ତୃତୀୟ ବୋରୱେଲ୍ ମଧ୍ୟ ଯେତେବେଳେ ଶୁଖିଗଲା, ଡି. ଅମରନାଥ ରେଡ୍ଡୀଙ୍କ ପାଖରେ ନିଜ ଜମିରେ ପାଣି ମଡ଼ାଇବା ଲାଗି ବର୍ଷା ଜଳ ଉପରେ ଭରସା କରିବା ଠାରୁ ଆଉ କୌଣସି ଚାରା ନଥିଲା। ଆନ୍ଧ୍ରପ୍ରଦେଶର ମରୁଡ଼ି ପ୍ରବଣ ଅଞ୍ଚଳ ରାୟଲସୀମାରେ ବୃଷ୍ଟିପାତକୁ ନେଇ ସବୁବେଳେ ଅନିଶ୍ଚିତତା ଲାଗି ରହିଥାଏ, ଯେଉଁ ଅଞ୍ଚଳରେ କି ୫୧ ବର୍ଷୀୟ ଅମରନାଥ ଚାଷ କରିଥାନ୍ତି। ତେଣୁ ସେ ଚିତ୍ତୁର ଜିଲ୍ଲାର ମୁଡିଭେଦୁ ଗ୍ରାମରେ ଥିବା ନିଜର ତିନି ଏକର ଚାଷ ଜମିରେ ବୋରୱେଲ୍ ଖୋଳିବା ଲାଗି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ବୋରୱେଲ୍ ଖୋଳିବା ଲାଗି ସେ ଘରୋଇ ସାହୁକାରଙ୍କଠାରୁ ଋଣ ଆଣିଥିଲେ। ପ୍ରଥମ ବୋରୱେଲରୁ ପାଣି ନବାହାରିବାରୁ ସେ ପୁଣିଥରେ ଚେଷ୍ଟା କଲେ। ଏପରି ଭାବେ ତୃତୀୟ ଥର ପ୍ରୟାସ ବେଳକୁ ତାଙ୍କର ଋଣ ଭାର ବଢ଼ିଯାଇଥିଲା, କିନ୍ତୁ ପାଣି ସ୍ୱପ୍ନ ପାଲଟିଯାଇଥିଲା।
ଅମରନାଥ ଏପ୍ରିଲ-ମେ ୨୦୨୦କୁ ଆଗ୍ରହର ସହିତ ଅପେକ୍ଷା କରିଥିଲେ, ଭଲ ଫସଲ ହେଲେ କିଛି ଋଣ ସୁଝିବେ ବୋଲି ତାଙ୍କର ଆଶା ଥିଲା। ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ଋଣ ବୋଝ ଥିଲା-ବୋରୱେଲରେ ତାଙ୍କର ଖର୍ଚ୍ଚ, ବଡ଼ ଝିଅ ବାହାଘର ପାଇଁ ଉଧାର ଓ ଏକ କୃଷି ଋଣ ବୋଝ ମଧ୍ୟ ତାଙ୍କ ଉପରେ ଥିଲା। କିନ୍ତୁ ଗତବର୍ଷ ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅପ୍ରତ୍ୟାଶିତ ଲକଡାଉନ ତାଙ୍କର ସମସ୍ତ ଯୋଜନାକୁ ପଣ୍ଡ କରି ଦେଇଥିଲା। ସେ ନିଜର ଟମାଟୋ ତୋଳିବାକୁ କିମ୍ବା ବିକ୍ରି କରିବାକୁ ସକ୍ଷମ ହେଲେ ନାହିଁ, ତାଙ୍କ ଆଖି ଆଗରେ ସବୁ ପାଚିଗଲା ଓ ନଷ୍ଟ ହୋଇଗଲା।
ସେପ୍ଟେମ୍ବର ୧୭,୨୦୨୦ରେ ଅମରନାଥ ବିଷ ପିଇଦେଇଥିଲେ। ଏ ସମ୍ପର୍କରେ ତାଙ୍କର ପତ୍ନୀ ଡି. ବିମଳା କୁହନ୍ତି, “ମହାମାରୀ ସମୟରେ ପରିସ୍ଥିତିରେ ସୁଧାର ଆସିବ ନାହିଁ ବୋଲି ସେ ନିଶ୍ଚିତ ଭାବେ ଚିନ୍ତା କରିଥିବେ, ଏବଂ ସମସ୍ତ ଆଶା ହରାଇଥିବେ। ଦଶ ଦିନ ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆମେ ତାଙ୍କ ଜୀବନ ରକ୍ଷା କରିବା ଲାଗି ତାଙ୍କୁ ବେଙ୍ଗାଲୁରୁ (ଏଠାରୁ ୧୮୦କିମି ଦୂର)ର ବଡ଼ ଡାକ୍ତରଖାନାକୁ ନେଇଗଲୁ। ଆମେ ସେତେବେଳେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କଲୁ।” ବିମଳା ଏହା କହିବା ସହିତ ତାଙ୍କ ସ୍ୱାମୀଙ୍କୁ ଆଉ ଏପରି ନକରିବା ଲାଗି ନିବେଦନ କରିଥିଲେ।
ଚିତ୍ତୁରରେ ଚାଷୀ ଆତ୍ମହତ୍ୟା ସମ୍ପର୍କରେ ପୁଲିସରେ ହୋଇଥିବା ରିପୋର୍ଟରେ ବୋରୱେଲ୍ ଖନନ ଫେଲ ମାରିବାକୁ ସବୁଠୁ ବଡ଼ କାରଣ ଭାବେ ଦର୍ଶାଯାଇଥାଏ। ଅନ୍ୟ ବିଫଳତାଗୁଡ଼ିକ ହେଉଛି ଟମାଟୋ ଫସଲରେ କ୍ଷତି ଓ କୃଷି ଋଣ ବୋଝ। ପରିବାରଗୁଡ଼ିକୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ ଅଧିକ କାରଣ ସାମିଲ ରହିଛି : “ବୋରୱେଲ୍ ଖନନ ବିଫଳ ହେବା, ଅଧିକ ଖର୍ଚ୍ଚ ସହ ସହିତ ବାଣିଜ୍ୟିକ ଫସଲ ଚାଷ, ଅନୌପଚାରିକ ଭାଗଚାଷ ଏବଂ ବ୍ୟାଙ୍କ ଋଣ ପାଇବାକୁ ଯୋଗ୍ୟ ନହେବା, ଅଧିକ ସୁଧ ହାରରେ ଘରୋଇ ସାହୁକାରଙ୍କ ଠାରୁ ଉଧାର, ପ୍ରତିକୂଳ ପାଣିପାଗ, ପିଲାମାନଙ୍କ ଶିକ୍ଷା ପାଇଁ ଅଧିକ ଖର୍ଚ୍ଚ, ଖରାପ ସ୍ୱାସ୍ଥ୍ୟ ଏବଂ ବିବାହ ଆଦି ଭିନ୍ନ ଭିନ୍ନ କାରଣ ଆତ୍ମହତ୍ୟା ପାଇଁ ଦାୟୀ।’’
ଆହୁରି ଅନେକଙ୍କ ଲାଗି, ଗତ ବର୍ଷର ଅପ୍ରତ୍ୟାଶିତ ଲକଡାଉନ ପରିସ୍ଥିତି ଅଧିକ ଜଟିଳ ହୋଇଯାଇଥିଲା। କେବଳ ୨୦୨୦ରେ, ଚିତ୍ତୁର ଜିଲ୍ଲାର ୩୪ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ-୨୦୧୪ ପରଠାରୁ ଏହା ସର୍ବାଧିକ ଥିଲା। ସେମାନଙ୍କ ମଧ୍ୟରୁ ୨୭ ଜଣ ଏପ୍ରିଲ ଓ ଡିସେମ୍ବର ମାସ ମଧ୍ୟରେ ପ୍ରାଣ ହରାଇଥିଲେ।
ମହାମାରୀ ପୂର୍ବରୁ ପରିସ୍ଥିତି ସେପରି ଭଲ ନଥିଲା। ୨୦୧୯ରେ, ଆନ୍ଧ୍ରପ୍ରଦେଶରେ ପ୍ରତି ପରିବାର ପିଛା ଚାଷୀଙ୍କ ଋଣ – ୨.୪୫ ଲକ୍ଷ ଟଙ୍କା ଥିଲା-ଯାହାକି ଦେଶରେ ସର୍ବାଧିକ ଥିଲା। ନିକଟରେ ଉନ୍ମୋଚନ ହୋଇଥିବା ଗ୍ରାମୀଣ ଭାରତରେ ଚାଷୀ ପରିବାରର ପରିସ୍ଥିତି ଆକଳନ ଏବଂ ପରିବାରର ଜମି ଓ ଗୃହପାଳିତ ପଶୁଙ୍କ ସ୍ଥିତି, ୨୦୧୯ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ୯୩ ପ୍ରତିଶତ ଚାଷୀ ପରିବାର ସେହି ବର୍ଷ ଋଣ ବୋଝରେ ଥିଲେ।
ଅମରନାଥ ଓ ବିମଳାଙ୍କ ଘର ଠାରୁ କିଛି ଦୂରରେ, ପି. ମଞ୍ଜୁଳା (୨୭)ଙ୍କ ଘର। ସେ ତାଙ୍କର ଦିବଙ୍ଗତ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ରହିଥିଲେ। ତାଙ୍କ ସ୍ୱାମୀଙ୍କ ମାନସିକ ସ୍ଥିତି କିଭଳି ଥିଲା ତାହା ସେ ଭାବୁଥିଲେ। ସେ କୁହନ୍ତି, ତାଙ୍କ ଠାରେ ହତାଶାର କୌଣସି ଚିହ୍ନ ନଥିଲା। ସେମାନଙ୍କ ବାହାଘରର ଆଠ ବର୍ଷ ମଧ୍ୟରେ ଅଧିକାଂଶ ସମୟରେ ସେ ୧୦ଏକର ଜମି ଚାଷ କରିବା ଲାଗି ଆଲୋଚନା କରୁଥିଲେ। “କିନ୍ତୁ ଆର୍ଥିକ ସମସ୍ୟା ବିଷୟରେ ସେ କେବେ କହିନଥିଲେ। ତାଙ୍କର ଋଣ (୮.୩୫ ଲକ୍ଷ ଟଙ୍କା) ଥିବା ଜାଣି ମୁଁ ଚକିତ ହୋଇଥିଲି”। ତାଙ୍କ ସ୍ୱାମୀ ୩୩ ବର୍ଷ ବୟସ୍କ ପି. ମଧୁସୂଦନ ରେଡ୍ଡୀ ୨୬ ଜୁଲାଇ ୨୦୨୦ରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ମଧୁସୂଦନ ନିଜର ଅଧା ଏକର ଜମିରେ ଯେଉଁ ଟମାଟୋ ଚାଷ କରିଥିଲେ ତାହା ତୋଳା ହୋଇପାରିନଥିଲା। ତାଙ୍କ ବାପା ପି. ଜୟରାମ ରେଡ୍ଡୀ କୁହନ୍ତି, ସେମାନଙ୍କର ଚାଷ ଜମିରେ ସେ ୪ଟି ବୋରୱେଲ୍ ଖୋଳିବାକୁ ଚେଷ୍ଟା କରିଥିଲେ, ଋଣ ବାବଦ ଅଧିକାଂଶ ଅର୍ଥ ଏଥିରେ ଖର୍ଚ୍ଚ ହୋଇଥିଲା। ଆଠ ବର୍ଷରେ ୭୦୦-୮୦୦ ଫୁଟ ବୋରୱେଲ୍ ଖୋଳା ହେଲା ଏବଂ ଋଣ ଟଙ୍କା ଉପରେ ସୁଧ ହାର ବଢ଼ି ବଢ଼ି ଚାଲିଥିଲା।
କିଛି ପରିମାଣରେ ଋଣ ସୁଝିବା ଲାଗି, ମଧୁସୂଦନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଦୁଇ ଏକର ଚାଷ ଜମି ବିକ୍ରି କରି ଦେଇଥିଲେ। ବର୍ତ୍ତମାନ ସେମାନେ ଅଧା ଏକର ଜମିରେ ଧାନ ଚାଷ କରୁଛନ୍ତି, ଏଥିପାଇଁ ସେହି ଅଞ୍ଚଳରେ ଥିବା ଏକ ବୋରୱେଲରୁ ସେମାନେ ସାତଟି ପରିବାର ମିଶି ପାଣି ଆଣୁଛନ୍ତି। ଜୟରାମି ରେଡ୍ଡୀ କୁହନ୍ତି, “ଚଳିତ ବର୍ଷ (୨୦୨୧)ରେ ପ୍ରବଳ ବର୍ଷା କାରଣରୁ ବୁଣା ହୋଇଥିବା ଚିନାବାଦାମ ଭଲ ଫସଲ ହୋଇପାରିନଥିଲା। ଆମ ଖର୍ଚ୍ଚ ସୁଦ୍ଧା ଉଠିଲା ନାହିଁ। ଅବଶିଷ୍ଟ ଜମି ପଡ଼ିଆ ରହିଛି।’’
ଚିତ୍ତୁର ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ବି. ଶ୍ରୀନିବାସୁଲୁ କୁହନ୍ତି, ୨୦୧୯ରେ ଅତ୍ୟଧିକ ବର୍ଷା କାରଣରୁ ଜିଲ୍ଲାର ଚାଷୀମାନେ ଏବେ ଟମାଟୋ ଛାଡ଼ି ଧାନ ଚାଷ କରୁଛନ୍ତି। କୁରବାଲାକୋଟା ମଣ୍ଡଳର ଅତିରିକ୍ତ ପରିସଂଖ୍ୟାନ ଅଧିକାରୀ ଏନ ରାଘବ ରେଡ୍ଡୀ କୁହନ୍ତି, ୨୦୦୯-୧୦ ଏବଂ ୨୦୧୮-୧୯ ମଧ୍ୟରେ ଦଶନ୍ଧିର ସାତ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାର କିଛି ଅଂଶକୁ ମରୁଡ଼ି ପ୍ରବଣ ଘୋଷଣା କରାଯାଇଥିଲା। ଏଥିରେ ମୁଡ଼ିଭେଦୁ ଗ୍ରାମ ଆସୁଥିବା କୁରବାଲାକୋଟା ମଣ୍ଡଳ ସାମିଲ ଥିଲା।
୨୦୧୯ପରଠାରୁ ଚିତ୍ତୁରରେ ଚାଷୀ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇଛି। ଜିଲ୍ଲା ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ୨୦୧୮ରେ ୭ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ଏହା ୨୭କୁ ବୃଦ୍ଧି ପାଇଥିଲା। ୨୦୨୦ରେ ଆନ୍ଧ୍ରପ୍ରଦେଶରେ ଦେଶର ତୃତୀୟ ସର୍ବାଧିକ ଚାଷୀ ଆତ୍ମହତ୍ୟା ଦେଖିବାକୁ ମିଳିଥିଲା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ର ତଥ୍ୟ ଅନୁଯାୟୀ, ୧୪୦ ଜଣ ଭାଗ ଚାଷୀଙ୍କ ସମେତ ମୋଟ ୫୬୪ ଜଣ ଚାଷୀ ରାଜ୍ୟରେ ଆତ୍ମହତ୍ୟା କରିଥିଲେ-ଚିତ୍ତୁରରେ ୩୪ ଜଣ ଚାଷୀ ନିଜର ପ୍ରାଣ ହାରିଥିଲେ।
ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଦଳିତ ଭାଗ ଚାଷୀ, ଏମ. ଚିନ୍ନା ରେଡ୍ଡାପ୍ପା। ପେଦ୍ଦତିପ୍ପାସମୁଦ୍ରମ ମଣ୍ଡଳ ଅଧୀନରେ ଆସୁଥିବା ତାଙ୍କର ଗ୍ରାମ ସମ୍ପାତିକୋଟାରେ ସେ ଦେଢ଼ ଏକର ଜମିରେ ଟମାଟୋ ଚାଷ କରିଥିଲେ। ମାସିକ ୨୦,୦୦୦ ଟଙ୍କା ଭଡ଼ାରେ ସେ ଏହି ଜମିରେ ଭାଗଚାଷ କରିଥିଲେ। କୋଭିଡ-୧୯ ଲକଡାଉନ କାରଣରୁ ତାଙ୍କୁ ଟମାଟୋ ବିକ୍ରି କରିବା ଲାଗି ସୁଦ୍ଧା ସୁଯୋଗ ମିଳିନଥିଲା ବୋଲି ତାଙ୍କର ପତ୍ନୀ ଏମ. ଈଶ୍ୱରାମ୍ମା କୁହନ୍ତି। “ଜମିରେ ଫସଲ ନଷ୍ଟ ହୋଇଗଲା, ସେତେବେଳକୁ ଆମ ଉପରେ ତିନି ଲକ୍ଷ ଟଙ୍କାର ଋଣ ବୋଝ ରହିଥିଲା।” ଆୟଜନିତ କ୍ଷତି ସମୟରେ ଜୀବନ ନିର୍ବାହ କରିବା ଲାଗି ଏହି ଦମ୍ପତିଙ୍କ ପାଖରେ ସମ୍ପତ୍ତି କିମ୍ବା ସଞ୍ଚୟ ନଥିଲା। ଡିସେମ୍ବର ୩୦ ତାରିଖରେ, ୪୫ ବର୍ଷୀୟ ଚିନ୍ନା ରେଡ୍ଡାପ୍ପା ଆତ୍ମହତ୍ୟା କରିଥିଲେ।
ଈଶ୍ୱରାମ୍ମା ଏବଂ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ତାଙ୍କର ଝିଅ ପୂଜା ବି. କୋତାକୋଟା ମଣ୍ଡଳ ଅଧୀନ ଦେଗାନିପଲ୍ଲୀ ପଡ଼ାରେ ଥିବା ତାଙ୍କ ବାପ ଘରକୁ ଚାଲି ଆସିଥିଲେ। ଈଶ୍ୱରାମ୍ମା କୁହନ୍ତି, “ମୁଁ ଏବେ ଚାଷ ଜମିରେ ଦିନକୁ ୨୦୦ଟଙ୍କାରେ ମୂଲ ଲାଗି ବଞ୍ଚୁଛି ଏବଂ ମୋ ପାଖରେ ଋଣ ସୁଝିବା ଲାଗି କୌଣସି ପନ୍ଥା ନାହିଁ। ମୁଁ ଅତି କଷ୍ଟରେ ବଞ୍ଚୁଥିବା ବେଳେ ଋଣଦାତାମାନେ ମୋତେ ଫୋନ କରି ବାରମ୍ବାର ହଇରାଣ କରୁଛନ୍ତି।”
ରୀତୁ ସ୍ୱରାଜ୍ୟ ବେଦିକା (ଆରଏସଭି) ପକ୍ଷରୁ ଫେବୃଆରୀ ୨୦୧୯ରେ କରାଯାଇଥିବା ଏକ ସୂଚନା ଅଧିକାର ଆବେଦନ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିଥିଲା। ୨୦୧୪ରୁ ୨୦୧୮ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧୫୧୩ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ଷତିପୂରଣ ପାଇନଥିବା ଚାଷୀ ପରିବାରର ସହାୟତା କରୁଥିବା ଚାଷୀ ସଂଗଠନ ଆରଏସଭିର ସମ୍ପାଦକ ବି. କୋଣ୍ଡାଲ ରେଡ୍ଡୀ କୁହନ୍ତି, “ସରକାର ମାତ୍ର ଆଉ ୬୪୦ ଜଣ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ରାଜି ହୋଇଥିଲେ ଏବଂ ଅବଶିଷ୍ଟ ୪୮୨ ଚାଷୀ ପରିବାରକୁ କୌଣସି କ୍ଷତିପୂରଣ ମିଳିଲା ନାହିଁ।” ମୃତ ଚାଷୀଙ୍କ ପରିବାରକୁ ମିଳୁଥିବା କ୍ଷତିପୂରଣରେ ଆଉ ୨ ଲକ୍ଷ ଟଙ୍କା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ୨୦୧୯ ଅକ୍ଟୋବରରେ ଘୋଷଣା କରିଥିଲେ। କିନ୍ତୁ ବିମଳା, ମଞ୍ଜୁଳା କିମ୍ବା ଈଶ୍ୱରାମ୍ମାଙ୍କୁ କୌଣସି କ୍ଷତିପୂରଣ ଏଯାଏଁ ମିଳିନାହିଁ।
୨୦୧୯-୨୦ରେ ରାଜ୍ୟରେ ଟମାଟୋ ଉତ୍ପାଦନରେ ଚିତ୍ତୁରର ଯୋଗଦାନ ୩୭ ପ୍ରତିଶତ ଥିଲା- ସେହି ବର୍ଷ ଆନ୍ଧ୍ରପ୍ରଦେଶରେ ଦେଶର ଦ୍ୱିତୀୟ ସର୍ବାଧିକ ଟମାଟୋ ଉତ୍ପାଦିତ ହୋଇଥିଲା। ବର୍ଷ ସାରା ଏଠାରେ ଉଭୟ ହାଇବ୍ରିଡ ଏବଂ ଦେଶୀ କିସମର ଟମାଟୋ ଉତ୍ପାଦିତ ହୋଇଥାଏ। ଦେଶର ଅନ୍ୟତମ ସର୍ବବୃହତ କୃଷି ବଜାର ମଧ୍ୟରେ ଅନ୍ୟତମ ମଦନ୍ନାପଲ୍ଲୀ ଟମାଟୋ ବଜାର ଚିତ୍ତୁରରେ ରହିଛି। ଚିତ୍ତୁର ଏବଂ ରାୟଲସୀମାର ଅନ୍ୟ ଜିଲ୍ଲା (ୱାଇଏସଆର କଡ଼ପା, ଅନନ୍ତପୁର, କୁର୍ଣ୍ଣୁଲ) ଏବଂ ପଡ଼ୋଶୀ କର୍ଣ୍ଣାଟକରୁ ଟମାଟୋ ଚାଷୀମାନେ ଆସି ସେମାନଙ୍କର ଫସଲ ବିକ୍ରି କରିଥାନ୍ତି।
ମଦନାପଲ୍ଲୀରେ, ନିଲାମ ଜରିଆରେ ପାଇକାରୀ ଦର ନିର୍ଦ୍ଧାରଣ କରାଯାଇଥାଏ ଏବଂ ଏହି ଦର ବିଭିନ୍ନ କାରଣ ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ୱରୂପ, ପୂର୍ବ ରାତିରେ ବର୍ଷା ହୋଇଥିଲେ ପରଦିନ ସକାଳୁ ଟମାଟୋ ଦର ହ୍ରାସ ପାଇଥାଏ। ଦର ଭଲ ଥିଲେ, ବଜାରକୁ ଅଧିକ ପରିମାଣରେ ଟମାଟୋ ଆସିଥାଏ, ଏହା ମଧ୍ୟ ସେହିଦିନ ଦର କମିବାର କାରଣ ସାଜିଥାଏ। ଠିକ ଏହିପରି ଘଟଣା ଅଗଷ୍ଟ ୨୯ ତାରିଖରେ ଘଟିଥିଲା, ଯେତେବେଳେ ଏହି ରିପୋର୍ଟର ଅନନ୍ତପୁର ଜିଲ୍ଲାର ଟନକଲ ମଣ୍ଡଳ ଅନ୍ତର୍ଗତ ମାଲରେଡ୍ଡୀପଲ୍ଲି ଗ୍ରାମର ଜଣେ ଚାଷୀ ଏସ. ଶ୍ରୀନିବାସୁଲୁଙ୍କୁ ସାକ୍ଷାତ କରିଥିଲେ। ସେ କହିଥିଲେ, “୩୦କିଲୋ ଓଜନର ଟମାଟୋ ଝୁଡ଼ି ଦାମ ଗତକାଲି ୫୦୦ ଟଙ୍କା ଥିଲା। ଦର ଭଲ ଥିବାରୁ ଚାଷୀ ଅଧିକ ପରିମାଣର ଟମାଟୋ ବଜାରକୁ ନେଇ ଆସିବା ଫଳରେ ଆଜି ସମାନ ପରିମାଣ ଟମାଟୋ ଦର ୩୯୦ ଟଙ୍କାକୁ ଖସି ଆସିଛି।”
ଅନନ୍ତପୁରର ନାଲ୍ଲାଚେରୁଭୁ ମଣ୍ଡଳରେ ଥିବା ଆଲ୍ଲୁଗୁଣ୍ଡୁ ଗ୍ରାମର ଜଣେ ଚାଷୀ ଆର. ରାମାସ୍ୱାମୀ ରେଡ୍ଡୀ କୁହନ୍ତି, “ପ୍ରତି ଏକର ଟମାଟୋ ଚାଷ ପାଇଁ ଖର୍ଚ୍ଚରେ ତଫାତ୍ ଦେଖା ଦେଇପାରେ, ଏଥିପାଇଁ ୧୦୦,୦୦୦ ରୁ ୨୦୦,୦୦୦ ଟଙ୍କା ଖର୍ଚ୍ଚ ହୋଇପାରେ। ଯଦି ପ୍ରାକୃତିକ କାରଣ (ବର୍ଷା)ରୁ ଫସଲ ନଷ୍ଟ ହୁଏ ନାହିଁ ତା’ହେଲେ ଅଧିକ ଖର୍ଚ୍ଚ ସହିତ ଫସଲ ଅଧିକ ହୋଇପାରେ।” ୨-୩ ବର୍ଷରେ ହୋଇଥିବା କ୍ଷତିକୁ କେବଳ ଚତୁର୍ଥ ବର୍ଷରେ ଭରଣା କରାଯାଇପାରେ।
ମଦନାପଲ୍ଲୀର ଆଇନଜୀବୀ ଏନ. ସହଦେବ ନାଇଡ଼ୁଙ୍କ ପରିବାର ୧୦-୧୫ ଏକର ଭାଗ ଜମିରେ ଟମାଟୋ ଚାଷ କରିଥାନ୍ତି। ସେ କୁହନ୍ତି, ଗତ ତିନି ବର୍ଷ ହେବ ଟମାଟୋ ଚାଷରେ କ୍ଷତି ଆଶଙ୍କା ବୃଦ୍ଧି ପାଇଛି। “ମୋର ୨୦ବର୍ଷର ଅନୁଭୂତି ରହିଛି, ଗୋଟିଏ ସପ୍ତାହ ସୁଦ୍ଧା ଦର ସ୍ଥିର ରହିନଥାଏ”, ସେ କୁହନ୍ତି। ସେ ଆହୁରି କହିଥାନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଚାଷ ଖର୍ଚ୍ଚ ୭-୧୦ ଗୁଣ ବୃଦ୍ଧି ପାଇଛି, କିନ୍ତୁ ଟମାଟୋ ଦର ୧ଟଙ୍କାରୁ ୬୦ ଟଙ୍କା ମଧ୍ୟରେ ତଳ ଉପର ହେଉଛି। ତେବେ ଅଧିକ ଲାଭ ପାଇଁ ସମ୍ଭାବନା ରହିଥିବାରୁ ଚାଷୀମାନେ ଏହି ଫସଲ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ଏବଂ ସେମାନେ ରିସ୍କ ନେବା ପାଇଁ ପ୍ରସ୍ତୁତ ହୋଇଯାଉଛନ୍ତି। ଅଧିକ ଫସଲ ଅମଳ ଯୋଗୁ ଅସ୍ଥିର ଦରର ମୁକାବିଲା କରିବାରେ ନାଇଡ଼ୁଙ୍କ ପରିବାର ସଫଳ ହୋଇପାରିଛି। ସେ କୁହନ୍ତି, “ଆମେ ଭାଗ ଜମିରେ ବର୍ଷ ସାରା ଟମାଟୋ ଚାଷ କରିଥାଉ। ତେଣୁ ଆମେ କ୍ଷତି ଠାରୁ ସୁରକ୍ଷିତ ରହିପାରିଛୁ।”
ଚଳିତ ବର୍ଷ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ପ୍ରବଳ ମୌସୁମୀ ବର୍ଷା ହୋଇଥିଲା। ନଭେମ୍ବର ମଧ୍ୟ ଭାଗରେ ୨୫୫ ପ୍ରତିଶତ ଅଧିକ ଅଦିନିଆ ବର୍ଷା ହୋଇଥିଲା। ଏଥିଯୋଗୁ ସାରା ରାୟଲସୀମାରେ ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଯାଇଥିଲା। ଅକ୍ଟୋବର ପରଠାରୁ ମଦନାପଲ୍ଲୀରେ ଟମାଟୋ ଯୋଗାଣ ହ୍ରାସ ପାଇଛି ଯାହାଫଳରେ ଦର ବୃଦ୍ଧି ପାଇଛି। ଉଚ୍ଚ ମାନର ହାଇବ୍ରିଡ ଟମାଟୋ ଯାହା ଗତ ମାସରେ କିଲୋପ୍ରତି ୪୨ରୁ ୪୮ ଟଙ୍କାରେ ବିକ୍ରି ହେଉଥିଲା ତାହା ନଭେମ୍ବର ୧୬ ତାରିଖରେ କିଲୋପ୍ରତି ୯୨ ଟଙ୍କାରେ ବିକ୍ରି ହୋଇଥିଲା। ଏହି ଦର ଦିନକୁ ଦିନ ବୃଦ୍ଧି ପାଉଛି, ନଭେମ୍ବର ୨୩ ତାରିଖରେ ଏହା ରେକର୍ଡ ଅଧିକ ଦର କିଲୋପ୍ରତି ୧୩୦ ଟଙ୍କାରେ ପହଞ୍ଚିଛି।
ଯଦିଓ କିଛି ଚାଷୀ ସେଦିନ ଆଶ୍ୱସ୍ତ ହୋଇ ଘରକୁ ଫେରିଥିଲେ, ତଥାପି କିଛି ଲୋକ ସେମାନଙ୍କର ଅନିଶ୍ଚିତ ଜୀବିକାକୁ ନେଇ ଆଶଙ୍କାରେ ଥିଲେ।
ଯଦି ଆପଣଙ୍କ ଠାରେ ଆତ୍ମହତ୍ୟା ପ୍ରବଣତା ରହିଛି କିମ୍ବା ଆପଣ ହତାଶା ମଧ୍ୟରେ ରହିଛନ୍ତି ତା’ହେଲେ ଜାତୀୟ ହେଲ୍ପଲାଇନ, କିରନ ୧୮୦୦-୫୯୯-୦୦୧୯ ( ୨ ୪/୭ ନିଃଶୁଳ୍କ) କିମ୍ବା ଆପଣଙ୍କ ନିକଟରେ ଥିବା ଏପରି ଅନ୍ୟ କୌଣସି ହେଲ୍ପଲାଇନକୁ କ ଲ୍ କରନ୍ତୁ। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମ୍ପର୍କରେ ସୂଚନା ଏବଂ ସେବା ପାଇବାକୁ ହେଲେ, ଦୟାକରି ଏସପିଆଇଏଫର ମାନସିକ ସ୍ୱାସ୍ଥ୍ୟ ଡିରେକ୍ଟୋରୀ ଦେଖନ୍ତୁ।
ଅନୁବାଦ: ଓଡ଼ିଶାଲାଇଭ୍