ଗତ ତିନି ବର୍ଷରେ କେହି ଜଣେ ମଧ୍ୟ ହଳ ତିଆରି କରିବା ପାଇଁ କହିନାହାନ୍ତି । ଏପରିକି ଗୋଟିଏ କୁରାଢି ଓ କୋଦାଳ ବେଣ୍ଟ ମଧ୍ୟ ନୁହେଁ । ଯାହାର ଅର୍ଥ ହେଉଛି ବଙ୍ଗାରୁ ରାମାଚାରୀ, ଯିଏ ଚାଷୀମାନଙ୍କ ପାଇଁ ବିଭିନ୍ନ ଉପକରଣମାନ ନିର୍ମାଣ କରୁଥିଲେ, ସେ ଅସୁବିଧାରେ ଥିଲେ । ସେ ଅନେକ ବର୍ଷ ଧରି ମୁକୁନ୍ଦପୁରର ଏକମାତ୍ର ବଢେଇ ଭାବେ କାମ କରି ଆସୁଛନ୍ତି । ତାଙ୍କର ନିଜସ୍ୱ ଜମି ବା ଗୃହପାଳିତ ପଶୁ ନାହିଁ ଓ ସେ ଜଣେ ଚାଷୀ ମଧ୍ୟ ନୁହନ୍ତି । କିନ୍ତୁ ତାଙ୍କର ଭଲମନ୍ଦ ବିଷୟ ଆନ୍ଧ୍ର ପ୍ରଦେଶର ନାଳଗୋଣ୍ଡା ଜିଲ୍ଲାର ଏହି ଗ୍ରାମରେ ଚାଷକାମର ଭଲ ସ୍ଥିତି ଉପରେ ନିର୍ଭର କରିଥାଏ ।
“ଯେତେବେଳେ ଚାଷ ଖରାପ ହୁଏ, ସେତେବେଳେ କେବଳ ଚାଷୀମାନଙ୍କ ସ୍ଥିତି ନୁହେଁ ବରଂ ଅନ୍ୟ ସମସ୍ତଙ୍କ ସ୍ଥିତି ମଧ୍ୟ ଖରାପ ହୋଇଯାଏ” ବୋଲି ଜଣେ ରାଜନୈତିକ କର୍ମକର୍ତ୍ତା ଏସ୍. ଶ୍ରୀନିବାସ କହିଛନ୍ତି । ରାମାଚାରୀଙ୍କ ସହିତ ବହୁତ ଖରାପ ହୋଇଛି । ଅନାହାର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଏପରି ଗୋଟିଏ ଗ୍ରାମ ଯାହା ନାଗାର୍ଜୁନ ସାଗର ଡ୍ୟାମ୍ ପ୍ରକଳ୍ପର ବାମ କେନାଲ୍ ଦ୍ୱାରା ସର୍ବାଧିକ ଲାଭାନ୍ୱିତ ହେଉଥିବା ଏକ ସ୍ଥାନରେ ରହିଛି, ଯେଉଁଠାରେ ପୂର୍ବେ ବର୍ଷ ବର୍ଷ ଧରି ଭଲ ଫସଲ ହେଉଥିଲା, ସେହିପରି ଏକ ଗ୍ରାମରେ ।
ଚାଷ ସଂକଟ ଯୋଗୁଁ କେବଳ ଯେ ଚାଷୀମାନେ ଗମ୍ଭୀର ଭାବେ ପ୍ରଭାବିତ ହେଉଛନ୍ତି ତାହାନୁହେଁ. ବରଂ ଏହା ସହିତ ଯୋଡି ହୋଇ ରହିଥିବା ଅନ୍ୟ ସଂପ୍ରଦାୟର ଲୋକମାନଙ୍କୁ ମଧ୍ୟ ଗମ୍ଭୀର ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ଚାଷ ସଂକଟ ଯୋଗୁଁ ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବାବେଳେ କୁମ୍ଭାର, ଚମଡା କାମ କରୁଥିବା ଲୋକ, ବଢେଇ ଓ ଅନ୍ୟାନ୍ୟ ଅଣ-କୃଷି ଭିତ୍ତିକ ଗୋଷ୍ଠୀ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଏହି କ୍ଷେତ୍ରରେ ବିଭିନ୍ନ ଶ୍ରେଣୀ ମଧ୍ୟରେ ରହିଥିବା ଅତି ସୂକ୍ଷ୍ମ ଓ ବହୁ ପୁରାତନ ସଂଯୁକ୍ତିକରଣ ପଦ୍ଧତି ଏବେ ବହୁଳଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି ।
“ମୁଁ ବିଜୟୱାଡାରେ ଚପଲ୍ କମ୍ପାନିରେ କାମ କରୁଥିବାରୁ ଘରେ ନଥିଲି,” ବୋଲି ରାମାଚାରୀଙ୍କ ବିଧବା ଅରୁଣା କୁହନ୍ତି । ଭୋଦ୍ଦ୍ରାଙ୍ଗୀ (ବଢେଇ) ଜାତିର ମହିଳାମାନେ ସାଧାରଣତଃ କାମ ସନ୍ଧାନରେ ବିଦେଶ ଗମନ କରନ୍ତିନାହିଁ। ସେ କୁହନ୍ତି ଯେ “ ଆମ ପାଖରେ କିନ୍ତୁ ଅନ୍ୟ କୌଣସି ବିକଳ୍ପ ନଥିଲା,” । “ମୁଁ ଏହା ପୂର୍ବରୁ କେବେ ମଧ୍ୟ କାମ କରିବାକୁ ଅନ୍ୟ ସ୍ଥାନକୁ ଯାଇନଥିଲି । ତେବେ, ଏଠାରେ ମଧ୍ୟ କାମ ମିଳିବା ଆଶା ପ୍ରାୟତଃ ଶୂନ ହୋଇଯାଇଥିଲା ।’’ ତେଣୁ ସେ ତାର ତିନୋଟି ସନ୍ତାନଙ୍କୁ ତାର ସ୍ୱାମୀଙ୍କ ହେପାଜତରେ ଛାଡି ଏକ ମାସ ପାଇଁ କାମ କରିବାକୁ ଆସିଥାଏ ।
“ରାମାଚାରୀଙ୍କର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାହକ ଥିଲେ,” ବୋଲି ଶ୍ରୀନିବାସ କହନ୍ତି । “ ତାଙ୍କ ସେବା ବଦଳରେ ସେମାନେ ତାଙ୍କୁ ଧାନ ଦେଉଥିଲେ । ପ୍ରତ୍ୟେକ ତାଙ୍କୁ ବର୍ଷକୁ ୭୦ କିଲୋଗ୍ରାମ ଦେଉଥିଲେ ।’’ ଏହି ପ୍ରକାରେ ସେ ପାଉଥିବା ୨,୮୦୦ କିଲୋରୁ ନିଜ ପରିବାର ପାଇଁ ଯାହା ଆବଶ୍ୟକ ସେତିକି ରଖି ବଳକା ଧାନ ବଜାରରେ ବିକ୍ରି କରିଦେଉଥିଲେ । “ସେ ୭୦କିଲୋ ପାଇଁ ପ୍ରାୟ ୨୫୦ଟଙ୍କା ପାଉଥିଲେ । ମନେରଖନ୍ତୁ, ଏହା ଧାନ ଅଟେ, ଚାଉଳ ନୁହେଁ । ତଥାପି, ସେ ନିଜ ପରିବାରର ଆବଶ୍ୟକତା ମେଣ୍ଟେଇବା ପାଇଁ ଆବଶ୍ୟକ ପରିମାଣର ଧାନ ରଖିବାପରେ ଯାହା ବିକ୍ରି କରୁଥିଲେ, ସେଥିରୁ ବର୍ଷକୁ ପ୍ରାୟ ୪୦୦୦ଟଙ୍କା ପାଇପାରୁଥିଲେ । ‘‘ସେଥିରେ ସେ ନିଜ ପରିବାରର ଆବଶ୍ୟକତା ପୂରଣ କରୁଥିଲେ ।’’
ପୂର୍ବରୁ ତାଙ୍କ ଗ୍ରାହକଙ୍କ ସଂଖ୍ୟା ଆହୁରି ଅଧିକ ଥିଲା, କିନ୍ତୁ ତାଙ୍କର ଅର୍ଥନୈତିକ ଅଭିବୃଦ୍ଧି ସମୟରେ ହିଁ ବିଭିନ୍ନ ସମସ୍ୟା ଦେଖାଦେଲା । ଗ୍ରାମକୁ ୧୨ଟି ଟ୍ରାକ୍ଟର ଆସିବା ଯୋଗୁଁ କାମର ବୋଝ କମିଗଲା । “ ଏହା ଦ୍ୱାରା ସେହି ଲୋକମାନେ ବହୁଳଭାବେ କ୍ଷତିଗ୍ରସ୍ତ ହେଲେ ଯେଉଁମାନେ ନିଜ ହାତରେ କାମ କରୁଥିଲେ,” ବୋଲି କେ. ଲିଙ୍ଗୟା କୁହନ୍ତି । ତାପରେ ତାଙ୍କ ପରି ଜମିହୀନ କର୍ମଚାରୀଙ୍କ ଦୁଃସମୟ ଆସିଗଲା । ରାମାଚାରୀଙ୍କ ପାଇଁ ଏହା କୌଣସି ଗମ୍ଭୀର ମାନସିକ ଆଘାତ ଠାରୁ କମ୍ ନଥିଲା । ତେବେ ମଧ୍ୟ ସେ ନିଜ ବ୍ୟବସାୟକୁ ଛାଡିଲେ ନାହିଁ, ବରଂ ଏଥିରେ ତିଷ୍ଠି ରହିବା ପାଇଁ ସଂଘର୍ଷ ଜାରି ରଖିଲେ । “ ତାଙ୍କର ଅନ୍ୟ କୌଣସି ବିଷୟରେ ଦକ୍ଷତା ନଥିଲା,” ବୋଲି ଅରୁଣା କୁହନ୍ତି । ସେ (ପୁରୁଷ) ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ସେ (ମହିଳା) ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି ।




