ଭଙ୍ଗା ହାତରେ ବନ୍ଧା ହୋଇଥିବା ଫିତାଟି ତାଙ୍କୁ ହଇରାଣ କରୁଥିଲା । ସେ ତାକୁ ବାହାର କରିଦେଲେ, ମୁଣ୍ଡର ଟୋପିକୁ ସଜାଡ଼ି ନେଲେ ଏବଂ ତାଙ୍କ ନୀଳ ରଙ୍ଗର ଡାଏରୀ ଓ କଲମକୁ ଖୋଜିବାରେ ଲାଗିଲେ । ସେ ତରତର ହେଉଥିଲେ ।
“ ମାଝାନାୱ ନାରାୟଣ ଗାଏକୱାଡ଼ । ମି କୋଲ୍ହାପୁରାତନା ଆଲୋୟ । ତୁହ୍ମି କୁଠୁନ୍ ଆଲେ? ( ମୋର ନାଁ ନାରାୟଣ ଗାଏକୱାଡ଼। ମୁଁ କୋହ୍ଲାପୁରରୁ ଆସିଛି । ତୁମେ କେଉଁଠାରୁ ଆସିଛ ?)”, କୋହ୍ଲାପୁର ଜାମ୍ଭଲି ଗାଁର ଏହି ୭୩ ବର୍ଷୀୟ କୃଷକ ଜଣକ ପଚାରିଲେ।
ଖରାରୁ ବର୍ତ୍ତିବା ପାଇଁ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଲାଗିଥିବା ଏକ ତମ୍ବୁରେ ଆଶ୍ରୟ ନେଇଥିବା ଅହମ୍ମଦନଗର ଜିଲ୍ଲାର ଦଳେ ଆଦିବାସୀ କୃଷକମାନଙ୍କ ଉଦ୍ଦେଶ୍ୟରେ ସେ ଏହି ପ୍ରଶ୍ନ ପଚାରିଲେ । ଜାନୁଆରୀ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ନୂତନ କୃଷି ଆଇନଗୁଡ଼ିକ ବିରୋଧରେ ପ୍ରତିବାଦ କରିବା ଲାଗି ମହାରାଷ୍ଟ୍ରର ୨୧ଟି ଜିଲ୍ଲାରୁ ଆସିଥିବା କୃଷକମାନଙ୍କ ମଧ୍ୟରେ ସେମାନେ ସମସ୍ତେ ଥିଲେ । ହାତ ଭାଙ୍ଗିଯାଇଥିବା ସତ୍ତ୍ୱେ ଶିରୋଲ ତାଲୁକା ଅନ୍ତର୍ଗତ ତାଙ୍କ ଗାଁରୁ ପ୍ରାୟ ୪୦୦ କିଲୋମିଟର ଯାତ୍ରା କରିଥିଲେ ନାରାୟଣ । ଗାଁରେ ତାଙ୍କର ତିନି ଏକର ଜମି ରହିଛି ।
ନିଜ ପରିଚୟ ଦେଇସାରିବା ପରେ ସେ ଓ ତାଙ୍କ ଗାଁର ଅନ୍ୟମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ କହିବା ଆରମ୍ଭ କଲେ ନାରାୟଣ । ଜାନୁଆରୀ ୨୫ରେ ଆମର ସାକ୍ଷାତ ଅବସରରେ ସେ ମୋତେ କହିଥିଲେ. “ମୁଁ ଜଣେ ଚାଷୀ ଏବଂ ଏହି ସବୁ ସମସ୍ୟା ସହ ନିଜକୁ ଯୋଡ଼ିପାରିବି ।” ତାଙ୍କର ଭଙ୍ଗା ଡାହାଣ ହାତରେ ସେ ମରାଠୀରେ କିଛି ଲେଖି ରଖୁଥିଲେ। ଦେହହାତ ହଲାଇବା ଯୋଗୁଁ ତାଙ୍କୁ କଷ୍ଟ ହେଉଥିଲେ ବି ସେ କହିଲେ, “କୃଷକ ଓ କୃଷି ଶ୍ରମିକମାନଙ୍କର ସଂଘର୍ଷକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଏବଂ ତେଣୁ, ମୁଁ ସେମାନଙ୍କ ସମସ୍ୟା ସଂପର୍କରେ ଶୁଣେ ।”
