ମାର୍ଚ୍ଚ ୨୦୧୯ରେ ଯେତେବେଳେ ଏରପ୍ପା ବାୱଗେ ବେଙ୍ଗାଲୁରୁରେ ପ୍ରୋଜେକ୍ଟ ମ୍ୟାନେଜର ଚାକିରି ପାଇଲେ, ସେତେବେଳେ ବୋଧହୁଏ ସେ ଏକଥା ଭାବିନଥିବେ ଯେ ତାଲାବନ୍ଦ କାରଣରୁ ଏକ ବର୍ଷ ପରେ ତାଙ୍କୁ ତାଙ୍କର ଚାକିରି ହରାଇବାକୁ ପଡିବ। ଆଉ ଜୁନ୍ ୨୦୨୦ ବେଳକୁ, ସେ ପଶ୍ଚିମ କର୍ଣ୍ଣାଟକର ବିଦାର ଜିଲ୍ଲାରେ ଅବସ୍ଥିତ ତାଙ୍କ ଗ୍ରାମ କମ୍ଥନାରେ ଏକ ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟ ସ୍ଥଳିରେ କାମ କରୁଥିବେ ।
“ଚାକିରି ହରାଇ ବେକାର ହୋଇ ଏକ ମାସ ପର୍ଯ୍ୟନ୍ତ ଘରେ ବସିବା ପରେ, ମୁଁ ଏପ୍ରିଲ୍ରେ ଏନ୍ଆର୍ଇଜିଏର ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କଲି,” ବୋଲି ସେ କୁହନ୍ତି, “କିଛି ଉପାର୍ଜନ କରିବାକୁ ଓ ମୋ ପରିବାରକୁ ଏ ଦୁସ୍ଥିତିରେ ବଞ୍ଚାଇ ରଖିବାକୁ । ତାଲାବନ୍ଦ ଘୋଷଣା ହେବା ବେଳକୁ ଆମ ପାଖରେ କିଛି ପଇସା ନଥିଲା ବୋଲି କହିଲେ ଚଳିବ । ଏପରିକି ମୋର ମା’ଙ୍କୁ ମଧ୍ୟ ସହଜରେ କାମ ମିଳୁନଥିଲା, ଯେହେତୁ ମାଲିକମାନେ ଶ୍ରମିକମାନଙ୍କୁ କାମ ପାଇଁ ଡାକିବା ବନ୍ଦ କରିଦେଇଥିଲେ।’’
ତାଲାବନ୍ଦ କାରଣରୁ ସେ ଯେଉଁ ଚାକିରି ହରାଇଲେ, ତାହା ତାଙ୍କୁ ବହୁତ ପରିଶ୍ରମ କରିବା ପରେ ଓ ଋଣବୋଝରେ ଭାରାକ୍ରାନ୍ତ ହେବା ପରେ ମିଳିଥିଲା । ତାଙ୍କ ପରିବାର ସଦସ୍ୟଙ୍କ ସମର୍ଥନ ଓ ଶିକ୍ଷା ମାଧ୍ୟମରେ ସେମାନେ ନିଜକୁ ଜୀବିକା – ନିର୍ବାହ ସ୍ତରଠାରୁ ଅଧିକ ଉପାର୍ଜନ କରିବାର ଦୃଢ ଇଚ୍ଛାଶକ୍ତି ମଧ୍ୟ ସହାୟକ ହୋଇଥିଲା ।
ଏରପ୍ପା ଅଗଷ୍ଟ ୨୦୧୭ରେ ତାଙ୍କର ଏକ ଘରୋଇ ମହାବିଦ୍ୟାଳୟରୁ ବିଟେକ୍ ଡିଗ୍ରୀ ହାସଲ କରିଥିଲେ ଓ ତାହା ପୂର୍ବରୁ ୨୦୧୩ରେ, ଏକ ସରକାରୀ ପଲିଟେକ୍ନିକ୍ରୁ ଅଟୋମୋବାଇଲ୍ ଇଂଜିନିୟରିଂରେ ଡିପ୍ଲୋମା କରିଥିଲେ, ଉଭୟ ଅନୁଷ୍ଠାନ ବିଦାର ଟାଉନ୍ରେ ଅବସ୍ଥିତ । ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇବା ପୂର୍ବରୁ ସେ ପୁନାରେ ଅବସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନି, ଯେଉଁଠାରେ ଚାଷ ଯନ୍ତ୍ରପାତି ନିର୍ମାଣ କରାଯାଏ, ରେ ଜଣେ ବୈଷୟିକ ପ୍ରଶିକ୍ଷଣାର୍ଥୀ ଭାବେ କାମକରି ମାସକୁ ୧୨, ୦୦୦ଟଙ୍କା ଉପାର୍ଜନ କରୁଥିଲେ । “ମୁଁ ଜଣେ ଭଲ ଛାତ୍ର ଥିଲି, ଏଣୁ ମୁଁ ବଡ ଦାୟିତ୍ୱ ବହନ କରିପାରିବି ଓ ଅଧିକ ଅର୍ଥ ଉପାର୍ଜନ କରିପାରିବି ବୋଲି ଭାବିଲି । ମୁଁ ଭାବିଲି ଯେ ଦିନେ ମୁଁ ମଧ୍ୟ ଏକ ଇଂଜିନିୟର୍ ବୋଲାଇବି,” ବୋଲି ୨୭ ବର୍ଷ ବୟସ୍କ ଏରପ୍ପା କୁହନ୍ତି ।
ତାଙ୍କ ପରିବାର ତାଙ୍କ ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ଅନେକ ଋଣ କିରଛନ୍ତି । “ତିନି ବର୍ଷରେ (ବିଟେକ୍ର), ମୋର ପ୍ରାୟ ୧.୫ଲକ୍ଷ ଟଙ୍କା ଆବଶ୍ୟକ ହୋଇଥିଲା” ବୋଲି ସେ କୁହନ୍ତି । “କେତେବେଳେ ୨୦,୦୦୦ ଟଙ୍କା ତ କେତେବେଳେ ୩୦,୦୦୦ଟଙ୍କା, ମୋର ଅଭିବାବକ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଠାରୁ (ଏସ୍ଏଚ୍ଜି) ଋଣ କରନ୍ତି । “ଯେତେବେଳେ ସେ ପଞ୍ଚମ ସେମିଷ୍ଟର୍ରେ ଥିଲେ, ସେତେବେଳେ ଡିସେମ୍ବର ୨୦୧୫ରେ, ତାଙ୍କର ୪୮ ବର୍ଷ ବୟସ୍କ ବାପା, ଯିଏ ଜଣେ ଶ୍ରମିକ ଥିଲେ. ଜଣ୍ଡିସ୍ରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ । ତାଙ୍କର ଚିକିତ୍ସା ପାଇଁ ପରିବାର ଏସ୍ଏଚ୍ଜି ଓ ସମ୍ପର୍କୀୟମାନଙ୍କଠାରୁ ଅତିରିକ୍ତ ୧.୫ଲକ୍ଷ ଟଙ୍କା ଋଣ କରିଥିଲେ । “ମୋର ଡିଗ୍ରୀ ପାଠପଢା ସରିବାବେଳକୁ, ମୋର କାନ୍ଧରେ ଅନେକ ଦାୟିତ୍ଵର ବୋଝ ଥିଲା,” ବୋଲି ଏରପ୍ପା କୁହନ୍ତି ।
ଏଣୁ ମୁଁ ଯେତେବେଳେ ବେଙ୍ଗାଲୁରୁରେ ପ୍ଲାଷ୍ଟିକ୍ ମୋଲ୍ଡିଂ ମେସିନ୍ ପ୍ରସ୍ତୁତ କରୁଥିବା ଏକ ଲଘୁ ଉଦ୍ୟୋଗରେ ଜଣେ ପ୍ରୋଜେକ୍ଟ ମ୍ୟାନେଜର୍ ଭାବେ ମାସିକ ୨୦,୦୦୦ ଟଙ୍କା ବେତନରେ ଚାକିରି ପାଇଲି, ମୋର ପରିବାର ଖୁସି ହୋଇଗଲା । ତାହା ହେଉଛି ମାର୍ଚ୍ଚ ୨୦୧୯ର କଥା । “ମୁଁ ପ୍ରତିମାସରେ ମୋ ମାଁଙ୍କ ପାଖକୁ ୮୦୦୦- ୧୦.୦୦୦ ଟଙ୍କା ପଠାଉଥିଲି । ଅଥଚ, ତାଲାବନ୍ଦ ଲାଗୁ କରାଯିବା ପରେ ସବୁକିଛି ବଦଳିଗଲା,’’ ବୋଲି ସେ କୁହନ୍ତି ।









