ନିଜ ବାପାଙ୍କର ମୃତ୍ୟୁ ବାର୍ଷକୀ ପାଇଁ, ଥିରୁ ମୁର୍ତ୍ତୀ ଏକ ଅସାଧାରଣ ଭେଟ ଦିଅନ୍ତି: ଦଶ ପ୍ରକାରର ସାବୁନ, ବିଭିନ୍ନ ପ୍ରକାରର ନଡିଆ ତେଲ ଏବଂ ତାଙ୍କର ତାରକା ପ୍ରଡକ୍ଟ: ହଳଦୀ ଗୁଣ୍ଡ। ଏହା ବ୍ୟତୀତ ଏକ ଲାଲ କଦଳୀ ଫେଣା, ଫୁଲ, ନଡିଆ, ଏବଂ ଜଳନ୍ତା କର୍ପୂର, ସୁନ୍ଦରମୁର୍ତ୍ତୀଙ୍କର ଫୁଲମାଳରେ ସଜ୍ଜିତ ଫଟୋ ସମ୍ମୁଖରେ ରଖାଯାଇଛି।
ସେ ଏକ ଫେସ୍ବୁକ ପୋଷ୍ଟରେ ପଚାରନ୍ତି,"ଆପ୍ପାଙ୍କ ପାଇଁ ଆଉ କ’ଣ ଭଲ ଶ୍ରଦ୍ଧାଞ୍ଜଳି ହୋଇପାରେ?" ତାଙ୍କର ବାପା ମଞ୍ଜଲ(ହଳଦୀ) ଚାଷ କରିବା ବନ୍ଦ କରିଦେଇଥିଲେ। ଥିରୁ ଏହି ଚାଷ କରିବା ଆରମ୍ଭ କରିଥିଲେ ଯେତେବେଳେକି ସମସ୍ତେ ତାଙ୍କୁ ବାରଣ କରିଥିଲେ। ସେ ହସିକରି କୁହନ୍ତି,"ସେମାନେ ମୋତେ ମଲ୍ଲୀ (ମାଳତି) ଚାଷ କରିବା ପାଇଁ କହିଲେ, କାରଣ ଫୁଲ ଦୈନିକ ରୋଜଗାର ଦିଏ। ଯେତେବେଳେ ମୁଁ ମଞ୍ଜଲ ଚାଷ କଲି ସେମାନେ ମୋତେ ଉପହାସ କଲେ"। ଥିରୁ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କଲେ। ତାଙ୍କର କାହାଣୀ ହେଉଛି ବିରଳ: ଏକ ହଳଦୀ ବିଜୟ।
ତାମିଲନାଡୁ ଇରୋଡ ଜିଲ୍ଲାର ଭବାନିସାଗର ବ୍ଲକର ଉପ୍ପୁପଲ୍ଲମ ହାମଲେଟରେ ନିଜ ବଡ ଭାଇଙ୍କ ସହ ଯୌଥ ମାଲିକାନାରେ ଥିବା ୧୨ ଏକର ଜମିରେ ୪୩ ବର୍ଷୀୟ ଥିରୁ ମୁର୍ତ୍ତୀ ଚାଷ କରନ୍ତି। ସେ ତିନୋଟି ଫସଲ ଚାଷ କରନ୍ତି- ହଳଦୀ, କଦଳୀ ଏବଂ ନଡିଆ। କିନ୍ତୁ ସେ ସେଗୁଡ଼ିକୁ ହୋଲସେଲରେ ବିକ୍ରୟ କରନ୍ତି ନାହିଁ। ସେ କୁହନ୍ତି ଏହା ମୂଲ୍ୟହୀନ ହେବ ଯେତେବେଳେ ତାଙ୍କର ଦର ଉପରେ ନିୟନ୍ତ୍ରଣ ରହିବ ନାହିଁ। ବଡ ବ୍ୟବସାୟୀମାନେ, କର୍ପୋରେଟମାନେ ଓ ସରକାର ସ୍ଥାନୀୟ, ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଦରଗୁଡ଼ିକ ସ୍ଥିର କରନ୍ତି।
ସମୃଦ୍ଧଶୀଳ ହଳଦୀ ବଜାରରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଦେଶ। ୨୦୧୯ମସିହାରେ ରପ୍ତାନୀ $୧୯୦ମିଲିୟନ ପହଚିଁଥିଲା- ଯାହାକି ବିଶ୍ୱ ବାଣିଜ୍ୟର ୬୨.୬୨ ପ୍ରତିଶତ ଥିଲା। ଧରିନେବା: ଭାରତ ମଧ୍ୟ ଆମଦାନିକାରୀ-ଦ୍ୱିତୀୟ ସର୍ବବୃହତ୍, ୧୧.୩ ପ୍ରତିଶତରେ। ଗତ ବର୍ଷେ ହେଲାଣି ଆମଦାନୀରେ ଏହି ବ୍ୟାପକ ବୃଦ୍ଧି ଭାରତୀୟ ହଳଦୀ ଚାଷୀଙ୍କର ସ୍ୱାର୍ଥ କୁ କ୍ଷତି ପହଁଚାଉଛି।
ଘରୋଇ ବଜାରଗୁଡ଼ିକ- ଇରୋଡ଼ର ମଣ୍ଡିଗୁଡ଼ିକ-ସେମାନଙ୍କୁ ସଂକୁଚିତ କରିସାରିଲେଣି। ବଡ ବ୍ୟବସାୟୀମାନେ ଓ କ୍ରେତାମାନେ ମୂଲ୍ୟ ସ୍ଥିର କରନ୍ତି। ଜୈବ ଉତ୍ପାଦ ପାଇଁ କୌଣସି ପସନ୍ଦଯୋଗ୍ୟ ମୂଲ୍ୟ ନାହିଁ ଏହା ସହିତ ଏକ ବର୍ଷର ମାନ୍ଦା ଅବସ୍ଥା ପରେ ଏ ବର୍ଷ ବହୁତ ଭଲ ଅମଳ ହୋଇଛି। ୨୦୧୧ ମସିହାରେ ଏହି ଫସଲ କ୍ୱିଣ୍ଟାଲ୍ ସର୍ବାଧିକ ପିଛା ୧୭,୦୦୦ଟଙ୍କା ରୋଜଗାର ଦେଇଥିଲା। ତା ପର ବର୍ଷ ଏହା ସେହି ମୂଲ୍ୟର ଏକ ଚର୍ତୁଥାଂଶକୁ ଖସିଆସିଲା। ୨୦୨୧ରେ ହାରାହାରି ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୭,୦୦୦ଟଙ୍କା ଥିଲା।
କୌଶଳ, ଅଧ୍ୟବସାୟ ଏବଂ ଏକ ସୋସିଆଲ୍ ମିଡିଆ ଆକାଉଣ୍ଟ ସହାୟତାରେ ଥିରୁ ଏକ ସରଳ ସମାଧାନ ପାଇଲେ: ମୂଲ୍ୟ ଯୋଗ। ତାଙ୍କର ପ୍ରୟାସର ନକଲ ସର୍ବତ୍ର କରିହେବ ନାହିଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ସଫଳତା ଥିଲା। ସେ ବୁଝାଇ କୁହନ୍ତି,"ବଗିଚା ନିକଟରେ ପ୍ରତି ନଡ଼ିଆ ୧୦ଟଙ୍କାରେ ବିକ୍ରି ହୋଇଥାଏ, ମୋତେ ଏଥିରୁ ତିନିଗୁଣା ଅଧିକ ମୂଲ୍ୟ ମିଳୁଛି କାରଣ ମୁଁ ଏଥିରୁ ତେଲ ବାହାର କରୁଛି ଏବଂ ସେଥିରୁ ସାବୁନ୍ ତିଆରି କରୁଛି। ହଳଦୀର ମଧ୍ୟ ସେହି ସମାନ କାହାଣୀ"। "ମୁଁ ତାହା ୧.୫ ଏକର ଜମିରେ ଚାଷ କରେ। ଯଦି ମୁଁ ୩୦୦୦ କିଲୋ ମଣ୍ଡିରେ ବିକ୍ରି କରିବି, ପ୍ରତି ଜୈବହଳଦୀ କିଲୋ ପିଛା ମୁଁ ପାଖାପାଖି ୫୦ଟଙ୍କା କ୍ଷତି ସହିବି।"
ଜୈବିକ ଉପାୟରେ ଚାଷ କରିବା ପାଇଁ ସ୍ଥିର କରିଥିବାରୁ ରସାୟନିକ ସାର ପ୍ରୟୋଗ କରି ଚାଷ କରୁଥିବା କୃଷକମାନଙ୍କ ଅପେକ୍ଷା ତାଙ୍କର ଉତ୍ପାଦନର ମୂଲ୍ୟ ବହୁତ ଅଧିକା ତଥାପି, ସେ ତାଙ୍କର ପଡୋଶୀମାନଙ୍କ ଅପେକ୍ଷା ବହୁତ କରୁଛନ୍ତି।
ଇରୋଡ଼ରେ ଥିବା ସତ୍ୟମଙ୍ଗଲମ୍ ରେଞ୍ଜର ପାଦଦେଶରେ ଥିବା ତାଙ୍କର ଚାଷ ହେଉଛି ଗ୍ରାମ୍ୟ ଜୀବନର ସଂଜ୍ଞା: ବାଇଗଣୀ ରଙ୍ଗର ପାହାଡ଼ର ଧାଡି, ପ୍ରତ୍ୟେକ ମେଘ ବାଦଲର କ୍ୟାପ୍ ପିନ୍ଧି ସବୁଜ କ୍ଷେତର ପଛ ପଟେ ଉଠିଥାନ୍ତି। ତାଙ୍କର ହଳଦୀ ଗଛଗୁଡ଼ିକ ଲମ୍ବା, ସେମାନଙ୍କର ପ୍ରଶସ୍ତ ପତ୍ର ଉଭୟ କୋମଳ ବର୍ଷା ଏବଂ ଅକ୍ଟୋବର ସୂର୍ଯ୍ୟରେ ଭିଜିଯାଏ। କ୍ଷେତରେ ଲାଇନ ହୋଇ ଲାଗିଥିବା ନଡ଼ିଆ ଗଛ ଉପରେ ବାୟା ଚଢେଇମାନେ ବସା କରନ୍ତି; ସେମାନେ ଉଚ୍ଚ ସ୍ୱରରେ ଚିତ୍କାର କରନ୍ତି, ବରଡ଼ାଗୁଡ଼ିକ ଚାରିପଟେ ଘୁରି ବୁଲନ୍ତି। ଏହା ବହୁତ ସୁନ୍ଦର, ଯେହେତୁ ସେମାନେ ଏକ କୃଷକର ସଂର୍ଘଷକୁ ଏଡେଇ ଯାଆନ୍ତି। ପରେ, ସେ ନିଜର ଗୋଲାପି-ପାଚେରୀ ବେଷ୍ଟିତ ଘରର ଧୂସର ରଂଗର ଚଟାଣରେ ବସି, ନିଜର ଚାରି ବର୍ଷର ଝିଅକୁ ନିଜ କୋଳରେ ବସାଇ, ଏହା ବିଷୟରେ ଧୀରେ ଧୀରେ, ଯତ୍ନର ସହିତ, କହିଲେ, ତା’ର ରୂପା ପାଉଁଜି ଏକ ସଂଗୀତ ସୃଷ୍ଟି କରୁଥିଲା, ଚଲ୍, ଚଲ୍, ଚଲ୍…
“ମୁଁ ଯଦି ଏହାକୁ ଏକ କିଲୋ ଏବଂ ଅଧା କିଲୋ ପ୍ୟାକେଟରେ ମୋର ଗ୍ରାହକମାନଙ୍କୁ ବିକ୍ରି କରିବି ତାହାଲେ ମୁଁ ଲାଭ କରିପାରିବି। ଏବଂ ଏହିପରି ସାବୁନ,ତେଲ ଏବଂ ଦୁଗ୍ଧ ଜାତୀୟ ପାନୀୟ’’। ଅନ୍ୟ ଅର୍ଥରେ, ସେ ନିଜର ଉତ୍ପାଦଗୁଡ଼ିକରେ ମୂଲ୍ୟ ଯୋଗ କରନ୍ତି। ପ୍ରତ୍ୟେକ ହଳଦୀ ଚାଷୀମାନଙ୍କ ପରି ସେ କଷ୍ଟ ସହି ନିଜର ଅମଳକୁ ସିଝାନ୍ତି, ଶୁଖାନ୍ତି ଏବଂ ପରିଷ୍କାର କରନ୍ତି। କିନ୍ତୁ ପରେ ସେମାନେ ଏହାକୁ ଗଚ୍ଛିତ ରଖିବେ- ଏକ ଉଚ୍ଚ ମୂଲ୍ୟ ପାଇବା ପାଇଁ ଅପେକ୍ଷା କରି- କିମ୍ବା ଏହାକୁ ମଣ୍ଡିରେ ବିକ୍ରି କରିଦେବେ। ଥିରୁ ଏହାକୁ ନିଜର ଗୋଦାମକୁ ସ୍ଥାନାନ୍ତରିତ କରିଦିଅନ୍ତି।
ତା’ପରେ ସେ ଅଳ୍ପ ଅଳ୍ପ କରି “ବଲ୍ବ’ ଓ ‘ଆଙ୍ଗୁଠି’ ଆକୃତିର ହଳଦୀକୁ ଗୁଣ୍ଡ କରି ଦିଅନ୍ତି। ସାମାନ୍ୟ ଅଭିନବ ପ୍ରକ୍ରିୟାରେ- ଏହାକୁ ସୌନ୍ଦର୍ଯ୍ୟ ସାମଗ୍ରୀ ଓ ମାଲ୍ଟେଡ୍ ପାନୀୟରେ ପରିଣତ କରନ୍ତି- ସେ ପ୍ରତି କିଲୋ ପିଛା ଅଧିକ ୧୫୦ଟଙ୍କା ରୋଜଗାର କରନ୍ତି।
