ଶ୍ରୀନଗରର ଲାଲ୍ ଚୌକ୍ରେ ଥିବା ତାଙ୍କ ଦୋକାନରେ ନିଆଜ୍ ଅହମଦ୍ କହିଲେ, “କିଛି ବର୍ଷ ତଳେ ଏହା ସଂପୂର୍ଣ୍ଣ ଭିନ୍ନ ଥିଲା”। ପଶ୍ମିନା ଶାଲର ଚାହିଦା ଖୁବ୍ ଅଧିକ ଥିଲା, ଏବଂ ସାରା ଭାରତରେ ତଥା ବିଦେଶରେ ଏହି ଶାଲ୍ ବିକି ନିଆଜ୍ ଓ ଅନ୍ୟ ଦୋକାନ ମାଲିକମାନେ ବେଶ୍ ଲାଭ କରୁଥିଲେ |
ଏ କଥା ୨୦୧୬ ଫେବ୍ରୁଆରୀର, ଯେତେବେଳେ ମୁଁ ଚାଙ୍ଗ୍ଥାଙ୍ଗ୍ର ଛେଳିରୁ ଆରମ୍ଭ କରି ଖୁଚୁରା ଦୋକାନ ଯାଏ ପଶ୍ମିନା ଶାଲ୍ର ସନ୍ଧାନ ନେବା ଆରମ୍ଭ କଲି; ଭାରତ ଓ ମଧ୍ୟ ଏସିଆକୁ ସଂଯୋଗ କରୁଥିବା ପ୍ରାଚୀନ ଭାରତୀୟ ବାଣିଜ୍ୟ ପଥ ସମୂହର ଇତିହାସ ଜାଣିବାରେ ମୁଁ ଆଗ୍ରହୀ । ଏହି ବାଣିଜ୍ୟ ପଥରେ ପଶ୍ମିନା ଓ ରେଶମ ଥିଲା ବେଶ୍ ମୂଲ୍ୟବାନ ସାମଗ୍ରୀ ।
ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ପୂର୍ବ ଲଦାଖରେ, ପଶ୍ଚିମକୁ ସଂପ୍ରସାରିତ ତିବ୍ବତୀୟ ମାଳଭୂମିର ଚାଙ୍ଗ୍ଥାଙ୍ଗ ଅଞ୍ଚଳରେ ଯାଯାବର ସଂପ୍ରଦାୟର ପଶୁପାଳକ ଚାଙ୍ଗ୍ପାମାନେ ଚାଙ୍ଗ୍ଥାଙ୍ଗି ଛେଳି ପାଳନ କରନ୍ତି। ପ୍ରାୟ ୪,୦୦୦ରୁ ୫,୦୦୦ ମିଟର ଉଚ୍ଚ ଏହି ପାର୍ବତ୍ୟାଞ୍ଚଳରେ ବସବାସ କରିବା ଖୁବ୍ କଷ୍ଟକର। ମେଣ୍ଢା, ପଶ୍ମିନା ଛେଳି ଏବଂ ଅଳ୍ପ କେତେକ ଚମରୀ ଗାଈଙ୍କ ଭଳି ସେମାନଙ୍କ ପାଳିତ ପଶୁମାନଙ୍କ ପାଇଁ ଚାରଣଭୂମିର ସନ୍ଧାନ ଏବଂ ସେପ୍ଟେମ୍ବର ଶେଷଭାଗରୁ ମେ ମାସ ପର୍ଯ୍ୟନ୍ତ ସୁଦୀର୍ଘ ଶୀତଋତୁ ଯୋଗୁଁ ଏଠାରେ ଜୀବନଯାପନ କରିବା କଷ୍ଟକର । ଜାଳେଣି ସଂଗ୍ରହ, ଶିଶୁମାନଙ୍କ ଯତ୍ନ, ରୋଷେଇ, ପଶ୍ମିନା ସୂତା ବୁଣା ଭଳି କାର୍ଯ୍ୟ ସହ ଦିନଗୁଡ଼ିକ ଲମ୍ବି ଯାଏ ।
