ପ୍ରାୟ ସଂଧ୍ୟା ୭ଟା। ଉଦୟପୁରର ବାଗୋର କି ହାଭେଲୀ ମଞ୍ଚ ଉପରକୁ ଉଠିଲେ ନିର୍ମଳା ଦେବୀ। ପିନ୍ଧିଥିବା ଘାଗରାରେ ସୁନା-ରୁପାର ଲେସ୍ ଓ ଛୋଟ ଛୋଟ କାଚ ଖଣ୍ଡ ଲାଗିଥିଲା। ସେଠି ତାଙ୍କ ଝିଅ ତାରାଙ୍କ ସହ ପ୍ରାୟ ୮ ଜଣ ମହିଳା ଥିଲେ -ସମସ୍ତେ ସମସ୍ତଙ୍କ ସଂପର୍କୀୟ। ସେ ଚାରି ନୃତ୍ୟ, ଘୁମର, ଭବାଇ ଓ ସେହି ଅନୁକ୍ରମରେ ଅନ୍ୟ ପ୍ରଦର୍ଶନ ଆରମ୍ଭ କଲେ।

ସେ କହନ୍ତି, "ସେଇ ସମାନ ଶକ୍ତିରେ ପ୍ରତିଦିନ ନୃତ୍ୟ କରିବା ସହଜ ନୁହେଁ।" ତାଙ୍କ ପାଇଁ ବେଶୀ କଷ୍ଟକର ହୁଏ ଯେତେବେଳେ ଦାନ୍ତରେ ଖଣ୍ଡା ଧାରଣ କରନ୍ତି, ବା ମୁଣ୍ଡ ଉପରେ ଏକ ଧାତବ ପାତ୍ର ରଖି ସେଥିରେ କିରୋସିନ୍ ଲ୍ୟାମ୍ପ ଜାଳିବା, ବା କାଚ ଖଣ୍ଡ ଉପରେ ନାଚିବା, ବା ମୁଣ୍ଡ ଉପରେ ମାଟିହାଣ୍ଡିକୁ ସନ୍ତୁଳିତ କରି ରଖିବା ଖୁବ୍ କଷ୍ଟସାଧ୍ୟ। ତଥାପି ନିର୍ମଳାଙ୍କ ନଣନ୍ଦ ସୀମା ଦେବୀ ଓ ତାଙ୍କ ଶାଶୁ ଭାମ୍ରୀ ବାଇଙ୍କ ସମେତ ତାଙ୍କ ଦଳର ସଦସ୍ୟମାନେ ଏଭଳି ପ୍ରଦର୍ଶନ କରୁଛନ୍ତି। ନିର୍ମଳା କହନ୍ତି, "ମୋ ନଣନ୍ଦ ୧୧ଟି ମାଟିହାଣ୍ଡିକୁ ମୁଣ୍ଡ ଉପରେ ରଖି ପାରନ୍ତି, କିନ୍ତୁ ପ୍ରଦର୍ଶନ ଶେଷ ବେଳକୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସେ ଝାଳରେ ଓଦା ହୋଇଯାଇଥାନ୍ତି। ତଥାପି ସେ ମଞ୍ଚ ଉପରେ ହସୁଥାନ୍ତି ଆଉ ପରବର୍ତ୍ତୀ ନାଚ ପାଇଁ ପୋଷାକ ବଦଳାଇବାକୁ କକ୍ଷକୁ ଯାଆନ୍ତି।"

କିନ୍ତୁ 'ତେରା ତାଲି' ପାଇଁ ନୃତ୍ୟ କରୁଥିବା ଏହି କମଡ଼ ସଂପ୍ରଦାୟ (ଅନୁସୂଚିତ ଜାତି ତାଲିକାଭୁକ୍ତ) ବେଶ ପରିଚିତ। ଏକ ଘଣ୍ଟାର କାର୍ଯ୍ୟକ୍ରମ ଭିତରୁ ଏହି ୧୦-୧୫ ମିନିଟ୍ର ପ୍ରଦର୍ଶନ ସ୍ଥାନୀୟ ଲୋକକଳାର ହିରୋ ବାବା ରାମଦେବଙ୍କୁ ଶ୍ରଦ୍ଧାଞ୍ଜଳି। ଏହି ସଂପ୍ରଦାୟର ଜଣେ ବର୍ଷୀୟାନ କଳାକାର କହନ୍ତି, ଦଳିତଙ୍କୁ ସହଯୋଗ କରିବାରେ ସେ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଛନ୍ତି।