ପରେ, ସେ ମୋତେ କହିଲେ ଯେ ଆଜାଦ ମଇଦାନରେ ୧୦ଟି ଜିଲ୍ଲାରୁ ଆସିଥିବା ୨୦ ଜଣ ଚାଷୀଙ୍କ ସହିତ ସେ କଥାବାର୍ତ୍ତା କରିଛନ୍ତି ।
ଜାନୁଆରୀ ମାସ ପ୍ରଥମ ସପ୍ତାହରେ ସେ ନିଜ କ୍ଷେତରେ କାମ କରୁଥିବା ବେଳେ ତାଙ୍କ ଉପରେ ଗୋଟିଏ ନଡ଼ିଆ ବାହୁଙ୍ଗା ଖସିପଡ଼ିବାରୁ ତାଙ୍କ ହାତରେ ଆଘାତ ଲାଗିଥିଲା । ସେ ଆଖୁ ଓ ଯଅ ଚାଷ କରନ୍ତି । ସେ ମଧ୍ୟ ରାସାୟନିକ ସାର ପ୍ରୟୋଗ ନକରି ପନିପରିବା ଚାଷ କରନ୍ତି । ପ୍ରଥମେ ସେ ତାଙ୍କ ହାତରେ ଲାଗିଥିବା ଆଘାତକୁ ଧ୍ୟାନ ଦେଲେ ନାହିଁ ଏବଂ ସପ୍ତାହକ ପରେ ବି ଯେତେବେଳେ ଯନ୍ତ୍ରଣା କମିଲା ନାହିଁ, ସେ ଜାମ୍ଭଲିର ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ଗଲେ । ସେ କହିଲେ, “ଡାକ୍ତର ପରୀକ୍ଷା କରି ଦେଖିଲେ ଏବଂ କହିଲେ ଯେ ମାଂସପେଶୀ ଟାଣି ହୋଇଯାଇଛି । ସେ ମୋତେ ହାତରେ ଗୋଟିଏ ପଟ୍ଟି (କ୍ରେପ୍ ବ୍ୟାଣ୍ଡେଜ୍) ବାନ୍ଧିବାକୁ କହିଲେ ।”
ତଥାପି ଯନ୍ତ୍ରଣା ଲାଗି ରହିଲା ଏବଂ ଆଉ ସାତ ଦିନ ପରେ ନାରାୟଣ ସେଠାରୁ ପ୍ରାୟ ୧୨ କିଲୋମିଟର ଦୂର ଶିରୋଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ । ସେଠାରେ ସେ ଏକ୍ସ-ରେ କରାଇଲେ । “ଡାକ୍ତର ମତେ କହିଲେ, ‘ତୁମେ କେମିତିକା ଲୋକ ? ସପ୍ତାହରୁ ଅଧିକ ସମୟ ହେଲା ତୁମ ହାତ ଭାଙ୍ଗିଗଲାଣି, ଆଉ ତୁମେ ବେପରୁଆ ହୋଇ ବୁଲୁଛ’,” ନାରାୟଣ ମୋତେ କହିଲେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ଲାଷ୍ଟର ସାମଗ୍ରୀ ନଥିଲା । ତେଣୁ ଡାକ୍ତର ତାଙ୍କୁ ଶିରୋଲରୁ ୧୫ କିଲୋମିଟର ଦୂର ସାଙ୍ଗଲି ସିଭିଲ ହାସପାତାଳକୁ ପଠାଇ ଦେଲେ ଏବଂ ପରେ ସେଦିନ ନାରାୟଣଙ୍କ ହାତରେ ପ୍ଲାଷ୍ଟର ଲଗାଗଲା ।
ଜାନୁଆରୀ ୨୪ ତାରିଖ ଦିନ ଯେତେବେଳେ ସେ ଆଜାଦ ମୈଦାନ ଯିବାକୁ ଘରୁ ବାହାରିଲେ, ପରିବାର ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ । କିନ୍ତୁ ତାଙ୍କ ମନୋବଳ କମିଯାଇ ନଥିଲା । “ମୁଁ ସେମାନଙ୍କୁ କହିଲି, ତୁମେମାନେ ଯଦି ମୋତେ ଅଟକାଇବ, ତେବେ ମୁଁ କେବଳ ଯେ ମୁମ୍ବାଇ ଯିବି ତା ନୁହେଁ, ବରଂ ଆଉ ଫେରିବି ନାହିଁ ।” ତାଙ୍କ ହାତକୁ ଉପର ଆଡ଼କୁ କରି ରଖିବା ପାଇଁ ଫିତାଟିଏ ବାନ୍ଧି ସେ ଯାତ୍ରା କରିଥିଲେ ।