ପ୍ରତି ଚାଙ୍ଗ୍ପା ପରିବାର ପାଖରେ ଅତି କମ୍ରେ ୮୦-୧୦୦ଟି ପାଳିତ ପଶୁ ଥାଆନ୍ତି, ଅନେକଙ୍କ ପାଖରେ ୧୦୦-୧୫୦ଟି ଏବଂ କେତେକଙ୍କ ପାଖରେ ୩୦୦ରୁ ଅଧିକ ପଶୁ ବି ଥାଆନ୍ତି । ସାଧାରଣତଃ ଛେଳି ଓ ମେଣ୍ଢାଙ୍କ ସଂଖ୍ୟା ସମାନ ଥାଏ । ଗୋଟିଏ ପରିବାର ଗୋଟିଏ ଚାଙ୍ଗ୍ଥାଙ୍ଗି ଛେଳିରୁ ବର୍ଷକୁ ପ୍ରାୟ ୨୦୦-୩୦୦ ଗ୍ରାମ୍ ଅଶୋଧିତ ପଶ୍ମିନା ପାଇପାରେ ।
୨୦୧୬ ମାର୍ଚ୍ଚ ମାସର ଏକ ଶୀତୁଆ ସକାଳରେ, ହାନ୍ଲେ ଏବଂ ଚୁମୁର ସହର ମଧ୍ୟବର୍ତ୍ତୀ ଦକ୍ଷିଣପୂର୍ବ ଚାଙ୍ଗ୍ଥାଙ୍ଗ୍ରେ ପଶୁପଲ ନେଇ ଯାଉଥିବା ବେନ୍ସନ୍ ସେରିଂଙ୍କ ସହ ମୋର ଦେଖା ହେଲା। ସେ ମୋତେ କହିଲେ ଯେ,ସରକାରଙ୍କ ଦ୍ୱାରା ପରିଚାଳିତ ଲଦାଖ ହିଲ୍ ଡେଭଲପ୍ମେଣ୍ଟ୍ କାଉନ୍ସିଲ ସହ ଅନୁବନ୍ଧିତ ଲେହର ଅଲ୍ ଚାଙ୍ଗ୍ଥାଙ୍ଗ୍ ପଶ୍ମିନା ଗ୍ରୋଅର୍ସ କୋଅପରେଟିଭ୍ ମାର୍କେଟିଂ ସୋସାଇଟି ନାମକ ସମବାୟ ସମିତି ଏକ ସ୍ଥିରୀକୃତ ଦରରେ ସିଧାସଳଖ ପଶୁପାଳକମାନଙ୍କଠାରୁ ଅଶୋଧିତ ପଶ୍ମିନା କିଣିଥାଏ। ଅତୀତରେ ମଧ୍ୟସ୍ଥମାନେ ପ୍ରାୟତଃ ଉଚିତ ଦର ଦେଉ ନଥିଲେ। ଏବେ ସମବାୟ ସମିତି ଏକ କିଲୋ ଅଶୋଧିତ ପଶ୍ମିନା ପିଛା ୨,୫୦୦ରୁ ୨,୭୦୦ ଟଙ୍କା ଦେଉଛି। ଚାହିଦା କମିବା କାରଣରୁ ଗତ ୪-୫ ବର୍ଷ ହେଲା ଏହାର ଦର ସେତେ ବେଶୀ ବଢ଼ିନାହିଁ । ପଞ୍ଜାବ ଓ ଅନ୍ୟ ରାଜ୍ୟରୁ ବଜାରକୁ ଆସୁଥିବା ଅଣ-ପଶ୍ମିନା ଶାଲ୍ ଓ ଉଲ୍ ପୋଷାକପତ୍ର ମଧ୍ୟ ଏହି କାରବାରକୁ ପ୍ରଭାବିତ କରିଛି ।