ସେ ଦର୍ଶାଇଛନ୍ତି, “କିନ୍ତୁ ମୁଁ କେବଳ ସମସ୍ତ ଟଙ୍କା ରଖେ ନାହିଁ।" ସେ ଏହାକୁ ଭଲ ପାଉଥିବା ଜମିରେ ପୁନର୍ବାର ହଳ କରନ୍ତି। ତାଙ୍କ ଚାଷ କେବଳ ତାଙ୍କ ପରିବାରକୁ ସହାୟ ହେଉନାହିଁ, ବରଂ ଏହି ଅଞ୍ଚଳରେ ରୋଜଗାର ମଧ୍ୟ ସୃଷ୍ଟି କରୁଛି। “କୃଷି ଋତୁ ସମୟରେ ମୋ କ୍ଷେତରେ ଦୈନିକ ପାଞ୍ଚ ଜଣ ପୁରୁଷ ଏବଂ ତିନିଜଣ ମହିଳାଙ୍କ ପାଇଁ କାମ ରହିଥାଏ। ସେମାନଙ୍କର ମଜୁରୀ ଯଥାକ୍ରମେ ମୁଣ୍ଡପିଛା ୪୦୦ ଏବଂ ୩୦୦ ଟଙ୍କା ସହିତ ଚା ଏବଂ ବୋଣ୍ଡା [ଏକ ସୁସ୍ୱାଦୁ ସ୍ନାକ୍ସ]। ମୋର ମନେ ଅଛି ଯେତେବେଳେ ବାର୍ଷିକ ହଳଦୀ ଅମଳର ଖର୍ଚ୍ଚ ଏକର ପିଛା ୪୦,୦୦୦ଟଙ୍କାର ଏକ ଦଶମାଂଶ ହୁଏ, ଯାହା ଏବେବି ଅଛି। ଯେତେବେଳେ ମୁଁ ଶ୍ରମିକମାନଙ୍କୁ ପଚାରେ, ସେମାନେ କୁହନ୍ତି ପେଟ୍ରୋଲ ହେଉଛି ଲିଟର ପ୍ରତି ୧୦୦ ଟଙ୍କା, ଏକ ଚତୁର୍ଥାଂଶ ମଦ [୧୮୦ ମିଲି] ୧୪୦… ” ଏବଂ ସେ ହସନ୍ତି। ଏଥିମଧ୍ୟରୁ, କୌଣସିଟି, ମଧ୍ୟ ହଳଦୀର ମୂଲ୍ୟ ବୃଦ୍ଧି କରୁଥିବା ପରି ମନେ ହେଉନାହିଁ।
*****
ବାଜରା ଶସ୍ୟ ଅମଳ କରୁଥିବା ମହିଳାମାନଙ୍କର କାର୍ଯ୍ୟ ଗୀତ,
ଦେଶୀ ଆଳୁ ଏବଂ ହଳଦୀକୁ ଜଗି ରହିଥିବା ଚାଷୀମାନେ ଡ଼୍ରମ୍ ବଜାଇଲେ
ଖାଦ୍ୟ ଅନ୍ୱେଷଣରେ ଥିବା ବଣୁଆ ଘୁଷୁରିମାନଙ୍କୁ ଘଉଡାଇବା ପାଇଁ,
ଏହି ସ
ବୁ
ଶବ୍ଦ ପର୍ବତରେ ପ୍ରତିଧ୍ୱନିତ ହୁଏ
ସଙ୍ଗମ ଯୁଗର କବିତା ମଲାଇପାଦୁ କଦାମରୁ
ଲେଖକ ଚେନ୍ଥିଲ ନାଥନ, ଯିଏକି ନିଜର ବ୍ଲଗ୍, ଓଲ୍ଡ ତାମିଲ ପୋଏଟ୍ରି ଡଟ୍କ ମ୍ (OldTamilPoetry.com) ରେ ସେହି ବାକ୍ୟଗୁଡ଼ିକ ଅନୁବାଦ କରିଥିଲେ,ଦର୍ଶାଇଛନ୍ତି ଯେ ତାମିଲନାଡୁ ଓ ହଳଦୀର ସମ୍ପର୍କ ଦୀର୍ଘ ୨୦୦୦ ବର୍ଷ ପୁରୁଣା। ସେ କୁହନ୍ତି, “ ମଲଇପଡ଼ୁ କଡମ୍ ହେଉଛି ସଙ୍ଗମ ସଂଗ୍ରହରେ ଥିବା ୧୦ଟି ଦୀର୍ଘ କବିତାମାନଙ୍କ ମଧ୍ୟରୁ ଗୋଟିଏ।”
ଭାରତୀୟ ରୋଷେଇଘରର ମୁଖ୍ୟ ଆକର୍ଷଣ, ହଳଦୀ (କୁରକୁମା ଲୋଙ୍ଗା)ର ଅଦା ସହ ଅନେକାଂରେ ସାମଞ୍ଜସ୍ୟ ରହିଛି। କେନ୍ଦ୍ରୀୟ ‘ବଲ୍ବ’ ଏବଂ ଶାଖା ‘ଆଙ୍ଗୁଠି’କୁ ନେଇ ଗଠିତ ଅଣ୍ଡରଗ୍ରାଉଣ୍ଡ କାଣ୍ଡ (ରାଇଜୋମ୍) ବ୍ୟବସାୟିକ ଭାବରେ ବ୍ୟବହୃତ ହୁଏ। ଅମଳ ସମୟରେ ବଲ୍ବ ଏବଂ ଆଙ୍ଗୁଠି ଅଲଗା କରାଯାଏ ଏବଂ ପରେ ପ୍ରକ୍ରିୟାକରଣ କରାଯାଏ। ସେଗୁଡ଼ିକ ବିକ୍ରୟ ହେବା ପୂର୍ବରୁ ସିଝାଯାଏ, ଶୁଖାଯାଏ, ସଫା କରାଯାଏ ଏବଂ ପଲିସ୍ କରାଯାଏ। ନିଲାମରେ ଆଙ୍ଗୁଠି ମୂଲ୍ୟ ଅଧିକ ରହିଥାଏ।
ଖାଦ୍ୟ ଐତିହାସିକ କେ.ଟି ଆଚାର୍ଯ୍ୟ ନିଜର ପୁସ୍ତକ ଇଣ୍ଡିଆନ୍ ଫୁଡ୍: ଏକ ଐତିହାସିକ ସହଚରରେ ବର୍ଣ୍ଣନା କରିଛନ୍ତି ଯେ ହଳଦୀ ବୋଧହୁଏ ଭାରତରେ ଜନ୍ମ ଲାଭ କରିଛି। “ସେ କୁହନ୍ତି ଏହାର ଚମତ୍କାର ରଂଗ ଏବଂ ରଂଗ କରିବାର କ୍ଷମତା ହରିଦ୍ରାକୁ [ଏହାର ସଂସ୍କୃତ ନାମ] ଦେଶର ଯାଦୁ ଓ ରୀତିନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛି।’’ ଭାରତର ସଂସ୍କୃତି ଓ ରାନ୍ଧଣାରେ ମଞ୍ଜଲ ଏକ ନିତିଦିନିଆ ମସଲା ରୂପେ ବ୍ୟାପକ ଭାବରେ ବ୍ୟବହୃତ ହୁଏ। ଏକ ଚାମଚ ହଳଦୀ ଗୁଣ୍ଡ ଖାଦ୍ୟର ରଂଗ ସୁନ୍ଦର କରିଦିଏ,ଏହାକୁ ସୁସ୍ୱାଦୁ କରିଦିଏ, ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। କର୍କ୍ୟୁମିନ୍, ଉଜ୍ଜଳ ହଳଦିଆ ଉପାଦାନ, ଏହାର ମୁଖ୍ୟତଃ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧିୟ ଗୁଣ ପାଇଁ ବାହାର କରାଯାଏ।
ଏହା କିପରି କାମ କରୁଛି ତାହା ବୈଜ୍ଞାନିକମାନେ ଜାଣିବା ପୂର୍ବରୁ ଜେଜେମାମାନେ ଏହା ବିଷୟରେ ଜାଣି ସାରିଥିଲେ। ସେମାନେ ହଳଦୀ ଏବଂ ଗୋଲମରିଚ ଗରମ କରୁଥିଲେ- ଯାହା କର୍କ୍ୟୁମିନର ଜୈବ ଉପଲବ୍ଧତାକୁ ଉନ୍ନତ କରୁଥିଲା- ଘରେ କୌଣସି ଲୋକ ଥଣ୍ଡାରେ ଆକ୍ରାନ୍ତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଏହାକୁ କ୍ଷୀର ସହ ପରିବେଷଣ କରାଯାଏ। ଷ୍ଟାରବକ୍ସରେ ଏବେ ଏକ ରେସିପି ଅଛି ଯାହାର ନାମ ‘ଗୋଲଡେନ୍ ଟର୍ମରିକ ଲାଟ୍ଟେ’ ଯାହାକୁ ମୋର ଜେଜେମା ଅନୁମୋଦନ କରିପାରନ୍ତି ବା ନକରିପାରନ୍ତି। ଏଥିରେ ରହିଥାଏ ଓଟ୍ କ୍ଷୀର ଏବଂ ଏକ ଫ୍ୟାନ୍ସି ଫ୍ରୋଟିଂ ମେସିନ୍ ଏବଂ ଭାନିଲା ।
ହଳଦୀ ଶୁଭ ବୋଲି ବିବେଚନା କରାଯାଏ। ଦକ୍ଷିଣ ଭାରତରେ ବିବାହିତ ମହିଳାମାନେ ସେମାନଙ୍କ ବେକରେ ଏକ ସୂତା ପିନ୍ଧିଥାନ୍ତି ଯାହାକି ହଳଦୀରେ ରଙ୍ଗ କରାଯାଇଥାଏ। ମଞ୍ଜଲ ନିରାଟୁ ବିହା (‘ହଳଦୀ ସ୍ନାନ ସମାରୋହ’) ହେଉଛି ଏକ ଯୌବନାବସ୍ଥା ରୀତିନୀତି ଯାହାକି ଏକ ଯୁବତୀ ଝିଅର ପ୍ରଥମ ଋତୁସ୍ରାବ ପାଇଁ ପାଳନ କରାଯାଏ (ବେଳେବେଳେ ବଡ଼ ଫ୍ଲେକ୍ସ ବୋର୍ଡ ଏବଂ ଏକ ବଡ଼ ଭିଡ଼ ସହିତ) । ମଞ୍ଜଲ ମଧ୍ୟ ଏକ ଜଣାଶୁଣା ଆଣ୍ଟିସେପ୍ଟିକ୍ ଥିଲା ଏବଂ ଖୋଲା ଘା ’ଏବଂ ଚର୍ମର କ୍ଷତରେ ଏକ ପେଷ୍ଟ ଲଗାଯାଉଥିଲା । ସମାନ କାରଣ ପାଇଁ ପେଟ୍ କେୟାର ବ୍ରାଣ୍ଡଗୁଡ଼ିକ ଏହାକୁ ସେମାନଙ୍କ ଉତ୍ପାଦରେ ବ୍ୟବହାର କରନ୍ତି।
ଯେତେବେଳେ ଆମେରିକାର ଅନୁସନ୍ଧାନକାରୀମାନେ ହଳଦୀକୁ ପ୍ୟାଟେଣ୍ଟ୍ କଲେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସଆଇଆର) ୧୯୯୭ ରେ ୧୫,୦୦୦ ଡଲାରରେ ଜଣେ ଓକିଲ ନିଯୁକ୍ତ କଲେ ଏବଂ ଯୁକ୍ତି କଲେ ଯେ ଏହା ଦେଶରେ କ୍ଷତ ଆରୋଗ୍ୟ ପାଇଁ ଶତାବ୍ଦୀ ଧରି ବ୍ୟବହୃତ ହେଉଥିଲା, “ତେଣୁ ପେଟେଣ୍ଟିଂ ପାଇଁ ଆବଶ୍ୟକ ହେଉଥିବା ‘ନୂତନତା' ମାନଦଣ୍ଡର ଅଭାବ ଥିଲା ।” ହଳଦୀ ଉପରେ ଯୁକ୍ତରାଷ୍ଟ୍ର ପେଟେଣ୍ଟ ଏବଂ ଟ୍ରେଡ୍ ମାର୍କ କାର୍ଯ୍ୟାଳୟର“ବିବାଦୀୟ ପେଟେଣ୍ଟ”କୁ ସିଏସଆଇଆର ରଦ୍ଦ କରାଇଲା।
ଶିବାଜୀ ଗଣେଶନ୍ ଅନୁମୋଦନ କରିଥାନ୍ତେ। ଏହି ପ୍ରସିଦ୍ଧ ଅଭିନେତା ୧୯୫୯ ର ସମାନ ନାମର ଚଳଚ୍ଚିତ୍ରରେ ଉପନିବେଶ ବିରୋଧୀ ହିରୋ ବୀର୍ପାଣ୍ଡିଆ କାଟ୍ଟାବୋମ୍ମନ ଭୂମିକାରେ ଅଭିନୟ କରିଥିଲେ - ତାମିଲ ସିନେମାରେ ପ୍ରଥମ ଶ୍ରେଷ୍ଠ ଚଳଚ୍ଚିତ୍ର ତଥା ଶ୍ରେଷ୍ଠ ଅଭିନେତା ଭାବରେ ଅନ୍ତର୍ଜାତୀୟ ପୁରସ୍କାର ଜିତିଥିଲେ। ସେ ସେମାନଙ୍କୁ ଟ୍ୟାକ୍ସ ଦେବା ପାଇଁ ବ୍ରିଟିଶ ଆଦେଶକୁ ସେ ପ୍ରତ୍ୟାଖ୍ୟାନ କଲାବେଳେ କାଟ୍ଟାବୋମ୍ମନଙ୍କର ଯନ୍ତ୍ରଣାଦାୟକ ଲାଇନ୍: “କାହିଁକି? ତୁମେ ମୋ ସମ୍ପ୍ରଦାୟର ମହିଳାମାନଙ୍କୁ ସେମାନଙ୍କ ପାଇଁ ହଳଦୀ ଗୁଣ୍ଡ କରିବାରେ ସାହାଯ୍ୟ କରିଛ କି?”