ନାରାୟଣଙ୍କ ଯାତ୍ରା ପାଇଁ ତାଙ୍କ ସ୍ତ୍ରୀ, ୬୬ ବର୍ଷୀୟା କୁସୁମ, ଯେ କି ତାଙ୍କ ସହିତ କ୍ଷେତରେ ମଧ୍ୟ କାମ କରନ୍ତି, ୧୩ଟି ଭାକରି ଏବଂ ଲାଲ ଚଟନି (ନାଲି ଲଙ୍କାରେ ତିଆରି) ସାଙ୍ଗରେ ଚିନି ଆଉ ଘିଅ ପ୍ୟାକ୍ କରି ଦେଲେ । ସେ ଜାଣିଥିଲେ ଯେ ନାରାୟଣ ଏଥିରୁ ଅଧା ବି ଖାଇବେନି । ମୁମ୍ବାଇର ପ୍ରତିବାଦ ସଭା ପରେ ମୁଁ ଯେତେବେଳେ କୁସୁମଙ୍କୁ ଜାମ୍ଭଲିରେ ଭେଟିଲି ସେ ମୋତେ କହିଲେ,“ସବୁବେଳେ ସେ ଆନ୍ଦୋଳନକାରୀମାନଙ୍କୁ ହିଁ ଖାଦ୍ୟ ବାଣ୍ଟି ଦିଅନ୍ତି ।” ଦୁଇ ଦିନ ଭିତରେ ସେ ମାତ୍ର ଦୁଇଟି ଭାକରି ଖାଇଥିଲେ ଏବଂ ବାକିତକ ଚାରି ଜଣ ଆଦିବାସୀ ମହିଳା କୃଷକଙ୍କୁ ଦେଇଦେଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସହ ଅନୁବନ୍ଧିତ ଅଖିଳ ଭାରତ କିଷାନ ସଭାର ଜଣେ ସଦସ୍ୟ ନାରାୟଣ କହିଲେ, “ଆମେ ପୁଞ୍ଜିପତି ନୁହଁ । ଅନେକ ଦୂରବର୍ତ୍ତୀ ଗାଁରୁ ପାଦରେ ଚାଲି ଚାଲି କୃଷକମାନେ ଏଠାକୁ ଆସିଛନ୍ତି ଏବଂ ଅତି କମ୍ରେ ସେମାନଙ୍କୁ ମୁଁ କିଛି ଖାଦ୍ୟ ଦେଇ ତ ସାହାଯ୍ୟ କରିପାରିବି ।”
ନଭେମ୍ବର ୨୬ ତାରିଖରୁ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରତ ଲକ୍ଷ ଲକ୍ଷ କୃଷକଙ୍କ ପ୍ରତି ମହାରାଷ୍ଟ୍ରର କୃଷକମାନଙ୍କ ସମର୍ଥନ ଜଣାଇବା ଲାଗି ସଂଯୁକ୍ତ ଶେତକାରି କାମଗର ମୋର୍ଚ୍ଚା ପକ୍ଷରୁ ମୁମ୍ବାଇରେ ଜାନୁଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ଏହି ପ୍ରତିବାଦ ଧାରଣାର ଆୟୋଜନ କରାଯାଇଥିଲା ।
କୃଷକମାନେ ଯେଉଁ ତିନିଟି ନୂତନ ଆଇନ ବିରୋଧରେ ପ୍ରତିବାଦ କରିଆସୁଛନ୍ତି ସେଗୁଡ଼ିକ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ, ୨୦୨୦ ; ଦରଦାମ ପ୍ରତିଶ୍ରୁତି ଓକୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ । କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍ ୫ ତାରିଖ ଦିନ ଏହି ଆଇନଗୁଡ଼ିକୁ ଅଧ୍ୟାଦେଶ ରୂପରେ ଜାରି କଲେ, ତା’ ପରେ ସେପ୍ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ କୃଷି ବିଲ୍ ରୂପରେ ଉପସ୍ଥାପନ କରିବା ପରେ ତରବରିଆ ଭାବେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ ।
କୃଷକମାନଙ୍କ ଦୃଷ୍ଟିରେ ଏହି ଆଇନଗୁଡ଼ିକ ଲାଗୁ ହେଲେ କୃଷି କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀର କ୍ଷମତା ପ୍ରୟୋଗର ପରିସର ବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟି ହେବ ଏବଂ ଏହା ସେମାନଙ୍କ ଜୀବିକାକୁ ବିପର୍ଯ୍ୟସ୍ତ କରିଦେବ । ଏହି କମ୍ପାନୀଗୁଡ଼ିକ, ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (MSP), କୃଷିଜାତ ସାମଗ୍ରୀ ବିପଣନ କମିଟି (APMC), ରାଜ୍ୟ ସରକାରଙ୍କ ଦ୍ୱାରା ଫସଲ କ୍ରୟ ସମେତ କୃଷକଙ୍କ ପାଇଁ ରହିଥିବା ବିଭିନ୍ନ ପ୍ରମୁଖ ସହଯୋଗ ବ୍ୟବସ୍ଥାକୁ ଏଡ଼ାଇ ଯିବେ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ସବୁ ନାଗରିକମାନଙ୍କର ଆଇନର ଆଶ୍ରୟ ନେବା ଅଧିକାରକୁ ଅକାମୀ କରିଦେଉଥିବା କାରଣରୁ ମଧ୍ୟ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଇଛି ।
ଏହା ପ୍ରଥମ ଥର ପାଇଁ ନୁହେଁ ଯେ, ଆଜାଦ ମୈଦାନରେ ଅନ୍ୟ କୃଷକମାନଙ୍କ ଉଦ୍ବେଗର କାରଣ ବୁଝିବା ପାଇଁ ନାରାୟଣ ତଳେ ବସିପଡ଼ିଥିଲେ । ସେ କହିଲେ, “ସେମାନଙ୍କ ଜୀବନ ସଂପର୍କରେ ଅଧିକ ଜାଣିବା ପାଇଁ ମୁଁ ମୋର ସାଥୀ ଆନ୍ଦୋଳନକାରୀଙ୍କ ସହ ସବୁବେଳେ କଥାବାର୍ତ୍ତା କରେ ।” ବର୍ଷ ବର୍ଷ ହେଲା ସାରା ଭାରତର ବିଭିନ୍ନ ସ୍ଥାନରେ ସେ ଶହ ଶହ କୃଷକଙ୍କ ସହିତ ସାକ୍ଷାତ କରିଛନ୍ତି ଏବଂ ଅନେକ ତାଙ୍କର ବନ୍ଧୁ ହୋଇଯାଇଛନ୍ତି । ମହାରାଷ୍ଟ୍ରର ମୁମ୍ବାଇ, ନାଗପୁର, ବୀଡ ଏବଂ ଔରଙ୍ଗାବାଦରେ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେବା ବ୍ୟତୀତ ସେ ଦିଲ୍ଲୀ, ବିହାରର ସମସ୍ତିପୁର, ତେଲଙ୍ଗାନାର ଖମ୍ମମ ଏବଂ ତାମିଲନାଡୁର କନ୍ୟାକୁମାରୀକୁ ବି ଯାଇଛନ୍ତି ।
