“ଗାନ୍ଧିଙ୍କ ଡାଏରୀରୁ ଆମେ ଆପଣଙ୍କ ନମ୍ବର ପାଇଲୁ । ରାଜପଥ ପାଖରେ ତାଙ୍କୁ ଗୋଟିଏ କାର୍ ଧକ୍କା ଦେଲା ଏବଂ ସେ ପ୍ରାଣ ହରାଇଲେ।” ଡିସେମ୍ବର ୯ ତାରିଖ ରବିବାର ସନ୍ଧ୍ୟା ପ୍ରାୟ ୭:୩୦ ସମୟରେ ଫୋନ୍ରେ ମତେ ଏହା କହିଲେ ଜଣେ ଖାଉଟି ସାମଗ୍ରୀ ଦୋକାନ ମାଲିକ ଏବଂ ରାଜନୈତିକ କର୍ମୀ ବି.କ୍ରିଷ୍ଣାୟା ।
ଶେଷ ଥର ପାଇଁ ମୁଁ ନଭେମ୍ବର ୨୪ରେ ସେଇ ବାଙ୍ଗାଲୋର-ହାଇଦ୍ରାବାଦ ରାଜପଥରେ ଚାଲି ଚାଲି ଯାଉଥିବା ଗଙ୍ଗାପ୍ପା- ବା ‘ଗାନ୍ଧି’-ଙ୍କୁ ଭେଟିଥିଲି । ସେତେବେଳକୁ ଦିନ ପ୍ରାୟ ୧୦: ୩୦। ଗାନ୍ଧିଙ୍କ ପରିଧାନରେ ତାଙ୍କ ନିତିଦିନିଆ କାମ ଆରମ୍ଭ କରିବାକୁ ସେ ଅନନ୍ତପୁର ସହର ଅଭିମୁଖେ ଯାଉଥିଲେ । ଅନନ୍ତପୁରରୁ ପାଖାପାଖି ଆଠ କିଲୋମିଟର ଦୂର ରାପ୍ଟାଡୁ ଗାଁ ପାଖ ଏକ ରାସ୍ତାକଡ଼ ଭୋଜନାଳୟରେ ସେ ରହୁଥିଲେ । ଭୋଜନାଳୟର ମାଲିକ ଭେଙ୍କଟରାମି ରେଡ୍ଡି କହନ୍ତି “ପ୍ରାୟ ଦୁଇ ମାସ ତଳେ, କେହି ଜଣେ ମତେ କହିଲେ ଯେ, ଜଣେ ବୁଢ଼ା ଲୋକ ରହିବା ପାଇଁ ଟିକେ ଜାଗା ଦରକାର କରୁଛନ୍ତି । ତେଣୁ ମୁଁ ତାଙ୍କୁ ଏଠାରେ ରହିବାକୁ ଦେଲି। ବେଳେବେଳେ ମୁଁ ତାଙ୍କୁ ଖାଇବାକୁ ମଧ୍ୟ ଦେଉଥିଲି ।” ମତେ ଫୋନ୍ କରିଥିବା କ୍ରିଷ୍ଣାୟା, ପ୍ରାୟତଃ ଏଠାରେ ଚା’ ପିଅନ୍ତି ଏବଂ କେବେ କେମିତି ଗଙ୍ଗାପ୍ପାଙ୍କ ସହ ଗପସପ କରନ୍ତି ।
୨୦୧୭ ମେ ମାସରେ ଗଙ୍ଗାପ୍ପାଙ୍କ ସମ୍ପର୍କରେ PARI ପାଇଁ ମୁଁ ଏକ ଲେଖା ଲେଖିଥିଲି । ସେତେବେଳେ ତାଙ୍କୁ ପ୍ରାୟ ୮୩ ବର୍ଷ ହୋଇଥିଲା । ୭୦ ବର୍ଷ କାଳ କୃଷି ଶ୍ରମିକ ଭାବେ କାର୍ଯ୍ୟ କରିବା ପରେ, ସେ ନିଜକୁ ମହାତ୍ମାଙ୍କ ରୂପରେ ସଜାଇ ଥିଲେ। ଗାନ୍ଧିଙ୍କ ଭଳି ଲୁଗାପଟା ପିନ୍ଧି ପଶ୍ଚିମ ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ସେ ନିଜର ସ୍ଥାନନିଅନ୍ତି। ଭିକ୍ଷା ରୂପରେ ସେ ଯାହା ରୋଜଗାର କରନ୍ତି ତାହା କୃଷି ଶ୍ରମିକ ଭାବେ ସେ କରୁଥିବା ରୋଜଗାର ତୁଳନାରେ ବେଶ୍ ଭଲ ।
୨୦୧୬ରେ କ୍ଷେତରେ କାମ କରୁଥିବା ବେଳେ ଅଚେତ ହୋଇପଡ଼ିବା ପରେ ଗଙ୍ଗାପ୍ପା ଶ୍ରମିକ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ । ତା ପରେ ସେ ଅର୍ଥ ଉପାର୍ଜନ ପାଇଁ ଦଉଡ଼ି ବଳିବା କାମ କଲେ, କିନ୍ତୁ ତାଙ୍କ ବୁଢ଼ା ବୟସର ନିପୁଣତାରୁ ବେଶି କିଛି ରୋଜଗାର ହେଲା ନାହିଁ । ସେତେବେଳେ ସେ ସ୍ଥିର କଲେ ଯେ ଗାନ୍ଧିଙ୍କ ଭଳି ବେଶ ଧାରଣ କରିବେ ।
ନିତିଦିନିଆ କାମରେ ଲାଗୁଥିବା ବସ୍ତୁଗୁଡ଼ିକୁ ଉପଯୋଗ କରିହିଁ ସେ ନିଜେ ନିଜେ ତାଙ୍କ ପରିଧାନ ପ୍ରସ୍ତୁତ କଲେ। ୧୦ ଟଙ୍କିଆ ପ୍ଲାଷ୍ଟିକ୍ ବାକ୍ସରେ ଥିବା ପଣ୍ଡସ ପାଉଡର ବ୍ୟବହାର କରି ସେ ନିଜକୁ ମହାତ୍ମାଙ୍କ ଭଳି ‘ଚମକ’ ପ୍ରଦାନ କଲେ । ରାସ୍ତାକଡ଼ ଦୋକାନରୁ କିଣାଯାଇଥିବା ଶସ୍ତା ଚଷମାରୁ ତିଆରି ହେଲା ଗାନ୍ଧିଙ୍କ ଚଷମା । ସ୍ଥାନୀୟ ବଜାରରୁ କିଣାଯାଇଥିବା ୧୦ ଟଙ୍କିଆ ବେତବାଡ଼ିହେଲା ତାଙ୍କହାତବାଡ଼ି । ପଛକୁ ଦେଖିବା ଲାଗି ମୋଟର ସାଇକେଲରେ ଲାଗୁଥିବା ଦର୍ପଣଟିଏ ସେ କୌଣସି ସ୍ଥାନରୁ ପାଇଥିଲେ, ଯାହାକୁ କି ସେ ତାଙ୍କ ବେଶ ପୋଷାକ ପରଖିବା ଲାଗି ବ୍ୟବହାର କରୁଥିଲେ ।



