‘‘ଏହି ପାତ୍ରଟି ବହୁ ଦରକାରୀ। ଆମ ପଡ଼ା [ଗାଁ] ଏବେ ବି ଅନ୍ଧାର ଭିତରେ। ସେଇଥିପାଇଁ ମୁଁ ପଦଯାତ୍ରା କରିଛି। ଅତି କମ୍ରେ ଏବେ ଆମକୁ ଆଲୁଅ ଦିଅ,’’ ମଙ୍ଗଲ ଘାଜେ କହିଲେ। ଫେବ୍ରୁଆରୀ ୨୦-୨୧ରେ ନାସିକରେ ଏକ ରାଲିରେ ଯୋଗ ଦେଇଥିବା ୪୭ ବର୍ଷୀୟ ମଙ୍ଗଲ ଏକ ଟାବଲେଟ୍ ଆକାରର ସୌର ପ୍ଲେଟ୍ ତାଙ୍କ ମୁଣ୍ଡ ଉପରେ ସନ୍ତୁଳିତ କରି ରଖିଥିଲେ। ସେ କହିଲେ, ‘‘ସିଧାସଳଖ ଏହି ପାତ୍ର [ଧାତୁ] ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଏହା ତାପମାତ୍ରା ସଂଗ୍ରହ କରେ। ସଂଧ୍ୟାରେ ଆମେ ଏହାକୁ ମୋବାଇଲ ଫୋନ୍ ଚାର୍ଜ ଏବଂ ଟର୍ଚ୍ଚରେ ବ୍ୟବହାର କରୁ। ଏହି ଜିନିଷ ଆମକୁ ଟିକେ ଆଶ୍ୱସ୍ତି ଦେଇଛି।’’
ମଙ୍ଗଲଙ୍କ ଭଳି (ଉପର କଭର ଫଟୋରେ), ତାଙ୍କର ଅନେକ ପଡୋଶୀ ସୌର ପ୍ଲେଟ୍ ବ୍ୟବହାର କରୁଛନ୍ତି । ତାଙ୍କ ପଡ଼ାରେ ୪୦ଟି ଘର। ଏହି ପଡ଼ାଟି ନାସିକ ଜିଲ୍ଲା ଦିଣ୍ଡୋରୀ ତାଲୁକର ସିନ୍ଦୱାଡ଼ ଗାଁଠାରୁ ପ୍ରାୟ ଅଧକିଲୋମିଟର ଦୂର। ତାଙ୍କ ପଡ଼ାର ସମସ୍ତ ବାସିନ୍ଦା ଅନୁସୂଚିତ ଜନଜାତି ବର୍ଗ - ମହାଦେବ କୋଲି ସଂପ୍ରଦାୟର। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜଂଗଲ ଜମିରେ ଧାନ, ମୁଗ ଓ ହରଡ଼ ଚାଷ କରନ୍ତି। ୨୦୧୮ର ଅନାବୃଷ୍ଟି ଯୋଗୁଁ ସେମାନଙ୍କର ଫସଲହାନୀ ହୋଇଥିଲା। ଫଳରେ ଖୁବ୍ କମ୍ ଶସ୍ୟ ଅମଳ ହୋଇଥିଲା।
ବର୍ଷେ ତଳେ ମଙ୍ଗଲ ଏହି ସୌର ପ୍ଲେଟ୍ଟି କିଣିଥିଲେ। ସେ କହିଲେ, ‘‘ଆମ ପଡ଼ାରେ ଜଣେ ଗୋଟିଏ ପାତ୍ର କିଣିଥିଲା। ମୋ ପାଇଁ ଗୋଟିଏ ଆଣିବାକୁ ତାକୁ କହିଲି। ତା ପରେ ଅନ୍ୟ ଲୋକ ବି କିଣିବା ଆରମ୍ଭ କଲେ। ଏହାର ଦାମ୍ ୨୫୦ ଟଙ୍କା - ଆମ ଭଳି ଲୋକଙ୍କ ପାଇଁ ଦିନକର ମଜୁରୀ।’’
ମଙ୍ଗଲଙ୍କ ଘରେ ଏକ ରିଜାର୍ଜେବୁଲ ଲ୍ୟାମ୍ପ ଅଛି, ରାତିରେ ପଢିବା ପାଇଁ ଏହାକୁ ତାଙ୍କ ପୁଅ ବ୍ୟବହାର କରୁଛି। ତାଙ୍କ ପୁଅ ଦଶମ ଶ୍ରେଣୀରେ ପଢୁଛି। ସେ ସ୍ମିତ ହସି କହିଲେ, ‘‘ଅତି କମ୍ରେ ଏଇ ପାତ୍ରରେ ସେ ପଢିପାରୁଛି। ଏଇ ଅନ୍ଧାର ଭିତରେ ଏହା ହିଁ ତ ଟିକେ ଆଶାର ଆଲୋକ।’’
କୃଷକ ଶୋଭାଯାତ୍ରାରେ ସାମିଲ ହୋଇଥିବା ଅନେକ ଲୋକଙ୍କ ମୁଣ୍ଡ ଉପରେ କିମ୍ବା ହାତରେ ସୌର ପ୍ଲେଟ୍ ବା ପ୍ୟାନେଲ ଥିଲା। ସେମାନଙ୍କ ମଧ୍ୟରେ ଥିଲେ ୨୮ ବର୍ଷୀୟ ପୱନ ସୋନୁ, ୩୦ ବର୍ଷୀୟ ଜାନୁ ଟୋକ୍ରେ। ଏମାନଙ୍କ ଘର ପାୟରପଡ଼ା ଗାଁରେ, ଯେଉଁଠି ୧୦୮ଟି ପରିବାର (୨୦୧୧ ଜନଗଣନା ଅନୁସାରେ) ବସବାସ କରନ୍ତି। ସେମାନେ ମଧ୍ୟ ଜଳ ସଂକଟ ଏବଂ ଫସଲ ହାନୀ କଥା କହିଲେ।
ପୱନ କହିଲେ, ‘‘ଆମ ୧୨ଟି କୁଡ଼ିଆ ଗାଁର ବାହାରକୁ ରହିଛି। ମୁଖ୍ୟ ଗାଁରେ ଆଲୋକ ଅଛି। ଆମର ନାହିଁ। ଆମ ପିଲାମାନେ କେମିତି ଅନ୍ଧାରରେ ପଢିବେ? ଆମେ ରାସନ ଭାବେ ମାସକୁ ଦୁଇ ଲିଟର କିରୋସିନ୍ ପାଉଛୁ। ଏଥିରୁ କେତେ ତେଲରେ ରୋଷେଇ କରିବୁ ଆଉ କେତେ ତେଲରେ ବତୀ ଜାଳିବୁ? ସରକାର ଆମ ଜାଗା ଉପରେ ନା ଆମକୁ ଅଧିକାର ଦେଉଛନ୍ତି ନା ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଆମ ଅଳ୍ପ ରେଜଗାରରେ ଏଭଳି ଜିନିଷ [ସୋଲାର ପ୍ଲେଟ୍] କିଣି କାହିଁକି ଆମେ ନିଜ କଥା ନିଜେ ବୁଝିବୁ?’’
ଅନୁବାଦ: ଓଡ଼ିଶାଲାଇଭ୍