ତନ୍ନା ସିଂହଙ୍କ ନାତି ତାଙ୍କୁ ଫୋନ୍‌ରେ ବାରମ୍ବାର କୁହନ୍ତି, "ବାପୁ, ତୁ ଆ ଜା [ଜେଜେବାପା, ତୁମେ ଫେରି ଆସ]"। ନିଜ ତମ୍ବୁ ନିକଟରେ ଥିବା ଏକ ପ୍ଲାଷ୍ଟିକ୍‍ ଷ୍ଟୁଲରେ ବସି ସିଂହ କୁହନ୍ତି, "ମୁଁ କିପରି ଫେରିବି? ଯାହାହେଉ, ମୁଁ କେବଳ ତା’ର ଭବିଷ୍ୟତ ପାଇଁ ଏଠାରେ ଅଛି।"

ସେ ଛଳଛଳ ଆଖିରେ କୁହନ୍ତି, "ମୁଁ ଯେତେବେଳେ ତା’[ମୋ ପୁଅର ୧୫ ବର୍ଷର ପୁଅ] ସହ କଥାବାର୍ତ୍ତା କରେ ସେତେବେଳେ ମୁଁ କାନ୍ଦି ପକାଏ। କିଏ ନିଜ ନାତିନାତୁଣୀଙ୍କୁ ଏହିପରି ଘରେ ଛାଡ଼ି ଚାଲି ଆସିବ? କିଏ ନିଜ ପୁଅ ଓ ଝିଅମାନଙ୍କୁ ଏହିପରି ଭୁଲି ଯାଇପାରେ?"

କାରଣ ଯାହା ହେଉନା କାହିଁକି, ତନ୍ନା ସିଂହ ଘରକୁ ନଫେରିବାକୁ ସ୍ଥିର କରିଛନ୍ତି। ସେ ୨୦୨୦ ମସିହା ନଭେମ୍ବର ମାସ ୨୬ ତାରିଖ ଠାରୁ ଗୋଟିଏ ଦିନ ବି ଟିକ୍ରିର କୃଷକଙ୍କ ବିକ୍ଷୋଭ ସ୍ଥଳ ପରିତ୍ୟାଗ କରିନାହାଁନ୍ତି। ଏବଂ ପ୍ରାୟ ଏକ ବର୍ଷ ପରେ, ୨୦୨୧ ମସିହା ନଭେମ୍ବର ମାସ ୧୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନୋଟି ବିବାଦୀୟ ନୂତନ କୃଷି ଆଇନ ରଦ୍ଦ ଘୋଷଣା ହେବା ସତ୍ତ୍ୱେ, ୭୦ ବର୍ଷୀୟ ବିପତ୍ନୀକ ସିଂହ କୁହନ୍ତି, ଯେ ପ୍ରକୃତ ପ୍ରତ୍ୟାହାର ଷ୍ଟାମ୍ପ୍ ଏବଂ ସିଲ୍ ନହେବା ପର୍ଯ୍ୟନ୍ତ ସେ ଟିକ୍ରିରେ ରହିବେ। ସେ କୁହନ୍ତି, "ଏହି ନିୟମ ପ୍ରତ୍ୟାହାର କରିବାକୁ ଆମେ ରାଷ୍ଟ୍ରପତିଙ୍କ ଷ୍ଟାମ୍ପକୁ ଅପେକ୍ଷା କରିଛୁ। ଏହି ଦିନର ଅପେକ୍ଷାରେ କେବଳ ଆମେ ନିଜ ଘର ଛାଡ଼ିଥିଲୁ"।

ସେ ହଜାର ହଜାର କୃଷକଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏକି ଏକ ବର୍ଷ ପୂର୍ବେ ରାଜଧାନୀର ସୀମାକୁ ଆସିଥିଲେ ଏବଂ ତିନିଟି ଚାଷ ଆଇନକୁ ଖାରଜ କରିବାକୁ ଦାବି କରିଥିଲେ ଏବଂ ଯେତେବେଳେ ଆଗକୁ ଯିବାକୁ ଅନୁମତି ଦିଆଯାଇ ନଥିଲା, ସେତେବେଳେ ଟିକ୍ରି (ପଶ୍ଚିମ ଦିଲ୍ଲୀର), ସିଂଘୁ (ରାଜଧାନୀର ଉତ୍ତର-ପଶ୍ଚିମ) ଏବଂ ଗାଜିପୁର (ପୂର୍ବରେ)ରେ ରହିଥିଲେ।