ଫିଲ୍ମଟି ଦେଖନ୍ତୁ : ତେରା ତାଲି: ନିର୍ମଳା କହନ୍ତି, ୧୩ଟି ଝାଞ୍ଜର ତାଳରେ ନୃତ୍ୟ।

ଏହାର କ୍ରମ ବିବର୍ତ୍ତିତ ହୋଇଛି, ନିର୍ମଳା ମୋତେ କହିଲେ, ନବରାତ୍ର ବେଳେ ବା ଭଜନ ଗାଇବା ବେଳେ ବା ମନ୍ଦିରରେ ତାନପୁରା, ଢୋଲ ଓ ମଞ୍ଜିରା (ପିତ୍ତଳ ଝାଞ୍ଜ) ବାଦନ ବେଳେ ଏହି ସଂପ୍ରଦାୟର ଲୋକେ ତେରା ତାଲି ପରିବେଷଣ କରନ୍ତି। ଏହା ଏହିଭଳି ପରିବେଷିତ ହୋଇଥାଏ - ମଞ୍ଜିରାକୁ ଏକ ରଶିରେ ଦେହରେ ବନ୍ଧା ଯାଇଥାଏ - ଗୋଡ଼ରେ, ଆଙ୍ଗୁଠିରେ, ହାତରେ - ଏବଂ ୧୩ ( ତେର ) ଟି ଭିନ୍ନଭିନ୍ନ ପ୍ରକାରେ ଏହାର ପରିବେଷଣ ହୋଇଥାଏ।

ଛୋଟ ମଞ୍ଜିରା ପିନ୍ଧି ପିଲାବେଳେ ନିର୍ମଳା ତାଙ୍କ ମାଆଙ୍କ ନୃତ୍ୟକୁ ଅନୁକରଣ କରୁଥିଲେ। ତାଙ୍କ ପାଇଁ ତାଙ୍କ ମାଆ ଏହି ମଞ୍ଜିରାଟି ବନେଇ ଦେଇଥିଲେ। ନିର୍ମଳାଙ୍କ ଘର ରାଜସ୍ଥାନ ପାଲି ଜିଲ୍ଲାର ପଦର୍ଲା ଗାଁରେ। ଜେଜେ ବାପା ଜେଜେ ମାଆଙ୍କ ସହ ମେଳା, ମହୋତ୍ସବ, ମନ୍ଦିରକୁ ଯିବା ପାଇଁ ସେ ତୃତୀୟ ଶ୍ରେଣୀରୁ ପାଠ ଛାଡିଲେ। ଧୀରେ ଧୀରେ ସେ ଦକ୍ଷ ନୃତ୍ୟଶିଳ୍ପୀ ପାଲଟିଗଲେ। ଯେତେବେଳେ ତାଙ୍କୁ ୧୨ ବର୍ଷ ସେତେବେଳେ ସେ ତାଙ୍କ ଜେଜେ ବାପାଙ୍କ ସହ ଆଜମେର ନିକଟରେ ଚାଲୁଥିବା ପୁଷ୍କର ମେଳାରେ ପ୍ରଥମ ଥର ପାଇଁ ମଞ୍ଚରେ ନୃତ୍ୟ ପରିବେଷଣ କରିବାକୁ ଯାଇଥିଲେ। ତାଙ୍କ ଜେଜେବାପା  ଜଣେ ହାରମୋନିୟମ- ଢୋଲକ ବାଦକ ଓ ଗାୟକ। ନିର୍ମଳା ଲୋକଗୀତ ବି ଗାଇ ପାରନ୍ତି। ସେ କହନ୍ତି, "ମୁଁ କାହାଠାରୁ ଶିକ୍ଷା ନେଇନି। ଆମ ପରିବାର ଲୋକ ଏକାଠି ହୁଅନ୍ତି ଆଉ ପୂଜା ପାର୍ବଣରେ ସଂଗୀତ ପରିବେଷଣ କରନ୍ତି।"

A girl is playing harmonium
PHOTO • Urja

ମଞ୍ଚ ବାହାରେ ତାରା ଓ ତାଙ୍କ ମାଆ ନିର୍ମଳା: ‘ମୁଁ ମଞ୍ଚକୁ ଯିବା ​ବେଳେ ଦର୍ଶକଙ୍କ ମୁହଁରୁ ମୋ ନାଁ ଶୁଣିବାକୁ ମୋର ଇଛା ଅଛି।’

ଯେତେବେଳେ ନିର୍ମଳାଙ୍କୁ ୧୨ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପରିବାର ଲୋକ କ୍ଷେମ ଦାସ କମଡଙ୍କ ସହ ତାଙ୍କ ବିବାହ ଆୟୋଜନ କରିଥିଲେ। କ୍ଷେମ ଦାସ ହେଉଛନ୍ତି ଗୋଗୁଣ୍ଡା ତହସିଲ ଢୋଲ ଗାଁର ଜଣେ ଗାୟକ ଓ ହାରମୋନିୟମ ବାଦକ। ସେ ୧୫ ବର୍ଷର ହେବା ପରେ ତାଙ୍କ ସହ ଏକାଠି ରହିବାକୁ ଗଲେ। ତାଙ୍କ ପୁଅ ଶ୍ୟାମ ଦାସଙ୍କୁ ଏବେ ୧୮ ବର୍ଷ। ତାରା କୁମାରୀ ଗର୍ଭରେ ୯ ମାସର ହୋଇଥିବା ବେଳେ ତାଙ୍କ ସ୍ୱାମୀ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ତାରାଙ୍କୁ ଏବେ ୧୬ ବର୍ଷ। ନିର୍ମଳା କହନ୍ତି, "ତାରା ତା ବାପାଙ୍କୁ ଦେଖି ନାହିଁ, ମୁଁ ତା ପାଇଁ ସବୁ କିଛି।"

ସେ ସମୟରେ ନିର୍ମଳା ଓ ଖେମ ଦାସ ଇନ୍ଦୋର ଯାଇଥିଲେ। ସେଠି ସେମାନେ ଏକ ହୋଟେଲରେ ପରିବେଷଣ କରିଥିଲେ। କ୍ଷେମ ଦାସଙ୍କ ମୃତ୍ୟୁ ପରେ ଅହମ୍ମଦାବାଦର ଏକ ହୋଟେଲରେ ପରିବେଷଣ କରୁଥିବା ନିର୍ମଳାଙ୍କ ଭାଇ, ତାଙ୍କୁ ସେଠାକୁ ପଳାଇ ଆସିବାକୁ କହିଥିଲେ। ଅହମ୍ମଦାବାଦରେ ୧୨ ବର୍ଷ ରହିବା ପରେ ନିର୍ମଳା ଓ ତାଙ୍କ ପରିବାର ୪ ବର୍ଷ ତଳେ ଉଦୟପୁର ଚାଲି ଆସିଛନ୍ତି।

ଉଦୟପୁରର ପୁରୁଣା ସହରରେ ଏକ ପୁରୁଣା ଘରେ ଏହି ପରିବାର ରହୁଛନ୍ତି। ପିଚୋଲା ହ୍ରଦ ସାମ୍ନାରେ ଥିବା ରାଜ୍ୟସରକାରଙ୍କ ଦ୍ୱାରା ପରିଚାଳିତ ସଂଗ୍ରହାଳୟ ବାଗୋର କି ହାବେଲିରେ ‘ଶୋ’ ଆୟୋଜନ କରୁଥିବା ଧରୋହର ଲୋକ ନୃତ୍ୟର କର୍ମକର୍ତ୍ତାମାନେ ତାଙ୍କ ପାଇଁ ଏହି ଘରଟି ଯୋଗାଡ଼ କରି ଦେଇଛନ୍ତି।

ବାଗୋର କି ହାବେଲୀରେ ନିର୍ମଳା ଓ ତାରା ମାସିକ ୫ ହଜାର ଟଙ୍କା ଲେଖାଏଁ ରୋଜଗାର କରନ୍ତି। ଏହା ସହ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଉଦୟପୁରର ବିଭିନ୍ନ ହୋଟେଲ ଏହି ଗ୍ରୁପ୍କୁ ପରିବେଷଣ ପାଇଁ ନିମନ୍ତ୍ରଣ କରନ୍ତି। ଏହି ସମୟ ତାଙ୍କ ପାଇଁ ସବୁଠୁ ବ୍ୟସ୍ତ ସମୟ। ସେ କହନ୍ତି, "୨ ରୁ ୩ ଘଣ୍ଟାର ପରିବେଷଣ ପାଇଁ ଆମେ ଜଣକା ୧,୦୦୦ ଟଙ୍କା [ଅନ୍ୟ ହୋଟେଲରେ] ପାଇଥାଉ।" ଗୋଟିଏ ମାସରେ ସେମାନଙ୍କୁ ଏଭଳି ପ୍ରାୟ ୫ଟି ଶୋ ମିଳିଥାଏ। ନିର୍ମଳା କହନ୍ତି, "ଯେତେବେଳେ ଦିଲ୍ଲୀ କିମ୍ବା ଅନ୍ୟ କେଉଁ ଦୂର ସ୍ଥାନକୁ ଯାଉ ସେତେବେଳେ ଆମେ ପ୍ରାୟ ୩,୦୦୦ ଟଙ୍କା ପାଇଥାଉ।"

