“କୋନ୍ଦ୍ରା ସମ୍ମିହା … ଆର୍ଥିକ ଋଣ ସମ୍ବନ୍ଧୀୟ ମାନସିକ ପୀଡା ସହ୍ୟ କରିନପାରି କୀଟନାଶକ ବିଷପାନ କରିଥିଲେ…” ବୋଲି FIR(ଏଫଆଇଆର୍)ରେ ଉଲ୍ଲେଖ ହୋଇଛି ।
ସେପ୍ଟେମ୍ବର ୧୭, ୨୦୧୭ରେ ନରସାପୁର ଗ୍ରାମ, ଯେଉଁଠାରେ ସମ୍ମିହା ଓ ତାଙ୍କର ସ୍ତ୍ରୀ କୋନ୍ଦ୍ରା ସାଗରିକା ଛଅ ଏକର ଜମିରେ ବର୍ଷା ପୋଷିତ ଜମିରେ ବିଟ୍-କାର୍ପାସ୍ ଚାଷ କରିଥିଲେ, ସେଠାରୁ ତିନି କିଲୋମିଟର୍ ଦୂରରେ ଅବସ୍ଥିତ ଥାରିଗୋପୁଲ୍ଲା ପୋଲିସ୍ ଷ୍ଟେସନ୍ରେ FIR (ଏଫଆଇଆର୍) ଫାଇଲ୍ କରାଯାଇଥିଲା ।
ତାଙ୍କର ଋଣ ବୋଝ ୫ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା, ଯାହା ସେମାନେ ମୁଖ୍ୟତଃ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଭିନ୍ନ ଭିନ୍ନ ସୁଧ ହାରରେ ନେଇଥିଲେ । ସମ୍ମିହା ଓ ସାଗରିକାଙ୍କର ଏକ ଏକରରୁ ଅଳ୍ପ ଅଧିକ ପରିମାଣର ଜମି ଥିଲା ଓ ବଳକା ସେମାନେ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଲିଜ୍ରେ ନେଇଥିଲେ । “ପ୍ରତ୍ୟେକ ଋତୁ ପୂର୍ବରୁ ଧାର କରଜ କରି ଟଙ୍କା ଯୋଗାଡ଼ କରିବା ପ୍ରକ୍ରିୟା ଏହି ଋଣ ପାଇଁ ଦାୟୀ,” ବୋଲି ସାଗରିକା କୁହନ୍ତି । ଦୁର୍ଭିକ୍ଷ ଯୋଗୁଁ ତାଙ୍କୁ ଆହୁରି ଅଧିକ କ୍ଷତି ସହିବାକୁ ପଡିଲା ।
ନିଜ ଜମିରେ ଚାଷକାମ କରିବାକୁ ପ୍ରୟାସ କରିବା ପୂର୍ବରୁ , ଏହି ଦମ୍ପତି କୃଷି ଶ୍ରମିକ ଭାବେ କର୍ପାସ୍ କ୍ଷେତରେ କାମ କରୁଥିଲେ । ୨୦୧୧ରେ ସମାନେ ପରସ୍ପରକୁ ବିବାହ କରିବା ପରେ, କିଛି ସମୟ ପାଇଁ ହାଇଦ୍ରାବାଦ୍ରେ ରହିଥିଲେ, ଯେଉଁଠି ସମ୍ମିହା ଡ୍ରାଇଭର ବୃତ୍ତି କରୁଥିଲେ। ହେଲେ, ସମ୍ମିହାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେମାନେ ୨୦୧୩ ମସିହାରେ ତେଲେଙ୍ଗାନାର ଜନ୍ଗାଓଁ ଜିଲ୍ଲାସ୍ଥିତ ନରସପୁକୁ ଫେରି ଆସିଲେ ।
୨୦୧୭ ମସିହାରେ ମାତ୍ର ୨୯ ବର୍ଷ ବୟସରେ ସମ୍ମିହା ଆତ୍ମହତ୍ୟା କରିଥିଲେ । ସେତେବେଳକୁ ସାଗରିକାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା । ସେମାନଙ୍କର ଦୁଇ ପିଲା ସ୍ନେହିତା ଓ ସାତ୍ୱିକଙ୍କୁ ଯଥାକ୍ରମେ ୫ ଓ ୩ ବର୍ଷ ହୋଇଥିଲା । “ପିଲାମାନେ ମୋ ସ୍ୱାମୀଙ୍କ ସହିତ ବିତେଇଥିବା ଦିନଗୁଡିକ ବିଷୟରେ ପ୍ରାୟ ସବୁଦିନ ମନେ ପକାନ୍ତି,” ବୋଲି ସେ କହନ୍ତି । “ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରଥମ ବର୍ଷ ଅତ୍ୟନ୍ତ କଷ୍ଟକର ଥିଲା । ମୋର ବନ୍ଧୁବାନ୍ଧବମାନେ ମତେ କୌଣସି ସାମାଜିକ କାର୍ଯ୍ୟକୁ ଡାକୁନଥିଲେ । ବର୍ତ୍ତମାନ କିନ୍ତୁ ସେମାନେ ମୋର ସଂଘର୍ଷ ଦେଖିବା ପରେ ମତେ ଡାକିବାକୁ ଆରମ୍ଭ କଲେଣି…”







