‘ହୁଁ ଜାନୋ, ହୁଁ ଖବର?’ (‘ଏହା କ’ଣ ମୁଁ କେମିତି ଜାଣିବି?’ ସ୍ଥାନୀୟ ୱାଘରି ଭାଷାରେ)
ରାଜସ୍ଥାନ ବନସୱାଡ଼ା ଜିଲ୍ଲାର ବୋରି, ଖାରଭେଦ ଏବଂ ସେମାଲିଆ ଗାଁରେ, ମହିଳାମାନଙ୍କ ସହ ଆଲୋଚନା କରିବା ସମୟରେ, ମୁଁ ଲକ୍ଷ୍ୟ କଲି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତଳେ ବସନ୍ତି, ଗୋଟିଏ ମସିଣା ଉପରେ ନ ହେଲେ ବିନା ମସିଣାରେ। ପୁରୁଷ ଏବଂ ବୟସ୍କ ଲୋକମାନେ ସର୍ବଦା ଉପରେ ବସନ୍ତି – ଚେୟାର, ଖଟିଆ ଉପରେ – ଯଦିଓ ପୁରୁଷଙ୍କ ଉପସ୍ଥିତିରେ ବୟସ୍କା ମହିଳା ତଳେ ବସନ୍ତି, ଏମିତିକି ଅସୁସ୍ଥ ଥିଲେ ବି। ଏହା ପିଲାମାନଙ୍କ କ୍ଷେତ୍ରରେ ବି ଲାଗୁ – ପୁଅମାନେ ଉପରେ ବସନ୍ତି, ଝିଅମାନେ ବସନ୍ତି ନାହିଁ।
ଖାରଭେଦ ଓ ସେମାଲିଆର ଅଧିକାଂଶ ଲୋକ ଚାଷୀ। ସେମାନେ ପାରମ୍ପରିକ ଭାବେ ବୁଣାକାର, କିନ୍ତୁ ସେମାନେ ବୁଣା ବନ୍ଦ କରିବାର କିଛି ପିଢ଼ି ହୋଇଗଲାଣି। ବୋରିରେ, କେତେକ ମହିଳା ମଧ୍ୟ ଦୁଗ୍ଧ ଚାଷୀ।
ଯେତେବେଳେ ପଚରାଗଲା, ସେମାନେ ସମସ୍ତେ କହିଲେ ମହିଳାମାନଙ୍କ ପାଇଁ ତଳେ ବସିବା ପ୍ରଥା ଥିଲା। ବିବାହ ପରେ, ପରିବାରର ଝିଅ ଯେତେବେଳେ ବାପ ଘରକୁ ଆସିବ ସେ ଉପରେ ବସିପାରିବ, କିନ୍ତୁ ବୋହୂ ନିଶ୍ଚିତ ଭାବେ ତଳେ ବସିବେ।
ମହିଳାମାନେ କେବଳ ଯେ ପୁରୁଷ ଓ ଗାଁର ବୟସ୍କଙ୍କ ଉପସ୍ଥିତିରେ ତଳେ ବସନ୍ତି ତାହା ନୁହେଁ, ମୋ ଭଳି ପର୍ଯ୍ୟଟକଙ୍କ ଆଗମନ କ୍ଷେତ୍ରରେ ବି ତଳେ ବସନ୍ତି – ଅର୍ଥାତ୍, ସେମାନେ ଯାହାଙ୍କୁ ସେମାନଙ୍କଠାରୁ ଯେ କୌଣସି କ୍ଷେତ୍ରରେ ଅଧିକ କ୍ଷମତାଶାଳୀ ବା ବିଶିଷ୍ଟ ବୋଲି ମାନନ୍ତି।
ଆମେ ଏକ ସ୍ୱ ୟଂ-ସହାୟକ ଗୋଷ୍ଠୀରେ ଏ ସମ୍ପର୍କରେ ଧୀରେ ଧୀରେ ଆଲୋଚନା ଆରମ୍ଭ କଲୁ। ସେମାନେ ସେମାନଙ୍କଠାରୁ ବଡ଼ ଓ ଶାଶୂ ଘର ଲୋକଙ୍କୁ ଅସମ୍ମାନ ନ କରିବା ନେଇ ସତର୍କ ଥିଲେ। କେତେକ ଏହି ପ୍ରଥା ବଦଳୁ ବୋଲି ଚାହୁଁଥିଲେ, କିଛି ଜଣ ରହିବାକୁ ଚାହୁଁଥିଲେ।
କିଛି ସମୟ ପରେ, ସେମାନେ ସମସ୍ତେ ଚେୟାର, ଖଟିଆ ବା ଗୋଟିଏ ଉଚ୍ଚ ସ୍ଥାନରେ ବସି ଫଟୋ ଉଠାଇବାକୁ ରାଜି ହେଲେ। ସେମାନେ ସର୍ବଦା ଅନୁରୋଧ କରୁଥିଲେ ଯେ ମୁଁ ଯେପରି ଘର ଭିତରେ, ବା ଘର ପଛପଟେ, ବା ପୁଅମାନଙ୍କୁ କୋଳରେ ଧରିବା ଅବସ୍ଥାରେ ସେମାନଙ୍କର ଫଟୋ ନିଏ।
କେତେକ ମହିଳା ଏହାକୁ ହାଲ୍କା ଭାବରେ ବିଚାର କରୁଥିଲେ, କିନ୍ତୁ ଅଧିକାଂଶଙ୍କ ପାଇଁ ନିଜକୁ ଏହି ସାମୟିକ ପ୍ରତୀକାତ୍ମକ ଉତ୍ଥାନ ପାଇଁ ଅନୁମତି ଦେବାକୁ ଅନେକ ପ୍ରସ୍ତୁତି କରିବାକୁ ହେଲା।
ଅନୁବାଦ: ଓଡ଼ିଶାଲାଇଭ୍