ସେ କହନ୍ତି, ୨୦୨୦ ମସିହା ସେପ୍ଟେମ୍ବରରେ ଏହି ନୂତନ ଆଇନଗୁଡ଼ିକ ଗୃହୀତ ହେବା ପରେ ସେ କୋହ୍ଲାପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ୧୦ଟି ପ୍ରତିବାଦ ସଭାରେ ଯୋଗ ଦେଇଛନ୍ତି । ଗତ ଚାରି ମାସ ଭିତରେ, କୋହ୍ଲାପୁରର ଜାମ୍ଭଲି, ନାନ୍ଦାନି, ହାରୋଲି, ଅର୍ଜୁନୱାଡ, ଧରନ୍ଗୁଟ୍ଟି, ଶିରଧୋନ୍ ଏବଂ ତାକାଭାଡ଼େ ଭଳି ଅନେକ ଗାଁର ବହୁ କୃଷକଙ୍କ ସହିତ ନାରାୟଣ କଥାବାର୍ତ୍ତା କରିଛନ୍ତି । “ମୁଁ ଯେଉଁ ଶହ ଶହ କୃଷକଙ୍କ ସହିତ କଥାବାର୍ତ୍ତା କରିଛି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଏହି ଆଇନକୁ ଚାହାଁନ୍ତି ନାହିଁ। ଏହି ଆଇନଗୁଡ଼ିକ ଗଢ଼ିବାର ଆବଶ୍ୟକତା କ’ଣ ଥିଲା ?” ସେ ପଚାରିଲେ । ତାଙ୍କ କଣ୍ଠସ୍ୱରରୁ କ୍ରୋଧ ବାରି ହୋଇଯାଉଥିଲା ।
୨୦୨୦ ଡିସେମ୍ବର ୮ ତାରିଖ ଦିନ କୃଷକ ଓ କୃଷି ଶ୍ରମିକମାନେ ସାରା ଭାରତରେ ଦିନିକିଆ ବନ୍ଦ ପାଳନ କରିବା ସମୟରେ ସେ ଶିରୋଲ ତାଲୁକାର କୁରୁନ୍ଦୱାଡ଼ ସହରରେ ଥିଲେ । ସେ କହିଲେ, “ଆମକୁ ଏକ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ମିଳିଲା ନାହିଁ, କିନ୍ତୁ ସହରର ଲୋକମାନେ ସହଯୋଗ କଲେ ଓ କୃଷକମାନଙ୍କ ପ୍ରତି ସମର୍ଥନ ଜଣାଇଲେ । ତା ନହେଲେ କୁରୁନ୍ଦୱାଡ଼ର ଦୋକାନ ବଜାର ବନ୍ଦ ହୁଏ ନାହିଁ- କେବେ ବି ନୁହେଁ ।”
ଆଖପାଖ ଗାଁର କୃଷକମାନଙ୍କୁ ଭେଟିବା ପାଇଁ ଏବଂ ପ୍ରତିବାଦରେ ଯୋଗ ଦେବା ପାଇଁ ନାରାୟଣ ଭୋର ୪ଟାରୁ ଉଠନ୍ତି ଏବଂ ୧୦ଟା ସୁଦ୍ଧା ନିଜ କାମ ସାରି ତାଙ୍କ ମୋଟର ସାଇକେଲରେ ବିଭିନ୍ନ ଗାଁକୁ ଯାଆନ୍ତି । ସେ କହିଲେ, ତାଙ୍କ ଫସଲରେ ଭୋଜିକରି ଖାଇବାକୁ ଚେଷ୍ଟା କରୁଥିବା ଚଢ଼େଇମାନଙ୍କୁ ଘଉଡ଼ାଇବା ପାଇଁ ସେ ଅପରାହ୍ଣ ୫ଟା ସୁଦ୍ଧା ଫେରିଆସନ୍ତି ।
ମହାରାଷ୍ଟ୍ରର ବିଭିନ୍ନ ଭାଗରୁ ଆସିଥିବା ୨,୦୦୦ ଚାଷୀଙ୍କ ଏକ ଦଳ ସହିତ ଯୋଗ ଦେବା ଲାଗି ଡିସେମ୍ବର ୨୦ ତାରିଖ ଦିନ ସେ ଜାମ୍ଭଲିରୁ ପ୍ରାୟ ୫୦୦ କିଲୋମିଟର ଦୂର ନାସିକକୁ ଗଲେ ଏବଂ ତା ପରଦିନ ସେମାନେ ସେଠାରୁ ବାହାରିଥିବା ଏକ ଗାଡ଼ି ଜଥା (ଶୋଭାଯାତ୍ରା)ରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ନାରାୟଣ ମଧ୍ୟ ପ୍ରଦେଶ ସୀମା ଯାଏ ଯାଇ ସେହି କୃଷକମାନଙ୍କ ସହ ଫେରିଆସିଲେ, ଯେଉଁମାନେ ଅତ୍ୟଧିକ ଥଣ୍ଡା ସହି ପାରୁ ନଥିଲେ କିମ୍ବା ନିଜ ନିଜ କ୍ଷେତକୁ ଫେରିବାକୁ ବାଧ୍ୟ ହୋଇଥିଲେ । ସେ କହିଲେ, “ଦିଲ୍ଲୀରେ ଥିବା କୃଷକମାନେ ଖୁବ୍ ପ୍ରେରଣାଦାୟକ । ସେମାନେ ସାରା ଦେଶକୁ ଏକଜୁଟ କରିଛନ୍ତି । ମୁଁ ଦିଲ୍ଲୀ ଯିବାକୁ ଚାହୁଁଥିଲି, କିନ୍ତୁ ଶୀତ ଓ ପିଠିରେ ଯନ୍ତ୍ରଣା ଯୋଗୁଁ ଯାଇ ପାରିଲିନି ।”
ନାରାୟଣ ଅନ୍ୟ ଉପାୟରେ ମଧ୍ୟ ପ୍ରତିବାଦ କରିଆସୁଛନ୍ତି । କୃଷକମାନଙ୍କ ଉଦ୍ବେଗ ସଂପର୍କରେ ଉଲ୍ଲେଖ କରି ସେ ୨୦୨୦ମସିହା ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ୨୫୦ଟି ପୋଷ୍ଟକାର୍ଡ ଲେଖି ପଠାଇଥିଲେ । ସେ ଏହି ତିନିଟି “କଳା ଆଇନ” ପ୍ରତ୍ୟାହାର କରିନେବାକୁ, ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟର ସୁପାରିସ ଭିତ୍ତିରେ ନ୍ୟୂନତମ ସମର୍ଥନ ମୂଲ୍ୟ (MSP) ଲାଗୁ କରିବାକୁ, ଏବଂ ବିଦ୍ୟୁତ୍ଶକ୍ତି ସଂଶୋଧନ ବିଲ୍, ୨୦୨୦କୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । କମିଶନଙ୍କ ସୁପାରିସ ଅନୁସାରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ଲାଗୁ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପରେ ସେ ସତର୍କ ହୋଇଉଠିଥିଲେ । ‘‘୨୦୧୫ରେ, ବିଜେପି ସରକାର ସୁପ୍ରିମ କୋର୍ଟରେ କହିଥିଲେ ଯେ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଅନୁସାରେ ନ୍ୟୂନତମ ସମର୍ଥନ ମୂଲ୍ୟ ଲାଗୁ କରିବା ସମ୍ଭବ ନୁହେଁ । ଏବେ ସେମାନେ କହୁଛନ୍ତି ଯେ, ଏହି ଆଇନଗୁଡ଼ିକ ଯୋଗୁଁ ନ୍ୟୂନତମ ସମର୍ଥନ ମୂଲ୍ୟ ଲୋପ ପାଇବ ନାହିଁ । ଆମେ ସେମାନଙ୍କୁ କେମିତି ବିଶ୍ୱାସ କରିବୁ ?”
ସେ ମୋତେ କହିଲେ ଯେ, ତାଙ୍କ ପଛେ ପଛେ ତାଙ୍କ ତାଲୁକା ଅନ୍ତର୍ଗତ ଅନେକ ଗାଁର ବହୁସଂଖ୍ୟକ ଚାଷୀ ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟକାର୍ଡ ଲେଖିବା ଆରମ୍ଭ କଲେ । “ଲୋକେ କହନ୍ତି ଯେ କୃଷକମାନେ ଏହି ସବୁ ଆଇନକୁ ବୁଝିନାହାନ୍ତି । ଆମେ ସବୁଦିନ କ୍ଷେତରେ କାମ କରୁଛୁ, ଆମେ କେମିତି ବୁଝିବୁନି ?” ସେ ବିସ୍ମୟ ପ୍ରକାଶ କରନ୍ତି ।
ଏହି ନୂଆ ଆଇନଗୁଡ଼ିକ ଏବଂ ସେଗୁଡ଼ିକର ପ୍ରଭାବ ସଂପର୍କରେ ଭଲ ଭାବରେ ବୁଝିବା ଲାଗି ଅନେକ ସାମାଜିକ କର୍ମୀ ଓ ଆଇନ ବିଶେଷଜ୍ଞମାନଙ୍କ ସହ ମଧ୍ୟ ନାରାୟଣ ଆଲୋଚନା କରିଆସୁଛନ୍ତି । ସେ କହିଲେ, “ଏହି ଆଇନଗୁଡ଼ିକ ସମସ୍ତଙ୍କ ପାଇଁ ବିପଜ୍ଜନକ ହେବ । ଏମିତି କି କୌଣସି ବିବାଦ ଉପୁଜିଲେ, ଏଣିକି ଆମେ କୋର୍ଟକୁ ବି ଯାଇପାରିବୁନି ।”
ତାଙ୍କ ମତରେ ଅଣ-କୃଷକମାନଙ୍କୁ ମଧ୍ୟ ଏହି ଆଇନଗୁଡ଼ିକ ସଂପର୍କରେ ସଚେତନ କରାଇବା ଉଚିତ । “ ବିଚାର ପ୍ରବୋଧନ କେଲା ପାହିଜେ ପୂ ର୍ଣ୍ଣ ଦେଶାତ (ସାରା ଦେଶ ସଚେତନ ହେବା ଆବଶ୍ୟକ) ।”
ଜାନୁଆରୀ ୨୫ରେ, ଯେତେବେଳେ ଚାଷୀମାନେ ଆଜାଦ ମଇଦାନରୁ ବାହାରି ଦକ୍ଷିଣ ମୁମ୍ବାଇରେ ଥିବା ମହାରାଷ୍ଟ୍ର ରାଜ୍ୟପାଳଙ୍କ ବାସଭବନ ଅଭିମୁଖେ ଯାତ୍ରା ଆରମ୍ଭ କଲେ, କୋହ୍ଲାପୁର ଜିଲ୍ଲାରୁ ଆସିଥିବା ଚାଷୀମାନଙ୍କର ଜିନିଷପତ୍ରର ଦେଖାରଖା ପାଇଁ ନାରାୟଣ ସେଠାରେ ରହିଲେ ।
ତାଙ୍କ ନୋଟ୍ବୁକ୍ରେ ସେ କୃଷକମାନଙ୍କ ଉଦ୍ବେଗର ଏକ ସୂଚୀ ସଂକଳିତ କରିଛନ୍ତି: ‘ଜମିର ମାଲିକାନା ସ୍ୱତ୍ୱ, ଫସଲ ବୀମା, ସର୍ବନିମ୍ନ ସମର୍ଥନ ମୂଲ୍ୟ ଏବଂ ଏପିଏମ୍ସି ମଣ୍ଡି’ । ସେ ମୋତେ କହିଲେ, “ଏହି କୃଷି ଆଇନଗୁଡ଼ିକ ପ୍ରଥମେ ସବୁ ଏପିଏମ୍ସିକୁ ନଷ୍ଟ କରିଦେବ ଏବଂ ତା’ପରେ ଭାରତୀୟ କୃଷକମାନଙ୍କୁ ମାରିଦେବ,” କଥା ଯୋଡ଼ି ସେ କହିଲେ, “ଏହି ତିନିଟି ଯାକ ଆଇନ ଆମକୁ, ସବୁ ଶ୍ରମିକଙ୍କୁ ବଡ଼ ବଡ଼ କମ୍ପାନୀ ପାଇଁ କାମ କରିବାକୁ ବାଧ୍ୟ କରିବ ।”
ଅନୁବାଦ - ଓଡ଼ିଶାଲାଇଭ୍