*****
“ମୁଁ ମୋ ବାପାଙ୍କ କଠିନ ପରିଶ୍ରମ ଅମଳ କରୁଛି।”
ଥିରୁ ମୁର୍ତ୍ତୀ, ଏରୋଡ଼ରେ ହଳଦୀ ଚାଷୀ
୨୦୨୧ ଅକ୍ଟୋବରରେ ସତ୍ୟମଙ୍ଗଲମ୍କୁ ଆମର ଦ୍ୱିତୀୟ ଗସ୍ତ ସମୟରେ ପରୀଙ୍କୁ କହିଥିଲେ, ସେ ଜୀବିକା ନିର୍ବାହ ପାଇଁ ୧୮ ବର୍ଷ ବୟସରୁ ଚାଷ କରୁଛନ୍ତି। ଆମର ପ୍ରଥମ ସାକ୍ଷାତ୍ ସେହି ବର୍ଷ ମାର୍ଚ୍ଚରେ ହଳଦୀ ଅମଳ ସମୟରେ ହୋଇଥିଲା। ନିଜ ଧଳା ଧୋତିର କାନିକୁ ହାତରେ ଧରି ଦୋଳାୟମାନ ଗଛଗୁଡ଼ିକ ମଧ୍ୟରେ ଚାଲି ଚାଲି ସେ ତାଙ୍କର ଯାତ୍ରା ବିଷୟରେ କହୁଥିଲେ।
“ଆପ୍ପା ଉପ୍ପୁପଲ୍ଲମକୁ ସ୍ଥାନାନ୍ତରିତ ହୋଇଥିଲେ- ଏହା ହେଉଛି ଆମ୍ମାଙ୍କର ଜନ୍ମସ୍ଥାନ- ଏବଂ ‘୭୦ ଦଶକରେ ମାତ୍ର ଏକର ପିଛା ୧୦ କିମ୍ବା ୨୦ ହଜାର ଟଙ୍କାରେ ଜମିଟି କିଣିଥିଲେ। ଏବେ ସେହି ଏକା ଜମିର ମୂଲ୍ୟ ୪୦ଲକ୍ଷ ଟଙ୍କା। ତୁମେ ଆଉ କେବେବି ୧୦ ଏକର ଜମି କିଣି ପାରିବ ନାହିଁ!’’ ଦଶମ ଶ୍ରେଣୀରୁ ସ୍କୁଲ୍ ଛାଡ଼ିଥିବା, ୨୦୦୯ରେ ଥିରୁ ଜଣେ ପୂର୍ଣ୍ଣକାଳୀନ ଜୈବିକ ଚାଷୀ। ସେ ସେହି ସମୟରେ ୩୧ ବର୍ଷର ହୋଇଥିଲେ।
ଯଦିଓ ଏହା ତାଙ୍କର ପ୍ରଥମ ପସନ୍ଦ ନଥିଲା। ସେ ବିଭିନ୍ନ ବ୍ୟବସାୟ କରିଥିଲେ। ପ୍ରଥମେ ସେ ଘରେ ମଳିହଇ କଡ଼ାଇ, ଏକ ପ୍ରୋଭିଜନ ଷ୍ଟୋର କରିଥିଲେ। ସେ ଏଲନ୍ଦ ବଡ଼ଇ (ଖଟା ଏବଂ ମିଠା ବରକୋଳି ଭଡା), ତିନ୍ପଣ୍ଡମ (ସ୍ନାକ୍ସ୍), ଚାଉଳ, ସିଗାରେଟ୍, ବିଡ଼ି ଏବଂ ଦୀପାବଳି ସମୟରେ ବାଣ ବିକ୍ରି କରୁଥିଲେ। ବ୍ୟବସାୟ କରିବାର ଆଗ୍ରହ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରବେଶ କରାଇଥିଲା- ସେ କେବୁଲ୍ ଟିଭି ସେବା ଯୋଗାଉଥିଲେ, କ୍ଷୀର ବିକ୍ରି କରୁଥିଲେ, ତାପରେ ସେ ବାଙ୍ଗାଲୋର ଚାଲିଗଲେ ଯେଉଁଠାରେ ତାଙ୍କର ବଡ଼ ଭାଉଣୀ ରହୁଥିଲେ। ସେଠାରେ ସେ ଏକ ଦୁଇ ଚକିଆ ଯାନ ମରାମତି ଦୋକାନ ଚଳାଉଥିଲେ, ଏକ ଛୋଟ ଫାଇନାନ୍ସ କମ୍ପାନୀରେ ଋଣ ଯୋଗାଇବା କାମ କରୁଥିଲେ, ଏବଂ କାର୍ କିଣା ଓ ବିକା କାମ କରୁଥିଲେ। "ମୁଁ ୧୪ ବର୍ଷରେ ଛଅଟି ବ୍ୟବସାୟ କରିଥିଲି। ଏହା ବହୁତ କଷ୍ଟକର ଥିଲା; ମୁଁ ସଂଘର୍ଷ କରିଥିଲି ଏବଂ ମୋର ଆଙ୍ଗୁଠିଗୁଡିକ ପୋଡ଼ି ଯାଇଥିଲା।"
ସେ ବେଙ୍ଗାଲୁରୁରେ ତାଙ୍କର କଟିଥିବା ସମୟକୁ ଅତ୍ୟନ୍ତ ଦୁର୍ବିସହ ବୋଲି କୁହନ୍ତି,"ନାଇ ପଡାଦା ପାଡୁ," ଏହାକୁ ଏକ ବୁଲା କୁକୁରର ଦୁର୍ଦ୍ଦଶା ସହ ତୁଳନା କରି। ସେ ବହୁତ କମ୍ ରୋଜଗାର କରୁଥିଲେ ଏବଂ ଏକ ୬ x ୧୦ଫୁଟର ସଂକୀର୍ଣ୍ଣ କୋଠରୀରେ ୨୫୦୦ଟଙ୍କା ଭଡ଼ା ଦେଇ ରହୁଥିଲେ।
"ଯେତେବେଳେ ମୁଁ ୨୦୦୯ ମାର୍ଚ୍ଚରେ ସତ୍ୟମଙ୍ଗଲମକୁ ଫେରି ଆସିଲି, ମୁଁ କୃଷି ବିଷୟରେ ଆଗ୍ରହୀ ହେଲି।" ସେ ଆଖୁ ଚାଷ କରିବା ଜାରି ରଖିଲେ- ଯାହା ତାଙ୍କ ବାପା ଚାଷ କରୁଥିଲେ- ତାହା ସହ ପାଳୁଅ ଓ ଏକ ପ୍ଲଟରେ ପିଆଜ ଚାଷ କଲେ।
"ମୁଁ ଅନେକ ଭୁଲ୍ କରିଥିଲି ଏବଂ ସେଗୁଡ଼ିକରୁ ଶିକ୍ଷାଲାଭ କରିଥିଲି। ୨୦୧୦ରେ ପିଆଜ ମଞ୍ଜି କିଲୋ ପିଛା ୮୦ଟଙ୍କା ଥିଲା। ଅମଳ ସମୟରେ ଏହା ୧୧ଟଙ୍କାକୁ ଖସିଆସିଲା, ମରଣ ଅଡ଼ି [ମୃତ୍ୟୁ ଧକ୍କା]," ସେ ଦୀର୍ଘ ନିଶ୍ୱାସ ନେଇ କହିଲେ। ସେ ଅନ୍ୟ ଫସଲ କରିଥିବାରୁ ଏହା ତାଙ୍କୁ ତାଙ୍କର କ୍ଷତି ଭରଣା କରିବାରେ ସାହାଯ୍ୟ କଲା। ୨୦୧୪ରେ- ତାଙ୍କ ବାପା ମୃତ୍ୟୁବରଣ କରିବାର ଦୁଇ ବର୍ଷ ପରେ ଏବଂ ତାଙ୍କ ପରିବାର ଏହି ଚାଷ ବନ୍ଦ କରିବାର ନଅ ବର୍ଷ ପରେ- ସେ ମଞ୍ଜଲ ଲଗାଇଲେ।
*****
କେହି ଜଣେ ହଳଦୀରୁ ପଇସା ରୋଜଗାର କରୁଛି। କିନ୍ତୁ କୃଷକମାନେ ସବୁବେଳେ ନୁହଁନ୍ତି...
ଇରୋଡ଼ର ହଳଦୀ ଚାଷୀମାନେ
ସାରା ତାମିଲନାଡୁରେ ୫୧,୦୦୦ ଏକରରୁ ଅଧିକ ଜମିରେ ହଳଦୀ ଚାଷ କରାଯାଏ, ଯେଉଁଥିରୁ ୮୬,୦୦୦ ଟନ୍ରୁ ଅଧିକ ଉତ୍ପାଦିତ ହୋଇଥାଏ ଏବଂ ଏହା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଥିଲା। ରାଜ୍ୟ ମଧ୍ୟରେ ଇରୋଡ଼ ଜିଲ୍ଲା ୧୨,୫୭୦ ଏକର ମଞ୍ଜଲ ସହିତ ଏହି ତାଲିକାରେ ଅଗ୍ରଣୀ ରହିଛି।
ଥିରୁଙ୍କ ୧.୫ ଏକର ସେହି ସମୁଦ୍ରରେ ଏକ ବୁନ୍ଦା ମାତ୍ର। ସେ ଜୁନ୍ ୨୦୧୪ରେ ଏକ କ୍ଷୁଦ୍ର ୧.୫ ଏକର ଜମିରେ ମଞ୍ଜଲ ଲଗାଇବା ଆରମ୍ଭ କରିଥିଲେ ଏବଂ ତାଙ୍କର ଅବଶିଷ୍ଟ ଚାଷ ଜମିରେ ନଡିଆ ଏବଂ କଦଳୀ ଚାଷ କରିଥିଲେ। ଯେତେବେଳେ ସେ ତତ୍କ୍ଷଣାତ୍ ନିଜର ପ୍ରଥମ ଅମଳ ବିକ୍ରି କରିଥିଲେ- ଏକ ଟନ୍ ହଳଦୀ - ସେ ବହୁତ ଉତ୍ସାହିତ ହୋଇଥିଲେ। ପ୍ରାୟ ଏକ ତୃତୀୟାଂଶ - ୩୦୦କିଲୋ ହଳଦୀ - ପାଉଡ଼ର ହୋଇ ୧୦ ଦିନ ମଧ୍ୟରେ ତାଙ୍କର ଫେସବୁକ ଯୋଗାଯୋଗ ମାଧ୍ୟମରେ ଖୁଚୁରା ଦରରେ ବିକ୍ରି ହୋଇ ଯାଇଥିଲା। ସେ ତାଙ୍କ ଉଦ୍ୟୋଗର ନାମ "ୟେର୍ ମୁନଇ" ରଖିଲେ, ଯାହାର ଅର୍ଥ ହେଉଛି ଲଙ୍ଗଳଲୁହା, “କାରଣ ଉପକରଣଟି ଅପ୍ରତିଦ୍ୱନ୍ଦୀ ଅଟେ’’। ଲୋଗୋଟି ହେଉଛି ସର୍ବୋକୃଷ୍ଟ ପ୍ରତିଛବି: ଜଣେ ବ୍ୟକ୍ତି, ଗୋଟିଏ ଲଙ୍ଗଳ ଏବଂ ଦୁଇଟି ବଳଦ। ଏହା ଏକ ସଫଳତା ଥିଲା।
ଉତ୍ସାହିତ ହୋଇ, ସେ ଉତ୍କଣ୍ଠାର ସହ ପର ବର୍ଷ ଦୁଇ ଓ ଅଧା ଏକର କ୍ଷେତରେ ମଞ୍ଜଲ ଚାଷ କଲେ, ପାଞ୍ଚ ହଜାର କିଲୋ ଭଲ ଅମଳ କରିଥିଲେ, ଏବଂ ମାସ ମାସ ଧରି ତାଙ୍କ ଅମଳର ଚାରି-ପଞ୍ଚମାଂଶ ପଡ଼ି ରହିଲା। ସେ ଚେଷ୍ଟା କଲେ, ମାତ୍ର ଏହା ଜୈବିକ ବୋଲି ପ୍ରମାଣପତ୍ର ପାଇ ପାରିଲେ ନାହିଁ- ଏକ ଦଣ୍ଡନୀୟ ପ୍ରକ୍ରିୟା ଯାହା ଉଭୟ ବ୍ୟୟବହୁଳ ଏବଂ ବିରକ୍ତିକର-ଏବଂ ଶେଷରେ ଇରୋଡ଼ର ଏକ ବଡ଼ ମସଲା କମ୍ପାନୀକୁ ଏହା ବିକ୍ରି କରିଦେଲେ। ସେମାନେ କେବଳ ତାଙ୍କୁ ଏକ ତୁ ଣ୍ଡୁ ଚିଟୁ ଦେଲେ, ହିସାବ ସହିତ ଏକ ଛୋଟିଆ ଚିର୍କୁଟି: କ୍ୱିଣ୍ଟାଲ୍ ପିଛା ୮,୧୦୦ଟଙ୍କା ଏବଂ ଏକ ସପ୍ତାହ ପରେ ଏକ ରାଜ୍ୟ ବାହାରର ୧୫ ଦିନିଆ ପୋଷ୍ଟ-ଡେଟେଡ୍ ଚେକ୍ ଦେଲେ।
ଚେକ୍ କ୍ଲିୟର ହେବା ପାଇଁ ଥିରୁଙ୍କୁ ସପ୍ତାହେ ଲାଗିଲା- ତାହା ମଧ୍ୟ ବିମୁଦ୍ରାକରଣର ବର୍ଷ ଥିଲା। ସେ କୁହନ୍ତି,"ଯେହେତୁ ୨୦୧୭", ମୁଁ ଏବେ ସତର୍କ ଏବଂ କେବଳ ଏକ ଏକର କିମ୍ବା ଏକ ଓ ଅଧା ଏକର ହଳଦୀ ଚାଷ କରେ। ଏବଂ ପ୍ରତି ବର୍ଷ ଅନ୍ତରରେ ଏହାକୁ ଅନାବାଦୀ ଛାଡ଼ିଦିଏ, ଜମିକୁ ‘ବିଶ୍ରାମ’ ଦେବା ପାଇଁ।"
ଜାନୁୟାରୀରେ ସେ ଶଯ୍ୟା ପ୍ରସ୍ତୁତ କରିବା, ଓ ଫସଲ ଚାଷ କରିବା ଆରମ୍ଭ କରନ୍ତି- ଦୁଇ ପର୍ଯ୍ୟାୟରେ ବାଜରା-ପ୍ରତ୍ୟେକ ୪୫ ଦିନ ପାଇଁ। ଏହାକୁ ହଳ କରି ମାଟିରେ ମିଶାଇ ଦିଆଯାଏ, ଯବକ୍ଷାରଜାନ ଓ ପୋଷକତତ୍ୱ ଠିକ୍ କରିବା ପାଇଁ। ସେ ବୁଝାଇ କୁହନ୍ତି, ତାହାର ମୂଲ୍ୟ ୧୫,୦୦୦ଟଙ୍କା। ତା’ ପରେ ସେ ଡ୍ରିପ୍ ଜଳସେଚନ କରନ୍ତି, ହଳଦୀ ପାଇଁ ଶଯ୍ୟା ପ୍ରସ୍ତୁତ କରନ୍ତି, ଏବଂ ତାହର ମୂଲ୍ୟ ଆଉ ୧୫,୦୦୦ଟଙ୍କା। ବଲ୍ବର ମୂଲ୍ୟ- ସେ ଏକ ଏକର ପାଇଁ ୮୦୦କିଲୋ ଆବଶ୍ୟକ କରନ୍ତି-କିଲୋ ପ୍ରତି ୪୦ଟଙ୍କା ହିସାବରେ ତାହ ୨୪,୦୦୦ଟଙ୍କା ହୁଏ। ଶ୍ରମ ଖର୍ଚ୍ଚ ବାବଦକୁ ଏକରକୁ ୫୦୦୦ଟଙ୍କା ଖର୍ଚ୍ଚ ହୁଏ। ଏକମାସ ପରେ, ଯେତେବେଳେ ମଞ୍ଜି ରୁ ଗଜା ବାହାରେ, ସେ ଦୁଇ ଟନ୍ ଛେଳି-ଗୋବର ଖତ ପ୍ରୟୋଗ କରନ୍ତି - ଯାହା ସେ ଶପଥ କରି କୁହନ୍ତି ଏହି ଫସଲ ପାଇଁ ଗୋବର ଖତ ଅପେକ୍ଷା ଭଲ କାମ କରେ - ଯାହା ସେ ୧୪,୦୦୦ ଟଙ୍କାରେ କିଣିଛନ୍ତି।
ତା’ପରେ ସେଠାରେ ଛଅଟି ପର୍ଯ୍ୟାୟରେ ଘାସ ସଫା କାର୍ଯ୍ୟ ପ୍ରତ୍ୟେକ ୧୦,୦୦୦ଟଙ୍କା ବ୍ୟୟରେ ହୋଇଥାଏ, (ତାହା ହେଉଛି, ୩୦ରୁ ୩୫ ଜଣ ମହିଳାଙ୍କୁ ଏକର ପିଛା ଦିନକୁ ୩୦୦ଟଙ୍କା ଦିଆଯାଏ)। ମାର୍ଚ୍ଚ ମାସରେ ଅମଳ ବାବଦକୁ ପାଖାପାଖି ୪୦,୦୦୦ ଟଙ୍କା ଖର୍ଚ୍ଚ ହୁଏ, ଏବଂ ଏହା “ଏକ ସ୍ଥାୟୀ ଖର୍ଚ୍ଚ। ସାଧାରଣତଃ, ଏକ ଦଳରେ ହାରାହାରି ୨୦ ଜଣ ପୁରୁଷ ଓ ୫୦ ଜଣ ମହିଳା ଆସନ୍ତି। ସେମାନେ ଗୋଟିଏ ଦିନରେ କାମ ଶେଷ କରନ୍ତି। ଯଦି ଅମଳ ବହୁତ ଭଲ ହୋଇଥାଏ, ସେମାନେ ଆଉ ଅଧିକା ୫,୦୦୦ଟଙ୍କା ମାଗିଥାନ୍ତି।’’
ଶେଷରେ ସତେଜ ହଳଦୀ ସିଝାଯାଏ, ଶୁଖାଯାଏ ଏବଂ ଗୁଣ୍ଡ କରାଯାଏ। ଏହି ରିପୋର୍ଟରଙ୍କ ପାଇଁ ତାହା ହେଉଛି ଏକ ବାକ୍ୟବିଶିଷ୍ଟ ପାଠ୍ୟ, କିନ୍ତୁ କୃଷି ପାଇଁ ଏହା ହେଉଛି ଅନେକ ଦିନର ପ୍ରୋତ୍ସାହନ,କୁଶଳୀ କାର୍ଯ୍ୟ, ଏହା ସହ ଉତ୍ପାଦନ ମୂଲ୍ୟରେ ଯୋଗ ହେଇଛି ୬୫୦୦୦ଟଙ୍କା। ଏବଂ ଯେତେବେଳେ ବ୍ୟୟ ସ୍ତମ୍ଭ ବଢ଼ିଚାଲେ, ହଳଦୀ ଓଜନ ପାଖାପାଖି ଅଧା କମିଯାଏ।
ଦଶମାସ ଓ ୨୩୮,୦୦୦ଟଙ୍କା ଖର୍ଚ୍ଚ ପରେ, ତାଙ୍କ ପାଖରେ ପ୍ରାୟ ୨,୦୦୦ କିଲୋ ଶୁଖିଲା ହଳଦୀ (ଏକ ଏକରରୁ) ବିକ୍ରି କରିବା ପାଇଁ ରହିଥାଏ। ଉତ୍ପାଦନ ମୁଲ୍ୟ କିଲୋ ପିଛା ୧୧୯ ଟଙ୍କା ହୋଇଥାଏ। (କୋଡୁମୋଡୁର କେ.ଏନ.ସେଲ୍ଲାମୁଥୁଙ୍କ ପରି ଜୈବିକ କୃଷି କରୁଥିବା ଅନ୍ୟ କୃଷକମାନେ, ଆକଳନ କରନ୍ତି ଯେ ଓ ଅଳ୍ପ ସମୟ ଓ ଦକ୍ଷତା ଆବଶ୍ୟକ କରୁଥିବା ପ୍ରକ୍ରିୟାରେ ଅଧିକ ଅମଳ ଦେଉଥିବା ବିହନ ଲଗାଇଲେ, ସେମାନଙ୍କର ମୂଲ୍ୟ ପ୍ରାୟ କିଲୋ ପ୍ରତି ୮୦ଟଙ୍କା ହେବ)
ଥିରୁ ତାଙ୍କର ହଳଦୀଗୁଣ୍ଡର ମୂଲ୍ୟ ସୁବିଧାଜନକ ଭାବରେ ସ୍ଥିର କରୁଥିଲେ। ସେ ଏକ କିଲୋ ଗୁଣ୍ଡ କରିବା ପାଇଁ ୪୦ଟଙ୍କା ଖର୍ଚ୍ଚ କରୁଥିଲେ, ଏବଂ ପ୍ୟାକେଜିଂ ଓ କୋରିୟର୍ ଖର୍ଚ୍ଚ ବାବଦକୁ ଆଉ ଅଧିକ ୪୦ଟଙ୍କା ଏଥିରେ ଯୋଗ ହେଉଥିଲା।
ଅଧିକ ପରିମାଣରେ କିଣୁଥିବା ଦୋକାନୀମାନଙ୍କ ପାଇଁ ଯଥା ୨୦ କିଲୋ, ଏହାକୁ ୩୦୦ଟଙ୍କାରେ କିଣୁଥିଲେ। ଫାର୍ମ ଗେଟରେ ଏହାର ମୂଲ୍ୟ ୪୦୦ଟଙ୍କା ରହିଥାଏ, ଏବଂ ଯେତେବେଳେ ଏହାକୁ ଭାରତ ମଧ୍ୟରେ ପଠାଯାଏ ଏହାର ମୂଲ୍ୟ ୫୦୦ଟଙ୍କା ରହିଥାଏ। ଅନ୍ୟ ବ୍ରାଣ୍ଡଗୁଡ଼ିକ ସେମାନଙ୍କର ଜୈବିକ ମଞ୍ଜଲର ମୂଲ୍ୟ କିଲୋ ପ୍ରତି ୩୭୫ଟଙ୍କାରୁ ଆରମ୍ଭ କରି ୧,୦୦୦ଟଙ୍କା ପର୍ଯ୍ୟନ୍ତ ରଖିଥାନ୍ତି। ଇରୋଡ଼ର ମଣ୍ଡିରେ ବ୍ୟବସାୟୀମାନେ ଏକ କିଲୋ ଶୁଖିଲା ହଳଦୀ କିଣନ୍ତି- ଯାହାକୁ ଗୁଣ୍ଡ କଲାପରେ ୯୫୦ଗ୍ରାମ୍ ହୋଇଯାଏ-୭୦ଟଙ୍କା ମୂଲ୍ୟରେ। ଏବଂ ଏହାକୁ ତିନିଗୁଣା ଅଧିକ ମୂଲ୍ୟରେ ବିକ୍ରି କରିପାରନ୍ତି।
*****
“ଦାଆ, ବନ୍ଧୁକ କିମ୍ବା ବାଡ଼ିର ବିନା ସାହାଯ୍ୟରେ
କର୍ପୋରେଟମାନେ କୃଷକମାନଙ୍କୁ ପରାଜିତ କରିଦେଇଛନ୍ତି’’
ପି.କେ ଦେବାସିଗମଣି, ଟର୍ମେରିକ୍ ଫାର୍ମର୍ସ ଆସୋସିଏସନ ଅଫ
ଇଣ୍ଡିଆର ସଭାପତି
ଟିଏଫଏଆଇ ସଭାପତି ଦେବାସିଗମଣି କୁହନ୍ତି, “ମୁଁ ଚେଷ୍ଟା କଲି, ମୁଁ ସଂର୍ଘଷ କଲି, କିନ୍ତୁ ମୁଁ ହଳଦୀର ଏକ ସଠିକ୍ ମୂଲ୍ୟ ସ୍ଥିର କରିବାକୁ ସକ୍ଷମ ହୋଇପାରିଲି ନାହିଁ।’’ ଅକ୍ଟୋବର ମାସର ଏକ ବର୍ଷା ସନ୍ଧ୍ୟାରେ ଇରୋଡ଼ ନିକଟରେ ଥିବା ତାଙ୍କର ଘରେ ପରୀ ତାଙ୍କୁ ଭେଟିଥିଲେ। “ସରକାର କର୍ପୋରେଟ୍ ଆଡ଼କୁ ଢଳୁଛନ୍ତି, ଏବଂ କର୍ପୋରେଟମାନେ ସରକାର ତିଆରି କରୁଛନ୍ତି।
ତାହା ଯେପର୍ଯ୍ୟନ୍ତ ବଦଳି ନାହିଁ, କୃଷକମାନଙ୍କର- କେବଳମାତ୍ର ହଳଦୀ ଚାଷୀମାନେ ନୁହଁନ୍ତି- କୌଣସି ଭବିଷ୍ୟତ ନାହିଁ... ଆମେରିକାରେ ମଧ୍ୟ ସେଇ ସମାନ କଥା। କୃଷି ଲାଭଜନକ ନୁହେଁ। ସେ କୁହନ୍ତି, “ସେମାନେ ଯାହା ସେଠାରେ ଇଂରାଜୀରେ କହିବେ, ଆମେ ତାହା ଏଠାରେ ତାମିଲରେ କହୁଛୁ।"
“କର୍ପୋରେଟ୍ମାନେ ମଧ୍ୟଯୁଗୀୟ ପଦ୍ଧତିକୁ ବଦଳାଇ ଦେଇଛନ୍ତି ଏବଂ ଏବେ ସେମାନେ ନୂତନ ବିଶାଳ ଜମିଦାର। ପରିମାଣ ଓ ଆକାର ସେମାନଙ୍କ ସପକ୍ଷରେ ଥିବାରୁ, ସେମାନେ ଶହ ଶହ ଟନ୍ ପ୍ରକ୍ରିୟାକରଣ କରିପାରିବେ। କିପରି ଅଳ୍ପ କିଛି ଟନ୍ ସହିତ ଏକ ଛୋଟିଆ ଚାଷୀ ସେମାନଙ୍କ ସହ ମୂଲ୍ୟରେ ପ୍ରତିଦ୍ୱନ୍ଦିତା କରିପାରିବ?’’