Two women are performing traditional Terah Taali dance Rajasthani dance
PHOTO • Urja
Women artists getting ready for Terah Taali dance
PHOTO • Urja

ମୁଣ୍ଡରେ ହାଣ୍ଡି ରଖି, ଝାଞ୍ଜ ବଜାଇ, ଖଣ୍ଡା ଧାରଣ କରି, ଲ୍ୟାମ୍ପ ଜାଳି ନୃତ୍ୟ କରୁଥିବା

କଳାକାର ଏବଂ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ପରିବେଷଣ ପାଇଁ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ବିଦେଶ ଗସ୍ତ କରିଛନ୍ତି। ନିର୍ମଳା କହନ୍ତି ୨୦୧୪ରେ ସେମାନେ ଦୀର୍ଘ ଏକମାସ ବିଦେଶ ଗସ୍ତ କରିଥଲେ। ଏଭଳି ସେ ଦୁଇ ଥର ଯାଇଛନ୍ତି। ବ୍ରାଜିଲ, କ୍ୟୁବା ଓ ନେଦରଲ୍ୟାଣ୍ଡ ସମେତ ସେ ୧୨ଟି ଦେଶରେ ପରିବେଷଣ କରିଛନ୍ତି।

ନୃତ୍ୟ କରିବା ସହ ତାରା ଉଦୟପୁର ସରକାରୀ ସ୍କୁଲରେ ଏକାଦଶରେ ପଢୁଛନ୍ତି। ତାଙ୍କର ଇଛାଧୀନ ବିଷୟ ରହିଛି ସଂଗୀତ ଓ ଚିତ୍ରାଂକନ। ସେ କହନ୍ତି, ବିଭିନ୍ନ ସହରରେ ପରିବେଷଣ କରିଥିବାରୁ ତାଙ୍କ ଶିକ୍ଷକମାନେ ଏହାକୁ ନେଇ ଗର୍ବ ଅନୁଭବ କରନ୍ତି। କିନ୍ତୁ କିଛି ସହପାଠୀ ତାଙ୍କୁ ତଳୁଆ ଦୃଷ୍ଟିରେ ଦେଖନ୍ତି। ସେ କହନ୍ତି, "ମୋ ଭଳି ସେମାନେ ନାଚି ପାରିବେନି, ସେମାନେ କଳାକୁ କେବେ ବି ବୁଝି ପାରିବେନି। କେବଳ ଆମକୁ ଅସମ୍ମାନ କରିବା ଜାଣିଛନ୍ତି। ମୁଁ ଯେତେବେଳେ ନୃତ୍ୟ କରେ ଏସବୁ କଥା ଭୁଲିଯାଏ, ଘର ସମସ୍ୟା ଏବଂ ସବୁ କିଛି।"

ଗୀତ ଗାଇବାରେ ମଧ୍ୟ ତାରାଙ୍କର ରୁଚି ରହିଛି। ସେ କହନ୍ତି, "ମୁଁ ଇଛା କରୁଛି ମଞ୍ଚକୁ ଉଠିବା ବେଳେ ଦର୍ଶକମାନେ ମୋ ନାଁ ନିଅନ୍ତୁ। ମୁଁ ଜାଣିନି ଏହା ମୋ ବାପାଙ୍କ ସ୍ୱର କି ନାହିଁ, କିନ୍ତୁ ମୋ ପରିବାର ଲୋକ ଏଭଳି କହନ୍ତି। ଏହି ସ୍ୱର ମୁଁ ଉତ୍ତରାଧିକାର ସୂତ୍ରରେ ପାଇଛି। ମୁଁ ଯେତେବେଳେ ଏକଥା ଭାବେ, ସେତେବେଳେ ଭଲ ଗାୟକଟିଏ ହେବା ମୋ ପାଇଁ କଷ୍ଟକର ନୁହେଁ ବୋଲି ଅନୁଭବ କରେ। ମୁଁ ସେହି ସ୍ଥାନରେ ପହଞ୍ଚି ପାରିବି ବୋଲି ଭାବି ନିଏ।"

