବିକ୍ରି କରିବେ।
ଦୀପାବଳି ମାସରେ, କୁଶଳୀ ଶିଳ୍ପୀ ପରଦେସମ ଏବେ ବି ଦିନକୁ ୫୦୦ ଦୀପ କିମ୍ବା ଫୁଲମାଠିଆ ତିଆରି କରିପାରିବେ। ସେ ଅନୁମାନ କରି କୁହନ୍ତି ଯେ, ସେ ତିଆରି କରୁଥିବା ତିନୋଟି ବସ୍ତୁରୁ ଅତିକମରେ ଗୋଟିଏ କାଠ ଚୁଲି ଭାଟିରେ ପୋଡ଼ିବା କିମ୍ବା ସଫା କରିବା ସମୟରେ ଭାଙ୍ଗି ଯାଇଥାଏ। କୁମ୍ଭକାରମାନେ ଏଥିପାଇଁ ବର୍ତ୍ତମାନ ମିଳୁଥିବା ଖରାପ ମାନର ମାଟିକୁ ଦାୟୀ କରିଥାନ୍ତି।
ବ୍ୟସ୍ତବହୁଳ ସମୟରେ ପରଦେସମଙ୍କ ପୁଅ ଶ୍ରୀନିବାସ ରାଓ ଏବଂ ବୋହୂ ସତ୍ୟବତୀ ତାଙ୍କୁ ସାହାଯ୍ୟ କରିଥାନ୍ତି। ଜୁଲାଇ-ଅକ୍ଟୋବର ମଧ୍ୟରେ, ପାର୍ବଣ ଋତୁରେ ସମସ୍ତେ ମିଶି ୭୫,୦୦୦ ଟଙ୍କା ପାଖାପାଖି ରୋଜଗାର କରିଥାନ୍ତି। ବର୍ଷର ଅନ୍ୟ ଦିନମାନଙ୍କରେ କୁମ୍ଭକାରଙ୍କ ସାହିକୁ କାଁ ଭାଁ ଲୋକ ଆସିଥାନ୍ତି ଏବଂ ପ୍ରାୟତଃ କିଛି ବିକ୍ରି ହୁଏ ନାହିଁ। ଶ୍ରୀନିବାସ ଏକ ସ୍କୁଲରେ ଚାକିରି କରି ମାସିକ ୧୦,୦୦୦ ଟଙ୍କା ବେତନ ପାଆନ୍ତି ଏବଂ ପରିବାର ଲୋକ ଏହି ରୋଜଗାର ଉପରେ ନିର୍ଭର କରିଥାନ୍ତି।
ଗତ ଦୀପାବଳି ସମୟରେ, କୋଭିଡ ଯୋଗୁ ବିକ୍ରି ମାନ୍ଦା ହୋଇଯାଇଥିଲା ଏବଂ ସେମାନେ କେବଳ ୩,୦୦୦-୪,୦୦୦ ଦୀପ ବିକ୍ରି କରିଥିଲେ ଏବଂ ଗୋଟିଏ ହେଲେ ଫୁଲମାଠିଆ ବିକ୍ରି ହୋଇନଥିଲା। ଦୀପାବଳିର ଗୋଟିଏ ସପ୍ତାହ ପୂର୍ବରୁ ପରୀକୁ ସୂଚନା ଦେଇ ସେ କହିଥିଲେ, ‘‘ସରଳ ହାତ ତିଆରି ଦୀପ ନେବାକୁ କେହି ଚାହୁଁନାହାନ୍ତି।’’ କିନ୍ତୁ ଚାହିଦା ବଢ଼ିବ ବୋଲି ତାଙ୍କ ମନରେ ଆଶା ରହିଛି। ‘‘ସେମାନେ (କ୍ରେତା) ମେସିନ ତିଆରି ଡିଜାଇନ ଦୀପ କିଣିବାକୁ ଚାହୁଁଛନ୍ତି,’’ ଛୋଟ ଶିଳ୍ପ ସଂସ୍ଥାରେ ଡାଏକାଷ୍ଟ ମୋଲ୍ଡ ସହିତ ତିଆରି ହେଉଥିବା ପ୍ୟାଟର୍ଣ୍ଣ ଦୀପ ବିଷୟରେ ସୂଚନା ଦେଇ ସେ କହିଥିଲେ। ଏଠାରେ କୁମାରୀ ୱିଧିରେ ବହୁ ପୂର୍ବତନ କୁମ୍ଭକାର ପରିବାର ଏସବୁ ଦୀପକୁ ଗୋଟା ୩-୪ ଟଙ୍କାରେ କିଣି ଡିଜାଇନ ଅନୁସାରେ ୫-୧୦ ଟଙ୍କାରେ ବିକ୍ରି କରିଥାନ୍ତି।
ପ୍ରତିଯୋଗିତା ସତ୍ତ୍ୱେ, ‘‘ସରଳ ମାଟି ଦୀପ ତିଆରି କରିବା ମୋର ପସନ୍ଦ କାରଣ ମୋ ନାତୁଣୀ ସେଗୁଡ଼ିକୁ ଭଲ ପାଏ,’’ ଏହା କହିବା ସମୟରେ ପରଦେସମ ଉତ୍ସାହିତ ହୋଇପଡ଼ିଥାନ୍ତି।
ଏହି ହସ୍ତଶିଳ୍ପରେ ନିୟୋଜିତ ରହିଥିବା କୁମାରୀ ୱିଧିର କିଛି ପରିବାର ପ୍ରତିବର୍ଷ ବିନାୟକ ଚତୁର୍ଥୀର କିଛି ମାସ ପୂର୍ବରୁ ଜଣେ ଡିଲରଙ୍କଠାରୁ କାଦୁଅ କିଣିଥାନ୍ତି। ସମସ୍ତେ ମିଶି, ଗୋଟିଏ ଟ୍ରକ ଭର୍ତ୍ତି ୫ ଟନ୍ ଓଜନର କାଦୁଅ କିଣିଥାନ୍ତି। କାଦୁଅ ପାଇଁ ସେମାନେ ୧୫,୦୦୦ ଟଙ୍କା ଏବଂ ଟ୍ରକରେ ପରିବହନ ବାବଦକୁ ୧୦,୦୦୦ ଟଙ୍କା ଦିଅନ୍ତି। ପଡ଼ୋଶୀ ଜିଲ୍ଲା ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଏହି କାଦୁଅ ଆସିଥାଏ। ମାଟି କଳାକୃତି ଏବଂ ମୂର୍ତ୍ତି ତିଆରି କରିବା ଲାଗି ପ୍ରାକୃତିକ ଅଠାଳିଆ ଗୁଣ ରହିଥିବା ଏକ କାଦୁଅ-ଯାହାକୁ ଜିଙ୍କମାଟ୍ଟି ପାଇବା ଜରୁରି ହୋଇଥାଏ।
ପରଦେସମଙ୍କ ପରିବାର ପାଖାପାଖି ଗୋଟିଏ ଟନ ବା ୧,୦୦୦ କିଲୋଗ୍ରାମ କାଦୁଅ ନେଇଥାନ୍ତି। ଦୀପାବଳିର ଗୋଟିଏ ସପ୍ତାହ ପୂର୍ବରୁ କିଛି କାଦୁଅ ଏବେ ବି ବଡ଼ ବସ୍ତାରେ ପଶି ତାଙ୍କ ଘର ଆଗରେ ଥାକ ମରା ହୋଇଥିବା ଦେଖିବାକୁ ମିଳିଛି। ଗାଢ଼ ନାଲି ରଙ୍ଗର ମାଟି ଶୁଖିଲା ଏବଂ ଢେଲା ଭଳି ହୋଇଥାଏ ଏବଂ ଏହାକୁ ସଠିକ ସ୍ଥିତିକୁ ଆଣିବା ଲାଗି ଧୀରେ ଧୀରେ ପାଣି ପକାଇ ଚକଟିବା ଉଚିତ୍। ପରେ ଏହି ମିଶ୍ରଣ ପ୍ରସ୍ତୁତ ହୋଇଯାଇଥାଏ; ପରଦେସମ କୁହନ୍ତି ଯେ ଏହା କଠିନ ଲାଗିଥାଏ ଏବଂ ଏଥିରେ ଛୋଟ ଛୋଟ ଢେଲା ଥାଏ, ଯାହାକି ଚକଟିବା ସମୟରେ ତାଙ୍କ ପାଦରେ ଲାଗିଥାଏ।
ଥରେ ମାଟି ସଠିକ ସ୍ଥିତିରେ ପହଞ୍ଚିଗଲେ, ଏହି କୁଶଳୀ ଶିଳ୍ପୀ ଶୁଖିଲା ମାଟି ଛାଟ ବାଜି ଚିହ୍ନିତ ହୋଇଥିବା କାଠର ଏକ ଓଜନିଆ ଚକକୁ ବାହାର କରି ଆଣନ୍ତି ଏବଂ ଏହାକୁ ଏକ ଷ୍ଟାଣ୍ଡ ଉପରେ ରଖନ୍ତି। ଏହାପରେ ସେ ଏକ ଖାଲି ରଙ୍ଗ ଡବା ଉପରେ କପଡ଼ାକୁ ଭାଙ୍ଗି ରଖିଦିଅନ୍ତି ଏବଂ ଚକ ଆଗରେ ଏହା ହିଁ ତାଙ୍କର ବସିବା ସ୍ଥାନ ହୋଇଥାଏ।
ପରଦେସମଙ୍କ ଚକ, କୁମାରୀ ୱିଧିରେ ଥିବା ଅନ୍ୟ କୁମ୍ଭକାରଙ୍କ ଚକ ଭଳି ସାଧାରଣ। ସେ ବିଦ୍ୟୁତ ଚାଳିତ ଚକ ବିଷୟରେ ଶୁଣିଛନ୍ତି କିନ୍ତୁ ଏହାକୁ କିଭଳି ଚଳାଇବାକୁ ହେବ ତାହା ସେ ଜାଣନ୍ତି ନାହିଁ। ‘‘ପ୍ରତ୍ୟେକ କୁଣ୍ଡା (ପାତ୍ର) ଏବଂ ଦୀପ ମଧ୍ୟରେ ଗତି ଭିନ୍ନ ହେବା ଉଚିତ୍,’’ ସେ ନିର୍ଦ୍ଦିଷ୍ଟ ଭାବେ କହିଥାନ୍ତି।
ପ୍ରଥମେ ସେ ଚକର ମଝି ଭାଗରେ କିଛି ଓଦା ମାଟି ରଖି ଦିଅନ୍ତି, ଏହାପରେ ଧୀରେ ଧୀରେ ଏବଂ କିନ୍ତୁ ଦୃଢ଼ ଭାବେ ନିଜ ହାତରେ ସେହି ଓଦାମାଟିକୁ ଖାଲୁଆ କରି ଦୀପ ଆକୃତି ଦେଇଥାନ୍ତି। ପ୍ରାୟ ଗୋଟିଏ ମିଟର ଆକାରର ଚକ ଘୂରିବା ସମୟରେ ଓଦାମାଟିର ବାସ୍ନା ପବନରେ ଖେଳିଯାଏ। ଚକକୁ ସେ ବାରମ୍ବାର ଏକ ବଡ଼ କାଠ ବାଡ଼ିରେ ଘୂରାଇ ଚାଲିଥାନ୍ତି। ‘‘ମୁଁ ଏବେ ବୁଢ଼ା ହୋଇଗଲିଣି। ମୁଁ ସବୁବେଳେ ସମାନ ଶକ୍ତି ଖଟାଇ ପାରିବି ନାହିଁ,’’ ପରଦେସମ କୁହନ୍ତି। ଥରେ ଦୀପ ସଠିକ ଆକୃତି ନେଲେ ଏବଂ ଟାଣ ହୋଇଗଲେ, କୁମ୍ଭକାର ଏକ ତାର ସାହାଯ୍ୟରେ ଘୂରୁଥିବା ଚକରୁ ସେହି ଦୀପକୁ କାଟି ଦେଇଥାନ୍ତି।
ଚକ ଉପରୁ ଦୀପ ଏବଂ ଫୁଲମାଠିଆଗୁଡ଼ିକ ବାହାରି ଆସିଲେ ସେଗୁଡ଼ିକୁ ଏକ ଚାରିକୋଣିଆ କାଠ ଉପରେ ସେ ସଜେଇ ରଖି ଦିଅନ୍ତି। ମାଟି ସାମଗ୍ରୀଗୁଡ଼ିକ ୩-୪ ଦିନ ପାଇଁ ଛାଇରେ ଶୁଖାଯାଏ। ଶୁଖିଯିବା ପରେ, ସେହି ସାମଗ୍ରୀଗୁଡ଼ିକୁ ଏକ ଭାଟିରେ ପକାଇ ଦୁଇ ଦିନ ପର୍ଯ୍ୟନ୍ତ ପୋଡ଼ାଯାଇଥାଏ। ଜୁଲାଇରୁ ଅକ୍ଟୋବର (ବିନାୟକ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ପାଇଁ) ମଧ୍ୟ ଏହି ଭାଟିକୁ ପ୍ରତି ୨-୩ ସପ୍ତାହରେ ଜଳାଇବାକୁ ପଡ଼ିଥାଏ। ବର୍ଷର ଅନ୍ୟ ସମୟରେ ଏହି ଭାଟି ମାସକୁ ଅତି ବେଶିରେ ଥରେ ଜଳିଥାଏ।
ଭାରତର ପୂର୍ବ ତଟରେ ବିଳମ୍ବିତ ମୌସୁମୀ ବର୍ଷା ତାଙ୍କୁ ଦୀପାବଳି ପାଇଁ କାମ କରିବାରୁ ଅଟକାଇ ପାରିନାହିଁ କିମ୍ବା ତାଙ୍କ କାମକୁ ଗତିହୀନ କରିପାରି ନାହିଁ। ପରଦେସମ ତାଙ୍କ ଘର ପଛରେ ଚାଦର ଘେରା ଏକ ସଂକୀର୍ଣ୍ଣ ସ୍ଥାନକୁ ଚାଲିଯାଆନ୍ତି ଏବଂ ବର୍ଷା ଦିନରେ ସେହି ସ୍ଥାନରେ କାମ ଜାରି ରଖିଥାନ୍ତି। କେତୋଟି ବିଲେଇ ଛୁଆ ତାଙ୍କ ଚାରି ପାଖରେ ଖେଳୁଥାଆନ୍ତି, ଘୂରୁଥିବା ଚକ ଏବଂ ଭଙ୍ଗା ମାଟି ସାମଗ୍ରୀ ଓ ଏଣୁତେଣୁ ଘରକରଣା ସାମଗ୍ରୀ ଚତୁଃପାର୍ଶ୍ୱରେ ଡେଉଁଥାନ୍ତି।
ପରଦେସମଙ୍କ ପତ୍ନୀ, ପାଇଦିତାଲି ଅସୁସ୍ଥ ଅଛନ୍ତି ଏବଂ ତାଙ୍କ ଶଯ୍ୟା ନିକଟରେ ରହିଥାନ୍ତି। ଏହି ଦମ୍ପତିଙ୍କର ଚାରି ସନ୍ତାନ ଥିଲେ- ଦୁଇ ଝିଅ ଏବଂ ଦୁଇ ପୁଅ। ଗୋଟିଏ ପୁଅ ଯୁବାବସ୍ଥାରେ ପ୍ରାଣ ହରାଇଛନ୍ତି।
‘‘ଦୁଃଖର ବିଷୟ ହେଉଛି ଯେ ମୁଁ ହିଁ ଏକାକୀ ଦୀପ ତିଆରି କରୁଛି। ଏଥିରେ ମୋର ସାରା ଜୀବନ ବିତିଯାଇଛି, ମୁଁ ଭାବୁଥିଲି ମୋ ପୁଅ ଅତିକମ୍ରେ ମାଟି ସାମଗ୍ରୀ ଗଢ଼ିବା ଜାରି ରଖିବ,’’ ପରଦେସମ କୁହନ୍ତି। ‘‘ଚକ କେମିତି ଚଳାଇବାକୁ ହେବ ମୁଁ ମୋ ପୁଅକୁ ଶିଖାଇଥିଲି। କିନ୍ତୁ ଗଣେଶ ମୂର୍ତ୍ତି ଓ ଦୀପ ତିଆରି କରିବାରୁ ଉପାର୍ଜିତ ଅର୍ଥ ପରିବାର ଚଳାଇବାକୁ ଯଥେଷ୍ଟ ନୁହେଁ, ତେଣୁ ସେ ଏକ ଘରୋଇ ସ୍କୁଲରେ ଜଣେ ପିଅନ ଭାବେ କାମ କରୁଛନ୍ତି।’’ ପରଦେସମଙ୍କ ହାତ ତିଆରି ଗୋଟିଏ ଡଜନ ଦୀପ ୨୦ ଟଙ୍କାରେ ବିକ୍ରି ହୋଇଥାଏ, କିନ୍ତୁ କେହି ମୂଲଚାଲ କଲେ ସେ ୧୦ ଟଙ୍କାରେ ସୁଦ୍ଧା ଏହାକୁ ବିକି ଦେଇଥାନ୍ତି। ଏହାପରେ ତାଙ୍କୁ କିଛି ଲାଭ ସୁଦ୍ଧା ମିଳେ ନାହିଁ।
‘‘ନିୟମିତ ଦୀପ ତିଆରି କରିବା ଲାଗି କେତେ ପରିଶ୍ରମ ଲାଗିଥାଏ ତାହା କେହି ବୁଝନ୍ତି ନାହିଁ,’’ ଉପ୍ପାରା ଗୌରୀ ଶଙ୍କର କୁହନ୍ତି। ପରଦେସମଙ୍କ ଘରଠାରୁ କିଛି ଦୂରରେ ଏହି ୬୫ ବର୍ଷ ବୟସ୍କ କୁମାରୀ ୱିଧି ବାସିନ୍ଦା ରହିଥାନ୍ତି ଏବଂ ଆଜୀବନ ସେମାନେ ପଡ଼ୋଶୀ ଭାବେ ରହି ଆସୁଛନ୍ତି। ଗୌରୀଶଙ୍କର ଆଉ ଚକ ଘୂରାଇ ପାରୁନାହାନ୍ତି କି ତଳେ ବସି ପାରୁନାହାନ୍ତି। ‘‘ମୋ ପିଠି ଯନ୍ତ୍ରଣା ହେଉଛି ଏବଂ ଉଠିବା ସମ୍ଭବପର ହେଉ ନାହିଁ,’’ ସେ କହିଥିଲେ।
ଗୌରୀ ଶଙ୍କର କୁହନ୍ତି, କିଛି ବର୍ଷ ପୂର୍ବରୁ ତାଙ୍କ ପରିବାର ହାତରେ ଦୀପ ତିଆରି କରୁଥିଲା। ଦୀପାବଳିର ମାସେ ପୂର୍ବରୁ ସେମାନେ ଏହି କାମ ଆରମ୍ଭ କରୁଥିଲେ। ସେ ଏହି କାମ ବନ୍ଦ କରିଦେଲେ କାରଣ ହାତ ତିଆରି ଦୀପ କମ୍ ଟଙ୍କାରେ ବିକ୍ରି ହୋଇଥାଏ ଏବଂ ଏଥିରେ କାଦୁଅ ଖର୍ଚ୍ଚ ଉଠାଇବା କଷ୍ଟକର। ତେଣୁ ଚଳିତ ବର୍ଷ ଗୌରୀଶଙ୍କରଙ୍କ ପରିବାର ୨୫,୦୦୦ ମେସିନ ତିଆରି ଦୀପ କିଣିଛନ୍ତି। ଏହାକୁ ବିକ୍ରି କରି କିଛି ଲାଭ ପାଇବାକୁ ସେମାନେ ଆଶା ରଖିଛନ୍ତି।
କିନ୍ତୁ ସେ ନିଜ ବନ୍ଧୁ ପରଦେସମଙ୍କୁ ପାଦରେ କାଦୁଅ ଚକଟିବାରେ ସାହାଯ୍ୟ କରିଥାନ୍ତି। ‘‘ଦୀପ ତିଆରି କରିବା ଲାଗି ଏହା ହେଉଛି ପ୍ରଥମ ପଦକ୍ଷେପ। କୁମ୍ଭାର ଚକ ଘୂରିବାକୁ ଜୀବିତ ରଖିବାକୁ ହେଲେ ମୋର କେବଳ ଏହି ଗୋଟିଏ ଯୋଗଦାନ ସେ ଚାହିଁଥାନ୍ତି,’’ ସେ କୁହନ୍ତି। ଗୌରୀ ଶଙ୍କର ଆହୁରି କୁହନ୍ତି ଯେ, ‘‘ପରଦେସମ ବୁଢ଼ା ହୋଇଗଲେଣି। ପ୍ରତିବର୍ଷ ଲାଗୁଛି ଏହା ତାଙ୍କ ଦୀପ ତିଆରିର ଶେଷ ବର୍ଷ ହେବ।’’
ଏ ଷ୍ଟୋରୀ ରଙ୍ଗ ଦେ ଠାରୁ ମିଳିଥିବା ଏକ ଗବେଷଣା ଅନୁଦାନ ସହାୟତାରେ ପ୍ରସ୍ତୁତ ହୋଇଛି ।
ଅନୁବାଦ:
ଓଡ଼ିଶାଲାଇଭ୍