ମରୁଡି ଏମାନଙ୍କୁ ବାସାଇ ପଠାଇଥଲା।
୫୦ ବର୍ଷୀୟ ପାଓ୍ୱାର କହିଲେ, “ଅସ୍ୱାଭାବିକ ବର୍ଷା ଏବଂ ବିନା ଜଳସେଚନରେ କି ଚାଷ କରିବେ?” ଜାମଖେଦ ଗାଁରେ ପାଓ୍ୱାରଙ୍କ ଦୁଇ ଏକ ଜମି ଅଛି। ତାଙ୍କ ସ୍ତ୍ରୀ ଏବଂ ପୁଅ ବର୍ଷରେ ୬ ମାସ ଚାଷ କାମ ଦେଖନ୍ତି। ଏହି ସମୟରେ ସେ ପୁନରୁଦ୍ଧାର ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ସାମିଲ ହୋଇଥାନ୍ତି।
ଯେଉଁ ବର୍ଷ ଭଲ ବର୍ଷା ହୁଏ, ସେ ବର୍ଷ ମଧ୍ୟ ଅହମ୍ମଦନଗର ଜିଲ୍ଲାରେ ଜଳ ସଂକଟ ଦେଖାଦିଏ। ଏଠାରେ ସବୁ ପାଣିକୁ ଆଖୁ ବିଲ ଶୋଷି ନିଏ। ଜଣେ ସ୍ଥାନୀୟ ଠିକାଦାର ପାଓ୍ୱାର ଏବଂ ଅନ୍ୟ ପଥର କଟାଳିମାନଙ୍କୁ ଆଣିଛି। ଏମାନଙ୍କ ଭିତରୁ ପ୍ରାୟ ଅଧିକାଂଶ ଚାଷୀ। ଗାଁ ଛାଡି ଏଏସଆଇର ଏହି କାମ କରିବାକୁ ମରୁଡି ଏମାନଙ୍କୁ ବାଧ୍ୟ କରେ। ଏଏସଆଇର ବହୁ ପ୍ରକଳ୍ପରେ ପାଓ୍ୱାର କାମ କରିଛନ୍ତି। ସେ ମହାରାଷ୍ଟ୍ରର ହାତୀ ଗୁମ୍ଫା ଏବଂ ଉତ୍ତର ପ୍ରଦେଶର ଝାନ୍ସୀ ଦୁର୍ଗରେ କାମ କରିଛନ୍ତି।
ବାସାଇ ଦୁର୍ଗରେ କାମ କରୁଥିବା ଏହି ପଥରକଟାଳିମାନେ ଦିନକୁ ୬୦୦ ଟଙ୍କା ରୋଜଗାର କରିଥାନ୍ତି। ଏମାନଙ୍କ ମାସିକ ରୋଜଗାର ପ୍ରାୟ ୧୫,୦୦୦ ଟଙ୍କା। ଖାଦ୍ୟ, ଔଷଧ ଏବଂ ନିଜର ବ୍ୟକ୍ତିଗତ ଖର୍ଚ୍ଚରେ ଏମାନେ ଏହାର ଅଧା ଟଙ୍କା ବ୍ୟୟ କରିଥାନ୍ତି। ବାକି ଟଙ୍କା ସେମାନେ ଘରକୁ ପଠାନ୍ତି।
ଏହି ମଜୁରୀ ପାଇଁ ସେମାନେ ଆଠ ଘଣ୍ଟାର ହାଡଭଙ୍ଗା ପରିଶ୍ରମ କରନ୍ତି। ଏହା ଭିତରେ ଖାଇବା ପାଇଁ କେବଳ ଗୋଟିଏ ଘଣ୍ଟା ମିଳିଥାଏ। ଝାଳବୁହା ତାତିରେ ଏମାନେ ଏମିତି ପଥର ଭାଙ୍ଗନ୍ତି। ପଥର ଗୁଣ୍ଡ ଲାଗି ସେମାନଙ୍କ ହାତ ଆଉ ପାଦ ଫାଟିଥାଏ। ଲକ୍ଷ୍ମଣ ଶେଟିବା ଡୁକ୍ରେ କହିଲେ, “ପଥର ଭାଙ୍ଗିବା ଏତେ ସହଜ କାମ ନୁହେଁ। ପଥର ତାତି, ତଳ ତାତି ଆଉ ମୁଣ୍ଡ ଉପରେ ଖରା ବର୍ଷା ।”