ହାନ୍ଲେରୁ ପ୍ରାୟ ୪୦ କିଲୋମିଟର ଦୂରରେ ମୁଁ ପେମା ଚୋକେଟଙ୍କୁ ମଧ୍ୟ ଭେଟିଲି । ପେମାଙ୍କ ଛ’ ଜଣ ସନ୍ତାନଙ୍କ ମଧ୍ୟରୁ କେବଳ ୨୩ ବର୍ଷୀୟା ବଡ଼ ଝିଅ ଡେଚେନ୍ ପରିବାରର ଜୀବନଯାପନ ଧାରା ଜାରି ରଖିବାକୁ ଚାହାଁନ୍ତି । ପେମା କହିଲେ, “ସେ ହିଁ ଆମର ପଥ ପ୍ରଦର୍ଶକ।” ଗୃହପାଳିତ ପ୍ରାଣୀ ଏବଂ ପଶୁପାଳକ ଜୀବନକୁ ସେ ଖୁବ୍ ଭଲ ପାଏ ।
କିନ୍ତୁ ଅନେକ ଚାଙ୍ଗ୍ପା ସେମାନଙ୍କ ତମ୍ବୁ ଓ ପଶୁଧନକୁ ଧୀରେ ଧୀରେ ବିକିବାରେ ଲାଗିଛନ୍ତି ଏବଂ ଅନ୍ୟ ଜୀବିକା ଅବଲମ୍ବନ ପାଇଁ ଲେହକୁ ଚାଲିଯାଉଛନ୍ତି। ପେମାଙ୍କ ବଡ଼ପୁଅ ଜଣେ ଟ୍ରକ୍ ଡ୍ରାଇଭର, ଆଉ ଜଣେ ପୁଅ ରାସ୍ତା ନିର୍ମାଣସ୍ଥଳୀରେ ଭାରବାହକ, ଜଣେ ଝିଅ ଲେହର ଏକ ଅଫିସ୍ରେ କାମ କରନ୍ତି। ସେ କହନ୍ତି, “ସହରରେ ରହୁଥିବା ତାଙ୍କ ପରିବାରର ସବୁ ସଦସ୍ୟ ସହଜରେ ଜୀବନଯାପନ କରନ୍ତି।”
ଲେହ ରେ, କିଲୋ ପ୍ରତି ୮,୦୦୦-୯,୦୦୦ଟଙ୍କା, ଏମିତିକି ଚାହିଦା ଓ ଗୁଣମାନ ଉପରେ ନିର୍ଭର କରି ବେଳେବେଳେ ୨୦,୦୦୦ ଟଙ୍କା ଦରରେ ସମବାୟ ସମିତିରୁ ଅଶୋଧିତ ପଶ୍ମିନା କିଣୁଥିବା କାଶ୍ମୀରର କେତେକ ବ୍ୟବସାୟୀଙ୍କୁ ମୁଁ ଭେଟିଲି। ପଶ୍ମିନା ଗୁଚ୍ଛ ଯେତେ ଲମ୍ବା ହୋଇଥିବ ଏବଂ ଗୋଲେଇ ଯେତେ ଛୋଟ ହୋଇଥିବ ଗୁଣମାନ ସେତେ ଭଲ। ପୂର୍ବ ଲଦାଖର ପଶ୍ମିନା ସର୍ବୋତ୍ତମ ମଧ୍ୟରେ ଅନ୍ୟତମ ବୋଲି ସେମାନେ ମତେ କହିଲେ ।
ଲେହ ରେ ମୁଁ ଷ୍ଟାନ୍ଜିନ୍ ଡୋଲ୍ମାଙ୍କୁ ମଧ୍ୟ ଭେଟିଲି। ସେ ହାତବୁଣା କାମ ବନ୍ଦ କରିଦେଇଥିଲେ। ଦୀର୍ଘଶ୍ୱାସ ଛାଡ଼ି ସେ କହିଲେ, “ବିଦ୍ୟୁତଚାଳିତ କଳତନ୍ତ (ଯାହାକି ଘୂରାଇବା ମେସିନ୍) ଯୋଗୁଁ ଆମ କାମ ଧୀରେ ଧୀରେ ବନ୍ଦ ହେବା ଉପରେ।” ମେସିନ୍ ସହ ତାଳ ଦେଲା ଭଳି ଗତିରେ ତାଙ୍କ ହାତ କାମ କରୁନାହିଁ ବୋଲି ସେ ଅନୁଭବ କଲେ। ଅଶୋଧିତ ପଶ୍ମିନାକୁ ସୂତାରେ ପରିଣତ କରୁଥିବା ପାରମ୍ପରିକ ଅରଟ ଚକ (ସ୍ଥାନୀୟ ଭାଷାରେ ୟେଣ୍ଡର୍)କୁ ଏବେ ମେସିନ୍ ତନ୍ତ ସହିତ ପ୍ରତିଯୋଗିତା କରିବାକୁ ପଡୁଛି। ସ୍ୱଳ୍ପ ଖର୍ଚ୍ଚରେ କାମ ତୁଲାଇ ପାରୁଥିବା ଏହି ମେସିନ୍ ସେହି ସବୁ ପରିବାର ପାଖରେ ଅଛି। ଯେଉଁମାନେ ଏହାକୁ କିଣିପାରୁଛନ୍ତି। ପୁରୁଣା ଶ୍ରୀନଗରର ଅଣ ଓସାରିଆ ଗଳିରେ (ମୁଖ୍ୟତଃ ନୱହାତା ଏବଂ ରୈନାୱାଡ଼ି ଅଞ୍ଚଳରେ) ଏହି ମେସିନ୍ଗୁଡ଼ିକ ଚାଲିବାର ଶବ୍ଦ ମୁଁ ନିୟମିତ ଶୁଣିପାରେ।
ଥରେ ବୁଣା କାମ ସରିବା ପରେ, ପଶ୍ମିନା ଶାଲ୍ଗୁଡ଼ିକୁ ଶ୍ରୀନଗରର କାରଖାନାଗୁଡ଼ିକରେ ହାତରେ ରଙ୍ଗ ଦିଆଯାଉଥିଲା। ରଞ୍ଜକମାନେ ପ୍ରତି ଶାଲ୍ ପିଛା ୧୫୦-୨୦୦ ଟଙ୍କା (ଅନ୍ୟ ଉଲ୍ ପୋଷାକରେ ରଙ୍ଗ ଦେଇ ମାସିକ ୧୫,୦୦୦-୨୦,୦୦୦ ଟଙ୍କା) ରୋଜଗାର କରୁଥିଲେ। କାରଖାନାରୁ ରଙ୍ଗ ଦିଆଯାଇଥିବା ଶାଲ୍ଗୁଡ଼ିକୁ ଧୋଇବା ପାଇଁ ଝେଲମ୍ ନଦୀପଠାକୁ ପଠାଇ ଦିଆଯାଉଥିଲା।
ଏହାପରେ, ସାଧାରଣତଃ ଶାଲ୍ଗୁଡ଼ିକୁ ହାତରେ ଡିଜାଇନ୍ କରାଯାଉଥିଲା। ଯେଉଁ କଳା କାରିଗରୀ ପିଢ଼ି ପରେ ପିଢ଼ି ଧରି ରହିଆସିଛି। ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରୁ ଶ୍ରୀନଗର ଜିଲ୍ଲାର ଗଣ୍ଡେରବାଲ ବ୍ଲକ୍ରେ ଏବଂ ବାରମୂଳା ଜିଲ୍ଲାର ବାନ୍ଦିପୋର ଓ ସୋପୋର ତହସିଲ୍ ଅଞ୍ଚଳରେ ପଶ୍ମିନା ଶାଲ୍ ଉପରେ ଛୁଞ୍ଚିକାମ କରିବା ହିଁ ବହୁ କାରିଗରଙ୍କ ଜୀବିକା ଅର୍ଜନର ପନ୍ଥା। ସେମାନେ ଉଲ୍ ସୂତା ବ୍ୟବହାର କରି ଜଟିଳ ଢାଞ୍ଚା ପ୍ରସ୍ତୁତ କରନ୍ତି। ଛୁଞ୍ଚିକାମରେ କ୍ୱଚିତ୍ ରେଶମ ସୂତା ବ୍ୟବହୃତ ହୁଏ ଏବଂ ଏଭଳି ଶାଲ୍ର ଦର ବି ଅଧିକ ହୋଇଥାଏ।