A old women getting ready to perform Terah Taali dance
PHOTO • Urja
A old women performing traditional Terah Taali dance of Rajasthan
PHOTO • Urja

ନିର୍ମଳାଙ୍କ ଶାଶୁ ଭାମ୍ରୀ ବାଇ, ଏବେ ବି ୭୦ ବର୍ଷ ବୟସରେ ପରିବେଷଣ କରୁଛନ୍ତି, କିନ୍ତୁ ତାରା ଚାହାନ୍ତିନି ଯେ ତାଙ୍କ ଜେଜେମାଆଙ୍କ ଭଳି ତାଙ୍କ ମାଆ ମଧ୍ୟ ବୟସ ହେବା ପରେ ଆଉ ନୃତ୍ୟ କରନ୍ତୁ

ନିର୍ମଳା ଚାହାନ୍ତି ତାଙ୍କ ପିଲାମାନେ ପାଠ ପଢନ୍ତୁ। ତାଙ୍କ ପୁଅ ଦୂରରେ ରହି ବିଏ ଡିଗ୍ରୀ କରୁଛନ୍ତି। ସେ ଜିମ୍ ତାଲିମ୍ରେ କ୍ୟାରିଅର କରିବାକୁ ଚାହାନ୍ତି। ନିର୍ମଳା କହନ୍ତି, "ତାରା ଗୀତ ନାଚ ଜାରି ରଖିବା ଉଚିତ। କିନ୍ତୁ ମୁଁ ଭାବୁଛି ଜଣେ ଶିକ୍ଷିତ ହେବା ପରେ ତା ପାଇଁ ସବୁ କିଛି ସହଜ ହୋଇଯାଏ। ମୁଁ ଗୀତ ଗାଇବାକୁ ଭଲ ପାଏ, କିନ୍ତୁ ସବୁ ପଦ ମନେ ରଖି ପାରେନି। ଯଦି ମୁଁ ଲେଖାପଢା ଜାଣିଥାନ୍ତି, ଖଣ୍ଡେ କାଗଜ ଧରି ପଢି ପାରନ୍ତି।"

ତାରା ଚାହାନ୍ତି, ଯେ ବୟସ ହେବା ପରେ ତାଙ୍କ ଜେଜେମାଆଙ୍କ ଭଳି ତାଙ୍କ ମାଆ ଆଉ କାମ କରନ୍ତୁ। ସେ କହନ୍ତି, "ମମି ବୁଢି ହୋଇଯିବା ପରେ ସେ ଘରେ ରହିବା ଉଚିତ୍। ନୂଆ ପୋଷାକ ପିନ୍ଧିବା ଆଉ ସ୍ୱାଦିଷ୍ଟ ଖାଦ୍ୟ ଖାଇବା କଥା।"

କିନ୍ତୁ ଆହୁରି ଅନେକ ଦିନ ପର୍ଯ୍ୟନ୍ତ ମଞ୍ଚରେ ରହିବାକୁ ନିର୍ମଳାଙ୍କ ଇଛା। ସେ କହନ୍ତି, "ଦିନରେ ଭାରି ମାନ୍ଦା ଲାଗେ। କିନ୍ତୁ ମଞ୍ଚ ଉପରକୁ ଉଠିବା ବେଳ ହେଲେ ସ୍ଫୁର୍ତ୍ତି ଜାଗ୍ରତ ହୁଏ।"


ଅନୁବାଦ: ଓଡ଼ିଶାଲାଇଭ୍

Urja

اورجا، پیپلز آرکائیو آف رورل انڈیا (پاری) کی سینئر اسسٹنٹ ایڈیٹر - ویڈیوہیں۔ بطور دستاویزی فلم ساز، وہ کاریگری، معاش اور ماحولیات کو کور کرنے میں دلچسپی لیتی ہیں۔ اورجا، پاری کی سوشل میڈیا ٹیم کے ساتھ بھی کام کرتی ہیں۔

کے ذریعہ دیگر اسٹوریز Urja
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE