ମହମ୍ମଦ ଗ୍ୟାସୁଇଦ୍ଦିନ୍ ଆଜିମ୍ଙ୍କ ଦୋକାନରେ ଲମ୍ବିଥିବା ଏକ ତାରରେ ରଙ୍ଗୀନ୍ କାଗଜ, ବିବାହ ପତ୍ର ଓ ପୋଷ୍ଟର୍ ଆଦି ପିନ୍ ସହାୟତାରେ ଝୁଲାଇ ରଖାଯାଇଛି । ସେ ଶୁଖିଲା ନଳ ଘାସରୁ ତିଆରି ହୋଇଥିବା ଏକ କଲମ୍ (ପେନ୍) ସହାୟତାରେ ଏକ ଧଳା ଫର୍ଦ୍ଦର ଉପର ଭାଗରେ ଆଲ୍ଲାହ ବୋଲି ଲେଖିଥାନ୍ତି। ଅନ୍ୟ କୌଣସି କାମ କରିବା ପୂର୍ବରୁ ସେ ଏହା କରିଥାନ୍ତି । “ମୁଁ ଗତ ୨୮ବର୍ଷ ହେବ ଲିପିକାର କାମ କରିଆସୁଛି । ମୁଁ ଯେତେବେଳେ ସାଉଦି ଆରବରେ କାମ କରୁଥିଲି, ସେତେବେଳେ ଏହି କଳାରେ ନିପୁଣତା ହାସଲ କରିଥିଲି । ୧୯୯୬ରେ ମୁଁ ଭାରତ ଫେରିବା ପରେ, ଏହି ଦୋକାନ ଖୋଲିଥିଲି.” ବୋଲି ସେ କୁହନ୍ତି ।
ଆଜିମ୍, ୪୪, ହାଇଦ୍ରାବାଦ ସହରର କେନ୍ଦ୍ରସ୍ଥଳରେ ରୁହନ୍ତି ଓ ତାଙ୍କର ଦୋକାନ ଜମାଲ୍ ବଜାରରେ ଅଛି, ଯାହା ଚାର୍ମୀନାର୍ ନିକଟସ୍ଥ ଛତ୍ତା ବଜାରରେ ଥିବା ଏକ ତିନି-ମହଲା ବିଶିଷ୍ଟ କୋଠା ଅଟେ । ଏହା ହେଉଛି ସହରର ଅନ୍ୟତମ ପୁରାତନ ବଜାର, ମୁଦ୍ରଣ ଦୋକାନର କେନ୍ଦ୍ରସ୍ଥଳି, ଯାହା ଏଠାରେ ହେଉଥିବା ସ୍ୱତନ୍ତ୍ର ଶହ ଶହ ବର୍ଷ ପୁରୂଣା ଖତ୍ତାତୀ, (ଉର୍ଦ୍ଦୁ ଓ ଆରବି ହସ୍ତଲିପି ଲିଖନ) ପାଇଁ ପ୍ରସିଦ୍ଧ ।
ଖତ୍ତାତୀ, ଡେକାନ୍ ଅଞ୍ଚଳରେ କୁତବ୍ ସାହି ରାଜାମାନଙ୍କ ସମୟ (୧୫୧୮-୧୬୮୭)ରେ ଆରମ୍ଭ ହୋଇଥିବା ଜଣାଯାଏ । ଇତିହାସ ଅନୁସାରେ, ଏହାର ବିଶାରଦମାନେ (ଯେଉଁମାନଙ୍କୁ ଖତ୍ତାତ୍ ବା କାଟିବ୍ସ କୁହାଯାଏ) ଆରବି ଓ ଉର୍ଦ୍ଦୁରେ କୋରାନ୍ ଖୋଦେଇ କରି ଲେଖିଥିବା କଥା କୁହାଯାଏ । ଏଥିରୁ କିଛି କୋରାନ୍ ଆଜି ମଧ୍ୟ ହାଇଦ୍ରାବାଦ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସଂଗ୍ରହାଳୟମାନଙ୍କରେ ରହିଛି । ଖତ୍ତାତୀ, ସହରରେ କୁତବ୍ ସାହି ରାଜବଂଶର ରାଜତ୍ୱ କାଳରେ ନିର୍ମିତ ହୋଇଥିବା ସ୍ଥାପତ୍ୟଗୁଡିକରେ ମଧ୍ୟ ଦେଖିବାକୁ ମିଳେ । ବର୍ତ୍ତମାନ ଲୋକମାନେ ଉର୍ଦ୍ଦୁ ହସ୍ତଲିପି ବା ଖୁସ୍ ଖାତ୍ (ଭଲ ହସ୍ତଲିପି) ମୁଖ୍ୟତଃ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମୟରେ ଖୋଜନ୍ତି ଓ ଲିପିକାରଙ୍କ ଅନୁସନ୍ଧାନରେ ଛତ୍ତା ବଜାର ଆସିଥାନ୍ତି । ଉର୍ଦ୍ଦୁ ବିଦ୍ୟାଳୟ ଓ ମଦ୍ରାସାଗୁଡିକ ସେମାନଙ୍କ ଲୋଗୋ ତିଆରି କରିବା ପାଇଁ ମଧ୍ୟ ବେଳେବେଳେ ଏଠାକୁ ଆସିଥାନ୍ତି ।
ଆଜିମ୍ଙ୍କ ଚାରିପାଖରେ ବିଭିନ୍ନ ଗତିବିଧି ହେଉଥିଲେ ମଧ୍ୟ- ଶ୍ରମିକମାନେ କାଗଜଗୁଡିକ ଫେଣ୍ଟିବା, ଗ୍ରାହକମାନେ ଚିତ୍କାର କରିବା, ମୁଦ୍ରଣ ପ୍ରେସ୍ର ଅବିରତ ଗୁଣୁଗୁଣୁ ଶଦ୍ଦ- ମଧ୍ୟରେ ସେ ନୀରବରେ କାମ କରୁଥାନ୍ତି । “ମୁଁ ନିଜକୁ ଏହି କଳାର ଜଣେ ସାଧକ ବୋଲି ଭାବେ, ଯଦିଓ ଲୋକମାନେ ମୋତେ ଲିପିକାର ଭାବନ୍ତି” ସେ କୁହନ୍ତି । "ଖତ୍ତାତୀ, ଆଉ କିଛି ନୁହେଁ, ବରଂ ଏକ ବ୍ୟାକରଣ ଅଟେ। ପ୍ରତ୍ୟେକ ଅକ୍ଷରର ପ୍ରକାର, ପ୍ରତ୍ୟେକ ଅକ୍ଷର ପାଇଁ ସ୍ୱତନ୍ତ୍ର ବ୍ୟାକରଣ ରହିଛି – ଉଚ୍ଚତା, ଓସାର, ଗଭୀରତା ଓ ପ୍ରତ୍ୟେକ ବିନ୍ଦୁ ମଧ୍ୟରେ ଦୂରତା, ସବୁ ମହତ୍ତ୍ୱପୂର୍ଣ୍ଣ । ବ୍ୟାକରଣର ଅକ୍ଷୁର୍ଣ୍ଣତା ରକ୍ଷା କରିବା ସହ ତୁମେ କିଭଳି ଭାବେ ନିଜ କଲମ୍କୁ ନିପୂଣତା ସହିତ ଘୂରେଇ ପାରୁଛ, କେବଳ ତାହା ଉପରେ ଅକ୍ଷରଗୁଡିକର ସୌନ୍ଦର୍ଯ୍ୟ ନିର୍ଭର କରିଥାଏ । ଏହା ହେଉଛି କେବଳ ସୂକ୍ଷ୍ମ, ନିପୁଣ ହାତର ଗତିର ଯାଦୁ ।''