“ଆମେ ଦିନକୁ ୪-୫ ଘଣ୍ଟାରୁ ଅଧିକ କାମ କରିପାରୁନାହିଁ, ଏହା ଆମ ଆଖିକୁ କଷ୍ଟ ଦିଏ,” ଗଣ୍ଡେରବାଲ୍ରେ ମତେ ଏହା କହିଲେ ୫୦ରୁ ଅଧିକ ବର୍ଷ ବୟସ୍କ କାରିଗର ନାଜିର୍ ଅହମଦ। ଯେହେତୁ ଛୁଞ୍ଚିକାମ ଦିନ ସାରା କରିହେବ ନାହିଁ, ତେଣୁ ବହୁ କାରିଗର କୃଷି ଶ୍ରମିକ ଭାବେ ମଧ୍ୟ କାମ କରିଥାଆନ୍ତି। ଅହମଦ କହିଲେ ଯେ ଡିଜାଇନ୍ ଅନୁସାରେ, ପଶ୍ମିନା ଶାଲ୍ ପାଇକାରୀ ବିକ୍ରେତାଙ୍କ ନିକଟରୁ ସେ ଦିନକୁ ୨୦୦-୩୦୦ ଟଙ୍କା ରୋଜଗାର କରନ୍ତି। ସେ କହିଲେ, “ଏହା ଆମ ପାଇଁ ପ୍ରକୃତିଦତ୍ତ। ଆମେ କମ୍ପ୍ୟୁଟରକୁ ବି ଟପି ଯାଇପାରୁ...।”
ଏହା ପରେ ଛୁଞ୍ଚିକାମ ହୋଇଥିବା କିମ୍ବା ହାତ ତିଆରି ବ୍ଲକ୍ରେ ଛପା ହୋଇଥିବା ଶାଲ୍ଗୁଡ଼ିକୁ ଶ୍ରୀନଗରର ପାଇକାରୀ ବିକ୍ରେତାମାନଙ୍କ ନିକଟକୁ ନିଆଯାଏ। ସେମାନେ ଏହାକୁ ଶ୍ରୀନଗରର ଖୁଚୁରା ବିକ୍ରେତାଙ୍କୁ ବିକି ଦିଅନ୍ତି, ଭାରତ ଓ ବିଦେଶର ଅନ୍ୟାନ୍ୟ ସହରକୁ ମଧ୍ୟ ପଠାନ୍ତି ।
୨୦୧୮ ନଭେମ୍ବରରେ ମୁଁ ପୁଣି ଥରେ ନିଆଜ ଅହମଦ୍ଙ୍କୁ ତାଙ୍କ ଲାଲ ଚୌକ ଦୋକାନରେ ଦେଖା କରିଥିଲି। ସେ ମତେ କହିଲେ, “ଶାଲ୍ଗୁଡ଼ିକ ଯେତେ ଦୂରକୁ ଯାଏ ସେତେ ଅଧିକ ଦର ହୁଏ । ଅଧିକ ଡିଜାଇନ୍ (ଶାଲ ଉପରେ)ମାନେ ଅଧିକ ସମୟ ଏବଂ ଅଧିକ ମୂଲ୍ୟ । ସଂପୂର୍ଣ୍ଣ ଡିଜାଇନ୍ କରାଯାଇଥିବା ଗୋଟିଏ ଶାଲ୍ର ମୂଲ୍ୟ ୧ ଲକ୍ଷରୁ ୫-୬ ଲକ୍ଷ ଟଙ୍କା ହୋଇଥିବା ବେଳେ ସାଧା ଶାଲ୍ଗୁଡ଼ିକ ୧୦,୦୦୦ ଟଙ୍କା ଏବଂ ବର୍ଡର ଥିବା ଶାଲ୍ଗୁଡ଼ିକ ୩୦,୦୦୦-୪୦,୦୦୦ ଟଙ୍କା ମୂଲ୍ୟର ହୋଇପାରେ ।”
ଅନୁବାଦ: ଓଡ଼ିଶାଲାଇଭ୍