ଏରୋଡ଼ ନିକଟରେ ଥିବା ପେରୁଣ୍ଡୁରାଇ ନିୟନ୍ତ୍ରିତ ବଜାର କମ୍ପ୍ଲେକ୍ସରେ, ଦୈନିକ ନିଲାମ ହଳଦୀ ଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରେ। କେବଳ ହଳଦୀ କାରବାର କରିବା ପାଇଁ, ଏହାର ଅନେକ ଗୋଦାମ ଗୃହ ଅଛି - ଯାହା ହଜାର ହଜାର ଅଖା ସଂରକ୍ଷଣ କରିପାରିବ - ଏବଂ ଏକ ନିଲାମ କେନ୍ଦ୍ର ଅଛି। ଯେତେବେଳେ ଅକ୍ଟୋବର ୧୧ ରେ ପରୀ ନିଲାମରେ ଯୋଗ ଦେଇଥିଲେ, ଏକ କ୍ୱିଣ୍ଟାଲ ହଳଦୀ ଆଙ୍ଗୁଠି ପାଇଁ ‘ସର୍ବୋଚ୍ଚ ହାର’ ୭,୪୪୯ ଟଙ୍କା ଥିଲା, ଏବଂ ବଲ୍ବ ପାଇଁ ୬,୬୪୯ଟଙ୍କା। ବ୍ୟବସାୟୀମାନେ ସର୍ବଦା ଡାକ ମୂଲ୍ୟକୁ ‘୯’ ସହିତ ସମାପ୍ତ କରନ୍ତି। ଅରବିନ୍ଦ ପଲାନିସାମି, ମାର୍କେଟ୍ ସୁପରଭାଇଜର୍ ବୁଝାଇ କୁହନ୍ତି," ତାହା କେବଳ ସେମାନଙ୍କର ସାଂଖ୍ୟିକ ତତ୍ତ୍ୱ ଉପରେ ବିଶ୍ୱାସ କାରଣରୁ।
ପ୍ଲାଷ୍ଟିକ୍ ଟ୍ରେରେ ୫୦ ଟି ହଳଦୀର ନମୁନା ପ୍ରଦର୍ଶିତ ହୋଇଛି। ବ୍ୟବସାୟୀମାନେ ପ୍ରତ୍ୟେକ ଟ୍ରେ ଦେଇ ଗତି କରନ୍ତି ଏବଂ ଭାଙ୍ଗନ୍ତି, ଶୁଘଂନ୍ତି, ଏପରିକି ନମୁନାକୁ ଚଟାଣରେ ବାଉନ୍ସ କରନ୍ତି! ସେମାନେ ଓଜନ କରନ୍ତି ଏବଂ ଏହାକୁ ଆଙ୍ଗୁଠି ମଧ୍ୟରେ ପଡ଼ିବାକୁ ଦିଅନ୍ତି। ସେମାନେ ନୋଟ୍ କରନ୍ତି, ସେମାନେ ଏକ ନିଲାମ ଡାକ ରଖନ୍ତି। ଏକ ପ୍ରମୁଖ ମସାଲା କମ୍ପାନୀର କ୍ରୟ ବିଭାଗରୁ ସି. ଆନନ୍ଦକୁମାର ସ୍ପଷ୍ଟ କରିଛନ୍ତି ଯେ ସେ କେବଳ “ପ୍ରଥମ ଗୁଣବତ୍ତା” ନିଅନ୍ତି। ଆଜି, ପ୍ରଦର୍ଶିତ କରାଯାଇଥିବା ୪୫୯ ବ୍ୟାଗ୍ ନମୁନାଗୁଡ଼ିକ ମଧ୍ୟରୁ ସେ ୨୩ ଟି ନେଇଛନ୍ତି।
ମଣ୍ଡି ପାଖରେ ଥିବା ତାଙ୍କ ଅଫିସରେ ଅରବିନ୍ଦ ମୋତେ କୁହନ୍ତି ବଜାରର ବାର୍ଷିକ କାରବାର ହେଉଛି ୪୦କୋଟି ଟଙ୍କା। କୋଡୁମୁଡିର ଏଲ୍. ରସିନା ଶେଡର ସିମେଣ୍ଟ ସିଡ଼ିରେ ବସିଥିଲେ। ସେ ଆଣିଥିବା ୩୦କ୍ୱିଣ୍ଟାଲ ପାଇଁ ତାଙ୍କୁ ଏକ କ୍ୱିଣ୍ଟାଲ ପିଛା ୫,୪୮୯ଟଙ୍କା ଦରର ପ୍ରସ୍ତାବ ଦିଆଯାଇଥିଲା।
ନିଜର କୌଣସି ମହଜୁଦ କରିବାର ସୁବିଧା ନଥିବାରୁ, ସେ ସର୍ବଦା ଅମଳକୁ ସରକାରୀ ଗୋଦାମ ଗୃହକୁ ଆଣିଥାନ୍ତି ଯେଉଁଠାରେ ଏହାକୁ ମହଜୁଦ ରଖିବା ପାଇଁ ପ୍ରତିଦିନ କ୍ୱିଣ୍ଟାଲ୍ ପିଛା ୨୦ ପଇସା ଖର୍ଚ୍ଚ ହୋଇଥାଏ। କିଛି କୃଷକ ଉପଯୁକ୍ତ ମୂଲ୍ୟ ପାଇଁ ଚାରି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ସାତ ମାସ ଏବଂ ପାଞ୍ଚଟି ଯାତ୍ରା ପରେ, ଯେତେବେଳେ ସେ ପ୍ରଥମେ ଆସିଥିଲେ, ରସିନା ବିକ୍ରୟ କରିବା ପାଇଁ ନିଷ୍ପତ୍ତି ନିଅନ୍ତି। କ୍ଷତିରେ।
ଦେବାସିଗମଣି କୁହନ୍ତି, କୋଙ୍ଗୁ ବେଲ୍ଟର ଅନେକ କୃଷକ-ଯାହାକି ଇରୋଡ଼, କୋଏମ୍ବାଟୋର୍ ଓ ସାଲେମ ଜିଲ୍ଲାକୁ ନେଇ ଗଠିତ- କୃଷିକୁ ଏକ ଅତିରିକ୍ତ ପେଶା ଭାବରେ ଗ୍ରହଣ କରନ୍ତି। "ସେମାନେ ଯଦି ଏହା ଉପରେ ସଂପୂର୍ଣ୍ଣ ରୂପେ ନିର୍ଭର କରନ୍ତେ, ସେମାନେ ଅସୁବିଧାରେ ପଡନ୍ତେ।"
ସେ ଆକଳନ କରିଛନ୍ତି ଯେ ୨୫,୦୦୦ ରୁ ୫୦,୦୦୦ କୃଷକ ଅଛନ୍ତି ଯେଉଁମାନେ ମୂଲ୍ୟ ଉପରେ ନିର୍ଭର କରି ତାମିଲନାଡୁରେ ହଳଦୀ ଚାଷ କରନ୍ତି। ଯଦି ଗୋଟିଏ କ୍ୱିଣ୍ଟାଲ ୧୭, ୦୦୦ ଟଙ୍କାରେ ବିକ୍ରି ହୁଏ(ପୂର୍ବ ପରି ଥିଲା) ସେଠାରେ “୫କୋଟି ହଳଦୀ ଚାଷୀ” ରହିବେ ବୋଲି ସେ ହସନ୍ତି। "ଏବଂ ଯେତେବେଳେ ଏହା ଏକ କ୍ୱିଣ୍ଟାଲ ପିଛା୫,୦୦୦ କୁ ଖସିଯାଏ, ସେତେବେଳେ ଆପଣଙ୍କର ପ୍ରାୟ ୧୦,୦୦୦ କୃଷକ ରହିବେ।"
ଦେବାସିଗମଣି ଏକ ପରାମର୍ଶ ଦେଇଛନ୍ତି: ବିବିଧକରଣ। ସେ କୁହନ୍ତି, “ଏତେ ପରିମାଣରେ ହଳଦୀ ଚାଷ କରିବା ବନ୍ଦ କର।ଯିବା ଉଚିତ୍।" “ଯଦି କମ୍ ଉତ୍ପାଦନ ହୁଏ, ତେବେ ଆମେ ଭଲ ମୂଲ୍ୟ ପାଇପାରିବା।’’
*****
"ହାଇବ୍ରିଡ୍
ପରିବର୍ତ୍ତେ- ଯାହା ଅଧିକ ଅମଳ ଦିଏ- ସ୍ଥାନୀୟ ପ୍ରଜାତି ଚାଷ କରନ୍ତୁ"
ଥିରୁ ମୁର୍ତ୍ତୀ ଇରୋଡ଼ର ହଳଦୀ ଚାଷୀ
ଗତ ବର୍ଷ ମାର୍ଚ୍ଚରେ, ସେ ତାଙ୍କର ଦୁଇ ଟନ୍ ଫସଲ ଅମଳ କରିଥିଲେ - କଦଳୀ ପତ୍ରକୁ ଘୋଡ଼ାଇ ରଖିଥିବା ଏକ ବାଦାମୀ ପାହାଡ଼ ହଳଦୀକୁ ଝାଉଁଳି ଯାଇଥିବା ହଳଦୀ ପତ୍ରରେ ଘୋଡ଼ାଯାଇ ରଖାଯାଇଥିଲା, ଏହାକୁ ସିଝାଇ ଶୁଖାଉଥିବା ଦଳକୁ ଅପେକ୍ଷା କରି। ଥିରୁ ଆଧୁନିକତାକୁ ବିରୋଧ କରନ୍ତି ନାହିଁ। ସେ ସୌର ଶକ୍ତି ବ୍ୟବହାର କରନ୍ତି ଏବଂ ଏହାକୁ ସମର୍ଥନ କରନ୍ତି। ସେ ଐତିହ୍ୟ କିସମ ଉପରେ ମଧ୍ୟ ବିଶ୍ୱାସ କରନ୍ତି ଏବଂ ଏକ ‘ଇରୋଡ୍ ସ୍ଥାନୀୟ’ ବିଭିନ୍ନ କିସମର ହଳଦୀ ପାଇଁ ଭୌଗୋଳିକ ସୂଚକାଙ୍କ ପ୍ରଦାନ କରାଯାଇଥିବାରୁ ସେ ଖୁସି ଥିଲେ।
ସେ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସମାଲୋଚନା କରନ୍ତି ଯେଉଁମାନେ କେବଳ ଅମଳ ପାଇଁ ଚିନ୍ତିତ। ବହୁତ ଅଧିକ ଅମଳ ଉପରେ ଧ୍ୟାନ ଦେବା କେବଳ ରାସାୟନିକ ସାର ଉପରେ ଖର୍ଚ୍ଚ ବଢ଼ାଇଥାଏ। ସରକାର ଆମ ଉତ୍ପାଦକୁ ଉଚିତ ମୂଲ୍ୟରେ ବିକ୍ରୟ କରିବାରେ କାହିଁକି ସାହାଯ୍ୟ କରିପାରିବେ ନାହିଁ? ସେ ଯୁକ୍ତି କରନ୍ତି ଯେ ନୀତି ନିର୍ମାତାମାନେ ପ୍ରାଥମିକ ଜ୍ଞାନ ଆବଶ୍ୟକ କରନ୍ତି। ତାଙ୍କ ପତ୍ନୀ ଏବଂ ବ୍ୟବସାୟିକ ସହଯୋଗୀ ଗୋମଥୀ ରାଜି ହୁଅନ୍ତି। ସେମାନେ ଉଭୟ ପରାମର୍ଶ ଦିଅନ୍ତି, “କୃଷି ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଆସି ଆମ କ୍ଷେତରେ କାମ କରନ୍ତୁ। ଯଦି ସେମାନେ ବାସ୍ତବ ଦୁନିଆର ସମସ୍ୟା ବୁଝନ୍ତି ନାହିଁ, ତେବେ ସେମାନେ କେବଳ ହାଇବ୍ରିଡ୍ ଉଦ୍ଭାବନ କରିବେ।’’ ସେମାନଙ୍କର ଅସନ୍ତୋଷ ବୁଝାପଡ଼େ। ବଡ଼, ଚକଚକିଆ ହାଇବ୍ରିଡ଼ଗୁଡ଼ିକ କ୍ୱିଣ୍ଟାଲ୍ ପିଛା ଅଧିକ ୨୦୦ଟଙ୍କା ଦେଇଥାଏ- କିନ୍ତୁ ଅତ୍ୟଧିକ ରାସାୟନିକ ପଦାର୍ଥ ବ୍ୟବହାର ସହିତ ଚାଷ କରାଯାଇଥାଏ।
ଯେତେବେଳେ ସେ ଚାଷ ଆରମ୍ଭ କଲେ, ନଗଦ ପ୍ରବାହ କଷ୍ଟସାଧ୍ୟ ଥିଲା। ହଳଦୀ ପରି ବାର୍ଷିକ ଫସଲର ଆୟ ପରବର୍ତ୍ତୀ ବର୍ଷରେ କେବଳ ମିଳିଥାଏ। । ଥିରୁ ଆଉ ବ୍ୟାଙ୍କ ଋଣ ପାଇବାକୁ ଯୋଗ୍ୟ ନୁହଁନ୍ତି; ତାଙ୍କ ପିତା ଏକ ବଡ ଋଣ ନେଇଥିଲେ ଯେଉଁଥିରେ ତାଙ୍କର ପୁଅ ଜାମିନ୍ଦାର ଥିଲେ। ସେ ଏବେବି ସେହି ୧୪ ଲକ୍ଷ ଟଙ୍କାର ଋଣ ପରିଶୋଧ କରୁଛନ୍ତି। ଯାହା କରିବା ପାଇଁ ସେ ଏକ ଅନୌପଚାରିକ ଉତ୍ସରୁ “ରେଣ୍ଡୁ ରୁପା ଭଟ୍ଟି” ରେ ନେଇଛନ୍ତି (ପ୍ରତି ଶହେ ପ୍ରତି ଦୁଇ ଟଙ୍କା ସୁଧ-ମାସକୁ)। କିମ୍ବା ବାର୍ଷିକ ୨୪ପ୍ରତିଶତ।
“କିଛି ଫେସ୍ବୁକ୍ ବନ୍ଧୁ ମୋତେ ଛଅ ମାସ ପର୍ଯ୍ୟନ୍ତ ବିନା ସୁଧରେ ଟଙ୍କା ଋଣ ଦେଇଥିଲେ। ଖୁସିର କଥା, ମୋର ଆଉ ଋଣ କରିବାର ଆବଶ୍ୟକତା ନାହିଁ । ମୁଁ ମୋର ସାଙ୍ଗମାନଙ୍କୁ ପରିଶୋଧ କରିଦେଲି। କିନ୍ତୁ ମୁଁ ଏବେବି ମୋ ବାପାଙ୍କ ବ୍ୟାଙ୍କ୍ ଋଣ ପରିଶୋଧ କରୁଛି।” ସେ ବର୍ତ୍ତମାନ ୫୦, ୦୦୦ ଟଙ୍କା ରୋଜଗାର କରୁଛନ୍ତି, ଯେଉଁଥିପାଇଁ ତିନିଜଣ ବୟସ୍କ (ଥିରୁ, ତାଙ୍କ ମା’ ଏବଂ ଗୋମଥୀ) ଦିନକୁ ୧୨ଘଣ୍ଟା ପର୍ଯ୍ୟନ୍ତ କାମ କରନ୍ତି - କିନ୍ତୁ ପାରିବାରିକ ପରିଶ୍ରମର ମୂଲ୍ୟକୁ ସେମାନେ ହିସାଵକୁ ନିଅନ୍ତି ନାହିଁ।
ଯେଉଁ କୋଠରୀରେ ସେ ମଞ୍ଜଲ ଗୁଣ୍ଡ କରନ୍ତି, ଥିରୁ ମୁଠାଏ ବଲ୍ବ ଏକ ବଡ଼ ଡଙ୍କିରେ ଧରି ରଖନ୍ତି। ସେଗୁଡ଼ିକ ଏକ ଉଜ୍ଜ୍ୱଳ କମଳା-ହଳଦିଆ ଏବଂ ପଥର ପରି କଠିନ। ଏତେ କଠିନ ଯେ ଏହାକୁ ଗ୍ରାଇଣ୍ଡିଂ ମେସିନରେ ପକାଇବା ପୂର୍ବରୁ ଏହାକୁ ଏକ ଗ୍ରାନାଇଟ୍ ପିଟଣାରେ ପକାଯାଏ। ଅନ୍ୟଥା, ଏହା ଗ୍ରାଇଣ୍ଡରର ଧାତୁ ବ୍ଲେଡ୍ ଭାଙ୍ଗିଦେବ।
କୋଠରୀଟି ସୁଗନ୍ଧରେ ଭରିଯାଏ, ତାଜା ଗୁଣ୍ଡ କରାଯାଇଥିବା ହଳଦୀର ସୁଗନ୍ଧ ତୀବ୍ର ଏବଂ ଆରାମଦାୟକ। ସବୁକିଛି ଉପରେ ସୁନେଲି ଧୂଳିକଣା ବସିଯାଏ: ଇଲେକ୍ଟ୍ରିକ୍ ଗ୍ରାଇଣ୍ଡିଂ ମିଲ୍, ସୁଇଚ୍ ବୋର୍ଡ; ଏପରିକି ବୁଢିଆଣୀ ଜାଲଗୁଡ଼ିକ ହଳଦିଆ ଧୁଳିକଣାର ଛୋଟ ହାର ପିନ୍ଧିଥାନ୍ତି।
ମରୁଧନୀ (ହେନା) ର ଏକ ବଡ଼ ବୃତ୍ତ, ଏବଂ ଏହାର ଚାରିପାଖରେ ଛୋଟ ବିନ୍ଦୁଗୁଡ଼ିକ, ଥିରୁଙ୍କର ପାପୁଲିକୁ କମଳା ରଙ୍ଗ କରିଦିଏ। ତାଙ୍କର ବାହୁଗୁଡ଼ିକର ତନ୍ତୁ ବାକି କାହାଣୀ କହିଥାଏ, କଠିନ, ଶାରୀରିକ ପରିଶ୍ରମ। ଯାହା ଅଦୃଶ୍ୟ ତାହା ହେଉଛି ତାଙ୍କ ଅମଳର ମୂଲ୍ୟ ଯୋଡ଼ିବା ପାଇଁ ତାଙ୍କର ଅସାଧାରଣ ପ୍ରୟାସ ଏବଂ କିଛି ବ୍ୟୟବହୁଳ ପରୀକ୍ଷଣ ଯାହା ବିଫଳ ହୁଏ ଏହି ବର୍ଷର ଅଦା ଫସଲ ପରି, ଯାହା ଏକ ବିପର୍ଯ୍ୟୟ ଥିଲା। କିନ୍ତୁ ସେ ୪୦,୦୦୦ଟଙ୍କାର କ୍ଷତିକୁ ସେ “ଏକ ଶିକ୍ଷା” ଭାବରେ ଗ୍ରହଣ କରନ୍ତି। ଗୋମଥୀ ଆମ ପାଇଁ ଗରମ ବଜ୍ଜି ଏବଂ ଚା ତିଆରି କରୁଥିବା ବେଳେ ସେ ମୋତେ ସେହି ବିଷୟରେ କୁହନ୍ତି।
*****
ହଳଦୀର ମହତ୍ତ୍ୱକୁ ବିଚାର କରି ଇରୋଡ଼ ଜିଲ୍ଲାର ଭବାନୀସାଗର ପ୍ରାୟ ୧୦୦ ଏକର ପରିମିତ ଅଞ୍ଚଳରେ ହଳଦୀ ପାଇଁ
ଏକ ନୂତନ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି।”
ଏମ.ଆର.କେ ପନିରସେଲବମ୍, କୃଷି ମନ୍ତ୍ରୀ, ତାମିଲନାଡୁ
ଯେତେବେଳେ ଭାରତ ଏହାର ସର୍ବୋଚ୍ଚ ଗୁଣାତ୍ମକ ହଳଦୀକୁ କିଲୋ ପ୍ରତି ୯୩.୫ଟଙ୍କାରେ ରପ୍ତାନି କରେ ଏବଂ ଏହାକୁ କିଲୋ ପ୍ରତି ୮୬ଟଙ୍କାରେ ଆମଦାନୀ କରେ , ଜଣେ କୃଷକ କିପରି ସଫଳ ହେବ? କିଲୋ ପିଛା ୭ଟଙ୍କାର ପାର୍ଥକ୍ୟ କେବଳ ଭାରତୀୟ ଚାଷୀଙ୍କୁ ସଂକୁଚିତ କରିଦେଉନି, ବରଂ ଆମଦାନୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି - ଚାରି ବର୍ଷ ପୂର୍ବେ ଯାହା ଥିଲା ତାହାର ଦୁଇଗୁଣ- ଭବିଷ୍ୟତରେ ଉଚିତ୍ ମୂଲ୍ୟର ସୁନିଶ୍ଚିତତାକୁ ହଟାଇ ଦିଏ।
କୃଷି ମନ୍ତ୍ରୀ ପନିରସେଲବମ୍ କହିଛନ୍ତି ତାମିଲନାଡୁ ସରକାର ଏହାକୁ ଏକ ସରକାରୀ ଆଦେଶ ଭାବରେ ସ୍ୱୀକାର କରିଛନ୍ତି : ଯଦିଓ ଭାରତରେ ସର୍ବାଧିକ ପରିମାଣର ହଳଦୀ ଉତ୍ପାଦନ କରାଯାଉଛି, “ଉଚ୍ଚ କର୍କୁମିନ୍ ମାନର ହଳଦୀ କିସମର ଅଭାବ କାରଣରୁ”, ଏହା ଅନ୍ୟ ଦେଶରୁ ହଳଦୀ ଆମଦାନି କରୁଛି।
ଗତ ଅଗଷ୍ଟରେ ଏକ ପୃଥକ୍ କୃଷି ବଜେଟ୍ ଉପସ୍ଥାପନ କରୁଥିବାବେଳେ ପନିରସେଲବମ୍ ହଳଦୀ ପାଇଁ ଏକ ନୂତନ ଅନୁସନ୍ଧାନ କେନ୍ଦ୍ର ଗଠନ ପାଇଁ ନିଷ୍ପତ୍ତିର ଘୋଷଣା କରିଥିଲେ ଯେଉଁଥିପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା ପ୍ରଦାନ କରିବେ। ରାଜ୍ୟ ଉନ୍ନତ କିସମର ବିହନ, ମୂଲ୍ୟ ଯୋଗ ଏବଂ ପ୍ରତ୍ୟକ୍ଷ ତାଲିମ ଯୋଗାଇଦେବାକୁ ଫଳପ୍ରଦ ଭାବରେ ପ୍ରତିଶୃତି ଦେଇଛନ୍ତି, ଯାହାଦ୍ୱାରା “କୃଷକମାନେ ଅନ୍ୟ ଫସଲ କରିବାକୁ ନିଜର ଚାଷ ସ୍ଥାନାନ୍ତର କରିବେ ନାହିଁ।”
ଥିରୁ ମୁର୍ତ୍ତୀଙ୍କ ନିଜସ୍ୱ ଦର୍ଶନ ଅତି ସରଳ: ଗ୍ରାହକଙ୍କୁ ଏକ ଉତ୍ତମ ଉତ୍ପାଦ ଦିଅ। “ଯଦି ମୋର ଉତ୍ପାଦ ଭଲ, ୩୦୦ ଲୋକ ଏହାକୁ କିଣିବେ ଏବଂ ଅନ୍ୟ ୩୦୦୦ ଲୋକଙ୍କୁ କହିବେ। କିନ୍ତୁ ଯଦି ଏହା ନିମ୍ନମାନର ସାମଗ୍ରୀ, ସମାନ ୩୦୦ଲୋକ ଅନ୍ୟ ୩୦,୦୦୦ ଲୋକଙ୍କୁ ଏହା ଖରାପ ବୋଲି କହିବେ।” ସୋସିଆଲ ମିଡିଆ ବ୍ୟବହାର କରି - ଏବଂ ମୁଖର ପ୍ରଚାର ମାଧ୍ୟମରେ - ସେ ସେମାନଙ୍କର ୩ ଟନ୍ ମଞ୍ଜଲ୍ ଅମଳର ୧୦ମାସ ମଧ୍ୟରେ ବିକ୍ରି କରନ୍ତି, ହାରାହାରି ମାସକୁ ପ୍ରାୟ ୩୦୦ କିଲୋ। ଏବଂ ସେ ଏହା କରିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଶିଖିଥିଲେ। ଏକ, ଜୈବିକ ହଳଦୀ ପାଇଁ ହୋଲସେଲ ବଜାରରେ କୌଣସି ପସନ୍ଦଯୋଗ୍ୟ ମୂଲ୍ୟ ନାହିଁ। ଏବଂ ଦୁଇ, ଯେପର୍ଯ୍ୟନ୍ତ ଜଣେ କୃଷକ ସିଧାସଳଖ ବିକ୍ରୟ ନକରନ୍ତି, ସେ ଭଲ ମୂଲ୍ୟ ପାଇ ପାରିବେ ନାହିଁ।
ଥିରୁ ଦୁଇଟି ଉପାୟରେ ହଳଦୀ ପ୍ରକ୍ରିୟାକରଣ କରନ୍ତି। ଗୋଟିଏ ହେଉଛି ପାରମ୍ପରିକ ପଦ୍ଧତିରେ ରାଇଜୋମକୁ ସିଝାଇବା ଶୁଖାଇବା ଏବଂ ପାଉଡର କରିବା। ସେ ମୋତେ ଲ୍ୟାବର ଫଳାଫଳ ଦେଖାନ୍ତି - ଏହି ପଦ୍ଧତିରେ କର୍କୁମିନର ମାନ ୩.୬ ପ୍ରତିଶତ। ଦ୍ୱିତୀୟ ପଦ୍ଧତି ଅଣପାରମ୍ପରିକ, ଯେଉଁଥିରେ ରାଇଜୋମ୍ କଟା ହୋଇ ଖରାରେ ଶୁଖାଯାଏ ଏବଂ ଗୁଣ୍ଡ କରାଯାଏ। ଏଥିରେ କର୍କୁମିନ୍ ୮.୬ ପ୍ରତିଶତରେ ରହିଥାଏ। ଯଦିଓ ସେ ଏକ ଉଚ୍ଚ କର୍କୁମିନ୍ ମାନ ପାଇଁ ପ୍ରୋତ୍ସାହନ ପାଇବାରେ ବିଫଳ ହୁଅନ୍ତି। ସେ ଯୁକ୍ତି କରନ୍ତି, “ଯଦି ଏହା ଫାର୍ମା ଇଣ୍ଡଷ୍ଟ୍ରି ପାଇଁ ଉତ୍ତୋଳନ କରାଯାଇଥାନ୍ତା, ତେବେ ଏହାର ତାତ୍ପର୍ଯ୍ୟ ରହିଥାଏ। “ଆପଣ ଖାଦ୍ୟ ପାଇଁ କାହିଁକି ଅଧିକ ଶତକଡ଼ା ଆବଶ୍ୟକ କରିବେ?”
ଅମଳ ପରେ ସେ ସଂଗେ ସଂଗେ ତାଜା ହଳଦୀ ବିକ୍ରି କରନ୍ତି। ଯାହାକି କିଲୋ ପ୍ରତି ୪୦ଟଙ୍କାରେ ବିକ୍ରି କରାଯାଉଛି (ପ୍ୟାକେଜିଂ ଏବଂ ଡାକ ଖର୍ଚ୍ଚ ସହିତ ୭୦ ଟଙ୍କା)। ଏହା ବ୍ୟତୀତ ସେ ଏବଂ ଗୋମଥୀ ପ୍ରତି ମାସରେ ୩୦୦୦ଖଣ୍ଡ ସାବୁନ୍ ତିଆରି କରନ୍ତି। ସେମାନେ ଅନେକ ଔଷଧୀୟ ଉତ୍ସକୁ ସଂଗ୍ରହ କରନ୍ତି ଏବଂ ବାଛନ୍ତି ଏବଂ ଚଲାନ୍ତି ଏବଂ ନଅ କିସମର ତିଆରି କରନ୍ତି । ଯେଉଁଥିରେ ଦୁଇ ପ୍ରକାରର ହଳଦୀ ଘିକୁଆଁରୀ, ଭେଟିଭର୍, କୁପ୍ପାମେନି , ଅରପୁ , ଶିକାକାଇ ଏବଂ ନିମ୍ ଅନ୍ତର୍ଭୁକ୍ତ।
ତାଙ୍କ ପତ୍ନୀ ତାଙ୍କୁ ଥଟ୍ଟା କରନ୍ତି: “ଲୋକମାନେ କୁହନ୍ତି ଯେ ଉପାଦାନ ତାଲିକା ଦିଅନ୍ତୁ ନାହିଁ, କିନ୍ତୁ ପଦ୍ଧତି ସହିତ ସେ ସବୁକିଛି ଜଣାଇ ଦିଅନ୍ତି।’’ ଏପରିକି ଥିରୁ ଫେସ୍ବୁକରେ ହଳଦୀ କେଶ ରଙ୍ଗ କରିବାର ପଦ୍ଧତି ମଧ୍ୟ ପୋଷ୍ଟ କରିଛନ୍ତି। ସେ ପ୍ରକ୍ରିୟା ପ୍ରକାଶ କରିବା ବିଷୟରେ ଉଦ୍ବେଗହୀନ। ସେ କୁହନ୍ତି “ଅନ୍ୟମାନଙ୍କୁ ଚେଷ୍ଟା କରିବାକୁ ଦିଅ, ପ୍ରାରମ୍ଭିକ ଆଗ୍ରହକୁ ବଜାୟ ରଖିବା କଷ୍ଟକର!” ।
*****
“ଜଣେ କୃଷକ
ସର୍ବୋତ୍ତମ ଉତ୍ପାଦ କେବେବି ଖାଏ ନାହିଁ। ଏହା ସର୍ବଦା ତାହା ଯାହା ବିକ୍ରି ହୋଇପାରିବ ନାହିଁ।
ଆମର ସମସ୍ତ ଉତ୍ପାଦ ସହିତ ସେହି ସମାନ କଥା। ଆମେ କଦାକାର କଦଳୀ
ଖାଇଥାଉ; ଆମେ ଭଙ୍ଗା ସାବୁନ ରଖୁ
…”
ଟି ଗୋମଥୀ, ଇରୋଡ଼ର ହଳଦୀ ଚାଷୀ
ଥିରୁ ମୁର୍ତ୍ତୀ ଏବଂ ଗୋମଥୀ ୨୦୧୧ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେ ପୂର୍ବରୁ ଏକ ଜୈବିକ ଚାଷୀ ଥିଲେ - କିନ୍ତୁ ମୂଲ୍ୟ ଯୋଗ ବିଷୟରେ ସେ ଅଧିକ କିଛି ଜାଣିନଥିଲେ। ୨୦୧୩ ରେ, ସେ ଫେସବୁକ୍ ବ୍ୟବହାର କରିଥିଲେ। ସେ ସେଠାରେ ଏକ ପୋଷ୍ଟ କରିଥିଲେ ଯାହା ତାଙ୍କୁ ସୋସିଆଲ ମିଡିଆର ଶକ୍ତି, ଗ୍ରାମୀଣ-ସହରୀ ବିଚ୍ଛିନ୍ନତା ଏବଂ ଅନ୍ୟାନ୍ୟ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥିଲା।
ତାଙ୍କ ଜଳଖିଆର ଏକ ଫଟୋ ଯାହା ଏସବୁକୁ ଚର୍ଚ୍ଚାରେ ରଖିଥିଲା। ସେ ଯାହାକୁ ସାଧାରଣ ଖାଦ୍ୟ ବୋଲି ଭାବୁଥିଲେ ତାହାକୁ ଲୋକମାନେ ପ୍ରଶଂସା କରିଥିଲେ - ରଗି କଲି (ଆଙ୍ଗୁଠି-ବାଜରା ବଲ୍) - ଏବଂ ସେ ପସନ୍ଦ ଏବଂ ମନ୍ତବ୍ୟଗୁଡ଼ିକୁ ଦେଖି ଉତ୍ସାହିତ ହୋଇ ପଡ଼ିଲେ। ଉତ୍ସାହିତ ହୋଇ ସେ ନିୟମିତ ଭାବରେ କୃଷି ଜୀବନର ବିବରଣୀ ପୋଷ୍ଟ କରିବା ଆରମ୍ଭ କଲେ। ସବୁକିଛି ଅନଲାଇନରେ ରେକର୍ଡ କରାଯାଉଥିଲା: ଅନାବନା ଘାସ ଅପସାରଣ, ଜୈବିକ ସାର ପ୍ରୟୋଗ ଇତ୍ୟାଦି।
ଯେତେବେଳେ ସେ ତାଙ୍କର ପ୍ରଥମ ହଳଦୀ ଫସଲ ଅମଳ କଲେ, ସେ ଏହାକୁ ଅନଲାଇନରେ ବିକ୍ରି କଲେ। ଗୋମଥୀ ଶୀଘ୍ର ତାଙ୍କ ସହ ଜଡିତ ହେବାକୁ ଲାଗିଲେ। “ସାବୁନ୍, ତେଲ ଏବଂ ପାଉଡର ପାଇଁ ଅର୍ଡର ତାଙ୍କ ଫୋନକୁ ହ୍ୱାଟ୍ସ୍ଆପରେ ଆସିଥାଏ ଏବଂ ମୁଁ ଏହାକୁ ତାଙ୍କ ନିକଟକୁ ପଠାଇଥାଏ।” ତାଙ୍କର ଘରୋଇ କାର୍ଯ୍ୟ କରିବା ସହ ଏବଂ ସେମାନଙ୍କ ପୁଅ ନିଥୁଲାନ୍, ୧୦, ଏବଂ ଝିଅ ନିଗାଜିନି, ୪, ଙ୍କର ଯତ୍ନ ନେବା ସହିତ ଗୋମଥୀ ପୁରା ପ୍ୟାକିଂ ଏବଂ ସିପିଂ ପରିଚାଳନା କରନ୍ତି।
କୋଭିଡ୍ ଲକ୍ଡାଉନ୍ ଏବଂ ତାଙ୍କ ପୁଅର ଅନ୍ଲାଇନ୍ କ୍ଲାସ୍ ତାଙ୍କ ଜୀବନକୁ କଷ୍ଟକର କରିଦେଲା। ଆମର ଗୋଟିଏ ଭ୍ରମଣ ସମୟରେ, ପିଲାମାନେ ଗ୍ଲାସ୍ ବୋତଲରେ ବେଙ୍ଗଫୁଲା ସହିତ ଖେଳୁଥିଲେ, ଯେତେବେଳେକି ସେମାନଙ୍କର କୁକୁର ଆଗ୍ରହର ସହ ସେଗୁଡ଼ିକ ଦେଖୁଥିଲା ଅନ୍ୟ ଏକ ସମୟରେ, ସେମାନେ ଏକ ଷ୍ଟିଲ୍ ପାଇପ ଉପରେ ଚଢି ନାଚୁଥିଲେ। ସେ ଦୀର୍ଘ ନିଶ୍ଵାସ ଛାଡ଼ି କହିଲେ, “ସେଥିପାଇଁ ସେମାନେ ପୋଲରେ ଚଢିବା ଶିଖିପାରିଲେ’’।
ତାଙ୍କର ଜଣେ ସହାୟକ ଅଛନ୍ତି, ଗାଁର ଜଣେ ମହିଳା ଯିଏ ଭିତରକୁ ଆସନ୍ତି। “ଆମ ତାଲିକାରୁ ଗ୍ରାହକମାନେ ଆମେ ଉତ୍ପାଦନ କରୁଥିବା ୨୨ ଟି ଉତ୍ପାଦ ମଧ୍ୟରୁ ଗୋଟିଏ ଉତ୍ପାଦ ମାଗି ପାରନ୍ତି। ଗୋମଥୀ କୁହନ୍ତି, ଏହା ସହଜ ନୁହେଁ। ସେ ଘର ଚଳାନ୍ତି; ସେ ସମସ୍ତ କାର୍ଯ୍ୟ ପରିଚାଳନା କରନ୍ତି। ଏବଂ ସେ କଥା କହିବା ଅପେକ୍ଷା ଅଧିକ ହସନ୍ତି।
ସ୍ଥାନୀୟ ବଜାରରେ ସାଧାରଣତଃ ଉପଲବ୍ଧ ଥିବା ମୂଲ୍ୟର ଦୁଇଗୁଣ ମୂଲ୍ୟରେ କାହିଁକି ତାଙ୍କ ହଳଦିଆ ପାଉଡର ବିକ୍ରି ହୁଏ, ତାହା ଅତି କମ୍ରେ ଦଶ ଜଣ ଗ୍ରାହାକଙ୍କୁ ବୁଝାଇବା ପାଇଁ ତାଙ୍କର ସାରା ଦିନ ବିତିଯାଏ। “ଦିନକୁ ଅତି କମ୍ରେ ଦୁଇ ଘଣ୍ଟା ମୁଁ ଜନସାଧାରଣଙ୍କୁ ଜୈବିକ ଚାଷ, ଅପମିଶ୍ରଣ ଏବଂ କୀଟନାଶକର ବିପଦ ବିଷୟରେ ଶିକ୍ଷା ଦେବାରେ ବିତାଇଥାଏ।” ଯେତେବେଳେ ସେ ଫେସ୍ବୁକ୍ରେ ଏକ ପୋଷ୍ଟ କରନ୍ତି - ଯେଉଁଠାରେ ତାଙ୍କର ୩୦୦୦୦ ଅନୁସରଣକାରୀ ଅଛନ୍ତି - ପ୍ରାୟ ୧୦୦୦ଲୋକ ଏହାକୁ ପସନ୍ଦ କରନ୍ତି ଏବଂ ୨୦୦ ଲୋକ ମନ୍ତବ୍ୟ ଦିଅନ୍ତି। ସେମାନେ ପ୍ରଶ୍ନ ପଚାରନ୍ତି। “ଯଦି ମୁଁ ସେମାନଙ୍କୁ ଉତ୍ତର ଦେଇପାରିବି ନାହିଁ, ତେବେ ମୁଁ ସେମାନଙ୍କ ଆଖିରେ ‘ନକଲି ’ ହୋଇଯିବି’’।
ଚାଷ ଜମିରେ ତାଙ୍କର କାର୍ଯ୍ୟ ଏବଂ ତାଙ୍କର ଇ-ବ୍ୟବସାୟ ଚଳାଇବାରେ (“ଗତ ମାସ ପର୍ଯ୍ୟନ୍ତ ମୁଁ ଜାଣି ନଥିଲି ଯେ ଏହାକୁ ଏକ ଇ-ବ୍ୟବସାୟ କୁହାଯାଏ!”) ସେ ଏତେ କାର୍ଯ୍ୟ ବ୍ୟସ୍ତ ଯେ ସେ ଶେଷ ଛୁଟିରେ ଯିବାର ପାଞ୍ଚ ବର୍ଷ ବିତିଗଲାଣି।। ଗୋମଥୀ ହସିକରି କୁହନ୍ତି “ବୋଧହୁଏ ଅଧିକ,”। ସେ ଦୀର୍ଘତମ ଛଅ ଘଣ୍ଟା ସମୟ ବିତାଇ ପାରିବେ। ତା’ପରେ ତାଙ୍କୁ ତାଙ୍କର ଗାଈ,ଫସଲ ଏବଂ କାଠ ଚେକ୍କୁ [ତେଲ ପେଡ଼ା] ପାଇଁ ଘରକୁ ଫେରିବା ଆବଶ୍ୟକ।”
ଯେତେବେଳେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୁଏ, ତାଙ୍କ ମା’ ଏଥିରେ ଉପସ୍ଥିତ ରୁହନ୍ତି, ତାଙ୍କ କାର୍ ନିଜେ ବଡ଼ ଭାଇ ଚଳାଇ ତାଙ୍କୁ ନିଅନ୍ତି। ଥିରୁ ଯୋଗଦେବାକୁ ସମୟ ବାହାର କରିପାରିବେ ନାହିଁ । ସେ ଥଟ୍ଟା କରି କୁହନ୍ତି, “କୋଭିଡ୍ -୧୯ପରେ ଆମେ କିଛି ଟଙ୍କା ସଞ୍ଚୟ କରୁଛୁ’’। “ସାଧାରଣତଃ, ଉତ୍ସବଗୁଡ଼ିକ ପାଇଁ ଆମକୁ କୋଏମ୍ବାଟୁର ପର୍ଯ୍ୟନ୍ତ ଯିବାକୁ ପଡୁଥିଲା। ଉତ୍ସବଗୁଡ଼ିକ ବନ୍ଦ ହୋଇଯାଇଥିବା କାରଣରୁ, ବର୍ତ୍ତମାନ ଆମେ ସେହି ୧୦୦୦ଟଙ୍କା ଇନ୍ଧନରେ ସଞ୍ଚୟ କରୁଛୁ।’’
ଯେତେବେଳେ ଶ୍ରମିକମାନେ କ୍ଷେତକୁ ଆସନ୍ତି, “ଆମ୍ମା ସେମାନଙ୍କୁ ତଦାରଖ କରନ୍ତି। ମୋର ସମୟ ଏହି ସମସ୍ତ ପ୍ରଧାନ କାର୍ଯ୍ୟରେ ଯାଉଛି। ” ମୋର ଉଭୟ ଭ୍ରମଣ ସମୟରେ, ଗୋମଥୀ ରୋଷେଇ ଘର କିମ୍ବା ସେମାନଙ୍କ କର୍ମଶାଳାରେ ବ୍ୟସ୍ତ ରୁହନ୍ତି- ଲିଭିଙ୍ଗ୍ ରୁମ୍ ପଛରେ ଏକ ଉଚ୍ଚ ଛାତ ସ୍ଥାନରେ, ପ୍ରକାର ଏବଂ ତାରିଖ ଅନୁଯାୟୀ ସୁନ୍ଦର ଭାବରେ ଲେବଲ୍ ହୋଇଥିବା ଅନେକ ପ୍ରକାରର ସାବୁନ୍ ସେଲଫଗୁଡ଼ିକରେ ପୂର୍ଣ୍ଣ ହୋଇ ରହିଥାଏ। ସକାଳ୫.୩୦ରୁ ଆରମ୍ଭ କରି ଥିରୁ ଏବଂ ଗୋମାଥୀ ଦିନକୁ ଅତି କମ୍ରେ ୧୨ ଘଣ୍ଟା ପରିଶ୍ରମ କରନ୍ତି।
ସେମାନଙ୍କର ଗୁଳ୍ମଗୁଡିକର ଔଷଧୀୟ ଗୁଣ ଏବଂ ସେମାନଙ୍କର ଉପାଦେୟତା ବିଷୟରେ ଗଭୀର ଜ୍ଞାନ ଅଛି ଏବଂ ତାମିଲରେ ନାମଗୁଡ଼ିକୁ ତତ୍କ୍ଷଣାତ କହି ଦିଅନ୍ତି। ଗୋମଥୀ ସୁଗନ୍ଧିତ କେଶ ତୈଳ ମଧ୍ୟ ତିଆରି କରନ୍ତି, ଘଣାରେ ପେଡା ହୋଇଥିବା ନଡିଆ ତେଲରେ ଫୁଲ ଏବଂ ଗୁଲ୍ମକୁ ଭିଜାଇ ଓ ସୂର୍ଯ୍ୟକିରଣରେ ଗରମ କରି। ସେ ମୋତେ କୁହନ୍ତି, “ଆମେ ପ୍ରତ୍ୟେକ ଉତ୍ପାଦକୁ ଗ୍ରାହକଙ୍କୁ ପଠାଇବା ପୂର୍ବରୁ ପରୀକ୍ଷା କରିଥାଉ।"
ଥିରୁ କୁହନ୍ତି, ବର୍ତ୍ତମାନ ପୁରା ପରିବାର ବ୍ୟବସାୟ ସହ ଜଡିତ ଅଛନ୍ତି। ଏହା ସେମାନଙ୍କର ଅଣବେତନ ଶ୍ରମ ଯାହା ସେମାନଙ୍କ ଉତ୍ପାଦର ମୂଲ୍ୟକୁ କମ୍ ରଖିଥାଏ।
*****
“ଅମୁଲ ଦୁଗ୍ଧ
ଉତ୍ପାଦକମାନେ ଗ୍ରାହକଙ୍କ ମୂଲ୍ୟର ପାଖାପାଖି ୮୦ପ୍ରତିଶତ ପାଆନ୍ତି। ସେହି ମଡେଲ୍ ସହ
ସାମଞ୍ଜସ୍ୟ ଥିବା ଅନ୍ୟ କୌଣସି ମଡେଲ୍ ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଉପଲବ୍ଧ ନାହିଁ।"
ବାଲା ସୁବ୍ରମଣ୍ୟମ୍ ମୁଥୁସାମି, ସ୍ତମ୍ଭକାର
ଅଧିକାଂଶ କ୍ଷୁଦ୍ର ଚାଷୀଙ୍କ ପାଇଁ ଥିରୁଙ୍କ ମଡେଲ୍ ଅନୁସରଣ କରିବା କଷ୍ଟସାଧ୍ୟ ହୋଇପାରେ ଯିଏ ଜମି ଲିଜ୍ରେ ନେଇଥାଏ କିମ୍ବା ଏକ କ୍ଷୁଦ୍ର ଅଂଶର ମାଲିକ ହୋଇଥାଏ (ସାଧାରଣତଃ ଦୁଇ ଏକର ତଳେ)। ଏହା ସମ୍ଭବ ନୁହେଁ ସେମାନେ ତାଙ୍କ ସଫଳତାକୁ ସଂପୂର୍ଣ୍ଣରୂପେ ନକଲ କରିପାରିବେ। ଇରୋଡ୍ ଜିଲ୍ଲାର ଏକ କୃଷକ ପରିବାରରୁ ଆସିଥିବା ଓ ଅନ୍ଲାଇନ୍ ତାମିଲ୍ ନ୍ୟୁଜ୍ ପ୍ଲାଟଫର୍ମ ଅରୁଞ୍ଚୋଲ୍ ର ସ୍ତମ୍ଭକାର ବାଲାସୁବ୍ରମଣ୍ୟମ୍ ମୁଥୁସାମି ବିଶ୍ୱାସ କରନ୍ତି ଯେ ସମବାୟ ମଡେଲ୍ ହେଉଛି ଏକମାତ୍ର ସମର୍ଥ ସମାଧାନ।
କୃଷକମାନଙ୍କୁ ମିଳୁଥିବା ମୂଲ୍ୟକୁ ସେ ଶେଷ ଗ୍ରାହକ ଦେଇଥିବା ମୂଲ୍ୟର ଶତକଡ଼ା ଭାଗରେ ବିଭକ୍ତ କରିଦିଅନ୍ତି। କ୍ଷୀର ଜିତି ଯାଏ, ହାତ ତଳକୁ। ଅମୁଲର ଉଦାହରଣ ଦେଇ ସେ କୁହନ୍ତି ସମବାୟ ମଡେଲ୍ ମଧ୍ୟ ସେୟା କରେ। ଗ୍ରାହକ ଦେଉଥିବା କିଲୋପ୍ରତି ୨୪୦ଟଙ୍କାର ୨୯ପ୍ରତିଶତ ହଳଦୀ ଚାଷୀମାନେ ପାଆନ୍ତି। ସେ କୁହନ୍ତି ଯେ ଅମୁଲ କ୍ଷୀର କ୍ଷେତ୍ରରେ ଚାଷୀ ପ୍ରାୟ ୮୦ପ୍ରତିଶତ ପାଇଥାଏ।
ବାଲାସୁବ୍ରମଣ୍ୟମ୍ ସୂଚିତ କରିଛନ୍ତି ସଫଳତାର ଚାବି ହେଉଛି କୃଷକମାନଙ୍କୁ ବହୁ ପରିମାଣରେ ସଂଗଠିତ କରିବା। “ବ୍ୟବସାୟ ଯୋଗାଣ ଶୃଙ୍ଖଳାର ମାଲିକ ହେବା ଏବଂ ମଧ୍ୟସ୍ଥିମାନଙ୍କୁ ହଟାଇଦେବା।” ସମବାୟ ସମିତି ଏବଂ କୃଷକ ସଂଗଠନରେ ସମସ୍ୟା ରହିଛି ବୋଲି ସେ କହିଛନ୍ତି। “ସେଗୁଡିକ ଉନ୍ନତ ଭାବରେ ପରିଚାଳିତ ହେବା ଆବଶ୍ୟକ ଏବଂ ଏହା ହେଉଛି ଭବିଷ୍ୟତ ଏକମାତ୍ର ମାର୍ଗ।”
ଥିରୁ ଜୋର ଦେଇ କୁହନ୍ତି, ହଳଦୀ ଚାଷ କରି ଏକ ଭଲ ଲାଭ କରିବା ସମ୍ଭବ - କିନ୍ତୁ ଯଦି ଆପଣ ଏଥିରେ ମୂଲ୍ୟ ଯୋଗ କରନ୍ତି। ଗତ ସାତ ବର୍ଷ ମଧ୍ୟରେ ସେ ନଡ଼ିଆ ତେଲ, କଦଳୀ ପାଉଡ଼ର, କୁମ୍କୁମ୍ (ହଳଦୀରୁ) ଏବଂ ସାବୁନ୍ ବ୍ୟତୀତ ୪,୩୦୦ କିଲୋ ହଳଦୀ ପାଉଡ଼ର ବିକ୍ରି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଯଦି ତାଙ୍କର ଜମି ନାହିଁ ତେବେ ଏହିସବୁ ଅସମ୍ଭବ ହେବ। (ଯାହା ତାଙ୍କ ମଡେଲକୁ ଛୋଟ ଚାଷୀଙ୍କ ଦ୍ୱାରା ନକଲଯୋଗ୍ୟ ନୁହେଁ ବୋଲି ଦୃଢ କରେ।) “ଦଶ ଏକରର ମୁଲ୍ୟ ଚାରି କୋଟି ହେବ! କିଏ ଏଥିପାଇଁ ପାଣ୍ଠି ଦେବ? ” ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟ ଅନଲାଇନ୍ ଅଟେ। ତାଙ୍କର ଏକ ଜିଏସ୍ଟି ନମ୍ବର ଅଛି, ଏବଂ ଜି ପେ, ଫୋନ୍ ପେ, ପେଟିଏମ୍, ଭିମ୍ ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦେୟ ଗ୍ରହଣ କରନ୍ତି।
ଜୈବିକ କୃଷି ଏବଂ ଏଥିରେ ମୂଲ୍ୟ ଯୋଗ କରିବା ଏବଂ ଗ୍ରାହକମାନଙ୍କୁ ସିଧାସଳଖ ବିକ୍ରି କରୁଥିବାରୁ, ୨୦୨୦ରେ, ଅଭିନେତା କାର୍ତ୍ତିକ ସିବକୁମାରଙ୍କ ଉଝାବନ୍ ଫାଉଣ୍ଡେସନ୍ ଥିରୁଙ୍କୁ ଏକ ପୁରସ୍କାର ଏବଂ ନଗଦ ରାଶି ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ଏବଂ ତାମିଲ ଅଭିନେତା ସତ୍ୟରାଜ. ଯିଏକି ମଧ୍ୟ କୋଙ୍ଗୁ ଅଞ୍ଚଳର, ଏହି ପୁରସ୍କାର ପ୍ରଦାନ କରିଥିଲେ।
ପ୍ରତିବର୍ଷ, ପ୍ରତ୍ୟେକ ଛୋଟ ସଫଳତା, କେବଳ ଥିରୁଙ୍କୁ ଅଧିକ ଦୃଢ ପ୍ରତିଜ୍ଞ କରିଛି। ସେ ହାରି ପାରିବେ ନାହିଁ । ଥିରୁ କୁହନ୍ତି, “ମୁଁ ଜଣେ କୃଷକଙ୍କଠାରୁ ‘କ୍ଷତି’ଶବ୍ଦ ଶୁଣିବାକୁ ଚାହେଁ ନାହିଁ, ମୋତେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପଡ଼ିବ।
ଏହି କାହାଣୀଟି ରିପୋର୍ଟ କରିବା ବେଳେ କ୍ରିଷି ଜନନୀଙ୍କ ପ୍ରତିଷ୍ଠାତା ତଥା ସିଇଓ ଉଷା ଦେବୀ ଭେଙ୍କଟଚାଲମଙ୍କୁ ଲେଖକ ତାଙ୍କର ସାହାଯ୍ୟ ଓ ଆତିଥ୍ୟ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି।
ଏହି ଅନୁସନ୍ଧାନ ଅଧ୍ୟୟନଟି ଆଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହାର ଅନୁସନ୍ଧାନ ପାଣ୍ଠି କାର୍ଯ୍ୟକ୍ରମ ୨୦୨୦ ର ଏକ ଅଂଶ ଭାବରେ ଅନୁଦାନପ୍ରାପ୍ତ।
କଭର୍ ଫଟୋ: ଏମ୍. ପଲାନି କୁମାର
ଅନୁବାଦ: ଓଡ଼ିଶାଲାଇଭ୍