ପଞ୍ଜାବର ମୁକ୍ତେସର ଜିଲ୍ଲାର ଭଙ୍ଗଚାରି ଗାଁରୁ ସିଂହ ତାଙ୍କ ଟ୍ରାକ୍ଟରରେ ଅନ୍ୟ କିଛି ଚାଷୀଙ୍କ ସହ ଆସିଥିଲେ, ଯାହାକି ବିକ୍ଷୋଭ ସ୍ଥଳ ନିକଟରେ କେଉଁଠି ପାର୍କିଂ ହୋଇ ରହିଛି। ତାଙ୍କ ଗାଁରେ ତାଙ୍କ ପରିବାର ଆଠ ଏକର ଜମିରେ ଗହମ ଏବଂ ଧାନ ଚାଷ କରନ୍ତି। ସେ କୁହନ୍ତି, "ମୁଁ ମୋର କ୍ଷେତର [ଚାଷ ଜମି] ଦାୟିତ୍ୱକୁ ମୋ ପୁଅ ଉପରେ ଛାଡ଼ି ଏଠାକୁ ଆସିଛି।

Tanna Singh's 'home' for the last one year: 'Many things happened, but I didn’t go back home [even once] because I didn’t want to leave the morcha'
PHOTO • Sanskriti Talwar
Tanna Singh's 'home' for the last one year: 'Many things happened, but I didn’t go back home [even once] because I didn’t want to leave the morcha'
PHOTO • Sanskriti Talwar

ଗତ ଏକ ବର୍ଷ ପାଇଁ ତନ୍ନା ସିଂହଙ୍କ ‘ଘର’ ( ବାମ): ‘ଅନେକ ଘଟଣା ଘଟିଥିଲା, କିନ୍ତୁ ମୁଁ ଘରକୁ ଫେରି ନଥିଲି [ଥରେ ମଧ୍ୟ] କାରଣ ମୁଁ ମୋର୍ଚ୍ଚା ଛା ଡ଼ି ବାକୁ ଚାହୁଁନଥିଲି’

ଏହା ତାଙ୍କ ପାଇଁ ଏକ କଠିନ ବର୍ଷ ଥିଲା, ଏକ କ୍ଷତିର ବର୍ଷ। ଏହି ସମୟରେ ଦୁଇ ସମ୍ପର୍କୀୟଙ୍କର ମୃତ୍ୟୁ ହୋଇଥିଲା - ଜଣେ ମାମୁଁଙ୍କ ପୁଅ ଏବଂ ଅନ୍ୟ ଜଣେ ତାଙ୍କ ଶାଳୀର ନାତି। ସେ କୁହନ୍ତି, "ସେ ତାଙ୍କର ସ୍ନାତକୋତ୍ତର କିଛିଦିନ ତଳେ ସମାପ୍ତ କରିଥିଲେ। ସେ ବହୁତ କମ୍‍ ବୟସର ଥିଲେ... କିନ୍ତୁ ମୁଁ ଯାଇ ନଥିଲି।" "ଗତ ଏକ ବର୍ଷ ମଧ୍ୟରେ ଅନେକ ଘଟଣା ଘଟିଥିଲା, କିନ୍ତୁ ମୁଁ ଘରକୁ ଫେରି ନଥିଲି। ମୁଁ ଯାଇ ନଥିଲି କାରଣ ମୁଁ ମୋର୍ଚ୍ଚା [ବିକ୍ଷୋଭ] ଛାଡ଼ିବାକୁ ଚାହୁଁନଥିଲି।"

ଘରେ ମଧ୍ୟ ଖୁସିର କିଛି ମୁହୂର୍ତ୍ତ ଥିଲା ଯାହାକୁ ସେ ମିସ୍ କରିଥିଲେ। "ମୋ ଝିଅ ୧୫ ବର୍ଷ ପରେ ଏକ ସନ୍ତାନ ଜନ୍ମ ଦେଲା, ଏବଂ ମୁଁ [ନିଜକୁ ପ୍ରସ୍ତୁତ କରି] ଫେରି ପାରିଲି ନାହିଁ। ମୁଁ ମୋର ନାତିକୁ ଦେଖିବାକୁ ଯାଇ ନଥିଲି… ଯେତେବେଳେ ମୁଁ ଫେରିବି, ମୁଁ ପ୍ରଥମେ ସେମାନଙ୍କୁ ଭେଟିବାକୁ ଯିବି। ମୁଁ କେବଳ ଫୋନରେ ତା’ର ଫଟୋ [ବର୍ତ୍ତମାନ ୧୦ ମାସର] ଦେଖିଛି। ସେ ବହୁତ ସୁନ୍ଦର ପିଲାଟିଏ! ”

ଡିଭାଇଡର୍ ନିକଟରେ ଏବଂ ଦିଲ୍ଲୀର ମେଟ୍ରୋ ଲାଇନ ତଳେ, ସମାନ ରାସ୍ତାରେ ଥିବା ଅନ୍ୟ ଏକ କାମଚଳା ଟେଣ୍ଟରେ, ଜସକରନ୍ ସିଂହ ମୋତେ କୁହନ୍ତି: "ଆମେ ଏଠାରେ ବିକ୍ଷୋଭ କରିବାକୁ ଆମ ଘରର ଆରାମ ଛାଡ଼ି ରାସ୍ତାରେ ରହିଛୁ। ସେ ଅବସ୍ଥାରେ ରହିବା ସହଜ ନୁହେଁ, ଯେତେବେଳେ ତୁମର ମୁଣ୍ଡ ଉପରେ ମଜବୁତ ଛାତ ନଥାଏ।"

ସେ କୁହନ୍ତି, ଏହି ବର୍ଷର ଶୀତର ରାତି ଅତ୍ୟନ୍ତ କଠୋର ଏବଂ ଗ୍ରୀଷ୍ମର ଦିନଗୁଡ଼ିକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। କିନ୍ତୁ ସବୁଠାରୁ ଖରାପ ସପ୍ତାହଗୁଡ଼ିକ ବର୍ଷା ସମୟରେ ଆସିଥିଲା। "ସେହି ରାତିଗୁଡ଼ିକରେ ସମସ୍ତଙ୍କର ଶୋଇବା କଷ୍ଟକର ହୋଇପଡ଼ିଥିଲା। ଅନେକ ଥର, ଛାତ ପବନରେ ଉଡ଼ିଯାଏ। ଯେତେବେଳେ ବି ଏହି ପରି ଘଟେ, ଆମେ ଏହାକୁ ପୁନଃ ଠିକ୍ କରିଦେଉ।"

Tanna Singh with 85-year-old Joginder Singh, who has been staying in the same tent, as did many others who came from his village to the protest site
PHOTO • Sanskriti Talwar
Tanna Singh with 85-year-old Joginder Singh, who has been staying in the same tent, as did many others who came from his village to the protest site
PHOTO • Sanskriti Talwar

ତନ୍ନା ସିଂହ ତାଙ୍କ ଗାଁରୁ ବିକ୍ଷୋଭ ସ୍ଥ କୁ ଆସିଥିବା ଅନ୍ୟମାନଙ୍କ ପରି, ୮୫ ବର୍ଷୀୟ ଯୋ ଗିନ୍ଦର ସିଂହଙ୍କ ସହିତ ଏକା ତମ୍ବୁରେ ରହିଆସୁଛନ୍ତି

ଜସକରନ୍‍ (ଉପରେ ଥିବା କଭର ଫଟୋରେ) ମନସା ଜିଲ୍ଲାର ଭିଖିରୁ ଅନ୍ୟମାନଙ୍କ ସହ ବିକ୍ଷୋଭ ସ୍ଥଳକୁ ଯିବାଆସିବା କରିଥାନ୍ତି। ଘରେ ସେ ନିଜ ପରିବାରର ୧୨ ଏକର ଚାଷ ଜମିରେ ଗହମ ଏବଂ ଧାନ ଚାଷ କରନ୍ତି।  ତାଙ୍କ ପୁଅ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ, ଏହି ଘଟଣାର ପ୍ରାୟ ୧୮ ମାସ ପରେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା। ସେ ବର୍ତ୍ତମାନ ତାଙ୍କର ୮୦ ବର୍ଷୀୟା ମା, ବୋହୂ ଏବଂ ଦୁଇ ନାତୁଣୀଙ୍କ ସହ ରହୁଛନ୍ତି।

ସେ ଗତ ସପ୍ତାହର ଶୁକ୍ରବାର ଦିନ ତାଙ୍କ ଗାଁର ଅନ୍ୟ ଚାରିଜଣ ଚାଷୀଙ୍କ ସହ ବସ୍ ଯୋଗେ ଟିକ୍ରି ଅଭିମୁଖେ ଯାଉଥିଲେ, ଯେଉଁ ଦିନ ପ୍ରଧାନମନ୍ତ୍ରୀ ଚାଷୀ ଆଇନ ରଦ୍ଦ ଘୋଷଣା କରିଥିଲେ। ୫୫ ବର୍ଷୀୟ ଜସକରନ୍‍ କୁହନ୍ତି, "ସମସ୍ତଙ୍କ ସହ ନିଜର ଖୁସିକୁ ପାଳନ କରିବା ପାଇଁ-ନା ଆମେ ଆମ ଗାଁରେ ଥିଲୁ ନା ଘୋଷଣା ସମୟରେ ଟିକ୍ରିରେ ପହଞ୍ଚିଥିଲୁ।" ବିକ୍ଷୋଭକାରୀଙ୍କ ଦାବି ପୂରଣ ହୋଇଥିବାରୁ ଖୁବ୍ ଶୀଘ୍ର  ତାଙ୍କୁ ଘରକୁ ଫେରି ଆସିବାକୁ ତାଙ୍କ ମା’ ତାଙ୍କୁ ଫୋନ୍‍ କରି କହିଥିଲେ। କିନ୍ତୁ ସେ କହିଲେ, ନଭେମ୍ବର ମାସ ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ, "ସଂସଦରେ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ"। "ଆମେମାନେ ପ୍ରକୃତରେ ବହୁତ ଖୁସି ଯେ ଆମେ କୃଷକମାନେ ମଧ୍ୟ କିଛି କାମରେ ଆସିପାରିଲୁ [ଏହି ବିକ୍ଷୋଭରେ]। କିନ୍ତୁ ଏହି ନିୟମଗୁଡ଼ିକ ରଦ୍ଦ ହୋଇଯିବ ଏବଂ ଆମେ ଘରକୁ ଫେରିବୁ ତା’ପରେ ହିଁ ଆମେ ପ୍ରକୃତରେ ଖୁସି ହେବୁ।"

ନିଜ ଗାଁକୁ ଫେରିବା ମଧ୍ୟ ସହଜ ହେବ ନାହିଁ ବୋଲି ଭଟିଣ୍ଡା ଜିଲ୍ଲାର କୋଟ୍ରାକୋରିଆନୱାଲା ଗାଁରୁ ଟିକ୍ରିକୁ ଆସିଥିବା ପରମଜିତ୍ କୌର କୁହନ୍ତି। "ଆମ ପାଇଁ ଏହା କଷ୍ଟକର ହେବ। ଆମେ ଏଠାରେ ନିଜ ହାତରେ ଏବଂ ବହୁତ କଠିନ ପରିସ୍ଥିତିରେ ନିର୍ମାଣ କରିଥିବା ଆମର ଘରଗୁଡ଼ିକୁ ଭୁଲିପାରିବୁ ନାହିଁ। ଆମେ ନିଶ୍ଚିତ କରିଛୁ ଯେ ପଞ୍ଜାବର ଘରଗୁଡ଼ିକରେ ମିଳିଥିବା ସମସ୍ତ ସୁବିଧା ପରି ଏଠାରେ ପ୍ରତ୍ୟେକ ସୁବିଧା ଯେପରି ଉପଲବ୍ଧ ହେବ।"

Paramjit Kaur (with Gurjeet Kaur, both from Bathinda district, and other women farmers have stayed in tents at Tikri since last November. 'Our hearts will find it difficult [to return to our villages', Paramjit says. 'We will miss the homes we have built here, built with our hands, and in very difficult times'
PHOTO • Sanskriti Talwar
Paramjit Kaur with Gurjeet Kaur, both from Bathinda district, and other women farmers have stayed in tents at Tikri since last November. 'Our hearts will find it difficult [to return to our villages', Paramjit says. 'We will miss the homes we have built here, built with our hands, and in very difficult times'
PHOTO • Sanskriti Talwar

ଉଭୟ ଭଟିଣ୍ଡା ଜିଲ୍ଲାର ଗୁରଜିତ କୌରଙ୍କ ସହ ପରମଜିତ କୌର (ବାମ) ଏବଂ ଅନ୍ୟ ମହିଳା କୃଷକମାନେ ଗତ ନଭେମ୍ବରରୁ ଟିକ୍ରିରେ ତମ୍ବୁରେ (ଡାହାଣ) ରହିଛନ୍ତି ପରମଜିତ କୁହନ୍ତି , ' ଆମ ପାଇଁ ଆମ ଗାଁକୁ ଫେରିବା କଷ୍ଟକର ହେବ ‘ଆମେ ଏଠାରେ ନିଜ ହାତରେ ଏବଂ ବହୁତ କଠିନ ପରିସ୍ଥିତିରେ ନିର୍ମାଣ କରିଥିବା ଆମର ଘରଗୁ ଡ଼ି କୁ ଭୁଲି ପାରିବୁ ନାହିଁ’

ହରିୟାଣାର ବାହାଦୂର୍ଗ ନିକଟରେ ଥିବା ରାଜପଥର ଡିଭାଇଡର୍ ଉପରେ,ସେମାନଙ୍କର ତମ୍ବୁଠାରୁ କିଛି ଦୂରରେ ସେ ଏବଂ ଅନ୍ୟ ମହିଳା କୃଷକମାନେ ସବୁଜ ପନିପରିବା, ଟମାଟୋ, ସୋରିଷ, ଗାଜର ଏବଂ ଆଳୁ ଚାଷ କରିଛନ୍ତି। ଯେଉଁ ଦିନ ମୁଁ ତାଙ୍କୁ ଭେଟିଥିଲି, ସେ ମଧ୍ୟାହ୍ନ ଭୋଜନ ପାଇଁ ଏକ ବଡ଼ ପାତ୍ରରେ ଏହି ‘ଚାଷ ଜମି’ରୁ ଅମଳ ହୋଇଥିବା ପାଳଙ୍ଗ ଶାଗ ରାନ୍ଧୁଥିଲେ।

ପରମଜିତ୍ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ସ୍ମୃତି ଏବଂ ଶୋକ ମଧ୍ୟରେ ନିଜର ହୃଦୟରେ ସୃଷ୍ଟି ହୋଇଥିବା କ୍ଷତକୁ ଭରିବା ପାଇଁ ସଂଘର୍ଷ କରିବାକୁ ପଡ଼ିବ। "ଏହି ବିକ୍ଷୋଭ ସମୟରେ ମୃତ୍ୟୁବବରଣ କରିଥିବା ଆମର ୭୦୦ ଜଣ ସାଥୀଙ୍କୁ ଆମେ ମନେରଖିବୁ। ତିନିଜଣ ମହିଳା ବିକ୍ଷୋଭକାରୀଙ୍କ ଉପରେ ଟ୍ରକ୍‍ ଚଢ଼ିଯିବାରୁ ମୃତ୍ୟୁ ଘଟିବା ପରେ ଆମେ ଅତ୍ୟନ୍ତ ଦୁଃଖିତ ହୋଇଥିଲୁ। ସେମାନେ ଏଠାରେ ପ୍ରାୟ ୧୦ ଦିନ ବିତାଇବା ପରେ ଦୀପାବଳି ପାଇଁ ଘରକୁ ଫେରୁଥିଲେ। ସେମାନେ ସମସ୍ତେ ବହୁତ ଖୁସି ଥିଲେ, ଏବଂ ଯେତେବେଳେ ଏହା ଘଟିଲା ସେତେବେଳେ ଏକ ଡିଭାଇଡର୍ ଉପରେ ଏକ ଅଟୋରିକ୍ସାକୁ ଅପେକ୍ଷା କରିଥିଲେ। ସେଦିନ ରାତିରେ ଆମେ ଖାଇ ପାରିନଥିଲୁ। ମୋଦୀ ସରକାର ଏଥିରୁ କୌଣସିଟିକୁ ବି ଭୃକ୍ଷେପ କରନ୍ତି ନାହିଁ।"

ଜାନୁୟାରୀ ମାସ ୨୬ ତାରିଖର ଟ୍ରାକ୍ଟର ପରେଡ ସମୟରେ ଭାରତ କିଷାନ ୟୁନିୟନର (ସଂଘ) (ଉଗ୍ରହାନ)  ୬୦ ବର୍ଷୀୟା ମହିଳା ନେତା ପରମଜିତ ତାଙ୍କ ଜିଲ୍ଲା ଭଟିଣ୍ଡା ପାଇଁ କୁହନ୍ତି, "ଅନେକ ଲୋକ ଲାଠିଚାଳନାରେ ଆହତ ହୋଇଥିଲେ। ସେମାନେ ମଧ୍ୟ ଆମ ଉପରେ ଲୁହବୁହା ଗ୍ୟାସ ଛାଡ଼ିଥିଲେ ଏବଂ ଆମ ଉପରେ ଅନେକ କେସ୍ [FIRs] କରିଥିଲେ। ଆମେ ଆମର ସାରା ଜୀବନ ଏହାସବୁ ମନେରଖିବୁ।"

ତିନୋଟି ଚାଷ ଆଇନ ରଦ୍ଦ ହେବା ସହିତ କୃଷକଙ୍କ ସଂଗ୍ରାମ ଶେଷ ହେବ ନାହିଁ ବୋଲି ସେ ବାରମ୍ବାର କହିଛନ୍ତି। "କୌଣସି ସରକାର [ଯେଉଁମାନେ କ୍ଷମତାକୁ ଆସନ୍ତି] କୃଷି ସମ୍ପ୍ରଦାୟ ବିଷୟରେ କେବେ ବି ଚିନ୍ତା କରିନାହାଁନ୍ତି। ସେମାନେ କେବଳ ନିଜ ବିଷୟରେ ଚିନ୍ତା କରନ୍ତି। ଆମେ ଘରକୁ ଯାଇ ଆମ ପିଲାମାନଙ୍କୁ ଭେଟିବୁ, ନାତି ନାତୁଣୀମାନଙ୍କ ସହିତ ଖେଳିବୁ। କିନ୍ତୁ ତା’ପରେ ଅନ୍ୟାନ୍ୟ କୃଷି ସମସ୍ୟା ପାଇଁ ଆମର ଲଢେଇ ଜାରି ରଖିବୁ।

On the divider of the highway not far from their tents, Paramjit and other women farmers have been growing vegetables. The day I met her, she was cooking spinach harvested from this ‘farmland’
PHOTO • Sanskriti Talwar
On the divider of the highway not far from their tents, Paramjit and other women farmers have been growing vegetables. The day I met her, she was cooking spinach harvested from this ‘farmland’
PHOTO • Sanskriti Talwar

ରାଜପଥ ନିକଟ ଡିଭାଇଡର୍ ଉପରେ , ସେମାନଙ୍କର ତମ୍ବୁଠାରୁ କିଛି ଦୂରରେ ସେ ଏବଂ ଅନ୍ୟ ମହିଳା କୃଷକମାନେ ପନିପରିବା ଚାଷ କରିଛନ୍ତି ଯେଉଁ ଦିନ ମୁଁ ତାଙ୍କୁ ଭେଟିଥିଲି , ସେ ଏକ ବଡ଼ ପାତ୍ରରେ ଏହି ଚାଷ ଜମି ରୁ ଅମଳ ହୋଇଥିବା ପାଳଙ୍ଗ ଶାଗ ରାନ୍ଧୁଥିଲେ

ମନସା ଜିଲ୍ଲାର ପଞ୍ଜାବ କିଷାନ ୟୁନିୟନର ରାଜ୍ୟ କମିଟି ସଦସ୍ୟ ଜସବୀର କୌର ନଟ, ୬୦, ଯିଏ ମଧ୍ୟ ଟିକ୍ରିରେ ଟେଣ୍ଟ କରି ରୁହନ୍ତି, କୁହନ୍ତି, "ଆମେ ତାଙ୍କ [ମୋଦୀଙ୍କ] ଉଦ୍ଦେଶ୍ୟ ଉପରେ ସନ୍ଦେହ କରୁଛୁ। "ତାଙ୍କ ଘୋଷଣାନାମାରେ ସେ କହିଛନ୍ତି ଯେ ତାଙ୍କର ଉଦ୍ୟମ ସତ୍ତ୍ୱେ ସେ କୃଷକମାନଙ୍କର ଏକ ବିଭାଗକୁ ମନାଇବାରେ ବିଫଳ ହୋଇଥିଲେ, ଅର୍ଥାତ ସେ ତଥାପି ବିଶ୍ୱାସ କରନ୍ତି ଯେ ଏହି ଚାଷ ଆଇନ ଆଣିବା ଏକ ସଠିକ୍ ନିଷ୍ପତ୍ତି। ଯାହା ଘୋଷଣା କରାଯାଇଛି ତାହା ଲିଖିତ ଆକାରରେ ଦିଆଯିବାକୁ ଆମେ ଅପେକ୍ଷା କରିଛୁ। ତା’ପରେ ଆମେ ଲେଖାରେ କ’ଣ  ମିଳୁଛି ତାହା ମଧ୍ୟ ଦେଖିବା, କାରଣ ସେମାନେ ପ୍ରାୟତଃ ଶବ୍ଦ ସହିତ ଖେଳିବାକୁ ପସନ୍ଦ କରନ୍ତି।"

ଜସବୀର ୨୦୨୦ ମସିହା ବିଦ୍ୟୁତ୍ ଶକ୍ତି (ସଂଶୋଧନ) ବିଲ୍ ର ପ୍ରତ୍ୟାହାର କରିବା ସହିତ ଶସ୍ୟ ଖୁଣ୍ଟା ଜାଳିବା ଅଧ୍ୟାଦେଶ ସହିତ ଅନ୍ୟାନ୍ୟ ବିଚାରାଧୀନ ଦାବିଗୁଡ଼ିକର ତାଲିକାଭୁକ୍ତ କରିଛନ୍ତି। ସେ କୁହନ୍ତି, "ଆମେ ଜାଣୁ ସରକାର ଏହି ଦାବିଗୁଡ଼ିକରେ ସହମତ ହୋଇପାରନ୍ତି, କିନ୍ତୁ ଏମ୍‍ଏସ୍‍ପି [ସର୍ବନିମ୍ନ ସହାୟକ ମୂଲ୍ୟ] ଉପରେ ଗ୍ୟାରେଣ୍ଟି ପ୍ରଦାନରେ ସେମାନେ ଆଗକୁ ବଢ଼ିବେ ନାହିଁ। ତା’ପରେ ଅନେକ କିଛି ବିଷୟ ଉପରେ ଆମର ଦାବି ରହିଛି: ବିକ୍ଷୋଭକାରୀ ଚାଷୀଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ପୋଲିସ୍ ମାମଲାକୁ ଫେରାଇ ନିଅନ୍ତୁ, ଚାଷୀଙ୍କୁ ଟ୍ରାକ୍ଟରର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦିଅନ୍ତୁ। ତେଣୁ ଆମେ ଏତେ ଶୀଘ୍ର ଏହି ସ୍ଥାନ ଛାଡ଼ି ଯାଉନାହୁଁ।"

ନଭେମ୍ବର ମାସ ୨୧ ତାରିଖ ରବିବାର ଦିନ, କୃଷି ଆଇନ ବିରୁଦ୍ଧରେ ବିକ୍ଷୋଭ କରୁଥିବା ପ୍ରାୟ ୪୦ଟି କୃଷକଙ୍କ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ନିଶ୍ଚିତ କରିଛନ୍ତି ଯେ ନଭେମ୍ବର ମାସ ୨୨ ତାରିଖରେ ଲକ୍ଷ୍ନୌର ଏକ କିଷାନ୍ ପଞ୍ଚାୟତ ସମେତ ସମସ୍ତ ଆନ୍ଦୋଳନ ଯୋଜନା ଅନୁଯାୟୀ ଜାରି ରହିବ, ନଭେମ୍ବର ମାସ ୨୬ ତାରିଖରେ ଦିଲ୍ଲୀର ସୀମାରେ ଏକତ୍ର ହେବେ ଏବଂ ନଭେମ୍ବର ମାସ ୨୯ ତାରିଖ ଦିନ ସଂସଦ ଅଭିମୁଖେ ଯାତ୍ରା କରିବେ।

ଅନୁବାଦ: ଓଡ଼ିଶାଲାଇଭ୍‍

Sanskriti Talwar

سنسکرتی تلوار، نئی دہلی میں مقیم ایک آزاد صحافی ہیں اور سال ۲۰۲۳ کی پاری ایم ایم ایف فیلو ہیں۔

کے ذریعہ دیگر اسٹوریز Sanskriti Talwar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE